ନାଏବ ବାବୁ

 

 

 

 

 

 

 

 

 

 

ନାଏବ ବାବୁ

ଶ୍ରୀ କେଶବ ଚନ୍ଦ୍ର ମିଶ୍ର

 

ପ୍ରଥମ ପରିଚ୍ଛେଦ

 

ଭାଦ୍ର ମାସ ଶୁକ୍ଳଚତୁର୍ଦ୍ଦଶୀ, ଦିବା ଦ୍ୱିପ୍ରହର, ଭୋଦେଇ ଖରା ଦେହରେ ଚିଁ ଚିଁ ଗଳିଯାଉଛି-। ଗୋପାଳ ମିଶ୍ରେ ସୂର୍ଯ୍ୟକିରଣ ଯୋଗେ ବାମହାତ ଚକିରେ ଖଣ୍ଡିଏ ଡଲାମୁଣ୍ଡ ଉପରେ ଛକ୍ରାକାରରେ ଉତ୍ତୋଳନ କରିଅଛନ୍ତି । କାଖତଳେ ଖଣ୍ଡେ ତାଳପତ୍ର ପୋଥି ଅଛି, ଦକ୍ଷିଣ ହସ୍ତରେ ବିଡ଼ିଏ କୁଶ ଓ ଗୋଟାଏ ତାମ୍ରପାତ୍ରୀ, ଲଲାଟରେ ଦୀର୍ଘ ଚିତା, ବେକରେ ରୁଦ୍ରାକ୍ଷମାଳ, ପରିଧାନ କଷାବସ୍ତ୍ର, ମଧ୍ୟ ଖଣ୍ଡିଏ କଷା ଶାନ୍ତିପୁରୀ ଚଦର କାନ୍ଧରେ ପକାଇ ଦାମ ସାହୁ ଖୋଳୀରେ ଲଣ୍ଡଭଣ୍ଡ ହୋଇ ସରପଟିଛନ୍ତି । ତାଙ୍କ ପଛରେ ଗୋଟିଏ ପିଲା ଗୋଟିଏ ମସ୍ତ ଯାଉଁଳି ଧରି ଲସର ପସର ହୋଇ ଗୋଡ଼ାଇ ଅଛି । ଏହି ସମୟରେ ମାଷ୍ଟରଙ୍କ ଦେଖା ହୋଇଗଲା ।

 

ମାଷ୍ଟର କହିଲେ, ‘‘ମିଶ୍ରେ, ଦଣ୍ଡବତ’’ । ମିଶ୍ରେ ଲଣ୍ଡଭଣ୍ଡ ହୋଇ ଡଲାଟିକୁ ପଛରେ ଥିବା ବୋକଚାବୁହା ହାତକୁ ବଢ଼ାଇ ଦେଇ ଓ ଦୁଇହସ୍ତ ଲମ୍ୱେଇ ଦେଇ କହିଲେ, ‘‘ଧନଂ ଧାନ୍ୟଂ ଧରା ଧର୍ମଂ କୀର୍ତ୍ତିରାୟୂର୍ଯଶଃ ଶ୍ରିୟଂ । ତୁରାଗାନ୍‌ ଦନ୍ତିନଃ ପୁତ୍ରାନ୍‌ ମହାଲକ୍ଷ୍ମୀଃ ପ୍ରୟଚ୍ଛତୁ । ଅଷ୍ଟୋତ୍ତରଶତ ସମ୍ୱତ୍ସର-ଜୀବିତାସ୍ତୁ । ପରମାୟୁବୃର୍ଦ୍ଧ୍ୟସ୍ତୁ । ମନୋବାଞ୍ଛା ପରିପୂର୍ଣ୍ଣାସ୍ତୁ । କି ମାଷ୍ଟର ବାବୁ, ଏ ଖରାରେ କୁଆଡ଼େ ?’’

 

ମାଷ୍ଟର–ଆପଣ ଆଜି ଏତେ ଲଣ୍ଡଭଣ୍ଡ କାହିଁକି ?

 

ମିଶ୍ରେ–ମାଷ୍ଟରେ, ଆଜି ସାତଘରେ ଅନନ୍ତବ୍ରତ କରିବାକୁ ଅଛି । ଚାରି ସ୍ଥାନରେ କରିଦେଲିଣି । ଆଉ ତିନି ଘରେ କରିଦେଲେ ଖଲାସ ।

 

ମାଷ୍ଟର–ତେବେ ଆଜି ତ ଆପଣଙ୍କର କଚେବାର ପଡ଼ିଛି !

 

ମିଶ୍ରେ–କ’ଣ ପଚାରୁଛନ୍ତି, ବ୍ରାହ୍ମଣିଆ ରୋଜଗାର କଥା–କେଉଁ ଦିନ ବାଘର ଆହାର, କେଉଁ ଦିନ ପବନ ଆହାର ।

 

ମାଷ୍ଟର–ଡଲା ଖଣ୍ଡିକରେ କ’ଣ ଧରିଛନ୍ତି ଟିକିଏ ଦେଖାଇବେ କି ?

 

ମିଶ୍ରେ–କ’ଣ ଦେଖିବେ ! ରାଶିଲଡ଼ୁ ଦିଟା, ନଡ଼ିଆ ଖଣ୍ଡେ, ଉଖୁଡ଼ା ମୁଠେ ଧରିଛି ।

 

ମାଷ୍ଟର–ଏ ଚାଖଣ୍ଡ ଲମ୍ୱର କରିଆ ଖଣ୍ଡି କେଉଁଠୁ ପାଇଲେ ?

 

ମିଶ୍ରେ–ଭଲା ପଚାରୁଛନ୍ତି । ଏ ତ ଆମର ଫଳନ୍ତି ବୃକ୍ଷ–ବାପାଙ୍କ ଅମଳରୁ ଫଳ ଫଳୁଛି-

 

ମାଷ୍ଟ୍ରର–କେମନ୍ତ ? ଆଚ୍ଛା ଟିକିଏ ବୁଝାଇ କହନ୍ତୁ ତ ?

 

ମିଶ୍ରେ–ବୁଝିଲେ ନାହିଁ କି ? ବାପାଙ୍କ ଦେହକ ଏଥିରେ ମାରି ମୋ ଦେହକ ଆସି ଅଧା ଗଲାଣି ।

 

ମାଷ୍ଟର–କିପରି ?

 

ମିଶ୍ରେ–ଯେତେବେଳେ ଯଜମାନଙ୍କ ଘରେ କିଛିକାମ ପଡ଼େ, ପୁରୋହିତଙ୍କୁ ଆଗ ଦିନରୁ ଡାକରା ପଡ଼େ; ଡକରା ପଡ଼ୁ ନ ପଡ଼ୁ ଆମେ ନିଜେ ଯାଇବି ପହଞ୍ଚି ଯାଉଁ । ଖରଡ଼ାଟିଏ କରୁ–ଦୂବବରକୋଳିପତ୍ର ପର୍ଯ୍ୟନ୍ତ ଲେଖାହୁଏ । ସମସ୍ତ ପଦାର୍ଥ ସଂଗ୍ରହ କରିବା ଭାର ସେମାନଙ୍କ ଉପରେ ନ୍ୟସ୍ତ କରାଯାଏ; ମାତ୍ର ଏ କରିଆ ଖଣ୍ଡିକର ପଇସା ଆମେ ନେଇ ଆସୁଁ, କାରଣ ସବୁ ଦୋକାନରେ ସଦାବେଳେ ଏହା ମିଳେନାହିଁ । ଦାମ୍‌ ତ ଦୁଇ ପଇସା । ‘‘ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍‌’’–ବଚନାତେ ଲୁଗା ପରିବର୍ତ୍ତେ ବର୍ତ୍ତମାନ ଯୁଗରେ ଏହାର ବ୍ୟବହାର । ଏଣୁ ଆମ ଜିମା ଦୁଇଟି ପଇସା ଦେବାକୁ କେହି କୁଣ୍ଠିତ ହୁଅନ୍ତି ନାହିଁ । କାଲି ସାତ ଘରେ ଖରଡ଼ା କରି ସାତଖଣ୍ଡିର ମୂଲ୍ୟ ଚଉଦ ପଇସା ଅଣ୍ଟାରେ ମାଇଲୁଁ । ଏ ଖଣ୍ଡକରେ ଠାକୁର ବସନ୍ତି । ଏହା ପୁରୋହିତଙ୍କ ପ୍ରାପ୍ୟ । ଆପଣ ତ ଇଂରେଜୀ ପଢ଼ି ଘର ଛାଡ଼ି ଚାରିଆଡ଼େ ବୁଲିଲେ, ଏସବୁ କଥା କାହୁଁ ଜାଣିବେ-? ଏ ଖଣ୍ଡିରେ ପ୍ରଥମ ଘରେ କାମ ଚଳାଇ ଦେଇ ଅଇଲୁଁ । ଦ୍ୱିତୀୟ ଘରେ ମଧ୍ୟ ଏହାଦ୍ୱାରା କାର୍ଯ୍ୟ ଚଳିଲା । ଏହିପରି ଏହା ସାତ ଘରେ କାମ ଚଳାଇ ଶେଷରେ ଯାଇ ପେଡ଼ିରେ ବିଶ୍ରାମ ଲଭିବ, ପୁଣି ଦରକାର ବେଳେ କର୍ମରେ ଆସିବ । ଏଥର ବୁଝିଲେ ?

 

ମାଷ୍ଟର–ହଁ, ତେବେ ଆପଣଙ୍କ ପୁଅ ଦେହକ ବି ଏ ଫଳିବ ?

 

ମିଶ୍ରେ–ନିଶ୍ଚିନ୍ତ ।

 

ମାଷ୍ଟର–(ଯାଉଁଲି ପକା ପିଲାଟି ଆଡ଼କୁ ଚାହିଁ) କିରେ, ତୁ ସ୍କୁଲକୁ ନ ଯାଇ ଏଇ କାମ କରୁଛୁ ପରା ?

 

ମିଶ୍ରେ–ଆପଣ ସିନା ନାଁଟା ତାର ଲେଖିନେଲେ, ସେ ପାଠରେ ଆମର ଫଳ କିଛିନାହିଁ, ମୋ ସଙ୍ଗରେ ବୁଲି କାମ ଦାମ ଦେଖିଲେ ପଇତା ଦି’ ଖିଅ ଗଳାଇ ଦେଲାମାତ୍ରେ ଦୁଇ ପଇସା ରୋଜଗାର କରିବ ଏବଂ ମତେ ଟିକିଏ ସିଲ ପଡ଼ିବ । ସେ ପାଠରୁ କ’ଣ ମିଳିବ ?

 

ମାଷ୍ଟର–ଆପଣ ତାକୁ ତେବେ ତାଲିମ କରୁଛନ୍ତି ?

 

ମିଶ୍ରେ–ଆଉ କ’ଣ, ଦେଖା ଶିଖା ଓଡ଼ିଶା–ଦେଖିଲେ ସିନା କରିବ ।

 

ମାଷ୍ଟର–ପଇତା କେବେ ଦେବେ ?

 

ମିଶ୍ରେ–ଏ ଦୁଇମାସ ଗଲେ ଦି’ ଖିଅ ଗଳାଇ ଦେବି ।

 

ମାଷ୍ଟର–ଏ ତ ଅକ୍ଷର ଚିହ୍ନି ନାହିଁ, ମନ୍ତ୍ର ପୋଥି ପଢ଼ିବ କିପରି ?

 

ମିଶ୍ରେ–ଆଚ୍ଛା ପଚାରୁଛନ୍ତି ! ବାହ୍ମୁଣିଆ ତୁଣ୍ଡରେ ଯାହା କହିବ, ତା ବେଦ । ମୋ ମୁହଁରୁ ଏତେକଥା ଶୁଣୁଛି, ଦି’ ଚାରିଟା କ’ଣ ମନେ ରଖିପାରିବ ନାହିଁ ? ଆଜିକାଲି ସିନା ଏତେ ଛପାଖାନା, ପୂର୍ବେ ଗୋସିବାପା ଅମଳରେ ମୁହେଁ ମୁହେଁ ଚାରିବେଦ ପଢ଼ା ହେଉଥିଲା । ପୋଥି ଖଣ୍ଡ ସିନା କାଖରେ ଥାଏ, ସେ କ’ଣ ଫିଟେ–ମୁହେଁ ମୁହେଁ କାମ ଫତେ ।

 

ମାଷ୍ଟର–ସେ ଯାଉଁଳିରେ କ’ଣ ଅଛି ?

 

ମିଶ୍ରେ–ଯେ ବ୍ରତ କରିବ, ସେ ଆଗେ ବ୍ରାହ୍ମଣକୁ ଭୋଜନ ଦେବ, ପରେ ସିନା ଖାଇବ । ଜଣକ ଘରେ ଦିଟା ଖାଇ ଦେଲୁଁ, ସାତ ଘରେ ତ ଖାଇ ପାରିବୁ ନାହିଁ–ଆମ ଭୋଜନ ବାନ୍ଧି ନେଉଛୁଁ-

 

ମାଷ୍ଟର–ଆପଣ ବ୍ରତୀଘରେ ନ ଖାଇ ବୁଜୁଳା ବାନ୍ଧି ନେଲେ ତାହାର କି ପୁଣ୍ୟହେବ ?

 

ମିଶ୍ରେ–ବେଶି ଧର୍ମହେବ, ସେଥିର ପାଠ ଅଛି ।

 

ମାଷ୍ଟର–ଆଚ୍ଛା, ପାଠ କ’ଣ କହନ୍ତୁ ।

 

ମିଶ୍ରେ–ସେ ତ ଭୋଜନ ପାଇଁ ଦେଲା, ଆମେ ଆଜି ଖାଉଁ ବା କାଲି ଖାଉଁ ଏକାକଥା । ମହାଶୟ, ମୁଁ ଯାଉଛି । ବେଳ ଉଛୁର ହେଉଛି । ଆଉ ତିନିଘରେ ବ୍ରତ କରିବାକୁ ପଡ଼ିବ ।

 

ମାଷ୍ଟର–ଟିକିଏ ରହନ୍ତୁ ! ଅନନ୍ତ ବ୍ରତ ପରା ଦ୍ୱିପ୍ରହର ସମୟରେ ହୁଏ । ଆଉ କେତେବେଳେ କରିବେ ?

 

ମିଶ୍ରେ–ସେ କଥା କିଏ ପଚାରୁଛି ? ସନ୍ଧ୍ୟାବେଳ ପର୍ଯ୍ୟନ୍ତ ହେବ, କ’ଣ କରାଯିବ ! ଶୂଦ୍ର ଘରେ ପାଠ ଖୋଜୁଛି କିଏ ? ସେ ଯାହାସବୁ କରିଥାଏ, ତାହା ବାଢ଼ି କାନିରେ ବାନ୍ଧିବା ପର୍ଯ୍ୟନ୍ତ ଯେତେ ସମୟ ଲାଗିବ ସେତିକି, ଆଉ ଦରକାର କ’ଣ ? ହାତରେ ବାଢ଼ିବା ଓ ବାନ୍ଧିବା କାମ ଚଳୁଥିବ, ମୁହଁରେ ପାଠବୋଲା ଯାଉଥିବ । ବନ୍ଧା ସରିଲେ ପାଠସରିଲା । ବିଳମ୍ୱ କଲେ କିମ୍ୱା ବିଧିମତ ପାଠକଲେ ଭୋକ ସମ୍ଭାଳିଲେ ସିନା ହେବ । ମୁଁ ତେବେ ଆସୁଛି ।

 

ମାଷ୍ଟର–(ହସିହସି) ଆଚ୍ଛା, ଆସନ୍ତୁ, ଦଣ୍ଡବତ ।

 

ମିଶ୍ରେ–ମନୋବାଞ୍ଛା ପରିପୂର୍ଣ୍ଣମସ୍ତୁ ।

 

ଏହାକହି ଦୁଇ ପାହୁଣ୍ଡ ଯାଇ ପୁନରାୟ ଫେରି ମାଷ୍ଟରଙ୍କୁ କହିଲେ, ‘‘ମାଷ୍ଟର ବାବୁ, ମୁଁ କାଲି ଆପଣଙ୍କ ନିକଟକୁ ଯିବି । ଅନୁଗ୍ରହ କରି ଟୋକା ନାଁଟା ଟିକିଏ ଆପଣଙ୍କ ବହିରୁ କାଟି ଦେବେ । କାଲି ସବୁ ହାଲ କହିବି ।’’

 

ମାଷ୍ଟର–ଆଚ୍ଛା, ଆପଣ କାଲି ଯିବେ, କଥାବାର୍ତ୍ତା ହେବା ।

 

ଏହାକହି ପରସ୍ପର ବିପରୀତ ଦିଗରେ ଗତି କଲେ । ମିଶ୍ରେ ପ୍ରାୟ କୋଡ଼ିଏ ପାହୁଣ୍ଡ ଅଗ୍ରସର ହୋଇ ଅଛନ୍ତି, ହଠାତ ଗୋଟିଏ କ୍ରନ୍ଦନ ରୋଳ ଶୁଣି ଥକା ହୋଇ ଛିଡ଼ା ହୋଇଗଲେ । ମୁହୂର୍ତ୍ତକ ପରେ ପଛରେ ଆସୁଥିବା ଟୋକାକୁ ପଚାରିଲେ, ‘‘କିରେ, ଏ କାନ୍ଦ କେଉଁଠାରେ ? ଟୋକା କହିଲା, ‘‘ନାଏବ ବାବୁ ଘରେ ଶୁଭୁଛି । ସତ୍ୟାନାଶ, କିରେ, ଆଜି ଗୋଟାଏ ବ୍ରତ ବୁଡ଼ିବ କି-? ନାଏବ ବୁଢ଼ାର ଦେହ ଭଲ ନ ଥିଲା, ତାର ଆଉ କ’ଣ ହେଲାକି ? ଧାଇଁଆ, ଧାଇଁଆ, ଧାଇଁଆ’’, ଏହାକହି ଅତି ଦ୍ରୁତଗତିରେ ନାଏବଙ୍କ ଗୁହ ମଧ୍ୟରେ ପ୍ରବେଶ କରି ଶୁଣିଲେ ଯେ, ନାଏବ ବୁଢ଼ା ବେହୋଷ । କାରଣ କ’ଣ ପଚାରିଲେ, କିଏ ଜବାବ ଦେଉଛି ? କିଏ ବୁଢ଼ାକୁ ଦେଖିବା, କିଏ ବୈଦ୍ୟକୁ ଡାକିବା, କିଏ ବୁଢ଼ାର ପ୍ରିୟାପ୍ରୀତି ବନ୍ଧୁବାନ୍ଧବଙ୍କୁ ଖବର ଦେବା, କିଏ ବୁଢ଼ା ମୁହଁରେ ପାଣି ଛାଟିବା, କିଏ ବିଞ୍ଚିବା ବା କାନ ଫୁଙ୍କିବା ଆଦି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ମିଶ୍ରେ ଭାବିଲେ–ଏଠାରେ ଟିକିଏ ଅପେକ୍ଷା ନ କରି ଚାଲିଗଲେ ଭଲ ହେବନାହିଁ । ତାଙ୍କ ସଙ୍ଗରେ ଯେଉଁ ଟୋକା ଥିଲା–ସେଟି ତାଙ୍କର କନିଷ୍ଠ ପୁତ୍ର କୁଶିଆ । ତାଙ୍କର ମାଧିଆ ନାମକ ଜ୍ୟେଷ୍ଠ ପୁତ୍ର ଗୋଟିଏ ଥିଲା । ସେ ପୁରୋହିତ କାମ କରିବାକୁ କ୍ଷମ ହୋଇଥିଲେ ସୁଦ୍ଧା ସେ ଯେଉଁଠାରୁ ଦୁଇ ପଇସା ଆଣିବ, ମିଶ୍ରେ ଗଲେ ନିଶ୍ଚୟ ଅଣାଏ ବାହାର କରିବେ । ତାଙ୍କର ଖଣ୍ଡିଏ ଚାଷ ମଧ୍ୟ ଥାଏ । ଉକ୍ତ ଚାଷକାର୍ଯ୍ୟର ଭାର ମାଧିଆ ଉପରେ ନ୍ୟସ୍ତଥାଏ । ମିଶ୍ରେ କୁଶିଆକୁ କହିଲେ, ‘‘ଆରେ, ତୁ ଘରକୁ ଯା, ମାଧିଆକୁ କହିବୁ–ପେଡ଼ିରୁ ଖଣ୍ଡେ ଅରକା(କରିଆ) ଧରି ଶୀଘ୍ର ଆସି ସେ ଦି’ଘର ବ୍ରତ କରିବ । ନନାଘରୁ ପୋଥି ଖଣ୍ଡେ ନେଇ ଆସିବ । ଶୀଘ୍ରକର, ଦିନ ଯାଉଛି । ଆଜି ବିଲ ବଛା ରହୁ ପଛକେ, ନୋହିଲେ ତୁ ମୂଲିଆକୁ ବିଲକୁ ପଠାଇ ଦେବୁ ।’’

 

କୁଶିଆ ଚାଲି ଗଲାରୁ ମିଶ୍ରେ ବୁଢ଼ାର ଶୋଇବା ଘର ମଧ୍ୟକୁ ପଶିଯାଇ ଚିକିତ୍ସାକାରିମାନଙ୍କୁ ନାନା ଉପଦେଶ ଓ ଦମ୍ଭ ଦେବାକୁ ଲାଗିଲେ । କିଛିକ୍ଷଣ ପରେ ବୁଢ଼ା ସଚେତ ହେଲା । ତହୁଁ ମିଶ୍ରେ ସେ ଘରୁ ଭିଡ଼ ଭଙ୍ଗାଇ ଦେଇ, ଜାଣିବା ଲୋକ ଦୁଇ ଜଣ ବୁଢ଼ା ପାଖରେ ବସାଇ ଦେଇ ବ୍ରତ ଯୋଗାଡ଼ କଲେ । ନାଏବ ବାବୁଙ୍କର ପୁତ୍ରବଧୂ ବ୍ରତ କରନ୍ତି । ବେଳ ପ୍ରାୟ ଚଉଦ ଘଡ଼ି ଅତିକ୍ରମ କରିବାକୁ ବସିଲାଣି, ମିଶ୍ରେ କୌଣସି ପ୍ରକାରେ ବ୍ରତକାର୍ଯ୍ୟ ଓ ବ୍ରାହ୍ମଣ ଭୋଜନାଦି ଶେଷ କରିଦେଇ ନିଜେ ଯାଉଁଳି ସଜାଡ଼ି, ନିରାପଦ ସ୍ଥାନରେ ରଖାଇ ଦେଇ ବୁଢ଼ାକୁ ଦେଖିବାକୁ ଗଲେ । ବୁଢ଼ା ସଚେତ ହୋଇଥିଲେ ମଧ୍ୟ ଦେଖିବା ମାତ୍ରେ ମନୁଷ୍ୟ ଚିହ୍ନି ପାରୁ ନ ଥିଲେ । ମିଶ୍ରେ ବଡ଼ ପାଟିରେ ଡାକିବାରୁ ବୁଢ଼ା ଜବାବ ଦେଲେ–’ମିଶ୍ର ପୁଅ–’ ମିଶ୍ରେ–ହଁ, ଦେହ କିପରି ଲାଗୁଛି ?

 

ବୁଢ଼ା–ଆଉ କ’ଣ ଜୀବ ରହିବ । ନିଧି (ନାଏକଙ୍କର ଏକମାତ୍ର ପୁତ୍ର ଦୟାନିଧି) ଲାଗିଲା-। ମିଶ୍ର ପୁଅ, ମୋ ପଛେ ପଛେ ଘର ବୁଡ଼ିଯିବ । ନିଧି କଥା ତ ଜାଣ, ମୁଁ କ’ଣ କହିବି ?

 

ମିଶ୍ରେ–ଏତେବେଳେ ସେ ଚିନ୍ତା କାହିଁକି ? ହରିଙ୍କୁ ଡାକ ।

 

ବଢ଼ା–ଦେହକ ଯାକ ଡାକି ଡାକି ବୁଢ଼ା ବୟସକୁ ଗୋଟାଏ କୁଳାଙ୍ଗାର ପୁଅ ଦେଲେ, ଆଉ ମଲାବେଳେ ଡାକିଲେ ସ୍ୱର୍ଗରେ ବସିବି ?

 

ମିଶ୍ରେ–ମୁଁ ଘରକୁ ଯାଉଛି ।

 

ବୁଢ଼ା–କାଲି ଭୋର ଟିକିଏ ଆସିବ ? ଲୋକେ କ’ଣ କହିବେ ? ମୁଁ ମୁଠେ ଟେକିଦେବି-

 

ମିଶ୍ରେ–ହଁ, ସେ ତ ପଥକୁ ସଙ୍ଖାଳି; ମୁଁ ଯାଉଛି ।

 

ବୁଢ଼ା–ସେଟା ତ ପାଗଳ । ମୁଁ ଯିବା ଉପରେ ବସିଲିଣି, ଟିକିଏ ପାଖରେ ବସୁ ନାହିଁ । ବହୂକୁ ସବୁ ବୁଝାଇ ଦେଇ ଯିବ ।

 

ମିଶ୍ରେ ଦାନ ସାମଗ୍ରୀ ସଜାଡ଼ିବା ପାଇଁ ବହୂକୁ ଏପରି ବ୍ୟସ୍ତରେ ପକାଇ ଦେଲେ ଯେ, ସେ ବିଚାରୀ କିଛିକ୍ଷଣ ପାଇଁ ଶୋକରୁ ଉଦ୍ଧାର ପାଇଗଲା । ଏପରି ଉପଦେଶ ଦିଆଗଲା ଯେ, କେଜାଣେ କ’ଣ ! –‘‘ମନୁଷ୍ୟ–ଜୀବନ ପାଣି ଫୋଟକା ସଙ୍ଗେ ସମାନ । ସବୁଘଣ୍ଟାକ ମଧ୍ୟରେ କରି ବୁଢ଼ାକୁ ଚାହିଁ ବସିଥିବ । କିଛି ଜାଣିଲେ ତତ୍‌କ୍ଷଣାତ ମୋ ନିକଟକୁ ଲୋକ ଦଉଡ଼ାଇବ ।’’ ବହୂକୁ ଷୋଳ, ପୁଅକୁ କୋଡ଼ିଏ; ପୁଣି ପୁଅ ରହନ୍ତି ମଠରେ, ଏଥିରେ ଧୈର୍ଯ୍ୟ କାହୁଁ ରହିବ ? ଶାଶୁ ନାହିଁ, ନଣନ୍ଦ ନାହିଁ, ବନ୍ଧୁ ନାହିଁ, କେବଳ ପାଞ୍ଚଜଣ ଚାକର ସହାୟ । ବହୂ ଦିକ୍‌ଶୂନ୍ୟ ହୋଇ ସଲୋତକରେ ଘର କୋଣର କବାଟ ଆଢ଼ୁଆଳରେ ଥାଇ କାତର ସ୍ୱରରେ କହି ପକାଇଲା–’’ଏତେବେଳେ ଆପଣ ମୋହର ସହାୟ ।’’

 

ପୁରୋହିତଙ୍କ ଘର ଏକ ମାଇଲ ଦୂର । ରାତି ପ୍ରାୟ ଘଡ଼ିଏ ହେଲାଣି । ତେଣେ ନିଜର ଗୋରୁଗାଈ, ମୂଲିଆ ପାଇଟିଆ ଓ ପୁଅଙ୍କ ଖବର ପାଇଁ ବ୍ୟସ୍ତରେ ‘‘ହଉ, ଭଗବାନ୍‌ ଅଛନ୍ତି’’ କହି ମିଶ୍ରେ ନିଜ ଗୃହାଭିମୁଖରେ ପ୍ରସ୍ଥାନ କଲେ । ପାଏ ବାଟ ଗଲେଣି, ଗୋଟାଏ ଅନ୍ଧାରୁଆ ଆମ୍ୱଗଛ ମଧ୍ୟରୁ ପପ୍ତାଏ ଜୁଳୁଜୁଳିଆ ପୋକ ଜକଜକ ଦିଶିବାରୁ ମିଶ୍ରଙ୍କର ମନେ ପଡ଼ିଲା–’’ ଆରେ ଆରେ, ଯାଉଁଳିଟା ତ ଛାଡ଼ି ଆସିଲି, ଏତେବାଟ ଫେରିବି ! ବ୍ରାହ୍ମଣ ଯାଉଁଳି ଛୁଇଁବ କିଏ ? କିନ୍ତୁ ଝିଅଟା ତ କାନ୍ଦି ଅସ୍ଥିର ହେବ । ସେ ଯାହାହେଉ, ପିମ୍ପୁଡ଼ିଗୁଡ଼ାକ ଛେନାଗୁଡ଼ଟିକ, ଘିଅଟିକ ଓ ଉଖୁଡ଼ାଗଣ୍ଡାକ ନଷ୍ଟ କରିଦେବେ । ଫେରେଁ, କ’ଣ କରିବି ।’’ ନାଏବଙ୍କ ଘର ନିକଟ ହେଲାବେଳକୁ ନାଏବଙ୍କ ପୁଅ ନିଧି ଗଜଗତିରେ ଗୃହାଭିମୁଖରେ ଗମନ କରୁଅଛନ୍ତି । ମିଶ୍ରଙ୍କ ଦୃଷ୍ଟି ପଡ଼ିବାମାତ୍ରକେ ସେ କହିଲେ, ‘‘କିରେ ଦରପୋଡ଼ା ମୁହାଁ ! ବାପ ଢୋଳେଇଲାଣି, ତୁ ମଠରେ ନାମକୀର୍ତ୍ତନ କରୁଛୁ । ହା କୁଳାଙ୍ଗାର, ଯା, ବାପ ପାଖରେ ଜଗି ବସ । ସେ କ’ଣ କହିବ, ଶୁଣ । ଗୀତ ଗାଇବା ଲୋକ ଡାକି ତା କାନରେ ଭାଗବତ ଶୁଣା, ମୁଁ ପଛକୁ ଆସିବି ।’’ ଯାଉଁଳିଟି ଧରି ବୁଢ଼ା ଖବର ବୁଝି ପୁନରାୟ ଗୃହକୁ ବାହାରିଲେ । ନିଧି ପୁରୋହିତଙ୍କ ଉପରେ ମନେ ମନେ ଅଗ୍ନିଶର୍ମା ହୋଇ ଗୃହରେ ପ୍ରବେଶ କଲେ । ବହୂ ବିଚାରୀ ପୁରୋହିତଙ୍କ କଥାରେ ଟିକିଏ ଶାନ୍ତିଲାଭ କରିଥିଲେ ହେଁ ଦିନଯାକ ଉପବାସ । ସେ ଯାହାହେଉ ପାନ ବିନା ଆହୁରି କଷ୍ଟବୋଧ ହେଉଛି । ଉପସ୍ଥିତ ବିପଦ ଯୋଗୁଁ ସବୁ କଷ୍ଟ ପିଠିରେ ପକାଇ ପୁରୋହିତଙ୍କ ବରାଦମତେ ସେ ଦାନ ସାମଗ୍ରୀ ସଜାଡ଼ିବାରେ ଲାଗିଲା-। ଇତ୍ୟବସରରେ ସ୍ୱାମୀ ଗୁଣମଣିଙ୍କର ଚଟି ଶବ୍ଦ ଶୁଣି ତାଙ୍କ ଭୋଜନ ଚିନ୍ତା ମନକୁ ବ୍ୟାକୁଳ କଲା । କୁଳବଧୂ ପ୍ରାୟ ଦେଢ଼ବର୍ଷ ହେବ ଶ୍ୱଶୁର ଘରକୁ ଆସିଛି, ଶୟନକକ୍ଷ ଛଡ଼ା ଅନ୍ୟତ୍ର ଏ ପର୍ଯ୍ୟନ୍ତ ସ୍ୱାମୀକୁ କଥା କହିନାହିଁ । ସ୍ୱାମୀ ‘‘ବାପାଙ୍କର କ’ଣ ହଉଛି ?’’ ବାରବାର ଏହି ପ୍ରଶ୍ନକଲେ, ମାତ୍ର ସେ ନିରୁତ୍ତର । ପାଖରେ କେହି ନାହିଁ–ଦାସୀ ବୁଢ଼ାକୁ ଜଗି ବସିଛି । କ’ଣ କରିବ, କିଂକର୍ତ୍ତବ୍ୟବିମୁଢ଼ା ହୋଇ ସେ ଦାସୀ ନିକଟକୁ ଯାଇ କହିଲା, ‘‘ସେ ଡାକୁଛନ୍ତି ।’’ ଦାସୀବୁଢ଼ୀ ରାଗରେ ଉଠି ଆସି କିରେ, ତୁ ଆଚ୍ଛା ପୁଅ, କୁଆଡ଼େ ବୁଲୁଛୁ’’ କହିବାରୁ ନିଧି ପଚାରିଲେ, ‘‘ବାପାଙ୍କର କ’ଣ ହଉଛି ?’’

 

ଦାସୀ–କ’ଣ ହଉଛି ? କ’ଣ ତତେ କହିବି, ଆ ଦେଖିବୁ ।

 

ନିଧି ଯାଇ ବାପାଙ୍କ ବିଛଣା ନିକଟରେ ଦଣ୍ଡାୟମାନ । ଦାସୀର ସଂକେତ ମତେ ଶେଯ ନିକଟରେ ବସିଲା । ଦାସୀବୁଢ଼ୀ କାନରେ ବଡ଼ ପାଟିରେ ଡାକି କହିଲା–‘‘ନିଥି ପାଖରେ ବସିଛି, କ’ଣ କହିବ କହ ।’’ ବୁଢ଼ା ନିଜର ଅଙ୍ଗୁଳି ବହୁ କଷ୍ଟରେ କପାଳରେ ଲଗାଇଲେ । କିଛିକ୍ଷଣ ପରେ ବୁଢ଼ାଙ୍କର ଜଣେ କୁଟୁମ୍ୱୀଭାଇ ଆସି ପହଞ୍ଚିଲେ । ସେ ବୁଢ଼ାର ଅବସ୍ଥା ଦେଖି ଶୀଘ୍ର ଦାନର ଆୟୋଜନ କରିବାକୁ ଦାସୀକୁ ପଠାଇଲେ ଓ ପୁଅକୁ ପୁରୋହିତଙ୍କୁ ଡକାଇବାକୁ କହିଲେ । ନିଧି ପୁରୋହିତଙ୍କ ନିକଟକୁ ଚାକର ବୁଢ଼ାକୁ ପଠାଇଦେଇ ନିଜ ସାଙ୍ଗମାନଙ୍କୁ ଖୋଜିଗଲେ ।

 

ମିଶ୍ରେ ଘରେ ପହଞ୍ଚି ମୁହଁହାତ ଥୋଇ ସନ୍ଧ୍ୟା ସମାପନାନ୍ତେ ଠାକୁର ପହଡ଼ାଇ, ଗୃହ ଖବର ବୁଝି ଗଣ୍ଡାଏ ସଜପାଳିଖାଇ ଖଣ୍ଡିଏ ପିଢ଼ା ଉପରେ ପିଣ୍ଡାରେ ବସି ଗୃହ ଚତ୍ୱାରକୁ ଗୋଡ଼ ଲମ୍ୱାଇ ଦେଇ ବଟୁଆ ବାହାର କରି ଖଣ୍ଡେ ପାନରେ ଚୂନ ଟିକିଏ ଲଗାଇ ପାଟିରେ ଭରି କାନ ଛୁଇଁ ଗୁଆ ଦି’ଖଣ୍ଡ କାଟିବାକୁ ଖିଲିକାତି ଧରିବାବେଳକୁ ଦାଣ୍ଡ ଦ୍ୱାରରେ ଡାକ ଶୁଭିଲା–‘‘ମିଶ୍ର ପୁଅ, ବେଗେ ଆସ ।’’

 

‘‘କିଏରେ, ସାଧୁଆ ?’’

 

‘‘ଆଜ୍ଞା ହଁ !’’

 

‘‘କ’ଣ ରେ ?’’

 

‘‘ପଚାରୁଛ କ’ଣ, ବେଗେ ଆସ ।’’

 

‘‘କିରେ, ଭିତରକୁ ଆ ।’’

 

‘‘କ’ଣ ଭିତରକୁ ଯିବି ? ଦାମବାବୁ ପହଞ୍ଚି ବଡ଼ ତଡ଼ ବଡ଼ି ଲଗାଇ ଅଛନ୍ତି, ଶୀଘ୍ର ଦାନ କରିବା ଆସ ।’’

 

‘‘ହଉ, ଆ, ମୁଁ ବୁଢ଼ାକୁ ଦେଖି ଆସିଛି । ଦଶ ଘଡ଼ି ପାର ନ ହେଲେ କିଛି ଭୟ ନାହିଁ । ଦାମବାବୁ ସିଆଣିଆ ଲୋକ, ହଉ ହଉ, ସେ ପହଞ୍ଚିଗଲେ ଭଲ ହେଲା । ତୁ ଚାଲ, ମୁଁ ହେଇଗଲି-।’’

 

‘‘ଆସ ସାଙ୍ଗ ହୋଇଯିବା ।’’

 

‘‘ଆରେ ତୁ ଚାଲ । ଦାମବାବୁଙ୍କ ବରାଦ ମତେ ବୁଢ଼ାର ବିଛଣା ପାଖରେ ସବୁ ପଦାର୍ଥ ନେଇ ଖଞ୍ଜାଇ ରଖ । ପିଲାମାନେ କୁଣ୍ଡାପାଣି ଦେଉଛନ୍ତି । ଆସିଲାକ୍ଷଣି କୁଶ ଓ ପାତ୍ରୀନେଇ ଯାଉଛି । ଆରେ କୁଶିଆ (ମିଶ୍ରଙ୍କ ସାନପୁଅ), ଶୀଘ୍ର ଆସିବୁଟି ।’’ କୁଶିଆ ଆସିବାରୁ କହିଲେ, ‘‘ଆରେ ପାତ୍ରୀ ଓ ପୋଥି ଖଣ୍ଡ ଦେ, ଚାଳରୁ କୁଶ ଦି’ଟା ଦେ । କୁଣ୍ଡା ପାଣି ଦେଇସାରି ଖାଇ ପିଇ ଦୁଇଭାଇ ନାଏବ ଘରକୁ ଶୀଘ୍ର ଆସ, ବୁଢ଼ାର ଦାନ ହେବ । ମୁଁ ଟିକିଏ ବୁଢ଼ା ପାଖରେ ରହିବି, ତୁମେ ଦୁହେଁ ସବୁନେଇ ଆସିବ । ବିଳମ୍ୱ କରିବ ନାହିଁ ।’’ ମିଶ୍ରେ ମୁହୂର୍ତ୍ତ ମାତ୍ର ଖାଦ୍ୟ ଘର ଧରିବା ପାଇଁ ପିଣ୍ଡାରେ ପୋଛଖଣ୍ଡ ପକାଇ ପଡ଼ିଗଲେ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ରାତ୍ର ପ୍ରାୟ ସାତଘଡ଼ି ଅତିକ୍ରମ କରି ଆଠଘଡ଼ି ଭୋଗ ହେଉଅଛି । ପଲ୍ଲୀବାସିମାନେ ନିଦ୍ରାଦେବୀ-କୋଳରେ ଆଶ୍ରୟ ନେଲେଣି । ଗ୍ରାମ ମଧ୍ୟରେ ସ୍ୱର ଶବ୍ଦ ନାହିଁ । ଆକାଶ ନିର୍ମଳ, ତାରାବିମଣ୍ଡିତ । ଚନ୍ଦ୍ରମଣ୍ଡଳ ଆକାଶର ମଧ୍ୟସ୍ଥଳରେ ବିରାଜିତ ହୋଇ ପୃଥିବୀକୁ ଚନ୍ଦ୍ରିକାରେ ଛାଇ ଦେଉଅଛି । ପଥର ଉଭୟ ପାର୍ଶ୍ୱରେ ଶସ୍ୟକ୍ଷେତ୍ର ସମୂହ ମନୋହର ଶୋଭାଧାରଣ କରିଅଛି । ଧାନଗଛ ସବୁ, କିଶୋରାବସ୍ଥା ଅତିକ୍ରମ କରି ଯୌବନର ପ୍ରାଥମିକ ଶ୍ରୀଧାରଣପୂର୍ବକ ସଗର୍ବରେ ଊର୍ଦ୍ଧ୍ୱଗାମୀ ହୋଇଅଛି । ଭେକମାନଙ୍କର ରାବ କେବଳ ନିସ୍ତବତା ଭଙ୍ଗ କରୁଅଛି । ମିଶ୍ରେ କାଖତଳେ ପୋଥି, ବାମହସ୍ତରେ କୁଶ ଓ ତମ୍ୱାପାତ୍ରୀ, ଦକ୍ଷିଣହସ୍ତରେ ଯଷ୍ଟି ଧାରଣକରି ନିଜର ବାଟ ଘର ମଧ୍ୟ ଦେଇ ପଦାକୁ ବାହାରିବା ସଙ୍ଗେ ସଙ୍ଗେ ମୃତ୍ୟୁର ବିଭୀଷିକା ତାଙ୍କ ହୃଦୟକୁ ଆଲୋଡ଼ିତ କଲା । ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ ସେ ମନେ ମନେ ଭାବିଲେ, ‘‘ହାୟ, କାଳ କି ଭୟଙ୍କର ! କି ରାଜା, କି ପ୍ରଜା, ଧନୀ, ଦରିଦ୍ର, ବୃଦ୍ଧ, ଯୁବା, ଶିଶୁ ସମସ୍ତେ ତାହାର ଅଧୀନ । ସଂସାରରେ ତାକୁ ଠକିବାକୁ ଜଣେ କେହି ନାହିଁ । ଲୋକ ଏହା ପ୍ରତିଦିନ ଦେଖୁଅଛି, ତଥାପି କି ମାୟାରେ ପଡ଼ି ‘ମୋର ପୁଅ, ମୋର ଘର, ମୋର ଧନ’’ କହି ପର ତଣ୍ଟି ଚିପି ଅବିରତ ଲୋଭରେ ଘାଣ୍ଟି ହେଉଅଛି । ସତେ ଯେପରି ସମସ୍ତେ ସଙ୍ଗରେ ଗୋଡ଼ାଇ ଯିବେ । ଓହୋ ! ନାଏବ ବୁଢ଼ା କେତେ କୁଆଡ଼ୁ ଆଣି ଜମା କରିଥିଲା । ଭିକାରୀକୁ ଭିକ ମୁଠାଏ ଦିଏ ନାହିଁ, ନିଜେ ମୁଠାଏ ଭଲକରି ଖାଏ ନାହିଁ । ସବୁ ଲୋଭ ମାୟା ଛାଡ଼ି କୁଆଡ଼େ ଚାଲିଯିବ । ତାହାର ନିଜ ଜୀବନରେ ଯେତେ ଆଦର ନ ଥାଏ, ଧନରେ ତହୁଁ ବଳି ଆଦର ଥିଲା । ଏବେ ତାହାବି ନାରଖାର ହେବ, କାହାର ପଦେ କହିବାକୁ ଅଧିକାର ରହିବ ନାହିଁ । ଧନ୍ୟ ମାୟା ! ତୋହର ଜାଲରେ କିଏ ନ ପଡ଼େ-! ବୁଢ଼ା କଥା କ’ଣ ଭାବୁଛି-ମୁଁ କରୁଛି କ’ଣ ! ପୁଅମାନେ ପାରିଲେଣି, ତଥାପି ମତେ ଥୟ ହୋଇ ଗୁରୁନାମ ନେବାକୁ ଦିନେ ମାତ୍ର ସମୟ ମିଳୁ ନାହିଁ । ଆଜି ନାଏବ ବୁଢ଼ା ଯାଉଛି, କାଲି ମୁଁ ମଧ୍ୟ ଯିବି । ସଂସାରରେ ଏହିପରି ଲୀଳା ନିତ୍ୟ ଲାଗିଛି, ମାତ୍ର ମନୁଷ୍ୟ ମୃତ୍ୟୁର ସମ୍ମୁଖୀନ ହୋଇସୁଦ୍ଧା ନିଜ କର୍ତ୍ତବ୍ୟ ବୁଝୁନାହିଁ ।’’ ଏହିପରି ନାନା କଥା ଭାବିଭାବି ନିଜ ସାହି ପାର ହୋଇ ପଦାକୁ ବାହାରି ପଡ଼ିଲା ମାତ୍ରେ ଚନ୍ଦ୍ରହାସ ଶୋଭିତ ଶାରଦୀୟ ପ୍ରକୃତିଚିତ୍ର ନୟନ ପଥରେ ପଡ଼ିଯିବାରୁ ତାଙ୍କର ପୂର୍ବଚିନ୍ତା ଅନ୍ତର୍ହିତ ହେଲା–ମନରେ ନବ ଆଶା ଜାଗିଉଠିଲା, ନାଏବ ବୁଢ଼ାଙ୍କ ଦାନରୁ କେତେ ମିଳିପାରେ, ଏ ଭାବନାସ୍ୱତଃ ଆସି ଉପସ୍ଥିତ ହେଲା । ଦାନ ଓ ତାହାର ଦକ୍ଷିଣା କଥା ଭାବି ଯାଉଁ ଯାଉଁ ନାଏବଙ୍କ ଗ୍ରାମମୁଣ୍ଡରେ ଦୁଇ ପାର୍ଶ୍ୱରେ ବହୁତ ଅନ୍ଧାରୁଆ ଆମ୍ୱ ତୋଟାରେ ଚନ୍ଦ୍ରକିରଣ ଲୁଚି ଯିବାରୁ ପୁନରାୟ ମୃତ୍ୟୁଚିନ୍ତା ମିଶ୍ରଙ୍କ ମନରେ ଉଦିତ ହେଲା । ସଙ୍ଗେ ସଙ୍ଗେ ବୃକ୍ଷାନ୍ତରାଳରୁ ପେଚକ-ଧ୍ୱନି ଶୁଣି ମିଶ୍ରେ ମନରେ ସ୍ଥିର କରିନେଲେ ଯେ, ଏ ରାବ ନାଏବ ବୁଢ଼ା ଇହଧାମ ତ୍ୟାଗ କରିବାର ପୂର୍ବସୂଚନା । ତୋଟାର ଅର୍ଦ୍ଧେକ ଅତିକ୍ରମ କଲେଣି, ହଠାତ ତୋଟା ପାଖ କିଆବଣରୁ ଗୋଟାଏ ଶୃଗାଳ ‘‘ହୁକେ ହୋ’’ ଶବ୍ଦ କରିବାମାତ୍ରେ ତୋଟା ନିକଟରୁ ନଦୀକୂଳ ପର୍ଯ୍ୟନ୍ତ ଯେଉଁଠାରେ ଯେତେ ଶିଆଳ ଥିଲେ, ସେମାନଙ୍କର ‘‘ହୁକେ ହୋ’’ ରାବରେ ଚାରିଦିଗ ମୁଖରିତ ହେଲା । ଅନ୍ଧାରୁଆ ଆମ୍ୱ ତୋଟାରେ ପେଚକ ଓ ଶୃଗାଳରାବ ଏକତ୍ରିତ ହୋଇ ମିଶ୍ରଙ୍କ ମନକୁ ଲଣ୍ଡଭଣ୍ଡ କରିଦେଲା । ବିଶେଷତଃ ତୋଟାର ଏକ ପାର୍ଶ୍ୱରେ ଥିବା ନଦୀକୂଳ ପର୍ଯ୍ୟନ୍ତ ଶ୍ମଶାନ । ଏଣୁ ମିଶ୍ରଙ୍କ ମନ ଭୟରେ ଅସ୍ଥିର ହୋଇଗଲା । ସେ ଅନ୍ୟ ଉପାୟ ନ ଦେଖି ଅପରାଜିତା ମନ୍ତ୍ର ସ୍ମରଣ କରି କରି ଅଗ୍ରସର ହେବାକୁ ଲାଗିଲେ ।

ମିଶ୍ରେ ତୋଟା ପାର ହୋଇ ଗ୍ରାମ ମଧ୍ୟରେ ପ୍ରବେଶ କଲେଣି, ତଥାପି ପଛକୁ ଚାହିଁ ଦେଉଥାନ୍ତି । ଯେପରି, କିଏ ପଛରେ ଗୋଡ଼ାଉ ଅଛି । ମନେ ମନେ ଭାବିଲେ, ‘‘ପେଚକ ଓ ଶୃଗାଳରାବ କ’ଣ ଯମଗଣଙ୍କୁ ପଥ ଦେଖାଇବାକୁ ସୃଷ୍ଟ ହୋଇଅଛି ? ପିଲାମାନଙ୍କୁ କହି ଆସିଲି, ସେମାନେ କିପରି ଆସିବେ ? ସାନ ଟୋକା ତ ଡରିବ । ହଉ, ଭଗବାନ୍‌ ଅଛନ୍ତି ।’’ ଏହିପରି ଭାବି ଭାବି ନାଏବଙ୍କ ଘରର ଦାଣ୍ଡ ଦ୍ୱାରରେ ପହଞ୍ଚିବାମାତ୍ରେ ଏକ ଦୀର୍ଘ ନିଶ୍ୱାସ ପକାଇ ସାଧୁଆକୁ ଡାକେ ଦେଲେ । ସାଧୁଆ ଦ୍ୱାର ଫିଟାଇ ଦେବା ସଙ୍ଗେ ସଙ୍ଗେ ବୁଢ଼ା ଖବର ପଚାରି ଜଳଢାଳେ ବରାଦ କରି ପଥର ପିଣ୍ଡାରେ ଟିକିଏ ବସିଗଲେ । ପାଦ ଧୋଇସାରି ଗୃହ ମଧ୍ୟରେ ପ୍ରବେଶ କରି ଦେଖିଲେ ଯେ, ବୁଢ଼ା ବେହୋଷ, ଦାମବାବୁ ଅନ୍ୟ କକ୍ଷରେ ନିଦ୍ରା ଯାଇଅଛନ୍ତି, ଦାସୀବୁଢ଼ୀ ବୁଢ଼ାଙ୍କ ମୁଖକୁ ଚାହିଁ ବସିଅଛି, ବହୂ ବିଚାରୀ ପାଦ ନିକଟରେ ବସି ଲୋତକ ବର୍ଷଣ କରୁଅଛି । ମିଶ୍ରେ ଗୃହମଧ୍ୟରେ ପ୍ରବେଶ କରିବାରୁ ସେ ବୁଢ଼ାଙ୍କ ଶଯ୍ୟା ପାଖରୁ ଉଠି କବାଟ କୋଣରେ ଛିଡ଼ାହେଲା । ମିଶ୍ରେ ବୁଢ଼ା ପାଖରେ ବସି ତାଙ୍କର ନିଶ୍ୱାସ ପବନର ଗତି ନିରୂପଣ କରୁଅଛନ୍ତି, ଏପରି ସମୟରେ ଦାଣ୍ଡ ଦ୍ୱାରରେ ଶବ୍ଦ ଶୁଣାଗଲା–‘‘ସାଧୁଆ !’’ ବହୂ ବିଚାରୀ ହଠାତ୍‌ ସ୍ୱରବୁଝି ପାରି ସେ ଘରୁ ଖଞ୍ଜାମଧ୍ୟକୁ ଅନ୍ତର ହେଲା । ସେ ଖଞ୍ଜାରେ ବୁଢ଼ାଶୋଇଥିବା ଘର ଛଡ଼ା ଅନ୍ୟତ୍ର କେହି ନାହାନ୍ତି । ବହୂ ବିଚାରୀର ମନରେ ଭୟ ହେଉଥିଲେ ମଧ୍ୟ, ବାଧ୍ୟ ହୋଇ ଶରୀରକୁ କାଠ କରିଦେଇ ରୋଷାଇ ଖଞ୍ଜାକୁ ଯାଇ ଜଗି ଶୋଇଥିବା ବୁଢ଼ୀକୁ ଉଠାଇ ରୋଷାଇ ଘରେ ପ୍ରବେଶ କଲା । ଦାଣ୍ଡ ଦ୍ୱାରେ ଦ୍ୱିତୀୟ ଡାକ ମିଶ୍ରଙ୍କ କାନରେ ପଡ଼ିବାରୁ ମିଶ୍ରେ ସାଧୁଆକୁ ପଚାରିଲେ, ‘‘ଏଟା କିଏ ଡାକୁଛି ରେ-?’’ ସାଧୁଆ କାନେଇବା ମାତ୍ରେ ତୃତୀୟ ଡାକ ଶୁଭିଲା । ସାଧୁଆ କହିଲା, ‘‘ପୁଅ ଗୁଣମଣି, ଆଉ କିଏ ?’’

ମିଶ୍ରେ–କିରେ, ସେ କୁଆଡ଼େ ଯାଇଥିଲା ?

ସାଧୁଆ–କୁଆଡ଼େ ଯାଇଥିଲା, ଟୋପାଏ ପକାଇବାକୁ, ଆଉ କୁଆଡ଼େ ଯିବ ! ତୁମ ପାଖକୁ ମତେ ପଠାଇ ଦେଇ ସେତେବେଳରୁ କୁଆଡ଼େ ବୁଲି ମନ୍ଦେ ପକାଇ ଆସିଲା । ଆଉ ତାର କାମ କ’ଣ ?

ଦାସୀବୁଢ଼ୀ କହି ପକାଇଲା, ‘‘ଆରେ, ଆଗେ ଯା ଫିଟାଇ ଦେ । କେତେ ରାତି ହେଲାଣି, କିଛିଖାଇ ନାହିଁ ।’’

 

ସାଧୁଆ–ହଁ, କୋଡ଼ିହାଣି ଯାଇଥିଲା । ଏପରି ପୁଅ ଥିବା ନ ଥିବା ସମାନ । ତୁ ଯା ଫିଟାଇ ଦେବୁ, ମୁଁ ଯାଇ ପାରିବି ନାହିଁ ।

 

ସ୍ତ୍ରୀଲୋକମାନଙ୍କର ମନ ଅତି ତରଳ । ଯାହାଠାରେ ସ୍ନେହଥାଏ, ସେ ଯେତେ ଦୋଷକରୁ, ତାର ଦୋଷ ତାଙ୍କ ଆଖିରେ ପଡ଼େନାହିଁ ।

 

ବୁଢ଼ୀ ଅତରଛରେ ଆସି କବାଟ ଫିଟାଇ ଦେଇ କହିଲା, ‘‘କିରେ ବାପା, ବେଳ କ’ଣ, କାଳ କ’ଣ, ତୁ ଏତେ ରାତିଯାଏ ଘରକୁ ଆସୁ ନାହୁଁ ? ଭାତ ଦି’ଟା ଶୁଖି ଯିବଣି ।’’ କବାଟ ଫିଟାଇ ଦେଇ ସଙ୍ଗେ ସଙ୍ଗେ ରୋଷାଇ ଘରକୁ ଯାଇ ବହୂକୁ ଭାତବାଢ଼ି ଦେବାକୁ କହି ଦେଇ ଠା ସଜକରି ଦେଲା । ବହୂ ବିଚାରୀ ଚୁଲୀ ଉପରେ ଭାତ ଦି’ଟା ବସାଇ ରଖିଥିଲା, ବଢ଼ାବଢ଼ି କରି ଯଥା ସ୍ଥାନରେ ଦେଇ ଆସିଲା । ବାବୁମଣି ତାହାଗର୍ଭସ୍ଥ କଲାମାତ୍ରେ ନିଦ୍ରାଦେବୀଙ୍କ ଆରାଧନାରେ ରହିଲେ । ସଙ୍ଗେ ସଙ୍ଗେ ଘୁଙ୍ଗୁଡ଼ିଶବ୍ଦରେ ଶୟନ-ଗୃହଟି ଶବ୍ଦାୟମାନ ହେଲା । ବହୂ ବିଚାରୀ ରୋଷାଇ ଘର ଧନ୍ଦା ନିକାଶ କରି, ପୁନରାୟ ପୁରୋହିତକି ବରାଦ ଦେବ ଶୁଣିବା ପାଇଁ ବ୍ୟସ୍ତ ହୋଇ ବୁଢ଼ାଙ୍କ ଶୋଇବା ଘର ଦ୍ୱାରଦେଶରେ ଉପସ୍ଥିତ ।

 

ମିଶ୍ରେ ନିଶ୍ୱାସବାରି ବୁଢ଼ାର ନାଡ଼ୀ ପରୀକ୍ଷା ମଧ୍ୟ କଲେ ଏବଂ ସାଧୁଆ ମୁହଁକୁ ଚାହିଁ କହିଲେ, ‘‘ଆରେ, ରାତିରେ ବୁଢ଼ାର କିଛିହେବ ନାହିଁ । ଭୋର ସମୟରେ ସଚେତ ହୋଇପାରେ । ରାତିଟାରେ କି ଦାନ କରିବା । ରାତି ପାଉ, ବୁଢ଼ାର ଜ୍ଞାନ ହୋଇପାରେ; ଚଉରାମୂଳକୁ ନେଇ ସବିଧିରେ ଦାନ କରିବା ? ମୁଁ ଏଠାରେ ଶୋଉଛି, ତୁ ଓ ଦାସୀବୁଢ଼ୀ ପାଳିକରି ଜଗି ବସ ।’’ ସାଧୁଆ ବିଶ୍ୱାସ ଗଲାନାହିଁ, କହିଲା, ‘‘ମୁଁ ଦାମବାବୁଙ୍କୁ ଡାକେଁ, ସେ କ’ଣ କହୁଛନ୍ତି ।’’ ଏହାକହି ଦାମବାବୁଙ୍କୁ ଉଠାଇ ଆଣିଲା । ଦାମବାବୁ ଆଗ ମିଶ୍ରଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ସକାଳେ ଦାନ କରିବାର ଠିକ କରିନେଲେ । ଦକ୍ଷିଣା ତାଲିକା ହେବା ସମୟରେ ଦାସୀବୁଢ଼ୀ ଆସି ପହଞ୍ଚି ବୈତରଣୀ ଦାନ ଗୁରୁ ଗୋସାଇଁଙ୍କ ପାଇଁ ରଖିବା କଥା କହିବାମାତ୍ରେ ମିଶ୍ରେ ଅଗ୍ନିଶର୍ମା ହୋଇଗଲେ । କାରଣ ଦାନର ମୂଲ୍ୟ ଅପେକ୍ଷା ଦକ୍ଷିଣା ଅଧିକ ହେବା ଆବଶ୍ୟକ । ଏହା ନ ହେଲେ ଦାନର ଫଳ ହୁଏ ନାହିଁ । ବୈତରଣୀ ଦାନ ଗାଈଟିଏ ବାଛୁରୀ ସହିତ ହୁଏ । ତାହାର ମୂଲ୍ୟ ଅନୁଯାୟୀ ଆଜିକାଲି ଦକ୍ଷିଣା ଦିଆଯାଉ ନ ଯାଉ, ଯେତେକମ୍‌ ଦେଲେ ନଅ ସୁଉକାରୁ କମ୍‌ ନୁହେଁ । ମିଶ୍ରେ ଲୋଭ ସମ୍ୱରଣ କରି ନ ପାରି କହିଲେ, ‘‘ତୁ କ’ଣ ଜାଣୁ ? ଗୁରୁଙ୍କର ବସ୍ତ୍ରଦାନ ସବୁଠାରେ ବିଧି; ସେ କାହିଁକି ବୈତରଣୀ ଦାନ ନେବେ-? ଜଣେ ଶିଙ୍ଗ ଧରିବ, ଜଣେ ଦୁଧ ଖାଇବ-?’’

 

ଦାମବାବୁ କଥା ଭାଙ୍ଗି ଦେଇ ପୁରୋହିତ ତାହା ନେବାର ସ୍ଥିର କରିବାରୁ ମିଶ୍ରଙ୍କ ମନ ଟିକିଏ ସୁସ୍ଥହେଲା । ପରେ ଭୂମିଦାନ କଥା ପଡ଼ିବାରୁ ଭୂମି କେଉଁଠାରୁ କେତେ ଦିଆଯିବ ଏହାନେଇ ତର୍କବିତର୍କ ଲାଗିଲା । ଶେଷରେ ସ୍ଥିରହେଲା ଯେ, ବୁଢ଼ାର ଯଦି ଜ୍ଞାନ ହୁଏ, ତାକୁ ପଚାରି ଠିକ୍‌ କରାଯିବ । ନଚେତ୍‌ ସକାଳେ ପୁଅକୁ ପଚାରି ଠିକ୍‌ କରିବାକୁ କହି ଦାମବାବୁ ଦକ୍ଷିଣା ପଇସା କିଏ ଦେବା କଥା ପକାଇବାରୁ ବହୂ ପାଖରେ କିଛି ପଇସା ବା ଚାବି ନ ଥିବାର ପ୍ରକାଶ ପାଇଲା । ବୁଢ଼ା ଏ ପର୍ଯ୍ୟନ୍ତ ଚାବି କାହାକୁ ନ ଦେଇ ନିଜ ପାଖରେ ରଖିଅଛି । କିଏ ସାହସ କରି ତାଙ୍କୁ ଚାବି ମାଗିନେଇ ପାରିନାହିଁ, କି ବର୍ତ୍ତମାନ ତାଙ୍କ ଅଣ୍ଟାରୁ ଚାବି ବାହାର କରିବାକୁ କାହାର ସାହସ ହେଉନାହିଁ । ମିଶ୍ରେ ଶେଷରେ କହିଲେ, ‘‘ତୁମେ ସବୁ ଓଲୁ । ବୁଢ଼ା କ’ଣ କମ୍‌ ପଇସା ରଖିଛି ! ନିଧି ହାତରେ ଚାବି ପଡ଼ିଲେ, ସେ ଆଉ ବାକି ରଖିବ–ସବୁ ଦୁଇଦିନେ ଉଡ଼ାଇ ଦେବ । ବହୂ ଏହି ରାତି ଚାବି ନେଇ ରଖୁ । ଆଉ ପଇସାପତ୍ର ଏକ ଜାଗାରେ ନ ରଖି ତା’ ଇଚ୍ଛାନୁସାରେ ଭିନ୍ନ ଭିନ୍ନ ସ୍ଥାନରେ ରଖୁ । ନିଧି ଯେତେବେଳ ଚାବି ନେବ, ସେତେବେଳକୁ ଯେପରି ବେଶି ପଇସା ନ ଥାଏ ।’’ ଏ କଥାଟି ସମସ୍ତଙ୍କ ମନକୁ ଆସିବାରୁ ମିଶ୍ରେ ନିଜେ ବୁଢ଼ା ଅଣ୍ଟାରୁ ଚାବି କାଢ଼ିବାକୁ ଗଲେ । ବୁଢ଼ା ଗୋଟିଏ ସରୁ ରୂପାସୁତା ଅଣ୍ଟାରେ ପିନ୍ଧି ତହିଁରେ ଚାବିମାଳଟି ବାନ୍ଧି ରଖିଅଛି । ମିଶ୍ରେ ଧୀରେ ଧୀରେ ଚାବିମାଳଟି ଖୋଲି ବହୂ ହାତରେ ଦେବାକୁ ବୁଢ଼ୀକୁ ଦେଲେ । ସାଧୁଆ କହି ପକାଇଲା, ‘‘ମିଶ୍ରେ, ବୁଢ଼ା କଥା ତ ଜାଣ; ଯଦି ଚେତାହୁଏ, ସେତେବେଳେ ତୁମେ ସମ୍ଭାଳିବ ।’’ ମିଶ୍ରେ କହିଲେ, ‘‘ହଉ, ମୁଁ ବୁଝାଇ ଦେବି ।’’ ସାଧୁଆକୁ ଓ ବୁଢ଼ୀକୁ ବୁଝାଇ ଦେଇ କହିଦେଲେ, ‘‘ମୁଁ ଓ ଦାମବାବୁ ଏଠାରେ ଅଛୁ । ତୁମେ ଦୁହେଁ ବହୂକୁ ସଙ୍ଗରେ ନେଇ ଯେପରି କହିଲି ସେପରି ଏକ୍ଷଣି କର, ନୋହିଲେ ପଛରେ ଭାବୁଥିବ ।’’ ବହୂ ବିଚାରୀ ଏ କଥା ସବୁଶୁଣି କ’ଣ କରିବ କିଛି ସ୍ଥିର କରି ପାରିଲାନାହିଁ, ସାତ ପାଞ୍ଚ ଭାବି ଚାବିମାଳଟି ହାତରେ ଧରିଲା, କିନ୍ତୁ ସ୍ୱାମୀଙ୍କୁ ପ୍ରାଣରେ ଭୟ କଲା । ଦାସୀବୁଢ଼ୀ ଓ ସାଧୁଆ ନିମକ୍‌-ସଚ୍ଚାଲୋକ ଓ ସାଧୁଆ ବଡ଼ ଚତୁର-। ବହୂକୁ ଡାକି ସାଙ୍ଗରେ ଧରି ଗମ୍ଭୀର ବଖରାକୁ ଆଲୁଅ ଧରିଗଲେ । ବଡ଼ସିନ୍ଧୁକ ଫିଟାଇ ବହୂ ଟଙ୍କା, ସୁନା ଓ ରୂପାଦେଖି ଅବାକ୍‌ ହେଲା । କ’ଣ କରିବ, କିଛିବୁଦ୍ଧି ଦିଶିଲା ନାହିଁ । ସାଧୁଆର ଇଙ୍ଗିତ ମତେ ସେ କିଛି ନେଇ ଠାକୁରଘର ସିନ୍ଧୁକରେ ରଖିଲା, କିଛି ଭଣ୍ଡାର ଘର ହାଣ୍ଡିମଧ୍ୟରେ ରଖିଲା ଓ ଆଉକିଛି ନିଜ ପିତାଘରୁ ଆଣିଥିବା ନଅକୋଣିଆ ପେଡ଼ୀ (ଯହିଁରେ କୁଣ୍ଢାଇ ପ୍ରଭୃତି ଥାଏ) ମଧ୍ୟରେ ରଖିଲା । ମାତ୍ର ସାଧୁଆ ଯେତେ ନେବାକୁ କହିଲା, ସେ ସ୍ୱାମୀଙ୍କ ଭୟରେ ସେତେ ନ ନେଇ ପ୍ରାୟ ଅଧେ ନେଇ ଆଉ ଅଧେ ଛାଡ଼ିଗଲା । ଏଥିପାଇଁ ସାଧୁଆଠାରୁ ଅନେକ ଗାଳି ମଧ୍ୟ ଖାଇବାକୁ ହେଲା । ସାଧୁଆ କହିଲା, ‘‘ମୁଁ ଭଲ କରିଜାଣେ, ବୁଢ଼ା କାହାକୁ ଦେଖାଇ ନାହିଁ । ପୁଅ ଏ ପର୍ଯ୍ୟନ୍ତ ଏହାର ଗନ୍ଧ ପାଇନାହିଁ । ତୁମେ ଡର ନା । ବର୍ତ୍ତମାନ କାର୍ଯ୍ୟ ପାଇଁ ରଖି ଆଉ ସବୁନେଇ ଯାଅ ।’’ ତଥାପି ସେ ବିଚାରୀ ସାହସ କଲାନାହିଁ । ସାଧୁଆ ବ୍ୟସ୍ତ ହୋଇ କହିଲା, ‘‘ହଉ, ଯାହା କଲ କଲ, ନିଧିଆ ତମ ଦେହ ଅଳଙ୍କାର ରଖିବ ନାହିଁ । ନେଲେ କେତେ, ନ ନେଲେ କେତେ । ବୁଢ଼ା ପଛରେ ଘର ବୁଡ଼ିବ ।’’

 

ମିଶ୍ରେ ଓ ଦାମବାବୁ ବସି ବୁଢ଼ାର ପିଲାଦିନରୁ ଏ ପର୍ଯ୍ୟନ୍ତ ସବୁ କଥା ଓ ନିଧିର ଭବିଷ୍ୟତ୍‌ କଥାବାର୍ତ୍ତା ହେଉଅଛନ୍ତି, ମିଶ୍ରଙ୍କ ପୁଅ ଦୁହେଁ ଉପସ୍ଥିତ । ମିଶ୍ରେ କହିଲେ, ‘‘ଆରେ, ସକାଳେ ଦାନ ହେବ; ଯେବେ ନ ଡରିବ ଘରକୁ ଯାଅ, ନୋହିଲେ ଏଠେଇ ଶୁଅ । ଘରକୁ ଗଲେ ସକାଳେ ଜଣେ ମୋ କଷା ଲୁଗା ଓ କୋଥଳି ନେଇ ଆସିବ । ମୁଁ ଯାଇ ପାରିବି ନାହିଁ । ଘରେ କେହି ନାହାନ୍ତି, ଚାଲି ଯା ।’’ ସେ ଦୁହେଁ ଘରକୁ ଫେରିଗଲେ । ସାଧୁଆ ଓ ଦାସୀବୁଢ଼ୀ ଫେରି ଆସିବୁଢ଼ା ପାଖରେ ବସିବାରୁ ଦାମବାବୁ ଓ ମିଶ୍ରେ ଶୋଇବାକୁ ଆରମ୍ଭ କଲେ ।

Image

 

ତୃତୀୟ ପରିଚ୍ଛେଦ

 

ଆଜକୁ ପ୍ରାୟ ଏକଶତ ବର୍ଷ ପୂର୍ବେ ଖରସ୍ରୋତା କୂଳରେ ସନ୍ନ୍ୟାସୀପୁର ନାମରେ ଗୋଟିଏ କ୍ଷୁଦ୍ର ଗ୍ରାମଥିଲା । ସାଧାରଣତଃ କରଣ ଓ ବ୍ରାହ୍ମଣମାନେ ଯେପରି ଗ୍ରାମର ଟିକିଏ ଛଡ଼ାରେ ନିରୋଳାରେ ବସବାସ କରନ୍ତି, ସେପରି ଏ ଗ୍ରାମର ପଶ୍ଚିମ ଦିଗରେ ନଦୀକୂଳରେ ପ୍ରାୟ ଏକପା ବାଟ ଦୂରରେ କରଣସାହି ବିଦ୍ୟମାନ । ଗ୍ରାମମଧ୍ୟରେ ଅନେକ ହାଟୁଆଜାତି ଓ ବ୍ୟବସାୟୀ ବାସକରନ୍ତି । ଏ ଗ୍ରାମର ଦୁଇ ପାଟଣାରେ ଦୁଇଗୋଟି ଚାଟଶାଳୀ ଥିଲା । ଗୋଟିକରେ ଜଣେ ଓଝା ଓ ଆଉ ଗୋଟିକରେ ଜଣେ କରଣ ପଢ଼ାନ୍ତି । କରଣ ଅବଧାନଙ୍କ ନାମ ମଦନ ମହାନ୍ତି; ତାଙ୍କ ଘର ଉକ୍ତ କରଣସାହିରେ । ତାଙ୍କର କୌଳିକ ସଂଜ୍ଞା ଯାହା ହୋଇଥାଉ, ଗ୍ରାମର ସମସ୍ତେ ତାଙ୍କୁ ମଦନ ମହାନ୍ତି ବୋଲି ଡାକନ୍ତି । ସେ ଅତିସରଳ ପ୍ରକୃତିର ଲୋକ । ଗ୍ରାମର ହାନିଲାଭ, ସୁଖ ଦୁଃଖ, ଖେଳକୌତୁକ, କିମ୍ୱା ଗ୍ରାମର ଭାଗବତ ଘର ଆଉ ବଉଳମୂଳିଆ ଶୀତ ସକାଳୁଆ ଓ ଖରା-ସଞ୍ଜୁଆ ଖୁସି ଗଳ୍ପରେ ସେ ମନ ଦିଅନ୍ତି ନାହିଁ । ଅତି ପ୍ରତ୍ୟୁଷରୁ ଉଠି ନିତ୍ୟକର୍ମ ସାରି, ଖେଦା ଲେଖନ ଓ ବେତଧରି, ଘର ଘର ବୁଲି ପିଲାଙ୍କୁ ଡାକି ଚାଟଶାଳୀରେ ପ୍ରବେଶ କଲାମାତ୍ରେ ପ୍ରତ୍ୟେକ ପିଲାଙ୍କୁ ଚାଟଶାଳୀ ଘର ଗୋଟାକୁ ଖଡ଼ୀଗାରରେ ବାଣ୍ଟି ଖଣ୍ଡେ ଖଣ୍ଡେ ଦେଇ ଦିଅନ୍ତି । ପିଲାମାନେ ବାମହାତ ପାପୁଲି ବାମ ଗୋଡ଼ଜାନୁ ମଧ୍ୟରେ ରଖି, ଦକ୍ଷିଣ ହସ୍ତରେ ଖଡ଼ୀଧରି ପ୍ରଥମେ ଶ୍ରୀଲେଖି ହାତରେ ପୋଛି ଦେଇ ମୁଣ୍ଡରେ ଖଡ଼ୀଧୂଳି ଲଗାଇ ଦେଇ ଖଇ ଫୁଟିଲା ପରି ପୂର୍ବ ପାଠ ଲେଖିଯାନ୍ତି ଓ ଖନ୍ଦାକୁ ଖନ୍ଦା ଡାକିପୋଛି ଦେଇ ଆଉ ଖନ୍ଦାଏ ଲେଖନ୍ତି । ପୂର୍ବ ପାଠ ଯାହାର ଶେଷ ହେଉଥାଏ, ସେ ଦୁଇହାତ ଯୋଡ଼ି ଉଭା ଆଦେଶ ଚାହେଁ । ଆଦେଶ ପାଇବା ମାତ୍ରେ ଗୋଟିଏ ମୁଣ୍ଡଳା କାଟିଦେଇ ଖଡ଼ୀଖଣ୍ଡି ତା ମଧ୍ୟରେ ରଖିଦେଇ ନିଜ ସ୍ଥାନରେ ଛିଡ଼ା ହୋଇ ଆପଣା ଗୋଡ଼ହାତ ସଳଖୁଥାଏ ।

 

ଏହିପରି ପାଖ ପାଖ ପିଲା ଛିଡ଼ା ହୋଇ ଯିବାକୁ ମଧ୍ୟେ ମଧ୍ୟେ ସେମାନଙ୍କ ମଧ୍ୟରେ ଟିକିଏ କଜିଆ ଆରମ୍ଭ ହୁଏ । ଗୋଳମାଳ ଅବଧାନଙ୍କ କାନକୁ ଗଲାମାତ୍ରେ ସେ କେତେବେଳେ ଭୟ ଦେଖାଇବା ଅଭିପ୍ରାୟରେ ବେତକୁ ଭୂମିରେ ଫଟ୍‌ ଫଟ୍‌ କରି ପିଟି ଦିଅନ୍ତି, କେତେବେଳେ ଦୋଷାଦୋଷ ବିଚାର ନ କରି ଜଣେ ଦୁଇଜଣକୁ ପାହାରେ ଦି’ ପାହାରେ ଲଗାଇ ଦିଅନ୍ତି । କାହାର ଜଙ୍ଘରେ, କାହାର ପିଚାରେ, କାହାର ପିଠିରେ, କାହାର ବାହାରେ ବେତଲାଗି ଆଙ୍ଗୁଳିଏ ଚଉଡ଼ାରେ ଦୁଇଫାଳିଆ ହୋଇ ଚମ ଫୁଲିଉଠେ, ସଙ୍ଗେସଙ୍ଗେ ଚାଁ କରି ପୋଡ଼ିଉଠେ । ତଥାପି କିଛିକ୍ଷଣ ପରେ ବାଲ୍ୟଚପଳତାବଶତଃ ସେ ଯନ୍ତ୍ରଣାଭୁଲି ଯାଇ ପିଲାମାନେ ପୁନରାୟ ଗଣ୍ଡଗୋଳ ଲଗାଇ ଦିଅନ୍ତି । ବାପ ମା ଆଖି ଦିଓଟି ଛାଡ଼ି ସମୁଦାୟ ଶରୀରଟି ଅବଧାନଙ୍କ ବେତ୍ରାଘାତ ପାଇଁ ଛାଡ଼ି ଦେଇଥାନ୍ତି । ଅବଧାନେ ବେଖାତରରେ ଇଚ୍ଛାନୁସାରେ ବେତ୍ରାଘାତ କରୁଥାନ୍ତି । ଏହିପରି ସମସ୍ତ ବାଳକ ପୂର୍ବପାଠ ଶେଷ କରି ଛିଡ଼ା ହେଲା ପରେ ସକାଳଖିଆ ପାଇଁ ଛୁଟିହୁଏ । ଆଦେଶ ପ୍ରାପ୍ତିମାତ୍ରେ ସେମାନେ ଖଡ଼ୀକୁ ଯଥାସ୍ଥାନରେ ରଖି ଚିଲାମାରି ପୋଖରୀକୁ ଦୌଡ଼ି ଯାନ୍ତି । ନାନା କୌତୁକରେ ଝାଡ଼ାଫେରି ଦାନ୍ତକାଠି ଖଣ୍ଡିଏ ଭାଙ୍ଗି ପୋଖରୀରେ ପହଞ୍ଚି ଚଞ୍ଚଳ ଚଞ୍ଚଳ କାମସାରି ଘରେ ପହଞ୍ଚି ଯାନ୍ତି । ଯେଉଁବାଳକ ଟିକିଏ ଦୁଷ୍ଟ, ସେ ଲୁଚେ, କେହି ଗେହ୍ଲାପଣ କରି ମା’କୁ ଫୁସୁଲାଇ ଆଉ ଆସେ ନାହିଁ । ପିଲାମାନେ ସକାଳ ଖିଆପାଇଁ ଗଲାବେଳେ ଅବଧାନଙ୍କ ଆଗରେ ଧୂଳିଉପରେ ଛେପ ପକାଇ ଯାଇଥାନ୍ତି । ସେ ଛେପ ଶୁଖିଲା ପୂର୍ବରୁ ନ ଆସିଲେ ପାଞ୍ଚ ପାହାର କିମ୍ୱା ଦଶ ପାହାର ଖାଇବାକୁ କବୁଲ କରି ଯାଇଥାନ୍ତି । ଘରେ ପହଞ୍ଚିବା ମାତ୍ରେ କିଏ ଲୁଗାଖଣ୍ଡ ପିଣ୍ଡାରେ ପକାଇ ଦେଇ ଖଣ୍ଡେ ଗିନା ନେଇ ରୋଷାଇ ଘରୁ ଦିଓଟି ଭାତ ବାଢ଼ି ଆଣେ, କାହାର ମା ଆଗରୁ ଭାତ ବାଢ଼ି ରଖିଥାଏ, କାହାର ମା ପୂର୍ବରାତିରୁ ପିଠାପୋଡ଼ି ରଖିଥାଏ, କାହାର ଭାତ କି ପିଠା ନ ଥିଲେ ସେ ଅଣ୍ଟିରେ ଭୁଜାଧରି ଚାଟଶାଳୀରେ ପହଞ୍ଚିଯାଏ । ସେତେବେଳ ପର୍ଯ୍ୟନ୍ତ ଅବଧାନେ ନିଜ ପୀଢ଼ା ଉପରେ ଖେଦା ଲେଖୁଥାନ୍ତି, କିମ୍ୱା ଗ୍ରାମର କେହି ଦସ୍ତାବିଜ ଖଣ୍ଡେ ଲେଖାଇବାକୁ ଯାଇଥିଲେ ତାହା ଲେଖୁଥାନ୍ତି । ଆଜିକାଲି ଯେପରି ଗ୍ରାମଗ୍ରାମକେ ପ୍ରତିଦିନ ଗୋଛାଗୋଛା ତମସୁକ ଓ ଦସ୍ତାବିଜ ଲେଖା ଲାଗିଛି, ସେତେବେଳେ ସେପରି ନ ଥିଲା । ଗୋଟାଏ ଗ୍ରାମରେ ମାସ ମଧ୍ୟରେ ଦୁଇତିନି ଖଣ୍ଡ ହେଲେ ଯଥେଷ୍ଟ । ଆଜିକାଲି ପରି ସେଥିପାଇଁ ସ୍ୱତନ୍ତ୍ର କରଣ ଆବଶ୍ୟକ ନ ଥିଲେ । ଗ୍ରାମ୍ୟ ଅବଧାନଦ୍ୱାରା ଶାଗ କେରାଏ, ଫଳଟାଏ ଓ ମୁଗଗଣ୍ଡାକ ଯୋଗେ କିମ୍ୱା ସଇ ସଙ୍ଗାତ ଭାବରେ ସେ କାର୍ଯ୍ୟ ନିର୍ବିଘ୍ନରେ ଚଳି ଯାଉଥିଲା । ପିଲାମାନେ ପହଞ୍ଚି ନିଜ ନିଜସ୍ଥାନ ଅଧିକାର କଲାରୁ ଅଳ୍ପପଢ଼ା ପିଲାମାନଙ୍କୁ ବଡ଼ଚାଟମାନେ ନୂତନ ପାଠ ଲେଖାଇ ଦିଅନ୍ତି ଓ ବେଶି ପଢ଼ୁଆଙ୍କ ସଙ୍ଗେ ଅବଧାନେ ଲାଗି ଯାଆନ୍ତି । ଏହିପରି ଦୁଇଘଡ଼ି ପରେ ଚାଟଶାଳୀ ଛୁଟିକରି, ଅବଧାନେ ଗୃହରେ ପହଞ୍ଚି, ଶାଗଭାତ ଯାହା ଥାଏ ଦିଓଟି ଖାଇ ଖେଦା ଧରି ଦାଣ୍ଡପିଣ୍ଡାରେ କିମ୍ୱା ବାଟଘରେ ବସିଯାନ୍ତି । ପୁନରାୟ ଦଶଘଡ଼ି କଟାଇ ଦେଇ ଚାଟଶାଳୀରେ ପହଞ୍ଚନ୍ତି । ପିଲାମାନେ ଅବଧାନଙ୍କ ଆସିବା ଆଗରୁ ଖଡ଼ୀ ଘରେ ରଖି ଚାଟଶାଳୀଘରେ ପହଞ୍ଚି ଚଉଖୁଣ୍ଟିଆ ବାଉଁଶପାତିଆ ଝୁଲାସଙ୍ଗା ଉପରୁ ବଡ଼ ଚାଟଦ୍ୱାରା କେହି କେହି କୋଇଲି ଖେଦା, ଗୁଣସାଗର, ଗୋପୀଭାଷା, ରାସ, ଦଶମ, ମଥୁରାମଙ୍ଗଳ, ଦାର୍ଢ଼୍ୟତାଭକ୍ତି କିମ୍ୱା ଚାଣକ୍ୟପୋଥି ଆଣି ଏବଂ କେହି କେହି ଲେଖନ ତାଳପତ୍ର ଧରି କାନ୍ଥମୂଳରେ ଧାଡ଼ି ଧରି ବସିଯାଇଥାନ୍ତି । କେତେ ପିଲାଥାନ୍ତି ଯେ, ରାତ୍ରିରେ ଓ ଦ୍ୱିପ୍ରହର ବେଳରେ ଶୂନ ଘେନିବା ଭୟରେ ମାବାପଙ୍କୁ ଶୀଘ୍ର ଉଠାଇ ଦେବାକୁ ସାବଧାନ କରିଥାନ୍ତି । କାରଣ, ବିଳମ୍ୱ ହେଲେ ଯେ ଯେତେ ଜଣଙ୍କ ପଛରେ ସେ ଆସିଥିବ, ଅବଧାନଙ୍କ ଆଗରେ ଛିଡ଼ାହୋଇ ଦୁଇହାତ ପାପୁଲି ପ୍ରସାରି ଦେବା ମାତ୍ରେ ଅବଧାନେ ସେତେ ପ୍ରହାର ଦେବେ । କାହାରି ଫିସାଦ ଖେଳିବାର ଜୋର ନାହିଁ । ସାଙ୍ଗେ ସାଙ୍ଗେ ତାଙ୍କ ମଧ୍ୟରେ ଦଶ ଜଣ ସାକ୍ଷୀ ବାହାରି ପଡ଼ିବେ । ଅବଧାନେ ପହଞ୍ଚି ‘‘ବୋଲ’’ ଉଚ୍ଚାରଣ କଲାମାତ୍ରେ ସମସ୍ତେ ପୋଥି ଫିଟାଇ ଏକସ୍ୱରରେ ନିଜ ନିଜ ଗୀତ ବୋଲନ୍ତି । ସେତେବେଳେ ଅବଧାନେ ଦୁଇ ଘଡ଼ି ଅଷ୍ଟାବଧାନୀ ପରି ସମସ୍ତଙ୍କ ଗୀତକୁ କାନେଇଥାନ୍ତି । କେହିଭୁଲ୍‌ କଲେ ସଂଶୋଧନ, ଧମକ, ପ୍ରହାରେ ଓ କାହା ପାଖରେ ବସି ଅକ୍ଷର ଚିହ୍ନାଇବା, କାହା ପାଖରେ ବସି ବୋଲାଇବା, କାହାକୁ ଦୂରର ରାଗିଣୀ କହି ଦେବା କାର୍ଯ୍ୟରେ ଲାଗିଥାନ୍ତି । ଛୁଟି ହେବାକୁ ଘଡ଼ିଏ ଥାଏ, ସମସ୍ତେ ଛିଡ଼ା ହେଲା ଉତ୍ତାରୁ ମାନସାଙ୍କ ଶିକ୍ଷା ଦେଇ ପିଲାମାନଙ୍କୁ ଛୁଟି ଦିଆଯାଏ । ତହୁଁ ମଦନ ମହାନ୍ତି ଯେଉଁ ଦିନ ପିଲା ସୋଧି, ହରିଗୁଣ, ଫେଡ଼ାମିଶା, କୂଟା, କ୍ରୟବିକ୍ରୟ, ନଳ, ଓଡ଼ାଙ୍କ, ମେଲାଙ୍କ ବନା, ମାତ୍ରାଦିଆ ଓ ନୂଆ ପୋଥିବୋଲାପାଇଁ ପୂଜା ଆଣିଥାଏ, ତାହା ଓ ପାଳି ଛଞ୍ଚା କାନିରେ ବାନ୍ଧି ତେଲ ଲୁଣ ତୁଣ୍ଡପକା କିଣି ଗୃହାଭିମୁଖରେ ଯାତ୍ରା କରନ୍ତି । ତାଙ୍କର ସଂସାରଜଞ୍ଜାଳ ବେଶି ନ ଥାଏ । ମାତା ପିତା ଯୁବାସମୟ ପୂର୍ବରୁ ଚାଲିଯାଇଥିଲେ । କେବଳ ନିଜ ସ୍ତ୍ରୀ ଓ କେତେ ଦିନ ପରେ ଗୋଟିଏ ପୁଅ, ଏହିପରି ତିନି ପ୍ରାଣୀ ହୋଇ ସେ ସନ୍ତୋଷରେ ଦିନ କାଟୁଥିଲେ । ଚାଷ ନ ଥିଲା, ବଗିଚା ନ ଥିଲା, ଗୋରୁଗାଈ ନ ଥିଲେ; ତଥାପି ସେ ନିଜ ବେତଦ୍ୱାରା ଖୋରାକ ଏବଂ ଲେଖନ ତାଳପତ୍ରରେ ଭାରତ, ରାମାୟଣ, ହରିବଂଶ ଓ ଭାଗବତାଦି ପୁରାଣ ଲେଖି ତାହା ବିକି ଲୁଗାଖର୍ଚ୍ଚ ଚଳାଉଥିଲେ–ସାହୁର ଖାତକ କି ରଜାର ପ୍ରଜା ନ ଥିଲେ ।

 

ମଦନ ମହାନ୍ତି ପୁଅଟିକୁ ଚାରିବର୍ଷ ହୋଇଯିବାରୁ ଶ୍ରୀପଞ୍ଚମୀ ଦିନ ଖଡ଼ୀ ଛୁଆଇଁ ପ୍ରତିଦିନ ସଙ୍ଗରେ ଆଣି ଚାଟଶାଳୀରେ ପଢ଼ାନ୍ତି । ତାହାର ନାମ ଘନଶ୍ୟାମ । ସେ ବଡ଼ ବୁଦ୍ଧିମାନ୍‌ ପିଲା । ଦଶବର୍ଷ ମଧ୍ୟରେ ଖଡ଼ୀ ପାଠମାନ ଆୟତ୍ତ କରି ନେବାରୁ ଅବଧାନେ ତାକୁ ତାଳପତ୍ରରେ ଅକ୍ଷର ଲେଖାଇବାରେ ବେଶି ଦୃଷ୍ଟି ଦେଲେ । ତାର ଅକ୍ଷରଗୁଡ଼ିକ ସବୁ ବାଳକଙ୍କଠାରୁ ସୁନ୍ଦର ହେଲା । ମହାନ୍ତିଏ ପୁଅର ଅକ୍ଷର ଦେଖି ମନେ ମନେ ଆନନ୍ଦଲାଭ କଲେ ଏବଂ କ୍ରମେ କ୍ରମେ ପଟା ପାଉତି, ବିଶୋଧନ, ତମସୁକ, କ୍ରୟପତ୍ର, ସିହା, ଉଆରିଜା ଓ ଜମାଖର୍ଚ୍ଚ ଲେଖାଇ ଶିଖାଇଲେ-। ସେ ପନ୍ଦର ବର୍ଷ ବୟସକୁ ପିତାଙ୍କଠାରେ ଥିବା ସମସ୍ତ ପାଠ ଛଡ଼ାଇ ଆଣିଲା । ଆଜିକାଲି ଯେପରି ରବିବାରରେ ପାଠଶାଳା ବନ୍ଦହୁଏ, ସେତେବଳେ ସେପରି ହେଉ ନ ଥିଲା । ପ୍ରତିମାସରେ ପ୍ରତିପଦା ଦୁଇଦିନ, ଅଷ୍ଟମୀ ଦୁଇଦିନ, ଚତୁର୍ଦ୍ଦଶୀ ଦୁଇଦିନ ଓ ଅମାବାସ୍ୟା ପୂର୍ଣ୍ଣିମା ପାଇଁ ଦୁଇଦିନ, ଏହିପରି ଆଠଦିନ ପାଠ କମେଇ ବା ପଡ଼ିଆ ହେଉଥିଲା । ମାତ୍ର ପିଲାମାନେ ଘରେ ରହି ପାରୁ ନ ଥିଲେ–ସକାଳେ ସମସ୍ତେ ନଦୀକୂଳରୁ ଭଲ ମାଟି ଓ ପାଣି ଆଣି ଚାଟଶାଳା ଘର ଲିପନ୍ତି, ଉପର ବେଳା ତାଳପତ୍ର ଲେଖନ୍ତି ଓ ଗୀତ ବୋଲନ୍ତି; କେବଳ ଖଡ଼ୀପାଠରୁ ରକ୍ଷା ମିଳେ । ଘନଶ୍ୟାମକୁ ତାର ପିତା ଘରଲିପା କାମରେ ନ ଲଗାଇ ଦୁଇବେଳା ତାଳପତ୍ର ଲେଖାନ୍ତି । କମେଇ ଦିନମାନଙ୍କରେ ଲେଖି ଲେଖି ତା ହାତ ଦରଜ ହୋଇଯାଏ । ସେ ତେଣୁ ପିତାଙ୍କ ଉପରେ ବଡ଼ ବିରକ୍ତ ହୁଏ ।

 

ପୁଅର ଗୁଣ ଦେଖି ମଦନ ମହାନ୍ତି ଦିନେ ଆନନ୍ଦରେ ନିଜ ଘରଣୀ ପାଖରେ ପ୍ରକାଶ କଲେ ଯେ, ‘‘ଏଥର ମୋର ଦୁଃଖ ଯିବ । ଝଡ଼ି ବର୍ଷାରେ ଦୁଇବେଳା ଚାଟଶାଳୀକୁ ଯିବାକୁ ପଡ଼ୁଥିଲା, ଘନ ଏଥର ଚଳାଇନେବ । ମୁଁ ବି ଆଦୌ ନ ଗଲେ ଚଳେ । ଘରେ ବସି ପୋଥି ଲେଖିବି, ସେ ପାଠ ପଢ଼ାଇବ ।’’ ଘରଣୀ କହିଲେ, ‘‘ହଁ, ତୁମର ଯେଉଁ ରୋଜଗାର, ପ୍ରତିଦିନ ସନ୍ଧ୍ୟାବେଳକୁ ଚାହିଁ ବସିଥିବି–କାନିରେ ବନ୍ଧାଥିଲେ ତ ହାଣ୍ଡି ଚୂଲୀରେ ବସିଲା, ନୋହିଲେ ନାହିଁ । ଜଣେ କୁଣିଆ ଆସିଲେ ଭାତ ନ ଥିବ । ଯୋଗୀ ଭିକାରୀ ପାଇଁ ଚାଉଳମୁଠାଏ ଘରେ ନ ଥିବ । ଏଥିରେ ତୁମେ ଗୋଡ଼ ଲମ୍ୱାଇ ଘରେ ବସିବ । ଆଉ ଦୁଃଖ କାହିଁକି କରିବ ? ତୁମର ଯେଉଁ ବିଚାର-! ଆଚ୍ଛା, ସେ ବିଭା ହେବ କିପରି ? ତା’ର ସ୍ତ୍ରୀ ଆସିବ, ଈଶ୍ୱର ଚାହିଁଲେ ପିଲା ବାଳକ ହେବେ, ସେତେବେଳେ କ’ଣ କରିବ ? ସେ ବିଚାର ଛାଡ଼ । ତୁମ କାମ ତୁମେ କରୁଥାଅ, ତାକୁ ତା’ ମାମୁ ସାଙ୍ଗରେ ଛାଡ଼ିଦିଅ । ସେ ଆହୁରି ତାଲିମ୍‌ ହେଉ ।’’ ସ୍ତ୍ରୀ କଥା ମହାନ୍ତିଙ୍କ ମନକୁ ପାଇଲା । କହିଲେ–‘‘ହଁ, ସତ କହିଲୁ । ତାହାର ଅକ୍ଷର ଯେପରି ଆଉ ଖଡ଼ୀହାତ ଯେପରି, ମାମୁ ପାଖରେ ରହିଲେ ଭଲ ହେବ । ତା’ ମାମୁ ଗ୍ରାମକୁ ଆସିଛି । ମୁଁ ଦିନେ ଡକାଏଁ, ତୁ ଟିକିଏ କହିବୁ । ମୁଁ କହିପାରିବି ନାହିଁ–ମୋତେ ସରମ ବୋଧ ହେବ ।’’ ଦୈବାତ୍‌ ପରଦିନ ସନ୍ଧ୍ୟାବେଳକୁ ମଦନ ମହାନ୍ତି ଚାଟଶାଳା ବନ୍ଦ କରି ଘରକୁ ବାହାରିବା ବେଳକୁ ଘନର ମାମୁଙ୍କ ବାରିକ ଆସିଖବର ଦେଲା ଯେ, ମାମୁ ଆସି ପହଞ୍ଚିଅଛନ୍ତି । ମହାନ୍ତି ପୁଅକୁ ଛଞ୍ଚା ସହ ଆଗରେ ଘରକୁ ପଠାଇ ଦେଇ, ଦରମାକୁ କିଛି ଆଦାୟ କରି ଭଲ ରକମ ପରିବା, ମସଲା ଓ ପାନ ଧରି ଗୃହରେ ହାଜର ହେଲେ । ସାକ୍ଷାତ୍‌ ମାତ୍ରେ କୁଶଳ ପ୍ରସଙ୍ଗ ପ୍ରଶ୍ନ କରି ଗୃହମଧ୍ୟକୁ ଯାଇ ଘରଣୀଙ୍କ ସଙ୍ଗେ ଟିକିଏ କଥାବାର୍ତ୍ତା ହେଲେ ଏବଂ ଗୋଡ଼ହାତ ଧୋଇ ଝୁଲାମାଳା ଧରି ଗୁରୁନାମ ନେଇ ବାଟଘରେ ଚଟେଇ ଉପରେ ବସି ବନ୍ଧୁଙ୍କ ସଙ୍ଗେ ସ୍ନେହାଳାପ କଲେ । କିଛିକ୍ଷଣ ପରେ ସେ ଭୋଜନ କରି ଶୟନ ପାଇଁ ଯିବା ପୂର୍ବରୁ ଘନର ବିବାହ ପ୍ରସଙ୍ଗ ପଡ଼ିଗଲା । ମାମୁ ଏତେ କମ୍‌ ବୟସରେ ବିବାହ ଦେବାକୁ ରାଜି ନ ହେବାରୁ ଅପାଙ୍କ ମନ ଟିକିଏ ଖଟା ହୋଇଗଲା । ପରେ ଘନ ହାତଲେଖା ଦେଖି ମାମୁ ବଡ଼ ଖୁସିହେଲେ । ବାପେ ମଧ୍ୟ ଖଡ଼ୀ ପାଠରେ ପୁଅର ଯେପରି ଦଖଲ, ସବୁ ବୁଝାଇ ଦେଲେ । ମଦନଙ୍କ ସ୍ତ୍ରୀ ସଙ୍ଗେ ସଙ୍ଗେ ମାମୁ ପାଖରେ କିଛି ଦିନ ରହି ଘନ ଲେଖାପଢ଼ା ଶିଖୁ ବୋଲି ପ୍ରସ୍ତାବ ଦେଲେ । ମାମୁ ଭଣଜାକୁ ପାଖରେ ରଖିବାକୁ ଆନନ୍ଦରେ ରାଜିହେଲେ । ମଦନଙ୍କର ମନଟି ଏଥିରେ ଷୋଳଅଣା ଥିଲେ ମଧ୍ୟ ସେ ପଦାକୁ ଭିନ୍ନ ଭାବରେ କହିବାକୁ ଲାଗିଲେ–‘‘ମୁଁ ଆସି ବୁଢ଼ା ହେଲି । ଗୋଟିଏ ମାତ୍ର ପୁଅ, ତାକୁ ପାଖରୁ ଛାଡ଼ି କିପରି ଚଳିବି ?’’ ମାତ୍ର ଘନ ନିଜେ ରାଜି ହେବାରୁ ଶେଷରେ ‘ହଉ, ଦିନାକେତେ ଯାଉ’ କହି ଶୋଇବାକୁ ଗଲେ । ପରଦିନ ଉପରବେଳା ମାମୁ ଭଣଜାକୁ ସଙ୍ଗରେ ଧରି ସ୍ୱଗୃହକୁ ପ୍ରସ୍ଥାନ କଲେ ।

 

ଘନ ମାମୁ ଅମିନ କାର୍ଯ୍ୟ କରନ୍ତି । ସେ ନିଜେ ରୋଷାଇ କରିବାକୁ କଷ୍ଟ ବୋଧ କରୁଥିଲେ, ବର୍ତ୍ତମାନ ଭଣଜାକୁ ପାଇ ଆନନ୍ଦ ମନରେ କର୍ମକ୍ଷେତ୍ରକୁ ବାହାରିଲେ । ଆଜିକାଲି ଯେପରି ଢପଚିକ୍କଣିଆ କାଗଜ ଓ ନାନା ରଙ୍ଗର କଲମ; ସେତେବେଳେ ସେପରି ନ ଥିଲା । ସେ ସମୟରେ କାଗଜ ଲେଖା ଆରମ୍ଭ ହେଉଥାଏ । ହାତିଚମ ପରି ମୋଟା ହଳଦିଆ ଓ ମାଟିଆ ରଙ୍ଗର କାଗଜ ମୟୂରପକ୍ଷି କଲମରେ ଲେଖା ଯାଉଥାଏ । ମାମୁ ଘନକୁ ପ୍ରଥମେ କାଗଜରେ ଲେଖିବା ଶିକ୍ଷା ଦେଲେ । ଅଳ୍ପ ଦିନ ମଧ୍ୟରେ ଘନର ଲେଖା ବାଇଗଣମଞ୍ଜିଆ ହୋଇଯିବାର ଦେଖି ମାମୁ ଖୁସି ହୋଇଗଲେ ଏବଂ ତାକୁ ଭଉଁରିଆ, ଖସଡ଼ା ଓ ଖତିୟାନ ପ୍ରଭୃତି ନକଲ କରିବାକୁ ଦେଲେ । ଘନଶ୍ୟାମର କାମ ଶିଖିବାକୁ ବଡ଼ ଆଗ୍ରହ ଥିଲା । ସେ ମାମୁଙ୍କ ସଙ୍ଗରେ ଯାଇ ମାପ କାମ ଶିକ୍ଷା କରିବାକୁ ଇଚ୍ଛା କରିବାରୁ ମାମୁ ତାକୁ ସଙ୍ଗରେ ନେଇ ଜମି ମାପ ଶିଖାଇ ଦେଲେ ।

 

ପ୍ରାୟ ଏକବର୍ଷ ପରେ ମାମୁଙ୍କୁ ଆଉ କିଛି କରିବାକୁ ପଡ଼ିଲା ନାହିଁ । ମାମୁ ବସାରେ ବସି ପାକଲା ଗାମୁଛା ଓ ମଲ୍ଲୀହାର ଗଳାରେ ପକାଇ ତକିଆ ଆଉଜି, ରଇତମାନଙ୍କୁ ନିଜ ଚାରି ପାଖରେ ଗୋଲାକାରରେ ବସାଇ ସେମାନଙ୍କ ଓଜର ନିଷ୍ପତ୍ତି କରୁଥାନ୍ତି ଓ ମଧ୍ୟେ ମଧ୍ୟେ ଖୁସିଗପ ଛଳରେ ନିଜ ଘରର ଆଡ଼ମ୍ୱର, ବଂଶମର୍ଯ୍ୟାଦା ଓ କର୍ମକ୍ଷେତ୍ରରେ ବାହାଦୂରୀ ପ୍ରଭୃତି ସେମାନଙ୍କୁ ଶୁଣାଉଥାନ୍ତି । ସମୟେ ସମୟେ ନିଜ ବେଶଭୂଷା ଓ ମଳିମଣ୍ଡିଆ ପ୍ରଜାଙ୍କ ଉପରେ ଏକାବେଳକେ ଦୁଇ ଆଖି ପଡ଼ିଗଲେ ଆପେ ଆପଣାକୁ ଉପମା କରି ଚନ୍ଦ୍ରଙ୍କ ଉପମେୟ କରିବେ, କି ଚନ୍ଦ୍ରଙ୍କୁ ଉପମା କରି ନିଜକୁ ଉପମେୟ କରିବେ, ଭାବନ୍ତି । ପାଠକେ କ୍ଷମା କରିବେ । ଯଦି କାହାର ବିଳାସିତା ଚରିତାର୍ଥ କରିବାର ଇଚ୍ଛା ଥାଏ, ତେବେ ଥରେ ଅମିନ କାର୍ଯ୍ୟରେ ଗୋଡ଼ ଦିଅନ୍ତୁ । ଦେଖିବେ, କି ପୂଜା ! ପୁରାଣବାହାର ବିଂଶୋପଚାର ପାଇବେ, ଧରାକୁ ଶରା ଜ୍ଞାନ କରିବେ, ଅଭାବ ସ୍ପର୍ଶ କରିବ ନାହିଁ । ମାତ୍ର ଦୁଃଖର ବିଷୟ, ବେଳକୁ ବେଳ ଉପଚାର ସଂଖ୍ୟାହ୍ରାସ ପାଇ ଯାଉଅଛି । ଯାହା ହେଉ, ପଞ୍ଚୋପଚାର ତ ସଦାବେଳେ ରହିବ । ବର୍ତ୍ତମାନ ଦଶୋପଚାର, ସ୍ଥଳବିଶେଷରେ ଷୋଡ଼ଶୋପଚାର ମଧ୍ୟ ନିଶ୍ଚୟ ମିଳିବ ।

 

ଅମିନ ମହଲରେ ଘନର ଯୋଗ୍ୟତା ଘେନି ଚହଳ ପଡ଼ିଗଲା । କ୍ରମେ କ୍ରମେ ତାହା କାନକୁ କାନ ଯାଇ ଶେଷରେ ଅଫିସରଙ୍କ କର୍ଣ୍ଣଗୋଚର ହେଲା । ଘନଶ୍ୟାମଙ୍କ ଅମିନ କାର୍ଯ୍ୟରେ ନିଯୁକ୍ତ ହେବା କଥା ଚାଲିଥିବାବେଳେ ଦିନେ ମାମୁ କହିଲେ–‘‘ଆରେ ଘନ, ତୁମର ପୂର୍ବରୁ ଦାସ ସଂଜ୍ଞାଥିଲା । ତୋର ବାପ ଅବଧାନ କାମ କରିବାରୁ ସମସ୍ତେ ମହାନ୍ତି ବୋଲି ଡାକିଲେ । ତୋ ବାପା ତ ବାପୁଡ଼ା ଲୋକ । ସେ ଲୋକଙ୍କ କଥା ଶୁଣି ମହାନ୍ତି ବୋଲି ଲେଖୁଛନ୍ତି । ମୁଁ ତୋ ନାଁ ପଟ୍ଟନାୟକ ଲେଖାଇ ଦେବି । ବାପ ନାମ ମଧ୍ୟ ପଟ୍ଟନାୟକ ବୋଲି ଲେଖାହେବ । ତୋ ବାପାଙ୍କୁ ମଧ୍ୟ ଏ କଥା ଲେଖିଦେବି ଯେ, ସେ ଚିଠି ଦେଲେ ପଟ୍ଟନାୟକ ବୋଲି ଲେଖିବେ ।’’ ମାମୁଙ୍କ କଥା କାର୍ଯ୍ୟରେ ପରିଣତ ହେଲା । ଘନ ନିଯୁକ୍ତିପତ୍ର ପାଇ କାଗଜପତ୍ର ଧରି ମୌଜା କାମ କରିବାକୁ ବାହାରିଲେ । ମାମୁ ଯଥୋଚିତ ଉପଦେଶ ଦେଇ ଭଣଜାକୁ ବିଦାୟ ଦେଲେ ଏବଂ ପୁଅର ଚାକିରି ଓ ପଟ୍ଟନାୟକ ହେବାର ଖବର ପତ୍ରଦ୍ୱାରା ମଦନ ମହାନ୍ତିଙ୍କୁ ଜଣାଇଦେଲେ ।

 

ପ୍ରଥମେ ଠିକାକାମ ଖଣ୍ଡେ ତାଙ୍କୁ ଦିଆଗଲା । ବର୍ଷକ ମଧ୍ୟରେ ସେ ଜଣେ ସ୍ୱତନ୍ତ୍ର ଅମିନ ହୋଇଗଲେ । ଆୟ ବେଶ୍‌ ଦୁଇ ପଇସା ହେଲା । ଘନଶ୍ୟାମ ଏ ପର୍ଯ୍ୟନ୍ତ ଭଲ ଲୁଗା ପିନ୍ଧି ନ ଥିଲେ । ତାଙ୍କ ପିତା ମଦନ ମହାନ୍ତି ଯୋଡ଼ିଏ ପଖାଳକରା ଖଦି ଓ ଦୁଇଖଣ୍ଡି ଗାମୁଛାରେ ବର୍ଷକ ଟାଉଥିଲେ । ଯେଉଁ ମାଣିଆବନ୍ଦୀ ଫେଟା ଯୋଡ଼ିକ ଶ୍ୱଶୁରଘରୁ ବିଦାକି ପାଇଥିଲେ, ତାହା ତାଙ୍କର ପେଡ଼ିଲୁଗା ହୋଇଥାଏ । ତହିଁରେ ବନ୍ଧୁବାନ୍ଧବ ଘର ଯିବା ଆସିବା ଓ ଯାତ୍ରାତୀର୍ଥ ଯିବାରେ ଦେହକ କଟିଗଲା । ମାତାଙ୍କର ମଧ୍ୟ ଗୋଟିଏ ପଖାଳକରା ଓ ଖଣ୍ଡିଏ ହରିପୁରିଆ ବେଢ଼ଣ ଶାଢ଼ୀରେ ବର୍ଷକ ଯାଏ । ଘନଶ୍ୟାମ ଭଲ ଲୁଗା କାହୁଁ ପାଇବେ ? ସେତେବେଳକୁ ଆଜିକାଲି ପରି ଢାକାପାଢ଼ୀ, ପୀଚାପାଢ଼ୀ, ବାବୁକିନାରି ଓ ରେଲି ପ୍ରଭୃତି ହରରଙ୍ଗୀ ଶାଢ଼ୀ ଧୋତି ଆମଦାନି ହୋଇ ନ ଥିଲା–ନୂଆ ସଅନ ଲୁଗା ଆମଦାନି ହେଉଥିଲା । କାମିଜ, କୋଟ, ପଞ୍ଜାବୀର ନା ମୋଟେ ନ ଥିଲା । କୁରୁତା କେବଳ ଚଳିବାକୁ ଆରମ୍ଭ ହେଉଥାଏ । ଚଢ଼ାଉ ଯୋତାର ମଧ୍ୟ ବ୍ୟବହାର ବେଶି ହୋଇ ନ ଥିଲା–ମରହଟ୍ଟି ଯୋତା ପ୍ରାୟ ସମସ୍ତେ ବ୍ୟବହାର କରୁଥିଲେ । ଚୁଟି କଟା ମଫସଲରେ ପ୍ରାୟ ନ ଥିଲା । ଯଦି କେହି ସ୍କୁଲରେ ପଢ଼ି ଚୁଟି କାଟୁଥିଲା, ତେବେ ତା ଉପରେ କେତେ ଆକ୍ରୋଶ ଓ ଥଟ୍ଟା, ଗାଳି ଚଳୁଥିଲା । କେହି କହେ ପଠାଣ–କେହି କହେ କିରସ୍ତାନ ! ଆଜିକାଲି କି ମଫସଲରେ କି ସହରରେ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ପାଠ ପଢ଼ନ୍ତୁ ବା ନ ପଢ଼ନ୍ତୁ, ପ୍ରାୟ ପନ୍ଦରପଣ ଚୁଟି କାଟିଲେଣି । ଘନଶ୍ୟାମଙ୍କର ଚୁଟି କାଟିବାକୁ ଆଗ୍ରହ ହେଉଥାଏ, ମାତ୍ର ପିତାଙ୍କ ଭୟରେ କରି ପାରନ୍ତି ନାହିଁ । ବ୍ରାହ୍ମଣ, କରଣ ପ୍ରଭୃତି ଘରେ ଆଜିକାଲି ଯେପରି ବାପ ଜଣେ ତ ପୁଅ ଜଣେ–ବରଂ ବାପ ଅପେକ୍ଷା ପୁଅ ଅଧିକ ସିଆଣିଆ, ସେତେବେଳେ ସେପରି ନ ଥିଲା । କାଇଦା ପୃଥକ୍‌ ଥିଲା, ବାପ ଆଗରେ ପୁଅ କୁଞ୍ଚ ଛାଡ଼ି ଚାଲିବ ନାହିଁ, ପାନ ଖାଇ ପିକ ପକାଇବ ନାହିଁ, ବାପ କଥା କହୁଥିଲେ ପୁଅ କିଛି କହିବ ନାହିଁ । ଏପରି ମଧ୍ୟ ରୀତି ଥିଲା ଯେ, ବାପ ଯେଉଁଠାରେ ବସିବ, ପୁଅ ସେଠାରେ ବସିବ ନାହିଁ । ପ୍ରଥମେ ଯାହା ରୋଜଗାର ହେଲା, ସେଥିରୁ ଆପଣା ବିଛଣା ଓ ପୋଷାକରେ କିଛି ଖର୍ଚ୍ଚ ହୋଇଗଲା । ଘନ ଭାବି ସ୍ଥିର କଲେ ଯେ, ମାସକୁ ମାସ ପଇସା ଘରକୁ ପଠାଇଲେ କିଛିହେବ ନାହିଁ । ବାପା ତ ଚଳି ଯାଉଅଛନ୍ତି । ଏ ପଇସା ଗଲେ ବି ସେହିପରି ଘରଖର୍ଚ୍ଚ ହୋଇଯିବ । ବରଂ ଏକତ୍ର କରି ଘରକୁ ଗଲାବେଳେ ଜମିବାଡ଼ିଖଣ୍ଡେ କରି ହେବ । ଘନଶ୍ୟାମ ବଡ଼ ହିସାବୀ, ମଧ୍ୟ କୃପଣ ଥିଲେ । ଯୌବନର ପ୍ରଥମ ସମୟରେ ହାତରେ ପଇସା ପଡ଼ିଲେ ସାଧାରଣତଃ ଯେପରି ଟିକିଏ ସଉକିନି ଆଡ଼କୁ ମନ ଯାଏ, ତାଙ୍କର ସେପରି ହେବା ସ୍ୱାଭାବିକ । ପଇସା କିଛି ହାତରେ ରଖି ଗୋଟିଏ ଭଲ ଘରେ ବିବାହ କରିବାକୁ ମଧ୍ୟ ତାଙ୍କର ମନ ହେଉଥାଏ । ଏଣୁ ଯେ କୌଣସି ପ୍ରକାରେ ସେ ପଇସା ପାଣ୍ଠି କରିବା ଚେଷ୍ଟାରେ ରହିଲେ ।

Image

 

ଚତୁର୍ଥ ପରିଚ୍ଛେଦ

 

ସନ୍ନ୍ୟାସୀପୁର ଗ୍ରାମର ଦୁଇ ପଟଣାରେ ଦୁଇଜଣ ମହାଜନ ଥାନ୍ତି–ଏକ ପଟଣାରେ ଜଣେ ତେଲି ମହାଜନ, ଅନ୍ୟ ପଟଣାରେ ଜଣେ କାଚରା ମହାଜନ ଥାଏ । ଆଜିକାଲି ପରି ସେତେବେଳେ ରେଳ, ନାଳ, ସଡ଼କ ନ ଥିଲା । କଲିକତାରୁ ଜାହାଜରେ ମାଲ ଆସି ଚାନ୍ଦବାଲିଠାରେ ଲାଗୁଥିଲା । ସେଠାରୁ ଦେଶୀ ମହାଜନମାନେ ଲୁଣ, ନଡ଼ିଆତେଲ, କିରାସିନି, କନ୍ଦ, ମିଶ୍ରି, ଲୁଗା, ସୂତା, ମଶଲା ପ୍ରଭୃତି ଖରସ୍ରୋତା ଓ ବୈତରଣୀ ମଧ୍ୟରେ ଡଙ୍ଗାରେ ଓ ଖରାଦିନେ ଯୋଡ଼ି ବଳଦରେ ବହି ଆଣୁଥିଲେ । ଏ ଦେଶ ମଧ୍ୟରୁ ଧାନ, ଚାଉଳ, ରବି, ଝୋଟ, ଘିଅ ପ୍ରଭୃତି ଗଲାବେଳକୁ ନେଇ ଯାଉଥିଲେ । ତେଲି ମହାଜନ ଘରର ତିନି ପୁରୁଷର ଭାଇମାନେ ଏକତ୍ରଥାଇ ଚାଷ, ଧାନ କରଜ ଓ ଟଙ୍କାକରଜ ଦେଇ ଘର ପାଖରେ ତେଲ, ଲୁଣ ଓ ମସଲା ପ୍ରଭୃତି ଦୋକାନ କରି ସେ ଖଣ୍ଡରେ ଖ୍ୟାତନାମା ଧନୀ ଲୋକଥିଲେ । ଅଧିକାଂଶ ଧନୀ ଘରର ମୂଳଭିତ୍ତି ଦେଖିବାକୁ ଗଲେ ପ୍ରକାଶ ପାଏ ଯେ, ଯେଉଁଠାରେ ଭାଇମାନେ ଏକାନ୍ନରେ ଓ ଏକମନରେ ତିନିଚାରି ପୁରୁଷ ରହନ୍ତି, ସେଠାରେ ଧନ ଓ ମାନ ବେଳକୁବେଳ ବେଶି ବଢ଼େ । ଯେଉଁଠାରେ ସ୍ତ୍ରୀବଶରେ ବା ଅନ୍ୟ କାରଣରୁ ଭାଇମାନେ ପୃଥକ୍‌ ହୋଇ ଯାଆନ୍ତି, ସେଠାରେ ଲୋକ ଏକା କିଛି କରିପାରେ ନାହିଁ । ତେଲି ଓ କାଚରା ଘରର ପ୍ରଥମ ପୁରୁଷରୁ ଥୋଡ଼ିବଳଦରେ ଲୁଣ, ନଡ଼ିଆ, ଲୁଗା ପ୍ରଭୃତି ନେଇ କେନ୍ଦୁଝରରୁ ମଧ୍ୟସ୍ଥ ଭୂୟାଁ, କୋହ୍ଲବାଥୁଡ଼ି, ସାଉଣ୍ଟି ଓ ଗଣ୍ଡ ପ୍ରଭୃତି ଅନାର୍ଯ୍ୟ ଜାତିମାନଙ୍କ ମଧ୍ୟରେ କାରବାର କରି, ତା’ ବଦଳରେ ସେମାନଙ୍କଠାରୁ ଧାନ, ମୁଗ, ବିରି, ସୋରିଷ, ରାଶି, ଘିଅ ଓ ଝୁଣା ପ୍ରଭୃତି ଆଣନ୍ତି । ଯାଜପୁର ଓ ଭଦ୍ରଖ ସବଡିଭିଜନ୍‌ର ଅନେକ ଗ୍ରାମରୁ ମହାଜନମାନେ ଏହିପରି କେନ୍ଦୁଝର, ସୁକିନ୍ଦା, ନୀଳଗିରି ଓ ମୟୂରଭଞ୍ଜ ମଧ୍ୟରେ ବ୍ୟବସାୟ କରନ୍ତି । ଅନାର୍ଯ୍ୟ ଜାତିମାନେ ଏପରି ସରଳ ଲୋକ ଯେ, ସେମାନେ ସାମାନ୍ୟ ପ୍ରୟୋଜନୀୟ ପଦାର୍ଥ ପାଇଲେ ତା ବଦଳରେ ମହାଜନମାନେ ଯାହା କହନ୍ତି, ସେମାନେ ତାହା ଦେବାକୁ କୁଣ୍ଠିତ ହୁଅନ୍ତି ନାହି; ସେମାନଙ୍କର ଛନ୍ଦ କପଟ ନ ଥାଏ, ମହାଜନଠାରୁ ପଇସାକର ପଦାର୍ଥ ରଖି ତାକୁ ଚାରି ପଇସାର ପଦାର୍ଥ ଦିଅନ୍ତି । ପ୍ରକୃତରେ ଦେଖିବାକୁ ଗଲେ, ମୋଗଲବନ୍ଦୀର ଜଣେ ଲୋକ ବର୍ଷକ ଲାଗି ଯେତେ ଟଙ୍କାର ଫସଲ ଅମଳ କରେ, ଗଡ଼ଜାତର ଅନାର୍ଯ୍ୟ ଜାତିରୁ ଜଣେ ଗୋଟିଏ ହଳଦ୍ୱାରା ନାନା ପ୍ରକାର ଫସଲ କରି ତାହାର ଚତୁର୍ଗୁଣ ମୂଲ୍ୟର ପଦାର୍ଥ ପାଏ । ମାତ୍ର ନିଜ ଅଜ୍ଞତାବଶତଃ ମହାଜନଙ୍କ କୁଟିଳତା ଭେଦ କରି ନ ପାରି, ଫସଲ ଅମଳ ମାତ୍ରେ ସମସ୍ତ ମହାଜନକୁ ମାପ କରି ଦେଇ ବର୍ଷକଯାକ ସ୍ତ୍ରୀ ବାଳକ ସହ ବନ ମଧ୍ୟରୁ ସ୍ୱଚ୍ଛନ୍ଦବନଜାତ ଫଳମୂଳଖାଇ ଓ ଝରଣାଜଳ ପିଇ ଦିନ କଟାଏ । ଯେଉଁ ଫସଲ ସବୁ କରନ୍ତି, ସେସବୁ ତାଙ୍କର ଖାଦ୍ୟ ବୋଲି ଯେପରି ସେମାନେ ଭାବନ୍ତି ନାହିଁ–କେବଳ ଅନ୍ୟାନ୍ୟ ପ୍ରୟୋଜନୀୟ ପଦାର୍ଥ ମହାଜନଙ୍କଠାରୁ ବଦଳ ରଖିବା ପାଇଁ ଫସଲ ପ୍ରସ୍ତୁତ କରନ୍ତି । ବର୍ଷାଦିନେ ସମୟ ସମୟରେ ଚାଉଳ ଆବଶ୍ୟକ ହୁଏ । ସେଥିପାଇଁ ମହାଜନମାନେ କିଛିଧାନ, ବିରି, ସୁଆଁ ପ୍ରଭୃତି ସେମାନଙ୍କ ଗ୍ରାମ ମଧ୍ୟରେ ରଖି ଦେଇଥାନ୍ତି । ଦରକାରବେଳେ ଉଚ୍ଚ କଳନ୍ତରରେ ସେମାନଙ୍କୁ କରଜ ଦିଅନ୍ତି ଓ କାହାରି ବିହନ ଆବଶ୍ୟକ ହେଲେ ଦ୍ୱିଗୁଣ କଳନ୍ତରରେ ଲଗାନ୍ତି । ମହାଜନଙ୍କର ସେମାନଙ୍କଠାରେ ଅବିଶ୍ୱାସ ନ ଥାଏ । ସେମାନେ ସେ ସମୟରେ ଅବିଶ୍ୱାସ କ’ଣ ଜାଣି ନ ଥିଲେ । ମହାଜନ ଖାତାରେ ଲେଖା ଥାଉବା ନ ଥାଉ, ସେଖଣ୍ଡେ ତାଳପତ୍ର ଧରି ଜଣକ ନାମରେ ଯେତେ ଚୟ କହିଲା, ସେମାନେ ‘‘ଲେଖା ବାହାରୁଛି’’ ବୋଲି ଦୃଢ଼ ବିଶ୍ୱାସ କରି ଦେଇ ଦିଅନ୍ତି ।

 

ଜଣେଲୋକ ମରିଯାଇଥିଲେ ତା ପୁଅକୁ ତାଳପତ୍ରରୁ ଯାହା ଶୁଣାଇ ଦିଆଯାଏ, ସେ ତହିଁରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ଆଦାୟ ଦିଏ । ମହାଜନମାନେ ଏ ଅଞ୍ଚଳକୁ ଲୁଣ ପ୍ରଭୃତି ମାଲନେଇ ଯାହା ବଦଳାନ୍ତି, ତାହାବାଦେ ଆଉ ଯାହାବଳେ, ତାହା ଓ ସେ ଅଞ୍ଚଳରୁ ଧାନ ରବିପ୍ରଭୃତି ଥୋଡ଼ି ବଦଳରେ ବୋଝାଇ କରି ଘରକୁ ଫେରନ୍ତି । ଅବଶିଷ୍ଟ ଜିନିଷମାନ ଗ୍ରାମ ମଧ୍ୟରେ ଯାହା ଘରେ ରଖିଦେଇ ଆସନ୍ତି, ସେହି ଘରୋଇମାନେ ମହାଜନ ପଦାର୍ଥକୁ ନିଜ ପଦାର୍ଥ ଅପେକ୍ଷା ଅଧିକ ଯତ୍ନରେ ରଖିଥାନ୍ତି ।

 

ଉକ୍ତ ତେଲି ଓ କାଚରା ମହାଜନମାନଙ୍କର ପ୍ରଥମେ ଏହିପରି ସମ୍ପତ୍ତି ବଢ଼ିଥିଲା । ଏତେବେଳକୁ ସେମାନଙ୍କ ଘରେ ପୁଅ ଭାଇ ବେଶି ହେବାରୁ ଜଣେ ଜଣେ ବରାବର ପାଳିକରି ଅନାର୍ଯ୍ୟ ବସତିରେ ବସାକରି ରହି ଧାନ କାରବାର, ଚାଷ ଓ ଦୋକାନ ଚଳାନ୍ତି । ଯେଉଁ ଭାଇ ପାଳିରେ ଘରୁ ଯାଏ, ସେ ନିଜ ଅଞ୍ଚଳ ପଦାର୍ଥମାନ ନେଇଯାଏ । ଯେ ସେଠାରୁ ଛୁଟି ହୋଇ ଆସେ, ସେ ଅଞ୍ଚଳର ପଦାର୍ଥମାନ ସଙ୍ଗରେ ଧରି ଆସେ । କ୍ରମେ କ୍ରମେ ଭାଇ ସଂଖ୍ୟା ବଢ଼ିବାରୁ ଜଣେ ଗ୍ରାମର ଚାଷ, ଜଣେ ଧାନ ମହାଜନୀ, ଜଣେ ଦୋକାନ, ଜଣେ ଟଙ୍କା ମହାଜନି, ଜଣେ ଚାନ୍ଦବାଲି ଯିବା ଆସିବା, ଆଉ ଯେ ଟିକିଏ ଅସିଆଣିଆ ସେ ଗୋରୁଗାଈ ଖବର, ବୁଢ଼ାମାନେ ବନ୍ଧୁବାନ୍ଧବ, ଘର ଓ ଗ୍ରାମଖବର ବୁଝନ୍ତି । ସ୍ତ୍ରୀଲୋକମାନଙ୍କ ମଧ୍ୟରେ ମଧ୍ୟ ସେହିପରି ନୂଆବୋହୂ ଘରେ ରୋଷାଇ, ତା ଉପରବୋହୂ ବାସିକାମ, ତା’ ଉପର ବୋହୂ ଧାନ ଉଁଷା ଓ କୁଟା, ତା ଉପର ବୋହୂ ପାଣି ଅଣା, ତା ଉପର ବୋହୂ ଭଣ୍ଡାର ଘର ଓ ଶାଶୁ ପ୍ରଭୃତି ବୁଢ଼ୀମାନଙ୍କର, ପିଲାଛୁଆ, ଗଲା ଅଇଲା, ଖାଇଲା ନ ଖାଇଲା ଓ ଦବାନବା କାମକରି ଅତି ଆନନ୍ଦରେ ଦିନ କାଟୁଥିଲେ ।

 

ସେ ସମୟକୁ ଏହି ଦୁଇ ଘରର ଧନ ଜନ ଗୋପ ଲକ୍ଷ୍ମୀ ସବୁ ପୂର୍ଣ୍ଣଥିଲା ଓ ସମସ୍ତେ ସେ ଦୁଇଜଣଙ୍କ କଥାରେ ଚଳୁଥିଲେ । କ୍ରମେ ସମ୍ପତ୍ତି ବୃଦ୍ଧି ସଙ୍ଗେ ସଙ୍ଗେ ଭାଇମାନେ ଅଙ୍ଗିତା ଅର୍ଥାତ୍‌ ନିଜର ଗୁପ୍ତ ପାଣ୍ଠି କରିବାକୁ ଆରମ୍ଭ କଲେ । ବୁଢ଼ାମାନେ ଭାବିଲେ ଯେ, ଏହିଥର ଘର ଭାଙ୍ଗିବ, ଏଣୁ ଜଣେ ଜଣେ ଗୁମାସ୍ତା ରଖାଇ ସମସ୍ତ ଆୟବ୍ୟୟ ଲେଖିବାକୁ ଆରମ୍ଭ କଲେ । ଧାନ ଓ ଟଙ୍କାର ମହାଜନୀ ହିସାବ କିତାବ ଗୁମାସ୍ତାଙ୍କଠାରେ ସମ୍ପୂର୍ଣ୍ଣ ରହିଲା । ଦୋକାନ ଓ ବେପାରର ହିସାବ ରହୁଥିଲେ ମଧ୍ୟ ସେସବୁ କାର୍ଯ୍ୟ ଚଳାଉଥିବା ଲୋକଙ୍କ କହିବା ଅନୁସାରେ ହିସାବ ରହୁଥାଏ । ସବୁଠାରୁ ଯେ ବଡ଼ ଓ ମୁରବି, ତା’ ନିକଟରେ ମୂଳ ପାଣ୍ଠିଥାଏ ।

 

ମଦନ ମହାନ୍ତି ଗରିବ ଥିବାରୁ ୩୦ ବର୍ଷ ବୟସରେ ବିବାହ କରିଥିଲେ । ବିବାହ ସମୟକୁ ତାଙ୍କର ସ୍ତ୍ରୀଙ୍କ ବୟସ ପ୍ରାୟ ତାଙ୍କ ବୟସ ସଙ୍ଗେ ସମାନ ଥିଲା । କରଣ, ଭାଇପୁଅ ପ୍ରଭୃତି ସମାଜରେ ଯେଉଁମାନେ ଗରିବ, ସେମାନେ ଅର୍ଥାଭାବରୁ ଯଥା ସମୟରେ କନ୍ୟା ଦାନ କରିପାରନ୍ତି ନାହିଁ । ବିବାହର ପଞ୍ଚମ ବର୍ଷରେ ଘନଶ୍ୟାମର ଜନ୍ମ; ଆଉ ପୁତ୍ରକିକନ୍ୟା କିଛି ହୋଇ ନ ଥିଲେ । ମଦନ ମହାନ୍ତିଙ୍କର ଅବସ୍ଥା ଯେପରି, ତହିଁରେ ସମଧିକ ସନ୍ତାନପାଳନ ତାଙ୍କ ପକ୍ଷରେ ବଡ଼ ଅପ୍ରୀତିକର ହୋଇଥାନ୍ତା । ତାଙ୍କ ସଦ୍‌ଗୁଣରେ ଈଶ୍ୱର ପ୍ରୀତହୋଇ ତାଙ୍କୁ ଗୋଟିଏ ମାତ୍ର ଗୁଣବାନ୍‌ ପୁତ୍ର ଦେଇଥିଲେ । ମଦନ ମହାନ୍ତିଙ୍କ ମନରେ ଆଦୌ ଅସନ୍ତୋଷଭାବ ନ ଥାଏ । ଘନଶ୍ୟାମ ଶିଶୁ ଥିଲାବେଳେ ସର୍ବଦା ମାତାଙ୍କ ପାଖରେ ଥିବାରୁ ମାତାଙ୍କର ଦିନ ଆନନ୍ଦରେ କଟି ଯାଉଥିଲା । ଏଣିକି ପୁଅ ବଡ଼ ହୋଇ ବିଦେଶରେ ରହିଲେ । ସ୍ୱାମୀ ଦିନର ଅଧିକାଂଶ ସମୟ ନିଜ ଉପାୟରେ ଦାଣ୍ଡରେ ରହନ୍ତି । ଏଣୁ ଘନଙ୍କ ମାତାଙ୍କର ଏଣିକି ଆଉ ଦିନ ସରେ ନାହିଁ–ଦୁଇ ବେଳ ବାସିକାମ ପାଇଁ ଦୁଇ ଘଡ଼ି, ରୋଷାଇ ପାଇଁ ଦୁଇ ଘଡ଼ି ସମୟ ଯଥେଷ୍ଟ ।

 

ସକାଳ ବେଳା କୌଣସି ପ୍ରକାରେ ସମୟ କଟିଯାଏ, ମାତ୍ର ଉପର ବେଳଟି ସରେ ନାହିଁ-। ଆଜିକାଲି ଯେପରି ଯାହାର ଦୁଇ ପଇସା ରୋଜଗାର, ତାର ଅତିକମ୍‌ରେ ପାନ ଖର୍ଚ୍ଚ ପଇସାଏ । ପାନଭଙ୍ଗା ପାନ ସଜଡ଼ାରେ ଅଧିକାଂଶ ସମୟ ଅତିବାହିତ ହୁଏ । ଏ ରୋଗ ବ୍ରାହ୍ମଣ ସମାଜରେ ମଧ୍ୟ ପ୍ରବେଶ କଲାଣି । ଯଦି କାହାର ପାନ ପାଇଁ ପଇସା ନାହିଁ, ତେବେ ନାସ ଓ ଚୂନପତ୍ରର ବ୍ୟବହାର ମଧ୍ୟ ସ୍ଥଳବିଶେଷରେ ଦେଖା ଗଲାଣି । ରନ୍ଧାବଢ଼ା ଯେପରି ବାଜେ କାର୍ଯ୍ୟ । ବାସିକାମ କଥା ପଚାରୁଛି କିଏ ? ଯାହାର ଦାସ ଦାସୀ ନାହିଁ, ସେ ମନ ହେଲେ ତ କଲା, ନ ହେଲେ ନାହିଁ । ସୂର୍ଯ୍ୟ ଆସି କବାଟ ଫାଙ୍କରେ ଉଙ୍କି ନ ମାଇଲେ ଶଯ୍ୟାତ୍ୟାଗର ଉପଯୁକ୍ତ ସମୟ ହୁଏ ନାହିଁ । ଦାନ୍ତଘଷା ଗୁଡ଼ାଖୁ କିମ୍ୱା ନସ୍ୟ ଯଦି ଦୈବାତ୍‌ ଦିନେ ନ ମିଳେ, ସେ ଦିନ ଖାଇବାକୁ ରୁଚିହୁଏ ନାହିଁ । ମାତ୍ର ସେତେବେଳେ ସ୍ତ୍ରୀମାନଙ୍କର ପାନ ଖାଇବାର ପ୍ରଥା ନ ଥିଲା । ସେମାନେ ଅତି ପ୍ରତ୍ୟୁଷରୁ ଉଠି ବାସିକାମ ସାରି ସ୍ନାନ ପରେ ସୂର୍ଯ୍ୟଙ୍କୁ ଦେଖୁଥିଲେ । ଯଦି ସେତେବେଳେ ପାନଭଙ୍ଗା ଓ ଜଳଖିଆ ପ୍ରଭୃତି କାମ ଥାଆନ୍ତା, ଘନ ମାତାଙ୍କର କିୟତ୍‌ ପରିମାଣରେ ଦିନ ସରୁଥାନ୍ତା । କ’ଣ କରିବେ, ଯଦି ସାହିରୁ କେବେ କେବେ ଝିଅମାନେ ଆସନ୍ତି, ତେବେ କାଞ୍ଜିଗାତ ଖେଳନ୍ତି । ନୋହିଲେ କାଇଞ୍ଚଗୁଡ଼ିଏ ରଙ୍ଗାଇ ଝିଙ୍କକାଠି ସାହାଯ୍ୟରେ ବିଚଣା, ଚାଙ୍ଗୁଡ଼ି ପ୍ରଭୃତି ବୁଣୁଥାନ୍ତି । କ୍ରମେ କ୍ରମେ ବୟସ ବେଶି ହେବାରୁ ସେ ସବୁରୁ ମନ ବିରତ ହେଲା । ମାତ୍ର ଛୋଟ ଛୋଟ ପିଲାମାନେ ଖରାବେଳେ ଆସି ତାଙ୍କଠାରୁ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରିବାରୁ ତହିଁରେ ସେ ଖରାବେଳରୁ କିଛି କଟାଇ ଦିଅନ୍ତି । ସନ୍ଧ୍ୟା ହେବା ପୂର୍ବରୁ ଗୋରୁ ଗାଈ ଫେରିବା ପରେ ଘର ପିଣ୍ଡା ଓ ଦ୍ୱାର ଖରକି ନେଇ ସଞ୍ଜବତୀ ବଳି ଦାଣ୍ଡଦ୍ୱାରେ ଦିଓଟି ବତୀ ଥୋଇ ମଙ୍ଗଳାଙ୍କୁ ମୁଣ୍ଡିଆଟିଏ ମାରନ୍ତି ଓ ମନେ ମନେ ଘନ, ସ୍ୱାମୀ ଏବଂ ନିଜ ଓ ଭାଇଙ୍କ ପିଲାଙ୍କର ଶୁଭ ମନାସନ୍ତି । ସେହିପରି ଅଗଣା ମଧ୍ୟସ୍ଥ ଚଉରାମୂଳରେ ଗୋଟିଏ ସଞ୍ଜ ଦେଇ ମୁଣ୍ଡିଆମାରି ତେଲଦୀପଟି ଧରି ସବୁଘରେ ବୁଲି ଆସି ଡିବାଟି ଜାଳିଦେଇ ଦୀପଟି ନିଭାଇ ଏପରି ସ୍ଥାନରେ ରଖିଦିଅନ୍ତି, ଯେପରି ପରଦିନ ସକାଳେ ନିଜର କିମ୍ୱା ସ୍ୱାମୀଙ୍କର ଦୃଷ୍ଟି ତହିଁରେ ନ ପଡ଼େ । କାରଣ ସକାଳୁ ବାସି ଦୀପ ଚାହିଁଲେ ସେ ଦିନଟି ଭଲରେ କଟେ ନାହିଁ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥାଏ । ମାତ୍ର ଡିବା କିମ୍ୱା ଲଣ୍ଠନରେ ସେ ଦୋଷ ରହେ ନାହିଁ । ସନ୍ଧ୍ୟାକୃତ୍ୟ ପରେ ସ୍ୱାମୀଙ୍କୁ ଆଗମନ ପ୍ରତୀକ୍ଷାରେ ଶୟନ ଗୃହର ପହଣ୍ଡରେ ବସି କେତେବେଳେ ସେ ପୁଅଚିନ୍ତା, କେତେବେଳେ ଘରଚିନ୍ତା, କେତେବେଳେ ଅବା ବାପଘର ଚିନ୍ତା କରୁଥାନ୍ତି । ଦୁଃଖର ବିଷୟ, ପିତାମାତା ଗରିବ ଥିବାରୁ ତାଙ୍କୁ ପାଠ ପଢ଼ାଇ ପାରି ନ ଥିଲେ । ସେତକ ଗୁଣ ଯେବେ ଥାନ୍ତା, ତେବେ ଦିନଟା ତ ପାଣି ପରି ବହି ଯାଆନ୍ତା ! ଆଜିକାଲି ଅକ୍ଷର ଚିହ୍ନିଲେ ପାଠପଢ଼ା ଶେଷ ହୁଏ । ପ୍ରଥମେ ଦିନାକେତେ କେଳାସୁଆଙ୍ଗ, କାହ୍ନୁସୁଆଙ୍ଗ, ଶାଶୁବୋହୂକଳି, ନଣନ୍ଦଭାଉଜକଳି, ନଟଚୋରୀ, ଭୂତକେଳି, କାନ୍ତ କୋଇଲି, ଜେମାଦେଇ କାନ୍ଦ, ଉଷାହରଣ ପ୍ରଭୃତି ବୋଲାହୁଏ । ଯୁବା ସମୟ ଆରମ୍ଭ ହେବା ମାତ୍ରେ ରସିକହାରାବଳୀ, ପ୍ରେମସୁଧାନିଧି, ଲାବଣ୍ୟବତୀ ଫିଟାହୁଏ । ଆଜିକାଲି ବାଳିକା ଓ ସ୍ତ୍ରୀମାନଙ୍କ ପାଇଁ କେତେ ଭଲ ଭଲ ବହିଛାପା ହେଲାଣି । ମାତ୍ର ତାହାର ଭାଷା, ରଚନା ଓ ବିଷୟଗୁଡ଼ିକ ସାଧାରଣ ବାଳିକା ଓ ସ୍ତ୍ରୀ, ଅର୍ଥାତ୍‌ ଯେଉଁମାନଙ୍କର ଫଳାପାଠରେ ଶିକ୍ଷା ସୀମାବଦ୍ଧ, ସେମାନଙ୍କ ପକ୍ଷରେ ପ୍ରୀତିକର ହେଉ ନାହିଁ । ଆଉ ମଧ୍ୟ ପ୍ରଥମୋକ୍ତ ବହିଗୁଡ଼ିକ ସୁଲଭ ମୂଲ୍ୟରେ ହାଟରେ, ବାଟରେ, ଯାତ୍ରାରେ ଓ ସମୟ ସମୟରେ ଦ୍ୱାର ନିକଟରେ ମିଳୁଥିବାରୁ ସେମାନଙ୍କର ସହଜପ୍ରାପ୍ୟ ହେଉଅଛି । ବିଷୟ ଓ ରାଗ ରାଗିଣୀଗୁଡ଼ିକ ମଧ୍ୟ ଆଜିକାଲି ସାଧାରଣ ବାଳିକାମାନଙ୍କର ଚିତ୍ତାକର୍ଷକ ହେଉଅଛି ।

 

ଘନଙ୍କ ମା’ ଦିନେ ସନ୍ଧ୍ୟା ପରେ ଘର ଅଗଣା ପିଣ୍ଡାରେ ବସି ପୁଅ କଥା ଭାଳୁ ଅଛନ୍ତି । ସେ ଦିନ ଫାଲ୍‌ଗୁନ ଶୁକ୍ଳତୃତୀୟା । କ୍ଷୀଣ ଶଶିରେଖାରେ ଦୃଷ୍ଟି ପଡ଼ିବାରୁ ସେମାନେ କଲେ, ‘‘ଆହା-! ଘନ ମୋର ଏହିପରି ଝଡ଼ି ଯିବଣି; ଖରାରେ, କାକରରେ ସେ ଦିନ ରାତି ବୁଲୁଥିବ, ଅବେଳରେ ହାତରେ ଗଣ୍ଡାଏ ରାନ୍ଧି ଖାଉଥିବ । ଏଥିରେ କ’ଣ ତାର ବାଗ ଥିବ ? କ’ଣ କରିବି, କିପରି ଘନକୁ ଟିକିଏ ଦେଖନ୍ତି । ବାପର ମନ କି ଟାଣ–ଦଶଥର କହିଲେ ବି ଖଣ୍ଡେ ଚିଠି ଲେଖିବେ ନାହିଁ । ତାଙ୍କୁ ଆଉ କହିବାରେ ଫଳ କ’ଣ ? କେବଳ ଭୁରୁଡ଼ି ସାର ହେବ । ଦୋଳ ଯାତ ତ ଆସୁଛି । ଘନ କାଳେ ମନକୁ ଆସି ପାରେ । ଭଗବାନ୍‌ ଜାଣନ୍ତି । ମା ବୃନ୍ଦାବତି, ମା ମଙ୍ଗଳା, ଦୋହରି ସଞ୍ଜ ଦେବି, ମୋ ଘନକୁ ଆଣି ମତେ ଟିକିଏ ଦେଖାଅ ।’’ ଏପରି ଭାବୁ ଭାବୁ ସ୍ୱାମୀ ଆସି ପହଞ୍ଚିଗଲେ । ଘନଙ୍କ ମା’ ନିଶ୍ୱାସଟିଏ ପକାଇ ସ୍ୱାମୀଙ୍କଠାରୁ ରୋଷାଇ ସାମଗ୍ରୀମାନ ନେଇ ରନ୍ଧାବଢ଼ାରେ ଲାଗିଗଲେ । ସେହି ସମୟରେ ଘନ ନିଜ କର୍ମସ୍ଥଳରେ ଜମି ମାପରୁ ଆସି ଜଳଖିଆ କରି ବସିଅଛନ୍ତି, ହଠାତ୍‌ ମାତାଙ୍କ ଭାବନା ଯେପରି ତାଙ୍କ ହୃଦୟରେ ପ୍ରତିଫଳିତ ହେଲା । ଘନଙ୍କର ମାତୃ ସ୍ନେହ ମନେ ପଡ଼ି ମନକୁ ବ୍ୟାକୁଳ କଲା, ବାଲ୍ୟସ୍ମୃତି ଜାଗରିତ ହେଲା ଏବଂ ମାତୃଭୂମିର ମାୟା ହୃଦୟକୁ ଆନ୍ଦୋଳିତ କଲା । ଘନଶ୍ୟାମ ‘‘କିପରି ଘରକୁ ଯିବି ଓ କିପରି ଗ୍ରାମର ଦୋଳଯାତରେ ଯୋଗ ଦେବି’’ ଭାବିବାକୁ ଲାଗିଲେ । ତାଙ୍କର ବିଷୟ ବୁଦ୍ଧି ଅତି ପ୍ରଖର ଥିଲା–ଗ୍ରାମକୁ ଗଲେ ସଙ୍ଗରେ କ’ଣ ନେବେ, ଏ କଥା ସେ ପ୍ରଥମେ ଭାବିବାକୁ ଲାଗିଲେ । ଘରେ ଗାଈଟିଏ ନ ଥିବାରୁ ଗୋବର ନେଣ୍ଡୁଆକ ପାଇଁ ମା’ କେତେ ବ୍ୟସ୍ତ ହୁଅନ୍ତି, ତାଙ୍କର ଏ କଥା ମନେ ପଡ଼ିଗଲା । ତହୁଁ ସେ ଗୋଟିଏ ଦୁହାଁଳ ଗାଈ କିଣିବାର ଯୋଗାଡ଼ରେ ରହିଲେ । ଚାଉଳ, ଯାଇ, ମୁଗ, ବିରି, ଗୁଡ଼, ହରଡ଼, ଘିଅ, ବୁଟ ପ୍ରଭୃତିର ମଧ୍ୟ ଆୟୋଜନ କଲେ ଏବଂ ମାତାଙ୍କ ଓ ପିତାଙ୍କ ପାଇଁ ଭଲ ଲୁଗା କିଣି ରଖିଲେ । ଉପର ହାକିମଙ୍କଠାରୁ ଛୁଟି ଆଣି ଫଗୁଦଶମୀ ଦିନ ଘନ ଘରକୁ ବାହାରିଲେ । ତାଙ୍କର କାର୍ଯ୍ୟକ୍ଷେତ୍ରଠାରୁ ଗୃହ ଅଢ଼େଇ ଦିନର ବାଟ ।

 

ସେତେବେଳେ ରେଳ ନ ଥିଲା, ସଡ଼କ ନ ଥିଲା–ବିଲ, ନାଳ, ବଣ ଅତିକ୍ରମ କରି ଯିବାକୁ ହେବ । ଗାଈ ପାଇଁ ଗୋଟିଏ ଗଉଡ଼ ଓ ଅନ୍ୟାନ୍ୟ ପଦାର୍ଥ ବହି ନେବାକୁ ପାଞ୍ଚଜଣ ଭାରୁଆ ବନ୍ଦୋବସ୍ତ କରି ଘନ ଅତି ଆନନ୍ଦରେ ଯାତ୍ରା କଲେ । ଦୂର ପଥକୁ ଏତେ ପଦାର୍ଥ ବହି ନେବା ଅସୁବିଧାଜନକ ହେଲେ ମଧ୍ୟ ମାତାଙ୍କ ସନ୍ତୋଷବର୍ଦ୍ଧନ ପାଇଁ ସେ ଏସବୁ ପ୍ରୟୋଜନ କଲେ-। ଆଜି ଘନ ମାତୃସ୍ନେହ ସ୍ମରଣ କରି ମାତୃଦତ୍ତ ସୁଧାଭୋଜନ ସ୍ମରଣ କରି କରି ଉତ୍‌ଫୁଲ୍ଲ ହୃଦୟରେ କୋଶକୁ କୋଶ ପଥ ଅବଲୀଳାକ୍ରମେ ଅତିକ୍ରମକ ରୁଅଛନ୍ତି; ମାତ୍ର ପଛରେ ଆସୁଥିବା ଭାରୁଆମାନଙ୍କ ମନର ଗତି ଘନଙ୍କ ମନର ଗତିର ବିପରୀତ ଦିଗରେ ହେଉଅଛି । ସେମାନଙ୍କ ମଧ୍ୟରୁ କିଏ ତାର ସାହୁ କଥାରେ, କେହି ଅବା ପଡ଼ିଆଖଣ୍ଡେ ନିଜ ନାମରେ ଜରୀବ କରାଇବା ଓ କିଏ ନିଜ ଜମିର ଦର କମାଇବା ଆଶାରେ କିଟିକାଟିଆ ଭାରମାନ ଧରିଚାଲି ଅଛନ୍ତି । ମାତ୍ର ମନ ଚକ୍ରାକାର ଭ୍ରମଣ କରୁଅଛି । କିଏ ଭାବୁଛି–କେଉଁ ଦେଶକୁ ଯିବା, କିପରି ଫେରିବା; କିଏ ନିଜର ଗାଈଗୋରୁ, କିଏ ସ୍ତ୍ରୀ ବାଳକ, କିଏ ବୃଦ୍ଧ ପିତାମାତା କଥା ଭାବି ଭାବି ଯାଉଅଛନ୍ତି । ବେଳକୁ ବେଳ ଭାର ମାଡ଼ି ବସୁଅଛି, କାନ୍ଧରୁ ମଳି-ଚମ ଉକୁଟିଲାଣି । କ’ଣ କରିବେ, ଘନଶ୍ୟାମଙ୍କର ଆରକ୍ତ ଲୋଚନକୁ ଭୟ କରି ତାଙ୍କ ଦ୍ରୁତ ପଦକ୍ଷେପ ସଙ୍ଗେ ସଙ୍ଗେ ଚାଲିବାକୁ ସେମାନେ ଯଥାସାଧ୍ୟ ଚେଷ୍ଟା କରୁଅଛନ୍ତି । କିନ୍ତୁ ଅମିନଙ୍କ ପକ୍ଷରେ ଆଜି ଖାଲ ଢିପ ସମାନ ?

 

ମାତୃସ୍ନେହ ଜଗତରେ ଅତୁଳ । ଗର୍ଭରୁ ପାଞ୍ଚବର୍ଷ କେତେ କଷ୍ଟ, କେତେ ଯନ୍ତ୍ରଣା ସହ୍ୟ କରି ମାତା ନିଜର ସନ୍ତାନକୁ ପାଳନ କରେ । ସେ ସମୟର ମାତୃକ୍ରୋଡ଼, ମାତୃସ୍ତନ୍ୟ ଓ ମାତାର ସୁଧାବଚନ କେହି କେବେ ଭବିଷ୍ୟତ୍‌ ଜୀବନରେ ଆଉ ପାଏ କି ? ସନ୍ତାନ ବଡ଼ ହେଲେ କ’ଣ ମାତାର ସ୍ନେହ କମେ ? କଦାପି ନୁହେଁ–ମାତାର ସ୍ନେହ ବର୍ଣ୍ଣନାତୀତ । ବରଂ ମାନବର ଯେତେ କ୍ରମେ କ୍ରମେ ଆତ୍ମନିର୍ଭରତା ବଢ଼ୁଥାଏ, ସେ ସଂସାରର ନବ ନବ ମାୟାରେ ମୁଗ୍ଦ ହୋଇ କ୍ରମେ କ୍ରମେ ନିଜକୁ ନିଜେ ମାତୃସ୍ନେହରୁ ତେତେ ବଞ୍ଚିତ କରୁଥାଏ । ମାତା କେତେବେଳେ ସନ୍ତାନଠାରୁ ଭିନ୍ନ ରହିବାକୁ ଚାହେଁ ନାହିଁ । ହାୟ ସଂସାରର ମାୟା । ହାୟ କାଳର ଗତି । ମାନବ ଦିନକୁ ଦିନ ବାଲ୍ୟସ୍ମୃତିକୁ ସଂସାରେ ମୋହନୀ ଶକ୍ତିର ସୌନ୍ଦର୍ଯ୍ୟ-ତରଙ୍ଗରେ ନିକ୍ଷେପ କରିଦିଏ । ଯଦି ଶିଶୁ ସମୟର ମାତୃସ୍ତନ ପ୍ରତି ଆକର୍ଷଣ ମନରେ ପୂର୍ଣ୍ଣ ମାତ୍ରାରେ ରହୁଥାନ୍ତା, ତେବେ ଲୋକ ଯୁବା ସମୟରେ ଯୁବତୀସ୍ତନର ଆକର୍ଷଣ ସଙ୍ଗେ ତାକୁ ତୁଳି ପାରୁଥାନ୍ତା, ମାତ୍ର ଯୌବନ-ମଦ ସେ ବିଚାର କରେ ନାହିଁ । ଯେତେବେଳେ ତାହାର ଝୁଙ୍କ ଛାଡ଼େ, ଅର୍ଥାତ୍‌ ଜରା ସମୟ ଉପଗତ ହୁଏ, ସେତେବେଳେ ସେ ଉଭୟକୁ ତୁଳନା କରି ଦେଖେ ଯେ, ମାତାର ସ୍ତନଦ୍ୱାରା ଯେଉଁ ଶରୀର କ୍ରମେ କ୍ରମେ ବର୍ଦ୍ଧିତ ହୋଇଥିଲା, ଯୁବତୀର ସ୍ତନଦ୍ୱାରା ତାହା କ୍ରମେ କ୍ରମେ କ୍ଷୟପ୍ରାପ୍ତ ହେଲା । ଏହା ସଂସାରର ମାୟା । ଏଥିରେ କାହାରି ହାତ ନାହିଁ । ସାନଠାରୁ ବଡ଼ ପର୍ଯ୍ୟନ୍ତ, ମୂର୍ଖଠାରୁ ପଣ୍ଡିତ ପର୍ଯ୍ୟନ୍ତ ଖୋଜି ବସିଲେ ସବୁବେଳେ ଏପରି ଜଣେ ଜଣେ ନୃଶଂସ ଦେଖିବାକୁ ମିଳନ୍ତି–ଯେ ସେହି ଯୁବତୀର ଯୌବନ-ଦୀପଶିଖାର ଚତୁର୍ଦ୍ଦିଗରେ ପତଙ୍ଗ ପରି ଉଡ଼ୁଥିବାବେଳେ ନିଜର ମାତାକୁ ପଥର କଣ୍ଟକ ମନେ କରି, ତାର ମନରେ ଦାରୁଣ କଷ୍ଟ ଜାତ କରାଇ ତା ପ୍ରତି କର୍କଶ ବ୍ୟବହାର କରିବାକୁ ଅଣୁମାତ୍ର କୁଣ୍ଠିତ ହୁଅନ୍ତି ନାହିଁ । କିନ୍ତୁ ସ୍ନେହମୟୀ ଜନନୀ ସେ ଲାଞ୍ଛନାକୁ ଭ୍ରୁକ୍ଷେପ ନ କରି, କୌଣସି ପୁତ୍ରର ଶରୀର ଅସୁସ୍ଥ ହେଲେ ବା ଅନ୍ୟ ବିପଦବେଳେ ତାର ପୂର୍ଣ୍ଣ ସ୍ନେହଭାଣ୍ଡ ଢାଳି ଦେବାରେ ଲେଶମାତ୍ର ଅବହେଳା କରେ ନାହିଁ । ଆହା, ମାତାର କି ସ୍ନେହ ! ସନ୍ତାନର ଜୀବନ ରକ୍ଷା ପାଇଁ ନିଜର ଜୀବନକୁ ସେ ତୃଣବତ୍‌ ମନେ କରେ । ମାତାର ଋଣ ସନ୍ତାନ ଜନ୍ମଜନ୍ମାନ୍ତରରେ ଶୁଝି ପାରିବ ନାହିଁ ।

 

ଯେଉଁ ଭୂମିର ଜଳ, ଫଳ, ଶସ୍ୟଦ୍ୱାରା ମାତା ନିଜ ଶରୀରକୁ ପୁଷ୍ଟକରି ସନ୍ତାନର ଶରୀରକୁ ପୁଷ୍ଟକରେ, ସେ ଭୂମିଠାରେ ମାନବ କି ପରିମାଣରେ ଋଣୀ, ତାହା କିଏ କହିପାରିବ ! ଯେଉଁ ଦେଶରେ ଲୋକେ ଏକଥା ଭାବନ୍ତି ଏବଂ ସାଧ୍ୟାନୁସାରେ ତାର ଋଣରୁ ମୁକ୍ତହେବା ପାଇଁ ଚେଷ୍ଟାକରନ୍ତି, ସେ ଦେଶ ସେହି ପରିମାଣରେ ଉନ୍ନତ ।

Image

 

ପଞ୍ଚମ ପରିଚ୍ଛେଦ

 

ଆଜି ଦ୍ୱାଦଶୀ, କରଣସାହିର ଚାଚେରୀ ଦୁଇ ପଟଣା ବୁଲିବ । ଘନଶ୍ୟାମ ମନ ଅତି ଉଚ୍ଛନ୍ନ–‘‘କିପରି ଗ୍ରାମରେ ଯାତ୍ରା ପୂର୍ବରୁ ପହଞ୍ଚିବି । ଭାରୁଆ ଲାଗି ଉଛୁର ହେଉଛି, କ’ଣ କରିବି । ଛାଡ଼ି ବା ଯାଉଛି କିପରି ? ହଉ ଦେଖାଯାଉ, ଏ ବେଳା ଯାଉ, ଉପରବେଳା ଦେଖିବା’’ ଏହା ଭାବି ଘନ ଜୋତା ମାଡ଼ି ଛତାଟି କାଖରେ ଯାକି, ବାଡ଼ିଧରି ଭାରୁଆକୁ ‘ଉଠ’ ବୋଲି କହି ଉଠିଲେ । ଚଟି ଛାଡ଼ି ପହଣ୍ଡେ ପକାଇବା ମାତ୍ରେ ତାଙ୍କର ଗୋଟାଏ ଫିକର ମନେ ପଡ଼ିଲା । ପୂର୍ବ ରାତ୍ରରେ ଘନ ଯେଉଁ ଚଟିରେ ଥିଲେ, ସେ ଗୋଟିଏ ଚଟିଆ ଗ୍ରାମ । ଘନଙ୍କ ପୂର୍ବରୁ ଚଟିର ସୃଷ୍ଟି ହୋଇ ନ ଥିଲା । ତାଙ୍କ ବେଳକୁ ଜଗନ୍ନାଥ ସଡ଼କର କାର୍ଯ୍ୟାରମ୍ଭ ସଙ୍ଗେ ଚଟିର ସୃଷ୍ଟି । ସେ କାମ ହେଲାବେଳେ ଯେଉଁଠାରେ ଜଳ ସୁଲଭ, ତାଡ଼ୀ ସୁଲଭ, ପଇସା ଦେଲେ ଚାଉଳ ମିଳିବ, ଜାଳ ମିଳିବ ଏବଂ ପାନ ଗୁଆ ଗୁଣ୍ଡି ଧୂଆଁପ ତ୍ରମିଳିବ, ସେଠାରେ କୁଲିମାନେ ରହୁଥିଲେ । କୁଲିମାନେ ରହିବାରୁ ଆବଶ୍ୟକତାର ବୃଦ୍ଧିହେଲା, ଦୋକାନ ଆରମ୍ଭ ହେଲା; ଏପରିକି ଦିନକୁ ଦୁଇଅଣା ପାଉଥିବା ଜଣେ ମାଟିଆ ଗୁଡ଼ୁରା ଗୁଡ଼ୁରୀ ହୋଇ ଚାଲି ପାରୁଥିବା ପିଲାପିଲି ଗୃହିଣୀ ସମେତ କାନ୍ଧରେ, ମୁଣ୍ଡରେ, ଭାରରେ ଓ ହାତ ପାପୁଲିରେ ମାଟିଗୁଲା ବହୁଛନ୍ତି ଆଉ ଉଞ୍ଚ ଭୂଇଁ ଉପରେ ଦେହରେ ଖଣ୍ଡେ ଖଣ୍ଡେ ଚିତ୍ରା ଗେଞ୍ଜି ଗଳାଇ ଦେଇ ଆପଣା ଆପଣା ଛୁଆଟିମାନଙ୍କୁ ବସାଇ ଦେଇଥାନ୍ତି । ସଞ୍ଜ ହେଲେ ତାଡ଼ୀ ଦୋକାନରେ କ୍ରମେ କ୍ରମେ ତାଡ଼ୀ ସଙ୍ଗକୁ ମୂଢ଼ୀ, ଚଣାଭଜା, ବୁଟଭଜା, ବରା, ଧୂଆଁ ପତ୍ର ଓ ପାନ ଗୁଣ୍ଡିର ଆଦର ବଢ଼ିଲା । କାନତରାଟି ଓ ଦୋକାନିମାନଙ୍କ ଅଭାବପୂରଣ ପାଇଁ କ୍ରମେ କ୍ରମେ ଭଣ୍ଡାରୀଦଳ ଚୂନପତ୍ର ଚକିରେ ଥୋଇ ଦୁମ୍‌ଦାମ୍‌ ଫଟ୍‌ଫାଟ୍‌ ତାଳମାନ ଛାଡ଼ିଲେ । ବସାକାମ ଓ ବାସିକାମ ପାଇଁ ଗୋଟିଏ ଗୋଟିଏ ମାଇକିନିଆ ଜମିଲେ । ଜଣେ ମାଇକିନିଆ କାମକୁ ଅଯୋଗ୍ୟ ହେଲେ ସେ ଆଉ ଗୋଟିଏ ଯୋଗାଇବାରେ ଲାଗିଲା । ଏପରି ଗୋଟିଏ ଗୋଟିଏ ଛତ୍ରଖାଈ-ସାହିର ସୃଷ୍ଟିହେଲା । ଏପରିକି, ମାନବର ଅଭାବ ପୂରଣ ସେଠାରେ ଅକ୍ଳେଶରେ ହେଲା-। ତହୁଁ ସେ ଚଟି ନାମ ପାଇଲା । ଘନ ବିଚାରିଲେ, କିରେ, ଏଠାରେ ତ ଅଫିମ ଗଞ୍ଜେଇ ମିଳିବ, ଧୂଆଁପତ୍ର ମିଳିବ, ଦିଆସିଲାଇ ବୋଲି ଗୋଟାଏ ଆସିଲାଣି, ଆଉ ଚକମକିରେ ନିଆଁ ବାହାର କରିବାକୁ ସମୟ ନଷ୍ଟ ହେବ ନାହିଁ, କାନ୍ଧ ଦରଜ ରହିବ ନାହିଁ; ଗୋଡ଼ ଘୋଳା ଘୁଞ୍ଚିଯିବ । ଚାରି ପଇସା ଖର୍ଚ୍ଚ କରେଁ । ତହୁଁ ଚାହିଁବା ମାତ୍ରେ ଆଦର ସମ୍ଭାଷଣ ସହ ପଦାର୍ଥମାନ ସଂଗ୍ରହ କରି ବାହାରିଲେ ।

 

ପାଠକେ, ମଝିରେ ଗୋଟାଏ କାନତରାଟି ଲେଖିଗଲି । କେହି କେହି କେତେ କଥା କହି ପାରନ୍ତି । ମୁଁ ବହୁବାର ଶୁଣି ଶୁଣି ଅଭ୍ୟାସବଶତଃ ଲେଖି ନାହିଁ । ଦିନେ ଜଣେ ବୁଢ଼ା ନାତିକୁ କୋଳରେ ଧରି ଦାଣ୍ଡପିଣ୍ଡାରେ ବସି ଖେଳାଉଅଛନ୍ତି, ଏହି ସମୟରେ ଦାଣ୍ଡରେ ଜଣେ ସଙ୍ଗିକୁ ଦେଖି ପଚାରିଲେ, ‘‘କିହୋ ଭାଇ, କୁଆଡ଼େ ଯାଇଥିଲ ?’’ ସଙ୍ଗୀ ଉତ୍ତର କଲେ, ‘‘ଭାଇ, କାନତରାଟି ପାଖକୁ ଯାଇଥିଲି ।’’ ନାତିକାନକୁ କଥାଟା ନୂତନ ପରିବୋଧ ହେଲା । ସେ ‘‘କାନତରାଟି କନ ? ହଁ କଅ, ହଁ କଅ’’ କହି ଜେଜେ ମୁଖରେ ହାତ ଦେଇ ବୁଢ଼ାକୁ କଥା କୁହାଇ ଦେଲା ନାହିଁ । ବୁଢ଼ା ବିରକ୍ତ ହୋଇ ‘‘ଆରେ ତରାଟ ଫୁଲ’’ କହିବାମାତ୍ରେ ନାତି କହିଲା, ‘‘କାହିଁ ଦେ, କାହିଁ ଦେ ।’’ ବୁଢ଼ା କହିଲା, ‘‘ହେଇ ଆଣିବାକୁ ଯାଇଥିଲା ଯେ, ସାପ ଦେଖି ପଳାଇ ଆସିଲା । ସେଇ କଥା କହୁଛି ।’’ ନାତିସାପ କଥା ଶୁଣି ଭୟରେ ତ ଅସ୍ଥିର–ସେ ଆଉ ବୁଢ଼ାର କ୍ରୋଡ଼କୁ ନିରାପଦ ମନେ କଲା ନାହିଁ, ତା’ର ଏକମାତ୍ର ଅଭୟଦ, ଶାନ୍ତିର ସ୍ଥାନ ମାତୃକ୍ରୋଡ଼ ଆଶ୍ରୟ ପାଇଁ ବୁଢ଼ାକୁ ଅଥୟ କରିବାକୁ ଲାଗିଲା । ବୁଢ଼ା ପୁଅକୁ ଡାକି ନାତିକୁ ବିଦା କରି ଦେଇ ସଙ୍ଗୀ ସଙ୍ଗରେ କଥାବାର୍ତ୍ତା ହେଲା । ସଙ୍ଗୀ ଦାଣ୍ଡରୁ ଆସି ପିଣ୍ଡାରେ ବସିଲେ ଓ ବୁଢ଼ାଙ୍କୁ କହିଲେ, ‘‘ଭାଇ, ନାତିକୁ ତ ଆଚ୍ଛା ଭୁଲାଇ ଦେଲ ।’’

 

‘‘ନା ଭାଇ, ନାତି ଭୁଲା କଥା ନୁହେଁ, ମୁଁ ଦିନେ ଦିନେ ଭାବେଁ, କାନତରାଟିର କାନ ତରାଟ ଫୁଲ ପରି । ତୁମେ ତ ଏକ୍ଷଣି ଦେଖି ଆସିଲ, କାନତରାଟି କ’ଣ କରୁଛି ? ମାଟିଆ, ବାଲିଆ, ଚୂନିଆ, ଛପରିଆ, ଶଗଡ଼ିଆ, ଇଟୁଆ, କାଠକାଟୁଆ, ଲୁହାପଜୁଆ, ପଥୁରିଆ, ନଡ଼ୁଆ ଓ କାନ୍ଥିଆ ପ୍ରଭୃତି କେତେ କେତେ ଲୋକ ନିଜ ନିଜ କାମର ମୂଲ ପାଇଁ ହୁରି ପକାଇଛନ୍ତି । ସେ ସମସ୍ତଙ୍କ କଥା ଶୁଣି ସେମାନଙ୍କ କାମ ବୁଝି ପଇସା ଦେଉଛି, କାଲିକି କାମର ବରାଦ ଦେଉଛି, ତା’ ସଙ୍ଗେ ସଙ୍ଗେ ଦାଦନିଆଙ୍କୁ ଦାଦନ ଦେଉଛି । ଯେ ତରାଟ ଫୁଲ ପରି ସବୁ ଆଡ଼କୁ କାନ ସମାନ ଭାବରେ ମେଲାଇଥିବ ଏବଂ ଯାହାର କାନ ତରାଟଫୁଲ ପରି ଓଷାରିଆ, ସେ ଜାଣି ସେ କାମ କରି ପାରିବ । ଏଣୁ ଲୋକେ ଯାହା କାନତରାଟି ବୋଲି କହନ୍ତି, ତାହା ଠିକ୍‌ । ଦେଖି ନା ତରାଟ ଫୁଲ କିପରି ଚାରି ପାଖକୁ ସମାନ ଭାବରେ ଆପଣା ପାଖୁଡ଼ାଗୁଡ଼ିକ ମେଲା କରି ଦେଇଥାଏ ?’’

 

ସଙ୍ଗୀ କହିଲା–ହଁ ସତ କହିଲ । ହେଲେ କ’ଣ ହେବ, ଭାଇ, ଯେତେ କାମ ଅଛି, କାନତରାଟି କାମ ପରି ଲାଭ କାହିଁରେ ନାହିଁ । ଆମେ ସବୁ କାମ କରିବା, ସେ ବସି ବସି ଲାଭ ଖାଇବ ।

 

ବୁଢ଼ା କହିଲେ–ସେ ଦେଶର ଲୋକେ ସେହିପରି ସିଆଣିଆ । ଆମେ ତାଙ୍କର ମୂଲିଆ-। ଆମ ଦେଶରେ କ’ଣ ପଇସା ନାହିଁ ? ସେ କଥା କିଏ କରୁଛି, ସେ ସାହସ ବା କାହାର ଅଛି ? ଭାଇ, ସେ ଟଙ୍କା ଯାହା ସବୁ ଖରଚ କରୁଛି, ସେ କ’ଣ ତା ନିଜର ଟଙ୍କା କି ? ଦଶ ବାର ଜଣ ମିଳି କିଛି ଟଙ୍କା ଏକାଠି କରି କାମରେ ଲଗାଇ ଦେଇଅଛନ୍ତି ନା, ଲାଭ ଯାହା ମିଳୁଛି, ତା ବାଣ୍ଟି ନେଉଛନ୍ତି । ଆମ ଦେଶର ଲୋକେ ଏହା କରିବେ କି ? ଆପଣା ଭିତରେ ବିଶ୍ୱାସ ଅଛି, ନା ମେଳ ଅଛି ?

 

ସଙ୍ଗୀ କହିଲେ-ଭାଇ, ସେ କହୁଥିଲା, ତା ଘର ଏଠାକୁ ଦୁଇ ମାସର ବାଟ କୁଆଡ଼େ-ଯେଉଁଠାରେ ଦ୍ୱାରକା ଥିଲା, ତାହାରି ପାଖରେ । ଓହୋ, କେଡ଼େ ସାହସ ! ଆମ ଦେଶର ଲୋକେ ଏ ଗାଁରୁ ସେ ଗାଁକୁ ଯାଉ ନାହାନ୍ତି । ଭାଇ, ଦଣ୍ଡବତ୍‌, ମୁଁ ଆସୁଛି ।

 

ଏହା କହି ସଙ୍ଗୀ ନିଜ ବାଟରେ ଚାଲିଲେ । ମୁଁ ଭାବିଲି, ବୁଢ଼ା ତ କାନତରାଟି ଶବ୍ଦର ବ୍ୟାଖ୍ୟା ମନ୍ଦ କଲା ନାହିଁ । ବ୍ୟାକରଣ ଜ୍ଞାନ ବୁଢ଼ାର ଥିଲେ’’କାନ ତରାଟ ଫୁଲ ପରି ଯାହାର, ସେ କାନତରାଟି’ ଏହା ମଧ୍ୟ କହିଥାନ୍ତା । ହଁ, ପଦାର୍ଥ ମନୁଷ୍ୟ ପଶୁ ପକ୍ଷୀ ପ୍ରଭୃତି ଚିହ୍ନିବା ପାଇଁ ତ ନାମ ହୋଇଛି । ଯେ କୌଣସି ପ୍ରକାରେ କଥାଟା ବୁଝାଗଲେ ହେଲା । ବୃଥାରେ ମୁଁ ଗୋଟାଏ ଲାଞ୍ଜ ବଢ଼ାଇବି କାହିଁକି ? ସେହି ଦିନରୁ ମୁଁ କାନତରାଟି ଲେଖିବାକୁ କୁଣ୍ଠିତ ହେଲି ନାହିଁ ।

 

ଘନଶ୍ୟାମ ଓ ଭାରୁଆମାନେ ଖରା ନ ମାନି ଚାଲି ଅଛନ୍ତି । ଭାର କାନ୍ଧୁଆଙ୍କର ପୁଷମାସରେ ମଧ୍ୟ ଦେହରୁ ଗମ୍‌ଗମ୍‌ ହୋଇ ଝାଳ ବାହାରି ପଡ଼େ । ସେମାନେ ବାଟରେ ଯେଉଁଠାରେ ବର, ଓସ୍ତ, କଇଁଆ ଓ ଆମ୍ୱ ପ୍ରଭୃତି ଗଛ ଦେଖୁଅଛନ୍ତି, ତା’ ମୂଳରେ ନଥ୍‌ କରି ପଡ଼ି ଯାଉଅଛନ୍ତି । ଭାତ ଦି’ ଦି’ଟା ଖାଇ ଗ୍ରାମେ ଗ୍ରାମେ ଜଳ ପିଇ ଖରାରେ ବାହାରି ପଡ଼ୁଅଛନ୍ତି । ଘନର ଏପରି ଅଭ୍ୟାସ ନ ଥିଲା । ତାକୁ ମଧ୍ୟ ବିଶେଷ ବାଧା ହେଲାଣି । ସେ ଛାଇରେ ବସିପଡ଼ିଲା ମାତ୍ରେ ଅପୂର୍ବ ସୁଖ ଅନୁଭବ କଲା । ବସନ୍ତ କାଳ-ନବକିଶଳୟ ମଣ୍ଡିତ ବଟ ଦ୍ରୁମର ଛାୟା ଅତି ପ୍ରୀତିକର ହୋଇଅଛି, ମନ୍ଦ ମଳୟ ବହୁଅଛି । କ୍ଷଣିକ ମାତ୍ରେ ଝାଳ ଅଦୃଶ୍ୟ ହୋଇଗଲା, ଘନକୁ ଟିକିଏ ନିଦ୍ରା ମଧ୍ୟ ଆସିଲା; ମାତ୍ର ଶୋଇ ପଡ଼ିଲେ ଦିନ ଅଣ୍ଟିବ ନାହିଁ, ତେଣୁ ଭାରୁଆଙ୍କୁ କହିଲେ, ‘‘ଆରେ, ତୁମମାନଙ୍କୁ ବଡ଼ ବାଧା ହେବଣି । ମୁଁ ଚଟିରୁ ଅଫିମ, ଗଞ୍ଜେଇ, ଧୂଆଁ ପତ୍ର ଆଣିଛି । ଦମେ ଦମେ ଟାଣିଦିଅ, ବାଧା ହେବ ନାହିଁ, ଚାଲିଯିବ ।’’ ଏ କଥା ଶୁଣି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଘନ ପେଡ଼ିରୁ ସେ ସବୁ ବାହାର କରୁ କରୁ କହିଲେ, ‘‘ଆହା, ଛାଇ କି ସୁଖକର ହୋଇଛି । ଏଠାରୁ ଯିବାକୁ ମନ ହେଉ ନାହିଁ ।’’ ଏହାଶୁଣି ଜଣେ ଭାରୁଆ କହିଲା, ‘‘ଅମୀନ ବାବୁ, ଆଜି ଛାଇ ସୁଖ ବୁଝିଲ କି ? ବିଲକୁ ଗଲେ ତୁମେ ତ ଛିଡ଼ା ହୋଇଥିବ, ଆମ୍ୱେ ତୁମ୍ଭ ମୁଣ୍ଡରେ ଛତା ଟେକିଥିବୁ ।’’ ଏ ସୁଖ କାହୁଁ ବୁଝିବ ? ଯେ ଖରାରେ ଚାଲି ଚାଲି ଥକିଥିବ, ଝାଳ ବହୁଥିବ, ସେ ଛାଇ ସୁଖ ପାଏ । ଯେ ସଦାବେଳେ ଛାଇରେ ବସିଥାଏ, ସେ ଛାଇ ସୁଖ କାହୁଁ ଜାଣିବ ? ସେହିପରି ‘‘ଆଗ ଦୁଃଖ ସହିଲେ ପଛେ ସୁଖ ମିଳେ ।’’ ଘନ ଭାବିଲେ, ସତ କହିଲା, ଭାରୁଆ ହେଲେ କ’ଣ ହେବ ? ତାଠାରୁ ମଧ୍ୟ ଶିଖିବାର କଥା ଅଛି ।

 

ଘନ ଅଫିମ ବାହାର କରି ବଢ଼ାଇ ଦେଲେ । ଜଣେ କହିଲା, ‘‘ଜୁହାର, ତାକୁ ଛୁଇଁଲେ ସତ୍ୟାନାଶ । ଅଫିମାମାନେ ତାକୁକଳା-କୃଷ୍ଣ କହନ୍ତି, କାରଣ ସେ କଳା କନା ବୁଲାଇ ଦିଏ । ତାଠାରୁ ବଦ୍‌ ନିଶା ଆଉ ନାହିଁ–ତାକୁ ଖାଇଲେ କି ଆଉ ଛାଡ଼ି ହୁଏ । ଦିନେ ନ ମିଳିଲେ ପ୍ରାଣ ଯିବ-।’’ ଜଣେ କହିଲା, ‘‘ଆରେ ବାପ ରେ, ମୁଁ ଦିନେ ଜଣେ ଅଫିମା କଥାରେ ପଡ଼ି ଟିକିଏ ଖାଇ ଦେଇ ଆଉ ଯାଏ କୁଆଡ଼େ–ମୋ ପେଟ ତ ଢୋଲ ପରି ଫାମ୍ପି ଉଠିଲା, ମୁଁ ନଇଁ ନଇଁ ଚାଲିଲି । ଯେ ଖାଇବ ଖାଅ ।’’ ଆଉମାନେ ଟିକିଏ ଟିକିଏ ପକାଇଲେ । ତା’ପରେ ଗଞ୍ଜାଇ ଦଳା ହୋଇ କାହାଳୀ ହେଲା । ସମସ୍ତେ ଦମେ ଦମେ ଟାଣିଲେ । ଜଣେ ଅମୀନକୁ କହିଲା, ‘‘ଅମୀନେ, ଟିକିଏ ନିଅ, ଆଉ ଚାଲିବାକୁ ଥକା ବୋଧେ ହେବ ନାହିଁ ।’’ ଅମୀନ ଭାବିଲେ, ଆଚ୍ଛା, ଜିନିଷଟା କିମିତିଆ ଟିକିଏ ବୁଝିବା । ଏହାକହି ସେ ଥରେ ଟାଣିଲେ । ଗଞ୍ଜେଇ ଯୋଗୁଁ ପୂର୍ବବାଧା ଆଉ ଜଣା ଯାଉନାହିଁ । ତା’ପରେ ଗୋଟିଏ ଫିକା ଲାଗିଲା । ଝକମକି ମାରି ଖାଉଁ ଖାଉଁ ବିଳମ୍ୱ ଘଟିଲା । ଘନଙ୍କର ଦିଆସିଲାଇ କଥା ମନେ ପଡ଼ିଗଲା, ପେଟରାରୁ ବାହାର କରି ଘଷି ନିଆଁ ବାହାର କଲେ-। ଭାରୁଆମାନେ ଆଗରୁ ଦିଆସିଲାଇ ଦେଖି ନ ଥିଲେ, ତେଣୁ ଜଣ ଜଣ କରି ହାତକୁ ହାତ ନେଇ ଦେଖିବାକୁ ଲାଗିଲେ । କିଏ କାଠି ଦେଖି ଅବାକ୍‌, କିଏ ଖୋଳ ଦେଖି ଅବାକ୍‌, କିଏ କହିଲା, ‘‘କିମିତି ଜଳି ଉଠୁଛି;’’ କିଏ କହିଲା, ‘‘ଧନ୍ୟରେ ହତିଆର । କିପରି ଏ ଖୋଳ କାଠ ତିଆରି କଲା । କିପରି ଏତେ ସରୁ କାଠି ତିଆରି କଲା ।’’ କିଏ କହିଲା, ‘‘ଓହୋ, ଏହି ମନୁଷ୍ୟ ଦେହରେ ଏତେ ବୁଦ୍ଧି ଅଛି !’’ କିଏ କହିଲା, ‘‘ସେ ମନୁଷ୍ୟ ନୁହେଁ ହୋ–ଦେବତା ।’’ କିଏ ତା ଉପର ଅକ୍ଷର ଓ ଛବି ଦେଖି ଅବାକ୍‌ ହୋଇ କହିଲା–‘‘ଧନ୍ୟ କମ୍ପାନି, ଧନ୍ୟ ତାର ବୁଦ୍ଧି ।’’ ଏହିପରି କଥା ଲାଗିଛି, ଘନ ଟିକିଏ ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ଦେଇ କହିଲେ–‘‘ଉଠ ଉଠ, ଆଉ ଚାରି କୋଶ ବାଟ ଅଛି ।’’ ସମସ୍ତେ ଉଠି ଚାଲିଲେ । ଆଉ ବାଧା ନାହିଁ । ଲୋକର ଯେଉଁ କାର୍ଯ୍ୟ କରିବାକୁ ଯେତେ ଶକ୍ତି, ନିଶା ପ୍ରୟୋଗ କରି ଅଜ୍ଞାନୀ ତାକୁ ବଢ଼ାଇ ଦିଏ; ମାତ୍ର ତାହାଦ୍ୱାରା ଶରୀରର କି କ୍ଷତି ହୁଏ, ତାହା ସେ ପ୍ରଥମେ ବୁଝିପାରେ ନାହିଁ । ଶକ୍ତି ବଢ଼ିବା ଦେଖି ସେ ଆନନ୍ଦସାଗରରେ ବୁଡ଼ିଯାଏ ଏବଂ ନିଶାର ମାତ୍ରା କ୍ରମଶଃ ବଢ଼ାଏ । ଶେଷରେ ଯେତେବେଳେ ତାହାର ପରିଣାମ ଭୋଗ କରେ, ଅନୁତାପର ସୀମା ରହେ ନାହିଁ–ଅଭ୍ୟାସବଶତଃ ସେଥିରୁ ଅବ୍ୟାହତି ପାଇହୁଏ ନାହିଁ । ଅନେକ ଲୋକ ନିଶାଖୋରଙ୍କ ସଙ୍ଗରେ ପଡ଼ି ସଉକିନିରେ ଟିକଏ ଟିକିଏ ଥରେ ଥରେ ଖାଉଁ ଖାଉଁ, ଶେଷରେ ଫାନ୍ଦରେ ପଡ଼ି ଛାଡ଼ି ପାରନ୍ତି ନାହିଁ । ଅଫିମିଆଙ୍କୁ ଯଦି କୌଣସି ରୋଗ କଥା କହିବ, ସେ ଏକମାତ୍ର ଔଷଧ ଅଫିମ ବୋଲି କହିବେ । ଅଫିମ ଖାଇଲେ ଆଉ କୌଣସି ରୋଗ ପାଖକୁ ଆସେ ନାହିଁ ବୋଲି ସେମାନଙ୍କର ବିଶ୍ୱାସ–ଯେଉଁ ଜାତି ଅଳ୍ପ ବୟସରେ ବିବାହ କରନ୍ତି, ସେ ଜାତିରେ ଅଫିମା ଓ ଗଞ୍ଜେଇଆ ଅଧିକ ଦେଖାଯାନ୍ତି । ଏହାର କାରଣ ଇନ୍ଦ୍ରିୟଲାଳସା ଓ ଯୌବନର ଉନ୍ମାଦ ଛଡ଼ା ଆଉ କିଛି ନୁହେଁ । ପିତୃରକ୍ତରେ ନିଶାର ଅଂଶ ଥିବାରୁ ସନ୍ତାନମାନଙ୍କର ନିଶା ଖାଇବାକୁ ସ୍ୱତଃ ପ୍ରବୃତ୍ତି ଜାତ ହୁଏ ।

 

ଏହିପରି ଦୁର୍ବଳ ମାନବ ଏହାଦ୍ୱାରା ନିଜର ଓ ବଂଶର ଅମଙ୍ଗଳ ସାଧନ କରେ । ଯେପରି ଗୋଟାଏ କଳରେ ଯେତେ ବଳ, ତହିଁରୁ ଅଧିକ ବଳରେ ତାକୁ ଚାଳନ କଲେ ତାହା ଯେତେଦିନ କାର୍ଯ୍ୟ ଦିଅନ୍ତା, ତାହା ଦେଇ ନ ପାରି ଅଳ୍ପ ଦିନରେ ନଷ୍ଟ ହୋଇଯାଏ ବା ଅକର୍ମଣ୍ୟ ହୋଇଯାଏ, ନିଶା ପ୍ରୟୋଗଦ୍ୱାରା ଶରୀର ଠିକ୍‌ ସେହିପରି ଅସମୟରେ ନିଜର ସ୍ୱାଭାବିକ ଶକ୍ତି ହରାଏ । ଭାରୁଆମାନେ ଏକଥା କାହିଁକି ଭାବିବେ ? ଉପସ୍ଥିତ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ସେମାନେ ଆଗ୍ରହ ସହକାରେ ନିଶାର ବଶବର୍ତ୍ତୀ ହୋଇ ଦ୍ୱି ଗୁଣ ବଳରେ ଭାର ଧରି ଚାଲିଅଛନ୍ତି; ଏକ ଦମ୍‌ରେ ଦୁଇକ୍ରୋଶ ବାଟ ଅତିକ୍ରମ କରି ନଦୀ କୂଳରେ ପହଞ୍ଚିଲେ । ଉକ୍ତ ନଦୀ ଘନଙ୍କ ବାଡ଼ିତଳ ଦେଇ ବହି ଯାଉଅଛି । ନଦୀକୁ ଚାହିଁ ତାଙ୍କର ଆଉ ଆନନ୍ଦର ସୀମା ରହିଲା ନାହିଁ । ଜନ୍ମଭୂମିର ଆକର୍ଷଣ ଶକ୍ତିରେ ତାଙ୍କର ହୃଦୟ ଉଦ୍‌ବେଳିତ ହେଲା; ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ କହିଲେ, ‘‘ଏଥର ଘରେ ପହଞ୍ଚିଲି ।’’ ଭାରୁଆମାନଙ୍କୁ କହିଲେ, ‘‘ଆଉ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ, ଢେର ବେଳ ଅଛି ।’’ ଏଥର ଥୟରେ ଚାଲ ।

 

ଡାହାଣ ପାଖରେ ନଦୀସ୍ରୋତ କଳ କଳ ନାଦରେ ବହିଯାଉଅଛି । ମାଛରଙ୍କା ଜଳ ଉପରେ ଉଡ଼ି ଉଡ଼ି ମାଛ ଦୃଷ୍ଟିରେ ପଡ଼ିବାମାତ୍ରେ ଉପରୁ ଜଳ ମଧ୍ୟକୁ ସଳଖ ଭାବରେ ଅତି ବେଗରେ ଝାମ୍ପ ମାରି ମାଛ ଧରି ଉଡ଼ି ଯାଉଅଛି । ବକମାନେ ଏକ ଧ୍ୟାନରେ ଜଳକୁ ଚାହିଁ ସ୍ରୋତ ମଧ୍ୟସ୍ଥ ବାଲିକୁଦାରେ ବସିଅଛନ୍ତି । ଚକୁଆ ଚକୋଈ ବିଚ୍ଛେଦ ସମୟ ନିକଟ ଜାଣି ଯୋଡ଼ି ଯୋଡ଼ି ହୋଇ ପ୍ରେମାଳାପ କରୁଅଛନ୍ତି । ପାଣିକୁଆ, ତେଣ୍ଟେଇ, ଟିକି ଚଢ଼େଇ ପ୍ରଭୃତି ନାନା ରଙ୍ଗରେ ଗତି କରୁଅଛନ୍ତି । ନଦୀର ଉଭୟ ତୀରରେ ନାନାବିଧ ତରୁଲତା ନବ ପଲ୍ଲବରେ ଭୂଷିତ ହୋଇଅଛି । ବାମ ପାଖରେ ଧାନ କିଆରିମାନ ଶୁକ୍ଳବର୍ଣ୍ଣ ନଡ଼ାମୂଳରେ ନିଜ ଅଙ୍ଗ ଆଚ୍ଛାଦନ କରିଅଛି । ହିଡ଼ ଉପରେ ସ୍ଥାନେ ସ୍ଥାନେ ପଳାଶଗଛମାନଙ୍କରେ ଗୋଟିଏ ମାତ୍ର ପତ୍ର ଦେଖାଯାଉ ନାହିଁ–କେବଳ ପୁଷ୍ପଦ୍ୱାରା ମଣ୍ଡିତ ହୋଇ ବିଚିତ୍ର ଶୋଭା ଧାରଣ କରିଅଛି । ପବନ ମୃଦୁ ମୃଦୁ ବହୁଅଛି । ଘନ ଭାରୁଆମାନଙ୍କ ସଙ୍ଗରେ ବସନ୍ତକାଳର ଶୋଭାଦର୍ଶନରେ ମୁଗ୍ଧ ହୋଇ ଚାଲୁଅଛନ୍ତି ଏବଂ ମଧ୍ୟେ ମଧ୍ୟେ ଘର, ଗ୍ରାମ, ସଙ୍ଗୀ ଓ ସ୍ନେହମୟୀ ଜନନୀ ତାଙ୍କ ନେତ୍ରପଥରେ ପଡ଼ି ଯାଉଅଛନ୍ତି । କୌଣସି ଶବ୍ଦ ଶୁଣିଲେ ଘନଙ୍କୁ ତାଙ୍କର ମାତା ଡାକ ପରିବୋଧ ହେଉଅଛି । ଘନ ଦରିଦ୍ର ମାତା ପିତାଙ୍କର ଏକମାତ୍ର ସନ୍ତାନ । ପିତା ନିଜେ ବିଦ୍ୟାଶିକ୍ଷା ଦେଇଥିବାରୁ ହୃଦୟ ମଧ୍ୟରେ ସ୍ୱାଭାବିକ ସ୍ନେହ ଥିଲେ ମଧ୍ୟ ପଦାରେ ସେ ତାହା ଦେଖାଇ ପାରି ନାହାନ୍ତି । ଏଣୁ ଘନ ପିତାଙ୍କର ସେହି ହୃଦୟଙ୍ଗମ କରି ପାରି ନାହାନ୍ତି, ତାଙ୍କର ମାତା ସଂସାରରେ ଏକମାତ୍ର ସ୍ନେହର ସ୍ଥଳ ବୋଲି ସେ ବୁଝିଅଛନ୍ତି । ଦୁଇବର୍ଷ କାଳ ମାତୃ ସ୍ନେହରୁ ବଞ୍ଚିତ ହୋଇ ବର୍ତ୍ତମାନ ସେ ମଣିହରା ଫଣୀ ପରି ହୋଇଅଛନ୍ତି । ଦୁଇବର୍ଷ ମଧ୍ୟରେ ସେ ଆଦୌ ଗ୍ରାମକୁ ଆସି ନାହାନ୍ତି । ଆଉ ମଧ୍ୟ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା ଅଟେ । କ୍ରମେ କ୍ରମେ ଗ୍ରାମ ନିକଟ ହେଲା । ଗ୍ରାମ ପ୍ରାୟ ଏକକ୍ରୋଶ ଅଛି, ନଦୀର ଉଭୟ ତୀରସ୍ଥ ଆମ୍ୱତୋଟା ତାଙ୍କ ନୟନପଥରେ ପଡ଼ିଲା । ଘନଙ୍କ ଆନନ୍ଦର ସୀମା କ୍ରମଶଃ ବଢ଼ିଲା । କ୍ରମେ ସେ ଆମ୍ୱ-ଉପବନ ମଧ୍ୟରେ ଗତି କରିବାକୁ ଆରମ୍ଭ କଲେ । ବକୁଳରେ ଗଛର ପତ୍ର ଲୁଚି ରହିଅଛି, ଭ୍ରମରମାନେ ଗୁଣୁଗୁଣୁ ଶବ୍ଦ କରୁଅଛନ୍ତି, କୋକିଳ କୁହୁକୁହୁ ଧ୍ୱନି କରୁଅଛି, ବକୁଳ ସୁବାସ ଚହଟି ପଡ଼ୁଅଛି । ଗୋଟିଏ ଗୋଟିଏ ଗଛରେ ବକୁଳ ଆଦୌ ଦେଖାଯାଉ ନାହିଁ–ତାହା ପାଟଳବର୍ଣ୍ଣ କୋମଳ ପତ୍ରରେ ଆଚ୍ଛାଦିତ ହୋଇ ରମଣୀୟ ଶୋଭା ଧାରଣ କରିଅଛି । ଗୋଟିଏ ଗୋଟିଏ ଗଛରେ ଚଣା ପରି ଆମ୍ୱ ହୋଇଗଲାଣି । ବକୁଳ-ରଜରେ ଭୂମି ମଧ୍ୟ ଦେଖାଯାଉନାହିଁ । ମାତ୍ର ଘନ ଏ ସବୁ ଶୋଭା ଗ୍ରହଣ କରି ପାରୁନାହାନ୍ତି–ତାଙ୍କ ମନ କେବଳ ମାତାଙ୍କଠାରେ ଅଛି । ଘର ନିକଟ ହେବାରୁ ସେ ଅତି ଦ୍ରୁତଗତି ଛାଡ଼ି ଧୀରେ ଧୀରେ ଚାଲିଲେ । କ୍ରମେ କ୍ରମେ ବାୟୁ ଊର୍ଦ୍ଧ୍ୱଗତିରୁ ଅଧୋଗତି ହେଲା । ତୋଟା ପାର ହୋଇ ବ୍ରାହ୍ମଣଶାସନ ତଳଘାଟ ପାଖରେ ବାହାରି ପଡ଼ିଲାରୁ ସେ ଭାବିଲେ, ଘରେ ପହଞ୍ଚିଲେ ଅନେକ ଲୋକ ଜମା ହେବେ, ନିତ୍ୟକର୍ମ ଏଠାରୁ ସାରି ଯିବା, ଭାରୁଆମାନଙ୍କୁ ବିଶ୍ରାମ ମଧ୍ୟ ମିଳିବ । ଏହାଭାବି ନଦୀ ଅତଡ଼ି ଗଡ଼ନ୍ତି ଗଡ଼ି ବାଲିରେ ପହଞ୍ଚିଲାବେଳକୁ ଚାହିଁଦେଲେ ଯେ, ତାଙ୍କର ପୁରୋହିତ ବୁଢ଼ାଚାଖଣ୍ଡେ ଓଷାର କରିଆଖଣ୍ଡେ ପିନ୍ଧି ବାମହାତ ଚକିରେ ଚକିଏ ନାଶ ଓ ଅଙ୍ଗୁଳି ମଧ୍ୟରେ ନାଶଦାନି ଧରି ଡାହାଣ ହାତ ଦୁଇଟିପ ମଧ୍ୟରେ ଟିପାଏ ନାଶଧରି ଉନ୍ନତ ପୁଡ଼ାଦ୍ୱୟରେ ପୂରକ କରୁଅଛନ୍ତି । ଘନକୁ ପ୍ରଥମେ ଚିହ୍ନି ପାରିଲେ ନାହିଁ । ନିକଟବର୍ତ୍ତୀ ହେଲାରୁ ଘନ ନତମସ୍ତକରେ ପ୍ରଣାମକଲା । ବୁଢ଼ା କଲ୍ୟାଣ କରି କହିଲେ, ‘‘ଘନ, ବାପା ଆସିଲ ଭଲ କଲ, ତୁମ ବୋଉ ତୁମ ପାଇଁ ଭାତ ଖାଉ ନାହିଁ । ମୁଁ କାଲି ଠାକୁର ବାହର କରିବାକୁ ଯାଇଥିଲି । ମତେ ଡାକି ଘଡ଼ିଏ ବନ୍ଦକରି ଖଡ଼ିଟିଏ ପକାଇବାକୁ କେତେ କହିଲା ।’’ ଏହାଶୁଣି ଘନର ଦୁଇଆଖିରୁ ଯୋଡ଼ାଏ ଲୁହଟୋପା ଗଡ଼ି ପଡ଼ିଲା । ପୁରୋହିତ ଦେଖି ଅବାକ୍‌ । ଭାବିଲେ, ମା ବାପର ଗୋଟିଏ ପୁଅ ଥିଲା, ଏଣୁ ମା ଅତି ଗେହ୍ଲା କରିଥିଲା । ଅନେକ ଦିନ ପରେ ଘରକୁ ଆସୁଛି । ମା’ କଥା ଶୁଣି କାହିଁକି କୋହ ନ ହେବ । ଘନଙ୍କର କଣ୍ଠରୁଦ୍ଧ ହୋଇଗଲା ।

 

ପୁରୋହିତଙ୍କୁ କଥା କହିପାରିଲେ ନାହିଁ । ପୁରୋହିତ ଭାବବୁଝି କହିଲେ, ‘‘କିରେ ତୁ କ’ଣ ମାଇକିନିଆଟେ କି ? ଅଣ୍ଡିରା ପିଲାର ତ କାମ ବିଦେଶ ଯିବ, ରୋଜଗାର କରିବ । ତୁ ଆସି ଘରେ ପହଞ୍ଚିଲୁଣି, ଆଉ ଦୁଃଖ କ’ଣ ?’’ ଘନ ବହୁକଷ୍ଟରେ ଗ୍ରାମ ଓ ପିତାମାତାଙ୍କର କୁଶଳ ସମାଚାର ପ୍ରଶ୍ନକଲେ । ପୁରୋହିତ ସବୁ କହିଲେ, ଭାରସବୁ ଦେଖି ସେ ଭାବିଲେ, ମଦନ ମହାନ୍ତି ଅଦୃଷ୍ଟି ଫେରିଲା । ପୁଅଟି ଯୋଗ୍ୟ ହେଲା । ହଉ ଭଗବାନ କରନ୍ତୁ ସେ ସୁସ୍ଥ ହେଉ । ଯଜମାନ ସୁସ୍ଥ ହେଲେ ଆମର ମଙ୍ଗଳ । ଏହା ଭାବି କହିଲେ, ‘‘ବାପା, ଈଶ୍ୱର ତୁମର ମଙ୍ଗଳ କରନ୍ତୁ, ତୁମ ଯୋଗ୍ୟପଣିଆ ଶୁଣି ମୁଁ ବଡ଼ ଖୁସି ହୋଇଛି । ତୁମେ ଭଲ ପୁଅ, ହଉ ଯା ମା’କୁ ଦେଖ ।’’ ଏହାକହି ନାସଦାନୀ ଅଣ୍ଟାରେ ମାରିବା ସମୟରେ ଜଣେ ଭାରୁଆ ହାତଚକି ପତାଇ ଦେଇ ଟିକିଏ ନାସମାଗି ଦେବାମାତ୍ରେ ବୁଢ଼ା ଅଗ୍ନିଶର୍ମା ହୋଇଗଲେ । କହିଲେ, ‘‘କି ଭାଣ୍ଡକାଳ ଦିନକୁ ଦିନ ହେଉଛି, ଜଣେ ଯାହା କରିବ, ସମସ୍ତେ ତାହା କରିବେ ! କି ରେ ଜଣକର ନାକ ଗଲୁ କଲା ବୋଲି ଜଣେ ନାସ ସୁଙ୍ଘିଲା, ଏଥିପାଇଁ କ’ଣ ସମସ୍ତଙ୍କର ନାକ ଗଲୁ କରିବ । ହଉ ହଉ, ମାଗିଲୁଣି, ଟିକିଏ ନେ ।’’ ତା ହାତରେ ଟିକିଏ ନାସ ଝାଡ଼ି ଦେଇ ନିଜ କାର୍ଯ୍ୟରେ ବାହାରିଲେ । ନିର୍ମଳ ବାଲି ଉପରେ ଭାରୁଆମାନଙ୍କୁ ବସାଇ ଘନ ନିତ୍ୟକର୍ମ ସମ୍ପାଦନାର୍ଥେ ବାହାରିଲେ । ଭାରୁଆମାନେ ଦିଆସିଲାଇ ମାଗି କାହାଳୀ ସଜାଡ଼ିବାରେ ଲାଗିଲେ । ଦମେ ଦମେ ଟାଣି ଦେଲାରୁ ମନ ଟିକିଏ ଖୁସି ହୋଇଗଲା । ଜଣେ କହିଲା, ‘‘ଭାଇ, ଫେରିବାବେଳକୁ ଚଟିରେ ରହିବା, ଗଞ୍ଜେଇ, ଧୂଆଁପତ୍ର କିଣି ନେବା, ଦିଆସିଲାଇ ଗୋଟିଏ ଗୋଟିଏ ନେଇ ଗ୍ରାମରେ ଦେଖାଇବା । ଏତେ ଦୂରବାଟ ଆସିଛେଁ, ଗୋଟାଏ ନୂଆ ପଦାର୍ଥ ନେଇଥିବା !’’ ଆଉଜଣେ କହିଲା, ‘‘ଆରେ ପଇସା କାହୁଁ ପାଇବା ?’’ ଆଉଜଣେ କହିଲା, ‘‘ଆରେ ଅମୀନ ଆମକୁ ବାଟ ଖର୍ଚ୍ଚ ଦେବ ନାହିଁ ?’’ ଜଣେ କହିଲା, ‘‘ମନେ ମନେ ସିଆଣିଆ ହୋଇଥା । ଅମୀନ ନେବ ନା ଦେବ । ତାକୁ ମାଗିବ କିଏ ?’’ ସାହୁ କଥାରେ ଯେଉଁ ମୂଲିଆଟି ଆସିଥିଲା ସେ କହିଲା, ‘‘ମୁଁ ମାଗିବି ।’’ ଜଣେ କହିଲା, ‘‘ହଁ ତତେ ଦି’ପଇସା ଦେଇପାରେ ।’’ ଆଉ ଜଣେ କହିଲା, ‘‘ଆରେ ଚିନ୍ତା କ’ଣ, ମୁଁ କିଛି ପଇସା ଆଣିଛି । ଖର୍ଚ୍ଚକର, ଘରେ ମୋତେ ଦେବ ।’’

 

ଚଟିର ଆକର୍ଷଣୀ ଶକ୍ତିରେ କିଏ ନ ଭୁଲିଛି ଯେ, ଭାରୁଆମାନେ ରକ୍ଷା ପାଇବେ । ଆଜିକାଲି ସେ ଚଟି ଦଶ, ବାର, ପନ୍ଦର, କୋଡ଼ିଏ ଗ୍ରାମର କେନ୍ଦ୍ରସ୍ଥଳ । ଯେଉଁ ଗ୍ରାମରେ ସେ ଚଟିବ ସିଛି, ସେ ଗ୍ରାମର ନିକଟବର୍ତ୍ତୀ ଗ୍ରାମର ସକଳ ଶ୍ରେଣୀ ଲୋକମାନଙ୍କୁ ଉକ୍ତ ଚଟି ଚୂଟି ଧରି ଧରି ଆଣୁଛି, କେତେ ନୂଆ ନୂଆ ପଦାର୍ଥ, ଖେଳ କଉତୁକ, ତାମସା ଦେଖାଉଛି । ଯେତେବେଳେ ଚଟି ଓ ବଜାରର ସୃଷ୍ଟି ହୋଇ ନ ଥିଲା, ସେତେବେଳେ ଲୋକମାନେ ଟଙ୍କା ଭଲ କରି ଚିହ୍ନି ନ ଥିଲେ । ଲୁଣ, ତେଲ, ପାନ, ମସଲା ପସରାମାନ ଦ୍ୱାର ନିକଟରେ ପହଞ୍ଚୁଥିଲା । କିଏ ଚାଉଳ, କିଏ ଧାନ, କିଏ ମୁଗ, କିଏ ସୋରିଷ, କିଏ ହରଡ଼ ପ୍ରଭୃତି ଦେଇ ନିଜ ନିଜ ଆବଶ୍ୟକ ପଦାର୍ଥମାନ ନେଉଥିଲେ । ଯେଉଁମାନେ ପସରାନେଇ ବୁଲୁଥିଲେ, ସେମାନେ ଦେଶର ତେଲି, ଗୁଡ଼ିଆ, ତାମିଳି ଓ ପୁଟୁଳି ବଣିଆ ଥିଲେ । ଦେଶର ତନ୍ତିମାନେ ଲୁଗାବୁଣି ଘରମାନଙ୍କରେ ଦେଇ ଆସୁଥିଲେ । ମାତ୍ର ଚଟି ସେମାନଙ୍କ ଭାତରେ ଧୂଳି ପକାଇ ଦେଲା । ଧାନ, ଚାଉଳ ଓ ରବି ବିକ୍ରି ହୋଇ ମୁଠା ମୁଠା ଟଙ୍କା ହାତରେ ଧରିବାକୁ ପଡ଼ିଲା । ଟଙ୍କା ମିଳିବାରୁ ଚଟିସ୍ଥ ମାଡ଼ବାରି, ପଶ୍ଚିମା ଓ ପଠାଣ ଦୋକାନମାନଙ୍କରୁ ନାନା ରଙ୍ଗଢଙ୍ଗ ପଦାର୍ଥ କିଣିବାକୁ ଇଚ୍ଛା ହେଲା, ଶେଷରେ ଲୋକେ ଆଉ ବାଡ଼ିରେ ଶାଗ କିଆରୀଏ କରିବାକୁ ଇଚ୍ଛାକଲେ ନାହିଁ । ଚଟିରୁ ସବୁ ମିଳିଲା । ଗୋଟିଏ ଚଟିରେ ପହଞ୍ଚି କାର୍ଯ୍ୟାବଳୀ ପରିଦର୍ଶନ କଲେ ସେହି ଗ୍ରାମ ଓ ତାହାର ନିକଟବର୍ତ୍ତୀ ଗ୍ରାମମାନଙ୍କର କର୍ମଠତା, ବିଦ୍ୟା, ବୁଦ୍ଧି, ସଭ୍ୟତା ଓ ପଦମର୍ଯ୍ୟାଦା ଉତ୍ତମରୂପେ ଜଣାଯାଏ । ତେବେ ପୂର୍ବରେ ଯେପରି ଏକ ଗ୍ରାମର ଲୋକ ଅନ୍ୟଗ୍ରାମକୁ ଯାଉ ନ ଥିଲେ, ଅତି ଅଳ୍ପ ପଦାର୍ଥରେ ଚଳି ଯାଉଥିଲେ, ଏବେ ଚଟି ପ୍ରସାଦରୁ ଲୋକଙ୍କର ସାହସ ବଢ଼ିଲାଣି । କଲିକତା, ରେଙ୍ଗୁନ, ଆସାମ ପ୍ରଭୃତି ସ୍ଥାନକୁ ଗଲେଣି । ନାନା ସଉକିନି ପଦାର୍ଥ ବ୍ୟବହାର କରି ଶିଖିଲେଣି । କେତେକ ଟିକିଏ ସଫାସୁତରା ଓ ଧୋବଧାବଳିଆ ହେଲେଣି । ଚୁଟିକଟା ସଂଖ୍ୟା ବଢ଼ିଲାଣି । ଏଗୁଡ଼ିକୁ ସଭ୍ୟତା ବୃଦ୍ଧିର ପ୍ରଥମ ସୋପାନ ବୋଲା ଯାଇପାରେ । ମାତ୍ର ଗ୍ରାମମାନଙ୍କରେ ପୂର୍ବଶାନ୍ତି ଓ ମେଳରହି ପାରୁ ନାହିଁ । ଶିକ୍ଷା-ବୃଦ୍ଧି ହେଲେ ଏ ସବୁର ଫେରି ପାଇବାର ଆଶା କେହି କେହି କରନ୍ତି । ମାତ୍ର ଯେଉଁଠାରେ ଶିକ୍ଷା ବଢ଼ୁଛି, ସେଠାରେ ଚଟିର ଆବଶ୍ୟକତା ମଧ୍ୟ ବଢ଼ୁଛି । ଚଟି ଉପକାର କରୁଛି କି ଅପକାର କରୁଛି, ଚଟି ରହିବା ବାଞ୍ଛନୀୟ କି ନୁହେଁ, ମୁଁ ସେ କଥା କହୁ ନାହିଁ । କେବଳ ଯାହା ଦେଖୁଛି ତାହା କହୁଛି । ଭଲ ମନ୍ଦ ପାଠକେ ବୁଝି ବିଚାର କରିବେ । କଥାରେ କହନ୍ତି, ଗାଁ ପରିଗୁଣ ଧୋବା ତୁଠରୁ ଜଣାଯାଏ । ବର୍ତ୍ତମାନ ଚଟି ତାହାର ନିକଟବର୍ତ୍ତୀ ଗ୍ରାମମାନଙ୍କର ବିଭବ ଓ ଯୋଗ୍ୟତା ଚିହ୍ନାଇ ଦେଉଅଛି ।

Image

 

ଷଷ୍ଠ ପରିଚ୍ଛେଦ

 

ଏକାଦଶୀ ଦିନ ଘନମା’ଙ୍କର ଆଶାଥିଲା ଘନ ଆସିବ । ଦ୍ୱାଦଶୀ ସକାଳ ବେଳ ଗତ ହେବାରୁ ସେ ଭାବିଲେ ପୁଅ ଆଉ ଆସିବ ନାହିଁ । ମାତ୍ର ଦ୍ୱିପ୍ରହର ସମୟରେ ଘରେ ବସିଛନ୍ତି, ଗୋଟାଏ କୁଆ ଆସି ତାଙ୍କ ମୁହଁକୁ ଚାହିଁ ବାରମ୍ୱାର ରାବିଲା । ସେ ଭାବିଲେ, କ’ଣ ଘନ ଆସିବ ? ଦେଖେ କୁଢ଼ ଦିଏଁ । ଏହା ଭାବି ଚାଉଳ ଦିଓଟି ଆଣି ତିନି କୁଢ଼ କରି ଚଉରା ମୂଳରେ ରଖି ଦେଲେ-। ପ୍ରଥମ କୁଢ଼ରେ ମନାସିଲେ ଘନ ଦେହ କୁଶଳ ଅଛିକି ନା, ଦ୍ୱିତୀୟ କୁଢ଼ରେ ଘନ ଆସୁଛି କି ନାହିଁ, ତୃତୀୟ କୁଢ଼ରେ ଆଉ କିଏ ଆସିବ କି ? ଚଉରାମୂଳରୁ ସେ ଟିକିଏ ଅନ୍ତର ହେବାମାତ୍ରେ କୁଆ ଆସି ଘନ ଆସିବା କୁଢ଼ଟି ଖାଇଲା । ଏହାଦେଖି ଘନ ମା’ଙ୍କର ମନ ଆନନ୍ଦିତ ହେଲା । ଘନର ମୂର୍ତ୍ତି ଆଗରେ ଦିଶି ଯାଉଥାଏ । ତାଙ୍କ ମନ ଆଉ ଥୟ ହେଲା ନାହିଁ । ପୁଅ ଯେବେ ଆସିବ କ’ଣ ଖାଇବ ? ଭାବି ଭାବି ଶେଷରେ ଦିଓଟି ଚାଉଳ ଭିଜାଇ ଦେଲେ । କିଛିକ୍ଷଣ ପରେ ତାକୁ ବାଟି ଗୋଟିକେତେ ସୂଚିପତ୍ର ପିଠା କରି ରଖିଲେ । ପୂର୍ବ ଦିନରୁ ଚୂଡ଼ା ଗଣ୍ଡାଏ ଓ ଗୁଡ଼ ପଇସାକର କିଣି ରଖିଥିଲେ । ବଟାଘଷା କଲାବେଳେ ହାତରୁ ବାସନ ଖସି ପଡ଼ୁଥାଏ । ଏହାଦେଖି ତାଙ୍କର ଦୃଢ଼ ବିଶ୍ୱାସ ହେଲା ଯେ ପୁଅ ନିଶ୍ଚୟ ଆସୁଛି । ଦାଣ୍ଡରେ କାହାରି ଶବ୍ଦ ଶୁଣାଗଲେ ଘନ କଥା ପରି ତାଙ୍କୁ ଶୁଭୁଥାଏ । ମଝିରେ ମଝିରେ ଟିକିଏ ଦାଣ୍ଡଘରକୁ ଆସି କବାଟ ଫାଙ୍କରେ ଦାଣ୍ଡକୁ ଚାହିଁ ଯାଉଥାନ୍ତି । ଆଜି ଚାଚରୀ ପାଟଣା ବୁଲିବ । ପିଲାମାନେ ବେଳ ପ୍ରହରେ ଥାଉଁ ଥାଉଁ ମା’ମାନଙ୍କଠାରେ ଅଳି କରି ପେଡ଼ିଲୁଗା ବାହାର କରାଇ ପିନ୍ଧି ଦାଣ୍ଡରେ ଖେଳୁ ଅଛନ୍ତି । ପାଟଣାରେ ମଧ୍ୟ ପିଲାମାନେ କାଛ, ଜାମା ପିନ୍ଧି ଖେଳରେ ମାତି ଅଛନ୍ତି । ଯେଉଁମାନଙ୍କ ଦାଣ୍ଡରେ ଠାକୁର ଭୋଗ, ଖାନ୍ତି ସେମାନଙ୍କ ଦାଣ୍ଡରୁ ଖଣ୍ଡେ ଖଣ୍ଡେ ସଫା କରାଯାଇ ଲିପା ଯାଉଅଛି । ବୁଢ଼ାମାନେ ଗୋରୁଗାଈ ଅଡ଼େଇବାକୁ ପଘା ଓ ପାଞ୍ଚଣ ଧରି ଦାଣ୍ଡ ପିଣ୍ଡାରେ ଜଗିବସି ଅଛନ୍ତି । ସ୍ତ୍ରୀ ଲୋକମାନେ କାଖରେ କଳସୀ ଓ ମୁଣ୍ଡରେ ହାଣ୍ଡିମାନ ଧରିଜଳ ଆଣିବାକୁ ବାହାରି ଅଛନ୍ତି । ବୁଢ଼ୀମାନେ ଛୋଟ ଛୋଟ ପିଲାଙ୍କୁ ଦାଣ୍ଡଦ୍ୱାରରେ ବସି ଖେଳାଉ ଅଛନ୍ତି । ଦୁଇବର୍ଷରୁ ପାଞ୍ଚବର୍ଷ ମଧ୍ୟରେ ଯେଉଁମାନେ ଲୁଗା ପିନ୍ଧି ଦାଣ୍ଡରେ ଖେଳୁ ଅଛନ୍ତି, ସେମାନେ କାଳେ ମାଡ଼ଗୋଳ ଲଗାଇବେ କି ଅବା ପଡ଼ିଯିବେ, ସେଥିପ୍ରତି ବୁଢ଼ୀମାନଙ୍କର ତୀବ୍ର ଦୃଷ୍ଟି ଅଛି । ପିଲାମାନଙ୍କ ମଧ୍ୟରେ, ‘‘ମୋ ଲୁଗା ବଡ଼ ତୋ ଲୁଗା ସାନ ମୋ ଲୁଗା ଭଲ, ତୋ ଲୁଗା ଭଲ ନୁହେଁ’’ ଏ କଥା ନେଇ ମାଡ଼ଗୋଳ ଲାଗି ଯାଉଅଛି । ବୁଢ଼ୀମାନେ ମଧ୍ୟସ୍ଥ ହୋଇ କଳିଭାଙ୍ଗି ଦେଉ ଅଛନ୍ତି । କୌଣସି ପିଲାର ମନ ଲୁଗା ପିନ୍ଧାରୁ ଭାଙ୍ଗିଯିବାରୁ ସେ ଲୁଗାଖଣ୍ଡ ନେଇ ତା ବୁଢ଼ୀମା’ ଉପରକୁ ଫିଙ୍ଗି ଦେଉଅଛି । ବଡ଼ ପିଲାମାନେ ସାନ ପିଲାମାନଙ୍କ ମଧ୍ୟରେ କଜିଆ ଲଗାଇ ଦେଉ ଅଛନ୍ତି । କିଏ ଘାସ ମୁଣ୍ଡାଇ, କିଏ ବିଲରେ ଖତ ଲଗାଇ, କିଏ ବା ବଜାର ସଉଦା କରି ଘରକୁ ଫେରୁଅଛନ୍ତି-। ଗ୍ରାମର ବଡ଼ ବଡ଼ିଆ ଗାମୁଛା କାନ୍ଧରେ ପକାଇ, ହାତରେ ଚୂନପତ୍ର ଦଳି ଅବା ପିଙ୍କାଟାଣି ନିତ୍ୟକର୍ମ ଉଦ୍ଦେଶ୍ୟରେ ନଦୀକୂଳକୁ ଯିବା ଆରମ୍ଭ କରୁଅଛନ୍ତି । ଯେଉଁମାନେ କାର୍ଯ୍ୟାନ୍ତରରେ ଅନ୍ୟଗ୍ରାମ ବା କୁଣୁଆଁ ଘର ଯାଇଥିଲେ, ସେମାନେ ଅଣ୍ଟାରେ ଗୋଟିଏ ଗୋଟିଏ ଲୁଗାଭିଡ଼ି କାନ୍ଧରେ ଜାଉଁଳି ବା ବୁଜୁଳା ପକାଇ, ହାତରେ ଲମ୍ୱାବାଡ଼ି ଓ ତାଳପତ୍ର ଛତା ବା ମୁଣ୍ଡରେ ଝାମ୍ପି ସହ ତରତର ହୋଇ ଘରକୁ ଫେରୁଅଛନ୍ତି । ଆଜିକାଲି ଯେପରି ବ୍ରାହ୍ମଣଠାରୁ ଚଣ୍ଡାଳଯାଏ ଏବଂ ରଜାଠାରୁ ମୂଲିଆ ପର୍ଯ୍ୟନ୍ତ ସମସ୍ତେ ନାନା ରକମର କପଡ଼ା ଛତା ଦରକାର କାରବାର କରୁଅଛନ୍ତି, ସେତେବେଳେ ସେପରି ନଥିଲା । ସେତେବେଳକୁ ଖାଲି ବେତବେଣ୍ଟିଆ କପଡ଼ା ଛତା ନୂଆ ନୂଆ ଆସୁଥାଏ । ଉଚ୍ଚ ଜାତିର ଲୋକେ ତାହାର ବ୍ୟବହାର ଆରମ୍ଭ କରୁଥାନ୍ତି । ରାଜାମାନଙ୍କର ଓ ଜମିଦାରମାନଙ୍କର ଭୟରେ ମୂଲିଆ ପ୍ରଭୃତି କୌଣସି ଉପାୟରେ ବାରଗଣ୍ଡା ପଇସା ସଂଗ୍ରହ କରି ପାରିଲେ ଖଣ୍ଡିଏ କପଡ଼ା ଛତା କିଣି ପାରିଲେ । ତେଣୁ ଧନ ଏବଂ ମାନର ପ୍ରଭେଦ ଚିହ୍ନାଇବା ଇଚ୍ଛାରେ ଲୋକେ ଲୁହା ବେଣ୍ଟିଆ, ଶିଙ୍ଘିମୁଠିଆ, ରିଙ୍ଗବାଲ, ଚମ୍ପାକାଠିଆ, ଉଆଟରପ୍ରୁଫିଆ, ରେସମକନିଆ, ସ୍ପ୍ରିଙ୍ଗବାଲା, ଆଠକାଠିଆ, ବାରକାଠିଆ ପ୍ରଭୃତି ଛତାର ବ୍ୟବହାର କଲେ ।

 

ବେଳ ରତରତ ହେଉଅଛି, କରଣ ସାହି ଆମ୍ୱ ତୋଟା ଉହାଡ଼ରେ ସୂର୍ଯ୍ୟଦେବ ଲୁଚି ଗଲେଣି । ପଶ୍ଚିମାକାଶ ଅସ୍ତକାଳୀନ ବିଚିତ୍ର ଶୋଭାଧାରଣ କରୁଅଛି । ଗ୍ରାମ ମଧ୍ୟରୁ କୁଆ ଡାକ ଦେଇ କାଆ କାଆ ରାବ କରି ଉଡ଼ି ଆସୁଅଛନ୍ତି । ନଦୀମଧ୍ୟରୁ ପକ୍ଷୀମାନେ ଦଳ ଦଳ ହୋଇ ଉଡ଼ି ଆସି ତୋଟା ଗଛମାନଙ୍କରେ ଜମା ହେଉଅଛନ୍ତି । ଗେଣ୍ଡାଳିଆ ଚକିମାରି ଗ୍ରାମ ଉପର ଦେଇ କେଁ କାଁ ରବରେ ଉଡ଼ି ଯାଉଅଛନ୍ତି । ଏପରି ସମୟରେ ଘନଶ୍ୟାମ ନିତ୍ୟକର୍ମ ଶେଷକରି ମାଣିଆ ବନ୍ଦ ସାଦୃଶ୍ୟ ଯୋଡ଼ିଏ ପିନ୍ଧି, କେଶନଗରୀ ଗାମୁଛା କାନ୍ଧରେ ପକାଇ, ଫୁଲବାଲା ମରହଟି ଯୋତା ମାଡ଼ି, ବାଙ୍କ ବାଡ଼ି ଧରି ଭାରୁଆମାନଙ୍କୁ ଆଗରେ ଚଲାଇ, ଗଉଡ଼ ଓ ଗାଈ ବାଛୁରୀକୁ ପଛରେ ଚଳାଇ ଗୃହାଭିମୁଖରେ ବ୍ରାହ୍ମଣ ଶାସନ ମଧ୍ୟ ଦେଇ କାଚରା ଘର ପଟଣାବାଟେ ଯାତ୍ରାକଲେ । ଘନଶ୍ୟାମଙ୍କର ପିଲାଳିଆ ଚେହେରା ଭାଙ୍ଗି ଗଲାଣି । ବୟସ କୋଡ଼ିଏ ଚାଲିଲାଣି । ନିଶ ଦାଢ଼ିଉଠି ଆସିଲାଣି । ପୂର୍ବରୁ ଚିହ୍ନିଥିବା ଲୋକ ମଧ୍ୟ ଚିହ୍ନି ପାରୁନାହାନ୍ତି । ତେବେ ଘନଙ୍କର ଗତି ଓ ଭାର ପ୍ରଭୃତି ଶାସନ ମଧ୍ୟସ୍ଥ ପିଣ୍ଡାମାନଙ୍କରେ ବସି ସନ୍ଧ୍ୟା କରୁଥିବା ବ୍ରାହ୍ମଣମାନଙ୍କ ଦୃଷ୍ଟି ଆକର୍ଷଣ କଲା-। ଦାଣ୍ଡରେ ଖେଳୁଥିବା ପିଲାମାନେ ଟୀକାଦିଆ ଭ୍ରମରେ ଭୟ କରି ଘରକୁ ଦଉଡ଼ିଗଲେ । ବଡ଼ବଡ଼ ପିଲାଙ୍କ କଥା ଶୁଣି ଝିଅ ଓ ଭୁଆସୁଣୀମାନେ ଦାଣ୍ଡଦ୍ୱାରକୁ ଆସି କବାଟ ଫାଙ୍କରେ ଚାହିଁଲେ । ସେ ସମୟରେ ବ୍ରାହ୍ମଣଶାସନ ମଧ୍ୟରେ ବ୍ରାହ୍ମଣୋତର ଜାତି ଯୋତା ମାଡ଼ି ଯାଉ ନ ଥିଲେ । କାରଣ ବ୍ରାହ୍ମଣମାନଙ୍କୁ ସେମାନେ ଗୁରୁ ଓ ଦେବତା ବୋଲି ଭକ୍ତି କରୁଥିଲେ । ପ୍ରତ୍ୟେକ ବ୍ରାହ୍ମଣ ଗୃହରେ ଦେବତା ଥାନ୍ତି ଓ ଶାସନର ଦୁଇମୁଣ୍ଡରେ ଦେବମନ୍ଦିର ଥାଏ । ଆଉ ମଧ୍ୟ ଦୁଇ ପାଖରେ ବ୍ରାହ୍ମଣ ବସିଥିଲେ ମଧ୍ୟରେ ଅନ୍ୟ ଜାତିର କଥା କ’ଣ, ବ୍ରାହ୍ମଣ ଜଣେ ମଧ୍ୟ ଚାଲିଯିବା ମହାଦୋଷ ।

 

ଏପରିକି, କେହି କେହି ଏହାକୁ ଗୋହତ୍ୟା ବ୍ରହ୍ମହତ୍ୟା ଦୋଷ ସଙ୍ଗେ ସମାନ ବୋଲି ମନେ କରନ୍ତି । ଅତି ଆବଶ୍ୟକ ଓ ଅସୁବିଧା ସ୍ଥଳରେ ନଇଁ ନଇଁ ହାତ ତଳକୁ ଲମ୍ୱାଇ ଯିବାକୁ ପଡ଼ୁଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ସେ ନିୟମ ପାଳୁଅଛନ୍ତି । ଶାସନ ମଧ୍ୟରେ ଯୋତାମାଡ଼ି ଯିବା ଦୂରେ ଥାଉ, ଉଚ୍ଚଜାତିମାନଙ୍କ ମଧ୍ୟରେ ପିତା ଓ ଗୁରୁଜନମାନଙ୍କ ଆଗରେ କେହି ଯୋତା ବା କଠାଉ ମାଡ଼ି ଯାଉ ନ ଥିଲେ । ଲୋକମାନେ ଏହା ଭକ୍ତିରେ କରୁଥିଲେ । ବର୍ତ୍ତମାନ ଅନ୍ୟ ଜାତି ଗୁରୁ ଓ ବ୍ରାହ୍ମଣ ଜାତି ଶିଷ୍ୟ, ଅନ୍ୟ ଜାତି ସାମନ୍ତ ଓ ବ୍ରାହ୍ମଣ ଜାତି ସେବକ ହେବାରୁ ସେ ଭକ୍ତି ଦୂରହେଲା । ଦିନାକେତେ ବ୍ରାହ୍ମଣମାନେ ‘ମାଗି ଓଳିକି ଯାଚି କଲ୍ୟାଣ’ ନ୍ୟାୟାନୁସାରେ କଳିକଜିଆ ପର୍ଯ୍ୟନ୍ତ କରି ଓ ତାହା ସେମାନଙ୍କର ପଣ ବୋଲି ବିଶ୍ୱାସ କରି ରକ୍ଷା କରିବାକୁ ଚେଷ୍ଟାକଲେ । ବେଳକୁ ବେଳ କାଳଗତିରେ ଓ ସଭ୍ୟତା ବୃଦ୍ଧି ସଙ୍ଗେ ସଙ୍ଗେ ହାଡ଼ିବାଉରୀ ପର୍ଯ୍ୟନ୍ତ ଯୋତାମାଡ଼ି ଶାସନ ଭିତରେ ଚାଲିଲେ । ଆଉ ମଧ୍ୟ ଶିକ୍ଷିତ ସମାଜରେ ଭାତଖିଆ ଶାସନ ଓ ସ୍ନାନସ୍ଥାନ ଏବଂ ପଲଙ୍କ ପର୍ଯ୍ୟନ୍ତ ଯୋତା ଆବଶ୍ୟକ ହେବାରୁ ଗୁରୁଜନମାନଙ୍କ ସମ୍ମୁଖରେ ଯୋତା ନ ପିନ୍ଧିବା କଥା ବାଧ୍ୟ ହୋଇ ତ୍ୟାଗ କରିବାକୁ ପଡ଼ିଲା । ଜଣେ ବୁଢ଼ା ପିଣ୍ଡା ଉପରୁ ଚାହିଁ ଦେଲାଯେ ଜଣେ କିଏ ଶାସନ ମଧ୍ୟରେ ଯୋତାମାଡ଼ି ଯାଉଅଛି । ତାଙ୍କ ମନ ସାରୁ ଖାଇଲା ପରି ହୋଇଗଲା । ସେ ସମ୍ଭାଳି ନ ପାରି କହିଲେ, ‘‘ତୁମ ଘର କେଉଁଠାରେ ?’’ ଘନଶ୍ୟାମ ବାଧ୍ୟ ହୋଇ ନିଜ ପରିଚୟ ଦେଲେ ।

 

ବୁଢ଼ା ପରିଚୟ ପାଇ ହସି ହସି ଅନ୍ୟ ପିଣ୍ଡାରେ ବସିଥବା ବ୍ରାହ୍ମଣକୁ ଡାକି କହିଲେ, ‘‘ଆହେ ଶୁଣିଲ ହେ, ମଦନ ମହାନ୍ତି ପୁଅ ଅମିନ ହେବାରୁ ଶାସନ ମଧ୍ୟରେ ଯୋତା ମାଡ଼ି ଚାଲିଲେଣି, ଆଉ କାହାକୁ କ’ଣ କହିବା !’’ ସେ ବ୍ରାହ୍ମଣ କହିଲେ, ‘‘ସେ ପିଲାଲୋକ ଜାଣେ ନାହିଁ, ନୂଆ ନୂଆ ଯୋତା ମାଡ଼ୁଛି । ଆରେ ବାପ, ଯୋତା କାଢ଼ିପକା, ବ୍ରାହ୍ମଣ ଶାସନରେ ଯୋତାମାଡ଼ି ଯାନ୍ତି ନାହିଁ । ଘରେ ଯାଇ ବାପକୁ ପଚାରିବୁ ।’’ ପ୍ରକୃତରେ ଘନଙ୍କୁ ଏକଥା ଜଣା ନ ଥିଲା । ସେ ମଧ୍ୟ ଗ୍ରାମରେ କେବେ ଯୋତାମାଡ଼ି ନ ଥିଲେ । ଏ କଥା ଶୁଣି ଟିକିଏ ଅପ୍ରତିଭ ହେଲେ । ଯୋତା କାଢ଼ି ଭାରରେ ରଖିଦେଲେ । ବ୍ରାହ୍ମଣମାନଙ୍କୁ ପ୍ରଣାମ କରିଚାଲିଲେ । ବ୍ରାହ୍ମଣମାନେ ଘନଙ୍କ ବ୍ୟବହାର ରୋଜଗାର ଓ ଚେହେରା ଦେଖି ଖୁସି ହୋଇଗଲେ । ସମସ୍ତେ ପଛରେ କଥାବାର୍ତ୍ତା ହେଲେ, ବାପ ଯେପରି ଉତ୍ତମ ଲୋକ, ଈଶ୍ୱର ତା ମନ ଜାଣି ପୁଅଟିଏ ଦେଇ ଅଛନ୍ତି । ହଉ, ହଉ, ବୁଢ଼ାଦିନେ ଟିକିଏ ସୁଖ ପାଉ । ସଂସାରରେ ତାହା ପ୍ରକୃତ ସୁଖ । ନୋହିଲେ ପିଲାଦିନରୁ ସୁଖ ନାହିଁ । ଆଉ ଶେଷବେଳକୁ ଦାନା ନାହିଁ କି କନା ନାହିଁ । ଏହା ଉତ୍କଟ ପାପର ଫଳ । ଶାସନ ପାର ହୋଇ ପୁନରାୟ ଯୋତାମାଡ଼ି ଘନ ଚାଲିଅଛନ୍ତି । ବାଟରେ ଯେ ଦେଖୁଅଛି, ସେ ଟିକିଏ ଥକା ହୋଇ ଛିଡ଼ା ହୋଇ ଭାର ଓ ଘନଙ୍କୁ ଚାହୁଁଅଛି । ପାଣି ନେଉଥବା ଭୁଆସୁଣୀମାନେ ସଢ଼ିଗଲା ପରି କଡ଼କୁ ବୁଲି ଛିଡ଼ା ହୋଇ ଯାଉଅଛନ୍ତି । ନୂଆଲୋକ ଓ ଗହଳ ଦେଖି କୁକୁର ଭୋ ଭୋ ଶବ୍ଦ କରି ଲାଞ୍ଜ ଯାକି ପଳାଇ ଯାଉଅଛି ।

 

ପାଟଣା ମଧ୍ୟରେ ଗଲାବେଳେ ଆଗ ଭାରୁଆକୁ କେହି ପଚାରିଲେ ସେ ଛିଡ଼ା ହୋଇ କଥା କହିବାକୁ ସମୟ ପାଉ ନାହିଁ । ବାଟଚଲା ବାଧା, କାନ୍ଧରେ ଭାର, ସେ କଥା କ’ଣ କହିବ ? ନ ଶୁଣିଲା ପରି ଚାଲି ଯାଉଅଛି । ଘନଙ୍କୁ କେହି ସାହସ କରି କିଛି ପଚାରି ପାରୁନାହାନ୍ତି । ଶେଷରେ ଆସୁଥିବା ଗଉଡ଼ଠାରୁ ପରିଚୟ ପାଇ ପଛରେ ଲୋକେ ନାନା ବିଚାର ପକାଇ ଅଛନ୍ତି । କ୍ରମେ କ୍ରମେ ପାଟଣାମଧ୍ୟରେ ଘନଙ୍କ କଥା ଟିକିଏ ଚହଳ ପଡ଼ିଗଲା । କିଏ କହୁଛି, ମହାନ୍ତି କପାଳ ଖୋଲିଲା, କିଏ କହୁଛି, ପାଞ୍ଚଟା ଭାର, କିଏ କହୁଛି, କି ସୁନ୍ଦର ଗାଈବାଛୁରୀ, କିଏ କହୁଛି, ତା ଚେହେରା କିପରି ବଦଳି ଯାଇଅଛି । କିଏ କହୁଛି, କରଣ ଘର ପିଲା ନା ଥଟା, ଆଉ ପିଲା ହୋଇଛି କି କାନ୍ଧରେ ଭାର ବହିବ । କିଏ କହୁଛି, ତାର ପିଲାଦିନରୁ ଢଙ୍ଗ ଭଲ ଥିଲା । ସେ ଜଣେ ଲୋକ ହେବ ଓ ନାମ କରିବ । କିଏ କହୁଛି, ବାପ ମା’ଙ୍କ ସୁକୃତର ଫଳ । ଏହିପରି ନାନା କଥା ଲୋକେ କହୁଅଛନ୍ତି ।

 

ଘନ ପାଟଣା ମଧ୍ୟରେ ସିଂହ ପରି ଚାଲି ଯାଉଅଛନ୍ତି । କ୍ରମେ ପାଟଣା ପାର ହୋଇ ନିଜ ଘର ସାହି ମୁଣ୍ଡରେ ପହଞ୍ଚିଲେ । ଚାଚେରୀ ବୁଲା ଯୋଗେ କରଣସାହିର ପିଲା ଯୁବା ଓ ବୁଢ଼ା ସମସ୍ତେ ଦାଣ୍ଡରେ ଅଛନ୍ତି । ଘନଙ୍କର ଦାଦିପୁଅ ଭାଇ ଦୂରରୁ ଚାହିଁ କହିଲା, ଘନଭାଇ ହେବେ ପରା-! ଆଉ ଟିକିଏ ନିକଟ ହେବାରୁ କହିଲା, ‘‘ହଁ ଘନ ଭାଇତ !’’ ପିଲାମାନେ ଏହା ଶୁଣିବା ମାତ୍ରେ ଜଣକେତେ ଏକସଙ୍ଗରେ ଘନମା’ଙ୍କୁ ଖବର ଦେବାକୁ ଦୌଡ଼ିଲେ । ସେମାନଙ୍କ ମଧ୍ୟରେ ପ୍ରତ୍ୟେକର ଇଚ୍ଛା, ସେ ଯେପରି ଆଗେ ଘନମା’ଙ୍କୁ ଖବର ଦେବ । ମାତ୍ର ଯେଉଁ ପିଲା ବଳବାନ୍‌ ଓ ବେଶି ଦୌଡ଼ି ପାରେ, ସେ ଯାଇ ଘନମା’ଙ୍କୁ ଖବର ଦେଲା । ଘନର ମା’ ଶୁଣିବାମାତ୍ରେ ଆଉକିଛି ନ କରି ମଙ୍ଗଳା ଓ ବୃନ୍ଦାବତୀଙ୍କ ପାଇଁ ଦୋହରି ସଞ୍ଜ ବଳିବାକୁ ଲାଗିଲେ । ଏ ମଧ୍ୟରେ ଘନ ଅନ୍ୟ କାହାକୁ ନ ଚାହିଁ କିପରି ମା’ଙ୍କୁ ଦେଖିବେ ଭାବି ତରତର ହୋଇ ଭାରୁଆଙ୍କୁ ଦ୍ୱାରେ ରଖାଇ ଘର ଭିତରକୁ ପ୍ରବେଶ କଲେ । ଘନ ‘‘ବୋଉ’’ ଡାକ ଦେବାମାତ୍ରେ ଆନନ୍ଦର ବୈଦ୍ୟୁତିକ ସ୍ରୋତ ଘନମା’ଙ୍କ ସମସ୍ତ ଶରୀର ମଧ୍ୟରେ ଚାଲିଗଲା । ସେ ମା’ଙ୍କ ନିକଟରେ ପହଞ୍ଚି ଭୂମିରେ ଶିର ଲଗାଇ ପ୍ରଣାମ କରିବା ସମୟରେ ଘନ ମା’ଙ୍କ ନୟନରୁ ଆନନ୍ଦାଶ୍ରୁ ଦୁଇଧାର ବହିଗଲା । ସେ ବସିବା ସ୍ଥାନରୁ ଉଠି ଢାଳେ ଜଳ ଆଣି ପୁଅ ନିକଟରେ ଥୋଇ ଦେଇ ବହୁ କଷ୍ଟରେ ଗୋଡ଼ ଧୋଇ ପକା ବୋଲି କହିଲେ । ଘନ ଗୋଡ଼ ଧୋଇବାକୁ ନଳାମୁହଁକୁ ଯିବାବେଳେ ମା’ ପଛପାଖରୁ ପୁଅକୁ ଟିକିଏ ଚାହିଁ ଦେଇ ସଞ୍ଜବେଳ ହୋଇ ଯାଇଥିବାରୁ ବୃନ୍ଦାବତୀ ଓ ମଙ୍ଗଳାଙ୍କ ପାଇଁ ସଞ୍ଜ ଦେବାକୁ ଗଲେ । ବୃନ୍ଦାବତୀଙ୍କୁ ସଞ୍ଜ ଦେଇ ସାରି ଦାଣ୍ଡଦ୍ୱାରକୁ ଯିବାବେଳେ ଭାରୁଆ ଥିବାରୁ ଘନ ବାରଣକଲା । ସେତେବେଳକୁ ସାହିର ସମସ୍ତ ପିଲା ଘନଙ୍କ ଅଗଣାରେ ଜମା ହୋଇଗଲେଣି । ଘନ ମା’ ଜଣେ ପିଲାହାତରେ ମଙ୍ଗଳାଙ୍କ ସଞ୍ଜ ପଠାଇଦେଇ ଅଗଣା କାନ୍ଥରେ ମଙ୍ଗଳାଙ୍କୁ ମୁଣ୍ଡିଆ ମାରି ଆଗରୁ କରିଥିବା ସରୁ ଚକୁଳି ଓ ଗୁଡ଼ ଆଣି ଶୋଇବା ଘରେ ଥୋଇ ଘନକୁ ଡାକିଲେ । ଘନ ଭାର ରଖାଇ ଦେଇ ଖାଇବ ବୋଲି କହିବାରୁ ମା ଜିଦ୍‌ ଧଇଲେ । ତେଣୁ ଘନ ବାଧ୍ୟହୋଇ ଘର ମଧ୍ୟକୁ ଗଲେ । କାଳେ ପିଲାମାନେ ଖାଇଲାଦ୍ୱାରେ ଜମା ହୋଇ ଘନର ଖାଇବାରେ ବାଧା ଦେବେ, ଏହାଭାବି ଘନର ମା ସେହି ଦ୍ୱାରରେ ବସିଲେ । ଘନ ଓ ତାର ମା ପରସ୍ପରର ମୁଖକୁ ଚାହିଁ ପାରୁ ନ ଥାନ୍ତି । ଉଭୟଙ୍କ ନୟନ ଆନନ୍ଦାଶ୍ରୁରେ ପୂର୍ଣ୍ଣ ହୋଇଗଲା । କିଛି ସମୟ କେହିକାହାକୁ କୌଣସି କଥା କହିପାରିଲେ ନାହିଁ । ପରେ ଘନ ଗୋଟିଏ ଦୁହାଁଳ ଗାଈ ଆଣିଛି ବୋଲି କହିଲେ । ମାଙ୍କୁ ପଚାରିଲେ, ଗାଈଟି ବରାବର ବାଟଚାଲି ଆସିଛି, ଘରେ କୁଣ୍ଡା ଅଛିକି ? ମା କହିଲେ, ‘‘ଯୋଗୀ ଘରେଢିଙ୍କି । ବାପ, କୁଣ୍ଡା କାହୁଁ ପାଇବି ? ବାପା ଆସନ୍ତୁ ପାଟଣାରୁ ଯାଇ ଆଣିବେ ।’’ ଘନ ଖାଇ ହାତ ଧୋଇ ଠିଆ ହେବାବେଳକୁ ମଦନ ମହାନ୍ତି ହାତରେ ବୁଜୁଳାଟିଏ ଧରି ଘର ଅଗଣାରେ ପହଞ୍ଚିଲେ । ଘନ ଯଥାବିଧି ପ୍ରଣାମ କରି ଦାଣ୍ଡକୁ ଆସି ଭାରୁଆମାନଙ୍କଠାରୁ ଜିନିଷପତ୍ର ଆଣି ବୋଉଙ୍କ ଜିମା କରିଦେଲେ । ଭାରୁଆମାନେ ଭାର ଜମାକରି ଦେବା ପରେ ଦାଣ୍ଡପିଣ୍ଡାରେ କାନି ପକାଇ ପଡ଼ିଗଲେ । କେବଳ ଗଉଡ଼ ବିଚରା ଗାଈ ବାନ୍ଧିଦେଇ ବସିଥାଏ । ଘନ ତାହା ଜିମା ସମସ୍ତଙ୍କ ପାଇଁ ରୋଷାଇ ଜିନିଷ ଧରି ଦେଇ ଗ୍ରାମର ମୁରବୀମାନଙ୍କୁ ପ୍ରଣାମ କରି କୁଶଳପ୍ରସଙ୍ଗ ହେବା ପରେ ଥୟ ହୋଇ ବସିଲେ । ଏଣେ ମଦନ ମହାନ୍ତି ବୁଜୁଳାରୁ ଜିନିଷପତ୍ର ଥୋଇ ଦେଇ ପାଟଣାକୁ କୁଣ୍ଡାପାଇଁ ଗଲେ । କୁଣ୍ଡା ଟୋକେଇ ଧରି ଫେରିବାବେଳେ ମନେ ମନେ ଭାବିଲେ, ଏଥର ଜଞ୍ଜାଳ ବଢ଼ିଲା । ସେ ତ ଦୁଇଦିନରେ ବିଦେଶ ଯିବ । ଗାଈବାଛୁରୀଙ୍କ ଲାଗି ମୋତେ ହଇରାଣ ହେବାକୁ ହେବ । ହଉ, ଭଗବାନ୍‌ ଯାହା କରିବେ କରନ୍ତୁ-। ଘନକୁ ବାଟଚଲା ବାଧା ବାଧୁଅଛି । ଜଳଖିଆ କରି ଜଳପାନ ମାତ୍ରେ ତାଙ୍କର ଇଚ୍ଛା ହେଉଅଛି କିପରି ଶୋଇ ପଡ଼ନ୍ତେ । ଗାଈବାଛୁରୀ ଖାଇ ନ ଥିବାରୁ ଶୋଇ ପାରୁ ନାହାନ୍ତି । ଗାଈବାଛୁରୀଙ୍କୁ ଖୁଆଇ ପିତାଙ୍କ ସଙ୍ଗେ ପଦେ ଅଧେ କଥା ହୋଇ ଶୟନ କଲେ । ମଦନ ମହାନ୍ତି ଗାଈ ପାଇଁ ପାଳ ମାଗି ଆଣି, ଭାରୁଆମାନଙ୍କୁ ଉଠାଇ, ସେମାନଙ୍କୁ ରୋଷାଇ କରିବାର ବନ୍ଦୋବସ୍ତ କରିଦେଇ, ଗୋଡ଼ହାତ ଧୋଇ, ଝୁଲାମାଳ ଧରି ଦାଣ୍ଡ ପିଣ୍ଡାରେ ବସିଗଲେ । ମା’ ପୁଅକୁ କିପରି ଭଲ ଭାବରେ ଖୁଆଇବେ, ସେଥିପାଇଁ ବନ୍ଦୋବସ୍ତରେ ଲାଗିଲେ ।

 

ମଦନ ମହାନ୍ତିଙ୍କୁ ଘରକୁ ଆସିବାର ଦେଖି ଯେତେ ପିଲା ଜମା ହୋଇଥିଲେ ଗୋଟି ଗୋଟି ହୋଇ ନିଜ ନିଜ ଘରକୁ ଯାଇ ମା’ମାନଙ୍କ ଆଗରେ ଘନ କଥା ଓ ସେ ଆଣିଥିବା ଜିନିଷପତ୍ର କଥା କହିଲେ । କିଏ ଶୁଣି ଖୁସିହେଲା, କିଏ ନାକ ଡେଇଁଲା, କିଏ ଦୀର୍ଘନିଶ୍ୱାସ ପକାଇଲା, ଏହିପରି କେତେ ଭଙ୍ଗୀ ଓ କେତେ କଥା ଚାଲିଲା । ମିଣିପିମାନେ ମଧ୍ୟ ସେହିପରି ନାନା କଥାବାର୍ତ୍ତା ହେଲେ । ଜଣେ କହିଲା, ଆରେ ଅମିନ ପଇସା ଘଡ଼ିକୁ ନୁହେଁ କି ପେଡ଼ିକୁ ନୁହେଁ-। ଏହିପରି ଘନଙ୍କ ବିଷୟରେ ନାନା କଥା ହେଉ ହେଉ ଠାକୁର ବାହାରିବା ବେଳ ହୋଇଗଲା ।

 

ଆଜିକାଲି ଦୋଳଯାତ ଯେପରି ଅଧିକାଂଶସ୍ଥଳରେ ସଉକିନିର ଯାତ, ସେତେବେଳେ ସେପରି ନ ଥିଲା । ସେ ସମୟରେ ଭକ୍ତିର ମାତ୍ରା ଟିକିଏ ଅଧିକ ଥିଲା ପରି ଜଣାପଡ଼େ । ଆଜିକାଲି ସେ ଗ୍ରାମର ବିମାନ, ସାଜସଜ୍ଜା, ଛତ୍ର, ବାନା, ଘଣ୍ଟ, ତାଳ, ମୃଦଙ୍ଗ ପ୍ରଭୃତିଠାରୁ ଏ ଗ୍ରାମର କିପରି ଅଧିକ ହେବ । ସେ ଗ୍ରାମର ନାଟତାମସା, ରୂପ ଓ ବାଣ ପ୍ରଭୃତିଠାରୁ ଏ ଗ୍ରାମର କିପରି ଭଲ ହେବ, ଯାତ୍ରାଦଳମାନଙ୍କର ଏ ଚିନ୍ତା । ଦେଖଣାହାରିମାନଙ୍କ ମଧ୍ୟରୁ ଶତକଡ଼ା ୯୯ ଜଣଙ୍କ ମଧ୍ୟରେ କେଉଁ ଗ୍ରାମ ବିମାନ ଭଲ, କେଉଁ ଗ୍ରାମ ସାଜସଜ୍ଜା ଭଲ, କେଉଁ ଗ୍ରାମ ଛତ୍ରାଦି ଭଲ, ଇତ୍ୟାଦି ନେଇ ତର୍କବିତର୍କ ଲାଗେ । ଆଜିକାଲି ଯେପରି ମୃଦଙ୍ଗ ସଙ୍ଗରେ କୁବୁଜିଧରି ‘‘ହରେ କୃଷ୍ଣ ହରେ ରାମ, ନିତାଇ ଗୌର ରାଧେ ଶ୍ୟାମ’’ ମୁଖରେ ବୋଲି ଠାକୁରଙ୍କ ଆଗରେ ଯାଉଥାନ୍ତି, ସେତେବେଳେ ସେପରି ନ ଥିଲା । ସେ ସମୟରେ ବଡ଼ ବଡ଼ ଝାଞ୍ଜ ବା ତାଳ, ବଡ଼ ବଡ଼ ମୃଦଙ୍ଗ ଓଡ଼ଶୀ ଓ ଗୌଡ଼ଦେଶୀ ବାଦ୍ୟ ଓ ‘‘ରାଧା ସଙ୍ଗେ ଫାଗୁ ଖେଲେ ହେ, ଫାଗୁଖେଲେ ବାସୁଦେବସୁନୁ ହେ । ଅବିରେ ହୟାଛେ ରାଙ୍ଗ ଦୁଜନାର ତନୁ ହେ’’ ଏହିପରି ଗୀତର ପ୍ରଚଳନ ଥିଲା । ଦୁଇଦଳ ତାଳ ମୃଦଙ୍ଗିଆଙ୍କ ମଧ୍ୟରେ ସେତେବେଳେ ବଡ଼ ଲଢ଼ାଇ ଲାଗୁଥିଲା । ସେ ସମୟର ଗୀତ ଓ କାବ୍ୟ ଅପେକ୍ଷା ବର୍ତ୍ତମାନ ଗୀତ ଓ ବାଦ୍ୟ ଭଲ ହୋଇପାରେ, ମାତ୍ର ବର୍ତ୍ତମାନ ଜଣେ ଜଣେ ବୁଢ଼ା ଦେଖାଯାନ୍ତି, ସେମାନେ ଆଜିକାଲି ବାଦ୍ୟ ଓ ଗୀତକୁ ପସନ୍ଦ କରନ୍ତି ନାହିଁ । ମଧ୍ୟ କହନ୍ତି ଯେ, ଏବକାଳ ଟୋକା ଗୁଡ଼ାକଙ୍କର ସ୍ୱର କାହିଁ ନା ଦେହରେ ବଳ କାହିଁ ଯେ ତାଳରେ ଗାଇ ବଡ଼ ବଡ଼ ଝାଞ୍ଜ ହାତରେ ଧରି ବାଟ ଚାଲିବେ । ବର୍ତ୍ତମାନ ତାଙ୍କର ଯେପରି ସ୍ୱର ଓ ବଳ, ସେହିପରି ଗାନ ଓ ତାନମାନ ହେଉଛି ।

 

ଓଡ଼ିଆ ଭାଷାରେ ତ ସଂକୀର୍ତ୍ତନ ଗୀତ ନାହିଁ । ସେତେବେଳେ ଏ ଦେଶର କବି ଓଡ଼ିଆ ବଙ୍ଗଳା ମିଶା ଭାଷାରେ ସଂକୀର୍ତ୍ତନ ସଙ୍ଗୀତ ଅନେକ ଲେଖି ଯାଇଅଛନ୍ତି । ସେସବୁ ଏ ପର୍ଯ୍ୟନ୍ତ ଛପାହୋଇ ନ ଥିଲେ ମଧ୍ୟ ତାଳପତ୍ର ପୋଥିରେ ଅନେକ ସ୍ଥାନରେ ଅଛି । ବର୍ତ୍ତମାନ ସଂକୀର୍ତ୍ତନ କ’ଣ, ଅନ୍ୟ ପ୍ରକାର ଗୀତ କ’ଣ, କାହିଁର ଚର୍ଚ୍ଚା ନାହିଁ । ବର୍ତ୍ତମାନ ଯାହା ଅଛି, ତାହା ବଙ୍ଗଳାର ଅନୁକରଣ । ବର୍ତ୍ତମାନ ନବ୍ୟ ରୁଚିକୁ ସେ ସମୟର ସଙ୍ଗୀତ ମଧୁର ଲାଗୁ ନାହିଁ ସତ, ମାତ୍ର ସେ ସମୟରେ ଏ ଦେଶରେ ତାହାର ଚର୍ଚ୍ଚା ଯେ ପରିମାଣରେ ଥିଲା, ବର୍ତ୍ତମାନ ତହିଁରୁ ପାଏ ଅଛି କି ନାହିଁ ସନ୍ଦେହ ।

 

ସଙ୍ଗୀତ ମନଖୁସିର କଥା । ଲୋକ ସୁଖଶାନ୍ତିରେ ନ ରହିଲେ ସଙ୍ଗୀତ ଦିଗରେ ତାର ମନ ଯାଏ ନାହିଁ । ଯେଉଁ ଜାତି ଯେତେବେଳେ ଯେଉଁ ପରିମାଣରେ ସୁଖ ଓ ଶାନ୍ତିରେ ଥିଲେ, ସେତେବେଳେ ସେ ଜାତିର ସଙ୍ଗୀତ ଚର୍ଚ୍ଚା ସେହି ପରିମାଣରେ ଅଧିକ ଥିଲା । ବର୍ତ୍ତମାନ ଓଡ଼ିଆ ଜାତି ହା ଅନ୍ନ ହା ଅନ୍ନ ବୋଲି ବୁଲୁଅଛନ୍ତି । ସଙ୍ଗୀତ ଚର୍ଚ୍ଚା ପାଇଁ ମନ କାହୁଁ ଯିବ ? ସେ ସମୟର ସଙ୍ଗୀତ ଚର୍ଚ୍ଚା ଦେଖିବାକୁ ଗଲେ ବର୍ତ୍ତମାନ ଅପେକ୍ଷା ସେତେବେଳେ ଲୋକମାନେ ଅଧିକ ସୁଖଶାନ୍ତିରେ ଥିବାର ପ୍ରମାଣ ମିଳେ । ତେବେ ବର୍ତ୍ତମାନ ଉତ୍କଳର ଏ ହୀନ ଦଶା କାହିଁକି ? ଯାହାର ଶରୀର ମଧ୍ୟରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ତ୍ରିନାଡ଼ୀରୂପେ ରସଦାୟିନୀ ଓ ମେଘାସନ, ଗନ୍ଧମାର୍ଦ୍ଦନ, କପିଳାସ, ସପ୍ତଶଯ୍ୟା, ପଞ୍ଚଧାର, ସୁନାକଣିଆଁ, ମହେନ୍ଦ୍ର, ମାଲ୍ୟଗିରି, ସୂର୍ଯ୍ୟଚୂଡ଼ ଓ ଭାଲେରି ପ୍ରଭୃତି ଅଙ୍ଗପ୍ରତ୍ୟଙ୍ଗସ୍ଥ ପ୍ରଧାନ ପ୍ରଧାନ ଅସ୍ଥିସ୍ୱରୂପ, ତହିଁରେ ପୁଣି ଅନ୍ନାଭାବ, ଏହା କି ଶ୍ରୁତିକଟୁ । କେବଳ ଆଳସ୍ୟ ବା ଜଡ଼ତା ଏହାର ମୂଳଭିତ୍ତି ।

 

ସେ ସମୟର ସଙ୍ଗୀତ, କାବ୍ୟ, ନାଟକ ପ୍ରଭୃତି ଆଦିରସାତ୍ମକ ଥିବାରୁ ବର୍ତ୍ତମାନ ତାହା ଘୃଣ୍ୟ ଓ ତ୍ୟାଜ୍ୟ, କିନ୍ତୁ ସେକାଳର ସ୍ୱାସ୍ଥ୍ୟ, ସବଳତା, ଆୟୁଃ ଓ ସୁଖସ୍ୱାଚ୍ଛନ୍ଦ୍ୟ କାହିଁ ? ଏ ସବୁବିଷୟରେ ବର୍ତ୍ତମାନ ସଭ୍ୟତା କି ପରିବର୍ତ୍ତନ ଘଟାଇଅଛି । ସେ ସମୟରେ ବିଳାସିତା ବର୍ତ୍ତମାନ ବିଳାସିତାଠାରୁ କେଉଁ ଗୁଣରେ ଅଧିକ ? ବରଂ ବର୍ତ୍ତମାନ ମୂଲିଆ ବିଳାସ ସାମଗ୍ରୀ ପାଇଁ ବ୍ୟସ୍ତ ହୋଇ ପଡ଼ିଅଛି ଓ ତାହାର ସମ୍ମୁଖରେ ସେ ସମୟ ଅପେକ୍ଷା ବର୍ତ୍ତମାନ ସହସ୍ର ଗୁଣ ବିଳାସ ସାମଗ୍ରୀ ବିଦ୍ୟମାନ । ତେବେ ବୋଲାଯାଇ ପାରେ, ବର୍ତ୍ତମାନ ଦିନକୁ ଦିନ ଜ୍ଞାନ ବଢ଼ୁଅଛି । ଖାଲି ଜ୍ଞାନ ନୁହେଁ, ବିଜ୍ଞାନ । କୁସଂସ୍କାର ଉଠାଇ ସୁସଂସ୍କାର ପାଇଁ ସମସ୍ତେ ବ୍ୟସ୍ତ । କିନ୍ତୁ ସନ୍ତୋଷ କାହିଁ, ଶାନ୍ତି କାହିଁ, ସୁଖ କାହିଁ ? ସେଠାରେ, ମଧ୍ୟ କାହିଁ ଯେଉଁଠାରୁ ବିଜ୍ଞାନ, ସୁସଂସ୍କାର ଓ ସଭ୍ୟତା ଆକୃଷ୍ଟ ହେଉଅଛି ? ଏଣୁ ସେକାଳର କବି ଲୋକଙ୍କର ଗତି ଲକ୍ଷ୍ୟକରି ଗାଇ ଯାଇଅଛନ୍ତି ଯେ, ଦିନକୁ ଦିନ ମନୁଷ୍ୟ ଏପରି ଛିଡ଼ିବେ ଯେ, ବାଇଗଣ ଗଛକୁ ଆଙ୍କୁଡ଼ୀ ବଢ଼ାଇଲେ ପାଇବ ନାହିଁ । ତାଙ୍କଗୀତ ଅନ୍ୟ ଦେଶ ପାଇଁ ନ ହୋଇପାରେ, ଅନ୍ୟ ଜାତି ପାଇଁ ନ ହୋଇପାରେ, ମାତ୍ର ଉତ୍କଳ ପାଇଁ, ଓଡ଼ିଆ ଜାତି ପାଇଁ ନ ହେବ କାହିଁକି ? ଯେଉଁ ଜାତିରେ ୧୨ ବର୍ଷରୁ ଶିକ୍ଷା ଶେଷ କରି ମାତାପିତା କାଖରୁ ଯୁବତୀ କାଖକୁ ଲମ୍ଫ ପ୍ରଦାନ କରିବାକୁ ହୁଏ ଏବଂ ଚାଳିଶବର୍ଷ ପୂର୍ବରୁ ରୋଗଯନ୍ତ୍ରଣାରେ ଅଥୟ ହୋଇ ପୁତ୍ର ବଧୂଙ୍କ ସୁଖପଥର ପ୍ରତିବନ୍ଧକ ହୋଇ ସେମାନଙ୍କ ଦ୍ୱାରା ଘୃଣ୍ୟ ହୁଅନ୍ତି ଏବଂ ରାଣ୍ଡ ଝିଅ, ରାଣ୍ଡ ଭଉଣୀ ପ୍ରଭୃତିଙ୍କ ଦୟାକୁ ଶେଷ ଜୀବନର ଏକମାତ୍ର ସହାୟ ମନେ କରନ୍ତି ।

 

କରଣସାହି ବୁଢ଼ାମାନେ ଚାଚରୀ ବାହାର କରିବାକୁ ପଦାକୁ ବାହାରିଲେ । ବିମାନ କାନ୍ଧିଆ, ମଶାଲଚି, ବାନାଧାରୀ, ଛତ୍ରଧାରୀ, ଧ୍ୱଜାଧାରୀ, ଢୋଲିଆ, ମହୁରିଆ ପ୍ରଭୃତି କ୍ରମେ କ୍ରମେ ଜମାହେଲେ । କାରଣ ଯୁବକଦଳ ମୃଦଙ୍ଗ, ତାଳ, ଘଣ୍ଟ ଓ ଶଙ୍ଖଧରି ଏକତ୍ର ହେଲେ । ବାଳକମାନେ ମଧ୍ୟ ଛୋଟ ଛୋଟ ତାଳ ଓ ଘଣ୍ଟା ଧରି ଆଗରୁ ବସିଥିଲେ । ପୁରୋହିତ ଆସିଲେ ଠାକୁର ବିମାନରେ ବିଜେ ହେବେ ଓ ଗ୍ରାମଭିତରେ ଟିକିଏ ସଂକୀର୍ତ୍ତନ ହେବ । ତା’ପରେ ପଟୁଆର ସାହି ବୁଲି ବିଜେ ହେବେ । କ୍ଷଣିକ ପରେ ପୁରୋହିତ ଆସି ପହଞ୍ଚିଲେ । ପିଲାମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ପୁରୋହିତ ଗୋଡ଼ହାତ ଧୋଇ ଠାକୁରଙ୍କୁ ବେଶ କରି ବିମାନରେ ବସାଇବାରେ ଲାଗିଲେ ।

 

ମଦନ ମହାନ୍ତି ଚାଚରୀ ବାହାର କରିବାରେ ଯୋଗ ଦିଅନ୍ତି ନାହିଁ, କି ସାଙ୍ଗରେ ଯାନ୍ତି ନାହିଁ । ତାଙ୍କୁ ମଧ୍ୟ କେହି ଖୋଜନ୍ତି ନାହିଁ । ସମସ୍ତେ ଜାଣନ୍ତି ଯେ, ସେ କିଛି କାମର ନୁହନ୍ତି । ମାତ୍ର ସେ ତାଙ୍କ ମନକୁ ଠାକୁର ବାହାରି ପଟୁଆର ସହ ବିଜେ କଲାବେଳେ ଘରୁ ବାହାରି ଗୋଟିଏ ମୁଣ୍ଡିଆ ପକାଇ ବିଛଣା ଧରନ୍ତି । ଘନକୁ ଡାକିବାକୁ ତା ସାଙ୍ଗମାନେ ବାହାରିଲେ, ମଦନ ମହାନ୍ତିଙ୍କ ନିକଟରେ ପିଲାମାନେ ପଢ଼ିଥିବାରୁ ତାଙ୍କଠାରୁ ସେମାନଙ୍କର ଭୟ ଛାଡ଼ି ନ ଥିଲା । କେହି ଘରକୁ ଯାଇ ଘନକୁ ଡାକି ଆଣିବାକୁ ସାହସ କଲେ ନାହିଁ । ଜଣେ ବିମାନକାନ୍ଧିଆକୁ ପଠାଇ ଦେଲା । ସେ ଯାଇ ଡାକିବାରୁ ମଦନ ମହାନ୍ତି ବାରଣ କଲେ । କହିଲେ, ସେ ତିନିଦିନ କାଳ ବାଟ ଚାଲି ଚାଲି ବାଧାରେ ପଡ଼ି ଯାଇଛି । ଆଜି ସେ ଯାଇ ପାରିବ ନାହିଁ । ଘନଙ୍କ ମା କହିଲେ, ପିଲାଲୋକ, କାଲି ଉଠି ମନ ଦୁଃଖକରିବ, ତାକୁ ଉଠାଇ ଦିଏ । ପୁଅ ବୁଢ଼ା ହେଲେ ମଧ୍ୟ ମାତା ଚକ୍ଷୁର ସେ ପିଲା । ମାତାଙ୍କ ମନ ସମ୍ଭାଳି ହେଲା ନାହିଁ । ସେ ଘନକୁ ଉଠାଇଲେ । ଘନ ଉଠି ବାହାରିଲାବେଳକୁ ମଦନ ମହାନ୍ତି କହିଲେ, ବାଧା ହୋଇଛି, ଠାକୁରଙ୍କୁ ମୁଣ୍ଡିଆ ମାରି ଆସି ଶୋଇ ପଡ଼ । ଯାତ୍ରା ଆଉ ତିନି ଦିନ ଅଛି । ଆଜି ବିମାନ ସଙ୍ଗରେ ଗଲେ ଦେହ ଖରାପ ହେବ । ଘନଙ୍କର ମଧ୍ୟ ବାଟଚଲା ବାଧାରେ ମନ ହେଉ ନ ଥାଏ । ଠାକୁର ଦର୍ଶନ ପାଇଁ ଗଲାବେଳକୁ ସଂକୀର୍ତ୍ତନ ଆରମ୍ଭ ହେଲାଣି । ଘନ ଗ୍ରାମରେ ଥିବାବେଳେ ବରାବର ପିତାଙ୍କ ପାଖରେ ରହୁଥିଲେ । ପିତା କାହାରି ସଙ୍ଗରେ ବସିବାକୁ ବା ଖେଳିବାକୁ ପୁଅକୁ ଛାଡ଼ୁ ନ ଥିଲେ । ଘନ ବିଦେଶ ଯାଇ ମୃଦଙ୍ଗ ବଜାଇବା ଶିଖିଅଛନ୍ତି । ନିଜଗୁଣ ପ୍ରକାଶ କରିବାକୁ ତାଙ୍କର ଟିକିଏ ମନ ହେଲା । ସେ ଜଣେ ମୃଦଙ୍ଗିଆଠାରୁ ଖଣ୍ଡେ ମୃଦଙ୍ଗ ଆଣି ଖଣ୍ଡକେତେ ବାଦ୍ୟ ବଜାଇଲେ । ଏତେ ଅଳ୍ପ ଦିନରେ ତାଙ୍କ ହାତ ବାଦ୍ୟରେ ଏତେ ସଫା ହେବା ଦେଖି ସମସ୍ତେ ଅବାକ୍‌ ହେଲେ । ବୁଢ଼ାମାନେ ଆଶୀର୍ବାଦ କଲେ । ସଙ୍ଗିମାନଙ୍କର ମନ ଆନନ୍ଦ ହେଲା ।ମାତ୍ର ମୃଦଙ୍ଗିଆମାନଙ୍କର ମନ ଟିକିଏ ମଉଳିଗଲା । ଗ୍ରାମ ମଧ୍ୟରେ ମୁରବି ଓ ମାତା ପିତା ଥିବାରୁ ଜୋରରେ ସେ ଗୀତ ବୋଲି ପାରିଲେ ନାହିଁ । କହିଲେ, କାଲି ଠାକୁରଙ୍କ ସଙ୍ଗରେ ଗଲେ ଗାଇବି । ଆଜି ବାଟଚଲା ବାଧାରେ ମୁଁ ଯାଇ ପାରିବି ନାହିଁ । ସକଳ ପ୍ରକାର ବାଦ୍ୟ ବାଜି ଉଠିଲା । ହରିବୋଲ ଶବ୍ଦ ଉଛୁଳି ପଡିଲା ।

 

ସ୍ତ୍ରୀଲୋକମାନେ କବାଟ ଉଢ଼ାଳରେ ରହି ହୁଳହୁଳି ଦେଇ ଗୋଟିଏ ଗୋଟିଏ ମୁଣ୍ଡିଆ ପକାଇଲେ । ପଟୁଆର ସହ ଠାକୁର ପାଟଣା ବୁଲିବିଜେ ହେଲେ ।

Image

 

ସପ୍ତମ ପରିଚ୍ଛେଦ

 

କରଣସାହି ବାଡ଼ିତଳେ ଘାଟରେ କେବଳ ସ୍ତ୍ରୀଲୋକ ସ୍ନାନ କରନ୍ତି । ରାତି ଝଟଝଟିଆରୁ ଘନ ମା ଉଠି ବାସି କାମ ସାରି କାଖରେ ଗରାଟିଏ ଧରିସ୍ନାନ ପାଇଁ ନଦୀ ଘାଟରେ ପହଞ୍ଚିଲାବେଳକୁ କ’ଣ କେତେ ମାଇକିନିଆ ଆଗରୁ ପହଞ୍ଚି କିଏ ଦାନ୍ତ ଘଷୁଛି, କିଏ ଦାନ୍ତିକାଠି ରୁଆରେ ଖଡ଼ୁ, ପାହୁଡ଼, ତାଡ଼ ଓ ଗୁଣା ପ୍ରଭୃତି ଅଳଙ୍କାର ମାଜୁଛି, କିଏ ସ୍ନାନ କରୁଛି, କିଏ ସ୍ନାନ କରି ସାରି ଗରାମାଜୁଛି, ମାତ୍ର ତା ସଙ୍ଗେ ସଙ୍ଗେ ପରସ୍ପର ମଧ୍ୟରେ ସୁଖ ଦୁଃଖ କଥାବାର୍ତ୍ତା ମଧ୍ୟ ଲାଗିଛି । ଗତକାଲି ରାତିରେ ଘନର ମୃଦଙ୍ଗ ବଜାଇବା, ଘନର ସିଆଣିଆ ପଣ ଓ ଘରକୁ ଆଣିଥିବା ପଦାର୍ଥ ନେଇ କଥା ଚାଲୁଚାଲୁ ଘନ ମା କପାଳ ଭଲ, ଭଲ ପୁଅ ବେଇଛି, ତା ମନ ଭଲ, ଈଶ୍ୱର ଜାଣି ଫଳ ଦେଇଛନ୍ତି... ଇତ୍ୟାଦି ଗଳ୍ପ କରୁଥାନ୍ତି । ଘନ ମା ଉପରେ ଜଣଙ୍କର ଦୃଷ୍ଟି ପଡ଼ିଗଲା ମାତ୍ରେ ସେ କହି ପକାଇଲା, ‘‘ହଇଲୋ କେତେ ଆୟୁଷ, ତା କଥା ପଡ଼ୁ ପଡ଼ୁ ସେ ଆସି ପହଞ୍ଚିଲାଣି ।’’ ଆଉ ଜଣେ କହିଲା, ‘‘ତା’ର ତ ନାକବାଳ ଭୂଇଁରେ ଲାଗିବ ।’ ଘନ ମା ଗରାଟି ତଳେ ରଖି ଦେଇ ଦୀର୍ଘ ନିଃଶ୍ୱାସଟିଏ ପକାଇ କହିଲେ’’ ହଁ ଲୋ ଭଉଣୀ, ମୋଠାରୁ ହିନମାନୀ ଆଉ କିଏ ଅଛି ।’’ ‘‘ପାଞ୍ଚ ନାହିଁ, ସାତ ନାହିଁ–ଗୋଟିଏ ପୁଅ । ସେ ଯେପରି ଯୋଗ୍ୟ ହେଲାଣି, ତୁ ତ ରାଣୀହୋଇ ବସିବୁ । ଚିନ୍ତା କ’ଣ ? ଗୋଟିଏ ପୁଅ, ଗୋଟିଏ ବୋହୂ–କଳି ନାହିଁ କି କଜିଆ ନାହିଁ, ବାଦ ନାହିଁ କି ଛିଦ୍ର ନାହିଁ । ଦେଖୁ ନାହୁଁ ମୁଁ କିପରି ଘାଣ୍ଟି ହେଉଛି । ଆଜି ନାତି ପଡ଼ିଲା, କାଲି ନାତୁଣୀ ପଡ଼ିଲା; ଆଜି ଇଆ ପୁଅକୁ ଟିକିଏ ଆଦର କଲେ, ତା ମା ଏଡ଼େ ମୁହଁ କଲା–ଦିନଯାକ ଭଲରେ କଥା କହୁ ନାହିଁ, କାଲି ତାକୁ ଆଦର କଲେ ଆରକ ସେହିପରି ହେଉଛି । ପିନ୍ଧିବା, ଖାଇବା, ଲଗାଇବା ଓ ବନ୍ଧୁବାନ୍ଧବ ଦେବାନେବା ସବୁଥିରେ ବାଦ ଛିଦ୍ର । ଯାହା ହେଲା ମୁଁ କାହିଁରେ ନାହିଁ, କିନ୍ତୁ ରାଗ ମୋଉପରେ ଝଡ଼ିବ । ତୁ କହୁଛୁ କ’ଣ ?’’ ଏହାଶୁଣି ଆଉ ଜଣେ ହଠାତ୍‌ କହି ପକାଇଲା, ‘‘ହଇଲେ ତା’ର ଫୁଲା କଥା–ଘନ ପରା ପୁଅ-’’ ଏତିକି କହିଛି, ଆଉ ଜଣେ ଅବିବାହିତା ଯୁବତୀ ଉପରେ ପଡ଼ି ଘନ ମା’କୁ କହିଲା, ‘‘ଆଲୋ ଅପା, ତୋ ପୁଅ କାଲି କିପରି ମୃଦଙ୍ଗ ବଜାଇଲା, ଦେଖିଛୁ ନା ? ଆମେମାନେ ତ କାବା ହୋଇଗଲୁଁ ।’’ ପିଲାଦିନେ ତାକୁ ଦେଖି ସମସ୍ତେ ଭାବିଥିଲୁଁ, ସେ ବାପ ପରି ଉଦାସିଆ ହେବ । କାଲି ମୃଦଙ୍ଗ କାନ୍ଧରେ ପକାଇ ଯେଉଁ ଗତିକଲା, ଅପା ମୋ ମନରୁ ଯାଉନାହିଁ । ସେ ତ ଜଣେ ହେବ । ରହ ଆଜି ମୃଦଙ୍ଗ ବଜାଇଲାବେଳେ ତତେ ଖବର ଦେବି ଦେଖିବୁ ।’’ ଯାହା କଥା ଛଡ଼ାଇ ଏ ଝିଅ କଥା କହିଥିଲା, ସେ ହସି ହସି ଘନ ମା’କୁ କହିଲା, ‘‘ଆଲୋ ଭଉଣୀ, ତୋ ପୁଅ ମୃଦଙ୍ଗ ବଜାରେ ତ ୟା ମନ ଲାଗି ରହିଲାଣି ।’’ ଏତିକି କହୁଛି, ସେ ଝିଅଟି କହିଲା–‘‘ପୋଡ଼ପୋଡ଼ !’’ ଘନ ମା’କୁ ଏତେବେଳ ପର୍ଯ୍ୟନ୍ତ କଥା କୁହାଇ ଦେଇ ନ ଥିଲେ । ସେ ଟିକିଏ ସମୟ ପାଇଲାରୁ କହିଲା, ‘‘ମୋର କି ପୁଅ-? ସେ ତୁମମାନଙ୍କର, ଆଶୀର୍ବାଦ କର, ସେ ଘର କରୁ, ତା ଆଗରେ ମୋ ଦିନ ସରୁ, ଧନ ମୋର କ’ଣ ହେବ ?’’ ଏହିପରି ନାନା କଥା ପରେ ସେମାନେ ନିଜ ନିଜ କାମ ସାରି ଘରକୁ ଫେରିଲେ ଓ ଘନ ମା’ ତର ତର ହୋଇ ସ୍ନାନ କରି ଆସି ଘନକୁ ଉଠାଇ ଦାନ୍ତକାଠି ଓ ପାଣି ଦେଇ ନିଜ କାମରେ ଲାଗିଲେ । ଘନ ଦାନ୍ତଘଷି ସାଇ ମଧ୍ୟକୁ ଘର ଘର ହୋଇ ସଙ୍ଖୋଳି ଗଲେ । ଘନ ଏ ଘରୁ ସେ ଘରକୁ ଗଲାବେଳେ ତାଙ୍କ ସଙ୍ଗରେ କ’ଣ କେତେ ଛୋଟ ପିଲା ଗୋଡାଇଥାନ୍ତି ।

ସଙ୍ଖୋଳିବା କାମସାରି ଫେରିବାବେଳକୁ ଠାକୁର ଘର ଆଗ ବଉଳଗଛ ଛାଇରେ ଘନଙ୍କ ସାଙ୍ଗ ଟୋକା ସମସ୍ତେ ଘନଙ୍କ କଥା ପକାଇଅଛନ୍ତି । ଘନ ସେ ବାଟେ ଆସିଲାବେଳେ ସମସ୍ତେ ଆଦର ସହ ବସାଇଲେ; ଘନ ଘର ଛାଡିଗଲା ଦିନଠାରୁ ଫେରିବା ପର୍ଯ୍ୟନ୍ତ ସମସ୍ତ ଗଳ୍ପ କଲେ । ସାଙ୍ଗମାନେ କହିଲେ, ‘‘ଭାଇ, ଆଜି ତୁମର ଖଣ୍ଡେ ମୃଦଙ୍ଗ ରହିଲା ।’’ ଘନ କହିଲା, ‘‘ହଉ-।’’ ତେଣେ ଘନଙ୍କ ମା ରୋଷେଇ କାମ ଶେଷକରି ଘନକୁ ଚାହିଁ ବସିଅଛନ୍ତି । ଘନଙ୍କର ବିଳମ୍ୱ ଦେଖି ପଡ଼ୋଶୀ ଘର ଗୋଟିଏ ପିଲାଦ୍ୱାରା ଘନକୁ ଡକାଇଲେ । ସେ ଆସି କହିଲା, ‘‘ବଉ ଡାକୁଛି ଗାଧୋଇ ଯିବ ଆସ ।’’ ଘନ ଉଠିବାରୁ ସାଙ୍ଗମାନେ କହିଲେ, ‘‘ଚାଲ ସମସ୍ତେ ସାଙ୍ଗ ହୋଇ ଗାଧୋଇ ଯିବା ।’’ ସମସ୍ତେ ଏକ ସଙ୍ଗରେ ଗାଧୋଇ ଗଲେ । ଗାଧୋଇବା ଓ ଫେରିବା ସମୟରେ କେବଳ ଘନ ବକ୍ତା ଓ ଆଉ ସମସ୍ତେ ଶ୍ରୋତା ହୋଇଥାନ୍ତି । ଅମିନ କାମ, ବାଟ କଥା, ସେ ଅଞ୍ଚଳର ଆଚାର ବ୍ୟବହାର ଓ ଲୋକମାନଙ୍କ କଥା ଏବଂ ତାଙ୍କର ବାଦ୍ୟ ଶିଖିବା କଥା ଭିନ୍ନ ଅନ୍ୟ କିଛି ନ ଥାଏ ।

ଘନ ଆସି ଘରେ ପହଞ୍ଚିଲେ । ମାତା ଭାତ ଦେଇ ପାଖରେ ବସିଥାନ୍ତି, ଘନ ଖାଉଥାନ୍ତି-। ବିଦେଶରେ ସେ କ’ଣ ଖାନ୍ତି, କିପରି ରାନ୍ଧନ୍ତି, କ’ଣ ପରିବା ମିଳେ, ଇତ୍ୟାଦି ପ୍ରଶ୍ନ କରୁଥାନ୍ତି, ମଝିରେ ମଝିରେ ଉଠିଯାଇ ଭାତ ତର୍କାରୀ ଆଣି ଦେଉଥାନ୍ତି । ସେତେବେଳକୁ କଚେରିରେ ହିନ୍ଦୀ, ପାରସୀ ଓ ଉର୍ଦ୍ଦୁ କଥା ବହୁ ପରିମାଣରେ ଚଳୁଥାଏ । ଆଜିକାଲି ଯେପରି ଶିକ୍ଷିତମାନେ କଥା କହୁଁ କହୁଁ ପଦେ ଅଧେ ଇଂରାଜୀ କହି ପକାନ୍ତି, ସେତେବେଳେ ସେହିପରି କଚେରିଆମାନେ ଘରେ ବାହାରେ କଥା କହୁଁ କହୁଁ ହିନ୍ଦୀ ପ୍ରଭୃତି କଥା ପଦେ ପଦେ କହି ପକାନ୍ତି । ଘନ ଅମିନ କାମ କରି କଚେରିଆମାନଙ୍କ ସଙ୍ଗେ ମିଶି କେତେଗୁଡ଼ିଏ ହିନ୍ଦୀ ଶବ୍ଦ ଶିଖିଅଛନ୍ତି । ତାଙ୍କ ମା ଶେଷଥର ଭାତ ଦେଲାବେଳକୁ ଘନ ମନା କରିବା ଛଳରେ ଭାତ ଥାଳି ଉପରେ ହାତଦେଇ ‘‘ବସ୍‌ବସ୍‌’’ କହି ପକାଇବାରୁ ମା ଭାବିଲେ–କ’ଣ ଭାତରେ ପୋକ କି ମାଛି ପଡ଼ିଛି କି-? ଏହା ଭାବି ବସ୍‌ବସ୍‌ ଶୁଣିମା ମାତ୍ରେ ସେ ଭାତଥାଳି ଆଗରେ ବସି ପଡିଲେ । ଘନ ହସି ହସି କହିଲେ, ‘‘ନା ଲୋ, ମୁଁ ବସିବାକୁ କହି ନାହିଁ । ଆଉ ଦେ ନାହିଁ ବୋଲି କହିଲି । ତୁ ବୁଝି ନ ପାରି ବସି ପଡ଼ିଲୁ । ଯା ଭାତ ନେଇ ଯା ।’’ ଘନ ମା ଟିକିଏ ହସି ଭାତ ଫେରାଇ ନେଲେ । ବାପା ଆସିଲେ ଶୋଇବାକୁ ପଦାକୁ ଛାଡ଼ିବେ ନାହିଁ, ଭାବି ଘନ ଭୋଜନ ଶେଷମାତ୍ରେ ବଟୁଆ ଧରି ଠାକୁର ଘର ମେଲାରେ ପହଞ୍ଚିଲେ-। କ୍ରମେ ସାଙ୍ଗମାନେ ଜମା ହେଲେ । ଜଣେ କହିଲା, ‘‘ମୁଁ ଏହିକ୍ଷଣି ଦି’ଟା ଖାଇଛି, ପାରିବି ନାହିଁ, ପଶା ପାଲି ଆଣ, ଖେଳିବା ।’’ ପଶାଖେଳ ନାମଶୁଣି ସମସ୍ତେ ଖୁସି ହୋଇଗଲେ । ଘନ ଅମିନ କାମ କରୁ କରୁ ଆଉ ସବୁ ଗୁଣ ହାସଲ କରିଅଛନ୍ତି । କରଣ, ବ୍ରାହ୍ମଣ, ଭାଇପୁଅମାନଙ୍କ ମଧ୍ୟରେ ପଶାଖେଳ ଗୋଟିଏ ପ୍ରଧାନ ରୋଗ । ନିକମାମାନଙ୍କର ଦିନ କଟିବା ପାଇଁ ତାହା ଗୋଟିଏ ଭଲ ଉପାୟ । କି ବୁଢ଼ା, କି ଯୁବା, ସମସ୍ତେ ପଶାଖେଳରେ ବାଇ । ବୁଢ଼ାମାନେ ଖେଳିବାବେଳେ ଟୋକାଏ ଦେଖନ୍ତି ଓ ଟୋକାମାନେ ଖେଳିବାବେଳେ ବୁଢ଼ାମାନେ ବୁଦ୍ଧି କହି ଦିଅନ୍ତି । ଜଣେ ଜଣେ ପଶାଖେଳରେ ଏପରି ଲିପ୍ତ ରହନ୍ତି ଯେ, ସେମାନେ ସଂସାରର ଧାର ଧାରନ୍ତି ନାହିଁ–ନିଜର ସର୍ବନାଶ କରି ସମାଜର ମଧ୍ୟ ପ୍ରଚୁର କ୍ଷତି କରନ୍ତି । ଏଣୁ ପଣ୍ଡିତମାନେ ଏହାକୁ ଭାଗ୍ୟବିନାଶର ଗୋଟିଏ ହେତୁ ବୋଲି ନିର୍ଦ୍ଦେଶ କରିଅଛନ୍ତି । ଘନଙ୍କର ପଶାଖେଳରେ ବିଶେଷ ଦକ୍ଷତା ଦେଖି ବୁଢାମାନେ ମଧ୍ୟ ଖୁସି ହୋଇ ବସିଥାନ୍ତି ।

ତାଙ୍କ ପିତା ଘରକୁ ଆସି ପୁଅର ତଲାସ ନେଲେ । ମା କହିଲେ–‘‘ସେ ଖାଇସାରି ଯାଇଛି । ଏତେଦିନେ ଘରକୁ ଆସିଛି, ସାଙ୍ଗମାନଙ୍କ ସଙ୍ଗରେ ବସିଥିବ ।’’ ସେ କହିଲେ, ‘‘ଏଗୁଡ଼ାକ ଚଗଲା ପିଲା । ଏମାନଙ୍କ ସାଙ୍ଗରେ ସାଙ୍ଗ ହେଲେ ଲୋକ ଖରାପ ହେବ । ଆଜି ସେ ଚାଚରୀ ସଙ୍ଗରେ ଯିବ, ଟିକିଏ ଶୋଇ ପଡ଼ନ୍ତା ନାହିଁ ?’’ ‘‘ହଉ, ପିଲାଲୋକ । ତା ମନ ହେଲେ ଶୋଇବ ନାହିଁ ?’’ ମଦନ ମହାନ୍ତି ଖାଇସାରି ବସି ଅଛନ୍ତି, ମନ ସମ୍ଭାଳି ହେଲାନାହିଁ । କହିଲେ–ଦେଖେଁ କୁଆଡ଼େ ଗଲା । ଏହାଭାବି ଠାକୁରଘର ନିକଟ ହେଲା ବେଳକୁ ପୁଅଙ୍କର କଚେବାର ଶବ୍ଦ ତାଙ୍କ କାନରେ ପ୍ରବେଶ କଲା । ସେ କ’ଣ ଭାବି ଆଉ ଅଗ୍ରସର ନ ହୋଇ ଘରକୁ ଫେରି ସ୍ତ୍ରୀକୁ କହିଲେ–‘‘ହଇଲୋ, ମୁଁ କ’ଣ କହୁଥିଲି । ଟୋକାଙ୍କ ସାଙ୍ଗରେ ପଡ଼ି ପଶା ଖେଳିଲାଣି ।’’ ସ୍ତ୍ରୀ କହିଲେ, ‘‘ହଉ, ପିଲାଲୋକ ଟିକିଏ ଖେଳିବ ନାହିଁ, ବସିବ ନାହିଁ ? ସମସ୍ତେ ତୁମରି ପରି ହେବେ-!’’ ମଦନ ମହାନ୍ତି କହିଲେ, ‘‘ଦୁଇଦିନ ରହି ପଳାଇବ, କ’ଣ କହିବି ? ଆଜି ଚାଚରୀ ଦୂର ଗାଁ ବୁଲିବ । ବେଳ ଥାଉଁ ଥାଉଁ ଗଣ୍ଡାଏ ରାନ୍ଧି ଦେ । ସେ ଗଣ୍ଡାଏ ଖାଇ ଟିକିଏ ଶୋଇ ପଡିବ । କ’ଣ ଆଣିବି କହ । ସ୍ତ୍ରୀ କହିଲେ, ‘‘ସେ ସବୁ ଆଣିଛି, ଆଉ କ’ଣ ଆଣିବ ? ପରିବା ପତ୍ର କିଛି ପାଇଲେ ଆଣିବ ।’’ ଏହା କହି କହିଲେ–‘‘ଟିକିଏ ବସିବ ଟି, ଗୋଟାଏ କାମ ଅଛି ।’’ ଘନ ଖାଇବା ପୂର୍ବରୁ ପଇସାପତ୍ର ଯାହା ଆଣିଥିଲେ ମା ନିକଟରେ ଥୋଇ ଦେବାରୁ ସେ କହିଲେ, ‘‘ରଖିଥା, ବାପା ଆସିଲେ ଦେବୁ ।’’ ଘନ କହିଲେ, ‘‘ମତେ ଲାଜ ମାଡ଼ିବ, ରଖିଥା ଦେବୁ ।’’ ସେ ସ୍ୱାମୀଙ୍କ ନିକଟରେ ପଇସା ବଟୁଆଟି ରଖି ଦେଲାରୁ ସ୍ୱାମୀ କହିଲେ–‘‘ମୁଁ ଏତେ ଅଡ଼ୁଆକୁ ଯିବି ନାହିଁ । ତୁ ରଖିଥା ।’’ ସ୍ତ୍ରୀ କହିଲେ, ‘‘ମଲା, ଟଙ୍କା ପଇସା ଅଡ଼ୁଆ ! ଏ କୁଆଡ଼ କଥା ମ ।’’ ସ୍ୱାମୀ କହିଲେ, ‘‘ଆଲୋ, ମୋର ଅଣ୍ଟାରେ ଖୋସି ଖୋସି ଦିନ ଗଲା । ଆଉ କେତେଦିନକୁ ଏତେ ଜଞ୍ଜାଳ ! ମୁଁ ସେ କଥାକୁ ପାରିବି ନାହିଁ, ତୁ ରଖ । ତା ମନକୁ ଯାହା ଆସିବ, ସେ ତାହା କରୁ, ନୋହିଲେ ତାହାର ବିବାହ ପାଇଁ ସାଇତି ରଖ । ମୋର କ’ଣ ହେବ ? ତୁ ଜାଣୁ ନାହିଁ–ଅର୍ଥ ଅନର୍ଥର ମୂଳ । ମୋର ଦିନ ଭଲରେ ଯାଉଛି । ସେଥିରୁ ଗୁଡ଼ାଏ କାରବାର କଲେ କେତେ ବାଦି ଭଗାରୀ, ରାଗ ଅହଙ୍କାର ଜାତ ହେବ । ମୁଁ ସେଥିରେ ପଶିବି ନାହିଁ, ମତେ ଈଶ୍ୱର ଯେପରି ରଖିଛନ୍ତି, ସେହିପରି ମୋର ଦିନ କଟିଗଲେ ଭଲ । ବୁଢ଼ାଦିନେ ପାଗବାନ୍ଧି ବୁଲିଲେ ଲୋକେ ହସିବେ । ତୁମ ଇଚ୍ଛା–ଜମି କର, ଘର କର, ଯାହା କର ମତେ କିଛି କହିବ ନାହିଁ । ତାଙ୍କର ଦିନ ଆସୁଛି । ତାଙ୍କ ବଳ ଯେପରି, ସେ ସେପରି ଘର କରନ୍ତୁ । ଏ ଗାଈବାଛୁରୀ ହଳକ ମତେ ବିଷମ ଧନ୍ଦା ହେଲାଣି, ଆଉ ଫେର ବୋଝ ଉପରେ ନଳିତା ବିଡ଼ା-!’’ ଏହା କହି ଉଠି ଆପଣା କାମରେ ଲାଗିଲେ ।

ଘନ ପଶାଖେଳରୁ ଉଠି ସାଙ୍ଗମାନଙ୍କ ସହ ନଦୀ ଆଡ଼େ ବୁଲିଗଲେ । ପାଟଣା ସାହିର ଯେଉଁ ହାଟୁଆ ପିଲାମାନେ ଘନଙ୍କ ସାଙ୍ଗ ପଢ଼ୁଆ ଥିଲେ, ସେମାନଙ୍କ ମଧ୍ୟରୁ ଜଣକେତେ ଘନକୁ ଦେଖିବାକୁ ଆସି ଗ୍ରାମ ମଧ୍ୟରେ ଖୋଜି ନଦୀ ଆଡ଼େଗଲେ ! ଏମାନେ ନଦୀଘାଟ ଗଡ଼ି ବାଲିକୁ ବାହାରି ପଡ଼ିଲାବେଳକୁ ଜଳ ନିକଟ ଶୁକ୍ଳ ସରୁବାଲି ଉପରେ କରଣସାହି ଭେଣ୍ଡିଆ ପଞ୍ଝା ଚକିମାରି ବସି ଯାଇ ଅଛନ୍ତି ଓ ଘନ ଗମ୍ଭୀର ସ୍ୱରରେ ‘‘ମଧୁରେ ମଧୁରମିଳନ, ମଧୂମାସେ ମଧୂସୁଦନ କୃଷ୍ଣ ପାଗଲିନୀ ପ୍ରେମମୟୀ ଧନୀ ରାଧା ସଙ୍ଗେ ବଂଶୀବଦନ’’ ବୋଲୁ ଅଛନ୍ତି । ତାଙ୍କରି ସ୍ୱର ଲହରୀ ଏମାନଙ୍କ କର୍ଣ୍ଣରେ ପ୍ରବେଶ ମାତ୍ରେ ସେହି ବସିବା ସ୍ଥାନକୁ ଏମାନଙ୍କ ଦୃଷ୍ଟି ଟାଣିନେଲା । ‘‘କିଏ, କିଏ ବୋଲୁଛି, କିଏ ବୋଲୁଛି’’ କହି ନିକଟରେ ପହଞ୍ଚିଗଲେ । ଘନକୁ ଦଣ୍ଡବତ୍‌, ଓଳଗି ଓ ଜୁହାର ପ୍ରଭୃତି ଉଚ୍ଚାରଣ କରି ମାନ୍ୟଧର୍ମ ହୋଇ ଠିଆ ହେବା ସଙ୍ଗେ ସଙ୍ଗେ ଘନ ପ୍ରଭୃତି ଉଠି ଘରକୁ ଫେରିଲେ । ସମସ୍ତେ ସଙ୍ଗ ହୋଇ ଯାଉ ଅଛନ୍ତି । ସେମାନଙ୍କ ମଧ୍ୟରେ କାଚରା, ତେଲି, ବାରିକ, ଖଡ଼ୁରା ଓ ପାଟରା ପ୍ରଭୃତି ଅଛନ୍ତି । ନଦୀ ଅତଡ଼ି ଉପରକୁ ଉଠି ଦୁଇଚାରି ପଦ କଥାବାର୍ତ୍ତା ହୋଇ ଯେଝା ବାଟରେ ଗୋଟି ଗୋଟି ହୋଇ ଘରକୁ ଗଲେ । ପାଟଣା ପଞ୍ଝା ଫେରିବାବେଳେ କାଚରା ଜଣକ କହିଲା, ‘‘ଦେଖିଲ ଭାଇ, ଆଉ ସେ ଘନ ନାହିଁ । ଆଗେ ଯେପରି ମନଖୋଲି କଥା କହୁଥିଲା, ଏବେ ସେ ଭାବ ଅଛି ?’’ ବାରିକ ସଙ୍ଗେ ସଙ୍ଗେ କହିଲା, ‘‘ଆଚ୍ଛା କଥା କହୁଛ ସାଉ ! ଆଜି ନୂଆ ଦେଖା ହେଲା ବୋଲି ପଦେ କଥା ଶୁଣିଲ, କାଲି ଦେଖିବ, ସେ ତୁମ ଆଡ଼କୁ ଚାହିଁବ ନା-? ଏକେ କରଣ ପିଲା, ପୁଣି ଅମିନ ! ଆଉ ପୂର୍ବକଥା ଛାଡ଼ ।’’ ତେଲି ପିଲାଏ କହିଲେ, ‘‘ହଁ ରେ, ଆ କେତେ ଦେଖିଛି । କୋଠିରେ ଧାନ ଥିଲେ ସେପରି ଦଶ ଜଣ ଦିନ ରାତି ବସିଥିବେ ।’’

ରାତିହେଲା, ବିମାନ ବାହାରିଲା । ଆଜି ଘନ ମୃଦଙ୍ଗିଆ । ଗ୍ରାମର ସମସ୍ତେ ଘନଙ୍କ ବାଦ୍ୟ ବଜାଇବା, ମୁଖଭଙ୍ଗୀ ଓ ପାଦଗତି ପ୍ରତି ଦୃଷ୍ଟି ଦେଇଥାନ୍ତି । ଘନ ମା ମଧ୍ୟ ଆଜି ଟିକିଏ ଚାହିଁ ଦେଇ ମନ ଖୁସିରେ ଘରକୁ ଫେରିଯାଇ ଅଛନ୍ତି । ପାଟଣା ବାଟେ ଚାଚରୀ ଗଲାବେଳକୁ ପାଟଣାମଧ୍ୟରେ ଘନ ଖଣ୍ଡକେତେ ବାଦ୍ୟ ବଜାଇଲେ ଓ ଗୋଟାଏ ଗୀତ ବୋଲିଲେ । ବୁଢ଼ାମାନେ ଶୁଣି ଖୁସି ହୋଇଗଲେ । ଚାଚରୀ ବାହାରି ଯିବାପରେ ସେମାନେ ଟିକିଏ ପିଣ୍ଡାରେ ବସି ନିଜ ପିଲାଙ୍କ ଉପରେ ବିରକ୍ତ ହେଲେ । ଜଣେ କହିଲା–‘‘ଦେଖିଲ ଭାଇ, ଘନ କେଉଁଦିନ ବାଦ୍ୟ ଶିଖିଲା, କେଉଁଦିନ ଆଖଡ଼ାକୁ ଆସିଥିଲା ? ଯେ ହବାର ସେ ହବ । ଏଗୁଡ଼ାଙ୍କ ପାଇଁ ଯେତେଗୁରୁ ଆଣିଲେଁ, କେତେ ଟଙ୍କା ଖର୍ଚ୍ଚ କଲେ, ଜଣେ କିଏ ତା ଟିପ ସଙ୍ଗେ ଟିପ ମାରିବ ।’’ ଆଉଜଣେ କହିଲା–‘‘ସେ କଥା କ’ଣ କହୁଛ; ତୁମେ ତ ଦେଖି ଆସିଲ–ସେହି ମଦନ ମହାନ୍ତି ବଂଶ ତିନି ପୁରୁଷ ହେଲା କାନ ମୋଡ଼ିମୋଡ଼ି ବେତ ପିଟି ଆସିଲେ । ଏକ୍ଷଣି ଖଣ୍ଡେ ପରୁଆନା ଆସୁ, ଜଣେ କିଏ ପଢ଼ିବ ? ଫେର ସେହି ସାହିକୁ ଗଲେ ବା ଜଣକୁ ଡାକି ଆଣିଲେ ପଢ଼ାଯିବ । ଖଣ୍ଡେ ଦସ୍ତାବିଜ୍‌ କିଏ ଲେଖି ପାରୁଛି ? ଆଉ ଅତିବଡ଼ ହୋଇ କେତେ ଗେଁ ଗେଁ, ଉହୁଁ ଉହୁଁ ହୋଇ ଦୁଇ ପୁଡ଼ାଗୀତ ବୋଲିବେ । ଆଉ ହିସାବ ? କୋଚୁଣୀ ମାଇକିନା ହାଟରେ ବସିଛନ୍ତି, ସେକେତେ ପାଠ ପଢ଼ିଥିଲେ-? ତାଙ୍କୁ କ’ଣ ଏ ଟୋକାଏ ହିସାବରେ ବଳିଯିବେ ? ଆଉ କୁଟା, କ୍ରୟବିକ୍ରୟ ଓ ନଳ ବଡ଼ବଡ଼ ପାଠ ଯେ ପଢ଼ିଲା, ସେଖାଲି ନାମ ସାର । ବିଲରେ ନଳ ପଡ଼ିଲାବେଳକୁ ସେ ପାଠସବୁ ଆମର ହଳ ପାଖକୁ ଯାଏ । ଆଉ ସେ ତ ଗନ୍ଧର୍ବବିଦ୍ୟା, ତା’ କଥା ଛାଡ଼ ।’’

ଚାଚରୀ ଯାଇ ବ୍ରାହ୍ମଣ ଶାସନରେ ପହଞ୍ଚିଲାବେଳକୁ ବ୍ରାହ୍ମଣଯାକ ମଝି ଦାଣ୍ଡରେ ଜମାହୋଇ ହୋ ହୋ, ହେ ହେ ହେଉଅଛନ୍ତି । ବ୍ରାହ୍ମଣ ସାହି ଚାଚରୀ ସଙ୍ଗରେ ଜଣେ ବୁଢ଼ା ଯାଇଥିଲେ । ସେ ପିଲାଙ୍କ ବାଦ୍ୟ ରଖାଇ ଦେଇ ଗୋଳମାଳ ମଧ୍ୟରେ ପହଞ୍ଚିବା ମାତ୍ରେ ଜଣେ ଉଠି ଆସି ବୁଢ଼ାକୁ ଭିଡ଼ିନେଇ ବସାଇ କହିଲା, ‘‘ଦାସେ, ଏ ଗାଁ ନିସାପଟା ଶୁଣନ୍ତୁ । ଗୋଟାଏ ମୁର୍ଦାର ପଡ଼ୁ, ଏ ମୁଣ୍ଡ ସେ ମୁଣ୍ଡ ଡାକି ଡାକି ଆସିଲେ ଜଣେ କେହି ବାହାରିବେ ନାହିଁ–ଆମେ ଶୀତରେ, ଖରାରେ, ଝଡ଼ିରେ ମୁର୍ଦାର କାନ୍ଧେଇବୁଁ । ଆଜି ବିମାନ ବାନ୍ଧିଆଙ୍କୁ ଡାକି ନ ଗଲୁଁ ଯେ ଏଥିପାଇଁ ଯାତ୍ରା ବନ୍ଦ ହେଉଛି । ଆପଣ ଟିକିଏ ବୁଝନ୍ତୁ ତ ।’’

ଏହାକହି ଦୁଇ ହାତରେ ଆଣ୍ଠୁରୁ ଲୁଗା ଟେକି ଟେକି ଯାଇ ନିଜ ପିଣ୍ଡାରେ ଠୁଙ୍କା ହୋଇ ବସି, ଦୁଇ ଆଣ୍ଠୁ ଉପରେ ଦୁଇ କହୁଣୀଯାକ ମାଡ଼ିଦେଇ କହିଲେ–‘‘ଆରେ ରେ, ଇଏ ଆମକୁ କ’ଣ ଦେଖିଲାଣି କି ? ଏ ଗାଁରେ ଆମେ ମୁର୍ଦାର କାନ୍ଧିଆ । ଆମେ ଡାକୁଆ ହୋଇ ରହିଲୁ । ହାଇରେ ବିଧାତା । କେଇ ଜାଣି ଆମର ମାଣେ, ତାଙ୍କର ଅତି ବଡ଼ ଦଶ ମାଣେ ଅଛି, ଏଥିପାଇଁ ସେ ବଶିଷ୍ଠ ମହାପାତ୍ରଙ୍କ ପରି ଆସି ହୁକୁମ ଚଳାଇବେ ? ଆମ ମାଣକ ଆମକୁବଡ଼, ତାଙ୍କ ଦଶମାଣ ତାଙ୍କୁ ବଡ଼ । ହଇ ହେ ଦାସ ଆପଣେ, ୟାଙ୍କ ହାତରେ ଅଛି କ’ଣ ? ଅତିବଡ଼ ହକରା ଡକରା । ଆମେ ସେଥିପାଇଁ ହକର ହକର ନ ହେଲେ ।’’ ଏହାକହି ଫଟ କରି ତାଳିଟାଏ ଦେଇ କବାଟକୁ ଧଡ଼୍‌ କରି ପକାଇ ବିଛଣାକୁ ଗଲାବେଳକୁ ବିଛଣା ତଳ ପାଖରେ, ଗୋଟାଏ ବିରାଡ଼ି ଶୋଇଥିଲା । ତା ଉପରେ ତାଙ୍କ ଗୋଡ଼ ଯୋରରେ ପଡ଼ିଗଲା ମାତ୍ରେ ସେଟା ମେଁ ମେଁ ହୋଇ ପକାଇଲାବେଳକୁ ତାଙ୍କ ଗୋଡ଼ରେ ତା ନଖ ବାଜିଗଲା । ସେ ତ ଦାଣ୍ଡରୁ ରାଗହୋଇ ଆସିଥିଲେ । ବର୍ତ୍ତମାନ ଜଳିଉଠିଲେ । ସ୍ତ୍ରୀ ବିଚାରି ଅତରଛରେ ଉଠି ଦୀପ ଲଗାଇ ରଖିଦେଲାମାତ୍ରେ ତା ପିଠିରେ ଦୁଲ୍‌ ଦୁଲ୍‌ ଦି’ ବିଧା ବଜାଇ ଦେଲେ । ପାଠକେ କ୍ଷମା କରିବେ, ସ୍ତ୍ରୀ ସମ୍ଭାଷଣ ସମୟରେ ଯେଉଁ ଭାଷା ଉଚ୍ଚାରିତ ହୋଇଥିଲା, ତାହା ଏଠାରେ ଉହ୍ୟ ରହିଗଲା ।

ସେ କବାଟ ଧଡ଼କରି ପକାଇ ଦେଲାବେଳେ ଜଣେ ବ୍ରାହ୍ମଣ ଦାସଙ୍କୁ ଡାକି କହିଲେ, ‘‘ଦେଖନ୍ତୁ, ଢଙ୍ଗ କିପରି !’’ ଦାସେ କହିଲେ, ‘‘ସେ ଅଷାଣ୍ଡୁଆ ଲୋକ । ତା ସଙ୍ଗରେ କ’ଣ ସମସ୍ତେ ବରାବର ହେବ ? ମୁଁ ଗୋଟିଏ କଥା କହେଁ ଶୁଣ । କଥାରେ କହନ୍ତି–‘ତିନି ତଣ୍ଟିଆ କାକୁଡ଼ି ବାଡ଼ି, ଖାଉ ଶିଆଳ ବେକ ମୋଡ଼ି ।’ ତୁମ ଗାଁଟି ତ ତିନିବାଡ଼ ହେଲା । ଆଉ କୋଠକାମ ଚଳିବ କିପରି ? ଠାକୁରଙ୍କୁ କାଟି ତିନିଖଣ୍ଡ କରି ବାଣ୍ଟି ନିଅ, ଭଲ ହେବ, ନୋହିଲେ ତାଙ୍କୁ ବିକି ପଇସାତକ ବାଣ୍ଟି ନିଅ, ମିଛରେ କାହିଁକି ଛଟ ପଟ ହେଉଛ ? ତୁମ ଘରେ ତୁମର କଜିଆ ହେଲା, ସେଥିପାଇଁ ଦେଶକାମ, ଗ୍ରାମକାମ, ଠାକୁର କାମରେ ତେଢ଼ାତେଢ଼ି ହେଲେ ଶିଆଳ ତମ ବେକ ଝୁଣିବ ।’’ ଏ କଥା ଶୁଣି ଜଣେ ବୁଢ଼ା କହିଲା, ‘‘ଛାଡ଼ ସେ କଥା ସେ ତ ଆମ ଦେହର ମଳି । ବର୍ତ୍ତମାନ ଟିକିଏ ବନ୍ଦକର, ପିଲାଏ ଆସିଛନ୍ତି, ଗୋଟାଏ ଗୀତ ବୋଲିଯାନ୍ତୁ ।’’ ସଂକୀର୍ତ୍ତନ ଆରମ୍ଭ ହେଲା । ଘନଙ୍କ ଗୀତ ଓ ବାଦ୍ୟ ଶୁଣି ସମସ୍ତେ ଆନନ୍ଦିତ ହେଲେ । ଚାତରୀ ଗ୍ରାମ ଟପିଗଲାରୁ ଜଣେ ବୁଢ଼ା କହିଲା, ‘‘ଦେଖ, କରଣ ପିଲା କିପରି ବଜାଉଛି ଓ ଗାଉଛି ? ଆମ ଟୋକାଏ କଜିଆକୁ ମଜବୁତ; ଆଉ ବ୍ରାହ୍ମଣ ଭୋଜନ ପଡ଼ୁ, ଦୁଇ ପିଚାକୁ ମୃଦଙ୍ଗ କରି ବାଟରେ ସବୁବାଦ୍ୟ ବଜାଇବେ । ଗ୍ରାମରେ କି ଭଦ୍ରଲୋକ ପାଖରେ କିଏ ଖଣ୍ଡେ ବଜାଇବ ନା, ବୋଲିବ !’’

ଚାତରୀ ଫେରି କରଣ ସାହିରେ ପହଞ୍ଚିଲାବେଳକୁ ରାତି ତିନି ପହର । ଠାକୁରଙ୍କୁ ମନ୍ଦିରରେ ବିଜେ କରାଇ ଛତ୍ର ପ୍ରଭୃତି ସାଇତି ଦେଇ ପିଲାମାନେ ବିଚାର କଲେ–ରାତି ତ ପାହିଲାଣି । ଆଉ କ’ଣ ଶୋଇବା ? ଚାଲ ପଶା ଖେଳିବା । ଘନ କହିଲେ, ‘‘ନା ଭାଇ, ମୃଦଙ୍ଗ ପିଟି ପିଟି ଖୁଆ ଦରଜ ହୋଇଗଲାଣି । ଆଉ ଖେଳିହେବ ନାହିଁ ।’’ ଆଉ ଜଣେ କହିଲା, ‘‘ନାହିଁ ଚାଲ ଶୋଇବା । କାଲି ଠାକୁର ଦାଣ୍ଡରେ ଭୋଗ ଖାଇବେ, ମୁଁ କିଛି ବନ୍ଦୋବସ୍ତ କରିନାହିଁ ।’’ ଠାକୁର ଦାଣ୍ଡରେ ଭୋଗ ଖାଇବା କଥା ଶୁଣି କାଲିତାଙ୍କ ନିଜ ଦ୍ୱାରେ ଠାକୁରଙ୍କ ଭୋଗ ଦେବାକୁ ଘନଙ୍କର ଇଚ୍ଛା ହେଲା । ସାଙ୍ଗମାନଙ୍କୁ ମନକଥା ଖୋଲି କହିଲେ । ସାଙ୍ଗମାନେ କହିଲେ–‘‘ହଉ ଭାଇ, ତୋର ତ ଆମ୍ଭମାନଙ୍କୁ ଖୁଆଇବା ଉଚିତ । ତୁ ଅମିନ ହେଲୁ, ରୋଜଗାର କଲୁ, ବେଳେ ଖାଇବାକୁ ଦେବୁ ନାହିଁ ? କାଲି ଭଲ ରକମ ବନ୍ଦୋବସ୍ତ କରି ଭୋଗ ଲଗାଇବା ।’’ ଘନ କହିଲେ, ‘‘ହଉ, ଚିନ୍ତା କ’ଣ ?’’ ଏପରି କହି ଆପଣା ଆପଣା ଘରକୁ ଗଲେ, ଘନ ମନେ ମନେ ଭାବିଲେ–ବାପାଙ୍କୁ କହି ନାହିଁ, ଭୋଗ ବନ୍ଦୋବସ୍ତ କିପରି କରିବି ? ହଉରାତି ପାହୁ ।

Image

 

ନାଏବ ବାବୁ

ଅଷ୍ଟମ ପରିଚ୍ଛେଦ

 

ଆଜି ଚତୁର୍ଦ୍ଦଶୀ । ଠାକୁର ଅଘି ପୋଡ଼ି ମେଳନକୁ ଯିବେ । ଗଲାବେଳେ କରଣ ସାହିର ପ୍ରତ୍ୟେକ ଘରେ ଭୋଗ ଖାଇଯିବେ । ପୂର୍ବରୁ ଯେଉଁ ତିନି ଘରଥିଲେ, ସେ ତିନି ଘରର ବଡ଼ଅଂଶ-ଦାଣ୍ଡରେ ଭୋଗଖା’ନ୍ତି । ସାନ ଭାଇ ଅଂଶର ଲୋକ ଭୋଗ ଦେବାକୁ ଇଚ୍ଛା କଲେ ସେଠାକୁ ପଠାଇ ଦିଅନ୍ତି । ଘନଙ୍କ ଘର ମଧ୍ୟ ବର୍ତ୍ତମାନ ତିନି ଘର ହୋଇଅଛି । ଘନ ସାନ ଭାଇ ଅଂଶ । ତାଙ୍କ ଘର ଦାଣ୍ଡରେ ଠାକୁର କେବେ ଭୋଗ ଖାଇନାହାନ୍ତି । ଆଜି ଘନ ନିଜ ଦାଣ୍ଡରେ ଠାକୁର ବିଜେ କରାଇ ଭୋଗ ଦେବାକୁ ଇଚ୍ଛା କରି ବୋଉକୁ କହିବାରୁ ସେ ଘନଙ୍କ ପିତାଙ୍କୁ କହିଲେ । ମଦନ ମହାନ୍ତି ଟିକିଏ ଭାବି କହିଲେ, ‘‘ଆମର ତ ବଡ଼ ଅଂଶ ଦାଣ୍ଡରେ ଭୋଗହୁଏ; ଆଉ ଆମ ଦାଣ୍ଡରେ କେବେଠାକୁର ଆସି ନାହାନ୍ତି । ସାହିବାଲା କ’ଣ କହିଲେ–ଠାକୁର ଛାଡ଼ିବେ କି ନାହିଁ, ସେ କଥା ବୁଝ, ଯଦି ପାରିବ କରୁ, ଭଲ କଥା, ମୁଁ କିଛି କରିପାରିବି ନାହିଁକି କାହାକୁ କହିପାରିବି ନାହିଁ-।’’ ଘନ ମା’ଙ୍କଠାରୁ ପିତାଙ୍କ କହିବା କଥା ଶୁଣି ଠାକୁରଙ୍କର ମାର୍ଫତଦାରଙ୍କୁ କହିଲେ । ମାର୍ଫତଦାର ସେ ସାହିର ଜଣେ ବଡ଼ ଅଂଶବାଲା । ସେ କହିଲେ, ହଉ, ମୁଁ ବୁଝି କହିବି । ଘନ ସେଠାରେ ବସି ରହି ଶୀଘ୍ର ବୁଝିବାକୁ ଲଗାଇଲେ । ମାର୍ଫତଦାର ଗ୍ରାମର ବୁଢ଼ାମାନଙ୍କୁ ଡାକି ପଚାରିଲେ । ଜଣେ ବୁଢ଼ା ଘନଙ୍କର ମୁରବି ହିସାବରେ ଦୁଇ ପୁରୁଷଛଡ଼ା ସାନ୍ତବାପା ହେବେ । ସେ କହିଲେ, ‘‘ତା କିପରି ହେବ ? ତାଙ୍କର ଭୋଗ ଦେବାର ହେଲେ ଆମ ଦାଣ୍ଡକୁ ପଠାଇ ଦେବେ ।’’ ଘନ ତର୍କ କଲେ । ଘନଙ୍କ ପ୍ରଶ୍ନର ଉତ୍ତର ଦେଇ ତାଙ୍କୁ କେହି ହଟାଇ ପାରିଲେ ନାହିଁ, ମାତ୍ର କଥା ଗୋଳାଇ ଦେଇ ନାହିଁ କରିଦେଲେ । ଘନ ସେଠାରୁ ଯାଇ ବ୍ରାହ୍ମଣ ଶାସନରୁ ପୁରୋହିତ ଓ ଆଉ ଭଦ୍ରଲୋକ ଦୁଇଜଣ ଆଣି ନ୍ୟାୟକଲେ । ଶେଷରେ’’ କିଛି ଦୋଷ ନାହିଁ । ସମସ୍ତଙ୍କ ଠାକୁର । ଯାହାର ଭକ୍ତିହେଲା, ସେ ଭୋଗ ଦେଲା, କ୍ଷତି କ’ଣ ? ଠାକୁର ତ ବୁଲନ୍ତି, ସେଠାରେ ଭୋଗହେଲେ ଦଣ୍ଡେ ବିଳମ୍ୱ ହେବ, ଏଥିପାଇଁ ହାନି କ’ଣ ?’’ ସମସ୍ତେ ଏହିପରି କହିଲେ । ଘନଙ୍କ ବଡ଼ ଅଂଶର ବୁଢ଼ା କହିଲେ, ‘‘ଗ୍ରାମରେ ୫୦ ଘର ଥିବ, ସମସ୍ତେ ନିଜ ନିଜ ଦାଣ୍ଡରେ ଭୋଗ ଖୁଆଇବାକୁ କହିବେ, ତେବେ ଯାତ୍ରା ହେବ କେତେବେଳେ ?’’ ପୁରୋହିତ କହିଲେ, ‘‘ଦିନକରେ ନ ହେଲେ ଦୁଇ ଦିନରେ ହେବ । ଏଠାରେ ତ ସେପରିକଥା ନାହିଁ–ଘର ଚାରି ପାଞ୍ଚଟା । ସେ କଥା କାହିଁକି ପଡ଼ିଛି-?’’ ଘନଙ୍କ ସାନ୍ତବାପା ବଡ଼ ଆପତ୍ତି କଲେ । ଏ ମଧ୍ୟରେ ଘନ ସାଙ୍ଗମାନଙ୍କୁ ଆଗରୁ ହାତକରି ନେଇଅଛନ୍ତି । ଭେଣ୍ଡିଆ ପଞ୍ଝା କହିଲେ, ‘‘ହଇ ହୋ, ଜଣେ ଭକ୍ତିରେ ଖରଚ କରି ଠାକୁରଙ୍କୁ ପୂଜା କରିବ, ଅନ୍ୟର କ୍ଷତି କ’ଣ ?’’ ଜଣେ କହିଲା, ‘‘ଘନ ଭାଇ! ତୁମେ ବନ୍ଦୋବସ୍ତ କର, ଠାକୁର କାହିଁକି ଯିବେ ନାହିଁ ?’’ ସାନ ଅଂଶବାଲା ବହୁତ ଲୋକ । ସେମାନେ ଘନଙ୍କ ପଟ ଅଇଲେ । ବଡ଼ଅଂଶ କମ୍‌ ଲୋକ । ଟୋକାମାନେ ଚିହ୍ନା ପଡ଼ି କିଛିକହୁ ନ ଥାନ୍ତି–ବୁଢ଼ା ଦୁଇଜଣ କେବଳ ଆପତ୍ତି କରୁଥାନ୍ତି । ଶେଷରେ ପୁରୋହିତ କହିଲେ, ‘‘ଏଗୁଡ଼ାକ ହିଂସା କଥା । କିହୋ, ତାର ଅବସ୍ଥା କୃପାଦୃଷ୍ଟିରେ ଚାହିଁଲେ, ସେ ତାଙ୍କଠାରେ କୃତଜ୍ଞତା ପ୍ରକାଶ କରିବ ନାହିଁ ? ଏଥିପାଇଁ ଏତେ ଆପତ୍ତି କାହିଁକି ? ତୁମେମାନେ ଆଜି ବିଚାର କରି ଠାକୁର ତା’ ଦାଣ୍ଡକୁ ନ ଛାଡ଼ିବ, ସେଥିରେ କ’ଣ ତୁମ ପ୍ରତି ଠାକୁର ବେଶି ସନ୍ତୁଷ୍ଟ ହେବେ, ତା ପ୍ରତିକମ୍‌ ସନ୍ତୁଷ୍ଟ ହେବେ ? ସେ ସବୁ ଭ୍ରମ କଥା-। ସୁଖ ଦୁଃଖ ଚକ ପରି ଘୁରୁଛି । କାଲି ସେ ଦୁଃଖ ପାଇଥିଲା, ଆଜି ତାର ଭାଗ୍ୟ ହେଲା । ଆଜି ସେ ଇଚ୍ଛା କରିବ ସ୍ୱତନ୍ତ୍ର ଠାକୁର କରି ଯାତ୍ରା କରିବ, ସେତେବେଳେ କ’ଣ ତୁମେ ବଡ଼ ଅଂଶ ବୋଲି ମାନ କରିପାରିବ ? ସେଗୁଡ଼ାକ ଭଲ କଥା ନୁହେଁ । ଏହିପରି ଆପଣା ଆପଣାମଧ୍ୟରେ ଆପଣାଗୋଡ଼ ଆପେ ହାଣି ଛୋଟା ହୋଇପଡ଼ିବ ।’’ ଘନଙ୍କ ସାନ୍ତବାପା ରାଗି’’ହଉ ତୁମ ଇଚ୍ଛା, ଯାହାକର, ଏଣିକି କ’ଣ ବୁଢ଼ାଙ୍କ କଥା ରହିବ ଯେ, ଆମକୁ ପଚାରୁଛ ?’’ କହି ଉଠିଯିବାବେଳେ ପୁରୋହିତ କହିଲେ, ‘‘ହଉ ହଉ, ଟିକିଏ ବସ । ତୁମେ କ’ଣ ବୁଢ଼ା ଓ ମୁରବିଲୋକ ହୋଇ ଏପରି ରାଗୁଛ ?’’ ସେ କହିଲେ, ‘‘ଆମ ମୁରବିପଣ ଏଣିକି ଗାତରେ ପଶିବ ।’’ ପୁରୋହିତ–‘‘ହଁ ତାହା ନୁହେଁ କ’ଣ ? ତେବେ ତୁମ ଘର ମଧ୍ୟରୁ ଜଣେ ଯୋଗା ହେଲା ଏହା ତୁମର ଆନନ୍ଦର କଥା, କି ମନ୍ଦ କଥା–ଭାବୁ ନାହଁ ! ଗୋଟିଏ କଥା ଶୁଣ । ଆମେମାନେ ସାମାନ୍ୟ କଥାରେ ହସୁଚେଁ କାନ୍ଦୁଚେଁ, କିନ୍ତୁ ଈଶ୍ୱରଙ୍କର ହସିବା କାନ୍ଦିବାର କାରଣ ତ କିଛି ନାହିଁ । ମାତ୍ର ସେ ଯୋଡ଼ିଏ କଥାରେ ହସନ୍ତି । ଗୋଟିଏ କଥା–ସେ ଯାହାକୁ ଭଲ କରିବାକୁ ଇଚ୍ଛା କରନ୍ତି, ତାକୁଯେଉଁଲୋକ ମନ୍ଦ କରିବାକୁ ଚାହେଁ, ତାକୁ ସେ ହସନ୍ତି । ଆଉ ଗୋଟିଏ କଥା –ସେ ଯାହାକୁ ମନ୍ଦ କରିବାକୁ ବସନ୍ତି, ତାକୁ ଯେ ଭଲ କରିବାକୁ ଚେଷ୍ଟାକରେ, ତାକୁ ସେ ହସନ୍ତି । ତାକୁ ଆମ ବିଚାରରେ କ’ଣ ଅଛି ? ଯେତେବେଳେ ଈଶ୍ୱର ଯାହାକୁ ଯେପରି କରିବେ, ସେ ସେପରି ଚାଲିବ । ଏସବୁ କେବଳ ଲୋକହସା କଥା ।’’ ଘନଙ୍କ ସାନ୍ତାବାପା ଟିକିଏ ଅପ୍ରତିଭ ହୋଇ ଉଠିଗଲେ । ଆଉ ସମସ୍ତେ ଚାଲିଗଲେ । ଘନଙ୍କ ଦାଣ୍ଡରେ ଭୋଗ ହେବା କଥା ସ୍ଥିରହେଲା । ଘନ ଶୀଘ୍ର ସ୍ନାନାହାର କରି ଠାକୁର ପୂଜାର ଆୟୋଜନରେ ଲାଗିଲେ । ତାଙ୍କ ମା’ଙ୍କ ମନ ବଡ଼ ଆନନ୍ଦିତ ହେଲା ।

 

ଘନ ଘିଅ, ଗୁଡ଼, ବିରି, ମୁଗ, ଗହମ, ନଡ଼ିଆ ପ୍ରଭୃତି ସବୁ ଆଣିଥିଲେ । ଆଉସବୁ ପଦାର୍ଥ ପାଟଣା ମଧ୍ୟରୁ ମଦନ ମହାନ୍ତି ଖୋଜି ଆଣି ଦେଲେ । ଘନ ଟିକିଏ ଆଡ଼ମ୍ୱର ସହକାରେ ବନ୍ଦୋବସ୍ତ କରିବାକୁ ଲାଗିଲେ ।

 

ଚତୁର୍ଦ୍ଦଶୀ ଦିନ ମେଳନକୁ ଗଲାବେଳେ ଯାହାର ଯେତେ ସାଜସଜ୍ଜା ସବୁ ଠାକୁରଙ୍କ ସଙ୍ଗରେ ବାହାରେ । କରଣ ସାହିରେ ଆଜି ବଡ଼ ଧୁମ୍‌ଧାମ୍‌ରେ ଲାଗିଛି । ସବୁ ବୈରାଗ, ଶାଖା, ବୁଢ଼ାବୁଢ଼ୀ, ବଗ, ଷଣ୍ଢ, ପଣସୁଆ, ଫଳ ପ୍ରଭୃତିର ଆୟୋଜନ ଲାଗିଅଛି । ସନ୍ଧ୍ୟାବେଳ ହେବାରୁ ବିମାନ କାନ୍ଧିଆ ପ୍ରଭୃତି ଲୋକର ଆୟୋଜନ କରାଗଲା । ପ୍ରତିଦିନ ଯେଉଁମାନେ ବିମାନ କାନ୍ଧାନ୍ତି, ସେମାନଙ୍କ ମଧ୍ୟରୁ ଜଣକର ଶରୀର ଅସୁସ୍ଥ ହେବାରୁ ସେ ତାର ଜଣେ ଯୁଆଇଁଙ୍କୁ ଖବର ଦେଇଥିଲା । ଯୁଆଇଁ ମଇଁଷି ରଖେ । ଫଗୁଣ ମାସରେ ମଇଁଷି ସବୁ ବିଲମାନଙ୍କରେ ରହନ୍ତି । ଗାଈ ଗୋବରଠାରୁ ମଇଁଷିମୂତରେ ବେଶି ସାରଥାଏ । ଯାହାର ମଇଁଷି ଥାଏ, ସେ ଆପଣା ବିଲମାନଙ୍କରେ ଚୈତ୍ରମାସ ଶେଷ ପର୍ଯ୍ୟନ୍ତ ଗୋଠକରେ; ଯାହାର ନ ଥାଏ, ସେ ଗୌଡ଼ଙ୍କୁ ପଇସା ଦେଇ ଗୋଠକରାଏ । ଏଣୁ ସେଖଣ୍ଡର ସମସ୍ତ ମଇଁଷି ବିଲରେ ଅଛନ୍ତି । ଫଗୁଣମାସରେ ବିଲରେ ଫସଲ ନ ଥିଲେ ମଧ୍ୟ ଖରସ୍ରୋତାକୂଳରେ ନାନାପ୍ରକାର ଫସଲ ଥାଏ । କେହି ବାଲି-ବୋଇତି ଆଳୁ, କେହି କାକୁଡ଼ି, କେହି ବାଇଗଣ, ଶାଗ, କଲରା ପ୍ରଭୃତି ଲଗାଇଥାଆନ୍ତି । ଏଣୁ ରାତିରେ ମଇଁଷିକୁ ସାବଧାନରେ ରଖିବାକୁ ହୁଏ । ସେ ଅନ୍ୟ ଗଉଡ଼କୁ କହି ଆଜି ବିମାନ କାନ୍ଧେଇ ଆସିବାବେଳେ ଶାଶୁ ଗ୍ରାସେ ଖାଇବାକୁ ଦେଇ ଛାଡ଼ି ଦେଇଛନ୍ତି । ବିମାନ କାନ୍ଧିଅମାନଙ୍କ ନିଜ କାନ୍ଧ ଉଚ୍ଚରେ ଗୋଟିଏ ଆଶାବାଡ଼ି ଥାଏ । ଯେଉଁଠାରେ ପଟୁଆର ରହେ, ସଂକୀର୍ତ୍ତନ ହୁଏ ଓ ଭୋଗ ହୁଏ, ସେଠାରେ ସେମାନେ ଭକ୍ତବାଡ଼ି ଉପରେ ବିମାନକୁ ରଖିଛିଡ଼ା ହୋଇଥାନ୍ତି । ଗଉଡ଼ମାନଙ୍କର ଛିଡ଼ା ହୋଇ ଶୋଇବାର ଅଭ୍ୟାସ ଥାଏ । ବର୍ଷାଝଡ଼ ହେଉଥିବାବେଳେ ସେମାନେ ମଇଁଷି ଚରାଉଥାନ୍ତି । ଟାଙ୍ଗର ଭୂମି ଦେଖି ଛିଡ଼ାହୋଇ କାଖତଳେ ବାଡ଼ି ଉପରେ ଶରୀରର ଭରା ଦେଇ ଗାଢ଼ ନିଦ୍ରା ଯାନ୍ତି । ଆଜି ସେ ଦିନ ଯାକ ମଇଁଷି ଚରାଇ ବୁଲିବୁଲି ଆସିଥିଲା । ତା’ ଉପରେ ଶାଶୁ ଗ୍ରାସେ ଭାତ ଖୁଆଇ ଦେଇଥିବାରୁ ସେ ଚାଲୁ ଚାଲୁ ଢୋଳେଇ ପଡୁଛି । ଠାକୁର ପ୍ରଥମେ ଘନଙ୍କ ସାନ୍ତବାପା ଘର ଦାଣ୍ଡରେ ଭୋଗଖାନ୍ତି । ସେଠାରେ ବିମାନ ପହଞ୍ଚି ପୂଜା ଆରମ୍ଭ ହେଲାବେଳକୁ ସେ ଭାବିଲା–ବର୍ତ୍ତମାନ ସମୟ ମିଳିଛି, ଟିକିଏଶୁ ଏଁ । ଆଶାବାଡ଼ି ଉପରେ ବିମାନ ଓ ଶରୀର ଭରା ଦେଇ ସେ ଘୁଙ୍ଗୁଡ଼ି ମାରିବାକୁ ଆରମ୍ଭ କଲା । ପେସ୍କାର ମେଜକୁ ପିଟି ପିଟି ନିଦ ଭଙ୍ଗାଏ । କେତେ ଶିକ୍ଷକ ପଢ଼ାଉ ପଢ଼ାଉ ଶୋଇ ପଡ଼ନ୍ତି–ପିଲାମାନଙ୍କ ଗୋଳମାଳ ଶୁଣି ନିଦ ଭାଙ୍ଗେ । କେତେ ବାରିକ ଘଷୁ ଘଷୁ ଶୁଅନ୍ତି । କେତେଲୋକ ମୁଣ୍ଡରୁ ଉକୁଣୀ ଦେଖାଉ ଦେଖାଉ ଶୁଅନ୍ତି । ଥରେ ଗୋଟାଏ ଚଷା ଶଗଡ଼ ଅଡାଉଥିଲା, ଘୁମାଇ ଘୁମାଇ ଖସିପଡ଼ିଲା, ମାତ୍ର ତା ଖୁଆରେ ଚକ ଚାଲିଗଲା । ଭାଗ୍ୟକୁ ଖାଲି ଗାଡ଼ିଥିବାରୁ ସେ ପ୍ରାଣ ପାଇଗଲା । ତଥାପି ସେ ଛ’ ମାସ ବିଛଣାରେ ପଡ଼ିରହିଲା । ବାଟ ଚାଲୁଚାଲୁ ମଧ୍ୟ କେହି କେହି ଶୁଅନ୍ତି ! କାହାର ଗୁରୁଭୋଜନ, କାହାର ଶରୀରରେ ଜଳଦୋଷ, କାହାର ପରିଶ୍ରମଜନିତ କ୍ଳାନ୍ତି ବଶରୁ ଏହିପରି ଅସମୟରେ ନିଦ୍ରାସୁଖ ଭୋଗହୁଏ ।

 

ଆଜିକାଲି ପୂଜାରେ ଯେପରି ଧୁମ୍‌ଧାମ୍‌ ନାହିଁ, କେବଳ ସାଜସଜ୍ଜାରେ ଧୁମ୍‌ଧାମ୍‌ରେ, ସେତେବେଳେ ସେପରି ନ ଥିଲା । ସେ ସମୟରେ ବିଧମତ ପୂଜାଟି ନ ହେଲେ ବୁଢ଼ାମାନେ ଛାଡ଼ୁ ନ ଥିଲେ । ଆଜିକାଲି ମଧ୍ୟ ସେଗୁଡ଼ାକ ଚିଟା ଲାଗିଲାଣି–ବରାବର ସେଗୁଡ଼ାକ ପ୍ରତିଥର ହେଉଛି । ନୂଆ ନାହିଁ, ପରିବର୍ତ୍ତନ ନାହିଁ, ସେଇ ନାକ ଛୁଆଁ, କାନ ଛୁଆଁ, ଚୁଟି ଛୁଆଁ; ହସ୍ତକରେ କୌତୁକ ନାହିଁ–କି ତାହା ନେତ୍ର ପ୍ରୀତିକର କିମ୍ୱା କର୍ଣ୍ଣ ପ୍ରୀତିକର ନୁହେଁ । ଏକ୍ଷଣି ବ୍ରାହ୍ମଣ ଟିକିଏ ପୂଜାରେ ବିଳମ୍ୱ କଲେ ବିମାନ କାନ୍ଧିଆ ପର୍ଯ୍ୟନ୍ତ କହି ପକାଇବେ–କେତେଏ ଇଟା ନାକ କାନ ଛୁଉଁଛି । ମଣିଷର ଗୋଡ଼ ଫାଟି ପଡ଼ିଲାଣି । ଏଣିକି ବ୍ରାହ୍ମଣ ମଧ୍ୟ ବାପେ ଏପରି କରୁଥିଲେ ଦେଖି ବିଧି ରକ୍ଷା କରୁଛନ୍ତି; କିନ୍ତୁ ବାପେ କାହିଁକି କରୁଥିଲେ, ତାହା ଜାଣନ୍ତି ନାହିଁ । ଯଜମାନ ମଧ୍ୟ ‘‘ବାପାଙ୍କ ଅମଳରୁ ଏପରି ହୋଇ ଆସୁଛି; ହଉଥାଉ ।’’ ବୋଲି ବିଧିରକ୍ଷା କରୁ ଅଛନ୍ତି । ତ୍ୟାଗ ନାହିଁ, ପରିବର୍ତ୍ତନ ନାହିଁ, କି ନୂତନତ୍ୱ ନାହିଁ । ମନୁଷ୍ୟର ପ୍ରକୃତି ପୁରାତନକୁ ଛାଡ଼ି ନୂତନକୁ ଆଦର କରିବା, ଆଉ ମଧ୍ୟ ଯେମିତି ପୁରୁଣା ହେଉ, ସାକ୍ଷାତ୍‌ ହାତକୁ ହାତ ଲାଭ ପାଇଲେ ଆଦର ବଢ଼େ । ସେତେବେଳେ ବିଶ୍ୱାସ ବଳରେ ଆଦର ଥିଲା । କଥାରେ କହନ୍ତି–‘‘ଦୃଢ଼େ ତରନ୍ତି, ମୂଢ଼େ ତରନ୍ତି, ମଝିମଝି କଥା ବୁଡ଼ି ମରନ୍ତି ।’’ ପଠାଣଙ୍କୁ ଦେଖ–ବାଟରେ ଚାଲି ଯାଉଁ ଯାଉଁ ଯେବେ ଅସ୍ତ ସମୟ ହେଲାକି ଉଦୟ ସମୟକୁ ହେଲା, ତେବେ ରାସ୍ତାକଡ଼ରେ ଘାସ ଉପରେ ରୀତିମତ ଦୁଇବେକ ମୁଣ୍ଡରେ ପଗଡ଼ି ବା ପୋଛଖଣ୍ଡ ଭୂମିରେ ପକାଇ, ତା ଉପରେ ଆଣ୍ଠୁମାଡ଼ି ବସି ‘‘ଆଲ୍ଲା ଆଲ୍ଲା’’ ହେଲେ । ଇଂରାଜୀଜାତିକୁ ଦେଖ–ଯେତେକାମ ଥାଉ, ରବିବାର ଦିନ ଗୀର୍ଜାଘଣ୍ଟା କାନରେ ବାଜିଲାମାତ୍ରେ ପରିଷ୍କାର ବେଶରେ ଯାଇ ଆଣ୍ଠୁମାଡ଼ି ବସିଲେ । ଆଉ ଆମର ଯେତେବେଳେ ସମୟ ହେଲା, ମନେ ପଡ଼ିଲା ନାହିଁ ତ ଦିନେ ଗଲା । ଦେବ ମନ୍ଦିର ପର୍ଯ୍ୟନ୍ତ ଯାଏ କିଏ, ସେସବୁ ଚେମୁଣିଆ ପାରା ମୂଷା ଓ ସର୍ପ ପ୍ରଭୃତିଙ୍କ ପାଇଁ ଉତ୍କୃଷ୍ଟ । ଅନ୍ୟ ଦେଶରେ ଜଣେ କେହି ଦେବଗୃହ ଖଣ୍ଡିଏ ନିର୍ମାଣ କଲେ ତାହା ପ୍ରତି ଲୋକଙ୍କର କି ଆଦର, କି ସହାନୁଭୂତି ! ଏଠାରେ ଜଣେ ଯଦି ମନ୍ଦିର କଲା, ସେଠାକୁ ଗ୍ରାମର ଅନ୍ୟ ଜଣେ ଯିବା କଠିନ । କେହି କେହି ମଧ୍ୟ ନିଜର ଅପମାନ ଓ ସମ୍ମାନହାନି ବୋଲି ଭାବନ୍ତି । ସ୍ଥାନେ ସ୍ଥାନେ ଏପରି ମଧ୍ୟ ଦେଖାଯାଏ, କେବଳ ନାମକାବାସ୍ତେ ସୁନ୍ଦର ମନ୍ଦିର, ସୁନ୍ଦର ଠାକୁର ପୂଜାବିଧାନ । ସବୁଠିକ୍‌, ମାତ୍ର ଦର୍ଶନ ନାସ୍ତି । ବ୍ରାହ୍ମଣ ବିଚାରା ଆସି ଆରତି କରି ଅସରପାମାନଙ୍କୁ ଆରତି ସେବା କରାଏ ଏବଂ ସେମାନଙ୍କୁ ଓ ଉପରେ ଝୁଲୁଥିବା ଚେମେଣିଆ ପ୍ରଭୃତିଙ୍କୁ ପଦେ ଅଧେ ପୁରାଣ ଶୁଣାଇ ଚାଲିଯାଏ । ଯଦି କେବେ ପଶାଖେଳ କିମ୍ୱା ସାକ୍ଷୀ ପ୍ରସ୍ତୁତି କରିବା ପ୍ରଭୃତି କାର୍ଯ୍ୟ ପଡ଼େ, ତେବେ ଦେବ ମନ୍ଦିରରେ ପଦାର୍ପଣ କରାଯାଏ । ସବୁସ୍ଥାନରେ ସବୁ ସମୟରେ ବଡ଼ସାନ ଛାଡ଼ି ମଝି ମଝିଆ କାର୍ଯ୍ୟକରନ୍ତି । ମାତ୍ର ଏଠାରେ ସେମାନେ ଧନ୍ଦାରେ ପଡ଼ି ଧୁନ୍ଦ ହେଉଅଛନ୍ତି । ଆଗ ପଛକୁ ଚାହିଁବାକୁ ସମୟ କାହିଁ ? ଏପରିସ୍ଥଳରେ ପୂର୍ବୋକ୍ତ ଅବସ୍ଥା କାହିଁକି ନ ଘଟିବ ? ଜଣେ ଖଣ୍ଡେ ଦେବମନ୍ଦିର କରିଅଛି । ସେଥିରେ ଠାକୁର ଅଛନ୍ତି । ତାଙ୍କୁ ଦର୍ଶନ କଲେ କ’ଣ ପୂଣ୍ୟ ମିଳିବ ନାହିଁ ? କେବଳ ତାମସିକ ଭାବରେ ସେ ଗୋଟାଏ କରିଲେ ଆମେ ଗୋଟାଏ କରିବା, ମାତ୍ର ଭକ୍ତିର ଲେଶମାତ୍ର ନାହିଁ । ଜଣେ ଠାଏ ମନ୍ଦିର କଲା ତ ଗ୍ରାମର ଗୋଟାଏ ଅଭାବ ପୂରଣ ହେଲା । ତୁମର ପଇସା ହେଲା ତ ତୁମେ ଆଉ ଗୋଟାଏ ଅଭାବ ପୂରଣ କର–ଯଶ କୀର୍ତ୍ତିକର, ପାଠଶାଳା ପାଇଁ ଗୃହଖଣ୍ଡିଏ କର, ଭଲ ରାସ୍ତାଟିଏ କର । ଏପରି କଲେ ସିନା ଦେଶର ଓ ଗ୍ରାମର ମଙ୍ଗଳ ହେବ ।

 

ବ୍ରାହ୍ମଣ ସବିଧିରେ ଷୋଡ଼ଶୋପଚାରରେ ପୂଜା କରୁଅଛନ୍ତି । ବିମାନ କାନ୍ଧିଆମାନେ ଆଚ୍ଛାକରି କଡ଼େ କଡ଼େ ଶୋଇ ଗଲେଣି । ପୂଜା ଶେଷରେ ଘନଙ୍କ ସାନ୍ତବାପାଙ୍କୁ ପୁରୋହିତ ଅବିର ପାତ୍ର ବଢ଼ାଇ ଦେଇ, ଠାକୁରଙ୍କ ଉପରେ ଦେବାକୁ ସଂକେତ କରିବାରୁ ସେ ବୁଢ଼ାବିମାନ ନିକଟକୁ ଗଲାବେଳେ ଦେଖିଲେ ଯେ, ନୂଆ ବିମାନ କାନ୍ଧିଆ ତାତ୍ପର୍ଯ୍ୟ ଘୁଙ୍ଗୁଡ଼ି ମାରୁଛି । ଏ, ଏ’ କହି ତା’ ମୁଣ୍ଡରେ ହାତମାରି ଦେବାମାତ୍ରେ ସେ ବାଉଳି ହୋଇ ମଇଁଷି କୁଦକୁ ଗଲେ ଭାବି, ଆଶାବାଡ଼ିକୁ ଉଠାଇ ଧରିବାବେଳକୁ ତା’ କାନ୍ଧରୁ ବିମାନ ଖସି ଯାଇ ବୁଢ଼ାଙ୍କ ହାତ ପେଣ୍ଡା ଉପରେ ଦଣ୍ଡାକାଠ ପଡ଼ିବାମାତ୍ରେ ତାଙ୍କ ହାତରୁ ଅବିର ଭାଣ୍ଡଟି ତଳେ ପଡ଼ିଗଲା । ସେ ବହୁ କଷ୍ଟରେ ବିମାନକୁ ସମ୍ଭାଳି, ପାଖରେ ଛିଡ଼ା ହୋଇଥିବା ଜଣେ ଲୋକ ହାତରେ ଦଣ୍ଡାକୁ ଦେଇ ଦେଲେ । ଦିନଯାକ ଘନଙ୍କ ଦାଣ୍ଡରେ ଭୋଗହେବା କଥାରେ ତାଙ୍କ ମନ ତ ସାରୁ ଖାଇଲା ପରି ହେଉଥିଲା, ବର୍ତ୍ତମାନ ଏ ଘଟନାରେ ତ ତାଙ୍କ ଦେହ ବିଛୁଆତି ଲାଗିଲା ପରି ହୋଇଗଲା । ସେ ବୁଲିଯାଇ ଗଉଡ଼ର ଚୁଟି ଧରି ଟାଣିଲାବେଳକୁ ତା ବେକ ନୁଆଇଁ ପାରିଲେ ନାହିଁ । ଅତିରାଗରେ ତା’ ପଛ କତିକି ବୁଲି ଯାଇ ତା ପିଠିରେ ବଳ ମୁତାବକ ବିଧା କଷି ଦେଲେ । ମାତ୍ର, ତା ପିଠି କଦଳୀ ଭଣ୍ଡା ପରି ହୋଇଛି, ମେରୁଦାଢ଼ ଚକେ ଗହୀରରେ ବୁଢ଼ାଙ୍କ ବିଧାଗୁଡ଼ାକ ତାକୁ ଭଣ୍ଡାରୀଙ୍କ ଫୁଟକି ପରିବୋଧ ହେଲା । ସେ ମଞ୍ଜି ମିଞ୍ଜି ଚାହୁଁଥାଏ । ଦୋଷ ତ କରିଛି କହିବ କ’ଣ ? ବିମାନ ସହିତ ଉଠି ‘‘ହାଁ, ହାଁ ସେ ଶୋଇ ପଡ଼ିଥିଲା ଜାଣେନାହିଁ, ଗଉଡ଼ିଆ ଲୋକ’ କହି, ବୁଢ଼ାଙ୍କୁ ଭିଡ଼ି ଆଣିଲେ । ଘଣ୍ଟା ବାଜିଲା । ଠାକୁର ଘନଙ୍କ ଦୁଆରକୁ ବାହାରିବା ବେଳେ ଜଣେ କରଣ ଆସି କହିଲେ, ‘‘ଆଗ ଆମର ଭୋଗହେବ, ଆମ ଦ୍ୱାରକୁ ଠାକୁର ଆଣ ।’’

 

ପୁରୋହିତ–କାହିଁକି ?

 

କରଣ–ଏଠାରେ ଭୋଗହେବା ପରେ ଆମର ଭୋଗ ବରାବର ହୋଇ ଆସୁଛି । ଆଜି ଜଣେ ନୂଆକରି ଭୋଗ ଦେଉଛି ବୋଲି କ’ଣ ଆଗରେ ତାଙ୍କର ପୂଜାହେବ ? ତାଙ୍କ ପଛରେ ହେବ ।

 

ପୁରୋହିତ–ହଇ ହେ, ଠାକୁରଙ୍କର କ’ଣ ପେଟ ପୂରିଯିବ, କି ତୁମ ଦ୍ୱାରେ ଆଉ ଖାଇ ପାରିବେ ନାହିଁ ? କିହୋ, ତୁମେସବୁ ଜାଣିବା ଶୁଣିବା ଲୋକ ହୋଇ ଏପରି କହୁଛ, ଆଉ ଚଷା ତେଲିଙ୍କୁ କ’ଣ କହିବା ? ଠାକୁର ଅଘି ପୋଡ଼ି ବିଜେ ହେଉଛନ୍ତି, ତୁମ ଦ୍ୱାରକୁ ଯାଇ ଫେର ଫେରିବେ କିପରି ?

 

କରଣ–ନୋହିଲେ ଫେରିବାବେଳକୁ ତାଙ୍କର ପୂଜା ଦେବେ ।

 

ପୁରୋହିତ–ତାଙ୍କର ଦ୍ୱାରବାଟେ ଠାକୁର ଚାଲିଗଲେ ସେ ଯେଉଁ ସମାଗ୍ରୀ ଭୋଗ ପାଇଁ ପ୍ରସ୍ତୁତି କରିଛନ୍ତି, ସେ ସବୁ ମାରା ହୋଇଯିବ ।

 

କରଣ–ତୁମର ଖାଲି ପକ୍ଷପାତ କଥା–ବର୍ଷା ଯୁଆଡ଼େ ଛତା ଟେକିବ ସେଇ ଆଡ଼େ ।

 

ପୁରୋହିତ–ସଂସାର ସେଇଆ । ବର୍ଷା ଆଡ଼େ ଛତା ନ ଟେକିଲେ ତିନ୍ତିବାକୁ କାହାକୁ ସୁଖ ଲାଗେ ? ଏଗୁଡ଼ାକ ଭଲ କଥା ନୁହେଁ । ଦେଖିସହି ନ ପାରିବା କଥା । ଗ୍ରାମ ମଧ୍ୟରେ ଏପରି ବାଦ ହେଲେ କାହାରି ମଙ୍ଗଳ ହେବ ନାହିଁ । କାଠ କହେ, ‘‘ଆମରି ଭିତରୁ ଖଣ୍ଡେ ଟାଙ୍ଗିଆ ଭିତରେ ପଶି ଆମଙ୍କୁ ହାଣୁଛି । ନୋହିଲେ ଟାଙ୍ଗିଆ ଆମର କଣ କରନ୍ତା ।’’ ସେହିପରି ଆମେମାନେ ଆପଣା ଆପଣା ମଧ୍ୟରେ ହଣାହାଣି ହୋଇ ନିଜେ ନିଜେ ମରୁଛେଁ, ନୋହିଲେ ଆମର ଦୁଃଖ କ’ଣ, କିଚିନ୍ତା କ’ଣ ?

 

କରଣ ମୁହଁ ଶୁଖାଇ ଚାଲିଗଲେ । ଠାକୁର ଘନଙ୍କ ଦ୍ୱାରରେ ବିଜେ ହେଲେ । ଘନଙ୍କ ଘରେ ଆରତି ପାତ୍ର ପ୍ରଭୃତି ଯାହା ନ ଥିଲା, ସେସବୁ ସେ ମହାଜନଙ୍କ ଘରୁ ଆଗରୁ ମାଗି ଆଣି ଅଛନ୍ତି । ଘନଙ୍କ ପିତା କେବେ ନିଜଘରେ ଭୋଗବିଧି ସଜାଡ଼ି ନ ଥିଲେ ମଧ୍ୟ ପୋଥି ଲେଖି ଲେଖି ଓ ବୋଲାଇ ବୋଲାଇ ପୂଜାକର୍ମ ତାଙ୍କର କଣ୍ଠସ୍ଥ ହୋଇଥିଲା । ପୁରୋହିତ ପୂଜା ସମୟରେ ଯାହା ପରେ ଯାହା ଚାହିଁବେ, ତାହା ସେ ଆଗରୁ ଖଞ୍ଜାଇ ରଖିଥିଲେ । ଠାକୁରଙ୍କ ପୂଜା ହେଉଥିବାବେଳେ ଘନ ମା’ଙ୍କ ଆଖିରୁ ଦୁଇଧାର ଜଳ ଗଡ଼ୁଥାଏ । ସେ କବାଟକଣରେ ଛିଡ଼ାହୋଇ ଠାକୁରଙ୍କୁ ଚାହିଁ ମନେ ମନେ କହୁଥାନ୍ତି, ‘‘ପ୍ରଭୁ, ତୋର କି କରୁଣା ! ଏ ଅଭାଗିନୀ ପ୍ରତି ଦୟାବହି ଆଜି ଏଠାରେ ବିଜେ ହୋଇଛ । ମୋର କ’ଣ ଅଛି ତୁମକୁ ଦେବି ? ତୁମେ ଯାହା ଦେଇଛ, ତାମୁଁ ଦେଉଛି । ବିଦୂର ଘରେ ଶାଗଭାଜି ଖାଇଥିଲ, ମୋର ଶାଗ ମଧ୍ୟ ନାହିଁ । ମୁଁ କଅଣ ଦେବି ? ତୁମ କୃପାରୁ ଘନକୁ ପାଇଛି, ଆଉ କ’ଣ ମୋର ଅଛି ? ତା’ ପ୍ରତି ଟିକିଏ କରୁଣା ରଖିଥାଅ । ମୁଁ ଆଉକିଛି ଚାହେଁ ନାହିଁ-।’’ ପୂଜା ଶେଷ ହେଲାବେଳକୁ ଘନ ଆପଣା ସଙ୍ଗିମାନଙ୍କୁ ଭୋଗ ପାଇବା ପାଇଁ ଘରକୁ ଡାକିନେଲେ । ସେମାନେ ତାଳ, ମୃଦଙ୍ଗ, ଘଣ୍ଟା ଓ ଶଙ୍ଖ ପ୍ରଭୃତି ଧରିଥିଲେ । ସେମାନେ ରହିଯିବାରୁ ଖାଲି ଠୁଙ୍କା ବିମାନ କରଣଙ୍କ ଦ୍ୱାରରେ ପହଞ୍ଚିବାର ଦେଖି କରଣଙ୍କ ମନ ବଡ଼ ଖରାପ ହେଲା । କ’ଣ କରିବେ ? ରାଗରେ ଜଳୁଥାନ୍ତି ! ବିଧି ଅଛି ବୋଲି ପୂଜାହେଲା, ମାତ୍ର ତାଙ୍କ ମନ ପୂଜାରେ ନ ଥାଏ । ପୁରୋହିତ ଭାବିଲେ–ବେଶ୍‌ ହୋଇଛି, ଯେପରି ମନ ସେ ସେପରି ଫଳ ।

Image

 

ନବମ ପରିଚ୍ଛେଦ

 

କରଣ ସାହିରୁ ଭୋଗ ଖାଇ ଠାକୁର ଅଘି ପୋଡ଼ିବାକୁ ବିଜେ ହେଲେ । ଘନ ପୂର୍ବ ରାତ୍ରିରେ ଅନିଦ୍ରା ଥିଲେ । ଆଜି ଠାକୁରଙ୍କ ଭୋଗ ବନ୍ଦୋବସ୍ତ ଓ ସଙ୍ଗିମାନଙ୍କୁ ଖୁଆଇବାରେ ଲଣ୍ଡ ଭଣ୍ଡ ହୋଇ ପଡ଼ିଥିଲେ । ଏଣୁ ସଙ୍ଗିମାନଙ୍କୁ କହି ଠାକୁରଙ୍କ ସଙ୍ଗରେ ନ ଯାଇ ଘରେ ରହିଲେ । କାର୍ଯ୍ୟ ଶେଷରେ ବିଛଣାକୁ ଯାଇ ସାହିର ବୁଢ଼ାମାନଙ୍କ ଦ୍ୱାରା ଭୋଗବିଷୟ ନେଇ ଯେ କଥାମାନ ହେଲା, ତାହା ଭାବିବାକୁ ଲାଗିଲେ । ନିଦ ମାଡ଼ିଲା ନାହିଁ । ମନେ ମନେ ଭାବିଲେ, ‘‘ଓହୋ, ଏମାନଙ୍କର ଆଜ ହୁଁ ହିଂସା ହେଲାଣି । ଈଶ୍ୱର ଯଦି ମତେ ବେଶି ରୋଜଗାର ଦେବେ, ଏମାନେ ତ ଆଦୌ ଦେଖି ସହି ପାରିବେ ନାହିଁ । ହଉ, ଈଶ୍ୱର ଯାହା କରନ୍ତି ଭଲ ପାଇଁ କରନ୍ତି । ଏମାନେ ଯେବେ ଭଲ ବ୍ୟବହାର କରନ୍ତେ, ତେବେ ଏମାନଙ୍କ ସ୍ନେହରେ ପଡ଼ି ବୋଉ, ବାପା ଓ ମୁଁ ଏ ସ୍ଥାନ ଛାଡ଼ି ପାରନ୍ତୁ ନାହିଁ । କିନ୍ତୁ ଏଠି ଅବା ଚଳିବୁ କିପରି ? ଡିହ ଦୁଇ ବଖରା–ବାଟ ଘର ବଖରାଏ, ଆଉ ଘର ଚଳିବାକୁ ଏକ ବଖରା । ଗାଈଟି ବାନ୍ଧିବାକୁ ସ୍ଥାନ ନାହିଁ । ଈଶ୍ୱର ଚାହିଁଲେ ସେ ଗୋଟିକରୁ ଦଶଟି ହୋଇ ପାରନ୍ତି । ଚାଷ ଖଣ୍ଡିଏ କଲେ ବଳଦ, ଧାନ, ବିହନ ରଖିବାକୁ ଘର ଆବଶ୍ୟକ । ପାଟଣା ପାଖରେ ଖଣ୍ଡେ ଫର୍ଚ୍ଚା ଡିହ ମିଳିଲେ ଭଲ ହୁଅନ୍ତା । ବର୍ତ୍ତମାନ ସେମାନଙ୍କ ହିଂସା କଥା ଗୋଟିଏ ସୁଯୋଗ ଦେଲା । ବାପାଙ୍କୁ ଆଉ ବୁଝାଇବାକୁ କଷ୍ଟ ହେବ ନାହିଁ । କ’ଣ କରିବି, କେଉଁଠାରେ ଉପଯୁକ୍ତ ଡିହ ମିଳିବ ? ଯାହା ପଇସା ଆଣିଛି, ଡିହ ଖଣ୍ଡେ କିଣି ପକାଇଲେ ଭଲ ହୁଅନ୍ତା । ଘର ଖଣ୍ଡେ ଭଲ କରି ନ କଲେ ଜମିବାଡ଼ି କଲେ କ’ଣ ହେବ ? ଚଳିହେବ ନାହିଁ, କି ଇଜ୍ଜତ୍‌ ରହିବ ନାହିଁ ।’’ ଏପରି ଭାବି ଭାବି ଶେଷରେ ସେ ଠିକ୍‌ କଲେ, କାଚରା ମହାଜନ ବୁଢ଼ାକୁ ନ ଧରିଲେ ହେବ ନାହିଁ । ସେ ବାପାଙ୍କୁ ସ୍ନେହ କରେ । ରାତି ପାହୁ, କାଲି ଭୋର ବୁଢ଼ା ପାଖକୁ ଯାଇ ଟେକାଟେକି କରି ଦି’ପଦ କହିଲେ ସେ ଯୋଗାଡ଼ କରି ଦେଇପାରେ । କିହୋ, ଦରକାରବେଳେ ଭଗବାନ୍‌ ତ ଗଧ ପାଦ ଧରିଥିଲେ । ମୁଁ କାଚରା ବୁଢ଼ାକୁ ଟିକିଏ ଖୋଷାମଦ କଲେ କ୍ଷତି କ’ଣ ? ସେ ପୁଣି ବାପାଙ୍କୁ ପୋଷୁଛି–ଆମର ଅନ୍ନଦାତା । ଏଣିକି ଦାଣ୍ଡରେ ସିନା ସେ କଥା ମୁହଁରେ କହିଲେ ଲାଜ ମାଡ଼ିବ, କଥା ତ ସତ । ଖଣ୍ଡେ ଡିହ ତା’ଦ୍ୱାରା ସଜିଲ କରିନେଲେ ସେ କିଏ, ମୁଁକିଏ । ହଉ ଦେଖାଯାଉ, ରାତି ପାହୁ । ଏପରି ଭାବି ଶେଷରେ ନିଦ୍ରାଗଲେ । ରାତି ପାହିଲାମାତ୍ରେ ଘନ ନିତ୍ୟକର୍ମ ସାରି କାହାରି ସଙ୍ଗେ କଥାବାର୍ତ୍ତା ନ ହୋଇ କାଚରା ମହାଜନ ଘରକୁ ଗଲାବେଳକୁ କେହି ଉଠି ନାହାନ୍ତି । ଜଣେ ମୂଲିଆକୁ ଦେଖି ବୁଢ଼ା କଥା ପଚାରିବାରୁ ସେକହିଲା, ‘‘ବୁଢ଼ା ଖଳାବାଡ଼ିରେ ଅଛି, ଏଇ ବାଟେ ଯାଅ ।’’ ବୁଢ଼ା ପାଖକୁ ଘନ ଗଲାବେଳକୁ ପୂର୍ବ ଦିନ କଚଡ଼ା ଗଦାରୁ କଚଡ଼ା ନେଇ ପିଟିଲାବେଳେ ଗୋଟାଏ ଗୋଟାଏ ଧାନ ଛିଡ଼ି କି ଖଳା ସୀମାର ବାହାରେ ପଡ଼ିଥିଲା । ବୁଢ଼ା ବସି ସେସବୁ ଗୋଟାଉଥାଏ । ଘନ ଦେଖି ଅବାକ୍‌ ! ଭାବିଲେ ଓହୋ, ଏହାର ଏତେ ସମ୍ପତ୍ତି, ତହିଁରେ ଏତେ ଲୋଭ ! ହଁ, ଧନ ଯାହାର ଲୋଭ ତାହାର । ସେ ଲକ୍ଷ୍ମୀବନ୍ତ ଲୋକ । ଏପରି ଆସ୍ଥାଧନ ପ୍ରତି ନ ହେଲେ କ’ଣ ଧନ ରହିବ ! ବୁଢ଼ା ଏକଧ୍ୟାନରେ ଧାନ ଉଣ୍ଡୁଥାଏ । ଘନ ପହଞ୍ଚିବାରୁ ତାଙ୍କୁ କିପରି ମାଡ଼ି ପଡ଼ିଲା, ସେ ଉପରକୁ ମୁହଁଟେକି ଚାହିଁ ଦେଲେ ଓ ହଠାତ୍‌ ଚିହ୍ନି ନ ପାରି କିଏ ବୋଲି ପଚାରି ଦେଲେ । ପରିଚୟ ପାଇ ଉଠି ଆସି ଘନକୁ କୁଣ୍ଢାଇ ପକାଇଲେ, କହିଲେ, ‘‘ବାପ, କୁଆଡ଼େ ଆସିଲ ?’’ ଘନ କହିଲେ, ‘‘ବସ, କହୁଛି ।’’ ବୁଢ଼ା ଲିପା ଖଳା ମଧ୍ୟରେ ଖରାପିଠିଆ ହୋଇ ବସିଲେ । ଘନ ମଧ୍ୟ ବସି ଯାଇ କହିଲେ, ‘‘ତୁମଯୋଗୁଁ ବାପା ଆଜି ପର୍ଯ୍ୟନ୍ତ ଚଳିଲେ । ତୁମ ଉପକାର ଆମେ ସୁଝି ପାରିବୁ ନାହିଁ । ମୁଁ କି ପଇସା ରୋଜଗାର ବା କରୁଛି, ଆଜହୁଁ ସାହିବାଲା ହିଂସା କଲେଣି । ଏଣିକି ସେଠାରେ ଘର କରି ଚଳିହେବ ନାହିଁ । କାଲି ମୁଁ ଦାଣ୍ଡରେ ଠାକୁରଙ୍କୁ ଭୋଗ ଦେବାକୁ ଯାଇ ଯେତେ ହଇରାଣ ହୋଇଛି, ଶୁଣିଥିବ ।’’ ବୁଢ଼ା କହିଲେ, ‘‘ବାପ, ମୁଁ ସବୁ ଶୁଣିଛି । ଏଣିକି କାଳ ଯେପରି ହେଉଛି, ଆଉ ଲୋକେ ସୁସ୍ଥରେ ରହିପାରିବେ ନାହିଁ । ହଉ, ଯେ ହିଂସା କରିବ ତାର ମନ୍ଦ, ତୁମର କ’ଣ ହେବ ?’’ ଘନ କହିଲେ, ‘‘ସେମାନଙ୍କ ପାଖରେ ମୁଁ ଚଳି ପାରିବି ନାହିଁ, ସେଠାରେ ଡିହ ମଧ୍ୟ ଅଳ୍ପ । ବାପା ଏକା ଥିଲେ ଚଳି ଯାଉଥିଲେ । ମୁଁ ଗାଈଟିଏ କଲିଣି, ଈଶ୍ୱର ଚାହିଁଲେ ସେ ପାଞ୍ଚଟି ହୋଇ ପାରନ୍ତି । ଜମିଖଣ୍ଡିଏ କଲେ ଚାଷ ଗଣ୍ଡିଏ କିପରି କରିବି ? ସେଠାରେ ଚଳିହେବ ନାହିଁ । ସେମାନେ ମଧ୍ୟ ବେଳକୁବେଳ ଦେଖିସହି ନ ପାରି ଅନର୍ଥ ଲଗାଇବେ । ମୁଁ ତ ବିଦେଶରେ ରହିବି, ବାପା ହଇରା ହେବେ । ତୁମେ ବିଚାରିଲେ ମୁଁ ଖଣ୍ଡେ ଡିହ ପାଇବି ନାହିଁ ଯେ, ସେମାନଙ୍କଠାରେ ଏତେ ଅଧୀନ ହୋଇ କାହିଁକି ରହିବି ?’’ ବୁଢ଼ା କହିଲେ, ‘‘ବାପା, ସତ କହିଲ । ଗୋଟିଏ ଭଲ ଡିହ ଅଛି, ମାତ୍ର ତୁମ ବାପା ବାରିବେ । ମଠ ଡିହଟା ଅଛି, ବାବାଜି ମୋ ଜିମା ବିକ୍ରିକରି ଟଙ୍କା ରଖିବାକୁ କହି ଯାଇଛି ।’’ ଘନ ସେ ଡିହଟି ଦେଖିଥିଲେ । ଏ କଥା ଶୁଣି ତାଙ୍କ ମନ ଫୁଲିଉଠିଲା । ସେ କହିଲେ, ‘‘ସେ ଡିହଖଣ୍ଡି ଯେବେ କରିଦେବ, ମୁଁ ଚିରଦିନ ତୁମ ପାଖରେ ଋଣୀ ହୋଇ ରହିବି ।’’ ବୁଢ଼ା କହିଲେ, ‘‘ସେ ତ ମୋ ହାତର କଥା, ତୁମ ବାପା ମଙ୍ଗିଲେ ହେଲା ।’’ ଘନଙ୍କର ଟିକିଏ ଉପସ୍ଥିତ ବୁଦ୍ଧିଥିଲା । ସେ କହିଲେ, ‘‘ବାପା ପ୍ରଥମେ ତୁମକୁ ପଚାରିବେ, ତୁମେ ବୁଝାଇ ଦେଲେ ସେ ନାହିଁ କରିବେ ନାହିଁ । ମଠଡିହ ଆମ ଘରର ଐଶାନ୍ୟ ଦିଗରେ । ସେଠାକୁ ଉଠି ଆସିଲେ ମଙ୍ଗଳ ହେବ-। ମଠ ଘର ଥିବାସ୍ଥାନରେ ଘର କରିବା ଦୋଷଜନକ ବୋଲି କହିପାରନ୍ତି । ସେଠାରେ ଅନେକ ସ୍ଥାନ ଅଛି ? ଯେଉଁଠାରେ ମଠ ଥିଲା, ସେଠାରେ ବଗିଚା କରି ଅନ୍ୟ ସ୍ଥାନରେ ଘର କଲେ କିଛି ଦୋଷ ନାହିଁ ବୋଲି ତାଙ୍କୁ ବୁଝାଇ ଦେଲେ ସେ ବୁଝିଯିବେ ? ମୁଁ କିଛି ପଇସା ଆଣିଥିଲି, ଖର୍ଚ୍ଚ ହୋଇଯିବ । ବେଶି ଦିନ ରହି ପାରିବି ନାହିଁ, କିପରି ମୂଲଚାଲ ହୋଇ ଲେଖାପଢ଼ି ହେଲେ ମୁଁ ପଅରି ଦିନ ଚାଲି ଯିବି ।’’ ବୁଢ଼ା କହିଲେ, ‘‘ଆଚ୍ଛା ହେଉ, ଆଜି ଯାତ୍ରାଟା ଯାଉ କାଲି ଲେଖାପଢ଼ା ହେବ ।’’ ଘନ କହିଲେ, ‘‘ବାବାଜୀ ନ ଆସିଲେ ଲେଖାପଢ଼ି ହେବ କିପରି ?’’

 

ବୁଢ଼ା କହିଲେ, ‘‘ମୁଁ ଆଜି ତାଙ୍କୁ ଖବର ଦେବି, ସେ କାଲି ଚାଲି ଆସିବେ ।’’ ଘନ ସେଠାରୁ ଶାସନକୁ ଯାଇ ପୁରୋହିତଙ୍କ ନିକଟରେ ପହଞ୍ଚି ସବୁ ହାଲ କହିଲେ । ପିତାଙ୍କୁ ବୁଝାଇବା କଦର ମଧ୍ୟ କହି ଦେଇ ଆସିଲେ । ଘରେ ପହଞ୍ଚି ସେ ପ୍ରଥମେ ମାତାଙ୍କୁ ଏ କଥା କହିଲେ । ମଦନ ମହାନ୍ତି ଖାଇ ବସିଲାବେଳେ ମାତା ସେ କଥା ପକାଇଲେ । ଶୁଣିବାମାତ୍ରେ କହିଲେ, ‘‘ବସିକରି ଗୋଡ଼ ଲମ୍ୱାଇଲେ ସିନା ହେବ; ଛିଡ଼ାହୋଇ ଗୋଡ଼ ଲମ୍ୱାଇଲେ କଚାଡ଼ି ପଡ଼ିବା କଥା ସିନା । ଚାକିରି ତାଳ ଗଛର ଛାଇ–ଆଜି ଗୋଟାଏ ଦୋଷ ବାହାରିଲେ କାଲି ନାହିଁ; ତା ଉପରେ ନିର୍ଭର କରି ଆଗକୁ ଫନ୍ଦା କରିବା ଭଲ ନୁହେଁ । ସାତ ପୁରୁଷରସ୍ଥାନ, ବନ୍ଧୁ କୁଟୁମ୍ୱ ଛାଡ଼ି ଯିବା ଭଲ ନୁହେଁ-। ଆମଘରେ କିଏ ଅଛି ? ଘନ ତ ବିଦେଶ ଯିବ; ମୁଁ ଦିନଯାକ ଘରେ ରହିବି ନାହିଁ । ଆଉ ଜଣେ ଲୋକ ପାଇଁ କ’ଣ ଘର ଅଣ୍ଟୁ ନାହିଁ ?’’ ଘନ ଆଢ଼ୁଆଳରେ ଛିଡ଼ାହୋଇ ଶୁଣୁଥିଲେ । ସେ ତେଣୁ କହିଲେ, ‘‘ଘର କିଏ ଭାଙ୍ଗୁଛି ? ଖଣ୍ଡେ ଭଲ ସ୍ଥାନ ମିଳୁଛି, କିଏ ନେଇଗଲେ ସମୟରେ ଖୋଜିଲେ ସେପରି ସ୍ଥାନ ମିଳିବ ନାହିଁ । କେତେ ଆମ୍ୱ, ପଣସ, ନଡ଼ିଆ ଓ ଲେମ୍ୱୁ ପ୍ରଭୃତି ଗଛ ଅଛି-। କାଠ ଖର୍ଚ୍ଚ ଚଳିବ, ଆମ୍ୱ ପଣସ କିଣିବାକୁ ପଡ଼ିବ ନାହିଁ; ବାଉଁଶ ଅଛି, କେତେକାମରେ ଲାଗିବ-।’’ ମଦନ ମହାନ୍ତି କହିଲେ, ‘‘ତାକୁ ଆତେଇବ କିଏ ? ମୁଁ ତ ପାରିବି ନାହିଁ ?’’ ସ୍ତ୍ରୀ କହିଲେ, ‘‘ମଲା, ପିଲାଟିଏ ଜଗାଇ ଦେଲେ କି ବୁଢ଼ାଟିଏ ରଖାଇ ଦେଲେ ସେସବୁ କରିବ । ତୁମ ହାତ ଲାଗିବ ନା ଗୋଡ଼ ଲାଗିବ ? ଆଉ କ’ଣ ଆମ୍ୱ ପଣସ ଖାଇବାକୁ ଅଡ଼ୁଆ ହେବ ?’’ କଥାଗୁଡ଼ାକ ମଦନ ମହାନ୍ତିଙ୍କୁ କ୍ରମରେ ପିତା, କଷା, ରାଗୁଆ, ଲୁଣିଆ ଓ ଆମ୍ୱିଳାବୋଧ ହୋଇ ଶେଷରେ ଟିକିଏ ମିଠା ଲାଗିଲା-। ସେ କହି ପକାଇଲେ, ‘‘ହଉ ଯା, କ’ଣ କରୁଛ କର । ତୁମଇଚ୍ଛା, ମୋର କ’ଣ ଅଛି ?’’ ମହାନ୍ତିଏ ଖାଇ ସାରି ବିଶ୍ରାମ ନେବେ କ’ଣ ? ବାହାରେ ବାହାରେ ପୁରୋହିତଙ୍କ ପାଖକୁ ଯାଇ ତାଙ୍କଠାରୁ ପରାମର୍ଶ ନେଲେ । ସେଠାରୁ ସେ ମହାଜନ ବୁଢ଼ା ପାଖକୁ ଗଲେ । ବୁଢ଼ା ସବୁ ବୁଝାଇ ଦେଲା, ଆଉ ମଧ୍ୟ କହିଲା, ‘‘ତୁମେ ସଂସାର କଥା ଜାଣ ନାହିଁ । ଘନଟି ହିସାବୀ ପିଲା, ସେ ଗୋଟିଏ ଆଚ୍ଛା ସଂସାରୀ ଲୋକ ହେବ । ତା’ କଥାରେ ବାଦ କରିବ ନାହିଁ ।’’ ମହାଜନ କଥା ଶୁଣି ମଦନ ମହାନ୍ତିଙ୍କ ମନ ବୋଧ ହୋଇଗଲା । ସେଠାରେ ମଠଥିବାରୁ ସମସ୍ତଙ୍କର ବିଶ୍ୱାସ ଯେ, ସେ ସ୍ଥାନଟା ଦେ-ବଳୁଆ । ସେ ସ୍ଥାନ ଯେ ନେବ, ତାର ଭଲ ହେବ ନାହିଁ-। ଏଣୁ ସେସ୍ଥାନ ପ୍ରତି କାହାରି ଆଦର ନାହିଁ । ପ୍ରାୟ ଚବିଶ ଦସ୍ତରେ ପାଞ୍ଚମାଣ ସ୍ଥାନ ପଡ଼ିଛି । ବୃତ୍ତଖଣ୍ଡ ପରି ନଦୀ ମଧ୍ୟକୁ ପଶି ଯାଇଛି । ପଶ୍ଚିମକୁ କରଣସାହି ପ୍ରାୟ ଲାଗିଛି । ପୂର୍ବରୁ କାଚରା ମହାଜନ ପଟଣା ଲାଗିଛି । ଉତ୍ତର ଦିଗରେ ନଦୀ, ଦକ୍ଷିଣ ଦିଗଟି ଖୋଲା ଓ ଗ୍ରାମର ବିଲମାନ ରହିଛି । ସେତେବେଳେ ଜମିର ଏତେ ଆଦର ନ ଥିଲା, ପ୍ରଚୁର ଜମି ପଡ଼ିଆ ପଡ଼ିଥିଲା, ଜମିର ଦର ଏତେ ଅଧିକ ନ ଥିଲା, ପଇସା ବି ଏତେ ମିଳୁ ନ ଥିଲା । ଯେଉଁମାନେ ଜଗନ୍ନାଥ ସଡ଼କରେ ମାଟି ପକାଉଥିଲେ, ଗାଣ୍ଡୁଆଏ ମାଟିକୁ ଦୁଇକଡ଼ା କଉଡ଼ି ପାଉଥିଲେ । ପ୍ରଥମେ ପ୍ରଥମେ ପଇସା ଦେଖି ଲୋକମାନେ ପଇସା ମଧ୍ୟରେ ବିନ୍ଧ କରି ତାକୁ ମାଳକରି ବେକରେ ଲଗାଇଲେ । ଅଦ୍ୟାପି ଅନାର୍ଯ୍ୟ ଜାତିଙ୍କ ମଧ୍ୟରେ ଗେଡ଼ି ପଇସାର ମାଳ ବେକରେ ଝୁଲୁଥିବାର ଦେଖାଯାଏ । ଭଲ ଜାତିମାନେ ଦୋଣି, ସୁକି, ଅଧୁଲି ଓ ଟଙ୍କାର ମାଳ କରି ଲଗାଇଲେ, ଏ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ଅଧୁଲି ପ୍ରଭୃତି ମାଳ ଲଗାଉଅଛନ୍ତି । ପଦାର୍ଥ ଅପେକ୍ଷା ଟଙ୍କା ପଇସାରେ ବଡ଼ ଆଦର ବଢ଼ୁଥାଏ । ଆଉ ମଧ୍ୟ ବାବାଜୀ ଲୋକ କୌଣସି ପ୍ରକାରେ ଜମିଖଣ୍ଡ ବିକି ଦେଇ ପଇସା କିଛି ପାଇବାକୁ ବ୍ୟସ୍ତ ଥାଏ-। ଘନ ଦ୍ୱିପ୍ରହର ସମୟରେ କାଚରା ମହାଜନ ପାଖକୁ ଯାଇ ବାବାଙ୍କ ନିକଟକୁ ଲୋକ ପଠାଇବାର ବନ୍ଦୋବସ୍ତ କଲେ । ତାଙ୍କ ମନ ଅତିବ୍ୟସ୍ତ ହେଉଥାଏ–କିପରି ରାତି ପାହିବ, ବାବାଜୀ ଆସିଲେ, ମୂଲଚାଲ ହେବ ଓ କ୍ରୟପତ୍ର ଲେଖାଯିବ । ଅତି ଗୁପ୍‌ଚୁପ୍‌ରେ କଥା ହେଉଥାଏ, କାଳେ କିଏ ଜାଣିଲେ ମୂଲ ବଢ଼ିଯିବ । ସେଥିପାଇଁ ସେ ପିତାମାତା, ମହାଜନ ବୁଢ଼ା ଓ ପୁରୋହିତଙ୍କୁ ପ୍ରଘଟ କରିବାକୁ ବାରଣ କରୁଥାନ୍ତି । ତାଙ୍କ ଆଶା ତେଜେଇ ଉଠିଲା । ଥରେ ସେ ମଠଡିହ ମଧ୍ୟକୁ ଯାଇବୁଲି ଆସିଲେ । ଆମ୍ୱ, ବଉଳ, ପଣସ, ନଡ଼ିଆ, ଲେମ୍ୱୁ, ଟଭା, ନାରଙ୍ଗ, ପିଜୁଳି, ଆତ ପ୍ରଭୃତି ଗଛରେ ସେ ସ୍ଥାନଟି ପୂର୍ଣ୍ଣ ରହିଥିଲା-। ଚାରିପାଖରେ ବାଉଁଶ ରଖାଇଥିଲା । ବାବାଜୀ ଛାଡ଼ି ଚାଲିଯିବାରୁ ସେ ସ୍ଥାନର ଶୋଭାବହୁ ପରିମାଣରେ ନଷ୍ଟ ହୋଇଥିଲା, ମାତ୍ର ପ୍ରାକୃତିକ ଶୋଭା ନିଜର ଟେକ ରଖିଥିଲା । ଘନ ଯେତେବେଳେ ମଠଡିହ ପଥର ଖଣ୍ଡ ଉପରେ ବସି ବୃକ୍ଷାନ୍ତରାଳ ମଧ୍ୟରେ ନଦୀର ଶୋଭା ଆଡ଼କୁ ଦୃଷ୍ଟି ଦେଲେ, ତାଙ୍କମନରେ ଆନନ୍ଦର ଶତଶତ ଲହରୀ ଉଥିତ ହେଲା । ସେ କେତେ କଥା ଭାବିଲେ, ଚାରିଦିଗକୁ ଦୃଷ୍ଟି ଦେଇ ଭାବୁଥାନ୍ତି–କେଉଁଠାରେ ଧାନଘର, କେଉଁଠାରେ ରହିବା ଘର, କେଉଁଠାରେ ଠାକୁରଘର, କେଉଁଠାରେ ଚଉପାଢ଼ୀ, କେଉଁଠାରେ ଫୁଲବଗିଚା ପ୍ରଭୃତି କରିବେ । କିଛିକ୍ଷଣ ପରେ ଆଶାର ତ୍ରିତଳ ପ୍ରାସାଦ ଛାତରୁ ତାଙ୍କ ମନ ତଳକୁ ଓହ୍ଲାଇଲା । ପୁନଶ୍ଚ ଭାବିଲେ, ‘‘ଡିହ ତ ହାତକୁ ଆସି ନାହିଁ, ଏତେ ବୃଥା ଭାବନା କାହିଁକି କରୁଛି ! ଆଗତ ପଞ୍ଚା ସବୁକଞ୍ଚା ।’ ଭଗବାନ୍‌ ଯେତେବେଳେ ସେପରି ସମୟରେ ଉପସ୍ଥିତ କରାଇବେ, ସେତେବେଳେ ଦେଖାଯିବ ।’’ ଏହାଭାବି ଗୃହାଭିମୁଖରେ ପ୍ରସ୍ଥାନ କଲେ ।

Image

 

ଦଶମ ପରିଚ୍ଛେଦ

 

ଆଜି ଦୋଳପୂର୍ଣ୍ଣିମା । ଅଂଶୁମାଳୀ ପଶ୍ଚିମାକାଶରୁ ଅନ୍ତର୍ହିତ ହୋଇ ନାହାନ୍ତି । ପୂର୍ବାକାଶରେ ରଜତ ଥାଳୀ ସଦୃଶ ପୂର୍ଣ୍ଣଚନ୍ଦ୍ର ଦେଖା ଦେଲେଣି । ସନ୍ଧ୍ୟା ସଙ୍ଗେ ସଙ୍ଗେ ଚତୁର୍ଦ୍ଦିଗ ଶୁକ୍ଳ ଜ୍ୟୋତ୍ସ୍ନାଦ୍ୱାରା ସ୍ନିଗ୍ଧ ହୋଇଗଲା । ବୃକ୍ଷାନ୍ତରାଳ ଭେଦ କରି ତାହାର ଛାୟା ଉପରେ ଚନ୍ଦ୍ରକିରଣ ଖଣ୍ଡ ବିଖଣ୍ଡ ହୋଇ ପଡ଼ିଗଲା । ସନ୍ଧ୍ୟାକାଳୀନ ମଳୟପବନ ଦ୍ୱାରା ପଲ୍ଲବ ରାଜିର କମ୍ପନ ଜାତ ହେବାରୁ ଚନ୍ଦ୍ରିକା ଛୁରିତ ଛାୟା ଇତସ୍ତତଃ ହେବାକୁ ଲାଗିଲା; ଯେପରିକି, ପ୍ରକୃତି ଦେବୀ ଗୋଟିଏ ଚାଲୁଣୀ ଧରି ଛାୟା ମସୀ ମଧ୍ୟରୁ ହୀରକ ଖଣ୍ଡ ଝାଡ଼ି ନେଉଅଛନ୍ତି । ଖରସ୍ରୋତାର ବାଲୁକା ରାଶି ଶୁକ୍ଳ ବସନ ସଦୃଶ ପ୍ରକୃତିରାଣୀଙ୍କ ଅଙ୍ଗଭୂଷଣ ହୋଇଅଛି ଏବଂ ତା’ର ମଧ୍ୟସ୍ଥିତ ଜଳଧାର ଗୋଟିଏ ବିଚିତ୍ର କଟିମେଖଳାର ଶୋଭାବର୍ଦ୍ଧନ କରୁଅଛି । ତହିଁରେ ଶୁଭ୍ର ଚନ୍ଦ୍ରକିରଣ ପ୍ରତିଫଳନ ହେବାରୁ ତାହା ପ୍ରେମରେ ଢଳଢଳ ହେଉଅଛି । ଯେପରିକି, ଭକ୍ତବତ୍ସଳ ବୃନ୍ଦାବନ ବିହାରୀ ଆଜି ପ୍ରେମସୁଧା ବିନ୍ଦୁ ବିତରଣ ପାଇଁ ଶତଚନ୍ଦ୍ର ଲାଞ୍ଚିତ ସାହସ୍ୟ ବଦନା ରାଧା ସହ ମର୍ତ୍ତ୍ୟଧାମକୁ ବିଜେ କରୁଥିବାରୁ ପ୍ରକୃତିଦେବୀ ଆନନ୍ଦାତିଶଯ୍ୟରେ ନର୍ତ୍ତନ କରୁଅଛି ।

 

ଶିଶୁମାନେ ବୁଢ଼ୀମା ଓ ଭଗିନୀ ପ୍ରଭୃତିଙ୍କ କୋଳରେ ବସି ଜହ୍ନମାମୁ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଅସ୍ଫୁଟ ସ୍ୱରରେ ତାକୁ ଆହ୍ୱାନ କରୁଅଛନ୍ତି । ବାଳକ ବାଳିକାମାନେ ବିଚିତ୍ର ବସନ ଧାରଣକରି ଦାଣ୍ଡମଧ୍ୟରେ ଲୁଚୁକାଳି ପ୍ରଭୃତି କ୍ରୀଡ଼ା ଆରମ୍ଭ କରି ଦେଇଅଛନ୍ତି । ଯୁବାଦଳ ନାଟ ଓ ସାଜସଜ୍ଜାର ବନ୍ଦୋବସ୍ତରେ ଲିପ୍ତ ହୋଇଅଛନ୍ତି । ବୟସ୍କମାନେ ଦୋଳବେଦିର ଉଭୟ ପାର୍ଶ୍ୱରେ ବସି, ମଧ୍ୟରେ ଅବିର ଭାଣ୍ଡ ରଖି କେହି କେହି ଦୋଳାରେ ଝୁଲୁଥିବା ରାଧା କୃଷ୍ଣଙ୍କ ଉପରେ ଦୃଷ୍ଟି ନିକ୍ଷେପ କରି ନିଜ ନିଜ ଇପ୍‌ସିତ ବର ମାଗୁଅଛନ୍ତି । କେହି କେହି ପୁରୋହିତଙ୍କ ଘଣ୍ଟପିଟା, ହସ୍ତ ଅଭିନୟ ଓ ମୁଖଭଙ୍ଗୀ ପ୍ରତି ଦୃଷ୍ଟି ଦେଇଅଛନ୍ତି । କେହି କେହି ଉପରେ ଝୁଲୁଥିବା ଚାନ୍ଦୁଆ ପ୍ରତି ଦୃଷ୍ଟି ପକାଉ ଅଛନ୍ତି । ମାତ୍ର ତାହା ତାରାବିମଣ୍ଡିତ ନୈସର୍ଗିକ ବିମଳ ଚନ୍ଦ୍ରାତପରୁ ନିଜ ମୁଖ ଅପସାରଣ କରି କୃତ୍ରିମତାର ଅସାରତା ପ୍ରତିପାଦନ କରୁଥିବାରୁ ସେମାନଙ୍କର ତୃପ୍ତ ସାଧନ କରି ପାରୁ ନାହିଁ । ଦୋଳପୂର୍ଣ୍ଣିମା ଦିନ ରାତ୍ରିରେ ଗ୍ରାମ ମଧ୍ୟରେ ଯାତହୁଏ । ଯେଉଁଗ୍ରାମ ପ୍ରତି ଠାକୁରଙ୍କର ଯେପରି ଅନୁଗ୍ରହ ଥାଏ, ସେ ଗ୍ରାମରେ ସେ ସେହିପରି ଆସନ ଓ ବେଶଭୂଷାରେ ଭୂଷିତ ହୋଇ-କେଉଁଗ୍ରାମରେ ପକ୍କା ଦୋଳବେଦୀ ଉପରେ, କେଉଁ ଗ୍ରାମରେ ମଞ୍ଚା ଉପରେ, ବିମାନରେ କିମ୍ୱା ଦୋଳାରେ ବସିଝୁଲନ୍ତି । ସନ୍ଧ୍ୟା ପୂଜା ଓ ଆରତି ପରେ ନୂଆ ପାଞ୍ଜି କୁହାଯାଏ । ସମସ୍ତେ ତାହା ଶୁଣନ୍ତି । ଏହା ପରେ ନାଟ କିମ୍ୱା କୀର୍ତ୍ତନ ହୁଏ । କରଣ ସାହିମଧ୍ୟରେ ଗୋଟିଏ ପକ୍କା ଦୋଳବେଦୀ ଥିଲା । ଠାକୁରଙ୍କ ପୂଜା ହେଉଥିବାବେଳେ ନାହାକ ବିଚାରା ଏକପାଖିଆ ହୋଇ ବସି ପୁରୋହିତଙ୍କ ପୂଜାଶେଷ ହେବାରେ ବିଳମ୍ୱ ଘଟୁଥିବାରୁ ମନେ ମନେ ତାଙ୍କ ଉପରେ ବିରକ୍ତ ହେଉଥାଏ । କାରଣ ତାକୁ ଦୁଇ ତିନି ସ୍ଥାନରେ ପାଞ୍ଜି କହିବାକୁ ପଡ଼ିବ । ଛଞ୍ଚାଟିଏ ଓ ପଇସା ଚାରୋଟି ପ୍ରତ୍ୟେକ ସ୍ଥାନରୁ ମିଳେ । କି ଦୋଳ, କି ଦଶହରା ଏ ବିଚାରା ପ୍ରତିଦିନ ଘରେ କାନି ନ ଫିଟାଇଲେ ତାର ଚୁଲ୍ଲୀରେ ହାଣ୍ଡି ବସିବ ନାହିଁ । ଏପରି ମଧ୍ୟ ଦେଖାଯାଇଅଛି, ଗ୍ରାମ ମଧ୍ୟରେ ଏକ ଦିନରେ ଚାରି ପାଞ୍ଚଗୋଟା ବିବାହ ସୁଝିଥିଲେ ସେ ସବୁ ସ୍ଥାନରେ ଉପସ୍ଥିତ ହୋଇ ନ ପାରିବା ଭୟରେ ସେ ମନ ଇଚ୍ଛାମେଳକ ବୁଝି ଭିନ୍ନ ଭିନ୍ନ ଦିନ ବତାଇ ଦିଏ । ଠାକୁରଙ୍କ ପୂଜା ଶେଷହେବା ସଙ୍ଗେ ସଙ୍ଗେ ନାହାକ ନୂଆ ପାଞ୍ଜି ପାଠ କରିବାକୁ ଆରମ୍ଭ କଲେ, ବୁଢ଼ାମାନେ ଅତି ମନଯୋଗ ସହକାରେ ଶୁଣୁଅଛନ୍ତି । କୁଆଡ଼େ ଟିକିଏ ପାଟି ଶୁଭିଲେ ସେମାନେ ଅତି ବିରକ୍ତ ହେଉଅଛନ୍ତି, ମାତ୍ର ସେତିକିବେଳକୁ ପାଟଣା ଗୁଡ଼ିଆ ଜଣେ ଖଜା ପସରା ଧରି ପହଞ୍ଚି ଯିବାରୁ ଦାଣ୍ଡରେ ଖେଳୁଥିବା ପିଲାମାନେ ଦୌଡ଼ି ଆସି ତାହାର ଚାରିପାଖରେ ଘେରିଯାଇ ଗଣ୍ଡଗୋଳ ଲଗାଇ ଦେଲେ । ପାଞ୍ଜି ପାଠ ଟିକିଏ ବନ୍ଦ କରି ଦେଇ ବେଦୀ ଉପରୁ ଦୁଇ ଜଣ ଉଠି ଆସି ଗୁଡ଼ିଆ ବିଚାରାକୁ ଖଣ୍ଡଦୂର ପଛକୁ ହଟାଇ ଦେଇଗଲେ । ପିଲାମାନେ ଦିନରୁ ଅଳିକରି ପିତାମାତାଙ୍କଠାରୁ ଆଗରୁ ଯାତ୍ରାଖର୍ଚ୍ଚ ଆଣି କାନିରେ ବାନ୍ଧିଥାନ୍ତି । ଗୁଡ଼ିଆ ପସରା ମେଲାଇଲା ମାତ୍ରେ କାନିରୁ ପଇସା ଫିଟାଉ ଫିଟାଉ କାହାର ବୋଉ ଏପରି ଟାଣ ଗଣ୍ଠି ଦେଇଥାଏ ଯେ, ସେ ଫିଟାଇ ନ ପାରି ପୁଣି ମା’ ପାଖକୁ ଦଉଡ଼େ । ବାଟରେ ଧାଉଁ ଧାଉଁ ଯଦି କେହି ବଡ଼ ପିଲା ଫିଟାଇ ଦିଏ, ତେବେ ସେ ଆନନ୍ଦରେ ଫେରେ । ମିଠେଇ, ଖଜାକିଣା ଓ ଖିଆ ସଙ୍ଗେ ଯାତ୍ରା ଦେଖାରୁ ମନ ବୋଧ ହୋଇଗଲା । କାହାର କାହାର ନାଟ ହେବା କଥା ପାସୋର ଗଲା । ଆନନ୍ଦରେ ଯାଇ ବୋଉ ନିକଟରେ ପହଞ୍ଚିଲେ । ପିଲାମାନଙ୍କର ମିଠେଇ ଖିଆ ଦେଖି ଯୁବାଦଳଙ୍କର ଭୋଜନ ମନେ ପଡ଼ିଲା । କିପରି ଖାଇ ଆସି ବୁଢ଼ାମାନେ ପାଞ୍ଜିଶୁଣି ଉଠିଲାବେଳକୁ ପଖୋଜ ‘ଧିନ୍ଦାତା’ କରିବେ । ପାଞ୍ଜି ପାଠହୋଇ ବନ୍ଦନା ଶେଷ ହେବା ସଙ୍ଗେ ସଙ୍ଗେ ଗୋଡ଼ହାତ ସଳଖୋଇବାକୁ ପୁରୋହିତ ଉଠି ଛିଡ଼ାହୋଇ ଯିବା ସଙ୍ଗେ ସଙ୍ଗେ ନବଟା ଟିକିଏ ସୁଲୁ ସୁଲୁ ହେଲା । ସଙ୍ଗେ ସଙ୍ଗେ ନାସଦାନୀରୁ ନାସକାଢ଼ି ସୁଂଘି ନେଇ–‘‘ହାଁ ଛିଁ ଓଁ’’ ଶବ୍ଦ ହେଲାବେଳକୁ ମୁଖବୁଲାଇ ଦେଇଚାହିଁ ଦେଲେ ଯେ, ବିମାନ କାନ୍ଧିଆମାନେ ଗୋଡ଼ହାତ ସଳଖୁ ଅଛନ୍ତି । ଜଣେ କହି ପକାଇଲା, ‘‘ଗୋସେଇଁ ମାପୁରୁ, ଆଉକେତେ ଡେରି ହେବ ?’’ ଗୋସେଇଁ ଟିକିଏ ରାଗିଉଠି କହିଲେ, ‘‘ଆରେ, ତୁମେ ଚାହିଁ ସବୁ କାମ ବନ୍ଦ କରି ଆଗ ଭୋଗଠାକୁରଙ୍କୁ ଦେଖାଇ ତୁମକାନିକୁ ଢାଳି ଦେଲେ ତୁମେ ଖଲାସ ହୁଅନ୍ତ ! କିରେ, ଠାକୁରଙ୍କ ନୀତିହେଲେ ସିନା ପ୍ରସାଦ ବଣ୍ଟାଯିବ ।’’ ସେ କ’ଣ ବୁଝିବ ନୀତି ଆଉ ପ୍ରସାଦ ? ‘‘ହଉ ମାପୁରୁ ବସୁଛୁ’’ କହିଲାବେଳକୁ ପୁରୋହିତ କହିଲେ, ‘‘କାହିଁକି ବସିଛ ? ତୁମକୁ ତ ଡକରା ହୋଇ ଦିଆଯିବ । ଯଦି ଆସିଲ, ବେଳଜାଣି ଆସିଲ ନାହିଁ ? ପ୍ରତିବର୍ଷ ତ ଦେଖୁଛ, ଏ ବର୍ଷ କ’ଣ ନୂଆହେଲା ?’’ ପୁରୋହିତଙ୍କ ରାଗ ତେଣେ ପାଞ୍ଜି ଶୁଣାରେ ବାଧା ପଡ଼ିବାରୁ କରଣସାନ୍ତଙ୍କ ଧମକ ଶୁଣି ସେ ବିଚାରା’ ହଁ, ଘରେ ବସନ୍ତୁ, ଏଠି ବସିଛୁ’’ ଅତି ନିର୍ଜୀବ ଭାବରେ କହି କହି ବସି ପଡ଼ିଲା । ପୂର୍ଣ୍ଣିମା ଦିନ ଭୋଗରେ ସମସ୍ତଙ୍କର ଅଂଶ ଅଛି । ଜଣେ ନ ପାଇଲେ ପର ଦିନ ରୁଷି ବସିବ । ଧୋବା, ଭଣ୍ଡାରି, ଗଉଡ଼, ମାଳି, ନାହାକ, ବ୍ରାହ୍ମଣଠାରୁ ଚଉକିଆ ପର୍ଯ୍ୟନ୍ତ ନିଜ ନିଜ ଅଂଶ ନେବେ । ଏ ମଧ୍ୟରୁ ଯାହାର କାମ କିଛି ନାହିଁ, ସେ କେବଳ ଭୋଗ ଉପରେ ଧ୍ୟାନ ଦେଇ ବସିଲେ । ସେମାନେ ପୂଜା ନା ପାଞ୍ଜିପାଠରୁ କ’ଣ ବୁଝିବେ, ବରଂ ଆଜିକାଲି ସମୟର ଦ୍ୱାରୀ ଓ ସେତେବେଳେ ମୁଖାପିନ୍ଧା ରାକ୍ଷସ ଗୋଟାଏ ବାହାରି ପଡ଼ିଲେ ଆନନ୍ଦରେ ଓଠ ମେଲାଇ ବସିଥାନ୍ତେ ।

 

ପାଞ୍ଜିପାଠ ହେଉଁ ହେଉଁ ବର୍ଷଚକ୍ର ଓ ଆୟବ୍ୟୟ ବିଷୟ ପଡ଼ି ଯିବା ସଙ୍ଗେ ସଙ୍ଗେ ସମସ୍ତେ ବ୍ୟସ୍ତହୋଇ ନିଜ ନିଜ କଥା ହେଜିବା ପାଇଁ କାନ ଡେରି ଆଗଭର ହୋଇ ବସିଗଲେ । ଯେଉଁମାନେ ଟିକିଏ ବଡ଼ ବୋଲା ହେଲେଣି, ସେମାନଙ୍କ କଥା ଛାଡ଼; ଅନ୍ୟାନ୍ୟମାନଙ୍କ ମଧ୍ୟରୁ ଯେ ନାହାକଙ୍କର ଉଚ୍ଚାରଣ ବେଗ ମଧ୍ୟରେ ନିଜ ନକ୍ଷତ୍ର ଧରି ନ ପାରିଲେ, ସେ ମଧ୍ୟେ ମଧ୍ୟେ ସବୁ ପ୍ରଶ୍ନ କରୁଥାନ୍ତି । ନାହାକ ଉତ୍ତର ଦେଇ ଦେଇ ଅଗ୍ରସର ହେଉଥାଏ । ସତେଇଶ ନକ୍ଷତ୍ର ଓ ବାର ରାଶିର କାରିକୀ ଶେଷ ହେବା ମାତ୍ରେ ଆଉ ନାହକ ବିଚାରା ଯାଏ କୁଆଡ଼େ, ଦଣ୍ଡେ ଘଡ଼ିଏ ଗୁଡ଼ିଆକୁ ପିଲାମାନେ ଲଣ୍ଡ ଭଣ୍ଡ କଲା ପରି ତାକୁ ଏମାନେ ଲଣ୍ଡ ଭଣ୍ଡ କରି ଦେଲେ । ସମସ୍ତେ ନିଜଭାଇ, ପୁଅ ପ୍ରଭୃତିଙ୍କ ନକ୍ଷତ୍ର ଓ ରାଶିକୁ ଭଲ ମନ୍ଦ ପଚାରି ନାହାକଠାରୁ ଆଉ ଉତ୍ତର ପାଇବାକୁ ଗ୍ରୀବା ଟେକି ରହିଥାନ୍ତି । ନାହାକ କାହା କଥା ଏଡ଼ି ଅନ୍ୟ କଥାରେ ଆଗ ଉତ୍ତର ଦେଇ ପକାଇଲେ, କାହାର ଭଲ ବା କାହାର ମନ୍ଦ କହିଲେ, ସେମାନଙ୍କର ଯେ ମୁଖଭଙ୍ଗୀ ହେଉଥାଏ; ପୁରୋହିତ ଦେଖି ଦେଖି ମନେ ମନେ ହସୁଥାନ୍ତି । ଆଜିକାଲି ଯେପରି ଛାପାଖାନା ପ୍ରସାଦରୁ ଦୋଳପୂର୍ଣ୍ଣିମାର ଏକ ମାସ ପୂର୍ବରୁ ଘରେ ବସି ସମସ୍ତେ ପାଞ୍ଜିଖବର ପାଉ ଅଛନ୍ତି, ସେତେବେଳେ ସେପରି ନ ଥିଲା । ସେତେବେଳେ ନାହାକର ମୁଖ ଓ ସୂତାବନ୍ଧା ଖେଦାର ଉପର ପତ୍ର ଫାଳକ ଉପରେ ବର୍ଷକର ଭଲ ମନ୍ଦ ନିର୍ଭର କରୁଥିଲା । ସେଥିପାଇଁ ସମସ୍ତେ ପାଞ୍ଜି ଶୁଣିବାକୁ ବ୍ୟସ୍ତ ହେଉଥିଲେ । ଆଉ ମଧ୍ୟ ନାହାକମାନେ ଦୋଳପୂର୍ବରୁ ନୂଆ ପାଞ୍ଜି କଥା କହୁ ନ ଥିଲେ । କାରଣ ତାହା ନିଷେଧ ଥିଲା । ପାଞ୍ଜି ପାଠ ଶେଷ ହେଲା । ସମସ୍ତେ ଉଠିଲେ । ଅବିର ଭାଣ୍ଡରୁ ମୁଠାଏ ମୁଠାଏ ଅବିର ଧରି ଠାକୁରଙ୍କ ଉପରେ ଟିକିଏ ଟିକିଏ ଦେଇ ଆପଣା ଆପଣା ମଧ୍ୟରେ ଥଟା ପରିହାସ ଲୋକ ଦେଖି ଫଗୁଖେଳରେ ମାତି ଶେଷରେ ଲମ୍ୱାଚଉଡ଼ା ମୁଣ୍ଡିଆ ମାରି ଘରକୁ ଗୋଟି ଗୋଟି ହୋଇଗଲେ । ବୁଢ଼ାମାନେ ଘରେ ପହଞ୍ଚିଲାବେଳକୁ ଯୁବାଦଳ ଓ ଟୋକା ପଞ୍ଝା ନାଟବାଲାଙ୍କୁ ଘେରି ଶୀଘ୍ର ବେଶ ସାରି ଛିଡ଼ାହେବାକୁ ବ୍ୟସ୍ତ କରୁଥାନ୍ତି । ଇତ୍ୟବସରରେ ଠାକୁରଙ୍କ ଜମିଦାର ବ୍ରାହ୍ମଣଠାରୁ ଆରମ୍ଭ କରି ଚଉକିଆ ପର୍ଯ୍ୟନ୍ତ ସମ୍ଭୋଗରେ ଗୋଟିକୁ ଗୋଟି ବିଦା କରି ଦେବାକୁ ଲାଗିଲେ । ପାଟଣାରେ ଠାକୁର ନାହାନ୍ତି, ଯାତ ହୁଏ ନାହିଁ । ବ୍ରାହ୍ମଣଶାସନ ଯାତରେ ପାଞ୍ଜିପାଠ ଶେଷ ହେବା ସଙ୍ଗେ ହକରା ଡକରା ନାଟରେ ରାତି ପାହିଯାଏ । କରଣ ସାହି ନାଟ ଦେଖି ଯିବାକୁ ଦୁଇ ପାଟଣାର ଲୋକେ ଖାଇ ପିଇ ପ୍ରସ୍ତୁତ ହୋଇ ଦାଣ୍ଡରେ ପଖୋଜ ବାଦ୍ୟକୁ କାନେଇ ବସିଛନ୍ତି-। କିଏ ମଧ୍ୟ ଆଗରେ ସୁବିଧା ସ୍ଥାନ ପାଇବା ପାଇଁ ଆଗରୁ ଯାଇ ନାଟସ୍ଥାନରେ ବସି ପଡ଼ୁଅଛନ୍ତି । ପୁରୋହିତ ଉପାଧି ପୂଜା ଶେଷକରି ଯାଉଅଛନ୍ତି । ତାଙ୍କୁ ଆଉଥରେ ଠାକୁର ମନ୍ଦିରକୁ ବିଜେ କରାଇ ନିତି ପୂଜା କରିବା ପାଇଁ ଆସିବାକୁ ପଡ଼ିବ, ଏଣୁ ସେ ବ୍ୟସ୍ତରେ ଗ୍ରାମର ହକରା ଡକରା ବୁଝି ଭୋଜନ କରି ଫେରିବାକୁ ପାଟଣା ମଧ୍ୟରେ ଗଲାବେଳକୁ କିଏ ପଚାରେ, ‘‘ଗୋସାଇଁ, ନାଟ କେତେବେଳେ ଆରମ୍ଭ ହେବ ?’’ କିଏ ପଚାରେ, ‘‘ନାଟ ଆରମ୍ଭ ହେଲାଣି ?’’ କିଏ ପଚାରେ, ‘‘କେଉଁ ପଞ୍ଝା ଆସିଅଛନ୍ତି ?’’ ପୁରୋହିତ ରାଗରେ କହନ୍ତି, ‘‘ଆରେ ମୁଁ କ’ଣ ତାଙ୍କୁ ବେଶ କରୁଥିଲି ନା, ତାଙ୍କ ପାଖରେ ବସିଥିଲି ! ଯାଇ ଦେଖ, କିଏ ଆସିଛି ।’’ ପୁରୋହିତ ଶାସନରେ ପହଞ୍ଚିଲାବେଳକୁ ମୁରବିମାନେ ହକରା ଡକରା ନାଟରେ ମାତି ଅଛନ୍ତି । ଟୋକାମାନେ କରଣସାହି ନାଟ ଦେଖି ଯିବା ପାଇଁ ପ୍ରସ୍ତୁତ ହୋଇ ବସିଅଛନ୍ତି । ପୁରୋହିତଙ୍କୁ ଦେଖି ସେମାନେ ତାଙ୍କ ଚାରିପାଖରେ ଘେରି ଯାଇ ନାଟ ବିଷୟରେ ନାନା ପ୍ରଶ୍ନ ପଚାରିଲେ । ତାଙ୍କ ନିଜ ପିଲାମାନେ ତୁଣ୍ଡବାରି ଭୋଗ ଖାଇବା ଆଶାରେ ଦୌଡ଼ି ଆସି ତାଙ୍କର ଲୁଗା ଓ ଗୋଡ଼ କୁଣ୍ଢାଇ ପକାଇଲେ । ସେ ନାଟ ଖବର କହି ଘରେ ପହଞ୍ଚି, ପିଲାମାନଙ୍କୁ ଭୋଗବାଣ୍ଟି ଦେଇ ଅବଶିଷ୍ଟ ଗୃହିଣୀ ଜିମା ଦେଇ, ଗୋଡ଼ହାତ ଧୋଇ ଶାସନ ଠାକୁର ଦର୍ଶନ ପାଇଁ ବାହାରିଲା ବେଳକୁ ପିଲାମାନେ ଅଇଁଠା ହାତରେ ଦଉଡ଼ି ଆସି ନାଟ ଦେଖିଯିବା ପାଇଁ ତାଙ୍କ କୁଞ୍ଚକାନି ଟାଣି ଅଳି ଲଗାଇଲେ । ପୁରୋହିତ ଅତି ରାଗରେ ‘‘ଆରେ ମୁଁ ଠାକୁରଙ୍କ କତିକି ଯାଉଛି, ନାଟ ଦେଖି ଯାଉନାହିଁ, ମୁଁ ଆସେଁ ଯିବା’’ କହି ପିଲାଟାଣୁଥିବା କାନିରେ ଜଳ ଦେଇ ଠାକୁରଙ୍କ ନିକଟରେ ପହଞ୍ଚିଲାବେଳକୁ ଠାକୁର ହକରା ଡକରା ନାଟ ଦେଖି ବ୍ରାହ୍ମଣମାନଙ୍କ ପାଇଁ ଆଶୀର୍ବାଦ ଶ୍ଳୋକ ରଚନା କରିବାକୁ ଧ୍ୟାନମଗ୍ନ ଅଛନ୍ତି, କି କ’ଣ କରୁଅଛନ୍ତି ସେ ଜାଣନ୍ତି । ପୁରୋହିତେ ମୁଣ୍ଡିଆ ମାରି ଅବିର ଟିକିଏ ଦେଇ, ହକରା ଡକରା ଖବର ବୁଝି ଘରେ ପହଞ୍ଚିଲାବେଳକୁ ଛୋଟ ପିଲାମାନେ ଶୋଇ ପଡ଼ିଲେଣି । ବଡ଼ ପିଲାଟି ନାଟ ଦେଖି ଯିବାକୁ ଜଗି ବସିଅଛି ।

 

ହକରା ଡକରା ରାତି ପାହିବା ପର୍ଯ୍ୟନ୍ତ ଲାଗିଥାଏ । ଠାକୁରଙ୍କ ଭୋଗ ଶେଷ ହେଲେ ତାହା ଶାସନ ଯେତେ ଭାଗ ସେତେ ଭାଗରେ ବଣ୍ଟରା ହୋଇ ଅବଶିଷ୍ଟ ସେବାୟତମାନେ ପାନ୍ତି । ସେବକ ‘‘ଅମୁକସାନ୍ତ ହକରା ନେବାକୁ ବିଜେ ହୁଅନ୍ତୁ’’ ବୋଲିଡାକ ଦିଏ । କିଏ ଚାଙ୍ଗୁଡ଼ି; କିଏ ଥାଳିଧରି ଯାନ୍ତି । ଗୋଟିଏ ଗୋଟିଏ ଭାଗର ଭାଇମାନେ ପୃଥକ୍‌ ହୋଇ ଦଶ ଘର ହେଲେ । ଭେଦା ପଞ୍ଚା କେହି ଦେଇ ନ ଥିଲେ, କଉ ଅଂଶବାଲା ହକରା ଆଣି ତା’ର ଅଂଶ ଦିଏ ନାହିଁ । ତେଣୁ ସେ ମହାଜନଙ୍କ ନିକଟକୁ ଯାଇ ଗୁହାରି କଲେ । ଆଉ ମଧ୍ୟ କେହି ବ୍ରାହ୍ମଣ କିଛି ଅନ୍ୟାୟ କାର୍ଯ୍ୟ କରିଥିଲେ ତାକୁ ଡକରା ହୋଇ ତା’ର ଦୋଷ ପ୍ରକାଶ କରାଯାଇ ହକରା ବନ୍ଦ ହେଲା ବୋଲି ଶୁଣାଇଁ ଦିଆଯାଏ । ସେ ନିର୍ଦ୍ଦେଶ ବୋଲି ନାନା ତର୍କ ଉଠାଏ । କେହି କୋଠସମ୍ପତ୍ତି କିଛି ଆତ୍ମସାତ୍‌ କରିଥିଲେ ତା’ର ହକରା ବନ୍ଦ ହୁଏ । ସେବାୟତମାନଙ୍କ ମଧ୍ୟରେ କାହାର କିଛି ଦୋଷଥିଲେ, ତା’ର ଚାକର ଖାରଜ ମଧ୍ୟ ହୁଏ । ସେମାନଙ୍କ ମଧ୍ୟରୁ ଆଗାମୀ ବର୍ଷକୁ ଧୋବା, ଭଣ୍ଡାରୀ, ଗଉଡ଼ ପ୍ରଭୃତି କାହାରି ସେ ଗ୍ରାମ ସେବା କରିବାକୁ ଇଚ୍ଛା ନ ଥିଲେ ସେ ସେଠାରେ ପ୍ରକାଶ କରେ । କାରଣ ମୁଲିଆ ପ୍ରଭୃତି ଏକ ଦୋଳରୁ ଅନ୍ୟ ଦୋଳ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଚାକିରି କରିବାକୁ ବାଧ୍ୟ; ମଧ୍ୟରେ କେହି ଛାଡ଼ି ଯାଇ ପାରିବ ନାହିଁ । ସେମାନଙ୍କର ପଡ଼ି, ବର୍ତ୍ତନ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଛିଡ଼ିଥାଏ । ଯଦି କାହାର କାହା ଉପରେ ବାକିଥାଏ, ସେ ମଧ୍ୟ ତା’ ନାମରେ ଗୁହାରିଆ ହୁଏ । ଏସବୁ ଅଡ଼ୁଆ ତୁଟାଉ ତୁଟାଉ ରାତି ପାହିଯାଏ । ଏଣେ ଠାକୁର ଶୁକ୍ଳ ଜ୍ୟୋତ୍ସାରେ ବସି ପ୍ରକୃତିରାଣୀଙ୍କ ସଙ୍ଗେ ସ୍ନେହାଳାପ କରୁଥାନ୍ତି । ଯଦି ବର୍ଷେ ବର୍ଷେ ପାଞ୍ଚଜଣଙ୍କର ମନ ମେଳଥାଏ, ତେବେ ପଞ୍ଝାଏ ପାଲାବାଲା ଆସନ୍ତି । ସେମାନେ ନିଜ ନିଜ ମୁଣ୍ଡର ଜରି ଫେଣ ଚାଳନରେ ଠାକୁରଙ୍କ କାନ୍ତିକୁ ମ୍ଳାନ କରି ଦିଅନ୍ତି, ଆଉ ଶାସନରେ ଯାତ୍ରା ହେଉଛି ବୋଲି ଲୋକେ ଜାଣନ୍ତି । ଆଜିକାଲି ପରି ସେତେବେଳେ ଏତେ ନାଟବାଲା ନ ଥିଲେ । ଯେଉଁଠାରେ ପଇସା ଅଧିକ ମିଳେ ଓ ଆଗରୁ ବଇନା ହୋଇଥାଏ, ସେଠାକୁ ଚାଲିଯାନ୍ତି । ଏଣୁ ବ୍ରାହ୍ମଣମାନେ ସେମାନଙ୍କୁ ଆଣି ପାରନ୍ତି ନାହିଁ । ପୂଜାବାଲା ସଂଖ୍ୟା ସେତେବେଳେ ବେଶି । ବର୍ଷେ ବର୍ଷେ ସେଥିରୁ ପଞ୍ଝାଏ ଅକ୍ଳେଶରେ ମିଳନ୍ତି ।

 

ହିନ୍ଦୁର ଜୀବନ ଉତ୍ସବମୟ । ପ୍ରତି ପୂର୍ଣ୍ଣିମା, ଅମାବାସ୍ୟା ଓ ସଂକ୍ରାନ୍ତିରେ କିଛି ହେଲେ ଉତ୍ସବ ଅଛି । ଏହାଛଡ଼ା ଷଠୀ, ଚଉଠୀ, ମଙ୍ଗଳବାର ଓ ଗୁରୁବାର ପ୍ରଭୃତି ନାନା ଉତ୍ସବ ପ୍ରତିମାସରେ ଲାଗି ରହିଅଛି । ମାତ୍ର ବର୍ଷ ମଧ୍ୟରେ ଦୋଳ ଓ ଦଶହରା ପ୍ରଧାନ । ଏବେ ଋତୁରାଜ ବସନ୍ତ ପୂର୍ଣ୍ଣ ବିଭବରେ ବିରାଜମାନ, ଧାନ, ମୂଗ, ବିରି ପ୍ରଭୃତି ଶସ୍ୟମାନ ପ୍ରାୟ ସମସ୍ତଙ୍କ ଘରେ ଊଣା ଅଧିକ ରହିଅଛି, ଖାଦ୍ୟର ଅଭାବ ନ ଥାଏ, ଚାଷ କାର୍ଯ୍ୟରୁ ଅବସର ମିଳିଥାଏ । ଏଣୁ ଏ ପୂର୍ଣ୍ଣିମା ବର୍ଷ ମଧ୍ୟରେ ଉତ୍କୃଷ୍ଟ ଆନନ୍ଦରେ ଲୋକମାନଙ୍କୁ ଭସାଏ । ସକଳ ଶ୍ରେଣୀର ଲୋକେ ଏ ସମୟରେ ଶାନ୍ତିରେ ଥାନ୍ତି । ଦିନରୁ ନୂଆ ଆମ୍ବ ଖିଆ ଉତ୍ସବ ଯଥା ସମାରୋହରେ ହୋଇ ଯାଇଥାଏ । ଗଉଡ଼ମାନେ ସନ୍ଧ୍ୟା ପୂର୍ବରୁ ବାଜାବାଲା ପଞ୍ଝାଏ ଆଗରେ ଚଲାଇ ନୂଆ ଶିକାବାହୁଙ୍ଗୀରେ ନୂତନ ଚିତ୍ରବେକା ଧରି, ମଇଁଷି ଶିଙ୍ଘର ଶିଂଘା ବଜାଇ ନାନା କୌତୁକରେ ନଦୀରେ କୁମ୍ଭ ବୁଡ଼ାଇ ସ୍ନାନ କରି ଘରକୁ ଫେରି ନୂଆ ହଳଦିଆ ଲୁଗା ପିନ୍ଧି କ୍ଷୀରି, ପିଠା, ଆକଣ୍ଠ ଭୋଜନ କରି, କିଏ ରାମତାଲା, କିଏ ଶିଙ୍ଘା, କିଏ ଅଣ୍ଟାରେ ଘଣ୍ଟା ଘାଗୁଡ଼ିମାଳ ବାନ୍ଧି, କିଏ ବାଡ଼ିଧରି ପଞ୍ଝା ପଞ୍ଝାହୋଇ ସାହି ସାହି ବୁଲି ରାଧାକୃଷ୍ଣଙ୍କର ବାରମାସ ଲୀଳାଗୀତ ଗାଇ, ବାଡ଼ି ଖେଳ, ନାଚି ନିଜ ନିଜ ପ୍ରାପ୍ୟ କାହାଠାରୁ ପଇସା, କାହାଠାରୁ ଲୁଗା ନେଇ ଘରକୁ ଫେରୁଥାନ୍ତି । ଯଥା ସମୟରେ କରଣ ସାହିରେ ପଖାଜର ‘ତା ଧିନ୍ଦା’ ଶବ୍ଦ ଲୋକମାନଙ୍କର କର୍ଣ୍ଣରେ ବାଜିବାରୁ ପଞ୍ଝା ପଞ୍ଝାହୋଇ ନାଟ ଦେଖିବାକୁ ବାହାରିଲେ । କାଚରା ଓ ତେଲିମହାଜନ ଘରର ଭେଣ୍ଡିଆ ପଞ୍ଝା ହାତରେ ମୋଟା ରୂପାଖଡ଼ୁ ବେକରେ ସୁନାର ଧାନ ଓ ଗିନିମାଳ, କାନରେ ଜଞ୍ଜିର ଲଗା ନୋଲି, ଅଣ୍ଟାରେ ଗୋଠ, କିଏ ଟସର ଯୋଡ଼; କିଏ ବ୍ରହ୍ମାକମିନୀ, କିଏ ଦକ୍ଷିଣା ଓ କିଏ କେଶନଗରୀ ଯଥାମାନ ପିନ୍ଧି ବାହାରିଲେ । ଆଜିକାଲି ଯେପରି ବଢ଼ିଆ ବାବୁ ପଞ୍ଝାଏ ଏକ ସ୍ଥାନରେ ପହଞ୍ଚିଗଲେ ସେ ଦୃଶ୍ୟ ସ୍ତ୍ରୀ ପୁରୁଷ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ, ସେହିପରି ସେତେବେଳେ ମହାଜନ ପିଲାଙ୍କ ପ୍ରତି ସମସ୍ତଙ୍କର ଦୃଷ୍ଟି । ସେ ନାଟସଭାରେ ପହଞ୍ଚିଲାମାତ୍ରେ ଆଦର ଗୌରବ ସହ ସମ୍ମୁଖ ଆସନ ପାଇଲେ । ଧନୀ କି ଗରିବ, ସମସ୍ତେ ଯାହାର ଯାହା ପେଡ଼ି ଲୁଗାଥିଲା, ଯାତ୍ରା ପାଇଁ ଆଗରୁ ଉଜ୍ଜ୍ୱଳ କରାଇ ରଖିଥିଲେ । ଆଜି ସମସ୍ତେ ନିଜ ନିଜ ବେଶଭୂଷାରେ ଯାତ୍ରାରେ ଉପସ୍ଥିତ ହେଉଅଛନ୍ତି । ପାଟଣାରୁ ଚାରି ପାଞ୍ଚ ଗୋଟି ମଠେଇ ପସରା, ଦୁଇତିନି ଫଗୁ ପସରା ଯାଇ ଯାତ୍ରା କଡ଼ରେ ବସିଗଲେଣି । ଆଜିକାଲି ପରି ଖିଲିବାଲା, ବାଡ଼ସାଇ ଓ ଚୁରୁଟବାଲା, ଲେମନେଡ଼୍‌ ଓ ସୋଡ଼ା ଉଆର, ନାନା ରଙ୍ଗର ତାମସାବାଲା ସେତେବେଳେ ଦେଖା ଦେଇ ନ ଥିଲେ । ବିଶେଷତଃ ମଫସଲ, ଆଉ ଅଧିକ ଆଡ଼ମ୍ୱର କାହୁଁ ହେବ ? ତେବେ ନାଟବାଲାଙ୍କ ଯୋଗେ ଦୁଇ ପଟଣ/ ବ୍ରାହ୍ମଣ ଏବଂ କରଣସାହିର ସ୍ତ୍ରୀ, ବାଳକ, ବୃଦ୍ଧ ଓ ଯୁବାମିଶି ପ୍ରାୟ ପାଞ୍ଚଶତ ଲୋକ ସେ ସ୍ଥାନରେ ଉପସ୍ଥିତ ଥିଲେ ।

 

ଆଜିକାଲି ମଫସଲ ଆଖଡ଼ା ଟିକିଏ ଭିନ୍ନାକାର ଧାରଣ କଲାଣି । ଲୀଳା ନାଟ ନାମମାତ୍ର ଅଛି । ନାଟର ବନ୍ଦନା ଅତି ସଂକ୍ଷେପରେ ହୋଇ ଆଗ ଦ୍ୱାରୀ ନ ବାହାରିଲେ ଲୋକଙ୍କର ଧୈର୍ଯ୍ୟ ରହୁନାହିଁ । ଦ୍ୱାରୀ ବାହାରି ଗୋଟିଏ ସୁଆଙ୍ଗ ଆରମ୍ଭ କଲେ ରାତି ଭୋର । ଛାପାଖାନା ଯୋଗେ ଛାପା ସୁଆଙ୍ଗ ବହି ଚାରିଆଡ଼େ ସୁଲଭ ମୂଲ୍ୟରେ ମିଳୁଅଛି, ସାଜସଜ୍ଜାର ଅଭାବ ନାହିଁ, ସାମାନ୍ୟ ପଇସା ଖର୍ଚ୍ଚ କଲେ ଦୋକାନରୁ ଡାକ କାମର ଗହଣା ପୋଷାକ ପ୍ରଭୃତି ମିଳୁଅଛି; ଏପରିକି, ନିଶ ପର୍ଯ୍ୟନ୍ତ ବିଦେଶରୁ ଆସି ବିକ୍ରି ହେଉଅଛି । ଏ ଆଖଡ଼ା ଆଜିକାଲି ଅଶିକ୍ଷିତ ଲୋକଙ୍କୁ ଏତେ ବାଇ କରିଅଛି ଯେ, ଯେଉଁ ଲୋକ ମୂଲ ଲାଗୁଅଛି, ସେ ଅକ୍ଳେଶରେ ଆଖଡ଼ାର ଭେଦା ପଞ୍ଚା ଦେଉଅଛି-। ଆଖଡ଼ାର ଗୁରୁ ଓ ପିଲାଙ୍କୁ ଷୋଡ଼ଶୋପଚାର ପୂଜା ହେଉଅଛି । ନିଜ ଘର ଛପରର ହେଳା ହେଉଅଛି, ମାତ୍ର ଆଖଡ଼ା ଘର ଛପରରେ ଲେଶମାତ୍ର ଅବହେଳା ହେଉ ନାହିଁ । ଗୋଟିଏ ନାଟପିଲା ନେଇ ସମୟ ସମୟରେ ଏପରି ବାଦ ବିବାଦ ହେଉଅଛି ଯେ, ମକଦମାରେ ହଜାର ହଜାର ଟଙ୍କା ଅକାତରରେ ବ୍ୟୟିତ ହେଉଅଛି । ନାଟ ପିଲାଟିମାନେ ଭଲ ଖାଇ ପିଇ ଚିକଣିଆ ହୋଇ ବେଶ ପିନ୍ଧି ଫୁକୁରୁ ଫୁକୁର ହୋଇ ନାଚକଲାବେଳେ ତାଙ୍କ ବାପମାଙ୍କ ମନ ଆନନ୍ଦରେ ନାଚିଉଠେ । କି ଭାଣ୍ଡ ସମୟ ଉପସ୍ଥିତ । ଏ ଆଖଡ଼ାଦଳ ସମାଜର ଓ ପଲ୍ଲୀର କି ଅନିଷ୍ଟ କରୁଅଛି, ତାହା ଆଖଡ଼ାବାଲାଙ୍କର ବୋଧ ଶକ୍ତିର ଅତୀତ । ଆଖଡ଼ା ପାଇଁ ଯେତେ ଶ୍ରଦ୍ଧା ଓ ଯତ୍ନ, ତାହାର ଶତାଂଶରୁ ଏକାଂଶ ସ୍କୁଲ କିମ୍ୱା ପାଠଶାଳା ପ୍ରତିଥିଲେ ସେମାନେ ସ୍ତ୍ରୀବାଳକଙ୍କୁ ଛାଡ଼ି ଚାରି ପାଞ୍ଚବର୍ଷ ଏକାଦିକ୍ରମେ ରେଙ୍ଗୁନ କଲିକତାରେ ରହିବୁଲି କାମ କରନ୍ତେ ନାହିଁ । ପାଠଶାଳା ଘରଖଣ୍ଡି ଛପର କରିବାକୁ କାହାର ଭୃକ୍ଷେପ ଥାଏ ନାହିଁ-। ବିଚରା ଅବଧାନ ମାସରେ ଦୁଇ ଅଣା ଦରମା ପାଇ ପାରୁ ନାହିଁ । ଯଦି କୌଣସି ପ୍ରକାରେ ପୁଅ ଅକ୍ଷର ଚିହ୍ନ ଆଉ ଉଷାହରଣ କି କାହ୍ନୁ ସୁଆଙ୍ଗ କିତାପଖଣ୍ଡିଏ ମା ବାପଙ୍କ ଆଗରେ ବୋଲି ପାରିଲା, ତେବେ ପୁଅର ଭଲ ଶିକ୍ଷା ହେଲା ବୋଲି ସେମାନେ ବୁଝି ଅବଧାନର ବାକି ବେତନ ମାଡ଼ିବସି, ସେ ବିଚରାକୁ ଆଖି ଦେଖାଇବାକୁ କୁଣ୍ଠିତ ହୁଅନ୍ତି ନାହିଁ ।

 

ମାତ୍ର ସେ ସମୟର ଲୀଳା ନାଟରେ ଟିକିଏ ବିଶେଷତ୍ୱ ଥିଲା । ରାମଲୀଳାର ପ୍ରଚଳନ ଅଧିକ ଥିଲା । କୃଷ୍ଣଲୀଳାର ଆରମ୍ଭ ମାତ୍ର ହେଉଥାଏ । ଏକ ସ୍ଥାନରେ ଜଣେ କବି ଏକ ଲୀଳା ଗାଇଲେ ତାହା ଦୂରସ୍ଥାନରେ ପ୍ରଘଟ ହେବା ପାଇଁ ସମୟ ଲାଗୁଥିଲା । ଏକ ତାଳପତ୍ର ଖେଦାରୁ ଅନ୍ୟ ତାଳପତ୍ର ଖେଦାରେ ଲେଖାହୋଇ ପ୍ରକାଶିତ ହେଉଁ ହେଉଁ ସମୟ ଲାଗିଲେ ମଧ୍ୟ ସେତେବେଳେ ଯାହା ପାଖରେ ଗୋଟିଏ ଗୀତ ବା ପାଠଥିଲା, ସେ ଅନ୍ୟକୁ ତାହା ଦେବାକୁ ବଡ଼ କୁଣ୍ଠିତ ହେଉଥିଲା । ଲୋକମାନଙ୍କର ଲୀଳା ଶୁଣିବା ପ୍ରତି ବଡ଼ ଆଗ୍ରହଥାଏ । ବନ୍ଦନା ରୀତିମତ ହେବ । ଆଖଡ଼ାବାଲା ଲୀଳା ମଧ୍ୟରୁ ଗୋଟିଏ ପ୍ରସଙ୍ଗ ଛାଡ଼ି ଦେଇ ଯାଇ ପାରୁ ନ ଥିଲେ । ଗୋଟିଏ ପ୍ରସଙ୍ଗ ଛାଡ଼ିଗଲେ ବୁଢ଼ାମାନେ ଧରୁଥିଲେ । ରାମଚରିତ କିମ୍ୱା କୃଷ୍ଣଚରିତ ଲୋକମାନେ ଭକ୍ତି ସହିତ ଶୁଣୁଥିଲେ । ଏତେ ରଙ୍ଗଢଙ୍ଗ ଓ ତାମସା ଆଡ଼କୁ ଲୋକମାନଙ୍କର ମନ ଯାଇ ନଥିଲା-। ପ୍ରସଙ୍ଗମଧ୍ୟରେ ସେ ସୁଆଙ୍ଗ ଆବଶ୍ୟକ ହେଉଥିଲା, ସେ ସୁଆଙ୍ଗର ବେଶଭୂଷା ଯାହା ସେ ସମୟରେ ଦେଶରେ ମିଳୁଥିଲା, ତାହା ପିନ୍ଧି ବାହାରୁ ଥିଲେ । ରାକ୍ଷସ ବାହାରିଲେ ଗୋଟିଏ ଗୋଟିଏ ଚିତ୍ରିତ କାଠମୁଖା ପିନ୍ଧି ବାହାରନ୍ତି । ଯେଉଁସ୍ଥାନରେ ନାଟ ହୁଏ, ସେ ସ୍ଥାନର ଜଣେ ଧନିଗୃହରୁ ଅଳଙ୍କାର ଓ ପାଟଶାଢ଼ୀ ମାଗି ଆଣି ରାଣୀ ସୁଆଙ୍ଗ ବାହାରେ । ପିଲାମାନେ ଦେଶୀ ହଳଦିଆ, ରଙ୍ଗ ଓ କଳାବସ୍ତା ପିନ୍ଧି, ଦେଶରେ ମିଳୁଥିବା ଅଳଙ୍କାର ଲଗାଇ ନାଟକ ରୁଥିଲେ । ଭଦ୍ର ମହିଳାମାନଙ୍କ ଅନ୍ୟତ୍ର ନାଟ ଦେଖିଯିବାକୁ ଅଧିକାର ନ ଥିଲା । ନିଜ ସାହି ମଧ୍ୟରେ ନାଟ ହେଲେ କେହି କାନ୍ଥର ଜଳା ମଧ୍ୟରେ ଚାହାଁନ୍ତି, କେହି ପିଣ୍ଡାରେ କନା ବା ଚାଞ୍ଚ ବାନ୍ଧି ଦେଖନ୍ତି । କରଣ ସାହିର ସ୍ତ୍ରୀଲୋକମାନଙ୍କ ପାଇଁ ସେହିପରି ମଧ୍ୟ ବନ୍ଦୋବସ୍ତ ହୋଇଥିଲା । ବୁଢ଼ାମାନେ ଖାଇ ସାରିବାରୁ ସ୍ତ୍ରୀଲୋକମାନଙ୍କର କାର୍ଯ୍ୟ ଶେଷ ହେଲା । ବୁଢ଼ୀମାନେ ଶିଶୁମାନଙ୍କୁ ଜଗି ଶୋଇଲେ, ବୁଢ଼ାମାନେ ଗୃହରକ୍ଷୀ ହେଲେ, ସ୍ତ୍ରୀଲୋକମାନେ ନାଟ ଦେଖିବାକୁ ଆସିଲେ ।

 

କ୍ରମେ ନାଟ ଜମି ଆସିଲା । କୃଷ୍ଣଲୀଳାରେ ଦେବକୀ ବିବାହଠାରୁ ଲୀଳାର ଆରମ୍ଭ ହୋଇଥାଏ । ପୁରୋହିତେ ଆପଣା ପୁଅଟିକୁ ସଙ୍ଗରେ ଧରି, ଦୋଳବେଦୀ ଉପରେ ପୁଅକୁ ବସାଇ ଦେଇ, ଗାମୁଛା ଖଣ୍ଡେ ପକାଇ ପଡ଼ିଗଲେ । ଗୀତ ଶୁଣୁଶୁଣୁ ତାଙ୍କୁ ଟିକିଏ ନିଦ ଆସିଲା । ଯେତେବେଳେ ଦେବକୀ ଓ ବସୁଦେବଙ୍କର ହସ୍ତଗ୍ରନ୍ଥି ପଡ଼ିଲା, ସୁଆଙ୍ଗ ହୋଇ ବାହାରିଥିବା ପୁରୋହିତ’’ ଯଥା ରାବଣସ୍ୟ ମନ୍ଦୋଦରୀ’’ ଇତ୍ୟାଦି ଦୀର୍ଘସ୍ୱରରେ ଆରମ୍ଭ କଲାବେଳକୁ ପୁରୋହିତଙ୍କର ନିଦ ଭାଙ୍ଗିଗଲା । ଫଗୁଣମାସ, ବିବାହତିଥି ଅନେକ ଥାଏ । ପୁରୋହିତ ନିଜ ଘରେ ଶୋଇଥିଲେ, ଯଦି ପାଟଣା ମଧ୍ୟରେ କାହାରି ବିବାହ ହେଉଥାଏ, ତେବେ ହସ୍ତଗ୍ରନ୍ଥି ପକାଇଲାବେଳେ ସେଠାରେ ଯେତେ ବ୍ରାହ୍ମଣ ଉପସ୍ଥିତ ଥାନ୍ତି, ଏକ ସ୍ୱରରେ ‘‘ରାବଣସ୍ୟ’’ ବାକ୍ୟ ଆରମ୍ଭ କଲାବେଳକୁ ପୁରୋହିତଙ୍କର ନିଦ ଭାଙ୍ଗିଯାଏ । ସେ ଅତରଛରେ ଉଠି ବିବାହସ୍ଥାନରେ ପହଞ୍ଚି ଯାଇ ସେମାନଙ୍କ ସଙ୍ଗେ ମନ୍ତ୍ରପାଠରେ ଯୋଗ ଦେଇ ପଇସାଏ କି ଅଧଲାଏ ଅଣ୍ଟାରେ ମାରି ଚାଲି ଆସନ୍ତି । ତାଙ୍କର ସେହି ଅଭ୍ୟାସ ଯୋଗୁଁ ଲୀଳା-ପୁରୋହିତଙ୍କ ପାଠ କାନରେ ବାଜନ୍ତେ ସେ ଯେପରି ଘରେ ଶୋଇଅଛନ୍ତି ଓ ପାଟଣାରେ କାହାରି ବିବାହ ହେଉଅଛି, ଏପରିଭାବି, ହଠାତ୍‌ ଉଠିବସି ଚାହିଁ ଦେଲେ ଯେ, ସୁଆଙ୍ଗ ପୁରୋହିତଟା ବୋଲୁଅଛି । ପୁଣି ଶୋଇ ପଡ଼ିଲେ । ରାତି ପ୍ରାୟ ତିନିଘଡ଼ି ଅଛି, ବୁଢ଼ାମାନେ ଉଠି ଆସି ଠାକୁର ବିଜେ କରାଇବାକୁ ପୁରୋହିତଙ୍କୁ କହିଲେ । ବୁଢ଼ାମାନେ ପଦାକୁ ଆସିବାରୁ ସ୍ତ୍ରୀଲୋକମାନେ ବାସିକାମ ପ୍ରଭୃତି କରିବାକୁ ଘର ମଧ୍ୟକୁ ଗଲେ, ବୁଢ଼ୀମାନେ ନାଟ ଦେଖିବାକୁ ଆସିଲେ । ସେତେବେଳେ ରାତି ଭୋର ପର୍ଯ୍ୟନ୍ତ ସ୍ତ୍ରୀଲୋକମାନେ ନାଟ ଦେଖି ପାରୁ ନ ଥିଲେ । କାରଣ ଯଥା ସମୟରେ ବାସିକାମ କରିବାକୁ ପଡ଼ିବ । ସେତେବେଳର ସମାଜର ଶାସନ ବାବ୍ୟବସ୍ଥା ସେହିପରି ଥିଲା । ବର୍ତ୍ତମାନ ଏହା ସ୍ତ୍ରୀମାନଙ୍କ ଉପରେ ଅଯଥା ଆଧିପତ୍ୟ ବୋଲି ବିବେଚିତ ହୋଇପାରେ ।

 

ଠାକୁର ମନ୍ଦିରକୁ ବିଜେ ହେଲେ । ରାତି ପାହିଲେ ନୀତି ପୂଜା ହୋଇ ପାରିବ ନାହିଁ, ସେତେବେଳେ ଏ ବିଷୟରେ ବିଶେଷ ଦୃଷ୍ଟିଥିଲା; ମାତ୍ର ଆଜିକାଲି ସେଥିପ୍ରତି ଦୃଷ୍ଟି ରହିପାରୁନାହିଁ । ଠାକୁର ବିଜେ ହେଲା ପରେ ବୁଢ଼ୀମାନେ ନାଟ ଦେଖି ବସିଲେ, ଲୀଳାଗାନ ହେଲା । ଶେଷରେ ରାତି ପାହିଲା । ପିଲା, ପଖୋଜିଆ ଓ ଜଣେ ପାଳିଆ ଉପେନ୍ଦ୍ର, ଦୀନକୃଷ୍ଣ ଓ ବଳରାମର ରଚିତ ସଙ୍ଗୀତମାନ ଗାଇ ଅଳି ଆରମ୍ଭ କଲେ । କହିବାକୁ ଗଲେ, ରାମଲୀଳା ଓ କୃଷ୍ଣଲୀଳା ବର୍ତ୍ତମାନ ଆଖଡ଼ାର ବିକୃତ ରୂପ ଧାରଣ କରୁଅଛି । ସର୍ବସାଧାରଣଙ୍କର ପୋଥିରୁ ରାମ ଚରିତ ବା କୃଷ୍ଣଚରିତ ପଢ଼ିବା ବା ଶୁଣିବାର ସୁବିଧା ନ ଥାଏ । ସେମାନେ ତାହା ବୁଝି ତହିଁରୁ ନୀତି ଗ୍ରହଣ କରିବା ଉଦ୍ଦେଶ୍ୟରେ ଲୀଳାର ସୃଷ୍ଟି । ଆଉ ମଧ୍ୟ ଶ୍ରାବ୍ୟକାବ୍ୟ ଅପେକ୍ଷା ଦୃଶ୍ୟକାବ୍ୟ ଦ୍ୱାରା ବର୍ଣ୍ଣିତ ବିଷୟ ହୃଦୟରେ ଯଥାର୍ଥ ରୂପେ ଅଙ୍କିତ ହୋଇଥାଏ । ମାତ୍ର ଦିନକୁ ଦିନ ସେ ଲୀଳା-ନାଟକ ଉନ୍ନତି ବିଧାନ ଦୂରେଥାଉ, ତାହା ବୀଭତ୍ସ ବର୍ଣ୍ଣନାରେ ପୂର୍ଣ୍ଣ ହୋଇ ସମାଜର ନୈତିକ ଜୀବନରେ କୁଠାର ଘାତ କରୁଅଛି । ଏହାର କାରଣ, ଶିକ୍ଷିତ ଲୋକଙ୍କର ସେଥିପ୍ରତି ଦୃଷ୍ଟି ନାହିଁ । ବରଂ ପରଦା ଟାଣି ମଞ୍ଚଉପରେ ନାଟ କରିବା ପୂର୍ବରୁଲୀଳା ନାଟର ଉନ୍ନତି ବିଧାନ ବାଞ୍ଛନୀୟ ।

Image

 

ଏକାଦଶ ପରିଚ୍ଛେଦ

 

ଘନଙ୍କର ନାଟ ଦେଖିବାରେ ମନ ନ ଥାଏ । ତାଙ୍କ ଆଖି ନାଟରେ ଥାଏ, ମାତ୍ର ମନ ମଠଡିହ ମଧ୍ୟରେ ବୁଲୁଥାଏ । ରାତି ପାହିଲା ମାତ୍ରେ ସେ ଯାଇ କାଚରା ମହାଜନ ଦ୍ୱାରରେ ଉପସ୍ଥିତ । ବାବାଜୀ ପହଞ୍ଚିବାର ଯେତେ ବିଳମ୍ୱ ହେଉଥାଏ, ତାଙ୍କ ମନ ସେତେ ଅସ୍ଥିର ହେଉଥାଏ-। ବେଳ ପହରକ ପରେ ବାବାଜୀ ଆସି ପହଞ୍ଚିଲେ । ସେ ମହାଜନ ବୁଢ଼ା ସଙ୍ଗରେ କଥାବାର୍ତ୍ତା ହେଉଁ ହେଉଁ ଘନ ଯାଇ ପିତାଙ୍କୁ ଘରୁ ଡାକି ଆଣିଲେ । ପଚାଶ ଟଙ୍କା ମୂଲ ହେଲା, ଲେଖାପଢ଼ି ହେଲା, ଟଙ୍କା ଦିଆଗଲା । ଘନ ଆନନ୍ଦରେ କ୍ରୟପତ୍ର ଖଣ୍ଡି ଧରି ଘରକୁ ଗଲେ । ଘଡ଼ିକ ମଧ୍ୟରେ ଏ କଥା ଦୁଇ ପଟଣା, ବ୍ରାହ୍ମଣ ଓ କରଣ ସାହିରେ ପ୍ରଘଟ ହୋଇଗଲା । କିଏ କହିଲା, ‘‘ଘନ ମଠଡିହଟା କ’ଣ କରିବେ ? କାହିଁକି ରଖିଲେ ?’’ କିଏ କହିଲା, ‘‘ଘର କରି ରହିବେ;’’ କିଏ କହିଲା, ‘‘ସହିବ ନାହିଁ;’’ କିଏ କହିଲା, ‘‘ଘର ନ କରନ୍ତୁ, ଖାଲି ବଗିଚା କରି ରଖିଲେ ତ ବର୍ଷକେ ଶହେ ଟଙ୍କା ମିଳିବ । ସେ ବଡ଼ କପାଳିଆ–କେଡ଼େ ଫରଚା ସ୍ଥାନ ଖଣ୍ଡେ ପାଇଲେ ।’’ ଏହିପରି ନାନା ଲୋକେ ନାନା କଥା କହୁଥାନ୍ତି । ଘନଙ୍କର ଆଉ ଛୁଟି ନାହିଁ । ସେ କାର୍ଯ୍ୟକ୍ଷେତ୍ରକୁ ଯିବାର ଆୟୋଜନରେ ରହିଲେ । ତାଙ୍କ ବୋଉଙ୍କର ମନ ଘାଣ୍ଟି ହେବାକୁ ଲାଗିଲା ।

 

ପାଠକେ, ଗୋଟିଏ ମଠଡିହ ବାବାଜୀ ବିକିଦେବା କଥା ଟିକିଏ ଅଡ଼ୁଆ ବୋଧ ହେଉଥିବ-। ଉତ୍କଳରେ ଅନେକ ପ୍ରକାର ମଠ ଅଛି । ସେଗୁଡ଼ିକୁ ପ୍ରଧାନତଃ ତିନିଶ୍ରେଣୀରେ ବିଭାଗ କରାଯାଇ ପାରେ–ସଦାବ୍ରତମଠ, ମାତାମଠ ଓ ଚିଲମମଠ । ବୈରାଗିମାନେ ନାନାତୀର୍ଥ ଭ୍ରମଣ କରି କରି ଦିନ କଟାନ୍ତି । ଶେଷ ସମୟରେ ଯେତେବେଳେ ଶରୀରର ବଳହ୍ରାସ ପାଏ, ସେମାନେ ଖଣ୍ଡିଏ ଆଶ୍ରମ କରି ରହନ୍ତି । ସେଠାରୁ ଅନ୍ୟ ବୈରାଗିମାନେ ଧର୍ମୋପଦେଶ ପାଇଁ ଗତାୟତ କରନ୍ତି । ଉକ୍ତ ଆଶ୍ରମମାନଙ୍କରେ ସାଧୁମାନଙ୍କ ଚର୍ଚ୍ଚା ପାଇଁ ରାଜା କିମ୍ୱା ମହାଜନମାନେ କିଛି କିଛି ବୃତ୍ତିଖଞ୍ଜି ଦିଅନ୍ତି । ଉକ୍ତ ଆଶ୍ରମରୁ ମଠର ସୃଷ୍ଟି । ଉକ୍ତ ବୈରାଗୀ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଉପଯୁକ୍ତ ଦେଖି ଜଣକୁ ମଠର ତତ୍ତ୍ୱାବଧାନ ଭାର ଅର୍ପଣ କରି ଦେହତ୍ୟାଗ କରନ୍ତି । କ୍ରମେ କ୍ରମେ ବଡ଼ ଚେଲାମଠର ଉତ୍ତରାଧିକାରୀ ହେଉଥାନ୍ତି । ଏହି ମଠର ତତ୍ତ୍ୱବଧାରକ ମହନ୍ତ ନାମରେ ଅଭିହିତ ।

 

କାଳକ୍ରମେ ମହନ୍ତମାନେ ମଠର ସର୍ବେ ସର୍ବା ହେଉଅଛନ୍ତି । ମଠରେ ଠାକୁର ଥାନ୍ତି । ଠାକୁରଙ୍କ ନୀତିବଳି, ମଠରେ ଉପସ୍ଥିତ ହେବା ଅଭ୍ୟାଗତ ଏବଂ ବିଦ୍ୟାଲାଭ କିମ୍ୱା ଧର୍ମୋପଦେଶ ଗ୍ରହଣ କରିବା ଉଦ୍ଦେଶ୍ୟରେ ଆସି ରହୁଥିବା ବ୍ରାହ୍ମଣ ବୈଷ୍ଣବମାନଙ୍କର ଗ୍ରାସାଚ୍ଛାଦନ ବ୍ୟୟ ପାଇଁ ମଠ ସମ୍ପତ୍ତିର ଉପିନ୍ନ ଅର୍ଥ ବ୍ୟୟିତ ହୁଏ । ଏ ପ୍ରକାର ମଠକୁ ସଦାବ୍ରତ ମଠ କହନ୍ତି । ଓଡ଼ିଶାର ନାନାସ୍ଥାନରେ ଏପରି ଅନେକ ମଠ ଅଛି । ଉକ୍ତମଠମାନଙ୍କ ଅଧୀନରେ ରାଜା ଓ ମହାରାଜାମାନ ପ୍ରଚୁର ଭୂମିଖଞ୍ଜି ଦେଇଅଛନ୍ତି । ମହନ୍ତମାନଙ୍କ ମଧ୍ୟରୁ କେତେକମଠ ସମ୍ପତ୍ତିର କ୍ରମୋନ୍ନତି କରି ତାହାର ଆୟ ବୃଦ୍ଧି କରନ୍ତି, ମାତ୍ରମଠର କୌଣସି ସ୍ଥାବର ସମ୍ପତ୍ତି ହସ୍ତାନ୍ତର କରିବା ଅଧିକାର ସେମାନଙ୍କର ନାହିଁ । ମହନ୍ତମାନେ ଆଦର୍ଶ ସଂଯମୀ, ସାଧୁପୁରୁଷ ହେବାର କଥା । ସେମାନଙ୍କ ମଧ୍ୟରୁ କେହି କେହି ଅନେକ ସ୍ଥଳରେ ସାଧାରଣଙ୍କ ଉପକାର ପାଇଁ ଜଳକୀର୍ତ୍ତି ପ୍ରଭୃତି ଏବଂ ଦେଶର ଉପକାର ପାଇଁ ନାନାସାଧୁ ଉଦ୍ଦେଶ୍ୟରେ ଅର୍ଥଦାନ କରିଥାନ୍ତି । ଏପରି ମଧ୍ୟ ଦେଖାଅଛି ଯେ, ସେମାନଙ୍କ ମଧ୍ୟରୁ ଅନେକେ ଅପରିଣତ ବୟସରେ ମଠର ମହନ୍ତ ପଦରେ ଅଧିଷ୍ଠିତ ହୋଇ ନିଜର ଓ ଅପରର ବିଳାସ ବାସନା ଚରିତାର୍ଥ କରିବାରେ ପ୍ରଚୁର ଅର୍ଥ ବ୍ୟୟ କରିଥାନ୍ତି । ଏହାଦ୍ୱାରା ଦାତାର ଦାନର ଉଦ୍ଦେଶ୍ୟ ସାଧିତ ହେବା ଦୂରେ ଥାଉ, ଲୋକ ସମାଜରେ କୁ ଆଦର୍ଶ ପ୍ରତିଫଳିତ ହେଉଅଛି ।

 

ମାତାମଠଧାରୀ ସମ୍ପ୍ରଦାୟ ପ୍ରଥମୋକ୍ତ ମଠଧାରୀଙ୍କଠାରୁ ପୃଥକ୍‌ । ଏମାନେ ଶ୍ରୀଚୈତନ୍ୟ ଦେବଙ୍କର ଧର୍ମାବଲମ୍ୱୀ ଅଟନ୍ତି । ଏମାନେ ରାଧାକୃଷ୍ଣଙ୍କ ସେବା ପୂଜା ଓ ନାମଗାନ କରନ୍ତି । ସେମାନଙ୍କ ମଧ୍ୟରୁ କେହି କେହି ପୂର୍ବସଂସ୍କାର ବଶରୁ ବାଲ୍ୟକାଳରୁ ଗୃହସୁଖ ଓ ମାତୃପିତୃ ସ୍ନେହକୁ ତୁଚ୍ଛ କରି, କଣ୍ଠିକୌପୀନ ଧରି ନାନାତୀର୍ଥ ବୁଲି ଧର୍ମଜୀବନର ଉନ୍ନତିବିଧାନ କରନ୍ତି । କେହି କେହି ନିଜ ଉଦର ଓ ପରିବାର ପୋଷଣଭାର ବହନ କରିବାକୁ ଅସମର୍ଥ ହୋଇ, କେହି କେହି ନିଜ ସ୍ତ୍ରୀ ପୁତ୍ର ମରିଯିବାରୁ କିମ୍ୱା କୌଣସି ଦାରୁଣ ରୋଗ ଯନ୍ତ୍ରଣାରେ ଅସ୍ଥିର ହୋଇ ଅଥବା ନିଜସ୍ତ୍ରୀ ପ୍ରତି ଅସନ୍ତୁଷ୍ଟ ହୋଇ କଣ୍ଠିକୌପୀନ ଧାରଣ କରନ୍ତି; କିଛିକାଳ ନାନାସ୍ଥାନ ବୁଲି ଚୈତନ୍ୟ ଚରିତାମୃତ ଏବଂ ଭାଗବତ କିଛି ପଢ଼ି ବା ଶୁଣି ଶୁଣି ନିଜର ଜ୍ଞାନ ବଢ଼ାଇ, ଶେଷରେ କୌଣସି ଗ୍ରାମରେ ଆଶ୍ରମ ପାଇଁ ସାଧାରଣ ଧର୍ମପ୍ରାଣ ଲୋକମାନଙ୍କ ସାହାଯ୍ୟଦ୍ୱାରା ଓ ନିଜଭିକ୍ଷାଲବ୍ଧ ଅର୍ଥରେ ଖଣ୍ଡିଏ କୁଟୀର ନିର୍ମାଣ କରି ଚୈତନ୍ୟ ମୂର୍ତ୍ତି ବା ରାଧାକୃଷ୍ଣ ମୂର୍ତ୍ତି ପ୍ରତିଷ୍ଠା କରି ତାଙ୍କ ସେବାପୂଜା ଓ ନାମଗାନରେ ଶେଷ ଜୀବନ କଟାନ୍ତି । ଖଣ୍ଡିଏ ଆଶ୍ରମ ଧରିଲେ ସେ ଗ୍ରାମ ଓ ତାହାର ନିକଟବର୍ତ୍ତୀ ଗ୍ରାମମାନଙ୍କରେ ମନ୍ତ୍ର ଉପଦେଶ ଦେଇ କେତେକେ ଶିଷ୍ୟ କରନ୍ତି । ସେମାନଙ୍କଠାରୁ ଓ ସର୍ବସାଧାରଣଙ୍କଠାରୁ ଭିକ୍ଷାଦ୍ୱାରା ନିଜ ଆଶ୍ରମରେ ଅବୟବ ବୃଦ୍ଧି ଓ ଜମିବାଡ଼ି କିଛି କରନ୍ତି । ଶେଷରେ ସାହୁ ମହାଜନୀ ମଧ୍ୟ ଆରମ୍ଭ ହୁଏ । କ୍ରମେ ଧନ୍ଦା ବଳିବାରୁ ଠାକୁରଙ୍କ ଭୋଗରନ୍ଧା, ମଠଗୃହ ଓ ଦେବତାଗୃହ ପରିଷ୍କାର ରଖିବା ପ୍ରଭୃତି କାର୍ଯ୍ୟ ପାଇଁ ଏବଂ ନିଜର ଶୁଶ୍ରୂଷା ପାଇଁ ଗୋଟିଏ ଗୋଟିଏ ମାତା ରଖନ୍ତି । ଅଧିକାଂଶ ମାତାମାନେ ବିଧବାଶ୍ରେଣୀରୁ ସଂଗୃହୀତ । କାହାରି କାହାରି ସଂସାରରେ ବିରାଗ ଜାତ ହେଲେ ସେମାନେ ମଠଧାରୀଙ୍କ ଆଶ୍ରୟ ଗ୍ରହଣ କରି କୃଷ୍ଣପ୍ରେମରେ କାଳଯାପନ କରନ୍ତି; କିଏ ଅବୈଧ କାର୍ଯ୍ୟକରି ସ୍ୱାମୀ କିମ୍ୱା ପିତାଙ୍କ ଗୃହରୁ ତାଡ଼ିତା ହୋଇ ସମାଜ ଲାଞ୍ଛନାରୁ ରକ୍ଷା ପାଇବା ପାଇଁ ଦୂରସ୍ଥାନକୁ ଯାଇ ମାତାବେଶ ଧାରଣ କରନ୍ତି; କିଏ ପେଟଜ୍ୱାଳା ନିବାରଣ ପାଇଁ ଏବଂ କେହି କେହି ବାବାଜିଙ୍କ ରୂପ ଓ ଗାନରେ ମୁଗ୍ଧ ହୋଇ ତାଙ୍କର ସହଧର୍ମିଣୀ ହୁଅନ୍ତି । ଏଣୁ ମାତାମାଠମାନଙ୍କରେ କେଉଁଠାରେ ବାବାଜୀ ବୃଦ୍ଧ ଓ ମାତା ଯୁବତୀ, କେଉଁଠାରେ ମାତା ବୃଦ୍ଧା ଓ ବାବାଜୀ ଯୁବକ, କେଉଁଠାରେ ଉଭୟ ପ୍ରାୟ ସମାନ ବୟସ୍କ ଦେଖାଯା’ନ୍ତି । ଆଉ ମଧ୍ୟ ବାବାଜୀ ଦେହତ୍ୟାଗ କଲେ କିମ୍ୱା ଥାଉଁ ଥାଉଁ ଗରିବ ଗୃହରୁ ଅର୍ଥ ଦେଇ ଗୋଟିଏ ପିଲା ଆଣି ତାକୁ ଚେଲା କରନ୍ତି । ପ୍ରଥମୋକ୍ତ ମଠରେ ମଧ୍ୟ ଗରିବ ଗୃହରୁ ଅର୍ଥଦ୍ୱାରା ଚେଲା ସଂଗୃହୀତ ହୁଅନ୍ତି । ପ୍ରଭେଦ ଏତିକି ଯେ, ମହନ୍ତମାନେ ପଣ୍ଡା ପ୍ରଭୃତି ବ୍ରାହ୍ମଣଘରୁ ପିଲାଟିଏ ଆଣିତାକୁ ଶିକ୍ଷା ଦିଅନ୍ତି । ମାତାମଠରେ ଯେଉଁଠାରୁ ମିଳେ, ସେଠାରୁ କିଣି ଆଣନ୍ତି । ସକଳ ପ୍ରକାର ବୈଷ୍ଣବ ସମ୍ପ୍ରଦାୟରେ ଜାତିଭେଦ ନାହିଁ । ‘‘ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁଗଲା’’ ପ୍ରବାଦ ରହିଅଛି । ଯେ ଜାତିର ହେଉ, ବିଧିମତ କଣ୍ଠିକୌପୀନ ଧାରଣ କଲେ ଆଉ ବାରଣ ଥାଏ ନାହିଁ । ଏହା ନ ହେଲା ପର୍ଯ୍ୟନ୍ତ ସେ ଠାକୁର ସେବା କିମ୍ୱା ଭୋଗ ରନ୍ଧାକୁ ଯୋଗ୍ୟବୋଲି ବିବେଚିତ ହୁଏ ନାହିଁ । ମାତା ମଠଧାରୀ ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଗ୍ରାହୀ କହିଲେ ଚଳେ । ଗୃହିମାନେ ଚାଷ, ମହାଜନୀ, ମାମଲା ମକଦ୍ଦମା ନେଇ ଯେପରି ବ୍ୟସ୍ତଥା’ନ୍ତି, ଏମାନେ ମଧ୍ୟ ସେହିପରି ବ୍ୟସ୍ତଥା’ନ୍ତି । ସେମାନଙ୍କ କାର୍ଯ୍ୟ ନିମିତ୍ତ ବନ୍ଧୁବାନ୍ଧବ ଯିବା ଆସିବା ଲାଗି ରହିଥାଏ-। ଏମାନଙ୍କର ମଧ୍ୟ ଚେଲା ଓ ମାତା ସମ୍ପର୍କର ଲୋକମାନଙ୍କର ଯିବା ଆସିବା, ଚେଲା ଓ ମାତାମାନଙ୍କର କଣ୍ଠିକୌପୀନ ଧାରଣ ସମୟରେ ଗୋଟିଏ ଗୋଟିଏ ମହୋତ୍ସବ ହୋଇଥାଏ । ନିକଟବର୍ତ୍ତୀ ମଠମାନଙ୍କରୁ ବାବାଜୀମାନେ ନିମନ୍ତ୍ରିତ ହୋଇ ଆସନ୍ତି, ପଙ୍ଗତ ହୁଏ । ଆଉ ମଧ୍ୟ ବାବାଜୀଙ୍କ ଦେହତ୍ୟାଗ ସମୟରେ ସେହିପରି ମହୋତ୍ସବ ହୁଏ । କେବଳ ସୂତିକା ଯନ୍ତ୍ରଣାଟି ନ ଥାଏ । ମାତାମାନଙ୍କର ଚରିତ୍ର ସମ୍ୱନ୍ଧରେ ଅନେକ ରହସ୍ୟମୟ କଥା ଲୋକମୁଖରୁ ଶୁଣାଯାଏ । ସେମାନଙ୍କର ଚାଲିଚଳଣ, ପଲଙ୍କ, ଶଯ୍ୟା ପ୍ରଭୃତି ବିଳାସ ସାମଗ୍ରୀମାନ ଦେଖି ଲୋକମାନେ ନା ନା ସନ୍ଦେହ କରନ୍ତି । ମାତ୍ର ଲୋକଚରିତ୍ର ବୁଝିବା ଲୋକପକ୍ଷରେ ସହଜ ନୁହେଁ । ଏପରି ମଧ୍ୟ ଦେଖାଯାଏ ଯେ, ନାନାବିଳାସ ଓ ପ୍ରଲୋଭନ ମଧ୍ୟରେ ଥାଇ ମଧ୍ୟ ଜଣେ ଜଣେ ସାଧୁ ପୁରୁଷ ସେ ସବୁକୁ ହେୟଜ୍ଞାନ କରି ବୈରାଗୀ ହୋଇଅଛନ୍ତି । ମନ ଦୃଢ଼ଥିଲେ, ପ୍ରଲୋଭନ ବାବିଳା ସସାମଗ୍ରୀ ଲୋକକୁ ବିଚଳିତ କରିପାରେ ନାହିଁ, ମାତ୍ର ସେପରି ବୈରାଗୀ କମ୍‌ ଦେଖାଯା’ନ୍ତି । ଯେଉଁମାନେ ସ୍ୱତଃପ୍ରବୃତ୍ତ ହୋଇ ସଂସାର ତ୍ୟାଗକରି ବୈଷ୍ଣବ ହୁଅନ୍ତି, ସେମାନଙ୍କ କଥା ପୃଥକ୍‌; କିନ୍ତୁ ପିଲାମାନଙ୍କୁ କିଣି ସେମାନଙ୍କୁ ଧରିବାନ୍ଧି ବୈରାଗୀ କରିବା ପ୍ରବୃତି ବିରୁଦ୍ଧ ହୋଇପଡ଼େ । କାରଣ, ମାନବ ସ୍ୱାଧୀନ ପ୍ରବୃତ୍ତି ନେଇ ଜାତ ହୋଇଅଛି–ତାକୁ କେହି ବାଧ୍ୟ କରି ନିଜ ଇଚ୍ଛାପଥରେ ଚଳାଇ ପାରେ ନାହିଁ । ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଶିଶୁ ନେଇ କେତେ ବାଦ ବିବାଦ ଓ ପରୀକ୍ଷା ପରେ ଶିଶୁର ଗତି ଯେଉଁ ଗତିରେ ଧାବିତ, ସେହି ଦିଗରେ ତାକୁ ସରଳ ପଥ ଦେଖାଇ ଜ୍ଞାନାର୍ଜନ କରିବାକୁ ସାହାଯ୍ୟ ଦେବା ଉପଯୁକ୍ତ ଶିକ୍ଷା ବୋଲି ନିର୍ଦ୍ଧାରିତ ହୋଇଅଛି । ମନୁଷ୍ୟ ପ୍ରବୃର୍ତ୍ତ ମାର୍ଗରେ କିଛି ଦିନ ନ ଗଲେ ନିବୃତ୍ତିମାର୍ଗ ଅବଲମ୍ୱନ ତାହା ପକ୍ଷରେ ଅସମ୍ଭବ ହୋଇପଡ଼େ । ଏଣୁ ଭକ୍ତ ଚେଲାମାନେ ଯଦି ଯୁବା ସମୟରେ ମଠର ମାଲିକ ହୁଅନ୍ତି, ତେବେ ସେମାନେ ପ୍ରକୃତ ବୈଷ୍ଣବର ଆଦର୍ଶ କାହୁଁ ଦେଖାଇ ପାରିବେ ? ପଦାରେ ସେମାନଙ୍କ କାର୍ଯ୍ୟ ପର୍ଯ୍ୟବେକ୍ଷଣ କଲେ ଦେଖାଯାଏ ଯେ, ଯେଉଁମାନେ ପ୍ରକୃତ ବୈଷ୍ଣବ, ସେମାନେ ଗ୍ରାମ ମଧ୍ୟରେ ବାଦ ବିବାଦ କିମ୍ୱା ବିପଦ ସମୟରେ ଲୋକମାନଙ୍କୁ ସୁନ୍ଦର ଉପଦେଶ ପ୍ରଦାନ କରି ସେମାନଙ୍କୁ ସୁପଥରେ ଚଳାଇବାକୁ ଚେଷ୍ଟା କରନ୍ତି । ଆଉ କେତେକ ଅଛନ୍ତି; ସେମାନଙ୍କର ଦୁଇଜଣ ମଧ୍ୟରେ କଳି ଲଗାଇବା, ଏକ ଘର ଭାଙ୍ଗି ଦୁଇ ଘର କରିବା ଏବଂ ନାନା ଭୟ ଦେଖାଇ ଲୋକଙ୍କୁ ପ୍ରକୃତ କାର୍ଯ୍ୟରୁ ନିରୁତ୍ସାହ କରିବା ପ୍ରଧାନ କାର୍ଯ୍ୟ ହୋଇଥାଏ । ମାତାମାନେ ଭିକ୍ଷା ଉଦ୍ଦେଶ୍ୟରେ ଗୃହ ମଧ୍ୟରେ ପ୍ରବେଶ କରି ସ୍ୱାମୀ, ସ୍ତ୍ରୀ ଓ ଶାଶୁ ବୋହୂ ମଧ୍ୟରେ କଳହ ଲାଗିଥିଲେ ସେମାନଙ୍କୁ ଧର୍ମ ଉପଦେଶ ଦ୍ୱାରା ମିଳାଇ ଦିଅନ୍ତି । ଭଲ ସମୟରେ ମଧ୍ୟ ଖୁସି ଗଳ୍ପଛଳରେ ଧର୍ମୋପଦେଶ କିମ୍ୱା ନୀତି ଉପଦେଶ ପ୍ରଦାନ କରନ୍ତି । ଆଉ କେତେ ମାତା ଅଛନ୍ତି, ସେମାନେ ସ୍ତ୍ରୀ ପୁରୁଷ, ଶାଶୁ ବୋହୂ, ନଣନ୍ଦ, ଜା ପ୍ରଭୃତିଙ୍କ ମଧ୍ୟରେ କଳହ ଲଗାଇ ଦେଇ ନିଜେ ଚିହ୍ନା ପଡ଼ନ୍ତି ନାହିଁ । ସେମାନଙ୍କର ଘର ଭାଙ୍ଗିବା ପ୍ରଭୃତି ଅନ୍ୟାୟ କାର୍ଯ୍ୟମାନଙ୍କରେ ବିଚକ୍ଷଣ ଦକ୍ଷତା ଥାଏ । ଏପ୍ରକାର ମାତାମାନଙ୍କ ସଙ୍ଗରେ ସ୍ତ୍ରୀଲୋକମାନଙ୍କର ବସାଉଠା ସମୟ ସମୟରେ ବଡ଼ ବିପଦର କାରଣ ହୋଇଥାଏ । ବିଭିନ୍ନ ମଠଧାରୀ ବାବାଜୀମାନଙ୍କ ମଧ୍ୟରେ ରାମାନନ୍ଦୀ, ନିମାନନ୍ଦୀ, ଅତିବଡ଼ୀ, କୁମ୍ୱିପଟୁଆ ଇତ୍ୟାଦି ସକଳଶ୍ରେଣୀର ବୈଷ୍ଣବ ରହିଥାନ୍ତି । ସେମାନଙ୍କ ମଧ୍ୟରେ କେତେକ ପ୍ରକୃତ ବୈଷ୍ଣବ ଥାନ୍ତି, ସେମାନେ ନାନାତୀର୍ଥ ବୁଲି ଜ୍ଞାନାର୍ଜନ କରି, ଶେଷଜୀବନରେ ଆଶ୍ରମ ଖଣ୍ଡିଏ ଖଣ୍ଡିଏ କରି ଈଶ୍ୱରଙ୍କ ଆରାଧନାରେ ଦିନ କାଟନ୍ତି । ଆଉକେତେକ ମଧ୍ୟ ଆପେ ଆପେ କଣ୍ଠିକୌପୀନ ଧାରଣକରି କେବଳ ବୈଷ୍ଣବ ବେଶରେ ପେଟପୋଷନ୍ତି । ଅଧିକାଂଶ ଲୋକ ଚିଲମ-ପ୍ରସାଦ ଲାଭ କରିବାକୁ ଏମାନଙ୍କର ଭକ୍ତହୁଅନ୍ତି । ଚିଲମ-ପ୍ରସାଦ ପାଉ ପାଉ ପ୍ରକୃତ ବୈଷ୍ଣବମାନଙ୍କ ଶକ୍ତିରେ ମୋହିତ ହୋଇ କାହାରି କାହାରି ମଧ୍ୟ ଭକ୍ତି ଆଡ଼କୁ ମନ ଯାଏ । ଏ ଶ୍ରେଣୀର ବୈଷ୍ଣବମାନଙ୍କ ମଧ୍ୟରେ ଜଣେ ସାଧୁ ଦେଖାଯାନ୍ତି ଯେ, ସେମାନେ ଏକ ସ୍ଥାନରେ ଦୁଇ ତିନି ବର୍ଷ ରହି ଅନ୍ୟ ସ୍ଥାନକୁ ଚାଲିଯାନ୍ତି, ଆଉ ମଧ୍ୟ ନାଗାନ୍ତ ବିଦ୍ୟାରେ ପାରଦର୍ଶିତା ଲାଭ କରିଥାନ୍ତି ।

 

ଘନ ଯେଉଁ ବାବାଜୀଠାରୁ ଡିହ କିଣିଲେ, ସେ ଜାତିରେ କେଉଟ, ପେଟପୋଷି ନ ପାରିବାରୁ ସେ ବୈଷ୍ଣବ ବେଶ ଧାରଣ କରି ଦିନାବେଳେ ଇତସ୍ତତଃ ବୁଲି ଜଗନ୍ନାଥ ଦାସଙ୍କ ଭାଗବତ ଓ ମାଳିକା ପ୍ରଭୃତିରୁ ପଦ କେତେ ମୁଖସ୍ଥ କରି ଶେଷରେ ଉକ୍ତସ୍ଥାନରେ ପହଞ୍ଚିଲେ । ସେ ସ୍ଥାନର ନଦୀ ଅତଡ଼ି ପାଖଟି ଗ୍ରାମର ଶ୍ମଶାନ ଥିଲା; ଅବଶିଷ୍ଟ ଅଂଶ ଗୋଚର ଥିଲା । ଲୋକମାନଙ୍କର ଭକ୍ତି ବଢ଼ାଇବା ପାଇଁ ସେ ପ୍ରଥମେ ଗୋଟିଏ ତାଳପତ୍ର ଛତା ପୋତି ମଶାଣି ପଡ଼ିଆରେ ଦୁଇତିନି ରାତି କଟାଇଲେ । ଏହା ଦେଖି ଗ୍ରାମର ଲୋକମାନେ ଭାବିଲେ ଯେ, ସେ ଜଣେ ଭଲ ସାଧୁ ଆସି ପହଞ୍ଚିଗଲେ । ସମସ୍ତେ ଗଞ୍ଜାଇ ଫଳମୂଳ ଦୁଧ ନେଇ ପହଞ୍ଚିଲେ । କିଛିଦିନ ପରେ ବାବାଜୀଙ୍କ ପାଇଁ ଖଣ୍ଡିଏ କୁଡ଼ିଆ ହେଲା । କ୍ରମେ କ୍ରମେ ଚିଲମର ପ୍ରସାର ମଧ୍ୟ ବଢ଼ିଲା । ସେମାନଙ୍କ ସାହାଯ୍ୟରେ ସେ ନାନା ପ୍ରକାର ଗଛ ଲଗାଇ ଗୋଟିଏ ବଗିଚା ଆରମ୍ଭ କରିଦେଲେ । କ୍ରମେ ଗାଇ ବନ୍ଧାହେଲା ଓ ମୂଷା ମାରିବାକୁ ବିରାଡ଼ି ପ୍ରଭୃତି ପୋଷାହେଲା । ଭିକ୍ଷାଲବ୍ଧ ଧାନ, ଚାଉଳ ଓ ପଇସା ବଳି ପଡ଼ିବାରୁ ତାହା କରଜ ଦିଆଗଲା । ଗୁହାଳ ପୋଛିବା, ଧାନ ଆଡ଼େଇବା, ମଠଝାଡ଼ୁ କରିବା ଏବଂ ଲିପପୋଛା କରିବା ପାଇଁ ଦାସୀଟିଏ ଯିବା ଆସିବା କରି କାମକଲା । ତା’ ସାଙ୍ଗରେ ତା’ର ପିଲା ଝିଅଟିଏ ମଧ୍ୟ ଯିବା ଆସିବା କରିଲା । ବାବାଜୀଙ୍କର ତା’ ପ୍ରତି ଦିନକୁ ଦିନ ସ୍ନେହ ବଢ଼ିଲା । ସେ ଯୁବତୀ ହେବା ପରେ ଦିନ ଦିନେ ନିଛାଟିଆ ସମୟରେ ମଠକୁ ଯିବା ଆସିବା କରିବାରୁ ଓ ମଠ ମଧ୍ୟରେ ଶୁଖୁଆର ବାସ୍ନା ହେବାରୁ ଲୋକମାନଙ୍କ ମନରେ ସନ୍ଦେହ ଜାତହେଲା । ଲୋକମାନେ ବୈଷ୍ଣବଙ୍କୁ ଦେଖାଇ ଦେଖାଇ ନାନା କଥା କହିଲେ । ବୈଷ୍ଣବ ସେମାନଙ୍କ କଥା ଶୁଣି ଦାସୀ ବୁଢ଼ୀ ଯେଉଁଦିନ ବେମାରଥାଏ, ସେଦିନ ତା’ ଝିଅ ଆସି କାମ କରିଦିଏ ଏବଂ ବିରାଡ଼ି ପାଇଁ ଶୁଖୁଆ ଦରକାର ହୁଏ ବୋଲି ପ୍ରକାଶ କରନ୍ତି । ତଥାପି ଲୋକମାନଙ୍କର ସନ୍ଦେହ ଦୂର ହୁଏ ନାହିଁ । କାରଣ ମାନବର ପ୍ରକୃତି, ସେ ପ୍ରଥମେ ଗୁଣ ନ ଦେଖି ଦୋଷ ଦେଖେ । ବାବାଜୀ ଦେଖିଲେ ଯେ, ଏଠାରେ ଏଣିକି ରହିଲେ ଇଜ୍ଜତ ଖୋଲା ହୋଇଯିବ; ଅନ୍ୟ ସ୍ଥାନ ନ ଦେଖିଲେ ଚଳି ହେବନାହିଁ । ସେ ସ୍ଥାନରେ ଅନେକ କାଳ ରହିଯିବାରୁ ଓ ତାଙ୍କ ସ୍ଥିତି ସମୟରେ ବନ୍ଦୋବସ୍ତ ହୋଇ ଯାଇଥିବାରୁ ଡିହ ଓ ବଗାଏତ ତାଙ୍କ ନାମରେ ଜରିବ ହୋଇ ଯାଇଥିଲା । ଏତେଗୁଡ଼ିଏ ଗଛ ଛାଡ଼ି ଯିବାକୁ ତାଙ୍କର ମନ ବଳୁ ନ ଥାଏ । ଶେଷରେ ସେସ୍ଥାନ ନ ଛାଡ଼ି ଥୟ ହୋଇ ରହି ପାରିଲେ ନାହିଁ । ସେ କାଚରା ମହାଜନକୁ କହିଲେ, ‘‘ମୁଁ ତୀର୍ଥ କରିଯିବି, ଆଉ ଏଠାକୁ ଫେରିବି ନାହିଁ । ମାତ୍ର ତୀର୍ଥ ପାଇଁ ପଇସାର ଅଭାବ । ମଠଡିହ ଓ ବଗାୟତ ରଖ, ମତେ ପଇସା ଦିଅ ।’’ ମହାଜନ ବୁଢ଼ା ମଠଡିହ ରଖିବାକୁ ଇଚ୍ଛାକଲା ନାହିଁ । ବାବାଜୀ ମହାଜନ ବୁଢ଼ାଜିମାରେ ଡିହ ଦେଇ ତାକୁ କହିଗଲେ ଯେ, ନିକଟବର୍ତ୍ତୀ ଗ୍ରାମମାନଙ୍କରେ ମୋର ସାମାନ୍ୟ ପଇସାପତ୍ର ଅଛି, ଆଦାୟ କରୁଛି । ଯେତେବେଳେ ଯେଉଁଠାରେ ଥିବି, ତୁମକୁ ଖବର ଦେଉଥିବି । ଯଦି କେହି ଗ୍ରାହକ ଯୁଟେ, ତେବେ ମତେ ଖବର ଦେଲେ ମୁଁ ଆସି କବଲା ଲେଖି ଦେଇଯିବି । ସେତେବେଳେ ରେଜିଷ୍ଟରୀ ଆଇନ ଜାରି ହୋଇ ନ ଥାଏ । ଜମିଦାର ମତ ଦେଲେ ହେଲା । କାଚରା ମହାଜନର ଜମିଦାରୀ ମଧ୍ୟରେ ସେ ଡିହ ଖଣ୍ଡିଥିଲା । ତେଣୁ ଘନ ତାହା ଅକ୍ଳେଶରେ ପାଇଲେ ।

 

ଘର ଡିହକିଣି ତହିଁରେ ଥିବା ବଗିଚା ପ୍ରତି ନଜର ରଖିବାକୁ ଗୋଟିଏ ପାଣ ବୁଢ଼ାକୁ ଜଗାଇ ଦେଲେ । ସେ ଯାହା ପଇସା ଆଣିଥିଲେ, ଡିହକିଣି ସେଥିରୁ ଆଉ କିଛି ବଳିଲା । ଘନ ମାଆଙ୍କ ପାଖରେ ଖର୍ଚ୍ଚ ପାଇଁ କିଛି ଦେଇ, ପିତାଙ୍କୁ ନ ଜଣାଇ, ଅବଶିଷ୍ଟ ମହାଜନ ବୁଢ଼ାଜିମା ଦେଇ କାଠ କିଣିବାର ବନ୍ଦୋବସ୍ତ କରିଗଲେ । ତାଙ୍କର ଇଚ୍ଛା, ଯେପରି ତାଙ୍କ ବିବାହ ପୂର୍ବରୁ ନୂଆଘର ହୋଇଥିବ । ଘର ଛାଡ଼ି ବିଦେଶ ଗଲେ ସାଧାରଣତଃ ଯେପରି ମନଦୁଃଖ ହୁଏ, ଘନଙ୍କର ସେପରି ହେଲା ନାହିଁ । ଭବିଷ୍ୟତ ସୁଖଲାଳସା ଗୃହ ବିଚ୍ଛେଦ ଦୁଃଖର ସାମୟିକ ଅନ୍ତରାୟ ହେଲା । ତାଙ୍କର ଭାବନା ରହିଲା, କିପରି ବେଶି ପଇସା ଆଣି ଭଲ ଘର କରିବେ, ଜମି କିଣିବେ, ଚାଷ ଆରମ୍ଭ କରାଇବେ ଓ ଗୃହୋପକରଣ କରାଇବେ । ତାଙ୍କ ମନ ଆଉ ଘରେ ରହିଲା ନାହିଁ । ଘନ ପିତାଙ୍କୁ କହିଲେ, ‘‘ମୋର ଛୁଟି ଶେଷହେଲା । ମୁଁ କାଲି ଯିବି ।’’ ପିତାଙ୍କର ଆପତ୍ତି କିଛି ନ ଥିଲା, ମାତ୍ର ମାତାଙ୍କ ମନ ପୂର୍ଣ୍ଣିମା ଲୋକରୁ ଅମାବାସ୍ୟା ଅନ୍ଧାରକୁ ଚାଲିଗଲା । ଘରୁ ବିଦାୟ ହୋଇ ଯିବା ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର କାନ୍ଦରସୀମା ନ ଥାଏ । ମାତ୍ର ଯେତେବେଳେ ଜନନୀଠାରୁ ବିଦାୟ ନେବାକୁ ଗଲେ, ତାଙ୍କର ଲୋତକଧାର ଦେଖି ସେ ଆନନ୍ଦକୁ ସ୍ୱପ୍ନବତ୍‌ ମଣି ପୁନରପି ମାତାଙ୍କ ସ୍ନେହ ବନ୍ଧନରେ କିଛିକ୍ଷଣ ଆବଦ୍ଧ ରହି ତାଙ୍କୁ ଭୁଲାଇବା ପାଇଁ ନାନା କଥା କହିଲେ–‘‘ମୁଁ ପୁଣି ଦଶହରାକୁ ଆସିବି । କ’ଣ କରିବା, ଘରେ ରହିଲେ ପଇସା କାହୁଁ ମିଳିବ ? ଜମିବାଡ଼ି କ’ଣ ଅଛି ଯେ ଚଳିବା ? ତୁ ବ୍ୟସ୍ତ ହେବୁ ନାହିଁ । ମୋର ଅସୁବିଧା କିଛି ହୁଏ ନାହିଁ–ମୁଁ ଭଲରେ ଥାଏଁ । ତୋ’ର କିମ୍ୱା ପିତାଙ୍କର ଶରୀର ଅସୁସ୍ଥ ହେଲେ ମୁଁ ଯୋଉ ବାରିକଟି ସାଙ୍ଗରେ ନେଉଅଛି, ସେବାଟ ଦେଖି ଆସିଥିବ, ତାକୁ ପଠାଇ ଦେଲେ ମୁଁ ଚାଲି ଆସିବି । ପଇସାପତ୍ର ଆବଶ୍ୟକ ହେଲେ ତାକୁ ପଠାଇଲେ ସେ ନେଇ ଆସିବ ।’’ ମାତା କହିଲେ, ‘‘ପଇସା କ’ଣ ହେବ ? କାନ୍ଥବାଡ଼କୁ ଚାହିଁ ଦିନ ସରିବ ନାହିଁ ! ସଦାବେଳେ ମନ ଘାଣ୍ଟିହେବ । ହଉ ଯା, ମା’ ମଙ୍ଗଳା ସାଥି ହୁଅନ୍ତୁ ।’’ ଘନ ଦୁଃଖିତ ମନରେ ମା’ଙ୍କୁ ମୁଣ୍ଡିଆ ମାରି ପିତାଙ୍କଠାରୁ ବିଦାୟ ନେଇ ଘରୁ ବାହାରିଲେ-। ସାହିର ସଙ୍ଗିମାନେ ପାଟଣା ପର୍ଯ୍ୟନ୍ତ ଆସିଲେ । ପାଟଣାରେ କାଚରା ମହାଜନ ପାଖରୁ ବିଦାୟ ହୋଇ, ସେ ଡିହର ଗଛ ପ୍ରଭୃତି ପ୍ରତି ନଜର ରଖିବାକୁ ଏବଂ ଭଲ କାଠଖରିଦ କରିବାକୁ ତାଙ୍କୁ ଅନୁରୋଧ କରିଗଲେ । ଶାସନରେ ପୁରୋହିତଙ୍କଠାରୁ ମଧ୍ୟ ବିଦାୟ ନେଲେ । ତାଙ୍କୁ ମଧ୍ୟ ନୂଆଡିହ ପ୍ରତି ଦୃଷ୍ଟି ଦେବାକୁ ପ୍ରାର୍ଥନା କରିଗଲେ । ଗ୍ରାମ ପାର ହେଲା କ୍ଷଣି ପୁଣି ଭାବୀ ଆଶା ଜାଗ୍ରତ ହେଲା । ସେ କର୍ମକ୍ଷେତ୍ରରେ ପହଞ୍ଚି କେବଳ ଆୟ ବୃଦ୍ଧିରେ ମନ ରଖିଲେ ।

Image

 

ଦ୍ୱାଦଶ ପରିଚ୍ଛେଦ

 

ଘନ ଯାଇ କର୍ମକ୍ଷେତ୍ରରେ ପହଞ୍ଚିଲେ । ସେ ଗ୍ରାମର କାମ ଶେଷ କରି ଆଉ ଗୋଟାଏ ଗ୍ରାମକୁ ଗଲା ବେଳକୁ ଏକବର୍ଷ ଅତୀତ ହେଲା । ଘନଙ୍କ କାର୍ଯ୍ୟଦକ୍ଷତାରେ ଉପରିସ୍ଥ କର୍ମଚାରୀ ଅତି ସନ୍ତୁଷ୍ଟ ଥିଲେ । ଦିନେ ସନ୍ଧ୍ୟାବେଳକୁ ଜଣେ ଚଉକିଆ ଖଣ୍ଡେ ଚିରାକାଠି ମଧ୍ୟରେ ଗୋଟାଏ ବନ୍ଦ ପୁଲିନ୍ଦା ଧରି ଆସି ପହଞ୍ଚିଲା । ସେତେବେଳେ ଏତେ ଡାକଘର ନ ଥିଲା । ସରକାରୀ ଡାକମାନ ଚଉକିଆମାନେ ଏକ ଗ୍ରାମରୁ ଅନ୍ୟ ଗ୍ରାମକୁ ନେଇ ଯାଉଥିଲେ । ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ ସେହିପରି ଡାକ ଯାଉଅଛି । ଦାନ୍ତକାଠି ଯେପରି ପାଖେ ଚିରାଥାଏ, ସେହିପରି ଖଣ୍ଡେ କାଠିର ପାଖେ ଚିରି ତା’ ମଧ୍ୟରେ ଚିଠି ପୁଲିନ୍ଦାରଖି ତଳ ପାଖରୁ ଧରି ଚଉକିଆମାନେ ଡାକ ନିଅନ୍ତି । ଏହାର ଉଦ୍ଦେଶ୍ୟଏହି ଯେ, ଡାକଝାଳ ପ୍ରଭୃତି ଲାଗି ମଇଳା ହେବ ନାହିଁ ଏବଂ ସର୍କାରୀଡାକ ବୋଲି ଜଣାପଡ଼ିବ । ଏକ ଗ୍ରାମର ଚୌକିଦାର ଅନ୍ୟ ଗ୍ରାମରେ ଦେଲା ମାତ୍ରେ ସେହି ଗ୍ରାମର ଚୌକିଦାର ‘‘ଛାଡ଼ ପିତୃକାର୍ଯ୍ୟ, କର ରାଜକାର୍ଯ୍ୟ’’ ଭାବି ସେ ଡାକ ଅନ୍ୟ ଚୌକିଦାର ଜିମା ଦେବ । ଘନ ପୁଲିନ୍ଦା ଫିଟାଇ ଦେଖିଲେ ଯେ, ସେହେଡ଼୍‌ ଅମିନ କାର୍ଯ୍ୟକୁ ଉନ୍ନୀତ ହୋଇଅଛନ୍ତି । ଆନନ୍ଦର ସୀମା ରହିଲା ନାହିଁ । ଗ୍ରାମବାସୀ ଶୁଣି ଅତି ଆନନ୍ଦିତ ହେଲେ, କହିଲେ, ‘‘ଆମ ଗାଁ ଅମିନ ହେଡ଼୍‌ ଅମିନ ହେଲେ, ଆମମାନଙ୍କର ଭଲ ହେଲା ।’’ ତା ପରଦିନ ଜଣେ ଅମିନ ଆସି ଘନଙ୍କଠାରୁ କାଗଜପତ୍ର ବୁଝିନେଲେ । ଘନ ନିଜ ହେଡ଼୍‌କ୍ୱାର୍ଟରକୁ ବାହାରିଲେ । ଗ୍ରାମବାସୀ ତାଙ୍କୁ ଉତ୍ତମ ରୂପେ ବିଦାୟ କରିଦେଲେ । ଘନ ଗଲାବେଳେ ମାମୁଙ୍କ ସଙ୍ଗେ ସାକ୍ଷାତ୍‌ କରିଗଲେ । ତାଙ୍କ ଗ୍ରାମକୁ ପତ୍ର ପଠାଇ ପିତାଙ୍କୁ ହେଡ଼୍‌ ଅମିନ ହେବା ଖବର ଦେଲେ । କାଚରା ବୁଢ଼ାକୁ ମଧ୍ୟ ଖଣ୍ଡେ ପତ୍ର ଲେଖିଦେଲେ ।

 

ହେଡ଼୍‌ ଅମିନମାନଙ୍କୁ ଅନେକଗୁଡ଼ିଏ ଗ୍ରାମ ବୁଲି ପ୍ରତାଳ କାର୍ଯ୍ୟ କରିବାକୁ ପଡ଼େ । ଘୋଡ଼ା ନ ହେଲେ କାର୍ଯ୍ୟ କରିବାକୁ ଅସୁବିଧା ହୁଏ । ଘନ ବାଧ୍ୟ ହୋଇ ଗୋଟାଏ ଘୋଡ଼ା କିଣିଲେ । ଘୋଡ଼ା ସାହାଯ୍ୟ ପାଇଲାରୁ ସେ ମଧ୍ୟେ ମଧ୍ୟେ ଦିନେ ଦୁଇ ଦିନ ପାଇଁ ଘରକୁ ଯାଇ ପିତାମାତାଙ୍କୁ ଦେଖି ଆସୁଥାନ୍ତି ଏବଂ ନୂତନ ଘରର ଉପକରଣ ସଂଗ୍ରହ କରୁଥାନ୍ତି । ଆଷାଢ଼ ମାସ ଶ୍ରୀଗୁଣ୍ଡିଚା ଦିନ ସେ ନୂତନ ଡିହରେ ଶୁଭ ପକାଇ ଆସିଲେ । ସେ ହେଡ଼୍‌ ଅମିନ କାମ କରିବାରୁ ଓ ଘୋଡ଼ାଚଢ଼ି ଯିବା ଆସିବା କରିବାରୁ ଗ୍ରାମର ଲୋକେ ତାଙ୍କୁ ଟିକିଏ ଖାତିର କଲେ । ବାପାଙ୍କର ନୂତନ ଡିହରେ ଘର ତୋଳିବା ପାଇଁ ଟିକିଏ ମନ ବଳିଲା । କାରଣ, ଘନ ଘୋଡ଼ାଟି ବାନ୍ଧିବା ପାଇଁ ବଡ଼ ହଇରାଣ ହେଲେ, ଆଉ ନୂତନ ଡିହରେ ଘର ନ ହେଲେ ସେ ବିବାହ କରିବେ ନାହିଁ ବୋଲି ପ୍ରକାଶ କଲେ । ମାତ୍ର ନୂତନ ଗୃହନିର୍ମାଣ ଧନ୍ଦା ମଦନ ମହାନ୍ତିଙ୍କୁ ଲଣ୍ଡ ଭଣ୍ଡରେ ପକାଇଲା । କାଚରା ମହାଜନର ସାହାଯ୍ୟରେ ଚାଟଶାଳା କାମକରି ସେ ଘର କାମ ଦେଖୁଥାନ୍ତି । ପିଲାଙ୍କ ପାଠପଢ଼ାରେ ଦିନକୁ ଦିନ ଖଇଚା ହେବାରୁ ଗ୍ରାମବାସୀ ମନେ ମନେ ବିରକ୍ତ ହେଉଥାନ୍ତି, ମାତ୍ର ମହାଜନ ବୁଢ଼ା ଭୟରେ କେହି କିଛି କହି ପାରୁ ନ ଥାନ୍ତି । ଘନ ବାରବାର ଚାଟଶାଳୀ କାମ ଛାଡ଼ିବା ପାଇଁ ପିତାଙ୍କୁ ଅନୁରୋଧ କରୁଥାନ୍ତି, କିନ୍ତୁ ମଦନ ମହାନ୍ତିଙ୍କ ମନ ସେ କାମରୁ ଛାଡ଼ୁ ନ ଥାଏ । ବ୍ରାହ୍ମଣ ଜାତିରେ ଯେପରି ପୁଅକୁ ସାତବର୍ଷ ହେବାମାତ୍ର କୌଣସି ପ୍ରକାରେ ପଇତା ଦି’ଖିଅ ଗଳାଇ ଦେଲେ ସେ ପୋଥି ପୂଜାଟିଏ କରିଦେବ, ଭୋଜନଟିଏ ପଡ଼ିଲେ ପଇସାଏ ଅର୍ଜନ ଆଣିବ, ପିତାଙ୍କର ଲୁଣ ତେଲ ଖର୍ଚ୍ଚ ଚଳିବାରେ ସାହାଯ୍ୟ କରିବ ଓ ଘରେ ଥିବା ଠାକୁର ଦି’ ମୂର୍ତ୍ତି ପୂଜା କରିଦେବ; ଆଉ ଶୀଘ୍ର ବୋହୂଟିଏ ଆସିଲେ ଚୂଲି ଲଗାଇବ, ବାସୀକାମ କରିବ, ହାଣ୍ଡି ଦିଇଟା ଧୋଇଦେବ ଇତ୍ୟାଦି ଭାବନ୍ତି, କରଣ ଜାତିରେ କିନ୍ତୁ ସେପରି ଭାବନ୍ତି ନାହିଁ । ପୁଅ ରୋଜଗାର କରି ବାପକୁ ଚଳାଇବ, ଏହାକୁ ସେମାନେ ଅପମାନ ମନେ କରନ୍ତି । ପୁଅ ରୋଜଗାର କରି ନିଜ କୁଟୁମ୍ୱ ନିଜେ ଚଳାଇବାକୁ କ୍ଷମ ନ ହେଲେ ତାକୁ ବିବାହ ଦିଅନ୍ତି ନାହିଁ । ମଦନ ମହାନ୍ତି ଅପାରଗ ହୋଇ ନ ଥିଲେ । ପୁଅ ହାତକୁ ଚାହିଁ ବସିବା ତାଙ୍କୁ ଭଲ ବୋଧ ହେଉ ନ ଥାଏ । ତେଣୁ ସେ କାମ ଛାଡ଼ିବାକୁ ଇଚ୍ଛାକରୁ ନ ଥାନ୍ତି ।

 

ଘନଙ୍କ ରୋଜଗାର, ନୂଆ ଘର କରିବା ଓ ଘୋଡ଼ାଚଢି ଯିବା ଆସିବା କଥା ତାଙ୍କ ବନ୍ଧୁବାନ୍ଧବଙ୍କ ମଧ୍ୟରେ ପ୍ରଘଟ ହୋଇଗଲା । ଭଲ ଭଲ କରଣମାନେ ଘନକୁ କନ୍ୟା ଦେବାକୁ ଇଚ୍ଛା ପ୍ରକାଶ କରି ମଧ୍ୟସ୍ତଙ୍କ ଦ୍ୱାରା ତାଙ୍କ ମାମୁଙ୍କ ପାଖକୁ ଚିଠିପତ୍ର ଚଳାଇଲେ । ମାତ୍ର ଘନଙ୍କର ଇଚ୍ଛା ଯେ, ସେ ଜମିବିକି ଚାଷ ଆରମ୍ଭ କରିବେ, ନୂଆ ଘର ହେବ, ଅଳଙ୍କାର ପତ୍ର କିଛି ହେବ, ହାତରେ ପଇସା କିଛି ରହିବ, ତେବେ ଯାଇଁ ସେ ବିବାହ କରିବେ । ମାମୁ ପତ୍ର ଦେଲେ ସେ ତାଙ୍କୁ ଏହି କଥା ଖୋଲି ଲେଖିଦିଅନ୍ତି । କ୍ରମେ କ୍ରମେ ବର୍ଷେ ଯାଇ ଅନ୍ୟ ବର୍ଷର ବସନ୍ତ, ଗ୍ରୀଷ୍ମ, ବର୍ଷା ଆଗତ ହେଲା । ଶରତ୍‌ କାଳ ଶେଷରେ ଜଗନ୍ନାଥଙ୍କର ପୂଜା ସମୟ ଆସିଲା । ଘନ ଆଉ ପୂଜାରେ ଆଡ଼ମ୍ୱର କରି ଖର୍ଚ୍ଚ କରିବାକୁ ମନ ବଳାଇଲେ ନାହିଁ । କିପରି ନୂଆଘର କାର୍ଯ୍ୟ ଶେଷହେବ; ଜମି କିଛି କିଣିବେ, ଏଥିପ୍ରତି ତାଙ୍କ ମନ ଦଉଡ଼ିଥାଏ । ପୂଜାଛୁଟିରେ ଘରକୁ ଯାଇ ନୂତନ ଗୃହର ନିର୍ମାଣ କାର୍ଯ୍ୟରେ ସେ ଦିନରାତି ଲାଗିଗଲେ । ଘନ ମଉଡ଼ମରା ଦଶନ୍ଦି ଖଞ୍ଜା ଗୋଟିଏ ଆରମ୍ଭ କରିଦେଇଥିଲା । ଏଥର ଯାଇ ଚଉପାଢ଼ୀ, ଗୁହାଳ ଓ ଘୋଡ଼ାବନ୍ଧା ଘର ଆରମ୍ଭ କଲେ । ପୂଜାଛୁଟିରୁ ସେ ଫେରିବାବେଳେ ଧାନ ପାଇଁ କିଛି ଟଙ୍କା ଲଗାଇ ଗଲେ । ତାର ଆଦାୟ ଭାର ମହାଜନ ପିଲାଙ୍କ ଉପରେ ରହିଲା । ପୂଷମାସ ଭାଉ ଯାହାହେବ, ଆଉ ମାସକୁ ପାଞ୍ଚ ଗୌଣୀ କଳନ୍ତର ଜବାବ ହୋଇଥାଏ । ସେତେବେଳେ ଟଙ୍କାରେ କଟକୀ ଦୁଇମହଣ ଧାନ ସଦାବେଳେ ମିଳୁଥାଏ । ପୁଷମାସ କଥା ପଚାରୁଛି କିଏ । କେତେବେଳେ ଏହି ମାସରେ ତିନିମହଣରୁ ଚାରିମହଣ ପର୍ଯ୍ୟନ୍ତ ଭାଉ ହୋଇଥାଏ । ଟଙ୍କା ଦେଇ ଧାନ କିଣୁଥାଏ କିଏ ? ମହାଜନ ଦେଖା ନଥାନ୍ତି । ମୂଲିଆମାନେ ଧାନ ମୂଲରେ କାମ କରୁଥାନ୍ତି । ପୁଷମାସ ଶେଷରେ ଘନ ଆଉ ଥରେ ଘରକୁ ଆସି ଧାନ ଯାହା ଆଦାୟ ହୋଇ ନଥିଲା, ସେସବୁ ଆଦାୟ କରି ମହାଜନ ବୁଢ଼ା ଜିମାରେ କରଜ ଲଗାଇବାକୁ ରଖାଇ ଦେଇଗଲେ । ମଦନ ମହାନ୍ତି ପୂର୍ବପରି ଚଳାଉଥାନ୍ତି, ଘର ଖର୍ଚ୍ଚ ପାଇଁ ଚିନ୍ତା ନ ଥାଏ । ଘନ କିଛି ଟଙ୍କା କାଚରା ମହାଜନ ଜିମା ଜମି କିଣିବା ପାଇଁ ଦେଇଗଲେ । ସେତେବେଳେ ଜମି ଅତି ଶସ୍ତାରେ ମିଳୁଥାଏ, ତେବେ ଟଙ୍କା ଦେଇ ଜମି କିଣିବାକୁ ବେଶିମିଳୁ ନ ଥାଏ । ଧାନ ଓ ଟଙ୍କା କରଜ ନେଇ ଯେଉଁମାନେ ଦେଇ ନ ପାରନ୍ତି, ସେମାନଙ୍କଠାରୁ ମହାଜନମାନେ ଭଲ ଭଲ ଜମି ବାଛି ରଖିନିଅନ୍ତି । ଘନ ସେହି ଉଦ୍ଦେଶ୍ୟରେ ପ୍ରଥମେ ଧାନ ମହାଜନୀ ଆରମ୍ଭ କରିବାକୁ ମନ ଚଳାଇଲେ । ବୈଶାଖ ମାସରେ ପନ୍ଦରଟି ଦିନ ଛୁଟି ନେଇ ଘନ ଘରକୁ ଆସିଲେ ଓ ନୂଆ ଘରଟି ପ୍ରତିଷ୍ଠା କରି ସେଠାରେ ପିତା ଓ ମାତାଙ୍କୁ ରଖାଇବାକୁ ଇଚ୍ଛାକଲେ; ମାତ୍ର ସେ ବିବାହ ନ କଲେ ତାଙ୍କ ବୋଉ ନୂଆ ଘରକୁ ଆସିବାକୁ ରାଜି ହେଲେନାହିଁ । କାରଣ ନୂଆଘରେ ତାଙ୍କୁ ଏକା ରହିବାକୁ ହେବ । ଏତେଗୁଡ଼ିଏ ଘର ସେ ଆଡ଼େଇବେ କିପରି ? ସାହି ପଡ଼ିଶାରୁ କେହି ତ ଜଣେ ଯିବ ନାହିଁ, ଦିନ ସରିବ କିପରି ? ଘନ ବାଧ୍ୟ ହୋଇ ଜଣେ ଚାକର ରଖାଇ ଦେଲେ, ବଳଦ ହଳେ କିଣି ରଖାଇଲେ । ଏଥିରେ ସେ ଜମି ତିନିମାଣ ବନ୍ଧା ରଖିଲେ ଓ ଦୁଇମାଣ କିଣିଲେ । ଗୋଟିଏ ହଳ ପାଇଁ ଜମି ହୋଇଗଲା, କିନ୍ତୁ ତାକୁ ସେ ଭାଗରେ ଲଗାଇ ଦେଇଗଲେ । ମାତ୍ର ଘରଟା ଖାଲି ରହିବାକୁ ତାଙ୍କ ମନ ବ୍ୟସ୍ତ ବଡ଼ ହେଲା । ସେ ବିବାହ ପାଇଁ ମାମୁଙ୍କ ନିକଟରେ ଇଚ୍ଛା ପ୍ରକାଶ କଲେ । ମାମୁ ମଦନ ମହାନ୍ତିଙ୍କୁ ପତ୍ରଲେଖି କେଉଁ ସ୍ଥାନରେ କଲେ ଭଲହେବ, ପରାମର୍ଶ ଦେଲେ । ମଦନ ମହାନ୍ତି ଯେଉଁଠାରେ କହନ୍ତି ତାଙ୍କ ସ୍ତ୍ରୀ ସେଠାରେ ଆପତ୍ତି କରନ୍ତି । ସେ ଦୁଇଜଣ ଯେଉଁସ୍ଥାନ ପସନ୍ଦ କରନ୍ତି, ମାମୁ ପୁଣି ସେହି ସ୍ଥାନରେ ରାଜି ହୁଅନ୍ତି ନାହିଁ । ଘନ ଦଶହରା ପର୍ଯ୍ୟନ୍ତ ଆଉ ଘରକୁ ନ ଆସି ଅଳଙ୍କାର ନିର୍ମାଣ ଏବଂ ଅର୍ଥ ସଂଗ୍ରହ କରିବାରେ ଲାଗିଲେ । ପୂଜାଛୁଟିରେ ସମସ୍ତେ ଏକତ୍ର ହେଲେ । ନାନା ତର୍କବିତର୍କ ପରେ ଦୁଇ ଗୋଟି ସ୍ଥାନ ନିରୂପିତ ହୋଇ ଜନ୍ମପତ୍ର ମଗାଇବାରେ ସ୍ଥିରହେଲା । ଘନ ଏଥର ମଧ୍ୟ ଧାନ ପାଇଁ ଆଉକିଛି ଟଙ୍କା ଲଗାଇ ଦେଲେ । ମହାଜନ ସାହାଯ୍ୟରେ ଅତି ଅଳ୍ପ ଖର୍ଚ୍ଚରେ ତୁଣାଟ ପାଣି ପାଟିଆଲଗା ପାଞ୍ଚଶେଣିଆ ଘରଟିଏ ହୋଇଗଲା । ସେ ଚଉପାଢ଼ୀଟିକୁ ନ-ଶେଣିଆ କରି ଧୂଳିଆ ମରା ଚାଳ କରିଦେଲେ । ନୂତନ ଘରର କାମ ସହଜରେ ଶେଷ ହୁଏନାହିଁ । ଏଥର ଯେ ବାକି କାମ ଥିଲା, ଘନ ସେସବୁ ଶେଷକରି, ଭାଗଧାନ ଅମଳ, ଟଙ୍କା ଲଗାଣ ଓ ଧାନ ଆଦାୟର ବନ୍ଦୋବସ୍ତ କରିଦେଇ ଗଲେ ଓ ସେସବୁ ଆଦାୟ ହେଲେ ଯେଉଁ ଘରେ ଯେପରି ରହିବ, ପିତାଙ୍କୁ ବୁଝାଇ ଦେଲେ । ମୁଗ, ବିରି, ହରଡ଼ ଓ ସୋରିଷ ପାଇଁ ମଧ୍ୟ ଟଙ୍କା ଲଗାଣ ହେଲା ।

 

ଘନଙ୍କ ମାମୁଙ୍କ ପାଖକୁ କନ୍ୟା ତରଫରୁ ଜନ୍ମପତ୍ରିକା ଆସିଲା । ମେଳକ ବୁଝାଗଲା । ଦୁଇସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନର କନ୍ୟାର ନକ୍ଷତ୍ର ସଙ୍ଗେ ଘନଙ୍କ ନକ୍ଷତ୍ରର ନାଗନାଡ଼ୀ ଅଶୁଭ ହେଲା; ଆଉ ଗୋଟିଏ କନ୍ୟାର ରାଶି ସଙ୍ଗରେ ଘନଙ୍କ ରାଶିର ଷଡ଼ଷ୍ଟକ ହେଲା । ଘନଙ୍କ ମାମୁ ଏ ବିଷୟ ମଦନ ମହାନ୍ତିଙ୍କୁ ଜଣାଇଲେ । କରଣ ଘରେ କୋଷ୍ଠିମେଳକ ନ ହେଲେ, ଯେତେ ଗୁଣଥାଉ ପଛକେ ବିବାହ ହୁଏନାହିଁ । କେବଳ ବ୍ରାହ୍ମଣଘରେ ସେତେବେଳେ ମେଳକ ଧରାଯାଉ ନ ଥିଲା । ଅନ୍ୟାନ୍ୟ ଜାତିରେ ମଧ୍ୟ ମେଳକ ଧରାଯାଏ । ଜନ୍ମ ପତ୍ରିକା ନଥିଲେ ମଧ୍ୟ ନାମରାଶି ଅନୁସାରେ ନାୟକ ମେଳକ ବୁଝିଦିଏ । ଦୋଳ ସମୟରେ ଘନଙ୍କ ମାମୁ ମଦନ ମହାନ୍ତିଙ୍କ ଘରକୁ ଆସିଲେ ଓ ସେଠାକାର ନାୟକ ଓ ପୁରୋହିତଙ୍କୁ ଡାକି ମେଳକ ବୁଝିଲେ । ବିବାହ ଯୋଗାଇଲା ନାହିଁ । ଘନଙ୍କ ମାମୁ ଏକଥା କେଉଁଠାରେ ପ୍ରକାଶ ନ କରିବାକୁ ସମସ୍ତଙ୍କୁ ବୁଝାଇ ଦେଲେ ଏବଂ କହିଲେ, ‘‘ଯେ ପଚାରିବ, ତାକୁ ଦୁଇସ୍ଥାନରେ ଯୋଗାଇଲା ବୋଲି କହିଦେବ ।’’ କାରଣ ସେ ପୂର୍ବରୁ ଅପାଙ୍କଠାରୁ ଘନଙ୍କ ସାନ୍ତବାପା ଓ କୁଟୁମ୍ୱମାନଙ୍କ ବିଚାର ଶୁଣିଲେଣି । ଘନ ଦୋଳଭୋଗ ନିଜ ଦାଣ୍ଡରେ ଦେଲା ଦିନରୁ ସେମାନଙ୍କ ମନରେ ଇର୍ଷାଜାତ ହୋଇଥିଲା । ପୁଣି ସେ ନୂଆଡିହରେ ଭଲ ଘର କରି, ସେଠାକୁ ଉଠି ଯିବା କଥା ଶୁଣିବା ଦିନରୁ ସେମାନଙ୍କ ମନ ରକ୍ତ ଚାଉଳ ଚୋବାଇଲା ପରି ହେଉଅଛି । ମାତ୍ର ସେମାନଙ୍କ ହାତରେ ଅଛି କ’ଣ ଯେ, ସେମାନେ ଘନଙ୍କର ଅନିଷ୍ଟ କରିବେ । ସେମାନେ କିଛି କରିବାକୁ ବିଚାର କଲେ ମଧ୍ୟ କାଚରା ମହାଜନର ସାହାଯ୍ୟ ହେତୁରୁ କିଛି କରି ପାରୁନଥାନ୍ତି । ଈର୍ଷା ଲୋକମାନଙ୍କର ସ୍ୱଭାବ ଯେ, ସେମାନେ ପରର ସୁଖ ଦେଖି ପାରନ୍ତି ନାହିଁ । ସେମାନଙ୍କ ଈର୍ଷା ଯୋଗେ ପରର ଅନିଷ୍ଟ ନ ହୋଇ ବରଂ ଇଷ୍ଟ ହୁଏ । ଯେଉଁମାନେ ମନରେ ଈର୍ଷାଭାବ ପୋଷଣ କରନ୍ତି , ତାହା ସେମାନଙ୍କ ଦେହକୁ ବାଉଁଶରେ ଘୁଣ ଲାଗିଲା ପରି ଶୀର୍ଣ୍ଣ କରିଦିଏ । ସେମାନେ ଭାବି ଭାବି ସ୍ଥିରକଲେ ଯେ, ଘନର ବିବାହ ସମୟରେ ତାକୁ ହଇରାଣ କରିବେ । ସେତେବେଳେ ବଂଶର ମୂରବି ଓ କୁଟୁମ୍ୱୀ ଭାଇମାନଙ୍କ ବିନାନୁମତିରେ କେହି କୌଣସି ସ୍ଥାନରେ ବନ୍ଧୁକରି ପାରୁ ନ ଥିଲେ; କଲେ, ସେମାନେ ବରଯାତ୍ରୀ ହୋଇ ଯାଉ ନ ଥିଲେ । ଭାଇମାନେ ନ ଗଲେ ବନ୍ଧୁମାନଙ୍କ ଯିବା କଠିନ ହୋଇପଡ଼େ । ଗୁଡ଼ିଏ ନିକମା ଗ୍ରାମ ମଧ୍ୟରେ ଥାନ୍ତି, ସେମାନଙ୍କର କାର୍ଯ୍ୟ କେବଳ ପରଛିଦ୍ର କଥାଗୁଡ଼ିଏ ଗଣ୍ଠିକରି ମନରେ ବାନ୍ଧିବା । ତାହାକୁ ଗ୍ରାମଗୀତ ମଧ୍ୟ କହନ୍ତି–ସେ ଏପରି ସ୍ଥାନରେ ବନ୍ଧୁ କରିଛି, ତା ବଂଶରେ ଅମୁକ ଦୋଷ ଅଛି, ଅମୁକର ବିବାହ ସମୟରେ ସେ ଏପରି ଅପମାନ ଦେଇଥିଲା, ସେ ଗ୍ରାମର ଲୋକମାନଙ୍କ ରୀତି ନିତି ଭଲ ନୁହେଁ, ସେ ଗ୍ରାମ ଝିଅଗୁଡ଼ାକ ଲାଜ କରନ୍ତି ନାହିଁ, ଶାଶୁ,ଶ୍ୱଶୁରଙ୍କୁ ମାନନ୍ତି ନାହିଁ ଇତ୍ୟାଦି-। ଯାହାର ଯେଉଁ ଦୋଷଥାଏ, ସେହି ନିକମାଗୁଡ଼ିକ ସେ ସବୁ ଖୋଜି ମନେ ରଖିଥାନ୍ତି । ଘନଙ୍କର ବିବାହ ମେଳକ ହେବା ସମୟରେ ସେମାନଙ୍କ ମଧ୍ୟରୁ ଜଣକେତେ ଘନଙ୍କ ସାନ୍ତବାପାଙ୍କ ଘର ମଧ୍ୟରେ ବସି ବିଚାର କଲେ । ଦେଖାଯାଉ, ଘନମାମୁ କିପରି ବିବାହ କରିବେ ! ସେ ସ୍ଥାନରେ ଏପରି ଦୋଷମାନ ଅଛି, ଆମ୍ୱେମାନେ ସେଠାରେ କରିବାକୁ ମତ ଦେବା ନାହିଁ । ତାଙ୍କ ମନେ ମନେ ବିରାଡ଼ି ଠେକି ମଧ୍ୟରେ ଦୁଧ ପିଇଲା ପରି ଯେପରି ତାଙ୍କ ବିଚାର ଆଉ କେହି ଜାଣୁ ନାହାନ୍ତି-! ମାତ୍ର ଘନଙ୍କ ସାନ୍ତବାପାଙ୍କର ସ୍ତ୍ରୀ ସେ ବିଚାର ଶୁଣିଥିଲେ । ସେ ଗାଧୁଆ ଘାଟରେ ଘନଙ୍କ ଶ୍ୱଶୁର ଘର ଦୋଷମାନ ଅନ୍ୟ ସ୍ତ୍ରୀମାନଙ୍କ ଆଗରେ ପ୍ରକାଶକଲେ । କ୍ରମେ କ୍ରମେ ସ୍ତ୍ରୀ ମହଲରେ କାନକୁକାନ ଯାଇ କଥାଟି ଘନ ମାତାଙ୍କ କର୍ଣ୍ଣଗୋଚର ହେଲା । ମେଳକ ବୁଝା ପୂର୍ବରୁ ସେ ତାଙ୍କ ଭାଇଙ୍କ ଆଗରେ ତାହା ପ୍ରକାଶ କରିଥାନ୍ତି । ତାଙ୍କ ଭାଇ ବଡ଼ଚତୁର ଲୋକ ସେ ଭାବିଲେ, ଭଲ ହୋଇଅଛି–ମେଳକ ହେଉନାହିଁ, ସେମାନେ ତ କରିବେ ନାହିଁ, ଆମେ ମଧ୍ୟ କରିବୁଁ ନାହିଁ । ମାତ୍ର ମେଳକ କଥା ଲୁଚାଇ ସେଠାରେ କରିବା କଥାରେ ସେମାନଙ୍କ ମତନେଲେ ସେମାନେ ଭାଙ୍ଗିବେ । ସେ ଯେତେବେଳେ ମୁରବି, ତାଙ୍କ କଥାରେ ସେ ସ୍ଥାନ ଭାଙ୍ଗିଗଲା ବୋଲି ପ୍ରକାଶ କରିଦେବା । ଅନ୍ୟସ୍ଥାନରେ ପଡିଲାବେଳକୁ ତାଙ୍କର ଆଉ ଆପତ୍ତି କରିବାକୁ ସାହସ ହେବନାହିଁ । ଆପତ୍ତି କଲେ ଲୋକେ ତାଙ୍କୁ କାଇଲି କରିବେ । ଏହିପରି ଭାବି, ନାୟକ ଓ ପୁରୋହିତଙ୍କ ସଙ୍ଗେ ପରାମର୍ଶ କରି କଥାଟି ବଦ୍ଧମୂଳ କରିବାକୁ ସେମାନଙ୍କୁ ଡକାଇଲେ । ମତ ନେବା ସମୟରେ ସେମାନେ ନାନା ଦୋଷ ବାହାର କରି ସେ ସ୍ଥାନରେ ନ କରିବାକୁ ମତ ଦେଲେ-। ଘନଙ୍କ ମାମୁ ଅନେକ ତର୍କ କଲେ-। ଶେଷରେ ପୁରୋହିତ କହିଲେ, ‘‘ସଂସାରରେ କ’ଣ ଆଉ କନ୍ୟା ନାହାନ୍ତି ? ଘନ ଭଳିଆଯୋଗ୍ୟ ପିଲାକୁ କନ୍ୟା ମିଳୁନାହିଁ ! ତାଙ୍କ ବଂଶର ମୁରବି ଯେତେବେଳେ ମନା କରୁଛନ୍ତି, ଏକଥା ଭାଙ୍ଗିଦିଅ-। ମୁଁ ନିଜେ ଭଲ ସ୍ଥାନ ଖୋଜୁଛି ।’’ ନାୟକ କହିଲା, ‘‘ହଁ, ଖୋଜିବ, କିନ୍ତୁ ଏପରି ମେଳକ ହେବା ସହଜ ନୁହେଁ ।’’ ଘନଙ୍କ ମାମୁ ‘‘ହଉ, ସେମାନଙ୍କ ମନରେ କ’ଣ ଅଛି, ସେ ଜାଣନ୍ତି; ଯାହା କରିବାର କରନ୍ତୁ ।’’ କହି ଉଠିଗଲେ । ପରେ ସେ ଦୁଇସ୍ଥାନକୁ ମେଳକ ନହେବା କଥା ଲେଖିଦେଇ ଅନ୍ୟ ସ୍ଥାନ ଖୋଜିବାରେ ରହିଲେ । ବିବାହ ବୈଶାଖରେ ହେବାର ଥିଲା; ଆଉ ତ ସେ ବର୍ଷ ହୋଇପାରୁନାହିଁ । ମାଘ ମାସକୁ ଆୟୋଜନ କରିବା ପାଇଁ ମଦନ ମହାନ୍ତିଙ୍କୁ କହି ଘନମାମୁ ସ୍ୱଗୃହକୁ ଫେରିଲେ ।

 

ଘନ ଧାନ ପ୍ରଭୃତି ସବୁ ଆଦାୟ କରି ଘରେ ରଖିଲେ । ଘରେ କେହି ନ ରହିବାରୁ ମୂଷାଙ୍କର ପ୍ରାଦୁର୍ଭାବ ବଢ଼ିଲା । ତାଙ୍କ ମନ ବଡ଼ ଖରାପ ହେଲା । କିପରି ସେ ବୋଉଙ୍କୁ ବୁଝାଇ ସେଠାକୁ ଆଣିବେ, ଏହା ଭାବି ଭାବି ପୁରୋହିତଙ୍କୁ ଧରି ତାଙ୍କ ପାଖରେ ପହଞ୍ଚିଲେ । ପୁରୋହିତ ବୁଝାଇବାରୁ ଘନବୋଉ ବୁଝିଲେ । ବୈଶାଖରେ ନୂଆଘରେ ଆସି ରହିବାର କଥା ହେଲା । ପାଟଣାରେ କେହି କେହି ଘନଙ୍କ ଯିବା ଆସିବାବେଳେ ‘‘ଅବଧାନ ପୁଅ’’ ବୋଲି ପରିଚୟ ଦିଅନ୍ତି । ଘନ ଶୁଣି ମନରେ ଭାବନ୍ତି, ବାପାଙ୍କୁ ଅବଧାନ କାମରୁ କିପରି ସେ ରହିତ କରାଇବେ । ସେ ହେଡ଼୍‌ ଅମିନ୍‌ ହେଲେଣି, ଘୋଡ଼ାଚଢ଼ି ଯିବା ଆସିବା କରୁଅଛନ୍ତି–‘‘ଅବଧାନ ପୁଅ’’ କଥାଟା ତାଙ୍କୁ ଭଲ ଲାଗିଲା ନାହିଁ । ଭାବି ସ୍ଥିରକଲେ, ଚାଷ ଆରମ୍ଭ କରିଦେଲେ ବାପା ବାଧ୍ୟ ହୋଇ ଅବଧାନ କାମ ଛାଡ଼ିଦେବେ । ମହାଜନ ବୁଢ଼ା ଓ ପୁରୋହିତଙ୍କ ସାହାଯ୍ୟରେ ସେ ତାଙ୍କ ପିତାଙ୍କୁ ଚାଷକାର୍ଯ୍ୟ ଆରମ୍ଭ କରିବାକୁ ଓ ଅବଧାନ କାମ ଛାଡ଼ିବାକୁ ପ୍ରବର୍ତ୍ତାଇଲେ । ସେମାନେ ବୁଝାଇବାରୁ ମଦନ ମହାନ୍ତି ବହୁକଷ୍ଟରେ ଅବଧାନ କାମ ଛାଡ଼ିଲେ । ଘନ ଆଉକିଛି ଜମି ବନ୍ଧକ ରଖିଲେ ଓ ଖଣ୍ଡେ କିଣିଲେ; କିଛି ଜମି ଭାଗରେ ଦେଇ ଗୋଟିଏ ହଳରେ ଚାଷ ଆରମ୍ଭ କରାଇଲେ । ଘରେ ଧାନ, ମୁଗ, ବିରି, ସୋରିଷ, ତେଲ ବନ୍ଦୋବସ୍ତ ମୁତାବକ ରହିଲା; ବାଡ଼ିରେ ପରିବା ହେଲା । ଘନ ବାଜେ ଖର୍ଚ୍ଚ ପାଇଁ ମା’ଙ୍କ ପାଖରେ କିଛି ପଇସା ଦେଇଗଲେ । ମଦନ ମହାନ୍ତି ଦେଖିଲେ ଯେ, ତାଙ୍କର ଚଳିବାକୁ ଆଉକିଛି ଅସୁବିଧା ହେବ ନାହିଁ । ମାତ୍ର କୃଷିକାମରେ ରହିଲେ ପାଠ ଛାଡ଼ିବାକୁ ହେବ । ଏହାଭାବି ସେ ସ୍ଥିରକଲେ; ପୋଥି ଲେଖାଛାଡ଼ିଲେ ହେବ ନାହିଁ । ପୋଥି ବିକ୍ରି କରିବା ସିନା ଆବଶ୍ୟକ ହେବ ନାହିଁ, ମାତ୍ର ଘରେ ତ କିଛି ପୋଥି ନାହିଁ । ସବୁ ପୁରାଣରୁ ଏକସାର ଲେଖାଏଁ ଲେଖି ରଖିଗଲେ ନାମ ରହିବ, ଗୋଟାଏ କାମ ମଧ୍ୟ ହେବ । ତେଣୁ ଯେତେବେଳେ ସେ ସମୟ ପାନ୍ତି, ପୋଥି ଲେଖନ୍ତି । ଏପରିକି, ବିଲକୁ ମୂଲିଆଙ୍କ କାମ ଦେଖିବାକୁ ଗଲେ ଗଛମୂଳରେ ବସି ପୋଥି ଲେଖୁଥାନ୍ତି ।

 

ଘନ କାର୍ଯ୍ୟକ୍ଷେତ୍ରକୁ ଯାଇ ପୁନରାୟ ବୈଶାଖରେ ଘରକୁ ଆସି ନୂଆଘରେ ରହିବାର ବନ୍ଦୋବସ୍ତ କଲେ । ପୂର୍ବରୁ ଘର ପ୍ରତିଷ୍ଠା ହୋଇଥିଲା, ମାତ୍ର ସେଠାରେ ପାକ ହୋଇ ନ ଥିଲା । ଏଥର ପାକ ହେଲା, ଭାଇବନ୍ଧୁ ସମସ୍ତେ ଖାଇଲେ । ତାଙ୍କ ସାନ୍ତବାପା ପ୍ରଥମେ ନାହିଁ କରୁଥିଲେ, ମାତ୍ର ଘନ ନିଜେ ଯାଇ ଡାକି ଆଣିବାରୁ ସେ ଆସିଲେ । ଘନ ମଧ୍ୟ ବଡ଼ଚାଲାଖ–ଦେଖିଲେ, ବିବାହର ଶେଷ ପର୍ଯ୍ୟନ୍ତ ସାନ୍ତବାପାଙ୍କୁ ନ ଧରିଲେ ଚଳିହେବ ନାହିଁ; ଏଣୁ ତାଙ୍କଠାରେ ଖୁବ୍‌ଭକ୍ତି ଦେଖାଇଲେ । ଘନ ଜମିଚାଷର ଓ ବାଡ଼ି ଫସଲର ବନ୍ଦୋବସ୍ତ କରି କର୍ମକ୍ଷେତ୍ରକୁ ବାହାରିଲେ । ବିବାହ ଦିନ ଘୁଞ୍ଚିଯିବାରୁ ତାଙ୍କ ମନରେ କିପରି ଟିକିଏ ଆଘାତ ଲାଗିଲା । ସେ ପିଲାଦିନରୁ ୧୮ ବର୍ଷ ପର୍ଯ୍ୟନ୍ତ ବାପାଙ୍କ କଡ଼ାଶାସନରେ ରହି କାହାରି ସଙ୍ଗେ ମିଳାମିଶା କରିପାରି ନ ଥିଲେ । ଅଠରବର୍ଷରୁ ଏ ପର୍ଯ୍ୟନ୍ତ ମାମୁଙ୍କ ଶାସନରେ ଓ କର୍ମକ୍ଷେତ୍ରରେ ରହି କିପରି ଘର କରିବେ, ପଇସା ଓ ଜମି ପ୍ରଭୃତି କରିବେ ସେଥିରେ ଦିନ ରାତି ମନ ଦେଲେ । ବିଳାସ ବାସନା ତାଙ୍କ ମନକୁ ସ୍ପର୍ଶ କରିବାକୁ କେବେହେଲେ ସମୟ ପାଇନାହିଁ । ବିବାହ କଥା ପଡ଼ିବାରୁ ଭବିଷ୍ୟତସୁଖ ଓ ଦାମ୍ପତ୍ୟ ପ୍ରେମ-ଆଶା ତାଙ୍କ ମନରେ ଜାତ ହେଲା ସତ୍ୟ, ମାତ୍ର ବିବାହ ନିକଟରେ ହେବାର କଥା ଥିବାରୁ ତାଙ୍କ ଧୈର୍ଯ୍ୟକୁ ଟଳାଇ ପାରି ନ ଥିଲା । ତାଙ୍କର ବର୍ତ୍ତମାନ ଯୁବା ସମୟ । ଧନ ସମ୍ପତ୍ତି ସେ ଯାହାକଲେଣି, ତାହା ପୂର୍ବାବସ୍ତା ତୁଳନାରେ ପ୍ରଚୁର ବୋଲି କହିବାକୁ ହେବ । ତାଙ୍କ ପିତାଙ୍କର ଓ ସାହି ପଡ଼ିଶାଙ୍କ ପ୍ରଭୁତ୍ୱ ତୁଳନାରେ ତାଙ୍କର ବର୍ତ୍ତମାନ ପ୍ରଭୁତ୍ୱ ଅନେକ ବେଶି ହେଲାଣି । ସେତେବେଳେ ହେଡ଼୍‌ ଅମିନ କାର୍ଯ୍ୟ କମ୍‌ ପ୍ରଭୁତ୍ୱ ନୁହେଁ । ଯୁବାସମୟ, ଧନ ସମ୍ପତ୍ତି ଓ ପ୍ରଭୁପଣିଆ ପ୍ରତ୍ୟେକ ଗୋଟିଏ ଗୋଟିଏ ମଦ । ଏହାସଙ୍ଗେ ଅବିବେକ ପଣିଆ ମିଶିଗଲେ ଲୋକ ଅକ୍ଳେଶରେ ବିପଥରେ ପଡ଼ି ତାହାର ମନୁଷ୍ୟତ୍ୱ ହରାଇ ବସେ । ମାତ୍ର ସେ ତିନିକଥା ବିବେକ ବଳରେ ଲୋକଙ୍କୁ ସୁପଥରେ ନେଇ ମହତ୍‌ କାର୍ଯ୍ୟରେ ସହାୟକ ହୁଅନ୍ତି । ଏପର୍ଯ୍ୟନ୍ତ ଘନଙ୍କୁ ଅବିବେକ ପଣିଆ ସ୍ପର୍ଶକରିବାର ସୁବିଧା ପାଇ ନ ଥିଲା । ଏଣୁ ବର୍ତ୍ତମାନ ସମୟକୁ ସୁବିଧାଜନକ ମନେ କରି ଭାବିଲା ଯେ, ମୋର ପ୍ରଭୁତ୍ୱ ଟିକିଏ ଚିହ୍ନାଇ ଦିଏଁ । ବିବାହ ଦିନ ଘୁଞ୍ଚିବା କଥା ଘନଙ୍କର ଧୈର୍ଯ୍ୟହାନି କରିବାକୁ ଚେଷ୍ଟାକଲା । ସେ ଯେତେବେଳେ ତୟାର କରିଥିବା ଅଳଙ୍କାରମାନ ବାକ୍ସମଧ୍ୟରେ ଦେଖନ୍ତି ତାଙ୍କ ମନରେ ଗୋଟିଏ ଅସ୍ଥିରଭାବ ଜାତହୁଏ ।

 

ସେ ସମୟରେ କଟକିଆ ରାଜମାନେ ମଫସଲରେ ସଡ଼କର ପୋଲ, ବଙ୍ଗଳା ଓ ଧର୍ମଶାଳା କୋଠାମାନ ନିର୍ମାଣ କରିବାକୁ ଆସିଲାବେଳେ ଗୋଟିଏ ଗୋଟିଏ ଛତ୍ରଖାଇ ସଙ୍ଗରେ ନେଇ ଆସିଥାନ୍ତି । ଘନଙ୍କର ହେଡ଼୍‌କ୍ୱାର୍ଟର ଗୋଟିଏ ବଜାର ସ୍ଥାନରେ । ସେଠାରେ ରାଜମାନଙ୍କ ସଙ୍ଗରେ ଗୋଟିଏ ଷୋଡ଼ଶୀ ଆସି ଘନଙ୍କ ବସା ନିକଟରେ ବସା କରି ରହିଥାଏ । ଘନଙ୍କ ରୋଜଗାର, ରୂପ ଗୁଣ ଦେଖି ତାଙ୍କଠାରୁ କିଛି ପଇସା ଛାଣିନେବାକୁ ତା’ର ଭାରି ଇଚ୍ଛାହେଲା । ସେ ପ୍ରତ୍ୟହ ତା’ର ହାବଭାବଦ୍ୱାରା ଘନଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟାକରୁଥାଏ । ତା’ର ଗତିବିଧି ଦେଖି ଦେଖି ଘନଙ୍କ ହୃଦୟର ଦୁର୍ବଳତା ମଧ୍ୟ ଦିନକୁ ଦିନ ବଢ଼ିଲା । ସେ ଆଉ ଧୈର୍ଯ୍ୟଧରି ପାରିଲେ ନାହିଁ ଶେଷରେ ତାହାର ବ୍ୟାଜପ୍ରେମ-ପିଞ୍ଜରାରେ ନିଜ ମନପକ୍ଷୀକୁ ଛାଡ଼ି ଦେଲେ । ଆଉ କାମରେ ମନ ଭଲ ଲାଗିଲା ନାହିଁ । ତାହାର ପ୍ରେମ ଦିନକୁ ଦିନ ଘନଙ୍କର ମିତ୍ର ହେବାକୁ ବସିଲା । ତିଆରି କରିଥିବା ଅଳଙ୍କାରଗୁଡ଼ିକ ଯଥାସ୍ଥାନରେ ଲାଗିଲେ କିପରି ଶୋଭା ବିକାଶ କରିବ,ଏହା ପରୀକ୍ଷାକରିବାକୁ ତାଙ୍କ ମନ ଧାବିତ ହେଲା । ସେସବୁ ପ୍ରଣୟିନୀର ପ୍ରଣୟ ସମୟରେ ଭୂଷଣହୋଇ ଘନଙ୍କର ସନ୍ତୋଷଜାତ କଲା । ପ୍ରତିଦିନ ଘନ ସେସବୁ ବାକ୍ସରେ ରଖି, ଯଥା ସମୟରେ ପୁଣି କାଢ଼ି ବ୍ୟବହାର କରିବାକୁ ଗୋଟିଏ ବିଷମ ଧନ୍ଦା ମନେ କରି, ଅତିଗୋପନରେ ତାଜିମା ଦେଇ କହିଲେ, ‘‘ଏହା କେବଳ ମୋ ଉପସ୍ଥିତିରେ ବ୍ୟବହାର କରି ଯତ୍ନରେ ରଖିବାକୁ ହେବ । ବିବାହ ସମୟରେ ମୁଁ ଏଗୁଡ଼ିକ ନେବି ।’’ ସ୍ତ୍ରୀ ଚରିତ୍ର ଓ ପୁରୁଷର ଭାଗ୍ୟ ଦେବତାମାନେ ବୁଝି ପାରନ୍ତି ନାହିଁ, ମନୁଷ୍ୟ କ’ଣ ବୁଝିବ ? ‘‘ସ୍ତ୍ରୀ ବୁଦ୍ଧିଃ ପ୍ରଳୟଙ୍କାରୀ ।’’ ଅନଙ୍ଗରଙ୍ଗା, ପରକାନ୍ତସଙ୍ଗା ଓ କୁଧର୍ମଭଙ୍ଗା ରମଣୀମାନଙ୍କ ଇଙ୍ଗିତମାତ୍ରେ କି ଭୀଷଣ ଘଟଣମାନ ନ ଘଟିଛି ଓ ନ ଘଟୁଛି । ତହିଁରେ କେତେକେତେ ଦୁର୍ବଳ ଚେତାଲୋକ ନିଜର ମନୁଷ୍ୟତା ହରାଇ ଦାରୁଣ ଅନୁତାପ-ସାଗରରେ ଭାସୁ ନାହାନ୍ତି ।

 

ଘନଙ୍କର ବର୍ତ୍ତମାନ ତା’ଠାରେ ପୂର୍ଣ୍ଣ ବିଶ୍ୱାସ । ତାର ପଦତଳେ ଘନଙ୍କରବ ର୍ତ୍ତମାନ ସ୍ୱର୍ଗସୁଖ ନିହିତ ଥିଲା ପରିବୋଧ ହେଲା । ସେ ଆଉ ଏ ସୁଖର ପରିଣାମଭାବି ପାରିଲେ ନାହିଁ । ଘନ ତା ନିକଟରେ ଥିଲାବେଳେ ସେ ଗୋଟାପରି ଘନଙ୍କର ହୋଇଯାଏ । ରାଜମାନଙ୍କ ମଧ୍ୟରୁ ଯେ ଯେତେବେଳେ ତା ନିକଟରେ ରହେ, ସେ ସେତେବେଳେ ତାର ଗୋଟାପରି ହୋଇଯାଏ । ଚିତ୍ତ ଚାଞ୍ଚଲ୍ୟବଶତଃ ଦୁର୍ବଳମାନବ ମହାକାଳଫଳ ସଦୃଶ ବ୍ୟାଭିଚାରିଣୀ ରମଣୀମାନଙ୍କର ବାହାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ କି ଦୂରବସ୍ଥାରେ ପଡ଼େ, ଘନ ତହିଁରେ ଭୁକ୍ତଭୋଗୀ ହେବାକୁ ବେଶି ସମୟ ଲାଗିଲା ନାହିଁ । ଅଳ୍ପ ଦିନ ପରେ ସେ ଉପଦଂଶ ପୀଡ଼ାରେ ଅସ୍ଥିର ହୋଇ ଶଯ୍ୟାଗତ ହେଲେ । ସେହି ରମଣୀ ଏହାକୁ ତାହାର ଗୋଟିଏ ସୁଯୋଗ ମନେ କଲା । ଦିନେ ଜଣେ ରାଜଗୃହକୁ ବାହାରିବାକୁ ତାସଙ୍ଗରେ ରାତିଭୋରରୁ ଉଠି ସେ ଯାଇକ ଟକରେ ଉପସ୍ଥିତ ହେଲା । ଅଳଙ୍କାର କିଛି ପାଇଛି, ପଇସା ମଧ୍ୟ ହାତରେ କିଛି ହୋଇଗଲା । ତେଣୁ ସେ ଗୋଟିଏ ଭଲ ଘରଭଡ଼ା ନେଇ ପୂରାରୂପଜୀବୀର ବ୍ୟବସାୟ ଖୋଲିଦେଲା । ତା’ର ଅନ୍ତର୍ଦ୍ଧାନ ଘନ ଥିବାସ୍ଥାନରେ କ୍ରମେ ପ୍ରଘଟ ହେଲା ଏବଂ ଘନଙ୍କ କାନକୁ ଗଲା । ‘‘ଚୋର ମା’ ଲାଜରେ କାନ୍ଦେ ନାହିଁ, ଯେବେ କାନ୍ଦେ ଆଖି ମଳିମଳି କାନ୍ଦେ ।’’ ଘନ ଉପଦଂଶପୀଡ଼ାରେ ଅସ୍ଥିର ହୋଇ ଶଯ୍ୟାରେ ପଡ଼ିଅଛନ୍ତି । ବୋଝ ଉପରେ ନଳିତାବିଡ଼ା ଲଦିଲା ଲଦିଲା ପରି ଏ କଥା ତାଙ୍କ ଯନ୍ତ୍ରଣାକୁ ଦି’ଗୁଣ କଲା । କେତେ ଆଗ୍ରହ ସହକାରେ ସେ ମନ ମୁତାବକ ଗହଣାଗୁଡ଼ିଏ କରିଥିଲେ । ସେ ସବୁ ହରାଇ ବସିବାରୁତାଙ୍କ ମନ ପାତାଳରୁ ତଳାତଳକୁ ଚାଲିଗଲା । କାହାକୁ କ’ଣ କହିବେ ? କି ପ୍ରତିକାର କରିବେ ? ଅଳଙ୍କାର ତିଆରି କଥା ସେ ବୋଉଙ୍କୁ ଆଗରୁ କହିଅଛନ୍ତି । ସେଥିରେ ବୋଉଙ୍କ ପାଇଁ ମଧ୍ୟ କିଛି ଗହଣାଥିଲା । ଘନ ତାଙ୍କର, ପ୍ରଥମ ସଂସାର ପଥରେ ଗୋଟିଏ ଆଚ୍ଛା ଠୁକ୍କର ଖାଇ ମୁହଁମାଡ଼ି ପଡ଼ିଲେ । ନିଜ ଶରୀର ସୁସ୍ଥହେବା ପାଇଁ ଅନେକ ଅର୍ଥ ବ୍ୟୟହେଲା, କେତେ ଦେବତାଙ୍କୁ ସେ କେତେ ପଦାର୍ଥ ମନାସିଲେ । ବହୁ କଷ୍ଟରେ ସ୍ୱାସ୍ଥ୍ୟଲାଭ କରି ଘନ ନାକକାନ ମୋଡ଼ିହୋଇ ‘‘ଆଉ ଜୀବନରେ ଏପରି ଜଘନ୍ୟ କାର୍ଯ୍ୟ କରିବି ନାହିଁ’’ ବୋଲି ପ୍ରତିଜ୍ଞା କଲେ । ରୋଗଯନ୍ତ୍ରଣା କ୍ରମେ ଭୁଲିହେଲା, ମାତ୍ର ଅଳଙ୍କାର ଯନ୍ତ୍ରଣାମନରୁ ଗଲା ନାହିଁ–‘‘ମାଡ଼ଠାଏ ବଥାଏ, ମାତ୍ର ପଇସା ସହସ୍ରଠା ବଥାଏ ।’’ ତାଙ୍କର ପୂର୍ବଶରୀର କାନ୍ତି ଅନେକ ପରିମାଣରେ ମଉଳିଗଲା । ତେଣୁ ଗ୍ରାମକୁ ଯିବାକୁ ମନ ହେଉ ନ ଥାଏ । କେବଳ ଆବଶ୍ୟକ ପଡ଼ିବାରୁ ସେ ବାଧ୍ୟ ହୋଇଗଲେ । ଅଳଙ୍କାର ସବୁଚୋରି ଯିବା ଓ ତାଙ୍କର ବିଶେଷ ଜ୍ୱର ଯୋଗେ ଚେହେରା ମ୍ଳାନ ଦିଶିବା କଥା ସେ ବୋଉଙ୍କ ଆଗରେ ପ୍ରକାଶ କଲେ ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ଆଷାଢ଼ମାସ, ଦିନ ପ୍ରାୟ ଦଶ ଘଡ଼ି ଭୋଗ ହେଉଅଛି । ନବୀନ ମେଘର ଘନ ଗର୍ଜନ କର୍ଣ୍ଣ ସ୍ତବ୍ଧ କରି ଦେଉଅଛି । ବୃଷ୍ଟି ବରକୋଳିଆ ଟୋପାମାନ ଛାଡ଼ି ଦେଉଅଛି । ମଧ୍ୟେ ମଧ୍ୟେ ଚପଳା-ସ୍ଫୁରଣ ହୃତ୍‌କମ୍ପ ଜାତ କରାଉଅଛି । ଘନ ବୋଉ ନୂତନ ଖଞ୍ଜା ମଧ୍ୟରେ ଏକାକିନୀ ବସି ଭାବୁଅଛନ୍ତି–ଘନ ମୋର ଏତେବେଳେ କ’ଣ କରୁଥିବ । କାଳେ କୁଆଡ଼େ ଯାଉଥିବ, ବାଟରେ ଏ ବର୍ଷାରେ ତିନ୍ତୁଥିବ । କି ଘଡ଼ଘଡ଼ି ଲୋ ମା, ମଣିଷମାନଙ୍କର କି ସାହସ–ଏଥିରେ ସେମାନେ କିପରି ଯିବା ଆସିବା କରନ୍ତି । ମା’ ମଙ୍ଗଳା, ଘନକୁ ମୋର ପଣତ ଘୋଡ଼ାଇ ରଖିଥିବୁ । ଏପରି ଭାବିଲାବେଳକୁ ଗୋଟାଏ ବିଜୁଳି ମାରିଦେଲା । ଘନ ବୋହୂ ଚାହିଁ ଦେଲେ ଯେ, ରୋଷାଇ ଘର ପହଣ୍ଡରେ ଖଣ୍ଡେ କଂସାଥୁଆ ହୋଇଅଛି । ତହୁଁ ସେ ଶୀଘ୍ରଉଠି ଯାଇ ତାହାକୁ ଘର ମଧ୍ୟରେ ରଖି ଦେଇ ପୁନରାୟ ଆସି ଯଥାସ୍ଥାନରେ ବସିଲେ । ସେ ମନେ ମନେ ଭାବୁଥାନ୍ତି–ଏତେବଡ଼ ଖଞ୍ଜାରେ ଏକା ହୋଇ କେତେ ଦିନ ଚଳିବ ? ମା’ ମଙ୍ଗଳା, କେବେ ଘନକୁ ମୋର ହାତକୁ ଦି’ ହାତ କରିବ-? ସେ ତ ଏ ପାପ-ଆଖି ଘନର ସୁଖ ଦେଖିବ । ବହୁଟିଏ ଆସିଲେ ମୋର ବୋଲରେ ଚଳିବ, ଘନର ବାଳକ ହେବ, ମୁଁ ଦେଖିବି–ମୋର ଏ ଭାଗ୍ୟ କାହିଁ ? ଭଗବାନଙ୍କ କୃପା ବିନା ମୋର ଗତି କଅଣ ଅଛି ? ଏପରି ନାନା କଥା ଭାବୁ ଅଛନ୍ତି, ତାଙ୍କର ମାମୁ ଗୋଟାପଣେ ସରବୁଡ଼ା ହୋଇ ଆସି ପହଞ୍ଚିଗଲେ । ଅପାଙ୍କୁ ମୁଣ୍ଡିଆ ମାରି ସେ ବାଟରେ ଯେପରି ତିନ୍ତିଲେ ଅପାଙ୍କ ଆଗରେ କହି, ଲୁଗା ପାଲଟି ବସିଗଲେ । ମଦନ ମହାନ୍ତି ଘରେ ନ ଥାନ୍ତି । ଘରେ ଆଉ ଗୋଟିଏ ହୋଇ ସ୍ତ୍ରୀଲୋକ କେହି ନାହିଁ । ସାହି ପାଖ ନୁହେଁ ଯେ, ବାଡ଼ିତଳକୁ ଯାଇ ଅନ୍ୟ ଘର ପିଲାଙ୍କୁ ଡାକି କିଛି ବରାଦ ଦେବେ । କିଛି ଉପାୟ ନ ଦେଖି ସେ ଭାରସଙ୍ଗରେ ଆସିଥିବା ବାରିକଦ୍ୱାରା ମଦନ ମହାନ୍ତିଙ୍କୁ ଡକାଇ ପଠାଇଲେ । ଭାଇ ଅପାଙ୍କୁ କହିଲେ, ‘‘ମୋର ବର୍ତ୍ତମାନ କିଛି ଆବଶ୍ୟକ ନାହିଁ । ଗୋଟିଏ ଭଲ କନ୍ୟାପାତ୍ର ଘଟିଛି । ମେଳକ ବୁଝିଥିଲି, ଭଲ ସୁଝୁଛି । ଥିଲା ଘର, ଗହଣାପତ୍ର ଦେବ । ମାଘରେ ବିବାହ ହେବ । କଥା ସ୍ଥିରକରି ସ୍ୱୀକାର ପଠାଇବାର ବନ୍ଦୋବସ୍ତ କରିବାକୁ ଆସିଲ ।’’ ଅପା କହି ପକାଇଲେ, ‘‘ହଁ, ଭଗାରୀଏ କରାଇ ଦେଲେ ତ ହେବ ।’’ ଭାଇ କହିଲେ, ‘‘ମୁଁ ତାର ଉପାୟ କରିଛି ।’’ ଅପା କହିଲେ, ‘‘ତୁ ନ ବିଚାରିଲେ ଭଣଜା କ’ଣ ତୋର ବାହା ହେବ-? ତା ବାପା ହାତରେ ତ ଶାଗ ସିଝିବ ନାହିଁ । ତୁ ନ କଲେ ଆଉ କିଏ କରିବ ?’’ ଭାଇ କହିଲେ, ‘‘ଅପା, କିଛି ଚିନ୍ତା କର ନା । ସବୁ ସଜି ହୋଇଯିବ ।’’

 

ଯେଉଁଠାରେ କନ୍ୟାପାତ୍ର ଜୁଟିଛି, ସେ ଘନଙ୍କର ଗୁଣ ଓ ରୋଜଗାର କଥା ଶୁଣି ତାଙ୍କୁ ନିଜକନ୍ୟା ପ୍ରଦାନ କରିବାକୁ ଅତି ଆଗ୍ରହ ପ୍ରକାଶକରି ଘନ ମାମୁଙ୍କ ନିକଟକୁ ଭଦ୍ରଲୋକ ପଠାଇଥିଲେ । ସେ ମଧ୍ୟ କହି ଦେଇଅଛନ୍ତି ଯେ–ଘନଙ୍କ ରୋଜଗାର ପ୍ରଭୃତି ତାଙ୍କ ଭାଇମାନେ ଦେଖି ସହି ନ ପାରି ତାଙ୍କୁ ହଇରାଣ କରିବାକୁ ବସିଅଛନ୍ତି । ତେଣୁ ସେ ଗୋଟିଏ ନୂତନ ସ୍ଥାନରେ ଘର କରି ରହିଅଛନ୍ତି । ତାଙ୍କର ଜଣେ ସାନ୍ତବାପା ଅଛନ୍ତି । ତାଙ୍କ ଘରେ ସେବଡ଼ ଅଂଶ ଓ ମୁରବି । ସେ ନାନା କଥା କହି ଭାଙ୍ଗି ଦେବାକୁ ବସିବେ । ଆମ୍ଭେ ନ ମାନି କଲେ ସେ ବରଯାତ୍ରୀ ହୋଇ ଆସି ନ ପାରନ୍ତି । ଏଥିର ବିଚାର କରି ଆଉ କେତେ ସାନ୍ତର ମର୍ଯ୍ୟାଦା ଦେବେ ବୁଝି ଆସି ମତେ କହିଲେ କଥା ବଦ୍ଧମୂଳ ହେବ ଓ ସ୍ୱୀକାର ପତ୍ର ପାଇଁ ଦିନ ଧାର୍ଯ୍ୟ କରିବା । କନ୍ୟା ତରଫ ଭଦ୍ରଲୋକ କହିଲେ, ‘‘ତାଙ୍କ ସାନ୍ତବାପାଙ୍କ କଥା ପାଇଁ ଭାବନା କର ନାହିଁ, ଆମେ ତାଙ୍କୁ ରାଜି କରାଇ ଦେବୁଁ । ଆପଣ ମେଳକ ବୁଝନ୍ତୁ, କନ୍ୟାର ଜନ୍ମ ପତ୍ରିକା ମୁଁ ଆଣିଛି, ନିଅନ୍ତୁ । ବରର ଜନ୍ମପତ୍ରିକା ଆମ୍ଭଙ୍କୁ ଦେଖିବାକୁ ଦିଅନ୍ତୁ । ମୁଁ ଆଜିର ବାର ଆସି ସବୁହାଲ ଆପଣଙ୍କୁ କହିଯିବ ।’’ କନ୍ୟା ତରଫର ଭଦ୍ରଲୋକ ବରର ଜନ୍ମପତ୍ରିକା ନେଇଗଲେ । ନାହାକ ଡକାଇ ଦେଖିଲେ ଯେ, ବରର ମୀନଲଗ୍ନରେ ଶୁକ୍ରଭଙ୍ଗୀ ହୋଇଅଛନ୍ତି; ଧନ ଭାଗ୍ୟଧିପତି ମଙ୍ଗଳ ଲାଭଗୃହ ମକରରେ ରହିଅଛି । କନ୍ୟାର ମିଥୁନ ରାଶିକୁ ବରରଧନୁ ରାଶି–ରାଜଯୋଟକ ହେଉଅଛି । କନ୍ୟାପିତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଦଶ ସାଆନ୍ତ–ମର୍ଯ୍ୟାଦା ଦେବାକୁ ରାଜିହୋଇ କଥା ବଦ୍ଧମୂଳ କରିବାକୁ ଘନ ମାମୁଙ୍କ ନିକଟକୁ ନାହାକ ଓ ପୁରୋହିତଙ୍କୁ ପଠାଇଲେ । ସେ ସେମାନଙ୍କଠାରୁ ସବୁ ହାଲଶୁଣି ମଦନ ମହାନ୍ତିଙ୍କ ଘରୁ ଫେରି, ଖବର ଦେବାକୁ କହି ସେମାନଙ୍କୁ ବିଦାୟ କରି ଦେଲେ । ପର ଦିନ ଅପା ଘରେ ଉପସ୍ଥିତ ହୋଇ ମଦନ ମହାନ୍ତି ଓ ତାଙ୍କ ପୁରୋହିତଙ୍କୁ ସଙ୍ଗରେ ଧରି କରଣସାହିରେ ପହଞ୍ଚି ଘନଙ୍କର ସାନ୍ତବାପାଙ୍କ ସଙ୍ଗେ କଥାବର୍ତ୍ତା ହେଲେ । କନ୍ୟାଘର ଆଗରୁ ଜଣେ ଗୁପ୍ତଚର ପଠାଇ ଘନଙ୍କ ସାନ୍ତବାପାଙ୍କୁ ଟିକିଏ ଗଦ ସୁଙ୍ଘେଇ ଦେଇ ଯାଇଥିଲେ । ତାଙ୍କର ଆଉ ଫଣା ଟେକିବାକୁ ବଳ ନ ଥିଲା । ମଦନ ମହାନ୍ତି ସାକ୍ଷୀ ମାତ୍ର ହୋଇ ବସିଥାନ୍ତି । ଘନଙ୍କ ମାମୁ ଓ ପୁରୋହିତ କଥାବାର୍ତ୍ତା କରୁଥାନ୍ତି । ଶେଷରେ ଗୋଟିଏ ଦିନ ସ୍ଥିରହୋଇ କରଣସାହି ଠାକୁର ମନ୍ଦିରରେ ବିବାହ ପ୍ରସଙ୍ଗ ସ୍ଥିର ହେବାର କଥା ଛିଡ଼ିଲା । ଘନମାମୁ ଗ୍ରାମକୁ ଯାଇ କନ୍ୟାପିତାଙ୍କୁ ବଦ୍ଧମୂଳ ହେବା ଦିନ ଓ ସ୍ଥାନ ପତ୍ରଦ୍ୱାରା ଜଣାଇଲେ । ଧାର୍ଯ୍ୟ ଦିନ ପୂର୍ବ ରାତ୍ରିରୁ ଘନମାମୁ ଆସିଥାନ୍ତି । ସେ ଦିନ ସକାଳୁ ଘନଙ୍କ ସାନ୍ତବାପାଙ୍କ ନିକଟକୁ ଯାଇ କନ୍ୟାର ପତ୍ରଲୋକଙ୍କ ଚର୍ଚ୍ଚା ପାଇଁ ଠାକୁର ମନ୍ଦିରରେ ଭୋଗର ବନ୍ଦୋବସ୍ତ ଓ ଅନ୍ୟାନ୍ୟ ଭାଇବନ୍ଧୁଙ୍କୁ ଡକାଇବାର କଥା କରି, ମଦନ ମହାନ୍ତିଙ୍କ ଘରକୁ ଆସି ଭୋଗପଦାର୍ଥ, ବିଛଣା, ପାନ ପ୍ରଭୃତି ପଠାଉଥାନ୍ତି । ଘନଙ୍କ ସାନ୍ତବାପା ନିଜ ପିଣ୍ଡା ଉପରେ ବସି କେତେ ପ୍ରକାର କଥା ଦେଖାଇ ଦେଖାଇ ଅନ୍ୟ ବୁଢ଼ାଙ୍କୁ କହୁଥାନ୍ତି, ‘‘ଦେଖ, ଏତେବେଳେ କେତେ ଟେକାଟେକି କଥା, ଅନ୍ୟବେଳେ ମୁରବି ବୋଲି ପଚାରେ କିଏ ? କଣ କରିବା, ମଦନ ମୁହଁକୁ ସବୁ ଯାଉଛି–ମୁଁ କିଛି ଧରୁନାହିଁ । ନୋହିଲେ କିପରି ବିବାହ ହୁଅନ୍ତା, ଦେଖନ୍ତି ।’’ ଜଣେ ଅନ୍ତର ବୁଢ଼ାକହିଲା, ‘‘ଆପଣ ବିଚାର ନ କଲେ, ସେ କେତେ କଡ଼ାର ଖଣ୍ଡାଏ ?’’ ଏପରି କଥା ହେଉ ହେଉ ବେଳ ଦିପହର ସମୟରେ କନ୍ୟାପିତା, ପୁରୋହିତ, ବାରିକ, ତାଙ୍କ ବନ୍ଧୁରୁ ଜଣେ ଓ ଭାଇମଧ୍ୟରୁ ଜଣେ, ଏପରି ପାଞ୍ଚଜଣ ଆସି କରଣସାହି ଠାକୁରମନ୍ଦିରରେ ଉପସ୍ଥିତ ହେଲେ । ପୂର୍ବରୁ ଗଦ ସୁଙ୍ଘେଇବା ଚର ସେମାନଙ୍କ ସଙ୍ଗରେ ଥିଲେ । ସେ ଯାଇ ଘନଙ୍କ ସାନ୍ତବାପାଙ୍କୁ ଖବର ଦେଇ ତୁନିତୁନିକି କଥାବାର୍ତ୍ତା ହୋଇ ଚାଲି ଆସିଲେ । ଘନଙ୍କ ସାନ୍ତବାପା ତତ୍‌କ୍ଷଣାତ୍‌ ମଦନ ମହାନ୍ତିଙ୍କ ନିକଟକୁ ଲୋକ ପଠାଇଦେଲେ-। ତାଙ୍କର ବନ୍ଧୁ ଓ ଭାଇଙ୍କୁ ଖବର ଦିଆଗଲା । ସମସ୍ତେ ଏକତ୍ର ହେଲେ । ରାତ୍ରି ଦୁଇଘଡ଼ିଠାରୁ କଥା ଆରମ୍ଭ ହେଲା । କନ୍ୟାପକ୍ଷ ଜାତିରେ କମ୍‌ ନୁହନ୍ତି–ମଦନ ମହାନ୍ତିଙ୍କଠାରୁ ଅଧିକ । ଯେ ଜାତିର ଅଧିକ, ସେ ଅନ୍ୟ ପକ୍ଷରୁ କିଛି ପଇସା ମଧ୍ୟ ଚାହାଁନ୍ତି । ମାତ୍ର କନ୍ୟାପିତା ସଙ୍ଗତି ସମ୍ପନ୍ନ ଲୋକଥିବାରୁ କନ୍ୟା ଦାନ କରୁଥିବା ଯୋଗେ କିଛି ଚାହିଁଲେ ନାହିଁ । କେବଳ ବରପାତ୍ରର ଗୁଣ ଦେଖି ସେ ବନ୍ଧୁ ବାନ୍ଧୁଥିବାର ପ୍ରକାଶ କଲେ । ତଥାପି ଉଭୟ ପକ୍ଷର ଭାଇମାନଙ୍କ ମଧ୍ୟରେ ବନ୍ଧୁ ତୁଳନା କରାଗଲା । ମଦନ ମହାନ୍ତି ନିର୍ଦ୍ଧନ ଥିଲେ, ତାଙ୍କ କୁଳମର୍ଯ୍ୟାଦାନୁସାରେ ତାଙ୍କର ବନ୍ଧୁ ପୂର୍ବରୁ ଥିଲେ ମଧ୍ୟ ତାଙ୍କ ପିତା ଟେକରେ ବନ୍ଧୁବାନ୍ଧି ପାରିନାହାନ୍ତି । ଟେକରେ ବନ୍ଧୁବାନ୍ଧିବା ଦିନକୁ ଦିନ ବଡ଼ମଜାର କଥା ହେଉଅଛି । ଯାହାର ଅର୍ଥବଳ ହେଲା, ସେ ସେଥିପାଇଁ ଲାଳାୟିତ ହେଉଅଛନ୍ତି । ହାଟୁଆ ପାଟକଙ୍କ ଛାଡ଼ିଦେଲେ ବ୍ରାହ୍ମଣ, କ୍ଷତ୍ରିୟ, ଖଣ୍ଡାୟତ ଓ କରଣମାନଙ୍କ ମଧ୍ୟରେ ଉଚ୍ଚ, ମଧ୍ୟମ ଓ ନୀଚ ଏପରି ତିନିଶ୍ରେଣୀ ଗଡ଼ି ବା କୋଟି ଦେଖାଯାଏ । ଯେପରି ଏକ ବ୍ରାହ୍ମଣ କାର୍ଯ୍ୟଭେଦରେ ତିନିଶ୍ରେଣୀ ହୋଇଅଛନ୍ତି, ଅର୍ଥାତ୍‌ ଶୋତ୍ରୀୟ–ଯେଉଁମାନେ ଯଜ୍ଞାନୁଷ୍ଠାନ ପ୍ରଭୃତି କରନ୍ତି, ବୈଦିକ–ଯେଉଁମାନେ ପୌରୋହିତ୍ୟ କରନ୍ତି, ପଣ୍ଡା–ଯେଉଁମାନେ ଦେବସେବା କରନ୍ତି । ସାମନ୍ତ ବ୍ରାହ୍ମଣ କେବଳ ରାଜଦତ୍ତ ଉପାଧି ମାତ୍ର । ସେମାନଙ୍କ ମଧ୍ୟରେ କେତେକ ନୀଚ କୋଟି ବ୍ରାହ୍ମଣ ବିଦ୍ୟାବଳରେ ରାଜ ପ୍ରତିଷ୍ଠା ଲାଭକରି ସାମନ୍ତ ଶ୍ରେଣୀଭୁକ୍ତ ହୋଇଥିବାର ଜଣାଯାଏ-। ମାତ୍ର କରଣ ପ୍ରଭୃତି ଜାତିରେ କାର୍ଯ୍ୟ ଭେଦରେ ଜାତିଭେଦ ଦେଖାଯାଏ ନାହିଁ । ଖଣ୍ଡାୟତ ଓ କରଣ ଜାତିର ମୂଳଭିତ୍ତି ଦେଖିବାକୁ ଗଲେ ସେମାନେ କ୍ଷତ୍ରିୟଜାତିର ଅଂଶ ଅଟନ୍ତି । ଓଡ଼ିଶାରେ ବୈଶ୍ୟବୋଲି ପରିଚୟ ଦିଅନ୍ତି । ସ୍ମୃତିକାରମାନେ ସଦ୍‌ଗୋପଙ୍କୁ ବୈଶ୍ୟ ମଧ୍ୟରେ ନେଇ ଅଛନ୍ତି । କୃଷକମାନେ ବୈଶ୍ୟମଧ୍ୟରେ ଯାଇପାରନ୍ତି । କରଣମାନଙ୍କ ମଧ୍ୟରେ ଯେ ବୈଶ୍ୟର ଅଂଶ ନାହିଁ, ଏହା ମଧ୍ୟ ବୋଲା ଯାଇ ନ ପାରେ । କାରଣ କଥାରେ କହନ୍ତି–‘‘ଚଷା ବଢ଼ି ବଢ଼ି କରଣ, କରଣ ଛିଡ଼ି ଛିଡ଼ି ଚଷା ।’’ କରଣ କ୍ଷତ୍ରିୟ ହୁଅନ୍ତୁ ବା ବୈଶ୍ୟ ହୁଅନ୍ତୁ, ତାହା ନିରୂପଣର ସ୍ଥାନ ଏ ନୁହେଁ । ତେବେ କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ଗଲେ, ଯେଉଁଠାରେ ପୂର୍ବରୁ ଅନେକଗୁଡ଼ିଏ କରଣ ଏକ ମେଳହୋଇ ରହିଥିଲେ, ତାହାସ୍ଥଳ ବୋଲାଏ । ସେଠାରେ ଯେଉଁମାନଙ୍କ ବନ୍ଧୁଥାଏ, ସେମାନେ ଉଚ୍ଚକୋଟି ବା ଶ୍ରେଣୀ ଅଟନ୍ତି । ପରେ ରାଜପ୍ରତିଷ୍ଠା ବଳରେ ଖର, ପୂର, ଚ୍ୟାଉ ଓ ଧୀରମାନେ ଉଚ୍ଚ ଶ୍ରେଣୀର କରଣ ବୋଲାଉ ଅଛନ୍ତି । ଉଚ୍ଚ କୋଟି ମଧ୍ୟରୁ ଯେଉଁମାନେ ଅର୍ଥାଭାବ ଯୋଗେ ନୀଚକୋଟିରେ ବନ୍ଧୁକରି ସ୍ଥାନଭ୍ରଷ୍ଟ ହୋଇ ଅନ୍ୟତ୍ର ଅଛନ୍ତି, ସେମାନେ ମଧ୍ୟମ ଶ୍ରେଣୀରେ ଯାନ୍ତି । ଆଉ ନୀଚକୋଟି ମଧ୍ୟରେ ‘ମହାନ୍ତି ମହାନଦୀ ସମାନ’, ଏ କଥା ସାର୍ଥକ ହୋଇଅଛି । ଏଥିରେ ବା’ର ଜାତି ତେର ଗୋଲା ମହାନ୍ତି ହେଲେ ସବୁଗଲା । କରଣମାନେ ଗଉଡ଼, ଗୁଡ଼ିଆ, ବାରିକ ଓ ଚଷା ପ୍ରଭୃତିରୁ ଦାସୀ ରଖନ୍ତି । ସେମାନଙ୍କ ଗର୍ଭଜାତ ସନ୍ତାନମାନେ କେହି କେହି ଶିକ୍ଷା କିମ୍ୱା ଅର୍ଥବଳରେ, କେହି କେହି ପିତାମାତାଙ୍କ ସ୍ନେହ ଓ ସାହାଯ୍ୟରେ ଏ ଶ୍ରେଣୀରେ ଚଳି ଯାଇଅଛନ୍ତି । ଚଷାମାନେ ମଧ୍ୟ ଅର୍ଥବଳରେ କରଣଘରେ ବନ୍ଧୁକରି ଯାଇ ଅଛନ୍ତି । ପ୍ରକୃତ କରଣମାନେ ଏମାନଙ୍କୁ ନୀଚକୋଟି ମଧ୍ୟରେ ଗଣନା କରି ସେମାନଙ୍କ ସଙ୍ଗେ ବନ୍ଧୁ କରୁନଥିଲେ ଓ ସେମାନଙ୍କୁ ଘୃଣା କରୁଥିଲେ । କିନ୍ତୁ ଘୃଣାକଲେ କଣ ହେବ, ରକ୍ତର ଅଂଶ ଯେଉଁଠାରେ, ସେଠାରେ ଘୃଣା ସ୍ଥାୟୀ ହୋଇପାରେ ନାହିଁ । କାଳକ୍ରମେ ସେ ଘୃଣା ଦୂର ହେଉଅଛି । ସାର୍ଟିଫିକେଟ ହାସଲ କଲେ କିମ୍ୱା ଅର୍ଥ ସଞ୍ଚୟ କରି ପାରିଲେ ଉଚ୍ଚନୀଚ ଭେଦ ରହୁ ନାହିଁ । ବର୍ତ୍ତମାନ କରଣ ଜାତି ଶିକ୍ଷାବଳରେ ସେ ଭେଦବୁଦ୍ଧି ଛାଡ଼ିବାକୁ ବସିଲାଣି । ଆଉ ମଧ୍ୟ ବ୍ରାହ୍ମଣ ତେରଜାତି ମଧ୍ୟରୁ ଅନେକଙ୍କର ଶିକ୍ଷାବଳରେ ନିଜକନ୍ୟାକୁ ନିଜଜାତିର ଅଶିକ୍ଷିତ ଲୋକଙ୍କୁ ପ୍ରଦାନ କରିବାକୁ ଇଚ୍ଛା ବଳୁ ନାହିଁ । ଯେପରି ଦେଖାଯାଉଅଛି, ଶିକ୍ଷାବୃଦ୍ଧି ସଙ୍ଗେ ସଙ୍ଗେ ସେମାନେ କରଣ ହୋଇଯିବେ । କରଣଜାତି ମଧ୍ୟ ସେମାନଙ୍କୁ ନିଜଶ୍ରେଣୀରେ ମିଶାଇ ନିଜ ଜାତିର ପୁଷ୍ଟିସାଧନ ଏବଂ ଅର୍ଥଲିପ୍‌ସା ଚରିତାର୍ଥ କରିବାକୁ କୁଣ୍ଠିତହେଉ ନାହିଁ । ବର୍ତ୍ତମାନ ଯୁଗରସଭ୍ୟତା ଦୃଷ୍ଟିରେ ଏହାଜାତୀୟତା ବୃଦ୍ଧି କରୁଅଛି । ଏ ଉଦାରତା ପାଇଁ କରଣ ଜାତି ଅବଶ୍ୟ ଧନ୍ୟବାଦାର୍ହ । କାରଣ ବର୍ତ୍ତମାନ ସଭ୍ୟତା ହୁରି ପକାଉଅଛି ଯେ–ବ୍ରାହ୍ମଣ, କରଣ, ଚଷା ଓ ତେଲି ପ୍ରଭୃତି ସବୁ ଏକ ହୋଇଯାଅ–ବନ୍ଧୁକରିବା ଓ ଖାଦ୍ୟ ପାନୀୟ, କାହିଁରେ ଭେଦ ରଖ ନାହିଁ, ତେବେ ମଙ୍ଗଳ ହେବ । ମାତ୍ର ଏହାର ମୂଳରେ କେବଳ ନିଜେ ନିଜ ଜାତିକୁ ଘୃଣା କରିବା ଭିନ୍ନ ଆଉକିଛି ନାହିଁ । କେଉଁ ସଭ୍ୟ ଜାତିରେ ଜାତି, କୁଳ ବା ବଂଶଭେଦ ନାହିଁ ଏବଂ ବନ୍ଧୁ କରିବାବେଳେ ବା ଏକତ୍ର ଖାଇ ବସିଲାବେଳେ ତାହାର ପାର୍ଥକ୍ୟ ଦେଖା ଯାଉ ନାହିଁ ? ନିଜ ନିଜ ଜାତିପ୍ରତି ଘୃଣା ନ ପୋଷି, ବନ୍ଧୁ କରିବାକୁ ଉଚ୍ଚ ଆକାଂକ୍ଷା ଛାଡ଼ି, ଅଭିମାନର ବଶବର୍ତ୍ତୀ ନ ହୋଇ କାର୍ଯ୍ୟକ୍ଷେତ୍ରରେ ଏକମେଳ ହୋଇ ନିଜ ନିଜ କର୍ତ୍ତବ୍ୟ କଲେ କଣ ମଙ୍ଗଳ ହେବ ନାହିଁ ଓ ସମ୍ମାନ ରହିବ ନାହିଁ ? ଲେଖାରେ, କଥାରେ କେବଳ ଦେଶସେବା ଓ ଜାତୀୟତା, ଆଉ ଘରେ ଘରେ ଉଚ୍ଚ ଶ୍ରେଣୀ, ମଧ୍ୟମ ଶ୍ରେଣୀ ଓ ନୀଚ ଶ୍ରେଣୀକୁ ଘୃଣା କରିବା ଓ ଅପମାନ ଦେବାଲାଗି ଅଛି । ଏଣୁ ନୀଚଶ୍ରେଣୀ ଜିଦ୍‌କରି ଘୃଣାକାରୀ ଓ ଅପମାନକାରିର ବନ୍ଧୁମାନଙ୍କ ସଙ୍ଗେ କଳେ, ବଳେ ଓ କୌଶଳେ ବନ୍ଧୁ ବାନ୍ଧୁଅଛି । ଏଥିପାଇଁ କେତେ ଭଦ୍ରଲୋକ ଅଣ୍ଟାଗୁଞ୍ଜା ନେଉ ଅଛନ୍ତି, କେତେବାଦ ବିବାଦ ଚାଲୁଅଛି-। ବର୍ତ୍ତମାନ ବ୍ରାହ୍ମଣ, କ୍ଷତ୍ରିୟ, ଖଣ୍ଡାୟତ ଓ କରଣସମାଜର ଅସ୍ଥିମଜ୍ଜା ମଧ୍ୟରେ ଏ ନୃତ୍ୟ ନିତ୍ୟ ଲାଗି ରହିଅଛି । ଆଉ ମଧ୍ୟ ଜାତିବିକା ଗୋଟିଏ ରୋଜଗାରର ପଥ ଖୋଲି ଦେଇଅଛି । ଯେ ଯୋଗ୍ୟ କିମ୍ୱା ଧନୀ ହେଲା, ସେ ନିଜ ସମାଜର ଅଭାବମୋଚନ କରି ତାକୁ ସବଳ ଓ ପୁଷ୍ଟକରିବ, କି ନିଜ ସମାଜକୁ ହେୟଜ୍ଞାନ କରି ଉଚ୍ଚ ସମାଜରେ ମିଶି ନିଜେ ଉଚ୍ଚ ହେବ–ଏ ଦୁଇ ନୀତି ମଧ୍ୟରୁ କେଉଁଟିର ପ୍ରଭୁତ୍ୱ ବିସ୍ତାର ହେବ, ଏହାର ପରୀକ୍ଷା ସମୟ ଆସୁଅଛି । ଦେଖାଯାଉ, କାଳର ଗତିକି ପରିବର୍ତ୍ତନ ଘଟାଉଅଛି ।

 

ଘନଙ୍କର ବିବାହ କଥା ସ୍ଥିରହେଲା । ରାତି ପ୍ରାୟ ଆଠଘଡ଼ି ଅତିକ୍ରମ କଲାଣି । ଆଗନ୍ତୁକମାନେ ଠାକୁର ମନ୍ଦିରରେ ଭୋଗ ସେବାକରି ଅବଶିଷ୍ଟ ରାତ୍ରି ନିଦ୍ରାଦେବୀ କୋଳରେ କଟାଇ ଭୋରରୁ ଉଠି ନିଜ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେଲେ । ସମୟ କାହାକୁ ଅପେକ୍ଷା କରେନାହିଁ । ଚାହୁଁଚାହୁଁ ସ୍ୱୀକାରପତ୍ର ଆସିବା ଦିନ ଉପସ୍ଥିତ ହେଲା । କନ୍ୟାଘର ସ୍ୱୀକାର ପତ୍ର ପଠାଇବେ । ସମସ୍ତ ପଦାର୍ଥର ଆୟୋଜନ ହେଲା । ପୁରୋହିତ, ନାହାକ ଓ ଗ୍ରାମର ମୁରବିମାନେ ବସି ଲଗ୍ନସ୍ଥିର କଲେ । ନାହାକ ଖଣ୍ଡିଏ ନୂତନ ତାଳପତ୍ର ସୁଚାରୁରୂପେ କାଟି, ଠୁଙ୍କାହୋଇ ବସି, ବାମହାତରେ ତାଳପତ୍ରଧରି ବାମ ଆଣ୍ଠୁଉପରେ ରଖି, ଦକ୍ଷିଣହସ୍ତରେ ଲେଖନ ଧରି ପୁରୋହିତଙ୍କ ମୁଖକୁ ଦୃଷ୍ଟି ଦେବାମାତ୍ରେ ପୁରୋହିତ ସ୍ୱୀକାରପତ୍ରରେ ଯାହା ଲେଖାଯିବ, ତାହା ଡାକୁଥାନ୍ତି, ନାହାକ ଲେଖୁଥାନ୍ତି । ଯଥା–

 

ଶ୍ରୀଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣେ ଶରଣଂ ।

ଶ୍ରୀଶୁଭମସ୍ତୁ ଶ୍ରୀଶୁଭମସ୍ତୁ ଶ୍ରୀଶୁଭମସ୍ତୁ ।

 

କଟକ ଜିଲାଓଳାସ ପ୍ରଗନା ସନ୍ନ୍ୟାସୀପୁର ଗ୍ରାମସ୍ଥିତ ଶ୍ରୀ ମଦନ ମୋହନ ମହାନ୍ତିଙ୍କୁ କଟକ ଜିଲା ଅହିହାସ ପ୍ରଗନା ଦଶରଥପୁର ଗ୍ରାମସ୍ଥିତ ଶ୍ରୀ ନଟବର ପଟ୍ଟନାୟକଙ୍କର ଯଥୋଚିତ ।

 

ମହାଶୟ !

 

ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀ ଘନଶ୍ୟାମ ମହାନ୍ତିଙ୍କର ମଙ୍ଗଳକୃତ୍ୟ ଆମ୍ଭର ମଧ୍ୟମା କନ୍ୟା ବିଷୟରେ ସ୍ଥିର କରାଯାଇଅଛି । ସେ ମଙ୍ଗଳକୃତ୍ୟ ପାଣିଗ୍ରହଣ ସନ ୧୨୯୫ ସାଲ କୁମ୍ଭ ମାସ ପନ୍ଦର ଦିନକୁ ଶୁଭଯୋଗ ହୋଇଥିବାରୁ ଏ ପତ୍ରଦ୍ୱାରା ଆପଣଙ୍କୁ ସମ୍ବାଦ ଦେଲୁଁ । ଇତି–ଲେଖା ଶେଷହେବା ପରେ ନାହାକ ଉଚ୍ଚ ସ୍ୱରରେ ପଢ଼ିଗଲେ । ଉପସ୍ଥିତ ବ୍ୟକ୍ତିମାନେ ଶୁଣି ଠିକ୍‌ ହେଲାବୋଲି ମତ ଦେବା ମାତ୍ରେ ସେ ତାଳପତ୍ର ଖଣ୍ଡିକରେ ହଳଦି ବୋଳା ହୋଇ ଗ୍ରହଚକ୍ର ଉପରେ ରଖାଗଲା ଓ ଦୂବ ବରକୋଳିପତ୍ର ଦିଆଯାଇ ଛେନାଗୁଡ଼ ଭୋଗ ପରେ ଲେଖକଙ୍କ ହାତରୁ ଯାଇ କନ୍ୟାପିତାଙ୍କ ହସ୍ତଗତ ହେଲା । ଗୋଟିଏ ନୂଆ ବେତପେଡ଼ି ମଧ୍ୟରେ ହଳଦିଗୁଣ୍ଡା, ଗୁଆ, ନଡ଼ିଆ, ମହାପ୍ରସାଦ, ଗୋଟିଏ ରୂପାଗିନାରେ ସିନ୍ଦୁର, ଆଉ ଗୋଟିକରେ ଚନ୍ଦନ, ଗୋଟିଏ ପାଟଯୋଡ଼, ତା’ ମଧ୍ୟରେ ସୁନାହାର ଗୋଟିଏ, ସୁନାମୁଦି ଗୋଟିଏ ଏବଂ ସ୍ୱୀକାରପତ୍ର ଖଣ୍ଡିକ ବିଧିମତେ ସଜା ଯାଇ ରଖାଗଲା । ପୁରୋହିତ ଓ ଜ୍ୟୋତିଷ ବେଶ ହୋଇ ଆସିଲେ, ବାରିକ ପହଞ୍ଚିଲା, ହୁଳହୁଳି ପଡ଼ିଲା, ନାହାକ ମଙ୍ଗଳାଷ୍ଟକ ପଢ଼ି ପଢ଼ି ପୁରୋହିତଙ୍କ ପଛେ ପଛେ ଓ ବାରିକ ପେଡ଼ିଧରି ଆଗେ ଆଗେ ଚାଲିଲେ । ବରଘର ଗ୍ରାମ ନିକଟବର୍ତ୍ତୀ ଏକ ଗ୍ରାମରୁ ବାଦ୍ୟକାର ପଞ୍ଝାଏ ସଙ୍ଗରେ ଗଲେ । ମଧ୍ୟସ୍ଥଦ୍ୱାରା ମଦନ ମହାନ୍ତି ଆଗରୁ ଖବର ପାଇଥିଲେ । ବାଦ୍ୟ-ଶବ୍ଦ ଶୁଣିବାମାତ୍ରେ ଘନଙ୍କ ମା ଭଣ୍ଡାରୁଣୀ ଦ୍ୱାରା ଦାଣ୍ଡ ଘରେ ପିଠୋଉରେ ପେଡ଼ିରହିବା ପାଇଁ ବଡ଼ ପଦ୍ମ ଗୋଟିଏ, କଳସ ପାଇଁ ଗୋଟିଏ ପଦ୍ମ କାଟି ଦେଲେ ଏବଂ ଦଧି ହାଣ୍ଡି ରଖି ଓ ମାଛ ଦୁଇ ଗୋଟି ଅନୁକୂଳ ପାଇଁ କାଟି ଦେଇ ବରୁଣ ପୂଜାର ଆୟୋଜନରେ ରହିଲେ । ସେମାନେ ଦ୍ୱାରସ୍ଥ ହେବାମାତ୍ରେ ହୁଳହୁଳି ଶବ୍ଦରେ ଘର କମ୍ପିଗଲା । ପେଡ଼ି ଯଥା ସ୍ଥାନରେ ରଖାହେବା ପାଇଁ ଯିବାବେଳେ ନାହାକ ମଙ୍ଗଳାଷ୍ଟକ ପଢ଼ୁଥାନ୍ତି । ପୁରୋହିତ ପୀଢ଼ାଉପରେ ବସି ବରୁଣ ପୂଜାକଲେ । ନାହାକ ସ୍ୱୀକାରପତ୍ର ପାଠକଲେ । ପାଟ, ସୁନାହାର ଓ ମୁଦି ପୁରୋହିତ ମନ୍ତ୍ରି ଦେଲେ । ଅନ୍ୟ ଉପକରଣସବୁ ଗୃହମଧ୍ୟକୁ ନିଆଗଲା । ରାତ୍ରିରେ ସେମାନଙ୍କର ଯଥାବିଧି ଚର୍ଚ୍ଚା ହେଲା । ପରଦିନ ସକାଳୁ ବିଦାକି ସହ ସେମାନେ ଫେରିଲେ । ଉକ୍ତ ସ୍ୱୀକାର ପତ୍ରର ଉତ୍ତରରେ ଯୋଖ (ଅଳଙ୍କାର କଣ୍ଟ, ଅର୍ଥାତ୍‌ ତାଳପତ୍ର ଦ୍ୱାରା କନ୍ୟାର ଖଡ଼ୁ, ପାହୁଡ଼, ତାଡ଼ ଓ ଚାପସରିମାଳ ପ୍ରଭୃତିର କଣ୍ଟ ଅଣାଗଲେ ତଦନୁସାରେ ବରଘର ଅଳଙ୍କାର ପ୍ରସ୍ତୁତ କରିନିଏ) ପାଇଁ ବରଘର ତରଫରୁ ସ୍ୱୀକାରପତ୍ର ଯିବାର ଦିନ ନିକଟ ହେଲା । ପୂର୍ବୋକ୍ତ ବିଧି ଅନୁସାରେ ସ୍ୱୀକାର ପତ୍ରଲେଖା ଯାଇ ଅନ୍ୟାନ୍ୟ ଉପକରଣମାନ ପେଡ଼ିରେ ସାଇତାଗଲା । କେବଳ ପାଟ ପରିବର୍ତ୍ତରେ ଶାଢ଼ୀ ଓ ମୁଦି ପରିବର୍ତ୍ତରେ ଚିତାକିମ୍ୱା ମଥାମଣି ଦିଆଯାଏ । ବରଘର ପୁରୋହିତ, ନାହାକ ଓ ବାରିକ ପେଡ଼ିସହ କନ୍ୟାଘରକୁ ପ୍ରସ୍ଥାନ କଲେ । ବରଘର ଯେପରି କନ୍ୟାଘର ପୁରୋହିତ ପ୍ରଭୃତିଙ୍କୁ ବିଦାକି ଦେଇଥିଲେ, କନ୍ୟାଘର ବି ସେହିପରି ବିଦାକି ଦେଲେ ।

 

ଉଭୟ ପକ୍ଷ ବର୍ତ୍ତମାନ ବିବାହର ବନ୍ଦୋବସ୍ତରେ ରହିଲେ । ଘନ ଆଉ ବିଦେଶରେ ଅଳଙ୍କାର କରାଇଲେ ନାହିଁ । ନିଜଘରେ ବଣିଆ ବସାଇ ପିତା ଓ ବୋଉଙ୍କ ବରାଦମତେ ଅଳଙ୍କାରମାନ କରାଇଲେ । ଯାହାହୋଇ ନ ପାରିବ, ସେସବୁ ଅନ୍ୟ ଘରୁ ମାଗିଆଣି ଉଜ୍ଜ୍ୱଳ କରି ରଖିଲେ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

‘‘ବ୍ରାହ୍ମଣ ବଢ଼ିଲେ ଇଡ଼ଇ ଘିଅ, କ୍ଷତ୍ରିୟ ବଢ଼ିଲେ ପୂଜଇ ଦିଅଁ । କରଣ ବଢ଼ିଲେ ବିଦ୍ୟାଗରିମା, କୃଷକ ବତାଏ ଖଳାର ସୀମା ।’’ ଏ କଥା ପ୍ରଥମେ ଉତ୍କଳର ଜନଶ୍ରୁତି ରଟୁଥିଲା । ଏ ଚାରିଜାତି ଓଡ଼ିଶାରେ ଦେଖା ଦେବା ପୂର୍ବରୁ ସେମାନଙ୍କ କାର୍ଯ୍ୟକାପ ସ୍ମୃତିଶାସ୍ତ୍ରାଦିରେ ବିଶଦ ଭାବରେ ଲେଖାଅଛି । ଆଜକୁ ପ୍ରାୟ ଦେଢ଼ହଜାରବର୍ଷ ପୂର୍ବେ ଯେତେବେଳେ ସେମାନେ ପ୍ରଥମେ ଯାଜପୁର ଅଞ୍ଚଳରେ ବାସକରି, ସେଠାରୁ କ୍ରମଶଃ ଏକ ଦିଗରେ ଗୋଦାବରୀ ଓ ଅନ୍ୟ ଦିଗରେ ତ୍ରିବେଣୀ (ପ୍ରତାପରୁଦ୍ର ଘାଟ) ପର୍ଯ୍ୟନ୍ତ ପ୍ରାୟ ପାଞ୍ଚଶତ ବର୍ଷ ମଧ୍ୟରେ ବ୍ୟାପିଲେ, ସେହି ସମୟରେ ଉକ୍ତ ପ୍ରବାଦର ସୃଷ୍ଟି ହୋଇଥିଲା । ବ୍ରାହ୍ମଣ ବଢ଼ିଲେ ବେଶ ହୋମ କରେ । ଏଠାରେ ବଢ଼ିବାର ଅର୍ଥ ବେଶିଧନ ହେବା ବୁଝିବାକୁ ହେବ ନାହିଁ–ଯୋଗ୍ୟ ପଣିଆର ବୁଦ୍ଧି ବୋଲିବାକୁ ହେବ । ଯେତେବେଳେ ବ୍ରାହ୍ମଣ ଦେଖିଲା ଯେ, ତା’ କଥାରେ ସମସ୍ତେ ଚଳୁଅଛନ୍ତି, ତାକୁ ପେଟଚିନ୍ତା ମଧ୍ୟ କରିବାକୁ ପଡ଼ୁ ନାହିଁ–ଅନ୍ୟମାନେ ତାହାର ଅଭାବ ଅଯାଚିତ ଭାବରେ ପୂରଣକରି ଦେଉଅଛନ୍ତି, ସେତେବେଳେ ସେ ଯଜ୍ଞାନୁଷ୍ଠାନରେ ଲିପ୍ତ ହେଲା । କ୍ଷତ୍ରିୟର ଯୋଗ୍ୟପଣିଆ ବଢ଼ିଲେ ସେ ବେଶି ଦିଅଁ ପୂଜାକରେ । ଦିଅଁ ପୂଜା ଅର୍ଥରେ ସନାତନ ଧର୍ମରକ୍ଷା ଓ ସେଥିପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବାକୁ ବୁଝିବାକୁ ହେବ । ଏହା ସଙ୍ଗେ ସଙ୍ଗେ ରାଜାନୁଗତ ଧର୍ମ କଥା ମଧ୍ୟ ଅଛି । କାରଣଯୋଗ୍ୟ ହେଲେ ବିଦ୍ୟା ଗରିମା ବଢ଼ାନ୍ତି । ଏଠାରେ କାବ୍ୟ, ନାଟକ, ଅଳଙ୍କାର, ନ୍ୟାୟଶାସ୍ତ୍ର ଓ ବ୍ୟାକରଣ ଇତ୍ୟାଦି ମୁଖସ୍ଥ କରି କୁଣ୍ଡଳ ଝାଡ଼ିବାକୁ ବିଦ୍ୟାଗରିମା ବୋଲି ବୁଝିବାକୁ ହେବ ନାହିଁ । ବିଦ୍ୟା ଅର୍ଥାତ୍‌ କଳାବିଦ୍ୟା କିମ୍ୱା ଅର୍ଥନୀତି ବୁଝିବାକୁ ହେବ–ଯେଉଁ ବିଦ୍ୟାଦ୍ୱାରା ଅର୍ଥାର୍ଜନର ପ୍ରସାର ବଢ଼େ । କୃଷକଯୋଗ୍ୟ ହେଲେ ନାନା ପ୍ରକାର ଫସଲ କରି ଖଳାର ଆୟତନ ବଢ଼ାଏ । କ୍ରମଶଃ ବ୍ରାହ୍ମଣ ସ୍ଥାୟୀବୃତ୍ତି ସ୍ୱରୂପ ନିଷ୍କରଜମି ପାଇଲା । ତାହାର ତତ୍ତ୍ୱାବଧାନ ପାଇଁ ସେ ନିଜେ ଦାୟୀ । ସୁତରାଂ ତା’ର ଧନବୃଦ୍ଧି ଆଡ଼କୁ ମନ ଗଲା, ତହିଁରୁ ଜନ୍ମିଲା ପୁଣି ବିଳାସ ବାସନା । କ୍ଷତ୍ରିୟ ସେହିପରି ଧନ ଓ ପଣ ପାଇ ଦିନକୁ ଦିନ ବିଳାସୀ ହେଲା । କରଣ କ୍ଷତ୍ରିୟର ଅନୁକରଣ କଲା । କୃଷକ ବିଚରା ଆୟଦ୍ୱାରା ନିଜର ବିଳାସ ବାସନା ପୂର୍ଣ୍ଣ କରିବାକୁ ଲାଗିଲା । ଘଟଣା କାଳଚକ୍ରରେ ଅନ୍ତର୍ହିତ ହୋଇଯାଏ, ମାତ୍ର ଜନସମାଜରେ ପ୍ରବାଦ ରହିଯାଏ । ଏହା ଏକପ୍ରକାର ଅତୀତ ଇତିହାସର ଟିପ୍ପଣୀରୂପେ କାର୍ଯ୍ୟକରେ । ଆଉ ବ୍ରାହ୍ମଣର ଯଜ୍ଞାନୁଷ୍ଠାନ ନାହିଁ । କେବଳ ଯାଜପୁର ଅନ୍ତଃପାତୀ ପିତେଇପୁର ଅଗ୍ନିହୋତ୍ରିଙ୍କ ଗୃହରେ ଯାଗାଗ୍ନି ବର୍ତ୍ତମାନ ଅକ୍ଷୁର୍ଣ୍ଣ ଭାବରେ ରହିଅଛି । କ୍ଷତ୍ରିୟର ଧର୍ମରକ୍ଷା ଓ ଧର୍ମପ୍ରତି ଲୋକଙ୍କୁ ଆକର୍ଷଣ କରିବା କର୍ତ୍ତବ୍ୟ ପୁରୀ-ଶ୍ରୀମନ୍ଦିର, ଭୁବନେଶ୍ୱର ମନ୍ଦିର ଓ ଯାଜପୁରସ୍ଥ କୀର୍ତ୍ତିମାନଙ୍କଦ୍ୱାରା ଉଜ୍ଜ୍ୱଳରୂପେ ପ୍ରମାଣିତ ହେଉଅଛି ।

 

କାଳ ପରିବର୍ତ୍ତନଶୀଳ । ଯେତେବଳେ ଯେପରି କାର୍ଯ୍ୟ ସେତେବେଳେ ତଦନୁସାରେ ସମାଲୋଚକ ବାହାରନ୍ତି । ଉତ୍କଳର ମଧ୍ୟ ଯୁଗର ଜନସମାଜ ଅନ୍ୟ ପ୍ରକାର ପ୍ରବାଦ ଘଟିଲା । ଯଥା–:‘‘ବ୍ରାହ୍ମଣ ବଢ଼ିଲେ ବଢ଼ାଏ ପେଟ, କ୍ଷତ୍ରିୟ ବଢ଼ିଲେ ତକିଆ ମୋଟ । କରଣ ବଢ଼ିଲେ ବଢ଼ଇ ପିନ୍ଧା, କୃଷକ ବଢ଼ିଲେ ବଢ଼ଇଧନ୍ଦା ।’’ ବ୍ରାହ୍ମଣ ବ୍ରହ୍ମ ରନ୍ଧ୍ରରୁ ମଧୁପାନକୁ ମଦ୍ୟ, ଜିହ୍ୱାର ଶାସନକୁ ମାଂସ, ପ୍ରାଣାୟାମକୁ ମତ୍ସ୍ୟ, ଅନାହତ ଧ୍ୱନି ଶ୍ରବଣକୁ ମୁଦ୍ରା ଏବଂ ଆତ୍ମାସଙ୍ଗରେ ପରମାତ୍ମାର ମିଳନକୁ ମୈଥୁନ କହୁଥିଲା । ଏହି ପଞ୍ଚମକାର ସାଧନାକୁ ସେ ଏକପ୍ରକାର ଶାନ୍ତି ମନେକରୁଥିଲା । ଯେଉଁବ୍ରାହ୍ମଣ ଅଧିକ ବୃତ୍ତିଧାରୀ ହୋଇ ବ୍ରାହ୍ମଣଜାତିର ମେରିସ୍ୱରୂପ ସମାଜର ପୃଷ୍ଠପୋଷକ ହେଲା, ସେକାଳର ଗତିରେ ପଞ୍ଚମ କାରର ମଦ୍ୟସ୍ଥଳରେ ସୁରା, ମାଂସସ୍ଥଳରେ ମେଣ୍ଢା ଓ ଛାଗ ବିଳଦାନ, ମତ୍ସ୍ୟ ସ୍ଥଳରେ ସମୁଦ୍ର ଓ ନଦୀର ଖଙ୍ଗା, ଭେକଟା ଓ ରୋହି ଭାକୁଡ଼ରୁ ଆରମ୍ଭ କରି ନାନା ଆବର୍ଜନାପୂର୍ଣ୍ଣ ଖାଲ, ଗୋହିରୀରେ ଥିବା କରାଣ୍ଡି ଓ ଗଡ଼ିଶାଙ୍କର ଶ୍ୱାସରୋଧ, ମୁଦ୍ରା ଅର୍ଥାତ୍‌ ଅନାହତ ଧ୍ୱନି ଶ୍ରବଣ ସ୍ଥଳରେ ଘିଅ କରେଇରେ ନିର୍ମିତ ନାନାପ୍ରକାର ପିଠାର କଡ଼କଡ଼ ଶବ୍ଦ ଏବଂ ବ୍ରହ୍ମ ରନ୍ଧ୍ରରୁ ସ୍ରବୁଥିବା ମଧୁଧାରା ସଙ୍ଗେ କୁଣ୍ଡଳିନୀ ମୁଖଯୋଗ ଜାତ ମୈଥୁନ ସ୍ଥଳରେ ସୁରାସଙ୍ଗେ ବିଜୟା ଅର୍ଥାତ୍‌ ଗଞ୍ଜେଇ ଦଳା ଆରୋପ କରି ବୈଷ୍ଣବୀଚକ୍ର ପ୍ରବର୍ତ୍ତାଇ ନିଜର ପେଟ ବଢ଼ାଇ, ଶେଷରେ ପଶୁବୃତ୍ତିର ବଶବର୍ତ୍ତୀ ହେଲା । କ୍ଷତ୍ରିୟ ଅପସର ଆଉଜି ବସିଲା । କରଣ ଅନୁକରଣ ପ୍ରିୟ ହୋଇ ପୋଷାକ ଛଟା ବଢ଼ାଇଲା । କୃଷକ ମଧ୍ୟରୁ ଯାହା ପାଖରେ ମୁଠାଏ ବଳିଲା, ସେ ଖଣ୍ଡେ ପଖାଉଜ ଏବଂ ଯୋଡ଼ାକେତେ ଗିନି ରଖି ଜଣକେତେ ସଙ୍ଗୀ ଓ ଗୋଟାକେତେ ଟୋକାଧରି ‘ତାଧିନ୍ଦା’ରେ ମତ୍ତହେଲା । ଏହିପରି ପ୍ରତ୍ୟେକେ ନିଜ ନିଜ ପଥ ଛାଡ଼ି ‘ନୋନୀରଂ ନୋତୀରଂ’ ହେବାକୁ ଲାଗିଲେ । ବ୍ରାହ୍ମଣଙ୍କ ମଧ୍ୟରୁ ଜଣକେତେ ମୁଖିଆଲୋକ ପଞ୍ଚମ କାରରେ ମାତିଲେ, ମାତ୍ର ସାଧାରଣ ବ୍ରାହ୍ମଣ ଜାତି ଭାବିଲା–ଆରେ, ଜୀବନ ଯାଉ, ମାନ ରହୁ, ହିନ୍ଦୁ ଧର୍ମର ଅସ୍ତିତ୍ୱ ରହୁ, କୁଳାଚାର ରହୁ । ଏଣୁ ସେ ସକଳ ପରିବର୍ତ୍ତନ ବିରୁଦ୍ଧରେ ଦଣ୍ଡାୟମାନ ହୋଇ ସମସ୍ତ ଜାତିର ଅପ୍ରିୟ ହେଲା । ସ୍ଥାୟୀବୃତ୍ତି ପାଇବା ଦୂରେ ଥାଉ, ବେଳେ ବି ମୁଠାଏ କେହି ଯାଚି ଦେଲେ ନାହିଁ । କ’ଣ କରିବ, ‘ଶରୀରମାଦ୍ୟଂ ଖଳୁଧର୍ମ ସାଧନଂ’ ଭାବି ବ୍ରାହ୍ମଣ ପେଟ ଚିନ୍ତାରେ ଅସ୍ଥିର ହେଲା । ତେଣୁ, ପୂର୍ବ ଅଭ୍ୟାସବଶତଃ ଦୈହିକ ପରିଶ୍ରମଦ୍ୱାରା ଉଦର ପୂର୍ତ୍ତିକରି ନ ପାରି ପରଠାରୁ ଆଣି ଖାଇବାକୁ ନିଜର ବୃତ୍ତିମନେ କଲା–ଏଥିରେ ପୁଣି ‘ଋଣଂକୃତ୍ୱାଘୃତଂ ପିବେତ୍‌’ କଥା ଛାଡ଼ିବାକୁ କୁଣ୍ଠିତ । ସ୍ଥାୟୀବୃତ୍ତି ଯାହା, ତାହା ବଂଶବୃଦ୍ଧି ସଙ୍ଗେ ସଙ୍ଗେ ଅନଟନ ହେଲା । ଶେଷରେ ଯେ କୌଣସି ଉପାୟରେ କାହାକୁ ଇନ୍ଦ୍ର, କାହାକୁ କର୍ଣ୍ଣ, କାହାକୁ ଚନ୍ଦ୍ର ଓ କାହାକୁ ସୂର୍ଯ୍ୟ ସଙ୍ଗେ ତୁଳନାକରି ଦି’ ପଇସା ପାଇଲା; କିମ୍ୱା ହୋମ ଘିଅରୁ ଟିକିଏ, ଠାକୁର ଭୋଗରୁ ମେଞ୍ଚାଏ ଆତ୍ମସାତ୍‌ କରିବାକୁ ବାଧ୍ୟ ହେଲା । ତଥାପି ସମ୍ଭାଳି ନ ପାରି ନିଜଗୁରୁ ଅଗ୍ନିଙ୍କ ଆଶ୍ରୟ ଗ୍ରହଣ କରି ବାବୁମାନଙ୍କ ଗୃହିଣୀଙ୍କୁ ବିଛଣାରେ ବସାଇ ପାକଶାଳାର ଭାରବହନ କଲା । କେହି କାହାକୁ ବଡ଼ କରିପାରେ ନାହିଁ । ଲୋକ ନିଜ କାର୍ଯ୍ୟବଳରେ ନିଜେ ବଡ଼ହୁଏ । ବ୍ରାହ୍ମଣକୁ କେହି ବଡ଼ କରିନାହିଁ । ସେ ନିଜ କାର୍ଯ୍ୟରେ ବଡ଼ ହୋଇଅଛି । ତାହାଠାରେ ସକଳ କାର୍ଯ୍ୟ କରିବାର ଶକ୍ତି ନିହିତ ଅଛି । ଯୁଗଯୁଗାନ୍ତରରୁ ସେ ଯେଉଁ କାର୍ଯ୍ୟର ଅଭାବ ଦେଖୁଅଛି, ତାହା ନିଜେ କରି ଅପରକୁ କରାଉଅଛି । ପୁନରାୟ ସମୟ ଆସୁଅଛି, ବ୍ରାହ୍ମଣ କୃଷି, ଅର୍ଥନୀତି ଓ ଧର୍ମ ରକ୍ଷାରେ ମଧ୍ୟ ଆଦର୍ଶ ଦେଖାଇବ । ହିନ୍ଦୁଧର୍ମର ମହତ୍ତ୍ୱ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବ୍ରାହ୍ମଣର ଶ୍ରେଷ୍ଠତ୍ୱ ମଧ୍ୟ ବୃଦ୍ଧି ପାଉଥିବ ।

 

କରଣ ଭୂସ୍ୱାମିମାନଙ୍କ ଅଧୀନରେ ରହି ନାନାବିଭାଗରେ କାର୍ଯ୍ୟକରି ଅସ୍ଥାୟୀ ବୃତ୍ତିଦ୍ୱାରା ଜୀବନ ଯାପନ କରି ଆସୁଥିଲା । କାର୍ଯ୍ୟ ନ କରି ଘରେ ବସିଲେ ତାର ଜୀବନଯାତ୍ରା ଚଳୁ ନ ଥିଲା । ଯେଉଁମାନଙ୍କର ସ୍ଥାୟୀ ଆୟ ଅଛି, ସେମାନଙ୍କ ନିକଟରେ ସେ ରହି ନିତ୍ୟନୈମିତ୍ତିକ କାର୍ଯ୍ୟମାନଙ୍କରେ ସେମାନଙ୍କ ଆଡ଼ମ୍ୱରପୂର୍ଣ୍ଣ ସିଦ୍ଧିମାନ ଅନୁକରଣ କରିବାକୁ ଲାଗିଲା । ତାହା ମଧ୍ୟରେ ବିବାହ ଆଡ଼ମ୍ୱର ପ୍ରଧାନ । ମାତ୍ର ନିଜ ଆୟର ହ୍ରାସ ସମୟରେ ଉକ୍ତ ଆଡ଼ମ୍ୱରଟିର ହ୍ରାସ ହୋଇ ପାରିଲା ନାହିଁ । ଏକା କରଣ କାହିଁକି, ଅନ୍ୟମାନେ ମଧ୍ୟ ଦି’ ପଇସା ରୋଜଗାର ହେବାମାତ୍ରେ ନିଜର ଖର୍ଚ୍ଚ, କାର୍ଯ୍ୟ, ନିମିତ୍ତ, ଗୃହ ଓ ପୋଷାକର ଆଡ଼ମ୍ୱର ବଢ଼ାଇ ଦିଅନ୍ତି । ଯେତେବେଳେ ରୋଜଗାର ବନ୍ଦ ହୁଏ, ସେତେବେଳେ ଆଡ଼ମ୍ୱରପୂର୍ଣ୍ଣ ଖର୍ଚ୍ଚରୁ ସେମାନେ ନିବୃତ୍ତ ହୋଇପାରନ୍ତି ନାହିଁ । ଆଜିକାଲି ଜଗତରେ ଅନେକେ ଏପରି ଅପରିଣାମଦର୍ଶିତାର ପରିଚୟ ଦେଖାଇଥାନ୍ତି, ମାତ୍ର କରଣଜାତିର ଆଡ଼ମ୍ୱରର ମାତ୍ରା ଅନ୍ୟାନ୍ୟଙ୍କ ତୁଳନାରେ ଟିକିଏ ବେଶି । ବିବାହର ଆଡ଼ମ୍ୱର ଯୋଗେ ଅନେକ କରଣ ନିଃସ୍ୱ ହେଉ ଅଛନ୍ତି; ଅର୍ଥାଭାବ ଯୋଗେ କେତେ ଗରିବ କରଣ ନିଜ କନ୍ୟାମାନଙ୍କୁ ଯଥା ସମୟରେ ବିବାହ ଦେଇ ନ ପାରିବାରୁ ସେମାନେ ଯୌବନ ସମୟଟି ପିତୃଗୃହରେ କଟାଇବାକୁ ବାଧ୍ୟ ହୋଇ ଅଶାନ୍ତି ଭୋଗ କରୁଅଛନ୍ତି । ଆଜିକାଲି ବ୍ରାହ୍ମଣଜାତି ସବୁ ଅନିଷ୍ଟର ମୂଳକାରଣ ବୋଲି ଲୋକେ ହୁରି ପକାଇ ଅଛନ୍ତି ସତ୍ୟ, ମାତ୍ର ଏ ବିବାହ-ଆଡ଼ମ୍ୱରଜନିତ ଅନିଷ୍ଟ ପାଇଁ ଦାୟୀକିଏ ?

 

ଘନଙ୍କର ବିବାହ ଦିନ ଉପସ୍ଥିତ ହେଲା । ପାଲିଙ୍କି, ସବାରି, ଘୋଡ଼ା, ଗଉଡ଼, ଅଳଙ୍କାର, ରୋଷଣି ପ୍ରଭୃତି ସକଳ ବିଷୟର ଆୟୋଜନରେ ସାନ୍ତବାପାଙ୍କୁ ପଚାରି କାର୍ଯ୍ୟ କରିବାକୁ ହେଲା । କୌଣସି ବିଷୟରେ ଟିକିଏ ନ ପଚାରିଲେ ତାଙ୍କ ଅଭିମାନର ଏବଂ ଘନଙ୍କର ତାଙ୍କୁ ତୋଷାମଦର ସୀମା ରହେନାହିଁ । ମଦନ ମହାନ୍ତି କାହାକୁ ଟେକାଟେକି କରି ଦିପଦ କହି ପାରନ୍ତି ନାହିଁ–ଖାଲରେ ପଡ଼ୁ, ଢିପରେ ପଡ଼ୁ, ସେ ସଫା କଥା କହି ଦିଅନ୍ତି । ଏଣୁ ଘନ ନିଜେ ଓ ତାଙ୍କ ମାମୁ ସକଳ ବିଷୟର ଆୟୋଜନ କରୁଥାନ୍ତି । ଘନ ଓ ତାଙ୍କ ପିତାଙ୍କୁ ଛାଡ଼ି ଦଶ ସାମନ୍ତ ବରଯାତ୍ରୀ ହୋଇଯିବେ-। ପୁରୋହିତଙ୍କ ସହିତ ଏଗାର ଓ ବର ଓ ବରପିତା ଏପରି ତେରଜଣଙ୍କ ପାଇଁ ଯାନବାହନର ଆୟୋଜନ ହେଲା । ଅନ୍ୟାନ୍ୟ ସମସ୍ତ ବିଷୟ ବନ୍ଦୋବସ୍ତ କରି ବିବାହର ପୂର୍ବ ଦିନ ସନ୍ଧ୍ୟା ଗଡ଼ିଗଲା ପର୍ଯ୍ୟନ୍ତ ବରଧରାଙ୍କୁ ସମସ୍ତେ ଅପେକ୍ଷା କରିଥାନ୍ତି । ବରଧରା ପହଞ୍ଚିବାର ବିଳମ୍ୱ ଦେଖି ସମସ୍ତେ ସାତପାଞ୍ଚ ଭାବିଲେ–ଦୂରବାଟ, ପ୍ରାୟ ବାରକ୍ରୋଶ ହେବ; ପ୍ରାୟ ଦୁଇଶତ ଲୋକ ସାଜସଜ୍ଜା ସହକନ୍ୟା ଘରେ ପହଞ୍ଚିଲାବେଳକୁ ଅର୍ଦ୍ଧରାତ୍ର ଗଡ଼ିଯିବ । ଏପରି ଭାବୁ ଭାବୁ ବରଧରା ଆସି ପହଞ୍ଚିଗଲେ । ଯଥା ସମାରୋହରେ ବର ବରଣ କାର୍ଯ୍ୟ ଶେଷହେଲା ପରେ ଭୋଜନର ଆୟୋଜନ ହେଲା । ସମସ୍ତେ ଖାଇ ସାରିଲାବେଳକୁ ରାତି ଅଧ ହୋଇଗଲା । ପରଦିନ ଅଧବାଟରେ ରୋଷାଇ ପାଇଁ ଜିନିଷପତ୍ର ଓ ଲୋକ ସେହି ରାତି ମଧ୍ୟରେ ଚାଲିଗଲେ । ରୋଷଣି ଜିନିଷମାନ ଆଗରେ ପଠାଇଦେଇ ଅବଶିଷ୍ଟ ସମୟଟିକ ଘନ ମାମୁ ବିଶ୍ରାମ ନେଲେ । ଘନ ବୋଉଙ୍କୁ ଆଉ ବିଶ୍ରାମ ପାଇଁ ସମୟ ମିଳିଲା ନାହିଁ । ସେ ଦିଅଁମଙ୍ଗୁଳିବା ପାଇଁ ବ୍ୟସ୍ତ । ପ୍ରଥମେ ଗ୍ରାମଦେବତାଙ୍କୁ ପୂଜାକରି, ତାଙ୍କ ସ୍ନାନୋଦକ ଆଣି ତହିଁରେ କାଉ’କା’ ନ କରୁଣୁ ବରଘରେ ବରକୁ ଓ କନ୍ୟାଘରେ କନ୍ୟାକୁ ସ୍ନାନ କରିବାକୁ ହୁଏ । ଏହି ପାଣିକୁ ଚୋରି ପାଣି ଏବଂ ଏ ସ୍ନାନକୁ ବାଡ଼ୁଅ ସ୍ନାନ ବା କୋଇଲି ବୁଡ଼ ବୋଲାଯାଏ । ଏହା ବିବାହର ପ୍ରଧାନ ଅନୁକୂଳ । ଏହାକଲା ପରେ ଦୈବାତ୍‌ ବିବାହ ରହିତହେଲେ ବର ଓ କନ୍ୟାମାରା ହୋଇଯାନ୍ତି । ଏଥିପାଇଁ ବରଧରା ଲୋକଙ୍କୁ ନ ଦେଖିଲେ ବରର ଅନୁକୂଳ କାର୍ଯ୍ୟହୁଏ ନାହିଁ ଏବଂ ବର ନ ପହଞ୍ଚିଲେ କନ୍ୟାର ମଧ୍ୟ ତାହା ହୁଏ ନାହିଁ । ଭଣ୍ଡାରୁଣୀ ଦିଅଁମଙ୍ଗୁଳା ପାଇଁ ନୂଆକୁଲାରେ ହଳଦିଆ ଲୁଗା, ଫୁଲ, ଚନ୍ଦନ ଓ ଭୋଗ ପ୍ରଭୃତି ଧରି ବାହାରିଲାବେଳେ ଆଗେ ଆଗେ ବାଜାବାଲା ପଞ୍ଝାଏ ଚାଲନ୍ତି । ଭଣ୍ଡାରୁଣୀ ଏସବୁ ପଦାର୍ଥ ନେଇ ଘରୁ ବାହାରିଲାବେଳକୁ ହୁଳହୁଳି ଶବ୍ଦ କମ୍ପିଉଠିଲା । ହୁଳହୁଳି ଶବ୍ଦ ଶୁଣି ମହୁରିଆ ‘ପେଁପେଁ’ କରି ଉଠିଲା । ଘନଙ୍କ ମାମୁଁଙ୍କର ନିଦ ଭାଙ୍ଗିଗଲା । ପୂର୍ବରୁ ନାହାକ କହି ଯାଇଥାଏ ଯେ, କାଲି ସୋମବାର ଦୁଇଘଡ଼ି ଅତୀତ ହେଲେ ଶନିଙ୍କ ବେଳା ହୋଇଯିବ । ସୁତରାଂ ଦୁଇଘଡ଼ି ମଧ୍ୟରେ ଚନ୍ଦ୍ରଙ୍କ ବେଳରେ ଅନୁକୂଳ କରି ବର ବାହାରିବାର କଥା । ଘନମାମୁ ଆଉ ସମସ୍ତଙ୍କୁ ଉଠାଇ ପୁରୋହିତ, ନାହାକ, ଗଉଡ଼, ବାରିକ, କାଉର ପ୍ରଭୃତି ସମସ୍ତଙ୍କୁ ଡକାଇଲେ, ବନ୍ଧୁ ଓ ଭାଇମାନଙ୍କୁ ସଜହୋଇ ଆସିବାକୁ ଖବର ଦେଲେ । ଦିଅଁମଙ୍ଗୁଳାରୁ ଫେରିବା ବାଜା ଶୁଣି ଘନଙ୍କୁ ତାଙ୍କ ବୋଉ ଉଠାଇ ଦେଇ ଶୀଘ୍ର ନିତ୍ୟକର୍ମ ଶେଷ କରିବାକୁ କହିଦେଲେ । ସେ ନିତ୍ୟକର୍ମ ଶେଷ କରିବାମାତ୍ରେ ବାଡ଼ୁଅ ସ୍ନାନ ବା କୋଇଲିବୁଡ଼ ପାଇଁ ତାଙ୍କୁ ଡାକରା ପଡ଼ିଲା । ବାରିକ ହଳଦିରେ ଘିଅ ମିଶାଇ, ଘନଙ୍କ କପାଳରେ ଟିକିଏ ମାରିଦେଇ, ହାତରୁ ଆରମ୍ଭ କରି ସମସ୍ତଶରୀରରେ ଲଗାଇ ଦେଇ ମର୍ଦ୍ଦନ କରିବାରେ ଲାଗିଗଲା । ଆଜିକାଲି ସମୟର ବର ହୋଇଥିଲେ ହଳଦି ଦେଖି ନାକଡିଆଁଇ ଥାନ୍ତେ, ମାତ୍ର ସେତେବେଳେ ହଳଦି ପ୍ରତିଏ ତେଘୃଣା ହେଉ ନଥିଲା । ପୁରୁଷମାନେ ସମୟ ସମୟରେ ରାତିରେ ହଳଦି ଲଗାଇ ଶୋଉଥିଲେ । ସେତେବେଳେ ସାବୁନର ରାତିରେ ହଳଦି ଲଗାଇ ଶୋଉଥିଲେ । ସେତେବେଳେ ସାବୁନର ପ୍ରଚଳନ ନ ଥିଲା; ଏଣୁ ହଳଦି ତା’ର କାର୍ଯ୍ୟ କରୁଥିଲା । ଭେଣ୍ଡିପତ୍ର, କଞ୍ଚା ଦୁଧ, ବନ ବାଖଳିମାଟି, ଓଉନାଳ ଓ ମୁଗବଟା ପ୍ରଭୃତି ଲଗାଇ ଲୋକେ ମୁଣ୍ଡବାଳର ତେଲଚିକିଟା ସଫା କରୁଥିଲେ । ବାରିକ ହଳଦି ଲଗାଇ ଦେଇ ବାଡ଼ୁଅ ସ୍ନାନ ପାଇଁ ଘନଙ୍କୁ ପୀଢ଼ାଉପରେ ବସାଇଲାବେଳେ ହୁଳହୁଳି ପଡ଼ିଲା । ଦିଅଁମଙ୍ଗୁଳା ଜଳରେ ପ୍ରଥମେ ଘନଙ୍କୁ ସ୍ନାନ କରାଇ ପରେ ଅନ୍ୟ ଜଳରେ ସ୍ନାନ କରାଇ ଦେଲା । ଘନ ନୂଆ ହଳଦିଆ ଲୁଗା ପିନ୍ଧି ଘର ମଧ୍ୟରେ ଗାଲିଚା ଉପରେ ବସିଲେ । ବାରିକ ପାଲଟା ଲୁଗାଟି ଚିପୁଡ଼ି ନିଜ ପିଲାହାତରେ ଘରକୁ ପଠାଇ ଦେଲା, କାରଣ ସେ ଲୁଗାଟି ତାର ପ୍ରାପ୍ୟ । ଯଦି ସେ ଖଣ୍ଡ ଚିରା ଫଟା ହୋଇଥାଏ, ତେବେ ସେ ପରେ କେତେ ଲୋକଙ୍କୁ ଦେଖାଇ କେତେ ନିନ୍ଦାକରେ ।

 

ରାତି ପାହିଲା । ଘନଙ୍କୁ ବରବେଶ କରିବା ଓ ତାହା ଦେଖିବା ପାଇଁ ତାଙ୍କର ସଙ୍ଗୀ ଓ ଛୋଟ ପିଲାମାନେ ଜମା ହୋଇଗଲେ । ବାରିକ ଚନ୍ଦନପାଟି ଓ ସିନ୍ଦୁରକଲି ଘେନାଇ ଦେଲା । କେତେଲୋକ କେତେଥଟ୍ଟା ପରିହାସ କରୁଥାନ୍ତି । ମାତ୍ର ଘନ ମୁନିବୃତ୍ତି ଅବଲମ୍ୱନ କରି ବସିଥାନ୍ତି, ସମୟେ ସମୟେ ଟିକିଏ ଟିକିଏ କେବଳ ମୁରୁକି ହସା ଦେଉଥାନ୍ତି । ଆଜିକାଲି ବରବେଶ ଭିନ୍ନକାର ଧାରଣ କଲାଣି, ମାତ୍ର ସେତେବେଳେ ତାହା ପ୍ରାୟ ପାଲାବାଲାଙ୍କ ବେଶ ପରିଥିଲା । ବର ଜୋତା ପିନ୍ଧାହୋଇ ପାଗ ଭିଡ଼ାଗଲା । ଘନ ଦର୍ପଣଦ୍ୱାରା ଦେଖିଲେ । ତାଙ୍କ ମନକୁ କିନ୍ତୁ ପାଗବନ୍ଧା ଆସୁ ନ ଥାଏ । ତେଣୁ ସେ ଫିଟାଇ ଦେଉଥାନ୍ତି । ଚାରିଜଣ ଚାରିଥର ବାନ୍ଧିଲେ, ତଥାପି ତାଙ୍କ ମନ ବୋଧ ହେଲା ନାହିଁ । ଘନ ମାମୁ ସମସ୍ତ ବନ୍ଦୋବସ୍ତ କରି ବର ବାହାର କରିବାକୁ ଘର ଭିତରକୁ ଆସିଲାବେଳକୁ ଘନଙ୍କର ପାଗଫିଟା କଥା ଶୁଣି ନିଜେ ପାଗବାନ୍ଧି ଦେଲେ । ଘନଙ୍କମନକୁ ଆସୁ ବା ନ ଆସୁ ମାମୁ ଯେତେବେଳେ ବାନ୍ଧିଦେଲେ, ତାଙ୍କୁ ବାଧ୍ୟ ହୋଇ ତାହା ଗ୍ରହଣ କରିବାକୁ ପଡ଼ିଲା । ନାହାକ ଆସି ଦୁଆରେ ଡାକ ପକାଇଲା–ବେଳ ଗଡ଼ିଯିବ, ଶୀଘ୍ର ବାହାର । ଘନବୋଉ ନୂଆ ହଳଦିଆ ଶାଢ଼ୀ ପିନ୍ଧି ପଣନ୍ତ ମେଲାଇ ବସିଲେ । ଘନ ବୋଉଙ୍କ କାନିରେ ଗୁଆ, ଉଆଚାଉଳ ଆଞ୍ଜୁଳାଏ କୁଢ଼ାଇ ଦେଇ, ଆଉ ଆଞ୍ଜୁଳାଏ ହାତରେ ଧରି ବାହାରିଲେ-। ହୁଳହୁଳି ପଡ଼ିଲା । ନାହାକ ମଙ୍ଗଳାଷ୍ଟକ ପଢ଼ି ପଢ଼ି ଆଗରେ ଯାଉଥାଏ । ଆଗରୁ ପାଲିଙ୍କିରେ ଗାଲିଚା ବିଛଣା ପଡ଼ିଥିଲା । ଘନ ଯାଇ ପାଲିଙ୍କିରେ ବସିଲେ । ପାଲିଙ୍କି ଚାରି ପଟେ ଗାଁର ପିଲାମାନେ ଘେରି ଛିଡ଼ା ହୋଇଥାନ୍ତି । ପୁରୋହିତେ ସଜହୋଇ ସେଇ ଖଣ୍ଡକରେ ବସିଲେ । ତାଙ୍କ ସବାରି ଆଗରେ ବାହାରିଲା । ତା’ ପଛରେ ନାହାକ ଗୋଟାଏ ଘୋଡ଼ାରେ ଚଢ଼ି ବାହାରିଲେ-। ନାହାକ ପଛରେ ବର ପାଲିଙ୍କି, ତା’ ପଛରେ ଘନଙ୍କ ସାନ୍ତବାପା ପ୍ରଭୃତି ସାନ୍ତମାନଙ୍କର ପାଞ୍ଚଖଣ୍ଡ ସବାରି ବାହାରିଲା । ଆଉ ସାନ୍ତମାନେ ଘୋଡ଼ା ଗୋଟିଏ ଗୋଟିଏ ଚଢ଼ି ବାହାରିଲେ । ବାଦ୍ୟକାରମାନେ ମେଳିବାନ୍ଧି ବାଦ୍ୟ ଆରମ୍ଭ କରିଦେଇ ମଦଖିଆ ପାଇଁ ଅଳି ଲଗାଇଦେଲେ ।

 

ମଦଖିଆ ପଇସା ନ ପାଇବା ପର୍ଯ୍ୟନ୍ତ ସେମାନେ ଆଗମାଡ଼ୁ ନ ଥାନ୍ତି । ଗଉଡ଼ମାନେ ପାଲିଙ୍କିବନ୍ଧା ପାଗ ପାଇଁ ଖଣ୍ଡେ ନୂଆ ଚଦର ପାଇଥାନ୍ତି । ତାଙ୍କର ଆଉ ଅଳି ନଥାଏ । ବାଦ୍ୟକାର ମଦଖିଆ ପାଇ ଆନନ୍ଦରେ ବାଦ୍ୟ ବଜାଇ ନାନା ଗତିରେ ଯାତ୍ରାକଲେ । ଗଉଡ଼ମାନଙ୍କ ଡାକ, ଘୋଡ଼ାମାନଙ୍କର ରାବ ଓ ବାଦ୍ୟଧ୍ୱନି ପାଟଣାରେ କାହାରିକୁ ଘର ଭିତରେ ରଖାଇ ଦେଲା ନାହିଁ । ସମସ୍ତେ ବର ଓ ବରଯାତ୍ରୀ ଦେଖିବା ପାଇଁ ପଦାକୁ ବାହାରିଲେ । ବହୂ ଭୁଆଷୁଣୀ ପର୍ଯ୍ୟନ୍ତ ଦାଣ୍ଡ ଦୁଆର କବାଟ ଦର-ଆଉଜା କରି ଛିଡ଼ା ହୋଇଗଲେ । ପାଟଣାମଧ୍ୟକୁ ବରଯାତ୍ରୀ ଚାଲିଗଲାରୁ ଘନଙ୍କ ଦ୍ୱାର ନିଛାଟିଆ ବୋଧ ହେଲା । ପଟୁଆର ଘନ ମା ପ୍ରଭୃତିଙ୍କ ଦୃଷ୍ଟିର ଅନ୍ତର ହେବାରୁ ସେମାନେ ଘର ମଧ୍ୟକୁ ଯାଇ ନିଜ ନିଜକାର୍ଯ୍ୟରେଲାଗିଲେ । ଝିଅମାନେ ବସିବାଦ୍ୟକାର, ଘୋଡ଼ା ଓ ବେହେରାମାନଙ୍କଗତିଏବଂସବାରି, ପାଲିଙ୍କି, ବର ଓ ସାନ୍ତମାନଙ୍କ ବେଶଭୂଷା ବର୍ଣ୍ଣନ କରୁଥାନ୍ତି । ପଟୁଆରକ୍ରମେ ପାଟଣା ପାର ହୋଇ ବ୍ରାହ୍ମଣଶାସନ କଡ଼ ଦେଇ ଚାଲିଲା । ଦୁଇକ୍ରୋଶ ବାଟ ଚାଲିଲା ପରେ ବୁଢ଼ା ନଦୀ କୂଳରେ ପହଞ୍ଚିବାମାତ୍ରେ ଗଉଡ଼ମାନେ ସବାରି ଭିଡ଼ିଦେଇ କହିଲେ, ‘‘ଆମ୍ଭେମାନେ ସକାଳଖିଆ ଲୋକ, ନ ଖାଇଲେ ଆଉ ଚାଲିପାରିବୁ ନାହିଁ ।’’ ଘନ ମାମୁ ସଙ୍ଗରେ ଚୂଡ଼ାଭାର ସହିତ ଗୁଡ଼ ଦୁଇମାଠିଆ ନେଇଥାନ୍ତି । ନଦୀରେ ସମସ୍ତେ ସ୍ନାନ କରି ଚଟିରେ ପହଞ୍ଚିଲାବେଳକୁ ମୁଣ୍ଡଉପରେ ବେଳ ହୋଇଗଲାଣି । ଏମାନେ ପହଞ୍ଚିଲାବେଳକୁ ରୋଷାଇ ଠିକ୍‌ ହୋଇ ଯାଇଥିଲା । ଘନ ମାମୁଙ୍କ ସୁବନ୍ଦୋବସ୍ତ ଦେଖି ସମସ୍ତେ ତାଙ୍କୁ ଧନ୍ୟବାଦ ଦେଲେ ।

Image

 

ପଞ୍ଚଦଶ ପରିଚ୍ଛେଦ

 

ନଟବର ପଟ୍ଟନାୟକଙ୍କର ତିନିଗୋଟି କନ୍ୟା ଓ ଗୋଟିଏ ପୁତ୍ର । କନ୍ୟାଗୁଡ଼ିକ ବଡ଼ ଓ ପୁତ୍ରଟି କନିଷ୍ଠ । ଝିଅଗୁଡ଼ିକ ଅତିଗେହ୍ଲାରେ ବଢ଼ିଥିଲେ । ତାଙ୍କର ମଧ୍ୟମାକନ୍ୟା ହାରମଣି ଅନ୍ୟ ଦୁଇଭଉଣୀ ଅପେକ୍ଷା ଅଧିକ ରୂପବତୀ ଥିଲା । ତାଠାରେ ତା ବୋଉଙ୍କର ଟିକିଏ ବେଶି ସ୍ନେହ । ସେ ତାର ଦୋଷମାନ ଜାଣି ନ ଜାଣିଲା ପରି ଉପେକ୍ଷା କରୁଥିଲେ । ନଟବର ପଟ୍ଟନାୟକଙ୍କର ଧନର ଅଭାବ ନଥିଲେ ମଧ୍ୟ ଉପଯୁକ୍ତ ବର ଖୋଜୁ ଖୋଜୁ ହାରମଣିକୁ ୨୧ବର୍ଷ ବୟସ ହୋଇଗଲା । ଆଜି ତାର ବିବାହ ଦିନ । ସମସ୍ତ ବନ୍ଦୋବସ୍ତ ଠିକ୍‌ ଅଛି; କେବଳ ବର ପହଞ୍ଚିବାକୁ ସେମାନେ ଚାହିଁ ବସିଅଛନ୍ତି । କନ୍ୟାପକ୍ଷର ହସ୍ତଗଣ୍ଠି ପଡ଼ିବା ପର୍ଯ୍ୟନ୍ତ ଯେତେ ଉତ୍କଣ୍ଠା ଜାତହୁଏ, ବର ପକ୍ଷର ସେପରି ହୁଏ ନାହିଁ । ବିବାହ ଭାଙ୍ଗିଗଲେ କନ୍ୟାଟି ଦୋଷଯୁକ୍ତା ହୋଇଯାଏ; ତାକୁ ସହଜରେ ବର ମିଳନ୍ତି ନାହିଁ । ଏପରି ମଧ୍ୟ ଦେଖା ଯାଇଛି ଯେ, ବରବରଣ କରାଗଲା ପରେ କନ୍ୟାପିତା ବେଦି ଉପରେ ସତ୍ୟବାକ୍‌ କଲାବେଳେ ବର ଉଠିଯାଇ ଅନ୍ୟ ସ୍ଥାନରେ ବିବାହ କରିଅଛି । ହାରାମଣିର ସେପରି କିଛି ଦୋଷ ନ ଥିଲା, କିମ୍ୱା ନଟବର ପଟ୍ଟନାୟକ ବର ତରଫ ଲୋକଙ୍କର ସନ୍ତୋଷଲାଭ ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ । ତଥାପି ବରକୁ ନ ଦେଖିବା ପର୍ଯ୍ୟନ୍ତ କନ୍ୟାର ମାତା ପିତାଙ୍କର ଉତ୍କଣ୍ଠା ବଢ଼ୁଥାଏ । କ୍ରମେ ସନ୍ଧ୍ୟାହେଲା । ବରଧରା ଲୋକମଧ୍ୟରୁ ଜଣେ ଆଗରେ ଯାଇ, କନ୍ୟାଘରେ ବର ଆସୁଥିବା ଖବର କହିବାରୁ ସମସ୍ତେ ଆନନ୍ଦିତ ହେଲେ । କେତେକେ କନ୍ୟାକୁ ମଙ୍ଗୁଳାଇବା ପାଇଁ କହିଲେ । ଆଉକେତେକ କହିଲେ, ‘‘ନା, ବର ଗ୍ରାମରେ ନ ପହଞ୍ଚିଲେ କନ୍ୟାକୁ ମଙ୍ଗୁଳାଇବା ଉଚିତ ନୁହେଁ ।’’ ଏହିପରି ତର୍କବିତର୍କ ଚାଲିଥାଏ । ଘନଙ୍କ ରୋଷଣିଆମାନେ ଗାଁମୁଣ୍ଡ ଆମ୍ୱତୋଟା ପାଖରେ ରୋଷଣିଯାକ ଖଞ୍ଜି ରଖିଥାନ୍ତି । ଗୋଟାଏ ଗଛବାଣ ପୋତା ଯାଇଥିଲା । ରାତ୍ରି ପ୍ରହରକ ସମୟରେ ବରଯାତ୍ରୀ ଯାଇ ତୋଟା ପାଖରେ ପହଞ୍ଚି ନିତ୍ୟକର୍ମ ପ୍ରଭୃତିରେ ଲାଗିଗଲେ । ଗଉଡ଼ମାନେ ଟିକିଏ ବିଶ୍ରାମ ନେଲେ-। ଘନଙ୍କ ମାମୁ ଭାବିଲେ ଯେ, ଆମ୍ଭେମାନେ ପହଞ୍ଚୁ ପହଞ୍ଚୁରାତି ଅଧ ହୋଇଯିବ । କନ୍ୟା ମଙ୍ଗୁଳା କରିବାକୁ ଓ ମଙ୍ଗଳାହାଣ୍ଡି ବସାଇବାକୁ ସେମାନେ ଚାହିଁ ବସିଥିବେ । ଗଛବାଣ ଗୋଟାଏ ଲଗାଇ ଦେଲେ ଆମ୍ଭମାନଙ୍କ ପହଞ୍ଚିବା ସେମାନେ ଜାଣି କାମରେ ଲାଗିବେ । ଏ ବିଚାର ସମସ୍ତଙ୍କ ମନକୁ ପାଇଲା । ବମ୍ୱାଜି ଫୁଟିବାରୁ କନ୍ୟାଘର ବର ପହଞ୍ଚିବା ଜାଣିପାରି କନ୍ୟାକୁ ମଙ୍ଗୁଳାଇ ମଙ୍ଗଳହାଣ୍ଡି ବସାଇଲେ । ପୁରୋହିତ ବେଦି ଉପରେ ବସି ସକଳ ପଦାର୍ଥ ଏକତ୍ର କରି ଯଥାସ୍ଥାନରେ ସଜାଡ଼ି ରଖିବାରେ ଲାଗିଲେ । ଗ୍ରାମର ସାଧାରଣଲୋକେ ଓ ପିଲାମାନେ ବର ଦେଖିବାକୁ ତୋଟା ନିକଟକୁ ଦଉଡ଼ିଲେ । ପ୍ରାୟ ଘଡ଼ିଏ ବିଶ୍ରାମ ପରେ ରୋଷଣି ଦୁଇ ପାଖରେ ସଜାଡ଼ି ପଟୁଆର ମଧ୍ୟରେ ଘନ ମାମୁ ଘୋଡ଼ାଚଢ଼ି ରୋଷଣିମାନ ଦୁଇଧାଡ଼ିରେ ଗୋଟିଏ ପରେ ଗୋଟିଏ ଚଳାଇବାରେ ଲାଗିଲେ । ଗଛବାଣ ଆଗରୁ ଫୁଟିଥିଲା । ବାହାରିଲାବେଳକୁ ହାବେଳି ଗୋଟାକେତେ ଲାଗିଲା । ବାଟରେ ଯାଉ ଯାଉ ଘନଙ୍କ ମାମୁ ସ୍ଥାନ ଲକ୍ଷ୍ୟକରି କୁମ୍ପି, ଝୁମ୍ପି, ଚକ୍ର, ଶୂନ୍ୟଚକ୍ର, ନାନା ରଙ୍ଗର ଚନ୍ଦ୍ରଉଦିଆ, ଆକାଶମଲି, ତାରକାପନ୍ତି, ଜାଈ, ଚମ୍ପା ପ୍ରଭୃତି ବାଣ ଫୁଟାଇ ଫୁଟାଇ ଯାଉଥାନ୍ତି । ସେତେବେଳେ ନାନାରଙ୍ଗର କାଗଜକାମ ନ ଥାଏ । କେବଳ ଶୋଲର ନାନାରଙ୍ଗର ଫୁଲ, କଦଳୀକାନ୍ଧି ଲାଗିଥିବା କଦଳୀଗଛ, ଫଳ ଓ ପତ୍ରଥିବା ଆତ ଗଛ ପ୍ରଭୃତି ତ୍ରିଶାଖା ଆଲୁଅ, ମଧ୍ୟେ ମଧ୍ୟେ ମାଟି ଗଢ଼ା ସିପେଇ, ବୁଢ଼ାବୁଢ଼ୀ, ରଜାରାଣୀ, ଷଣ୍ଢ, ସିଂହ, ବାଘ ପ୍ରଭୃତି ରୂପମାନ ଚାରିଚାରି ଜଣ କାନ୍ଧେଇ ଚାଲିଥାନ୍ତି । ଲୋକଭିଡ଼ ହଟାଇବା ପାଇଁ ବାଉଁଶ ପାତରେ ତିଆରି ଓ ଶୁକ୍ଳବସ୍ତ୍ରାବୃତ ବଗ ମଧ୍ୟରେ ଜଣେ ବଳବାନ୍‌ ବାଉରିପେଟେ ମଦ ଖାଇ ନାନାଗତିରେ ଚାଲୁଥାଏ । ଆଉ ବଗର ଥଣ୍ଟ ମଧ୍ୟରୁ ଲାଗିଥିବା ଦଉଡ଼ିଖଣ୍ଡେ ଟାଣିଦେଲାବେଳେ ବଗରବେକ ଇତସ୍ତତଃ ବୁଲି ଥଣ୍ଟ ମେଲାହୋଇ ଠକ୍‌ଠକ୍‌ ପଡ଼ୁଥାଏ । ପିଲାମାନେ ଭୟ କରି ପଳାଉଥାନ୍ତି । ପଟୁଆର କରି ଯାଉ ଯାଉ କନ୍ୟାଘର ପାଖରେ ହେଲାବେଳକୁ ରାତି ଆଠଘଡ଼ି ହେଲାଣି । ମିଥୁନ ଲଗ୍ନରେ ପାଣିଗ୍ରହଣ ଥିଲା, ମାତ୍ର ବର ପହଞ୍ଚିଲାବେଳକୁ ସେ ଲଗ୍ନ ପ୍ରାୟ ଶେଷହେବାକୁ ବସିଲାଣି । ଆଜିକାଲି ଲଗ୍ନ କଥା ପଚାରୁଛି କିଏ ? ଲଗ୍ନବୁଝା କେବଳ ଗୋଟାଏ ବିଧିରକ୍ଷା ମନ୍ତ୍ର । ସେତେବେଳେ କିନ୍ତୁ ସେଥିପ୍ରତି ଦୃଷ୍ଟିଥିଲା । ଲଗ୍ନସମୟରେ ପାଣିଗ୍ରହଣ ନ ହେଉ ପଛକେ, ବାଟବରଣଟା ହେବାକୁ ଘନମାମୁଙ୍କର ବିଶେଷ ଯତ୍ନ ଥିଲା ।

 

ଘନଙ୍କବୋଉ ବର ବିଦା କରିଦେଇ ଥୟ ହୋଇ ବସିପାରି ନ ଥିଲେ । ବହୂ ଭୁଆଷୁଣୀ ଓ ଝିଅମାନଙ୍କ ଖାଇବା କଥା, ସାହି ପଡ଼ୋଶୀ, ଚାକର ପ୍ରଭୃତିଙ୍କୁ ଦେବା ନେବାରେ ଦିନଯାକ ଲାଗି ସନ୍ଧ୍ୟାବେଳକୁ ସେ ସମସ୍ତ କାମଛିଣ୍ଡାଇ ଦେଲେ । ସନ୍ଧ୍ୟାହେଲାବେଳେ ଆନନ୍ଦାଶ୍ରୁ ପକାଇ ମଙ୍ଗଳାଙ୍କୁ ଅଶେଷ ମୁଣ୍ଡିଆ ପକାଇଲେ ଓ ପୁଅ ବହୂ ସର୍ବଶୁଭରେ ଘରେ ପହଞ୍ଚିଲେ । ଚୈତ୍ରମାସର ମଙ୍ଗଳବାରମାନଙ୍କରେ ଛେନାପଣା ଦେବାକୁ ମନାସିଲେ । ସନ୍ଧ୍ୟାହେବା ପରେ ଘର ଅଗଣାରେ ବସିଯାଇ ସାହିର ବହୂଭୁଆଷୁଣୀ, ଯେଉଁମାନେ ଘରକୁ ଏକା ନ ଗଲେ ଘର ନ ଚଳେ, ସେମାନଙ୍କୁ ବିଦାୟ କରିଦେଲେ । ପୁରୁଷନାମାକେହି ନ ଥିବାରୁ ଝିଅମାନେ ସମସ୍ତେ ସ୍ୱାଧୀନ ଭାବରେ ଗୃହପ୍ରାଙ୍ଗଣରେ ବସି ହସ କୌତୁକ ଲଗାଇଥାନ୍ତି । ଗଳ୍ପ ମଧ୍ୟରେ କେବଳ ଯେ ଯେତେ ବିଭାଘର ଦେଖିଛି, ସେ ସବୁର ବର ଓ କନ୍ୟାଙ୍କ ଯିବା ଆସିବା, ଅଳଙ୍କାର, ଭାର ପ୍ରଭୃତି କେଉଁ ବହୂ କିପରି ଲାଜକରେ, କିପରି ଓଢ଼ଣା ପକାଏ, କିପରି ଚାଉଳ ଓ କିପରି ଚୁ ଚୁ କରିଡାକେ, ଏହିସବୁ କଥା ଛଡ଼ା ଆଉକିଛି କଥା ନ ଥାଏ । ଘନବୋଉଙ୍କ ମନ ସେମାନଙ୍କ କଥା ଶୁଣି ସମୟ ସମୟରେ ଆନନ୍ଦିତ ହେଉଥାଏ, ବେଳେବେଳେ ସେମାନଙ୍କ କଥାରୁ ତାଙ୍କ ମନ ଘନଙ୍କ ନିକଟକୁ ଚାଲିଯାଏ ।

 

ବର ରୋଷଣି କନ୍ୟାଘରର ଯେତେ ନିକଟବର୍ତ୍ତୀ ହେଉଥାଏ, କନ୍ୟାଘରର ଲୋକମାନେ ନିଜ ନିଜକାର୍ଯ୍ୟ ଶେଷକରି ବର ଆସିବା ଗତି ପ୍ରତି ଦୃଷ୍ଟି ଦେବାକୁ ସେତେ ବ୍ୟସ୍ତ ହେଉଥାନ୍ତି । ନଟବର ପଟ୍ଟନାୟକଙ୍କର ମୂଲିଆଣୀମାନେ ଆଗରୁ ଆସି ଦାଣ୍ଡଦ୍ୱାର କଡ଼ରେ ଛିଡ଼ାହୋଇ ଯାଇଥାନ୍ତି । ବର ରୋଷଣିର ଆଲୋକରେଖା ସେମାନଙ୍କ ଆଖିରେ ପଡ଼ିବାମାତ୍ରେ ଯେ ଯୁଆଡ଼େ ବାଡ଼ିବାଟେ ପଶି କିଏ କହିଲା, ‘‘ସାନ୍ତାଣି, ହେଇ ବର ଆସିଲା’’, କିଏ କହିଲା, ‘‘ଅପା, ଆସ ଯିବା-।’’ ଏପରି ଡକାଡକି ହୋଇ ସେମାନେ ପଟ୍ଟନାୟକ ଓ ତାଙ୍କର ପଡ଼ୋଶୀଙ୍କ ଘର, ଝରକା, ପିଣ୍ଡା, କନ୍ଦିମାନଙ୍କରେ ଓଟ ପରିବେକ ଟେକି ଚାହିଁରହିଲେ । ପୁରୁଷମାନେ ବାଟବରଣ ପାଇଁ ଯିବାକୁ ପ୍ରସ୍ତୁତ ହେଉଥାନ୍ତି ।

 

ବାଟବରଣରେ ଉଭୟ ପକ୍ଷଙ୍କର ସଦଳବଳ ଓ ପଣ ସହ ପ୍ରଥମ ସାକ୍ଷାତ୍‌ । ଏଠାରେ ଅଧିକାଂଶସ୍ଥଳରେ ଉଣା ଅଧିକରେ ଉଭୟ ପକ୍ଷ ମଧ୍ୟରେ ବାକ୍ୟଯୁଦ୍ଧ ଟିକିଏ ଲାଗିଯାଏ । କନ୍ୟାପକ୍ଷରୁ ବରଣ ଯାତ୍ରାରେ ବିଳମ୍ୱ ଘଟିଲେ ମହାଅଡୁଆ । ଯେଉଁଠାରେ ବରଣ କରାଯିବାର କଥା, ବରପାଲିଙ୍କି ତା’ ଆଗକୁ ଗଲେ ବା ପଛରେ ରହିଗଲେ ମହାଗଣ୍ଡଗୋଳ । କନ୍ୟାପକ୍ଷ ବରଣଚାଙ୍ଗୁଡ଼ି ଧରି ବାହାରିଲାବେଳକୁ ବରଘରର ଆଲୁଅ ଟିକିଏ ମାନ୍ଦାହେଲେ ବା କୁମ୍ପୀ, ଚନ୍ଦ୍ରଉଦିଆ ଗତି ଟିକିଏ କମିଗଲେ ବର ନାମୁସ୍‌ । କନ୍ୟାପକ୍ଷରେ ପୁରୋହିତ ମଧ୍ୟ ମହାବ୍ୟସ୍ତ କାଳେ ମନ୍ତ୍ର ଭୁଲ୍‌ ହେବ; କ୍ରମ ଭୁଲ୍‌ ହେଲେ ଦେଶଭାଗରୁ ଲୋକ ଆସିଛନ୍ତି, କ’ଣ ଭାବିବେ ! କନ୍ୟାପକ୍ଷ ବନ୍ଧୁବାନ୍ଧବ ନିଜ ନିଜ କୁଞ୍ଚ, ଦାଢ଼ି ଓ ନିଶ ସଜାଡ଼ି ବରପକ୍ଷର ଦୋଷ ବାହାର କରିବାକୁ ଉଦ୍ୟତ ହୋଇ ଗୋଟି ଗୋଟି ବାହାରି ପଡ଼ିଲେ । ବାରିକର ଲଣ୍ଡଭଣ୍ଡ କଥା ଛାଡ଼, କେବଳ ନାହାକ ବିଚାରା ଦମ୍ଭ ଥାଏ; କାରଣ ସେ ‘ମଙ୍ଗଳଂ ଭଗବାନ୍‌’ଠାରୁ ଆରମ୍ଭ କରି ‘ଶକ୍ତିଧରସ୍ତ ଲଙ୍ଗଳଧରଃ’ ବାଟେ ଫେର ମଙ୍ଗଳ ପାଖରେ ପହଞ୍ଚିଲାବେଳକୁ ଧୈର୍ଯ୍ୟ ନାହିଁ । ଆଉ ବାଦ୍ୟ ଓ ଲୋକ କୋଳାହଳରେ ତା କଥା ଶୁଣୁଛି ବା କିଏ ? ତଥାପି କାଖଯକା ପାଞ୍ଜିର ମଳିସଫା କରି ହଳଦିଗୁଣ୍ଡା ଟିକିଏ ମାରିଦେବାରେ ତ୍ରୁଟି କରୁ ନ ଥାଏ । କନ୍ୟାପିତାର ଭୋକଶୋଷ, ପୁଣି ନା ନା ଚିନ୍ତାରେ ତା ଆଖିରୁ ଚନ୍ଦ୍ରଉଦିୟା ଝଡ଼ୁଥାଏ । ସେ ବରଘର ଚନ୍ଦ୍ରଉଦିୟାକୁ ବା କ’ଣ ଚାହିଁବ ? ସେ ବିଚାରାର ଏକାଧ୍ୟାନ–କିପରି ସୁରୁଖୁରୁରେ କାମଟି ଶେଷହେବ । ବରପାଲିଙ୍କି ଛିଡ଼ାକରି ବାଣଗୋଟା କେତେ ଫୁଟାଇଲାରୁ କନ୍ୟାପକ୍ଷ ବରଣଚାଙ୍ଗୁଡ଼ି ଧରି ବାହାରିଲେ । ସେତେବେଳକୁ ଘନଙ୍କ ମାମୁଙ୍କୁ ତାଙ୍କ ସାନ୍ତବାପା ଡାକି କ’ଣ ଫୁସ୍‌ଫୁସ୍‌ କଥାବାର୍ତ୍ତା ହେଲେ । ଏଣେ ବାଣମରାରେ ଟିକିଏ ମଠହେଲା । କନ୍ୟାଘର ମୂଲିଆଣୀ ସାବୀ ଆଉ ସମ୍ଭାଳି ହେଲା ନାହିଁ; କହିଲା, ‘‘ମଲାମୋର, ସାଉକି ବର ଆଣିଛିଲୋ ମା, ଦି’ଖଣ୍ଡ ବାଣ ଆଣି ନାହିଁ ।’’ ଏହାକହି ପାଖରେ ଛିଡ଼ା ହୋଇଥିବା ଅପର ମୂଲିଆଣୀ ଚେମୀ ମାକୁ (ତା’ ଝିଅ ଜନ୍ମହେଲାବେଳେ ଚେମଟା ହୋଇଥିଲା ବୋଲି ତା ନାଁ ଚେମୀ ଦେଇଥିଲା) କହିଲା, ‘‘ଆ ଲୋ, ଯିବା କାହିଁକି ଛିଡ଼ା ହୋଇଛୁ ?’’ ଚେମୀ ମା କହିଲା, ‘‘ହଁ ଲୋ ଭଉଣୀ, ‘ସେ ସେଇ ବର, ଯାକୁ ଧରି ଝିଅ କରିବ ଘର’–ବାଣରୁ କି ପାଇବୁ ? ରହ, ପୁଅଟିକି ଟିକିଏ ଦେଖିବା !’’

 

ବର ବରଣ ସାରି କନ୍ୟାପିତା ବେଦୀରେ ବସିଲେ । ସେ ଘରର ମୁରବି । ବେଦୀରେ କାମକଲାବେଳେ ତାଙ୍କୁ ଚାରିକାନ ଓ ଚାରି ଆଖି ଲୋଡ଼ା, ତଥାପି ବେଳେବେଳେ ଅଭାବ ପଡ଼ିଯାଏ । ଆଜିକାଲି ଯେପରି ପୁରୋହିତ ଡହଡହ ଯାଉ ଖାଇଲା ପରି ମୁଖଭଙ୍ଗି କରି ମନ୍ତ୍ରଗୁଡ଼ାଏ ଖସାଇ ପକାଇଲାବେଳେ ଗାଇଛନ୍ଦ ଓ ମୁଣ୍ଡଳାଗୁଡ଼ାକ ଇତସ୍ତତଃ ବିଞ୍ଚିହୋଇ ପଡ଼େ, ସେତେବେଳେ ସେପରି ହେଉ ନ ଥିଲା । ବେଦମନ୍ତ୍ର ହ୍ରସଦୀର୍ଘ ଭେଦରେ ନିଠେଇ ନିଠେଇ ପାଠକରିବାକୁ ପଡୁଥିଲା, ନୋହିଳେ ମହାପାପ ହେବାର ଭୟ ଥିଲା । କ୍ରମେ କ୍ରମେ ପ୍ରଥମ ବରଣ, ସତ୍ୟବାକ୍‌, ଅଧିବାସ, ଲବଣଚାମରୀ, ଷଡ଼ର୍ଘ୍ୟଦ୍ୱାରା ବରର ସଂସ୍କାର ଓ ଦ୍ୱିତୀୟ ବରଣକାର୍ଯ୍ୟ ଯଥାବିଧିରେ ଗୋଟିକ ପରେ ଗୋଟିଏ କରାଯାଇ କନ୍ୟାଦାନ ସମୟ ଉପସ୍ଥିତ ହେଲା । ପୁରୋହିତ ସତ୍ୟବାକ୍‌ ସମୟର ଗୁଆ ଦିଓଟି ଶଙ୍ଖରେ ଭରି, କନ୍ୟାପିତାଙ୍କ ହାତରେ ଦେଇ କହିଲେ, ‘‘କହ, କନ୍ୟାଂ କନକ ସମ୍ପନ୍ନାଂକନକାଭରଣୈଯୁର୍ତାଂ ଦାସ୍ୟାମି ବିଷ୍ଣବେ ତୁଭ୍ୟଂବ୍ରହ୍ମଲୋକବଗୀଷୟା । ବିଶ୍ୱମ୍ଭରଃ ସର୍ବଭୂତାଃ ସାକ୍ଷିଣ୍ୟଃ ସର୍ବବେଦତାଃ । ପ୍ରଦାସ୍ୟାମି ଇମାଂକନ୍ୟାଂ ପିତୃଣାଂତାରଣାୟ ଚ ।’’ ନଟବର ପଟ୍ଟନାୟକ ପୁରୋହିତଙ୍କ କଥାରୁ ପଦେ ଅଧେ ଉଚ୍ଚାରଣ କରିଅଛନ୍ତି, ଏହି ସମୟରେ ଜଣେବନ୍ଧୁ ଗୋଟାକେତେ ପରିବା ଓ ମାଛଭାର ଧରି ପହଞ୍ଚି ଯିବାରୁ ତାଙ୍କ ମନ ପୁରୋହିତଙ୍କ କଥାରେ ରହିପାରିଲା ନାହିଁ । ସେ ଜଣେ ଆତ୍ମୀୟ ଲୋକକୁ ଡାକି ତାକାନରେ କହିଲେ, ‘‘ଯାଇ ଦେଖିବୁଟି କି ମାଛ ଓ ତଟକା ଅଛିକି ନାହିଁ । ଶୀଘ୍ର ଆସି ମତେ କହିବୁ ।’’ ଏଣେ ପୁରୋହିତ ଅତିରାଗ ହୋଇ କହିଲେ, ‘‘ଆହେ, ଅସଲ ବେଳରେ ତୁମେ ଇଆଡ଼େ ସିଆଡ଼େ ମନ ଦେଉଛ, ଏଣିକି ତ ଏହିପରି ହେବ ।’’ ପଟ୍ଟନାୟକ ପୁରୋହିତଙ୍କ ରାଗ ଦେଖି ବ୍ୟସ୍ତ ହୋଇକହିଲେ, ‘ହଁ ବୋଲ ।’’

 

ପୁରେହିତ କହିଲେ, ‘‘ମୁଁ କଣ ଛେନାଟା ବୋଲିବି ! ତୁମର ବୋଲିବାର କଥା ନା ।’’ ପଟ୍ଟନାୟକ କହିଲେ, ‘‘ଗୋଟାଏ ବରାଦ ଦେଉଥିଲି । ବୋଲ, ମୁଁ କହୁଛି ।’’ ପୁରୋହିତ ପୁଣି ଆଉଥରେ ମନ୍ତ୍ର ପାଠକଲେ । ଅବଶିଷ୍ଟ କାର୍ଯ୍ୟମାନ କ୍ରମେ କ୍ରମେ ଶେଷ ହୋଇଗଲା ।

 

ଆଜିକାଲି ଲୋକମାନେ ବିବାହକାର୍ଯ୍ୟଗୁଡ଼ାକ ବ୍ରାହ୍ମଣମାନଙ୍କର କପୋଳକଳ୍ପିତ ବୃଥା ଆଡ଼ମ୍ୱରପୂର୍ଣ୍ଣ ରୋଜଗାରର ଫନ୍ଦା ବୋଲି ଭାବୁଅଛନ୍ତି । ସେଗୁଡ଼ାକ ଲୋକଙ୍କୁ ଭଲ ଲାଗୁ ନାହିଁ । ଯେତେଶୀଘ୍ର ପୁରୋହିତ ମନଇଚ୍ଛା ଦି’ ଚାରି ପଦ ମନ୍ତ୍ରପଢ଼ି କାର୍ଯ୍ୟ ଶେଷ କରିଦିଏ, ତେତେ ଭଲ । ନୋହିଲେ ତାକୁ କୋପଦୃଷ୍ଟିରେ ପଡ଼ିବାକୁ ହୁଏ । ସେତେବେଳେ ବ୍ରାହ୍ମଣମାନଙ୍କର ପୋଥିରେ ପାଠଥିଲା । ଆଜିକାଲି କାଗଜରେ, ହାଟବାଟରେ ସେ ପାଠ ପଡ଼ିଛି । ଶିକ୍ଷିତ ଲୋକମାନେ ଊଣା ଅଧିକରେ ସଂସ୍କୃତ କିଛି ଜାଣନ୍ତି । ବିବାହର କାର୍ଯ୍ୟଗୁଡ଼ିକ ଉତ୍ତମରୂପେ ଆଲୋଚନା କଲେ ଜଣାଯିବ ଯେ, ହିନ୍ଦୁ ଯେତେ ଦେବତା ବିଶ୍ୱାସକରେ, ସେମାନଙ୍କୁ ବିଧିପୂର୍ବକ ଆବାହନ କରାଯାଇ ସେମାନଙ୍କ ସମ୍ମୁଖରେ ଅଗ୍ନି ଓ ବ୍ରାହ୍ମଣଙ୍କୁ ସାକ୍ଷୀ କରି କନ୍ୟାପିତାର କନ୍ୟାଦାନ ଓ ବରର କନ୍ୟାଗ୍ରହଣ ଏବଂ ବରକନ୍ୟା ଜନ୍ମଜନ୍ମାନ୍ତରରେ ପତିପତ୍ନୀହୋଇ ଏକପ୍ରାଣରେ କାର୍ଯ୍ୟକରିବା ଆଦି ବିଷୟ ନେଇ ସତ୍ୟ କରିବା ଭିନ୍ନ ଆଉକିଛି ନୁହେଁ । ଆଉ ଅଧିକ କେବଳ, ବର କନ୍ୟା ଯେପରି ସୁଖରେ ସଂସାର କରିବେ, ସେଥିପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା । କେବଳ ହିନ୍ଦୁ କାହିଁକି, ସକଳଧର୍ମ ଓ ଜାତିରେ ମଧ୍ୟ ବିବାହୋପଲକ୍ଷେରେ ଏହି ଦୁଇକାର୍ଯ୍ୟ ଊଣା ଅଧିକରେ କରିବାକୁ ପଡ଼େ । ସେତେବେଳେ ବିଶ୍ୱାସର ଆଧିପତ୍ୟ ପ୍ରବଳ ଥିଲା । କେବଳ ବିବାହ କାହିଁକି, ସମସ୍ତ କାର୍ଯ୍ୟ ବିଶ୍ୱାସରେ କରାଯାଉଥିଲା । କ୍ରମେ କ୍ରମେ ତା ପୂର୍ବରୁ ‘ଅ’ଯୁକ୍ତ ହେବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ କାଗଜକଲମଦ୍ୱାରା ମୋହର ମରା ଯିବାକୁ ଲୋକେ ସୁବିଧା ମନେ କଲେଣି ।

 

ହିନ୍ଦୁ ସକଳ ହୃଦୟରେ ନାରାୟଣଙ୍କ ସ୍ଥିତି ବିଶ୍ୱାସ କରେ, ଏଣୁ ବରଙ୍କୁ ବିଷ୍ଣୁରୂପେ ପୂଜା କରି ସେ ବିଷ୍ଣୁରୂପୀ ବରଙ୍କୁ କନ୍ୟାଦାନ କରେ । କିନ୍ତୁ କାଳର କି ଗତି ! ସେ ବିଶ୍ୱାସ ଆଉ ନାହିଁ । ବାଟବରଣବେଳେ ବରଣକର୍ତ୍ତା ବରର ପାଦଧୌତ କରିଦେବା ବିଧି ଥିବାରୁ ଆଜିକାଲି କନ୍ୟାପିତାମାନେ ତାହା କରିବାକୁ ନିଜର ସମ୍ମାନହାନି ମନେକରି, ନିଜେ ବାଟବରଣ ପାଇଁ ନ ଯାଇ କନ୍ୟାର କନିଷ୍ଠ ଭାଇଦ୍ୱାରା ସେ କାର୍ଯ୍ୟ କରାଉଅଛନ୍ତି । ଆଉ ମଧ୍ୟ ପ୍ରତ୍ୟେକ ଶୁଭକାର୍ଯ୍ୟରେ, ପ୍ରତ୍ୟେକ ବିଷୟରେ ନିଜର ଟେକ ବଜାଏ ରଖିବାକୁ ସର୍ବଦା ପ୍ରସ୍ତୁତ ହେଉଅଛନ୍ତି ।

 

ବିବାହ କାର୍ଯ୍ୟ ଶେଷ ହେଉ ହେଉ ରାତି ଶେଷହୋଇ ଦିନ ଘଡ଼ିଏ ହୋଇଗଲା । ବରଯାତ୍ରିମାନେ ନିତ୍ୟକର୍ମ ଶେଷକରି ସ୍ନାନ କରିବାକୁ ବାହାରିଲେ । ପାଞ୍ଚଘଡ଼ି ପରେ ମହାପ୍ରସାଦ ଭୋଜନ ପାଇଁ ଡାକରା ପଡ଼ିଲା । ଘନଙ୍କ ସାନ୍ତବାପାଙ୍କ ଯେଉଁ ଅଣ୍ଟାଗୁଞ୍ଜା ପାଇବାର ଥିଲା, ତହିଁରୁ ସେ ଅଧେ ପାଇଥିଲେ; ବାକି ଅଧେ କନ୍ୟାଦାନ ପରେ ପାଇବାର କଥା ଥିଲା । ଏଣୁ ମହାପ୍ରସାଦ ଭୋଜନ ପାଇଁ ଯିବାକୁ ଗୋଟାଏ ଚକ୍ରାନ୍ତ କରିଦେଲେ । ଜଣଙ୍କୁ ଡାକିଲାବେଳକୁ ଆଉଜଣେ ବାହାରକୁ ଚାଲିଯାଇଥାଏ । ସମସ୍ତଙ୍କୁ ଏକତ୍ର କରି ଡାକି ନେଉଁ ନେଉଁ ଅନେକ ବିଳମ୍ୱ ଘଟିଲା । ଶେଷରେ ନଟବର ପଟ୍ଟନାୟକ ମଧ୍ୟ ବାକି ଅଧକ ଅଣ୍ଟାଗୁଞ୍ଜା ଦେଇଦେଲେ । ମହାପ୍ରସାଦ ଭୋଜନ କାର୍ଯ୍ୟ ଆଠଘଡ଼ିବେଳକୁ ଆରମ୍ଭ ହୋଇ ବାରଘଡ଼ି ମଧ୍ୟରେ ଶେଷହେଲା । ସାନ୍ତ କୁଣିଆ ହେବାର ଆୟୋଜନ ହେଉଁ ହେଉଁ ସନ୍ଧ୍ୟା ।

 

ବିବାହ ସମୟରେ କନ୍ୟାବାସ ପଠାଗଲାବେଳେ ବର ତରଫରୁ ଅଳଙ୍କାରମାନ ପଠାଯାଏ । ସେ ମଧ୍ୟରୁ କନ୍ୟାପକ୍ଷର ଯାହା ଅଭାବ ଥାଏ, ତାହା ରଖାଯାଇ ବାକି ଫେରିଆସେ । ଯଦି କନ୍ୟାଘର ଜବାବ କରିଥିବା ଅଳଙ୍କାର ମଧ୍ୟରୁ କିଛିକରି ନ ଥାଏ, ତେବେ ବରଘର ଅଳଙ୍କାରରୁ ତାହା ରଖିଲେ ବରପକ୍ଷ ସେ କଥା ଧରି ମହାପ୍ରସାଦ ଭୋଜନବେଳେ ଅଡ଼ିବସନ୍ତି । ଆଉ ମଧ୍ୟ ବାରିକ ସ୍ନାନ ପାଇଁ ତେଲ ନେଇଗଲାବେଳେ ତାସଙ୍ଗରେ କନ୍ୟାପକ୍ଷ ଆତ୍ମୀୟ ମଧ୍ୟରୁ କେହିଜଣେ ନ ଗଲେ ବରପକ୍ଷକୁ ଅପମାନ ହୁଏ । ଏପରି ଘଟିଥିଲେ ମହାପ୍ରସାଦ ଭୋଜନ ପାଇଁ ଡାକରାବେଳେ ସେ କଥା ମଧ୍ୟ ପଡ଼େ । ଏହିପରି ନାନା ବିଷୟରେ ବୃଥା ଗଣ୍ଡଗୋଳ ଲାଗେ । ବରଯାତ୍ରୀ ସଙ୍ଗରେ ଆସିଥିବା ସାନ୍ତମାନଙ୍କ ମଧ୍ୟରୁ ଯଦି କେହି ଅଧିକ ଜାତିଆ ଥାଏ, ଆଉ କନ୍ୟା ପିତାର ଜାତି କମ୍‌ ଥାଏ, ତେବେ ସେ ମହାପ୍ରସାଦ ଭୋଜନ କରି ଅନ୍ନ ଭୋଜନ ପାଇଁ ରାଜିହୁଏ ନାହିଁ । ସ୍ଥାନେ ସ୍ଥାନେ ବାଧ୍ୟ ହୋଇ ଠା ପୀଢ଼ାରେ ବସି ଅନ୍ନ ବ୍ୟଞ୍ଜନ ଗୋଳାଏ, ମାତ୍ର ଭୋଜନ କରେ ନାହିଁ । ନଟବର ପଟ୍ଟନାୟକଙ୍କର ଜାତିକମ୍‌ ନ ଥିଲା, କିମ୍ୱା ତାଙ୍କର ଯେ ତ୍ରୁଟିଥିଲା, ସେସବୁ ମହାପ୍ରସାଦ ଭୋଜନବେଳେ ମେଣ୍ଟି ଯାଇଥିଲା ।

 

କରଣ ଘରମାନଙ୍କରେ ବିବାହ ରାତିର ପର ରାତିରେ ବିବାହ ଉତ୍ସବ ହୁଏ, ଅର୍ଥାତ୍‌ ମଜଲିସ୍‌ ସଜାଯାଏ । କନ୍ୟା ଓ ବର ତରଫରୁ ନାଟ ହୁଏ, ବାଣ ମରାଯାଏ, ସାନ୍ତ କୁଣିଆ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଭଦ୍ରଲୋକମାନଙ୍କର ଭୋଜନର ବନ୍ଦୋବସ୍ତ କରାଯାଏ । କାର୍ଯ୍ୟତଃ ବିବାହର ପର ରାତିକୁ ବିବାହ-ରାତି ବୋଲି ଲୋକେ ଜାଣନ୍ତି ।

Image

 

ନାଏବ ବାବୁ

ସପ୍ତଦଶ ପରିଚ୍ଛେଦ

 

ସଂସାରରେ ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଦିନ ରାତି ପରି ଲାଗି ରହିଅଛି । ବିବାହ ରାତିଟା ନଟବର ପଟ୍ଟନାୟକଙ୍କ ଘରେ ଦିନ ପରି କଟିଗଲା । ଉଷାକାଳର ଅରୁଣିମା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ତାଙ୍କ ଗୃହରୁ ଶୋକଋତୁ ଜାତହୋଇ ସୁଖ-ସୂର୍ଯ୍ୟ ଗ୍ରାସକରିବାକୁ ଲାଗିଲା । ହାରାମଣି ବିବାହ ପୂର୍ବରୁ ବିବାହ କଥା ଶୁଣି କେତେବେଳେ ହର୍ଷରେ, କେତେବେଳେ ବା ବିଷାଦରେ କାଳ କଟାଉଥିଲା । ବିବାହ ଯେତେ ନିକଟ ହେଉଥାଏ, ସେ ଉଭୟର ମାତ୍ରା ଏକକୁ ଅପର ଠେଲି ଦେଇ ତାଙ୍କୁ ସବଳରେ ଆକ୍ରମଣ କରୁଥାଏ । ତାଙ୍କ ବୋଉଙ୍କ ପକ୍ଷରେ ମଧ୍ୟ ସେହିପରି ଘଟିଲା । ସେହିପରି ହର୍ଷବିଷାଦରେ ବିବାହ ରାତି ଶେଷ ହେବା ସମୟରେ ବୋଉ ହାରାମଣି ନିକଟରେ ପହଞ୍ଚି ଦେଖିଲେ, ସେ ଦିନଯାକର କ୍ରନ୍ଦନ ଓ ଉପବାସ କ୍ଳାନ୍ତି ଯୋଗୁଁ ନିଦ୍ରାଲୋକରେ ଶାନ୍ତି ଲାଭ କରୁଅଛି । ବୋଉ ତା’ ପାଖରେ ବସି ଅଶ୍ରୁପାତ କରି କରି ତାକୁ ଆଉଁସିବାକୁ ଲାଗିଲେ । ଲୋତକଧାରର ବେଗ ସମ୍ଭାଳି ହେଲାନାହିଁ । କ୍ରମେ ତାହା ହାରାମଣିର ଗାତ୍ର ସ୍ପର୍ଶକଲାରୁ ତାର ନିଦ ଭାଙ୍ଗିଗଲା । ନିଦ ଭାଙ୍ଗିବାମାତ୍ରେ ବୋଉ ପାଖରେ ବସି କାନ୍ଦୁଥିବାର ଦେଖି ସେ ଉଠି ବୋଉକୁ କୁଣ୍ଢାଇଲା, ବୋଉ ତାକୁ କୁଣ୍ଢାଇଲେ; ଉଭୟେ ଦାରୁଣ ଶୋକର ବେଗ ସମ୍ଭାଳି ନ ପାରି ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲେ । ସେ କରୁଣଧ୍ୱନି, ସେ କାତରସ୍ୱର ଶୁଣି ପାଷାଣହୃଦୟ ମଧ୍ୟ ତରଳିଯିବ । ସ୍ତ୍ରୀହୃଦୟ ସମ୍ଭାଳିବ କାହୁଁ ? ତାଙ୍କ ଘରେ ଯେତେ ସ୍ତ୍ରୀ ଥିଲେ, ସାହି ପଡ଼ୋଶୀ ସ୍ତ୍ରୀମାନେ ଓ ସଙ୍ଗିନୀମାନେ ଗୋଟିକ ପରେ ଗୋଟିଏ ଜମାହୋଇ ଏକ ସ୍ୱରରେ କାନ୍ଦିବାକୁ ଲାଗିଲେ । ସେ ଶୋକଧ୍ୱନି ଗୃହର ସମସ୍ତଙ୍କ ନିଦ ଭଙ୍ଗାଇଲା । ଘରେ କେହି ଡାକିଲେ କେହି ଶୁଣୁନାହିଁ । ହାରାମଣି ଓ ତା ବୋଉକୁ ଯେପରି ଘୋର ଅନ୍ଧକାର ଦେଖାଯାଉଛି । ସ୍ନେହମୟୀ ଜନନୀ, ପିତା, ଭଗିନୀ, ଭାଇ, ଗୃହ, ସଙ୍ଗିନୀ, ସମସ୍ତଙ୍କର ମାୟାମମତା ଚ୍ଛେଦ କରି ସମ୍ପୂର୍ଣ୍ଣ ଅଜ୍ଞାତ ସ୍ଥାନରେ ରହି ତାକୁ ସମସ୍ତ ବିଷୟରେ ପରାଧୀନ ହେବାକୁ ହେବ । ଜନ୍ମସ୍ଥାନରେ ସ୍ୱାଧୀନତା, ଖେଳ, କୌତୁକ ସମସ୍ତ ତ୍ୟାଗକରିବାକୁ ହେବ । ହାରାମଣି ଏହି ଭାବିଭାବି, ବିଶେଷତଃ ସ୍ନେହମୟୀ ଜନନୀକୁ ଆଉଜୀବନରେ ଦେଖିବ ନାହିଁ ମନେ କରି କାନ୍ଥବାଡ଼ ଭୂମିରେ ମୁଣ୍ଡକୋଡୁ ଥାଏ ।

 

ସେ ସମୟରେ କରଣ ଘରମାନଙ୍କରେ ଝିଅ ଶାଶୁଘରକୁ ଗଲେ ଆଉ ପ୍ରାୟ ଫେରୁ ନ ଥିଲେ । ତା ବୋଉର ଦୁଃଖ ତା ଦୁଃଖଠାରୁ ଅଧିକ । ତାର ସୀମା କିଏ କଳିବ ? କନ୍ୟାର ବିଦାୟ ସମୟରେ କ୍ରନ୍ଦନ ସ୍ୱାଭାବିକ, ତାହାର ନିବାରଣର ଉପାୟ ନାହିଁ । ସମୟ ସମୟରେ ଗୋଟିଏ ସଂକୀର୍ଣ୍ଣ ଗୃହ ମଧ୍ୟରେ କନ୍ୟାକୁ ରଖି ତା ଚାରି ପାଖରେ ସେ ସ୍ଥାନରେ ଯେତେ ସ୍ତ୍ରୀ ଥାନ୍ତି, ସେମାନେ କନ୍ୟାକୁ ସ୍ନେହାଲିଙ୍ଗନ ଓ ଭିଡ଼ାଭିଡ଼ି କରି କାନ୍ଦିଲାବେଳେ ତାର ଶ୍ୱାସରୋଧ ହୋଇ କିଛି ଅନିଷ୍ଟ ହୁଏ ନାହିଁ, ଏହା ଈଶ୍ୱରଙ୍କର କୃପା ବହିବାକୁ ହେବ । ତଥାପି ତାର ପ୍ରାଣ କଣ୍ଠାଗ୍ରତ ହୋଇ ପଡ଼େ । ବିବାହ ପୂର୍ବରୁ କାନ୍ଦିବା ବର୍ତ୍ତମାନ କାନ୍ଦିବାଠାରୁ ପୃଥକ । ସେତେବେଳେ ସେ ଜଣ ଜଣକୁ ଧରି ସାହି ବୁଲି ବୁଲି କାନ୍ଦେ । ସେ ତ ଗୋଟାଏ ଗତ ରହିଛି । ଯେଉଁମାନେ ବେଶି ଗେହ୍ଲାରେ ବଢ଼ିଥାନ୍ତି, ସେମାନଙ୍କୁ ବାହୁନି କାନ୍ଦି ଆସେ ନାହିଁ । ସେଥିପାଇଁ ସଙ୍ଗିନୀମାନେ ପିଲାଦିନରୁ ତାକୁ କାନ୍ଦ ଶିକ୍ଷା ଦେଇଥାନ୍ତି । ଆଜିକାଲି କାହାରି ଶିକ୍ଷା ଦେବା ଆବଶ୍ୟକ ହେଉନାହିଁ । ‘ଜେମାଦେଇ କାନ୍ଦ’ ପ୍ରଭୃତି କେତେ ବହି ଛପାହୋଇ ସେ ଅଭାବ ମୋଚନ କଲାଣି । ଯେ ଭଲ ବାହୁନି କାନ୍ଦିପାରେ, ସେ ସ୍ତ୍ରୀ ମହଲରେ ସାବାସି ନିଏ, ଯେ ନ ଜାଣେ, ସେ ଅକୁଆରୀ,–କିଛି କାମର ନୁହେଁ । ତା’ ବିରୁଦ୍ଧରେ କେତେ କଥା ଓ ଥଟ୍ଟା ଚାଲେ । ମାତ୍ର ଯେ ବେଶ୍‌ ବାହୁନି କାନ୍ଦେ, ସେ ଭଲ ଝିଅ,–ସମସ୍ତଙ୍କଠାରେ ତାର ବେଶି ସ୍ନେହ ପ୍ରକାଶ ପାଏ । କେହି କେହି ମଧ୍ୟ କହନ୍ତି, ‘ଧନ୍ୟ ଲୋ ଝିଅ, ତୋ କାନ୍ଦ ଶୁଣି ଗଛରୁ ପତର ଝଡ଼ି ପଡ଼ିବ, ମଣିଷ ହିଆ ସମ୍ଭାଳିବ କ’ଣ ?’’ ମାତ୍ର ବିଦାୟ ଦିନର କ୍ରନ୍ଦନରେ ସେ ଭାବ ନ ଥାଏ । ସେତେବେଳେ ନୈରଶ୍ୟର କ୍ରନ୍ଦନ ଶତ୍ରୁ ମଧ୍ୟ କାନ୍ଦି ପକାଇବ । ସେତେବେଳେ ଭଲ ମନ୍ଦ ବିଚାର ନାହିଁ, ସମସ୍ତେ ଶୋକରେ ଅଧୀର । ସେତେବେଳେ ଯେଉଁ ଲୋକ ସ୍ତ୍ରୀମାନଙ୍କର ଭିଡ଼ଭେଦ କରି କନ୍ୟାକୁ ଆଣି ସବାରି ମଧ୍ୟରେ ଭର୍ତ୍ତିକରେ, ସେ ଯେତେ ନିନ୍ଦା ଶୁଣେ, ତାର ଇୟତ୍ତା ନାହିଁ । ତାର ହୃଦୟ ପାଷାଣରେ ଗଢ଼ାବୋଲି ସ୍ତ୍ରୀମାନେ ଭାବନ୍ତି ।

 

ହାରାମଣିକୁ ଧରି ଦୁଇଘଡ଼ି କାନ୍ଦିବା ପରେ ସମସ୍ତେ ଥକିଗଲେ । ହାରାମଣି ଓ ତା ବୋଉ ହାଲିଆ ହୋଇ ଭୂମିରେ ପଡ଼ିଗଲେ । କ୍ରନ୍ଦନର ରୋଳ ଟିକିଏ ଥମିବାରୁ ନଟବର ପଟ୍ଟନାୟକ ଗୃହମଧ୍ୟକୁ ଗଲେ, ସ୍ତ୍ରୀଙ୍କୁ ଡାକିଲେ, ସେ କିନ୍ତୁ ଶୁଣିଲେ ନାହିଁ । ତେଣୁ କନ୍ୟା ବିଦାୟର ଆୟୋଜନ କରିବାକୁ ଗୃହର ଅନ୍ୟ ସ୍ତ୍ରୀମାନଙ୍କୁ ଲଗାଇ ଦେଲେ । ଝିଅକୁ ଦାନ୍ତ ଘଷାଇ, ଗୁଣ୍ଡାଏ ଖୁଆଇ, ମୁଣ୍ଡ ପ୍ରଭୃତି ବାନ୍ଧିବାକୁ ଦୁଇ ଜଣ ସ୍ତ୍ରୀଙ୍କୁ ବରାଦ ଦେଇ ବାହାରକୁ ଯିବା ସମୟରେ ଝିଅ ଆସି ତାଙ୍କ ଗୋଡ଼କୁ କୁଣ୍ଢାଇ କାନ୍ଦିବାକୁ ଲାଗିଲା । ପଟ୍ଟନାୟକ କ’ଣ କରିବେ, ତାଙ୍କୁ ବୁଦ୍ଧି ଦିଶିଲା ନାହିଁ । ତାଙ୍କର ଦୁଇ ଆଖିରୁ ଅଶ୍ରୁଧାରା ସ୍ୱତଃ ଗଳିବାକୁ ଲାଗିଲା । ସେ କାଠପରି ଛିଡ଼ା ହୋଇଥାନ୍ତି । କିଛିକ୍ଷଣ ପରେ ଦୁଇ ଜଣ ସ୍ତ୍ରୀ ଆସି ହାରକୁ ଟେକି ନେଇଗଲେ । ପଟ୍ଟନାୟକ ଆଖି ପୋଛିପୋଛି ପଦାକୁ ଗଲେ । ବରାଯାତ୍ରୀମାନେ ଯିବାକୁ ଉଚ୍ଛନ୍ନ ହେଲେଣି । ସେ ଆଉ ଗୃହମଧ୍ୟକୁ ଯିବାକୁ ଇଚ୍ଛା ବଳାଇଲେ ନାହିଁ; ଅନ୍ୟ ଲୋକମାନଙ୍କଦ୍ୱାରା ପଦାରେ ଥାଇ ସମସ୍ତ କାର୍ଯ୍ୟ କରାଉଥାନ୍ତି । ହାରାମଣି ପଡ଼ିରହିଲା । ଯେ ପାଖକୁ ଆସେ, ତାକୁ ଧରି କାନ୍ଦେ । ବେଳ ଉଛୁର ହେବା ଦେଖି ତା ବୋଉ ଟିକିଏ ଧୈର୍ଯ୍ୟଧରି ଉଠିଲେ ଓ ଦୁଇଜଣ ସ୍ତ୍ରୀକୁ ପଠାଇ ଝିଅକୁ ଦାନ୍ତ ଘଷାଇ ସ୍ନାନ କରାଇବାକୁ ବରାଦ ଦେଲେ । ନିଜେ ମଧ୍ୟ ସ୍ନାନ କରିବାକୁ ଗଲେ । ସ୍ନାନ କରିବାକୁ ତାଙ୍କର ମନ ହେଉ ନ ଥାଏ, ମାତ୍ର ସେ ନ ଖାଇଲେ ଝିଅ ଯେ ଖାଇବ ନାହିଁ । ହାରକୁ ଦାନ୍ତ ଘଷାଇବା ବଡ଼ କଠିନ ହେବ । ଯାହାହେଉ, ବହୁକଷ୍ଟରେ ସେ ଦାନ୍ତ ଘଷିଲା ଓ ଲୁଗା ପାଲଟି ଘରେ ପଡ଼ିରହିଲା ।

 

ମା’ ସ୍ନାନ ସାରି ଆସି ଝିଅକୁ କିପରି ଗଣ୍ଡାଏ ଖୁଆଇବେ ଭାବୁଥାନ୍ତି । ତାଙ୍କର ନୂଆହାଣ୍ଡି ପଖାଳ ଭଲ ହେବ ନାହିଁ ବୋଲି ସାହି ମଧ୍ୟରୁ ଜଣକେତେ ଭଜା, ପଖାଳ ଧରି ଆସିବସିଥାନ୍ତି । ଯେ ଯେତେ ଉଠାନ୍ତି, ସେ ଲଇପରି ନଇଁଯାଏ–ଉଠେ ନାହିଁ । ହାରର ଗୋଟିଏ ବିଧବା ପିଉସୀ ଥିଲେ । ସେ ହାର ବୋଉକୁ ଭିଡ଼ି ଭିଡ଼ି ଆଣି ହାର ପାଖରେ ବସାଇ ମଝିରେ ଭାତ ରଖି ଡାକିଲେ–‘‘ମାଁ ଉଠ, ତୋ ବୋଉ କାଲିଠାରୁ ପରା କିଛି ଖାଇନାହିଁ । ତୁ ନ ଖାଇଲେ ସେ ଚାରି ଦିନ ଖାଇବ ନାହିଁ–ଠୋକରି ମରି ଯିବଟି । ମୋ ମା’ଟା ପରା, ତୁ ତ ଜାଣିବା ଝିଅ ହୋଇ ଏପରି ହେଉଛୁ ! ଛି ମା, ସଂସାରଯାକ ତ ଏଇ କଥା । ଏକା କ’ଣ ତୋ ପାଇଁ ହେଲା ?’’ ଏପରି ନାନା କଥା କହି ତାକୁ ସଳଖରେ ବସାଇଲେ । ତା ବୋଉ ଭାତ କଂସାକୁ ତା ମୁହଁ ପାଖକୁ ନେଇ ଗୁଣ୍ଡାଏ ତା’ ମୁହଁରେ ଦେଲାବେଳକୁ ପରସ୍ପର ମୁଖକୁ ପରସ୍ପର ଦୃଷ୍ଟି ଦେବାମାତ୍ରେ ଅଶ୍ରୁଧାରାରେ ଭାତକଂସା ପୂର୍ଣ୍ଣ ହୋଇଗଲା । ବୋଉ ହାତରୁ ଭାତଗୁଣ୍ଡାକ ଖସି ପଡ଼ିଲା । ପିଉସୀ ଅପା ଏହା ଦେଖି ହାରର ବୋଉକୁ ଗାଳି ଦେଇ ଆଉ ଭାତ ଅଣାଇ, ନିଜେ ଏହା ପାଟିରେ ଗୁଣ୍ଡାଏ ଓ ତା ପାଟିରେ ଗୁଣ୍ଡାଏ ଭର୍ତ୍ତି କରିବାରେ ଲାଗିଲେ । ଯେଉଁମାନଙ୍କର ଯୁବତୀ ବିବାହ ପ୍ରଥା ନାହିଁ, ସେମାନଙ୍କ ଗୃହରେ ବିବାହ ପ୍ରକୃତ ଉତ୍ସବ ପରି ଜଣାପଡ଼େ । ଯଦିଚ କେହି କେହି ବିବାହ ବାସି ଦିନ ବହୂ ନେଇଯାନ୍ତି, ତଥାପି ଏତେ ଦୁଃଖଜାତ ହୁଏ ନାହିଁ; କାରଣ ସମସ୍ତେ ଜାଣନ୍ତି ଯେ, ଝିଅ ଶାଶୂଘର ମାଡ଼ି ଦଶ ବାର ଦିନ ମଧ୍ୟରେ ଫେରି ଆସିବ । ଯୁବତୀ ବିବାହ ପକ୍ଷରେ ଚାରିଆଡ଼ୁ ଅସୁବିଧା । ଏକେ ତ ବିବାହ ଖର୍ଚ୍ଚ, ତା ସଙ୍ଗେ ସଙ୍ଗେ ଯୌତୁକ ପ୍ରଭୃତିର ଆୟୋଜନ କରିବାକୁ ପଡ଼େ ଏବଂ ଉତ୍ସବ ସଙ୍ଗେ ସଙ୍ଗେ ଚିରଦିନ ପାଇଁ କନ୍ୟାକୁ ଅନ୍ତର କରିବାଦ୍ୱାରା ଶୋକଚିହ୍ନ ପ୍ରଜ୍ଜ୍ୱଳିତ ହୁଏ । ବାଲ୍ୟ ବିବାହ ହିନ୍ଦୁର ପରମଧନ, ସତୀତ୍ୱ ରକ୍ଷାର ପ୍ରଧାନ ସହାୟ । କାରଣ, କନ୍ୟାର ଅଜ୍ଞାନ ଅବସ୍ଥାରେ ପତି ନିର୍ଦ୍ଦିଷ୍ଟ ହୋଇଥାଏ; ସେ ଯେତେବେଳେ ଜ୍ଞାନବତୀ ହୁଏ, ତାକୁ ବେଶି ଦିନ ପିତୃଗୃହରେ ରହିବାକୁ ପଡ଼େ ନାହିଁ । ଯଦି ବା ସ୍ଥଳ ବିଶେଷରେ ବେଶି ଦିନ ରହିବାକୁ ବାଧ୍ୟ ହୁଏ ଏବଂ କେବେକେବେ ତାର ମନ ଦାମ୍ପତ୍ୟ ପ୍ରେମ ଆଡ଼କୁ ଆକୃଷ୍ଟ ହୁଏ, ସେତେବେଳେ ତାର ପତିର ରୂପ ତା ସମ୍ମୁଖରେ ଉପସ୍ଥିତ ହୁଏ । ଏଣୁ ତାର ମନ ଅନ୍ୟ ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ରହେନାହିଁ । ପୂର୍ବନିର୍ଦ୍ଦିଷ୍ଟ ପତି ସଙ୍ଗ ଅଚିରେ ଲାଭକରିବା ଆଶାରେ ସେ ଶାନ୍ତି ଲାଭକରେ । ଆଉ ମଧ୍ୟ ସ୍ୱାମୀ ପ୍ରତି ତାର ଆନ୍ତରିକ ସ୍ନେହ ଦିନକୁ ଦିନ ବଢ଼ୁଥାଏ । ଯୁବତୀ ବିବାହ ପକ୍ଷରେ କନ୍ୟା ଜ୍ଞାନଲାଭ କଲାପରେ ପିତାମାତା ଓ ଅଭିଭାବକଙ୍କର ତାହାର ବିବାହ କଥା ମନେ ପଡ଼େ । କେହି ଅର୍ଥ ସଂଗ୍ରହ କରୁ କରୁ, କେହି ଉପଯୁକ୍ତ ପାତ୍ର ଅନ୍ୱେଷଣ କରୁ କରୁ ବହୁକାଳ ଚାଲିଯାଏ । ଏ ମଧ୍ୟରେ କନ୍ୟା ଅବଶ୍ୟ ତାର ମନୋମତ ରୂପ ଗୁଣବିଶିଷ୍ଟ ଗୋଟିଏ ପତି କାମନା କରୁଥିବ; ମାତ୍ର ଶେଷରେ ପିତା ବା ଅରିଭାବକଙ୍କଦ୍ୱାରା ନିଶ୍ଚିତ ପତି ଲାଭ କରେ । ଯଦି ସେ ତାର ଇଚ୍ଛାମତ ନ ହୁଏ, ତେବେ ପତୀ-ପତ୍ନୀ ମଧ୍ୟରେ ମନ ମିଳେ ନାହିଁ ଏବଂ ସ୍ୱାମୀଙ୍କୁ ଅଗତ୍ୟା ଦାସୀ ପ୍ରଭୃତିଙ୍କର ବଶବର୍ତ୍ତୀ ହେବାକୁ ପଡ଼େ । ଆଉ ମଧ୍ୟ ଗୃହରେ ଚିର ଅଶାନ୍ତି ଜାତହୁଏ । କାହାରି କାହାରିକୁ ବାଲ୍ୟବିଧବାର ଦୁଃଖ ଅସହ୍ୟ ବୋଧ ହୋଇପାରେ, ମାତ୍ର ଯେଉଁମାନେ ଅତି ଅଳ୍ପ ଦିନ ସ୍ୱାମୀ ସହବାସ ସୁଖ ଅନୁଭବ କରି ବିଧବା ହେଲେ, ସେମାନଙ୍କ ପକ୍ଷରେ ସେ ସୁଖରୁ ଚିରଦିନ ପାଇଁ ବଞ୍ଚିତ ହେବା ଯେତେ କଷ୍ଟକର, ଯେଉଁମାନେ ଆଦୌ ସେ ସୁଖ ଅନୁଭବ କରି ନାହାନ୍ତି, ସେମାନଙ୍କ ପକ୍ଷରେ ତାହା ସେ ପରିମାଣରେ କଦାପି କଷ୍ଟକର ହେବ ନାହିଁ, ଏହା ସ୍ୱାଭାବିକ । ବାଲ୍ୟବିଧବାର କଷ୍ଟ ଯାହାହେଉ, ବାଲ୍ୟବିବାହ ପ୍ରଥା ସୁନ୍ଦର ଓ ସୁଚିନ୍ତିତ ଅଟେ । ସମାଜରେ ବାଲ୍ୟବିଧବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ଲଭୁଅଛି । ଏହାର କାରଣ ଦେଖିବାକୁ ଗଲେ ଜଣାଯାଏ ଯେ, ଅତି ଅଳ୍ପ ବୟସରେ, ଏପରିକି, ସାତବର୍ଷର କନ୍ୟାସଙ୍ଗେ ବାରତେରବର୍ଷ ପୁରୁଷର ବିବାହ ହେଉଅଛି । ଜ୍ୟୋତିଷଶାସ୍ତ୍ର କହେ ଯେ, ୨୨ ବର୍ଷ ଅତୀତ ନ ହେଲେ ମାନବର ଜୀବନ ସ୍ଥାୟୀ ହେବା ବିଷୟରେ ସନ୍ଦେହ; ୧୨, ୧୬, ୧୮ ଏବଂ ୨୨ବର୍ଷରେ ଅନେକଙ୍କର ମୃତ୍ୟୁହୁଏ । ଦଶ ବା ଏଗାର ବର୍ଷ କନ୍ୟାସହ ୨୩ବର୍ଷର ପୁରୁଷର ବିବାହ ହେଲେ ଏ ବିପଦର ଅଧିକ ଆଶଙ୍କା ଥାଏ ନାହିଁ, ଆଉ ମଧ୍ୟ ପ୍ରକୃତ ଦାମ୍ପତ୍ୟସୁଖ ମିଳେ । ପତ୍ନୀର ବୟସଠାରୁ ପତିର ବୟସ ୧୨ଠାରୁ ୧୫ବର୍ଷ ପର୍ଯ୍ୟନ୍ତ ଅଧିକ ହେବା ବାଞ୍ଛନୀୟ । ଲୋଭପରବଶ ହୋଇ ଚତୁର୍ଥ ବୟସରେ କେହି ତୃତୀୟ ପକ୍ଷ, କେହି ଚତୁର୍ଥ ପକ୍ଷ ସ୍ତ୍ରୀ ଗ୍ରହଣ କରିବାଦ୍ୱାରା ବାଲ୍ୟବିଧବାଙ୍କ ସଂଖ୍ୟାବୃଦ୍ଧିର ଅନ୍ୟତମ କାରଣ ହୋଇଥାନ୍ତି । ବରଂ ଯେଉଁ ସମାଜରେ ସ୍ତ୍ରୀମାନଙ୍କ ପକ୍ଷରେ ବୈଧବ୍ୟ ପାଳନ ପ୍ରଥା ଅଛି, ସେ ସମାଜରେ ପୁରୁଷମାନଙ୍କ କ୍ଷେତ୍ରରେ ଏକ ପତ୍ନୀ ବ୍ରତ ପାଳନ କରିବା ଉଚିତ ଅଟେ ।

 

ବର ପକ୍ଷରୁ ବରଡକା ବେଭାର, ପୁରୋହିତଙ୍କ ବେଭାର ଓ ସମ୍ୱନ୍ଧୀ ବେଭାର ଚଳିଲା । କନ୍ୟା ପକ୍ଷରୁ ବରପକ୍ଷ ପାଇଁ ପୁରୋହିତ ବେଭାର, ସମ୍ୱନ୍ଧୀ ବେଭାର ଓ ବରଯାତ୍ରୀ ବେଭାର ମଧ୍ୟ ପଠାଗଲା । ଏହାପରେ ବର ପକ୍ଷର ବାରିକ, ଗଉଡ଼ ଓ ବାଦ୍ୟକାର ପ୍ରଭୃତିଙ୍କୁ ବିଦାକି ଦିଆଗଲା ଉତ୍ତାରୁ ସମ୍ୱନ୍ଧୀ ନିମନ୍ତ୍ରଣ ପାଇଁ ବରପକ୍ଷର ଗୁଆ ପଠାଗଲା । ଏ ନିମନ୍ତ୍ରଣର ଅଭିପ୍ରାୟ ଏହି ଯେ, କନ୍ୟାପକ୍ଷରୁ କେବେ ଓ କିପରି ସମ୍ଭାର ସହକାରେ ସଙ୍ଖୋଳା ଦେଇ ବରଘରକୁ ଯିବେ, ତାହା ସେ ଜଣାଇଲେ ବରଘର ପୂର୍ବରୁ ସାବଧାନ ଥିବେ ।

 

ସମ୍ୱନ୍ଧୀ ନିମନ୍ତ୍ରଣ ଥାଳି ନଟବର ପଟ୍ଟନାୟକଙ୍କ ଘରେ ପହଞ୍ଚିବା ମାତ୍ରେ ପୁନରାୟ କ୍ରନ୍ଦନ ରୋଳ ଆକାଶ ଭେଦ କଲା, କାରଣ କନ୍ୟା ବିଦାୟର ଆଉ ବିଳମ୍ୱ ନାହିଁ । ବର କନ୍ୟାଙ୍କୁ ଜୁଅ ଖେଳାଇବାରେ ବନ୍ଦୋବସ୍ତ କରାଗଲା । ଜୁଅ ଖେଳ ଶେଷ ହେବାମାତ୍ରେ ବର କନ୍ୟା ଏକ ସଙ୍ଗେ ଗଣ୍ଠିଆଳ ପାଞ୍ଚିରେ ଛନ୍ଦା ହୋଇ ଘରୁ ବାହାରିବେ । ସେ ସମୟରେ ନ କାନ୍ଦିବା ପାଇଁ ହାରାମଣି ନିକଟରେ ତାର ପିଉସୀ ଅପା ଓ ସଙ୍ଗିନୀମାନେ ବସି କେତେ ପ୍ରକାର କଥାରେ ତାକୁ ବୁଝାଉଥାନ୍ତି । ଜୁଅ ଖେଳା ସମୟ ନିକଟ ଜାଣି ହାରାମଣିର ବୋଉ ଶେଷଥର ପାଇଁ କନ୍ୟାମୁଖ ଦେଖିବାକୁ ତା ନିକଟକୁ ଗଲେ । କନ୍ୟାମୁଖ ଚାହିଁ ଦେବାମାତ୍ରେ ଶୋକର ଶତଲହରୀ ଉଭୟଙ୍କ ନାଭି ପ୍ରଦେଶରୁ ଉଠିଲା । ପରସ୍ପର କୁଣ୍ଢାକୁଣ୍ଢି ହୋଇ ଦୀର୍ଘସ୍ୱରରେ କାନ୍ଦିବାକୁ ଲାଗିଲେ । ଏହା ଶେଷକ୍ରନ୍ଦନ । ଭୋର ସମୟର କ୍ରନ୍ଦନ ଅପେକ୍ଷା ବର୍ତ୍ତମାନ କ୍ରନ୍ଦନର ମାତ୍ରା ଅଧିକ । ଏ କ୍ରନ୍ଦନଧ୍ୱନି ଗ୍ରାମ ମଧ୍ୟସ୍ଥ ସମସ୍ତ ସ୍ତ୍ରୀ ଓ ବାଳକଙ୍କୁ ବରକନ୍ୟା ବିଦାୟର ସୂଚନା ଦେଲା । ସମସ୍ତେ ଆସି ହାରାମଣି ଗୃହରେ ଠୁଳ ହୋଇଗଲେ । ସେ ଖଞ୍ଜାରେ ଆଉ ତିଳ ପକାଇବାକୁ ସ୍ଥାନ ରହିଲା ନାହିଁ-। ହାରାମଣିର ଆପଣା ଲଗ୍ନିକ ସ୍ତ୍ରୀମାନେ ସେ ଘର ମଧ୍ୟରେ ପ୍ରବେଶ କରି କିଏ ତାର ହସ୍ତ, କିଏ ତାର ଅଙ୍ଗୁଳି, କିଏ ପଦ, କିଏ ପଠି–ଏପରି ଯେତେ ଜଣଙ୍କର ହସ୍ତ ତାର ଗାତ୍ର ସ୍ପର୍ଶ କରିପାରିଲା, ସେତେ ଜଣ ତାକୁ ଓ ତା ବୋଉକୁ ମଧ୍ୟରେ ରଖି ଦୀର୍ଘସ୍ୱରରେ କାନ୍ଦିବାକୁ ଲାଗିଲେ-। ଏଣେ ବରପକ୍ଷ ଲୁଗାପଟା ବାନ୍ଧି ସବାରି ଗଉଡ଼ ଠିକ୍‌ କରି ଚାହିଁ ବସିଥାନ୍ତି । କନ୍ୟାପକ୍ଷ ଯୌତୁକ ପଦାର୍ଥମାନ ବନ୍ଦୋବସ୍ତ କରିବାରେ ବ୍ୟସ୍ତଥାନ୍ତି । ହାରାମଣିର ପିଉସୀ ଅପା ବଡ଼ ଚତୁରୀ ଓ କାର୍ଯ୍ୟଦକ୍ଷା । ସେ ଏ ମଧ୍ୟରେ କନ୍ୟାର ସବାରୀତୁଳ ସଜାଡ଼ି ସବାରୀ ମଧ୍ୟକୁ ସବୁ ପଠାଇ ଦେଉଥାଏ । ସବାରୀ ଭିତରେ ଯେଉଁ ପଦାର୍ଥମାନ ଯାଏ, ତାର ଗୋଟିଏ ତାଲିକା ସଙ୍ଗରେ ଯାଏ । ତହିଁରେ କନ୍ୟାର ଅଙ୍ଗରେ ଥିବା ଅଳଙ୍କାର ଓ ସବାରୀରେ ଥିବା ଅନ୍ୟାନ୍ୟ ପଦାର୍ଥମାନ ଲେଖା ହୋଇଥାଏ । ଉକ୍ତ ତାଲିକା ବରଯାତ୍ରୀ ବିଦାକି ଦେବା ସମୟରେ ମଧ୍ୟ ଦେଖାଇବାକୁ ପଡ଼େ । ପୂର୍ବନିଶ୍ଚିତ ଅଳଙ୍କାର ମଧ୍ୟରୁ କିଛିକମ୍‌ ହୋଇଥିଲେ ସେଥିପାଇଁ କଥା ଗଣ୍ଠି ପଡ଼େ । ଦୈବାତ୍‌ କିଛି ଅଭାବ ଥିଲେ ବିନୟଭାବରେ କନ୍ୟାପକ୍ଷ ମୁରବି ସଙ୍ଖୋଳା ବେଭାର ସଙ୍ଗରେ ପଠାଇବାକୁ କହନ୍ତି-

 

ହାରାମଣି, ତା ବୋଉ ଓ ଅନ୍ୟାନ୍ୟ ସ୍ତ୍ରୀଲୋକମାନେ କାନ୍ଦି କାନ୍ଦି ଯେତେବେଳେ ଥକିଲେ–ସ୍ୱର କ୍ଷୀଣହୋଇ ଆସିଲା, ପିଉସୀ ଅପା ଜ୍ୱାଇଁଙ୍କୁ ଅଣାଇବାକୁ ସଂକେତ ଦେଇ ହାରାମଣି ଥିବା ଘର ମଧ୍ୟରେ ଭଣ୍ଡାରୁଣୀ ସହ ପ୍ରବେଶ କରି, କାନ୍ଦୁଥିବା ସ୍ତ୍ରୀଲୋକମାନଙ୍କୁ ଠେଲି ଦେଇ, ତା ବୋଉକୁ ଅନ୍ତର କରି ତାକୁ ଉଠାଇଲେ । ‘‘ମା ତୁନି ହୋ, ଜ୍ୱାଇଁ ଆସୁଛନ୍ତି, ନିନ୍ଦା ହେବ’’ ଏହା କହିବା ମାତ୍ରେ ହାରାମଣି ତାଙ୍କ ପାଦ ଧରି କାନ୍ଦିବାକୁ ଲାଗିଲା । ପିଉସୀ ଅପା ନିଜେ ଧୈର୍ଯ୍ୟଧରି ହାରକୁ ସଳଖେଇ ବସାଇଲେ ଓ ଭଣ୍ଡାରୁଣୀ ସାହାଯ୍ୟରେ ତାକୁ ଲୁଗା ଓ ଓଢ଼ଣା ପିନ୍ଧାଇ ଦେଲେ । ହାରର ବୋଉ ବାପା ଓ ସଙ୍ଗିନୀମାନଙ୍କୁ ଦେଖିବାକୁ ମନ ହେଉଥାଏ, ମାତ୍ର ଆଉ ସୁବିଧା ହେଲା ନାହିଁ, ଜ୍ୱାଇଁ ଆସି ପହଞ୍ଚିଗଲେ । ବର କନ୍ୟା ଏକତ୍ର ବସିଲେ, ଜୁଅ ଖେଳହେଲା । ତାହା ଶେଷ ହେବା ସଙ୍ଗେ ବରକନ୍ୟା ଏକ ସଙ୍ଗେ ଘରୁ ବାହାରିଲେ, ହୁଳହୁଳି ପଡ଼ିଲା, ହାର ବୋଉଙ୍କର କ୍ରନ୍ଦନ ସ୍ୱର ବଢ଼ିଲା । ସେ ସ୍ୱର ଯେପରି ହାର କାନକୁ ନ ଯାଏ, ସେଥିପାଇଁ ତା ପିଉସୀ ଅପା ସବୁ ସ୍ତ୍ରୀମାନଙ୍କୁ ଏକ ସଙ୍ଗେ ହୁଳହୁଳି ଦେବାକୁ କହୁଥାଏ । ହାରାମଣି ଲଜ୍ଜାରେ, ଉଚ୍ଚସ୍ୱରରେ କାନ୍ଦି ପାରୁ ନ ଥାଏ, ମାତ୍ର ତାର ପେଟ ଖାଲି ହାଲୁହାଲୁ ହେଉଥାଏ । ଭାଇ, କକା ପ୍ରଭୃତି ହାରକୁ ଧରି ସବାରୀ ମଧ୍ୟରେ ବସାଇଲେ । ସବୁ ପ୍ରସ୍ତୁତ ଥିଲା । ହାରାମଣି ସବାରୀ ମଧ୍ୟକୁ ଯିବାମାତ୍ରେ ଗଉଡ଼ମାନେ ସବାରୀ ଉଠାଇ’’ହୁଁ ଭାଇରେ’’ ଡାକ ଦେଲେ ।

 

ବିବାହ ପରଦିନ ବରଯାତ୍ରୀମାନଙ୍କର କନ୍ୟାଗୃହରେ ସ୍ନାନ ଭୋଜନ କରିବାର ନିୟମ ନାହିଁ । ବେଳ ପ୍ରାୟ ସାତଘଡ଼ି ହେଲାଣି । ଘନ ମାମୁ ସକାଳୁ ସେ ଗ୍ରାମ ପାର ହୋଇ ପ୍ରାୟ ଏକ କ୍ରୋଶ ଦୂରରେ ଅନ୍ୟ ଏକ ଗ୍ରାମ ନିକଟରେ ରୋଷାଇର ବନ୍ଦୋବସ୍ତ କରାଇଥାନ୍ତି । ସେ ସ୍ଥାନରେ ସମସ୍ତେ ପହଞ୍ଚି ଭୋଜନାଦି ସାରି ବାରଘଡ଼ି ବେଳକୁ ବାହାରିଲେ । ଘରକୁ ଆଗରୁ ଦଉଡ଼ିଆ ଯାଇଥିଲା । ସେଠାରେ ରୋଷନାଇ ବନ୍ଦୋବସ୍ତ ସବୁଠିକ୍‌ ଥିଲା । ଯେପରି ସମ୍ଭାରରେ କନ୍ୟାଘରକୁ ଆସିଥିଲେ, ସେହିପରି ରୋଷନାଇ ସହ ନିଜଗ୍ରାମ ମଧ୍ୟ ଦେଇ ଘରେ ପ୍ରବେଶ କରିବାକୁ ହେବ । ଗ୍ରାମ ନିକଟରେ ପହଞ୍ଚିଲାବେଳକୁ ରାତି ପ୍ରାୟ ବାରଘଡ଼ି ହେଲାଣି । ରୋଷନାଇ ସହ ଘରେ ପହଞ୍ଚିଲାବେଳକୁ ରାତି ପ୍ରାୟ ଶେଷ ହୋଇଗଲା । ବାଟଚଲା, ରାତି ଅନିଦ୍ରା, ପହଞ୍ଚିବାମାତ୍ରେ ଯେ ଯୁଆଡ଼େ ପଡ଼ିଗଲେ । ଘନ ମାମୁ ସକଳ ପଦାର୍ଥ ସଜାଡ଼ି ରଖିବାରେ ଲାଗିଥାନ୍ତି । ରାତି ପାହିଲାରୁ ଗାଁ ମାଇପେ ବହୂ ଓ ଭାର ଦେଖିବାକୁ ମଦନ ମହାନ୍ତିଙ୍କ ଘରେ ଜମା ହୋଇଗଲେ ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ଘନ ବୋଉଙ୍କର ମନ ଆଜି ଆନନ୍ଦରେ ନାଚି ଉଠୁଅଛି । ସେ ଯୌତୁକ ପଦାର୍ଥମାନ ସଜାଡ଼ି ରଖିବା, ଆଗନ୍ତୁକଙ୍କୁ ଦେଖାଇବା, ଆଉ ରନ୍ଧାବଢ଼ାରେ ଲାଗିଗଲେ । କ୍ରମେ ଚତୁର୍ଥୀ ଓ ସପ୍ତମଙ୍ଗଳା ଶେଷହେଲା । ଦଶମଙ୍ଗଳା କିମ୍ୱା ଷୋଳମଙ୍ଗଳା ମଧ୍ୟରେ ସଙ୍ଖୋଳା ଆସିବାର କଥା, ଯଦି କାହାର କିଛି ଅସୁବିଧା ଥାଏ, ତେବେ ଆଗରେ ଥିବା ପୂର୍ଣ୍ଣିମା ଦିନ ଆସେ । ବିବାହ ସମୟରେ ଯେଉଁ ଗହଣାଗୁଡ଼ିକ ତିଆରି ହୋଇ ପାରି ନ ଥାଏ, ଘର ମଧ୍ୟରୁ କିମ୍ୱା କୁଟୁମ୍ୱ ମଧ୍ୟରୁ ମାଗି ଆଣି କାମଚଳାଇ ଦେଇଥାନ୍ତି । ସେ ସବୁ ଅଳଙ୍କାର ତିଆରି କରି ଯୌତୁକ ପଦାର୍ଥ ମଧ୍ୟରୁ ଯାହାର ବାକିଥାଏ ସେସବୁ, ଆଉ ବରଘରେ ପିଲାବାଳକ ସହ ଯେତେ ଲୋକଥିବେ, ସେ ସମସ୍ତଙ୍କ ପାଇଁ ଲୁଗା ସଙ୍ଖୋଳା ଦିନ ଯାଏ । ଯାହାର ଶକ୍ତିଥାଏ, ସେ ବରର କୁଟୁମ୍ୱୀ ଭାଇମାନଙ୍କ ପାଇଁ ମଧ୍ୟ ଲୁଗା ନିଏ । ବର ଘର ଅବସ୍ଥା ଦୃଷ୍ଟିରେ କନ୍ୟାପକ୍ଷ ସାଆନ୍ତ ଓ ସବାରୀ, ଘୋଡ଼ା, ବାଦ୍ୟ ଏବଂ ରୋଷନାଇ ସହ ବର ଘରେ ଉପସ୍ଥିତ ହୁଅନ୍ତି ।

 

ନଟବର ପଟ୍ଟନାୟକ ଦଶମଙ୍ଗଳା ଦିନ ସଙ୍ଖୋଳାବେଭାର ପଠାଇ ଦେଲେ । ସଙ୍ଖୋଳାଭାର ପ୍ରଭୃତି ଘନଙ୍କ ଗ୍ରାମ ପାଟଣା ମଧ୍ୟରେ ଗଲାବେଳକୁ ତେଲୀ ମହାଜନ ପିଣ୍ଡାରେ ଜଣକେତେ ବୁଢ଼ା ବସିଥାନ୍ତି । ଜଣେ ତେଲୀ ମହାଜନକୁ କହିଲା, ‘‘ହଇହେ ମହାଜନ ଭାଇ ଏ ବିବାହ କାର୍ଯ୍ୟ ତ ଶେଷହେଲା, ସଙ୍ଖୋଳା ଆସିବାକୁ ଏତେ ଘୋଡ଼ା, ସବାରୀ, ଲୋକ ଏବଂ ରୋଷନିର ଆଡ଼ମ୍ୱର କାହିଁକି ? ଘର ମଧ୍ୟରୁ ଜଣେ କେହି ପୁରୁଖାଲୋକ ଆସିଥିଲେ କ’ଣ କ୍ଷତି ହୁଅନ୍ତା ?’’ ମହାଜନ ବୁଢ଼ା କହିଲା, ‘‘ଆରେ ଭାଇ, କରଣଢଙ୍ଗ, ପଚାରୁଛ କ’ଣ ? ଲୋକେ ଜାଣିବେ କିପରି ? କନ୍ୟାଘର ବଡ଼ଘରୁଆ, କିପରି ସମ୍ଭାରରେ ଆସୁଛି, କରଣ ଢପ ଜାଣିନାହଁ ? ଆଗରୁ ପାଞ୍ଚଶ ଖର୍ଚ୍ଚର ବରାଦ ଥିଲେ କାର୍ଯ୍ୟଶେଷକୁ ହଜାରେ ମୁଣ୍ଡ ମରିଯାଏ । କାର୍ଯ୍ୟବେଳକୁ ଯେଉଁଠାରୁ ଯାହା ପାନ୍ତି, ଦରାଣ୍ଡି ଦୁରାଣ୍ଡି କାମଉଠାଇ ଦିଅନ୍ତି । କାର୍ଯ୍ୟ ପରେ ବର୍ଷେଯାଏ ଲୋକମାନେ ନିଜ ନିଜ ପାଉଣା ପାଇଁ ଚାଲିଥାନ୍ତି । ଶେଷରେ ମହାଜନ ଦ୍ୱାର ଆଶ୍ରୟ । ଆଉ ଗୋଟିଏ କାର୍ଯ୍ୟ କଲାବେଳକୁ କେବଳ ଥାଏ ଲମ୍ୱ ପିନ୍ଧା, ଆଉ ଲମ୍ୱା ଲମ୍ୱା କଥା ।’’ ଜଣେ କହିଲା, ‘‘ଆରେ ଭାଇ, ସେପରି ନ ହେଲେ ଗଉଡ଼ ପାଣ ପ୍ରଭୃତି ଗରିବ ଲୋକମାନେ ପୋଷି ହେବେ କିପରି ?

 

ସଙ୍ଖୋଳା ଉତ୍ସବ ଶେଷହେଲା । ଘନ ନବ ଦାମ୍ପତ୍ୟ ସୁଖରେ ଲିପ୍ତ ରହିଲେ । ତାଙ୍କର ବୋଉକୁ ବର୍ତ୍ତମାନ ଘର ଘରପରି ବୋଧ ହେଲା । ସେ ଭାବିଲେ, ମୋର ଦିନ ଏଥର ସୁଖରେ କଟିବ । ଈଶ୍ୱର କୃପା କରି ଘନକୁ ଗୋଟିଏ ବାଳକ ଦେଲେ ତାଙ୍କର ଚର୍ମ ଆଖି ସାର୍ଥକ ହେବ । ଏହିପରି ଭାବି ସେ ଆଶା-ସୁଖରେ ସୁଖୀହେଲେ । ମାତ୍ର ମନୁଷ୍ୟ ଯେପରି ଭାବେ, ସମସ୍ତଙ୍କ ପକ୍ଷରେ ସେପରି ଘଟେ ନାହିଁ, କାଳରଗତି କୁଟିଳ–ଆଜି ଯେ ପରମବନ୍ଧୁ, କାଲି ସେ ପରମଶତ୍ରୁ; ଆଜି ଯାହାକୁ ଦଣ୍ଡେ ନ ଦେଖିଲେ ମନ ଥୟ ହୁଏ ନାହିଁ, କାଲି ତାର ଛାଇ ପଡ଼ିଲେ ନାହି ଡିଏଁ । ଘନ ବୋଉ ଭାବିଲେ ଯେ, ଘନର ବିବାହ ପରେ ତାଙ୍କୁ ଆଉ ଅଶାନ୍ତି ଭୋଗିବାକୁ ହେବ ନାହିଁ, ଦେଖାଯାଉ, ତାଙ୍କ ଭାଗ୍ୟରେ କ’ଣ ଘଟୁଛି !

Image

 

ଉନବିଂଶ ପରିଚ୍ଛେଦ

 

ମନୁଷ୍ୟ କ’ଣ ଚାହେଁ, ଏ କଥା ପ୍ରତ୍ୟେକ ଲୋକକୁ ପ୍ରଶ୍ନ କଲେ ଜଣାଯିବ ଯେ, କାହାର ଧନ, କାହାର ପୁଅ, କାହାର ଭଲ ଘର, କାହାର ଭଲ ଚାକିରି, କାହାର ଭଲ ସ୍ତ୍ରୀ, କାହାର ଉତ୍ତମସ୍ୱାସ୍ଥ୍ୟ, କାହାର ବା ଯଶ ଲୋଡ଼ା; ମାତ୍ର ଏ ସମସ୍ତ ଏକ ସଙ୍ଗେ କାହାକୁ ମିଳେ ନାହିଁ । ସଂସାରରେ ବି ବଡ଼ ଓ କି ସାନ ସକଳ ପ୍ରକାର ଲୋକମାନଙ୍କର ଜୀବନ ପରୀକ୍ଷା କରି ଦେଖିବ, ଏ ସବୁ ମଧ୍ୟରୁ କିଛିହେଲେ ଅଭାବ ଥିବ । ହରିବୋଲ–ଛାଡ଼ିଗଲି । କେତେଗୁଡ଼ିଏ ଲୋକ ଦେଖାଯାନ୍ତି, ସେମାନଙ୍କର କେବଳ ଗ୍ରାସ ହିଁ ସାର । ଯେପରିକି, କେବଳ ଭୋଜନ ପାଇଁ ସେମାନଙ୍କର ଜୀବନ ଧାରଣ । ପୂର୍ଣ୍ଣ ଭୋଜନ ମିଳିଲେ ସେମାନେ ପରମଶାନ୍ତି ଲାଭ କରନ୍ତି ।

 

ଘନଙ୍କ ପିତାଙ୍କର ଅବସ୍ଥା ଦୃଷ୍ଟିରେ ତାଙ୍କର ବର୍ତ୍ତମାନ ଧନ, ଘର, ଚାକିରି ଓ ନାମ ଢେର ବେଶି; ମାତ୍ର କାହିଁରେ ତୃପ୍ତି ନାହିଁ । ଆହୁରି ଧନ, ଆହୁରି ଘର, ବଡ଼ ଚାକିରି ଓ ଅଧିକ ନାମ ପାଇଁ ଭାବନା, ଏହା ତ ମନୁଷ୍ୟର ପ୍ରକୃତି । ଏପରି ଅତୃପ୍ତ ଆକାଂକ୍ଷା ଲୋକମାନଙ୍କର ନ ଥିଲେ ସମାଜ ବିଚେଷ୍ଟ ହୋଇ ପଡ଼ନ୍ତା । ଘନଙ୍କର ଛୁଟି ଶେଷହେଲା, ତାଙ୍କର ମନ ଆଉ ଘରେ ରହିଲା ନାହିଁ । ସେ ଯେତେକ ପଇସା ରଖିଥିଲେ, ବିବାହରେ ସମସ୍ତ ବ୍ୟୟକରି ଦେଲେ । ବନ୍ଦୋବସ୍ତ କାମ ତ ସ୍ଥାୟୀ ନୁହେଁ । କିପରି ଗୋଟିଏ ଭଲ ସ୍ଥାୟୀ ଚାକିରି ମିଳିବ, ଏ ଭାବନାରେ ନିବିଷ୍ଟ ରହି ସେ ସ୍ୱକର୍ମକୁ ବାହାରିଲେ । ସେ ନିଜକାର୍ଯ୍ୟରେ ଯୋଗ ଦେଇ ଅର୍ଥ ସଂଗ୍ରହରେ ଲାଗିଲେ । ଏ ମଧ୍ୟରେ କାଉପୁର ମହାଶୟଙ୍କର କେତେକ ଇଲାକାର ସୀମାବିବାଦ ତଦନ୍ତ ପାଇଁ ତାଙ୍କୁ ଆଦେଶ ହେଲା । ବିବାଦସ୍ଥଳରେ ଉପସ୍ଥିତ ହେଲାବେଳକୁ ମହାଶୟଙ୍କର କେହି ଲୋକ ସେଠାରେ ଉପସ୍ଥିତ ନ ଥିଲେ-। କିଛିକ୍ଷଣ ପରେ ସବାରୀ ଡାକଶୁଭିଲା । ଘନ ଚାହିଁଦେଲେ ଯେ, ଖଣ୍ଡେ ଦୂରରେ ଖଣ୍ଡେ ସବାରୀ ପଛରେ ଅନେକ ଲୋକ ଗୋଡ଼ାଇ ଅଛନ୍ତି । ସେଭାବିଲେ, ମହାଶୟ ନିଜେ ଆସୁଛନ୍ତି । ମାତ୍ର ବୁଝିଲାବେଳକୁ ମାସିକ ଦୁଇଟଙ୍କା ଦରମା ପାଉଥିବା ଜଣେ ନାଏବ ଆସୁଅଛନ୍ତି । ସବାରୀ, ଝାଲର, ବିଛଣା, ଆଉ ପିକଦାନୀ ପ୍ରଭୃତିର ଆଡ଼ମ୍ୱର ଓ ସଙ୍ଗରେ ଗୋଡ଼ାଇଥିବା ଲୋକମାନଙ୍କର ଆଜ୍ଞା, ମଣିମା, ହଜୁର ପ୍ରଭୃତି ସମ୍ୱୋଧନ ଦେଖି ଓ ଶୁଣି ଘନ ଅବାକ୍‌ ହୋଇଗଲେ । ତାଙ୍କ ସଙ୍ଗରେ ଥିବାଲୋକମାନଙ୍କ ସଙ୍ଗରେ କଥାବାର୍ତ୍ତା ହୋଇ ସେ ବୁଝିଲେ ଯେ, ନାଏବବାବୁ ପାଏ ବାଟ ଗଲେ ସବାରିରେ ଯାନ୍ତି । ଆଖଡ଼ା ବାଲା ପଞ୍ଝାଏ ପୋଷିଥାନ୍ତି । ଚାକର ତିନିଚାରି ଜଣ ଥାନ୍ତି, ତାହାଛଡ଼ା ଇଲାକା ମଧ୍ୟରେ ଥିବା ପୂଜାହାରୀ, ଗଉଡ଼ ଓ ବାରିକମାନେ ମଧ୍ୟ ବେଠିରେ ସମସ୍ତ କାମକରି ଦିଅନ୍ତି । ନାଏବ ନିଜେ ମଧ୍ୟ ଜମିଦାରୀ କିଛି କିଣିଲେଣି । ଏ ସବୁ କଥା ଶୁଣି ଘନଙ୍କର ନାଏବ କାମ ପ୍ରତି ବଡ଼ ଲୋଭହେଲା । ସେ ମନେ ମନେ ଭାବିଲେ, ଏପରି କାମଖଣ୍ଡିଏ ହେଲେ ତାଙ୍କର ଆଶା ପୂର୍ଣ୍ଣ ହୁଅନ୍ତା । ସେ ନାଏବଙ୍କ ବସାରେ ତିନି ଦିନ ରହିଲେ । ନାଏବଙ୍କ କ୍ଷମତା ଓ ଭୋଗବିଳାସ ଇତ୍ୟାଦି ସେ ଯାହା ଶୁଣିଥିଲେ, ଏବେ କାର୍ଯ୍ୟରେ ଦେଖିଲେ । ଶେଷ ଦିନ ମହାଶୟଙ୍କର ସଦର ଗୁମାସ୍ତା ଆସି ପହଞ୍ଚିଲେ । ହେଡ଼୍‌ ଅମିନ ଜମିଦାର ସପକ୍ଷରେ ରିପୋର୍ଟ ଦେଲେ । ଉତ୍ତମ ପୁରସ୍କାର ପାଇବାର ଆଶାଥିବାର ଘନଙ୍କୁ ଜଣାଇ ଦିଆଗଲା । ଘନ ବଡ଼ଚତୁର ଲୋକ । ସେ’ପୁରସ୍କାର ଲୋଡ଼ା ନାହିଁ’ କହି ବନ୍ଦୋବସ୍ତ କାର୍ଯ୍ୟ ଶେଷରେ ଜମିଦାରଙ୍କ ଅଧୀନରେ ଖଣ୍ଡେ କାମ କିପରି ପାଇବେ, ଏ କଥା ଜମିଦାରଙ୍କୁ ଜଣାଇ ଦେବାକୁ ସେ ସଦର ଗୁମାସ୍ତାଙ୍କୁ ଅନୁରୋଧ କରି ଜମିଦାରଙ୍କ ଅନୁକୂଳରେ ରିପୋର୍ଟ ଲେଖି ସଦର ଗୁମାସ୍ତା ଓ ନାଏବଙ୍କୁ ତାହା ଶୁଣାଇ ଦେଇ ବନ୍ଦୋବସ୍ତ ହାକିମଙ୍କ ନିକଟକୁ ପଠାଇ ଦେଲେ । ଘନଙ୍କର ଯୋଗ୍ୟତା, ହାତଲେଖା ଓ ମିଷ୍ଟାଳାପ ପ୍ରଭୃତିରେ ସଦର ଗୁମାସ୍ତା ଅତି ପ୍ରୀତ ହୋଇ ତାଙ୍କର ନାମ ଓ ଘର ପ୍ରଭୃତି ଟିପିନେଲେ । ଘନ ମଧ୍ୟ ନିଜର ପ୍ରଶଂସାପତ୍ରଗୁଡ଼ିକ ତାଙ୍କୁ ଦେଖାଇ ଦେଲେ । ସଦର ଗୁମାସ୍ତା ଫେରି ଯାଇ ଜମିଦାରଙ୍କ ଆଗରେ ହେଡ଼୍‌ ଅମିନଙ୍କର ବଡ଼ ସୁଖ୍ୟାତି କଲେ । ବନ୍ଦୋବସ୍ତ କାମ ଶେଷ ହୋଇ ଆସିଲା । ଘନଙ୍କର କାର୍ଯ୍ୟଦକ୍ଷତା ଯୋଗେ ହାକିମ ତାଙ୍କୁ ବନ୍ଦୋବସ୍ତ ଅଫିସରେ ମୋହରିର କାମ ଦେଲେ, ମାତ୍ର ତାଙ୍କର ଧ୍ୟାନ ନାଏବ କାମରେ ରହିଲା । ସେ ବଡ଼ କପାଳିଆ । କିଛି ଦିନ ପରେ କାଉପୁର ମହାଶୟଙ୍କର ସଦର ଗୁମାସ୍ତା ପାଖରୁ ଖବର ଆସିଲା ଯେ, ଜଣେ ନାଏବ ତହବିଲ ତୋଷରଫ କରି ବରଖାସ୍ତ ହୋଇଅଛନ୍ତି । ସେକାମ ପାଇଁ ଘନ ଚେଷ୍ଟାକରନ୍ତୁ ଓ ଜମିଦାରଙ୍କ ସଙ୍ଗେ ସାକ୍ଷାତ୍‌ କରନ୍ତୁ । ଘନ ଛୁଟିନେଇ ମହାଶୟଙ୍କର ସଙ୍ଗରେ ସାକ୍ଷାତ୍‌ କଲେ । ପୂର୍ବରୁ ତାଙ୍କର ଗୁଣଗ୍ରାମ ମହାଶୟଙ୍କ କର୍ଣ୍ଣରେ ପଡ଼ିଥିଲା । ବର୍ତ୍ତମାନ ଜମିଦାର ତାଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ତାଙ୍କଠାରେ ପ୍ରସନ୍ନ ହେଲେ ଏବଂ ମାସିକ ପାଞ୍ଚଟଙ୍କା ବେତନରେ ତାଙ୍କୁ ନାଏବ କାମରେ ନିଯୁକ୍ତ କଲେ । ଯୋଗକୁ ଘନଙ୍କର ଇଲାକା ତାଙ୍କର ଘର ନିକଟଥିଲା–ପ୍ରାୟ ଏକ ଦିନର ବାଟ । ସେ ଏ ସୁଯୋଗ ପାଇ ବନ୍ଦୋବସ୍ତ ହାକିମଙ୍କ ନିକଟକୁ ଖଣ୍ଡିଏ ଇସ୍ତଫା ପଠାଇ ଦେଇ ନାଏବ ଆସନରେ ଆସୀନ ହେଲେ ।

 

ଘନ ବଡ଼ବୁଦ୍ଧିମାନ୍‌ । ସୀମାବିବାଦବେଳେ ନାଏବଙ୍କ ସଙ୍ଗରେ ତିନି ଦିନ ଚଳି ସେ ନାଏବ କାମର ଢଙ୍ଗଢାଙ୍ଗ ବୁଝି ଯାଇଥିଲେ । ଏଣୁ ବର୍ତ୍ତମାନ ତାଙ୍କୁ କିଛି ଅଡ଼ୁଆବୋଧ ହେଲା ନାହିଁ-। ଗାଦି ମାଡ଼ି ବସିଲା ମାତ୍ରେ ସେ ନିଜର ବ୍ୟକ୍ତିତ୍ୱ ପ୍ରକାଶ କରିଦେଲେ । ମହାଶୟଙ୍କର କୃପାଦୃଷ୍ଟି ଆକର୍ଷଣ ପାଇଁ ଘନ ଭଲ ମାଛ, ଦହି ଓ ପରିବା ଭାରକୁ ଭାର ତାଙ୍କ ଉଆସକୁ ପଠାଇବାକୁ ଲାଗିଲେ । ମହାଶୟଙ୍କର ତାଙ୍କ ଉପରେ ଦିନକୁ ଦିନ ଶ୍ରଦ୍ଧା ଓ ବିଶ୍ୱାସ ବଢ଼ିଲା । ସାମାନ୍ୟ ଉତ୍ସବ ହେଲେ ସେ ଘନଙ୍କ ପାଖକୁ ନିମନ୍ତ୍ରଣ ପଠାନ୍ତି । ସେ ଅନେକଭାର ଯୋଗାଡ଼ କରି ଗୋଟା କେତେ ନିଜଘରକୁ ପଠାଇ ଦେଲେ, ଆଉ ଗୋଟା କେତେ ସଙ୍ଗରେ ଧରି ଜମିଦାରଙ୍କ ଘରକୁ ଯାନ୍ତି । ଜମିଦାରଙ୍କର ସମସ୍ତ ନାଏବଙ୍କ ମଧ୍ୟରେ ଘନଙ୍କ ନାମ ଦିନକୁ ଦିନ ବଢ଼ିଲା ଓ ଜମିଦାର ନିଜେ ଘନକୁ ଦେଖି ଖାତର କରି ଶ୍ରଦ୍ଧାକରିବାରୁ ତାଙ୍କ ଇଲାକାର ଲୋକମାନେ ତାଙ୍କୁ ବଡ଼ ଭୟ କଲେ ଏବଂ ତାଙ୍କ କଥାରୁ କେହି ବାହାର ହେଲେ ନାହିଁ । ସେ ନିଜ ଇଲାକାରେ ରାଜଶକ୍ତି ପରିଚାଳନ କରି ରାଜଭୋଗରେ କାଳଯାପନ କରିବାକୁ ଲାଗିଲେ । ହାରିଗୁହାରି ପ୍ରଭୃତିରେ ତଣ୍ଡ ଏବଂ ଘାଟ, ବାଟ ଓ ହାଟ ପ୍ରଭୃତିର ଆୟରେ ବର୍ଷକୁ ବର୍ଷ ନିଜ ଗ୍ରାମରେ ଜମିର ପରିମାଣ, ଗାଈଗୋରୁ ସଂଖ୍ୟା ଓ ଧାନ ପ୍ରଭୃତି ବଢ଼ାଇ ଧାନ ଓ ଟଙ୍କାର ମହାଜନୀ ବଢ଼ାଇଲେ । ଘନଙ୍କର ଘରକୁ ପ୍ରତିମାସରେ ଭାର ପରେ ଭାର ଚାଲିଥାଏ । ଲୋକେ ଦେଖି କାବା ହୋଇଯାଉଥାନ୍ତି ।

 

ଘନଙ୍କ ବୋଉ ଘରଖର୍ଚ୍ଚ କରି ଯାହା ବଳେ ତାହା ନିଜର ସ୍ନେହପ୍ରୀତି ଲୋକ ଦେଖିବାଣ୍ଟି ଦେଉଥାନ୍ତି । ମାତ୍ର ଘନଙ୍କ ସ୍ତ୍ରୀକୁ ତାହା ଭଲ ଲାଗେ ନାହିଁ । ତେଣୁ ସେ ନାନା କଥା କହନ୍ତି । ଏହିପରି କେତେକ କାରଣରୁ ଶାଶୁବୋହୂଙ୍କ ମଧ୍ୟରେ ମନୋମାଳିନ୍ୟ ଦିନକୁ ଦିନ ବଢ଼ିଲା । ମଦନ ମହାନ୍ତି ଥିବାରୁ ତାହା ବେଶିଦୂର ଯାଇ ପାରୁ ନ ଥିଲା । କାରଣ, ସେ ଦୁଇ ଜଣଙ୍କର ତାଙ୍କ ପ୍ରତି ଭୟ ଥିଲା । ମଦନ ମହାନ୍ତି ପ୍ରତିଦିନ ଈଶ୍ୱରଙ୍କୁ ମୁଣ୍ଡିଆ ମାରୁଥାନ୍ତି, ଯେପରି ସେ ନାତିମୁଖ ଦେଖି ସଂସାର ଲୀଳା ଶେଷ କରିବେ । ବର୍ତ୍ତମାନ ଈଶ୍ୱର ତାଙ୍କର ସବୁ ବିଷୟରେ ମଙ୍ଗଳ କରିଅଛନ୍ତି, କେବଳ ନାତିଟିଏ ଅଭାବ । ମାତ୍ର ତାଙ୍କର କାମନା ପୂର୍ଣ୍ଣ ହୋଇ ପାରିଲା ନାହିଁ । ଘନଙ୍କର ଗୋଟିଏ କନ୍ୟା ଜନ୍ମି ଅନ୍ତୁଡ଼ିଶାଳରେ ପଞ୍ଚତ୍ୱ ଭଜିଲା । ମହାନ୍ତିଙ୍କ ମନରେ ଦିନକୁ ଦିନ ଅଶାନ୍ତି ବଢ଼ିଲା । ତାଙ୍କର ବୟସ ହୋଇ ଯାଇଥିଲା, ମାତ୍ର ସେ କେବେ ଦାରୁଣ ରୋଗଯନ୍ତ୍ରଣା ଭୋଗି ନ ଥିଲେ । ଏହି ମାନସିକ ଅଶାନ୍ତି ଯୋଗୁଁ ତାଙ୍କର ଆମାଶୟ ରୋଗ ଆରମ୍ଭ ହେଲା ଏବଂ ତାହା କ୍ରମେକ୍ରମେ ଗ୍ରହଣୀରେ ପରିଣତ ହେଲା । ପାଦ ଫୁଲିବାର ଦେଖି ତାଙ୍କର ପୁରୋହିତେ ଘନ ନିକଟକୁ ପତ୍ର ଦେଲେ । ସେ ପତ୍ରର କଥାଟା ଖୋଲିକରି ଲେଖି ଦେଲେ ଯେ, ବୃଦ୍ଧ ବୟସରେ ଗ୍ରହଣୀ ରୋଗ ହୋଇ ପାଦ ଶୋଥ ହେଲେ ମୃତ୍ୟୁ ନିଶ୍ଚୟ ନିକଟ ବୋଲି ଜାଣିବାକୁ ହେବ । ଘନ ଜମିଦାରଙ୍କୁ ଜଣାଇ ଗୃହକୁ ଆସିଲେ । ବେଶି ଦିନ ଗଲା ନାହିଁ, ମଦନ ମହାନ୍ତିଙ୍କର ସଂସାର ଲୀଳା ସାଙ୍ଗ ହେଲା । ଘନ ଜମିଦାରଙ୍କ ଠାରୁ ଯଥେଷ୍ଟ ସାହାଯ୍ୟ ପାଇ ପିତାଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟ ମହାସମାରୋହରେ ଶେଷକଲେ । ତାଙ୍କୁ ସଂସାର ବର୍ତ୍ତମାନ ଭିନ୍ନାକାର ଦେଖାଗଲା । ପିତାଥିବାରୁ ଗୃହଚିନ୍ତା ତାଙ୍କୁ ଲାଗି ନ ଥିଲା । ସେଏକାକୀ ଦୂରରେ ରହି ଘର, ଚାଷ, ଗାଈଗୋରୁ ଓ ମହାଜନୀ କିପରି ଚଳାଇବେ, ଏହା ଭାବି ଭାବି ଶେଷରେ ଜଣେ ଗୁମାସ୍ତା ରଖି କର୍ମକ୍ଷେତ୍ରକୁ ବାହାରିଲେ । ମାତ୍ର ଗୁମାସ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭର ରଖି ସେ ଥୟ ହୋଇପାରନ୍ତି ନାହିଁ । ପ୍ରତି ମାସରେ ଘରକୁ ଆସୁଥାନ୍ତି । ଏଣିକି ସେ ଘୋଡ଼ାରେ ଯିବା ଆସିବା ନ କରି ସବାରୀ ବ୍ୟବହାର କଲେ । ତାଙ୍କ ଗ୍ରାମରୁ ବୁଢ଼ାମାନେ ଗୋଟିକ ପରେ ଗୋଟିଏ ଚାଲି ଯାଉଥାନ୍ତି । ଆଉମାନେ ଏଣିକି ଘନ ବିରକ୍ତ ହେବା ଭୟରେ ‘ଘନ’ ବା’ ‘ଅବଧାନ ପୁଅ’ ନ କେହି ନାଏବବାବୁ କହିବାକୁ ବାଧ୍ୟ ହେଲେଣି । ଘନଙ୍କର ଚାକର ଓ ଅନୁସରଣିଆମାନେ କଥାପଦକେ ‘ନାଏବବାବୁ’ କହି ତାଙ୍କ କଥା ଆରମ୍ଭ କରନ୍ତି । ଏଣୁ ଲେଖକ ଏଣିକି ଘନଙ୍କର ନାମ ନାଏବବାବୁ ବୋଲି ଖାରଜ ଦାଖଲ କରିବାକୁ ବାଧ୍ୟ ହେବେ ।

Image

 

ବିଂଶ ପରିଚ୍ଛେଦ

 

ଅର୍ଥ କିପରି ଅନର୍ଥ, ସାମର୍ଥ୍ୟର ମୂଳ, ତାହା ବହିର୍ଜଗତରେ ଅହରହ ଦେଖା ଯାଉଅଛି । କିଏ ଅଚଳ କ୍ରୋଡ଼ସ୍ଥ ରାଜପ୍ରାସାଦରେ ଥାଇ ବିଳାସ ସୁଖରେ ଅଚଳ ଓ ନିଦ୍ରିତ, କିଏ ନଗରର ସୌଧାଚଳରେ ସଦା ସଚଳ ଓ ଜାଗ୍ରତ, କିଏ ପରସ୍ୱହରଣ ପାଇଁ ସଦା ତତ୍ପର, କିଏ ବା ନିଜସ୍ୱ ବଳିଦାନ ପାଇଁ ଅନ୍ୟ ସଙ୍ଗରେ ଶ୍ୱାନ ପରି ଅନୁଧାବମାନ; କାହିଁ ତରୁଣୀ ବୃଦ୍ଧ ଅଙ୍ଗରେ ଶାୟିତା, କାହିଁ ତରୁଣ ଲାଞ୍ଛିତ; କାହିଁ ଯୁବକ ବୃଦ୍ଧ ସଦୃଶ, କାହିଁ ବୁଦ୍ଧ ଯୁବକସଦୃଶ କର୍ମଠ; କାହିଁ ପତିତ ପାନ୍ତର ଓ ଘୋର ଅରଣ୍ୟାନୀ ବିଚିତ୍ରହର୍ମ୍ୟ ଓ ଉପବନରେ ରାଜିତ, କାହିଁ ଚାରୁସୌଧମାନ ଓ ଉପବନ ଶ୍ରେଣୀ ଅକର୍ମଣ୍ୟ ଅରଣ୍ୟରେ ପରିଣତ; କାହିଁ ନୀରକ୍ଷ ପଶୁ କାର୍ଯ୍ୟଭାରରେ ଜୀର୍ଣ୍ଣ ଶୀର୍ଣ୍ଣ, କାହିଁ ବିନା କାର୍ଯ୍ୟରେ ଆଜୀବନ ପାଳିତ; କାହିଁ ପଣ୍ଡିତ ମୂର୍ଖ ସଦୃଶ ହେୟ, କାହିଁ ମୂର୍ଖ ସାଧୁ ପରି ଆଦୃତ; କାହିଁ ଲୋକ ପରକୁ ବିପଦ ମୁଖରେ ଦେଇ ନିଜର ଜୀବନ ରକ୍ଷଣ ପାଇଁ ଚେଷ୍ଟିତ, କାହିଁ ପର ପାଇଁ ନିଜ ଜୀବନ ବଳି ଦେବାକୁ ଉଦ୍ୟତ । ଅର୍ଥର ବିମୋହିନୀ ଶକ୍ତି । ଧନ୍ୟ ତାର ଆଧିପତ୍ୟ-। ଯେଉଁଠାରେ ଅର୍ଥ, ସେଠାରେ ଲୋକର ବାମ ଓ ଦକ୍ଷିଣ ଦୁଇଚରଣ ପରି ଅନର୍ଥ ଓ ସାମର୍ଥ୍ୟ ବିଦ୍ୟମାନ, ପୁଣି ଏକର ଅଭାବରେ ଅନ୍ୟ ଅଚଳ ।

 

ନାଏବବାବୁଙ୍କର ଅର୍ଥପିପାସା ଦିନକୁ ଦିନ ପ୍ରବଳରୁ ପ୍ରବଳତର ହେଲା । ଜମିଦାରଙ୍କର ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ, କାରଣ ଅନ୍ୟ ନାଏବମାନେ ମାଲଗୁଜାବୀ ଆଦାୟ କରି ପାରନ୍ତି ନାହିଁ ଓ ରଏତମାନଙ୍କୁ ରୀତିମତ ପାଉତି ନ ଦେଇ ନାନା ଗଣ୍ଡଗୋଳ କରନ୍ତି । ମାତ୍ର ତାଙ୍କର ସେ ଦୋଷ ନ ଥିଲା । ଆଉ ମଧ୍ୟ ସେଜମିଦାରଙ୍କୁ ନାନା ପ୍ରକାର ବାଜେ ଆୟ ଦେଖାଉଥାନ୍ତି । ଗୁଡ଼ିଏ ଡକାଡକା ଥାନ୍ତି ଯେ, ସେମାନେ ଭୋଜନ ପାଖରେ ବସିଲାମାତ୍ରେ ତାଙ୍କ ପାଟିରୁ ନାଳବହି ପଡ଼େ; ଜିଭ ପୋଡ଼ିଯାଉ ପଛକେ ଭୋଜନ ଦ୍ରବ୍ୟଗୁଡ଼ିକ ଶୀଘ୍ର ଗର୍ଭସ୍ଥ କରିବାକୁ ତାଙ୍କୁ ତର ସହେ ନାହିଁ । ଫଳରେ ସେମାନେ ବେଶି ଖାଇ ପାରନ୍ତି ନାହିଁ, କିମ୍ୱା ଶରୀରର ପୁଷ୍ଟିସାଧନ କରି ପାରନ୍ତି ନାହିଁ । ଆଉ କେତେକ ଲୋକ ଅଛନ୍ତି, ସେମାନେ ଧୈର୍ଯ୍ୟଧରି ଖାଦ୍ୟଗୁଡ଼ିକ ପାକୁଳାଇ ପାକୁଳାଇ ଖାନ୍ତି । ତେଣୁ ସେମାନଙ୍କର ଭୋଜନର ପରିମାଣ ଅଧିକ ଏବଂ ସେମାନେ ଶରୀରକୁ ଉତ୍ତମରୂପେ ବଢ଼ାଇ ପାରନ୍ତି । ନାଏବବାବୁ ଦ୍ୱିତୀୟ ପ୍ରକାର ଲୋକଥିଲେ । ସେ ପ୍ରଥମେ ପ୍ରଥମେ ବିଶ୍ୱାସ ଦେଖାଇ କ୍ରମେ ନିଜ ଅର୍ଥକୋଷର ପୁଷ୍ଟିସାଧନରେ ବ୍ରତୀହେଲେ; ବାଜେ ଆୟରୁ ନାମମାତ୍ର ଜମିଦାରକୁ ଦେଇ ଅବଶିଷ୍ଟ ନିଜର ଉଦରସାତ୍‌ କଲେ । କ୍ରମେ ଖଜଣା ଆଦାୟରେ ମଧ୍ୟ ଗଣ୍ଡଗୋଳ ଲାଗିଲା-। ତାଙ୍କ ବିରୁଦ୍ଧରେ ନାନା କଥା ଜମିଦାରଙ୍କର କର୍ଣ୍ଣଗୋଚର ହେଲା । ମାତ୍ର ସେ କାହାରି କଥାରେ ବିଶ୍ୱାସ କରନ୍ତି ନାହିଁ ଏବଂ ମନେ ମନେ ଭାବନ୍ତି ଯେ, ଘନ ବାବୁ ଠିକ୍‌ ଲୋକଥିବାରୁ ଲୋକମାନେ ଦେଖିସହି ନ ପାରି ଏପରି ଚୁଗୁଲି କରୁଅଛନ୍ତି । ଏପରି ଅନେକଲୋକ ଦେଖାଯାନ୍ତି ଯେ, ସେମାନେ ପ୍ରଥମେ ପ୍ରଥମେ ବିଶ୍ୱାସଜନ୍ମାଇ ଶେଷରେ ଖାମିନ୍ଦର ସର୍ବନାଶ କରନ୍ତି । ନାଏବବାବୁଙ୍କ ବିରୁଦ୍ଧରେ ଯେଉଁମାନେ ଯାହା କହିଲେ, ଜମିଦାର ସେମାନଙ୍କ କଥା ନ ଶୁଣି ବରଂ ବିରକ୍ତ ହେବାରୁ ସେମାନେ ଆଉକିଛି କହିବାକୁ ସାହସୀ ହେଲେ ନାହିଁ । ନାଏବବାବୁ ନିଜର ଇଚ୍ଛାନୁଯାୟୀ ଆପଣାର ଅର୍ଥଲାଳସା ତୃପ୍ତ କରିବାକୁ ଲାଗିଲେ ।

 

ଜମିଦାରଙ୍କର ନାଏବବାବୁଙ୍କ ଉପରେ ଅତିଶ୍ରଦ୍ଧା ଓ ବିଶ୍ୱାସଯୋଗେ ସେ ଅନ୍ୟ କାହାରିକୁ ଖାତିରି କରନ୍ତି ନାହିଁ । ଅନ୍ୟ ନାଏବମାନେ ଜମିଦାରପୁତ୍ରଙ୍କୁ ଯେପରି ମାନ୍ୟକରନ୍ତି, ଏ ନାଏବ ସେପରି ନ କରି ବରଂ ମୁରବି ଧରଣ ଦେଖାଇ ତାଙ୍କୁ ଆକଟ କରନ୍ତି । ବଡ଼ଲୋକମାନଙ୍କ ଘରେ ଯେଉଁମାନେ ବିଶ୍ୱାସଜନ୍ମାଇ ପାରନ୍ତି, ସେମାନେ ବହୁକାଳ ଚାକିରି କରନ୍ତି । ପୁରୁଣାଚାକରମାନେ ଖାମିନ୍ଦ ପିଲାମାନଙ୍କୁ ନିଜ ପିଲାଭାବି ମୁରବିଧରଣରେ ନାନାହିତ କଥା କହିଥାନ୍ତି । କିନ୍ତୁ ସେମାନଙ୍କ କଥା ସ୍ନେହୋଦ୍ଦୀପକ ହେବାରୁ ତହିଁରେ କେହି ବିରକ୍ତ ହୁଅନ୍ତି ନାହିଁ–ବରଂ ସେସବୁ କଥା ଭଲ ଭାବରେ ଗ୍ରହଣ କରନ୍ତି । କେହି କେହି ଅପଦାର୍ଥ ହେଲେ ତହିଁରେ ବିରକ୍ତ ହୁଅନ୍ତି । ଜମିଦାରଙ୍କ ପୁତ୍ର ସେପରି ଅପଦାର୍ଥ ନ ଥିଲେ, ମାତ୍ର ନାଏବବାବୁଙ୍କ କଥାଗୁଡ଼ିକ ସ୍ନେହବ୍ୟଞ୍ଜକ ନ ଥିଲା । ତାଙ୍କର ପେଟରେ ଏକ ଭାବ ଓ କଥାରେ ଅନ୍ୟ ଭାବ ଥାଏ । ଏଣୁ ଜମିଦାରଙ୍କ ପୁତ୍ରର ଭାବ ନାଏବବାବୁଙ୍କ ପ୍ରତି ଭଲ ଆଡ଼କୁଗଲା ନାହିଁ । ଜମିଦାର ଅତିବୃଦ୍ଧ ହେବାରୁ ତୀର୍ଥବାସ ପାଇଁ ବାହାରିଲେ । ପୁତ୍ର ଉପରେ ଗୃହର ସମସ୍ତ ଭାର ରହିଲା । ନାଏବବାବୁଙ୍କର ବିପକ୍ଷ ଦଳ ସୁବିଧା ପାଇ ମାତି ଉଠିଲେ । ସେ ଦେଖିଲେ ଯେ, ଏଣିକି ନାଏବ କାମରେ ସୁଖ ନାହିଁ, ନିଜର ଘର ଧନ୍ଦା ମଧ୍ୟ ବଳି ପଡ଼ିଲାଣି । ସେ ନିଜଘରେ ରହି ଆପଣା କଥା ବୁଝିଲେ ଜଣେ ସ୍ୱତନ୍ତ୍ର ଜମିଦାର ହୋଇ ପାରିବେ । ଆଉ ମଧ୍ୟ ଦିନକୁ ଦିନ ତାଙ୍କ ଗୃହରେ ଶାଶୁବୋହୂଙ୍କ କଳହ ବୃଦ୍ଧି ପ୍ରାପ୍ତ ହେଉଅଛି । ଏଣୁ ସେ କିପରି ନାଏବ କାମଛାଡ଼ି ଗୃହକୁ ଯିବେ, ତା’ର ଉପାୟ ଚିନ୍ତାରେ ରହିଲେ । ଅଳ୍ପ ଦିନ ପରେ ତାଙ୍କଗୃହରୁ ପତ୍ର ଆସିଲା ଯେ, ତାଙ୍କର ମାତା ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାର ସହି ନ ପାରି ପୁରୁଣାଘରକୁ ଚାଲି ଯାଇଅଛନ୍ତି । ଏ ବିଷୟ ସେଜମିଦାରଙ୍କ ପୁତ୍ରକୁ ଜଣାଇ କିପରି କାଗଜ ପତ୍ର ବୁଝାଇ ଦେଇ କାର୍ଯ୍ୟରୁ ଅନ୍ତର ହେବେ, ତା’ର ବନ୍ଦୋବସ୍ତ କରି ସାତଦିନ ଛୁଟିରେ ଗୃହକୁ ଗଲେ ।

 

କଥାରେ କହନ୍ତି–‘‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରି ତେଣିକି ଯାଇ ।’’ ଲୋକଭାବେ ଏକ କଥା, ମାତ୍ର ଘଟେ ଅନ୍ୟ ପ୍ରକାର । ନାଏବଙ୍କ ବୋଉ ପୁତ୍ରର ବିବାହ ପୂର୍ବରୁ ଭାବୀ ସୁଖାଶା-ଶୈଳର ଉତ୍ତୁଙ୍ଗ ଶିଖରରେ ବସିଥିଲେ, ମାତ୍ର ବିଧି ବିଡ଼ମ୍ୱନା ବିବାହର ଅଳ୍ପ ଦିନ ପରେ ତାଙ୍କୁ କ୍ରମଶଃ କଣ୍ଟା ଖୁଞ୍ଚ ମଧ୍ୟରେ ଝିଙ୍କି, ତଳ ପ୍ରଦେଶର ଏକ ଅନ୍ଧକାରମୟ ଗୁହାମଧ୍ୟକୁ ଫିଙ୍ଗି ଦେଇଅଛି । ବିବାହ ସମୟରେ ବର କନ୍ୟାଙ୍କର ମେଳକ ବୁଝିବା ସଙ୍ଗେ ସଙ୍ଗେ ଶାଶୁବୋହୂଙ୍କର ମେଳକ ବୁଝିବା ବିଧି ଥିଲେ ଭଲ ହୋଇଥାନ୍ତା । ଜଣ ଜଣଙ୍କର ଦୈବାତ୍‌ ଲଗ୍ନ ଓ ରାଶି ଏକ ହୋଇଯାଏ, ମାତ୍ର ଅନେକଙ୍କର ଏପରି ଅରି-ଷଡ଼ଷ୍ଟକ ପଡ଼ିଯାଏ ଯେ, ଅଧିକାଂଶ ସମୟରେ ମାର୍ଜାର ଯୁଦ୍ଧ ଲାଗିଥାଏ । ସେ ଦୁଇଜଣଙ୍କ ମଧ୍ୟରେ ଏପରି କ’ଣ ଘଟିଲା ଯେ, ଏକର କଥା ଅନ୍ୟକୁ ଭୂଇଁ ନିମ ପରି ଲାଗିଲା । ମଦନ ମହାନ୍ତି ଅତିକଷ୍ଟରେ ଚଳୁଥିଲେ । ତାଙ୍କ ସମୟରେ ଲୁଗାଖଣ୍ଡିକରୁ ଲୁଣଟିକକ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ପ୍ରାଣର ଧନ ପରି ସାଇତି କାରବାର କରୁଥିଲେ । ଦିନେ ଖଣ୍ଡିଏ ଭଲ ଲୁଗା ବା ଅଳଙ୍କାର ପାଇଁ ସେ ସ୍ୱାମିଙ୍କୁ ବିରକ୍ତ କରୁ ନ ଥିଲେ–କଲେ ବା ମିଳନ୍ତା କାହୁଁ ? ତାଙ୍କ ସ୍ୱାମି ପ୍ରତିଦିନ ବୁଜୁଳା ପକାଇ ଖାଦ୍ୟ ପଦାର୍ଥ ଆଣି ଦେଉଥିଲେ । ଘର ଦୁଇ ବଖରା, ଗାଈଗୋରୁ ନ ଥିଲା । ଏକାକିନୀସେ ଆପଣା ଇଚ୍ଛାରେ ଚଳୁଥିଲେ । ତାଙ୍କ ବହୂଙ୍କ ପିତା ନଟବର ପଟ୍ଟନାୟକ ସଙ୍ଗତି ସମ୍ପନ୍ନ ଲୋକ । ବିଶେଷତଃ ଝିଅଟିକୁ ଗେହ୍ଲାରେ ବଢ଼ାଇଥିଲେ । ଆଉ ମଧ୍ୟ ସେ ବର୍ତ୍ତମାନ ମଦନ ମହାନ୍ତିଙ୍କ ପୁଅ ଘନ ମହାନ୍ତିଙ୍କର ସ୍ତ୍ରୀ ନୁହନ୍ତି–ସେ ନାଏବବାବୁଙ୍କ ପତ୍ନୀ । ନାଏବବାବୁ ଘରକୁ ଆସିବାବେଳେ ‘ହୁମେରା ଭାଇ’ ଡାକ ପଡ଼େ । ସଙ୍ଗରେ ଆଠ କି ଦଶ ଭାର ଚାଲିଥାଏ । ଘରେ ଗୋରୁ, ଗାଈ, ଧାନ, ଚଉଳ, ମୁଗ, ବିରି, ମୂଲିଆ, ପାଇଟିଆ, ମୂଲିଆଣୀ, ପାଇଟିଆଣୀ ପୂର୍ଣ୍ଣ ଏବଂ ଖାତକ ଓ ଖାତକୀ ଚାତକ ଚାତକୀ ପରି ତାଙ୍କ ଦୟାବାରିକୁ ଚାହିଁ ବସିଥାନ୍ତି । ଏପରିସ୍ଥଳେ ସେ ଶାଶୁଙ୍କ ପରି କାହିଁକି ଚଳିବେ ? ଆଉ ମଧ୍ୟ କାଳଗତିରେ ପୁରୁଷମାନଙ୍କର ବେଶଭୂଷା ଓ ଚାଲିଚଳନରେ ଯେତେ ପରିବର୍ତ୍ତନ ଘଟୁଅଛି, ସେସବୁର ଛାୟା ସ୍ତ୍ରୀସମାଜରେ ପଡ଼ି ତଦନୁସାରେ ପରିବର୍ତ୍ତନ ଘଟାଉଅଛି । ଶାଶୁଙ୍କକାଳର କଥା ବୋହୂଙ୍କ କାଳକୁ ରହି ପାରୁନାହିଁ । ଶାଶୁ ଭାବୁଥିଲେ, ନିଜ ଯୁଗର ଚାଲିଚଳନ ଓ ବେଶଭୂଷା ଜଗତରେ ସାର ଓ ସେ ତାହା ବଜାଏ ରଖିବାକୁ ସଦା ଯତ୍ନବତୀ, କିନ୍ତୁ ବୋହୂ ସେ କଥାଗୁଡ଼ାକୁ ଅତି ନିଉଁଛୁଣା ଭାବି ଯୁଗଧର୍ମାନୁସାରେ ଚାଲିଚଳନ ଦେଖାଇବାକୁ ଜିଦ୍‌ ଧରୁଅଛନ୍ତି ଓ ପେଲି ମୁଷୁଣ୍ଡି କରି ଯାଉଅଛନ୍ତି; ଏହା ବର୍ତ୍ତମାନ ଅଶାନ୍ତିର ପ୍ରଥମ ସୋପାନ ।

 

ଯେଉଁମାନେ ଗେହ୍ଲାରେ ବଢ଼ିଥାନ୍ତି, ସେମାନଙ୍କର ଅନ୍ୟମାନଙ୍କ ତୁଳନାରେ ଲାଜଟିକିଏ କମ୍‌, ଚାଲି ଟିକିଏ ପ୍ରଖର ହୋଇଥାଏ, ସେମାନେ ଟାଣ କଥା ସହିପାରନ୍ତି ନାହିଁ । ନାଏବବାବୁଙ୍କ ଘରେ ପୁରୁଷ ଲୋକ କେହି ମୁରବି ନ ଥିବାରୁ ତାଙ୍କ ସ୍ତ୍ରୀଙ୍କଠାରେ ଉକ୍ତ ତିନି କଥା ଟିକଏ ଅଧିକ ମାତ୍ରାରେ ରହିବାର କଥା । ସଂସାରରେ କେତେ ଢଙ୍ଗର ଲୋକ ଅଛନ୍ତି, ତାହାର ଭିଆଣ ଭଉଁରିଆ ପ୍ରସ୍ତୁତ କରିବା ବନ୍ଦୋବସ୍ତ ଇଲାକାର ସାଧ୍ୟାତୀତ । ସାହିର ସ୍ତ୍ରୀଲୋକମାନଙ୍କ ମଧ୍ୟରୁ କେହି କେହି ନିଜ ନିଜ ସ୍ୱାର୍ଥସିଦ୍ଧି ପାଇଁ, କେହି କେହି ନିଜ ନିଜ ରୁଚି ଅନୁସାରେ ଶାଶୁଙ୍କ ପକ୍ଷରେ, କେହି କେହି ଅବା ବୋହୂଙ୍କ ପକ୍ଷରେ ଥାଇ ପରସ୍ପର ନିକଟରେ ପରସ୍ପରର ନିନ୍ଦା କରି କଳହକୁ ବଢ଼ାଉଥାନ୍ତି । କିଏ କହେ, ‘‘ସାନ୍ତାଣି, ତୁମ ପରା ଶାଶୁ ଥାଉଁ ଥାଉଁ ଏ ବୋହୂଟା ଇମିତି ଚାଲୁଛି ।’’ କିଏ କହେ, ‘‘କି ଗୋ ଘନ ବୋଉ, ଆଚ୍ଛା ବୋହୂ କଲ । ତା ମା ତାକୁ ଟିକିଏ ଲାଜ ଶିଖାଇ ନାହିଁ ? ସେ କ’ଣ ଘରର ଝିଅ ନୁହେଁ ? କ’ଣ ତାଙ୍କ ଦେଶ ସେଇଆ ?’’ ଶାଶୁ ସେମାନଙ୍କୁ ଯଥୋଚିତ ଉତ୍ତର ଦିଅନ୍ତି-। କିଏ ବହୂକୁ କହେ, ‘‘କି ଲୋମା, ତୋ ପରା ଝିଅକୁ ଏ ଶାଶୁଟା ଇମିତି କରୁଛି ?’’ କିଏକହେ, ‘‘ହଁ ଲୋ, ତାବେଳକୁ ତ ପିତଳକଂସା ମିଳୁ ନ ଥିଲା, ଦୈବ ତା କପାଳକୁ ସୁନାରୂପା ଦେଲା । ବୟସବେଳ–ସେ କାହିଁକି ମନ ଫୁଲାଇବ ନାହିଁ ? ସେଗୁଡ଼ାକ ଦେଖିସହି ନ ପାରିବା କଥା । ତା’ କଥାରୁ ତୁ କ’ଣ ପାଇବୁ ଝିଅ । ତୋ ମନ ଖୁସିରେ ତୁଥା, ସେ କ’ଣ ତୋତେ ଦେଉଛି-? ତୋ ସ୍ୱାମୀ ଅଜୁର୍ଛି, ତୁ କାହିଁକି ଡରିବୁ ?’’ ଦିନେ ଗୋଟିଏ ବୁଢ଼ୀ ନାଏବଙ୍କ ମାତାଙ୍କ ଆଗରେ ତାଙ୍କ ବୋହୂଙ୍କର ନିନ୍ଦା କହିବାରୁ ସେ ଅତି ବିରକ୍ତ ହୋଇ କହି ପକାଇଲେ, ‘‘ଆଲୋ ଭଉଣୀ, ସେ କଥା ମତେ କହ ନା, ମୁଁ ଥକି ଗଲିଣି । ଆଜିକାଲି ଲଙ୍କାମରିଚରେ ରାଗ ନାହିଁ, କି ମାଇକିନାଙ୍କଠାରେ ଲାଜ ନାହିଁ ।’’ ଏ କଥା ଶୁଣି ସେ ବୁଢ଼ୀ କହିଲା, ‘‘ହଁ ଗୋ ଅପା, ସତ କହିଲ । ତାଙ୍କୁ କହିଲେ କ’ଣ କହିବା, ମିଣିପଗୁଡ଼ାକ ଏଣିକି ଏଣିକି ତାଙ୍କୁ ଫୁଲାଇ ଦେଲେଣି, ସେ କାହିଁକି ନ ଫୁଲିବେ ? ‘ତୁଚ୍ଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ।’ ପୁଅ ଝିଅ ଦି’ଟା ଥିଲେ ସେ ତ ଟିପରେ ବାଟ ଚାଲନ୍ତା ।’’

 

ନାଏବବାବୁ ନାନା କଥା ଭାବି ଭାବି ଗୃହରେ ପହଞ୍ଚିଲେ । ତାଙ୍କ ସ୍ତ୍ରୀ କଥାରେ କଥାରେ କଳି-ବୃକ୍ଷଟିର ବୀଜରୋପଣ କରି ଫୁଲ ଫୁଟାଇ ଫଳ ଫଳାଇ ଦେଲେ । ବୋଉଙ୍କୁ ନ ଦେଖି ନାଏବବାବୁଙ୍କ ମନ ଥୟ ହେଲା ନାହିଁ । ସେ ଗୋଡ଼ ନ ଧୋଇ ପୁରୁଣାଘରକୁ ଗଲେ । ତାଙ୍କୁ ଦେଖିବାମାତ୍ରେ ବୋଉଙ୍କ ଆଖିରୁ ଦୁଇଧାର ଲୋତକ ଗଡ଼ି ପଡ଼ିଲା । ସମସ୍ତ ବୃତ୍ତାନ୍ତ ପୁତ୍ରକୁ କହି ପୁତ୍ର ସ୍ନେହରେ ବାନ୍ଧି ହୋଇ ସେ ତାଙ୍କ ସଙ୍ଗରେ ଗୃହକୁ ଗଲେ । ଉଭୟଙ୍କ କଥାରୁ ନାଏବ ବୁଝିଲେ ଯେ, ଶାଶୁ କଥା ଟାଣ ଓ ବୋହୂର ସହିବା ଗୁଣ ନାହିଁ, ଆଉ ମୁହଁ ଖରାପ । କ’ଣ କରିବେ–ଏଣେ କହିଲେ ଗୋହତ୍ୟା, ତେଣେ କହିଲେ ବ୍ରହ୍ମହତ୍ୟା; କାହାକୁ କ’ଣ କହିବେ–ଯେପରି ସାପ ନ ମରିବ ଓ ବାଡ଼ି ନ ଭାଙ୍ଗିବ, ସେପରି କଳହ ନିଷ୍ପତ୍ତି କରିବାକୁ ବସିଲେ; ମାତ୍ର ଫଟାମନ ଯୋଡ଼ିବା ସହଜ ନୁହେଁ । ଘରେ ଆଉ କେହି ସ୍ତ୍ରୀଲୋକ ଥିଲେ ସେ ଦୁହିଙ୍କ କଳିବେଳେ ରାନ୍ଧିବାଢ଼ି ଉଭୟଙ୍କୁ ଦିଅନ୍ତା, ମାତ୍ର କେହି ନ ଥିବାରୁ ସେ ଦୁହିଁଙ୍କ କଳହବେଳେ କିଏ ରାନ୍ଧୁଛି, କିଏ କାହାକୁ ଡାକୁଛି; ପୁଣି ତାଙ୍କ ଘର ନିଜଜାତିମାନଙ୍କ ଘରଠାରୁ ଦୂରରେ ଥିବାରୁ କଳି କଥା କିଏ ଜାଣିବ ? ଆଜିକାଲି ପରି ପୂଜାରୀବଂଶ ଶସ୍ତା ହୋଇଥିଲେ କିଛି ଅସୁବିଧା ହୁଅନ୍ତା ନାହିଁ । ଜଣେ ପୂଜାରୀ ରହିଲେ ଏତେ କହଳ ହୁଅନ୍ତା ନାହିଁ । ସେ ବିଚାରା ଉଭୟ ସାନ୍ତାଣୀଙ୍କର ହୁକୁମ ତାମିଲ କରି ଚଳନ୍ତା, ମାତ୍ର ସେତେବେଳେ ସେ ସୁବିଧା ନ ଥିଲା । ସ୍ତ୍ରୀ ଆସିଲେ ତାକୁ ରାନ୍ଧିବାକୁ ହେବ ଓ ଗୃହର ସମସ୍ତ କାର୍ଯ୍ୟ କରିବାକୁ ହେବ । ଶାଶୁର ମନ ନେଇ ପାରିଲେ ସେ ପାଇଟି ପତ୍ରରେ ସାହାଯ୍ୟ ଦିଏ । ଯଦି ମନ ନ ମିଳିଲା, ତେବେ ସେ ଗୋଡ଼ ଲମ୍ୱାଇ ବସି ସାହି ପଡ଼ୋଶୀଙ୍କ ଆଗରେ ବହୂର ଗୁଣଗ୍ରାମ କୀର୍ତ୍ତନ କରେ ।

 

କି ପୁଅ, କିବହୂ ଓ କିଭୃତ୍ୟ, ସମସ୍ତେ ସ୍ନେହବ୍ୟଞ୍ଜକ ମଧୁରତାଡ଼ନାରେ ଯେପରି ଶାସିତ ହୁଅନ୍ତି, କଠୋର ଶାସନରେ ସେପରି ବଶ ହୁଅନ୍ତି ନାହିଁ । ଥରେ ଉତ୍ତର ଦେଲେ ମୁହଁ ଖୋଲିଯାଏ, ତେଣିକି ପ୍ରତି କଥାରେ ଉତ୍ତର ଦିଅନ୍ତି ଏବଂ ମୁରବିଙ୍କର ଉପଦେଶ ବା ତାଡ଼ନା କାର୍ଯ୍ୟକାରୀ ହୁଏ ନାହିଁ । ଯଦି ବହୁ ଚାଲି ଯାଉ ଯାଉ କୌଣସି ପଦାର୍ଥରେ ଗୋଡ଼ ବାଜି ତାହା ଭାଙ୍ଗିଯାଏ, କି ନଷ୍ଟ ହୁଏ ଏବଂ ତାହା ଶାଶୁ ଦେଖେ; ତେବେ ସେତେବେଳେ ତାର ନିଜ ମନ ଭୟରେ ଅସ୍ଥିର ହୁଏ; କାରଣ ଶାଶୁ ଚାହିଁଅଛନ୍ତି, ଆଉ ପଦାର୍ଥଟା ତାର ଚାଲିଦୋଷରୁ ନଷ୍ଟ ହୋଇଗଲା । ସେଥିପାଇଁ ସେ ଯେପରି ଧରଣର ଲୋକ ହେଉ ପଛକେ ନିଶ୍ଚୟ ଦୁଃଖିତ ହେବ ଓ ଭବିଷ୍ୟତକୁ ସାବଧାନ ହେବ । ଶାଶୁ ଦେଖିବାମାତ୍ରେ ଯଦି କହେ, ‘‘ହଉ, ଗଲାଣି ତ ଗଲାଣି, ତୁମେ କ’ଣ ଜାଣିକରି ନଷ୍ଟ କଲ–ଅଜାଣତରେ ଗଲା, କ’ଣ କରିବା !’’ ତେବେ ସେତେବେଳେ ବହୂର ଶାଶୁ ପ୍ରତି ସ୍ନେହ ଓ ଭକ୍ତି ସ୍ୱତଃଜାତ ହୁଏ । କିନ୍ତୁ ଏହା ନ କହି ଯଦି ଶାଶୁ କହେ, ‘‘ମଲା, ଇମିତି ଅଥରୂପି ଝିଅ ମା’ କିମିତି ଜନମ କରିଥିଲା । ଚାଲିଜାଣୁ ନାହିଁ, ଚାଲୁଚାଲୁ ଗୋଡ଼ରେ ପଦାର୍ଥ ନଷ୍ଟ କରୁଛି ! କି ହତଲକ୍ଷ୍ମୀ ଲୋ ମା’,’’ ତେବେ ଏହା ଶୁଣିବା ମାତ୍ରେ ବହୂ ନିଜ ଦୋଷ ଦେଖେ ନାହିଁ ଓ ତା ମନରେ ଶାଶୁ ପ୍ରତି ଅନାଦର ଓ ରାଗଜନ୍ମେ । ଦିନାକେତେ ସହେ, ତେଣିକି ଉତ୍ତର ଦିଏ ।

 

ନାଏବବାବୁ ଶାଶୁ ଓ ବୋହୂଙ୍କୁ ମିଳାଇ ଦେଲେ, ମାତ୍ର ସେମାନେ ସୁଖରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେ ଦେଖିଲେ, ଏଣିକି ଘରେ ନ ରହିଲେ ଘର ଚଳିବ ନାହିଁ । ପୂର୍ବରୁ ମଧ୍ୟ ନିଜ ଇଲାକାର ଶ୍ରୀବୃଦ୍ଧି ଉଦ୍ଦେଶ୍ୟରେ ସେ ଚାକିରି ଛାଡ଼ିବାକୁ ଇଚ୍ଛାକରି କାଗଜପତ୍ର ବୁଝାଇ ଦେବାକୁ ପ୍ରସ୍ତୁତ ହୋଇଥିଲେ । ଏଥର ଜମିଦାରଙ୍କ ନିକଟକୁ ଯାଇ କାଗଜପତ୍ର ବୁଝାଇ ଦେଇ ବିଦାୟ ହୋଇ ଆସିଲେ । ମାତ୍ର ନାଏବବାବୁ ଡାକଟି ରହିଗଲା । ସମସ୍ତେ ଗ୍ରାମରେ ତାଙ୍କ ଘରକୁ ‘ନାଏବ ଘର’ ବୋଲି କହୁଥିଲେ ।

 

ସେ ନିଜଘରେ ଚଳିଲେ, ମାତ୍ର ଗୃହବିବାଦର ବିରାମ ହେଲା ନାହିଁ । ଏ ମଧ୍ୟରେ ତାଙ୍କର ଦୁଇ ଗୋଟି ପିଲାହୋଇ ଅକାଳରେ କାଳମୂଖରେ ପତିତ ହେଲେଣି । ସେ ଭାବିଲେ ଯେ, ବୋଉର ଅସନ୍ତୋଷରୁ ପିଲା ବଞ୍ଚୁ ନାହାନ୍ତି । ଏଣୁ ସେ ସ୍ତ୍ରୀକୁ ବହୁତ ବୁଝାନ୍ତି, ମାତ୍ର ସେ ବୁଝନ୍ତି ନାହିଁ; ବରଂ ଦିନକୁ ଦିନ ଶାଶୁ ପ୍ରତି ତାଙ୍କର ବ୍ୟବହାର କଠୋରରୁ କଠୋରତର ହେଉଥାଏ । ମନୁଷ୍ୟଭାବେ ନାହିଁ ଯେ, ସଂସାରରେ ଭାଇବନ୍ଧୁ ଓ ଶାଶୁବୋହୂ ପ୍ରଭୃତି ସମ୍ପର୍କ ଅଢ଼େଇ ଦିନିଆ । କିଏ କୁଆଡ଼େ ଆଉ ଆଶା ସୁଖରେ ସୁଖ ମଣୁ ନାହାନ୍ତି । ତା’ର ଶେଷ ପରିଣାମ ସେ ଭଲରୂପେ ବୁଝିଲେଣି । ବର୍ତ୍ତମାନ କିପରି ଏ ଅଶାନ୍ତିପୂର୍ଣ୍ଣ ସଂସାରରୁ ବିଦାୟ ନେବେ, କେବଳ ଏହିଚିନ୍ତାରେ ମଗ୍ନହେଲେ । କିଛିଦିନ ପରେ ଜ୍ୱରାତିସାରରେ ଦିନକୁ ଦିନ ଦୁର୍ବଳାହୋଇ ଘନ ବୋଉ ଶଯ୍ୟାଗତ ହେଲେ । ନାଏବବାବୁ ପ୍ରକୃତରେ ମାତୃଭକ୍ତ ଥିଲେ । ସେ ନିଜେ ମାତାଙ୍କର ଶୁଶ୍ରୂଷା କରିବାରେ ଅଣୁମାତ୍ର ତ୍ରୁଟିକଲେ ନାହିଁ । ଲୋକନିନ୍ଦାକୁ ଭୟ କରି ତାଙ୍କର ସ୍ତ୍ରୀଲୋକ ଦେଖିବାକୁ ଯାହା କରନ୍ତି, ତାହା କିନ୍ତୁ ମନରେ ନ ଥାଏ । ନାଏବବାବୁଙ୍କ ଶୁଶ୍ରୂଷାରେ ମାତା ସନ୍ତୁଷ୍ଟ ହୋଇ ଶେଷ ମୁହୂର୍ତ୍ତରେ କହିଗଲେ–‘‘ବାପ, ତୋର କିଛି ଅଭାବହେବ ନାହିଁ, କୁଳ ରହିବ, ତୁ ଚିନ୍ତା କରିବୁ ନାହିଁ ।’’ ଅଳ୍ପକ୍ଷଣ ପରେ ନାଏବବାବୁ ସଂସାର-ସ୍ନେହ-ପସରା ଜନନୀକୁ ଚିରକାଳ ପାଇଁ ହରାଇ ଶୋକରେ ଅଧୀର ହେଲେ, ମାତ୍ର ମାୟା ପୁଣି ସଂସାର ମାର୍ଗକୁ ଓଟାରି ଆଣି କର୍ତ୍ତବ୍ୟ କାର୍ଯ୍ୟରେ ତାଙ୍କୁ ନିଯୁକ୍ତ କଲା । ସେ ଭାବିଲେ, ଏଣିକି କଳହ ଓ ଅଶାନ୍ତି ନାହିଁ, ସେ କିଛିଦିନ ସୁଖରେ କାଳ କଟାଇବେ; କିନ୍ତୁ ଯାହାର ସ୍ୱଭାବ କଳହ କରିବାରେ ଅଭ୍ୟସ୍ତ, ସେ କାନ୍ଥବାଡ଼ ସଙ୍ଗେ କଳି କରିବ । ତାଙ୍କର ସ୍ତ୍ରୀ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବାଦ କଲେ ଏବଂ ତେଣୁ କଥାକଥାକେ ପ୍ରତିଦିନ କଳହ ଉପସ୍ଥିତ ହେଲା । ଶେଷରେ ନାଏବ ବାଧ୍ୟ ହୋଇ ତାଙ୍କର ପୁରୁଣାଘରେ ଗୋଟିଏ ଦାସୀ ରଖିଲେ । କେଉଁଠାରେ ସ୍ୱାମୀ ନିଜ ବ୍ୟଭିଚାର ଦୋଷର ବଶବର୍ତ୍ତୀ ହୋଇ, କେଉଁଠାରେ ସ୍ତ୍ରୀ ସ୍ୱାମୀ କଥାରେ ନ ଚଳି ନିଜଟାଣ ବଜାଏ ରଖିବାକୁ ବସିବାରୁ ତାହା ଗର୍ହିତ କାର୍ଯ୍ୟ ହେଲେ ମଧ୍ୟ ସ୍ୱାମୀ ଅନ୍ୟ ସ୍ତ୍ରୀର ଆଶ୍ରୟ ଗ୍ରହଣ କରେ । ସେ ଯେଉଁ ଦାସୀ ରଖିଲେ, ତା’ଠାରୁ ଗୋଟିଏ ପୁତ୍ରଜାତ ହେଲା । ଏହା ଦେଖି ତାଙ୍କ ସ୍ତ୍ରୀ ରକ୍ତଚାଉଳ ଚୋବାଇଲା ପରିହେଲା; ମାତ୍ର ମନରେ ଟିକିଏଭାବନା ଆସିଲା । ତାଙ୍କର ଗୋଟିକ ପରେ ଗୋଟିଏ–ଏପରି ଚାରିଗୋଟି ପୁତ୍ରକନ୍ୟା ଜାତ ହୋଇ ଚାଲିଗଲେଣି, ବୟସ ମଧ୍ୟ ହୋଇ ଗଲାଣି । ଏଣିକି ମନ ଟପି ଆସିଲା, ସେ ସ୍ୱାମୀ ପ୍ରତି ଟିକିଏ ସ୍ନେହ ଓ ଭକ୍ତି ଦେଖାଇବାକୁ ବାଧ୍ୟ ହେଲେ; ମାତ୍ର ମନରେ ସେହି ଅଶାନ୍ତି ରହିଥାଏ ।

Image

 

ଏକବିଂଶ ପରିଚ୍ଛେଦ

 

ଲୋଭର ଶକ୍ତି କିପରି ଓ ପରିଣାମ କ’ଣ ? ଏହାର ଜ୍ୱଳନ୍ତ ଉଦାହରଣ ସଂସାରରେ ବିରଳ ନୁହେଁ । ଏହା ଅଧିକାଂଶ ସ୍ଥଳରେ କାଳକୂଟ ସଙ୍ଗେ ସମାନ ନୁହେଁ । ଏହା ଅଧିକାଂଶସ୍ଥଳରେ କାଳକୂଟ ସଙ୍ଗେ ସମାନ ନୁହେଁ କି ? ଲୋଭ ପ୍ରଥମେ ପ୍ରଜ୍ଞା ନଷ୍ଟ କରେ, ପ୍ରଜ୍ଞା ନଷ୍ଟ ହେଲେ ଲଜ୍ଜା ରହେ ନାହିଁ, ଲଜ୍ଜା ଦୂରହେଲେ ଧର୍ମ ନଷ୍ଟ ହୁଏ, ଧର୍ମ ନଷ୍ଟ ହେଲେ ମନୁଷ୍ୟ ପକ୍ଷରେ ଯେ ସମସ୍ତ ଶୁଭ, ସେସବୁ ନଷ୍ଟ ହୋଇଯାଏ; ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ତଥାପି କିଏ ଲୋଭର ବଶ ହେଉ ନାହିଁ ? ସମାଜ କ୍ଷେତ୍ରରେ ଯେ ଯେତେବଡ଼, ତା’ଠାରେ ଲୋଭର ମାତ୍ରା ସେତେ ଅଧିକ । ରାଜା, ପ୍ରଜା, ଧନୀ, ଦରିଦ୍ର, ପଣ୍ଡିତ, ମୂର୍ଖ, ବୃଦ୍ଧ ଓ ଯୁବକ ସମସ୍ତେ ତା’ର ଦାସ । ବରଂ ପ୍ରଥମ ଦଳ ଦ୍ୱିତୀୟ ଦଳ ଅପେକ୍ଷା ଅଧିକ । ଅସ୍ଥିର ଓ ଚଞ୍ଚଳମନ ଯେଉଁଆଡ଼େ ଯାଉଥାଏ, ଲୋଭ ତାକୁ ସେହିଆଡ଼କୁ ଓଟାରି ନେଉଥାଏ । ସେ ଦିଗରୁ ମନର ଗତି ଫେରାଇବା ଯେଉଁମାନଙ୍କ ପକ୍ଷରେ ସାଧ୍ୟ, ସେମାନଙ୍କ ପକ୍ଷରେ ଏ ସଂସାର ସର୍ବଦା ଅମୃତମୟ ହୁଏ । ନାଏବବାବୁଙ୍କର ପିତା ଯାଇଥିଲେ, ମାତ୍ର ମାତାଥିବାରୁ ତାଙ୍କ ମନରେ ନିନ୍ଦାକୁ ଟିକିଏ ଭୟ ଥିଲା । ବର୍ତ୍ତମାନ ମାତା ଯିବାରୁ ତାଙ୍କ ମନ ନିର୍ଭୟ ହେଲା । ତାଙ୍କର ‘ଗ୍ରାମମଧ୍ୟରେ ମୁଁ ସିଆଣିଆ, ମୋର ଘର, ମୋର ଧନ’ ଇତ୍ୟାଦି ଭାବଜାତ ହେଲା । ତାଙ୍କର ବର୍ତ୍ତମାନ ପଚାଶମାଣ ଜମି, ଚାରି ପାଞ୍ଚ ବଖରାଧାନ, ଗାଈଗୋରୁ ପ୍ରଭୃତି ଯାହାଥିଲା, ତହିଁରେ ତାଙ୍କର ଚଳିବା ପକ୍ଷେ କିଛିମାତ୍ର ଅସୁବିଧା ନ ଥିଲା । ମାତ୍ର ନଗଦ ଟଙ୍କାଜମା ନ ଥିଲା । ସେ କିପରି ଟଙ୍କାରେ ବାକ୍ସ ପୂର୍ଣ୍ଣ କରିବେ, ଏ ଚିନ୍ତାରେ ଅସ୍ଥିର ହୋଇ ପଡ଼ିଲେ । ଗ୍ରାମ ମଧ୍ୟରେ କାଚରା ଓ ତେଲି ମହାଜନ ଘର ପୁରୁଷାନୁକ୍ରମେ ଧାନ, ଟଙ୍କା ଏବଂ ଜିନିଷପତ୍ର କାରବାର କରି ପଇସାଛାଣି ନେଇ ଅଛନ୍ତି । ସେମାନଙ୍କର ଗ୍ରାମ ମଧ୍ୟରେ ଊଣା ଅଧିକରେ ସମସ୍ତେ ଖାତକ । ନାଏବବାବୁ ଭାବିଲେ, ଏ ଦୁଇଜଣଙ୍କୁ ତଳକୁ ନ ଖସାଇଲେ ତାଙ୍କର ଉଦ୍ଦେଶ୍ୟ ସଫଳ ହେବ ନାହିଁ । ଅମିନ କାମ ଓ ନାଏବ କାମ କରି ମକଦମାର ଯୋଗାଡ଼ ଯନ୍ତ୍ର ଜାଣିଥାନ୍ତି । ଆଜିକାଲି ଯେପରି କଥା କଥାକେ ମକଦ୍ଦମା, ସେତେବେଳେ ସେପରି ନ ଥିଲା । ଗ୍ରାମମଧ୍ୟରେ ପାଞ୍ଚଜଣ ବସି ଅଧିକାଂଶ କଳି ନିଷ୍ପତ୍ତି କରି ଦେଉଥିଲେ । ଓକିଲ ମୁକ୍ତାର ସଂଖ୍ୟା ଏତେ ବଢ଼ି ନ ଥିଲା । ଯେଉଁ ଜଣକେତେ ମୁକ୍ତାର ଥିଲେ, ସେମାନେ ଯାହା ପାଉଥିଲେ, ତହିଁରେ ସନ୍ତୁଷ୍ଟ ଥିଲେ । କ୍ରମେ ଓକିଲ, ମୁକ୍ତାର ସଂଖ୍ୟା ଦିନକୁ ଦିନ ଯେପରି ବଢ଼ିଲା, ସେମାନଙ୍କ ନିକଟକୁ ମକଦ୍ଦମା ଯୋଗାଇବା ଲୋକ ମଧ୍ୟ ସେହିପରି ବଢ଼ିଲେ । ପ୍ରାୟ ପ୍ରତ୍ୟେକ ଗ୍ରାମରେ ଦୁଇ ଦଳ ହୋଇ ଏକ ଦଳ ଅନ୍ୟ ଦଳକୁ ପରାଜୟ କରିବାର ମେସିନ୍‌-ଗନ୍‌ କେବଳ ମକଦ୍ଦମା ହେଲା । ଯେଉଁ ଲୋକମାନେ ଏକ ମହାଜନଠାରୁ ଖାଉତି ଆଣି ଶେଷରେ ଦେଇ ନ ପାରନ୍ତି, ସେମାନେ ଅନ୍ୟ ମହାଜନଠାରୁ ବୟ କରିବାକୁ ଉଦ୍ୟତ ହୁଅନ୍ତି । କାଚରା ଓ ତେଲି ମହାଜନ ଦ୍ୱୟଙ୍କ ମଧ୍ୟରେ ଏପରି ନିୟମ ଥିଲା ଯେ, ଏକର ଖାତକକୁ ଅନ୍ୟ ଜଣେ କିଛି ଦେଉ ନ ଥିଲା । ଯାହାର ସେ ଖାତକ, ସେ ତା’ରି ଘରୁ ପ୍ରୟୋଜନବେଳେ ଧାରକରଜ ନେଇ ଚଳୁଥିଲା । କାଚରା ମହାଜନ ଘର ନାଏବବାବୁଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ ବୋଲି ତାଙ୍କ ଘର ପ୍ରତି ନାଏବବାବୁଙ୍କର ଟିକିଏ ଚକ୍ଷୁ ଲଜ୍ଜା ଥାଏ, ମାତ୍ର ତେଲି ମହାଜନ ଖାତକମାନଙ୍କୁ ଗୋଟିକୁ ଗୋଟି ଆପଣାର କରିବାରେ ଲାଗିଲେ । ତେଲି ମହାଜନର ସେ ଖାତକମାନଙ୍କ ଉପରେ ଯେଉଁ ପାଉଣା ଥିଲା, ତାହା ସହଜରେ ଆଦାୟ ହେଲା ନାହିଁ । ତେଲିଘର ପିଲାମାନେ ରାଗି ମକଦମା କରିବାକୁ ଇଚ୍ଛାକଲେ । ମାତ୍ର ବୁଢ଼ା ତାହା କରାଇ ଦେଲା ନାହିଁ । ସେ ଧରଣର ଲୋକମାନେ ମକଦ୍ଦମାକୁ ବଡ଼ ଘୃଣା କରୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା, ଯେ ନେଇ କରି ନ ଦେବ, ସେ ଅନ୍ୟ ଜନ୍ମରେ ବାଡ଼ିରେ ନେଉଟିଆ ଶାଗ ହୋଇ କରଜ ପରିଶୋଧ କରିବ । ପୁଅମାନେ ମକଦ୍ଦମା କରିବାକୁ ବସିଲେ ବୁଢ଼ାମାନେ କହନ୍ତି, ‘‘ଆରେ, ସେ ଦଶ କୋଡ଼ିଏ ଟଙ୍କା ବୁଡ଼ାଇ ଦେଲେ କ’ଣ ଆମ କପାଳ ଖୋଲିନେଇ ଯିବ-? ଖାଉ, ଯେତେବେଳେ ଆମକୁ ଦେଖୁଥିବ, ତା’ ମନ ସଡ଼ି ଯାଉଥିବ । ତା’ଠାରୁ ଦଶ କୋଡ଼ିଏ ଟଙ୍କା ଆଦାୟ କରିବାକୁ ଯାଇ ଆମେ ବୃଥାରେ ଦଶ କୋଡ଼ିଏ ଟଙ୍କା ଖରଚ କରି କାହିଁକି ଆପଣା ଧନ ପରକୁ ଖୁଆଇବା ? ଶେଷରେ ରାଗ ଜନ୍ମିବ, ତା’ର ଘରଦ୍ୱାର ନିଲାମ କରିବା । ମକଦ୍ଦମା ପାଖମାଡ଼ିବା ଭଲ ନୁହେଁ ।’’

 

ନାଏବବାବୁ ଦେଖିଲେ ଯେ, ଏପରି ଖାତକମାନଙ୍କୁ ବିଗିଡ଼େଇ କିଛି ହେବ ନାହିଁ । ଶେଷରେ ସେମାନେ ସିଆଣିଆ ହୋଇ ମୋଠାରୁ ଯାହା ନେଉଅଛନ୍ତି, ତାହା ଦେବେ ନାହିଁ । ମୁଁ ଏକୁଟିଆ ଲୋକ–ମୋର ମାଲିମକଦ୍ଦମାକୁ କିଏ ଦଉଡ଼ିବ ? ଏପରି ଏକ ଉପାୟ କରିବା, ଯେପରି ଦୁଇ ମହାଜନ ପରସ୍ପର ମଧ୍ୟରେ ବାଦ ବିବାଦ କରି ନଷ୍ଟ ହେବେ । ଅନେକଭାବି ଶେଷରେ ସେ ଜଣେ କାରିଗରକୁ ଯୋଡ଼ିଏ ସୁନ୍ଦର ରାଧାକୃଷ୍ଣ ମୂର୍ତ୍ତି ଫରମାସ ଦେଲେ । ସେ ତିଆରି କରି ଆଣିଲାବେଳକୁ କହିଲେ, ‘‘ଆରେ, ମୁଁ ଫରମାସ ଦେଇଅଛି ବୋଲି କହିବୁ ନାହିଁ । ତୁ ଏ ଠାକୁରଙ୍କୁ ନେଇ କାଚରାବୁଢ଼ା ପାଖରେ ପହଞ୍ଚିବୁ, ମୁଁ ପଛେ ପଛେ ଯାଉଛି । ତାଙ୍କୁ କହିବୁ–‘‘କିଛିକାମ ନଥିଲା, ବସି ଏ ଦୁଇମୂର୍ତ୍ତି ତିଆରି କରିଛି । ଆପଣଙ୍କୁ ଆଗ ନ ଭେଟି ଅନ୍ୟ ପାଖକୁ ନେବାକୁ ଇଚ୍ଛାହେଲା ନାହିଁ ।’’ ମୁଁ ତେଣିକି ସବୁ କଥା ସଜିଲି କରି ଦେବି । ‘‘କାଚରା ବୁଢ଼ାକୁ ଏ ଦୁଇମୂର୍ତ୍ତି ଦେଲେ ତେଲି ଘର ମଧ୍ୟ ଦୁଇମୂର୍ତ୍ତି ରଖିବେ ।’’ ନାଏବବାବୁଙ୍କ କଥାନୁସାରେ କାରିଗର ଠାକୁର ନେଇ କାଚରା ବୁଢ଼ାଘରେ ପହଞ୍ଚିଲା । ତା’ ପଛେ ପଛେ ନାଏବବାବୁ ମଧ୍ୟ ପହଞ୍ଚିଗଲେ । ବୁଢ଼ାଠାକୁର ଦୁଇମୂର୍ତ୍ତି ନିଜ ହାତରେ ଧରି ପ୍ରତିଚକ୍ଷୁ ଲଗାଇ ଚାହୁଁଅଛି । ନାଏବବାବୁଙ୍କୁ ଦେଖି କାରିଗରକୁ କହିଲା, ‘‘ଆରେ, ସେ କରଣିଆ ଲୋକ, ତାଙ୍କୁ ଦେ, ଆମେ କ’ଣ ସମ୍ଭାଳି ପାରିବୁଁ ?’’ ନାଏବବାବୁ କହିଲେ, ‘‘ତୁମର ଶେଷସମୟ ଆସି ହେଲାଣି । ଘର କରୁଛ, ଠାକୁର ଦୁଇମୂର୍ତ୍ତି ରଖି ଯାଇଥିଲେ ନିଜର ଗତି ଭଲ ହେବ, ଆଉ ନାମରହିବ ।’’ ବୁଢ଼ାକହିଲା, ‘‘ସତ, ମାତ୍ର ଦୁଇ କଥା ଅଛି–ଭଲ ଅଛି, ମନ୍ଦ ବି ଅଛି । ଠାକୁର ରଖି ଭକ୍ତିକଲେ ଭଲ କଥା, ମାତ୍ର ତାମସ ଭକ୍ତିକଲେ ସର୍ବନାଶ । ପିଲାମାନଙ୍କ ଇଚ୍ଛା, ତାଙ୍କ ମନ ଯେବେ ହେବ ରଖନ୍ତୁ ।’’ ସେତେବେଳକୁ ପିଲାମାନେ ସେଠାରେ ଜମା ହୋଇଗଲେଣି । ଠାକୁର ଦୁଇମୂର୍ତ୍ତି ଅତିସୁନ୍ଦର ହୋଇଥିବାରୁ ପିଲାଙ୍କର ଓ ସ୍ତ୍ରୀମାନଙ୍କର ମନ ହେଲା ।

 

ମୂଲଚାଲ କରି ବୁଢ଼ା ଠାକୁର ଖରିଦ କଲା । ନାଏବ ସେଠାରୁ ଫେରିଆସି ତେଲିଘର ଠାକୁ ଜଣେ ଚର ପଠାଇଲେ । ସେ ଦୁଇ ମହାଜନଙ୍କର ଠାକୁର ନ ଥିଲେ । ମାତ୍ର ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଭାଗବତଗାଦି ଥାଏ । ପ୍ରତିଦିନ ସନ୍ଧ୍ୟାବେଳକୁ ପିଲାଏ ଅଧ୍ୟାଏ ଗୀତ ବୋଲନ୍ତି, ବୁଢ଼ାମାନେ ଶୁଣନ୍ତି । ନାଏବବାବୁଙ୍କ ପ୍ରେରିତ ଚର ସନ୍ଧ୍ୟାବେଳେ ତେଲିଘର ଭାଗବତ ଘରେ ପହଞ୍ଚିଗଲା । ଗୀତଶେଷରେ କଥାପ୍ରସଙ୍ଗରେ ଠାକୁରଙ୍କର ସୁଗଠନ ଓ ମୂଲଚାଲ ଇତ୍ୟାଦି ସମସ୍ତ କହି ଆସିଲା । ଏହାଶୁଣି ତେଲିଘର ପିଲାମାନଙ୍କର ଠାକୁର ଦୁଇମୂର୍ତ୍ତି କିଣିବାକୁ ଇଚ୍ଛାହେଲା । ପରଦିନ କାରିଗରକୁ ଡକାଇ କାଚରା ଘର ଠାକୁରଙ୍କଠାରୁ ଟିକିଏ ବଡ଼ ଅଧିକ ସୁନ୍ଦର ଗଠନର ଠାକୁର ବରାଦ ଦିଆଗଲା । ଦୁଇ ମହାଜନ ଘରେ ଠାକୁର ରହିବାର କିଛିଦିନ ପରେ ବୁଢ଼ାମାନେ ସଂସାର ତ୍ୟାଗକଲେ । ପିଲାମାନେ ମୁରବି ହେବାରୁ ନାଏବଙ୍କୁ କଚେବାର ପଡ଼ିଗଲା । ତାଙ୍କୁ ଆଉ ସେମାନଙ୍କୁ ଭୁଲାଇବାକୁ ବେଶି କଷ୍ଟ ହେଲା ନାହିଁ । ଦିନେ ସେ ଯାଇ କାଚରା ମହାଜନ ଘରେ ବସି ପିଲାମାନଙ୍କୁ ନାନା ଉପଦେଶ ଦେଲେ । ଯେପରି ସେ ଗୋଟାପଣେ ତାଙ୍କର । ମଧ୍ୟେ ମଧ୍ୟେ ତେଲି ଘର ସମ୍ୱନ୍ଧରେ ପଦେ ପଦେ ଏପରି କଥା କହି ଦେଇଯାନ୍ତି, ଯେପରି କାଚରା ପିଲାଙ୍କର ତେଲି ମହାଜନ ପିଲାଙ୍କ ପ୍ରତି ଦ୍ୱେଷ ଜାତହେବ । ଶେଷରେ କହିଲେ, ‘‘ଆରେ ପିଲାଏ, ବୁଢ଼ାଠାକୁର ବସାଇଗଲେ, ତୁମେମାନେ ତାଙ୍କର ଖଞ୍ଜାବାଡ଼ି ଓ ନୀତି ନ କଲେ ଅଧର୍ମ ହେବ । ବୁଢ଼ାର ଇଚ୍ଛାଥିଲା, ମୋ ପାଖରେ ଅନେକଥର କହିଛି, ଦୋଳଯାତ କରିଥାନ୍ତା, ମାତ୍ର ସେ ତ ବଞ୍ଚି ପାରିଲା ନାହିଁ । ହଉ ସେ ଜଣେଗଲା, ତୁମ୍ୱେମାନେ ପୁଅ ନାତି ଅଛ, ଚିନ୍ତା କ’ଣ ? ବୁଢ଼ାର ନାମରଖ ।’’ ପିଲାମାନଙ୍କର ମନ ଯାତ ଆଡ଼କୁ ଧାଇଁଲା । ନାଏବଙ୍କୁ ଫରମାସ ଦେଲେ ଯେ, ‘‘ତୁମ୍ଭେ ଯେଉଁ ଜମିଦାର ଘରେଥିଲ, ସେଠାକୁ ଭଲ କାରିଗର ସବୁ ଆସୁଥିବେ । ଭଲ ଛତି ପ୍ରଭୃତି ଅଣାଇ ଦିଅ, ଏ ବର୍ଷ ଯାତ ଆରମ୍ଭ କରିବା ।’’ ନାଏବବାବୁ କହିଲେ, ‘‘ଚିନ୍ତା ନାହିଁ, ଅତି ଭଲ ଜିନିଷ ମୁଁ ଅଣାଇ ଦେବି; ମାତ୍ର ଗୋଟିଏ କଥା ଶୁଣ । ଏ କାମ ପ୍ରଘଟ କଲେ ତେଲିଘର ଶୁଣିବେ, ସେମାନେ ଯୋଗାଡ଼ କରିବେ । ଏକ ସଙ୍ଗେ ଦୁଇଘର କାମ ହେଲେ ଭଲ ହେବ ନାହିଁ । ତୁମେମାନେ ଯାତ ଆରମ୍ଭ କଲେ ତୁମ୍ଭମାନଙ୍କ ନାମ ରହିଯିବ । ପଛରେ ସେମାନେ କଲେ ଲୋକେ କହିବେ ଯେ, କାଚରା ଘର ସଙ୍ଗେ ବାଦକୁ ସେମାନେ କଲେ । ନୋହିଲେ ତେଲ ଚିକିଟା ସହଜରେ କରିଥାନ୍ତେ ?’’ ଏ କଥାଟା କାଚରା ପିଲାଙ୍କ ମନକୁ ଘେନିଲା । ସେମାନେ ନାଏବଙ୍କୁ ଜଣେ ଅତିବୁଦ୍ଧିଆ ଲୋକବୋଲି ପ୍ରଶଂସା କରି କହିଲେ ଯେ, ଯାତ୍ରାହେବା ପର୍ଯ୍ୟନ୍ତ ଏ କଥା କେହି ଜାଣିବେ ନାହିଁ । ଟୋକାମାନଙ୍କୁ ଦିନକୁ ଦିନ ବାଦ ଓ କଳି କଥା ଚନ୍ଦନ ପରି ଲାଗୁଅଛି । ଭଲ କଥା ଯେପରି ମେଘୁଆ ଖରା । କାଚରା ପିଲାଙ୍କର ଆନନ୍ଦର ସୀମା ନାହିଁ । ସେମାନେ ନାଏବଙ୍କୁ ଜିମାରେ ଟଙ୍କା ପଇସା ଧରାଇ ଦେଇ କଦରରେ ଛତ୍ର ପ୍ରଭୃତି ଅଣାଇ ଯାତ୍ରା ପର୍ଯ୍ୟନ୍ତ ଅନ୍ୟତ୍ର ରଖାଇବାକୁ ବରାଦ କରିଦେଲେ । ନାଏବ ନିଜ ଇଚ୍ଛା ପୂରଣ ହେବାର ସୁବିଧା ମନେ କରି ଯେପରି ପଦାର୍ଥ ସେ ଅଞ୍ଚଳକୁ ନୂଆବୋଧ ହେବ, ସେପରି ଉପକରଣମାନ ଯୋଗାଇ ଦେଇ ଯଥା ସମୟରେ ଯାତ ଆରମ୍ଭ କରିଦେଲେ ।

 

ଯାତ ଆରମ୍ଭର ପାଞ୍ଚଛଅ ଦିନ ପୂର୍ବରୁ ତେଲିଘର ପିଲାମାନେ ଶୁଣି ପାରିଥିଲେ, ମାତ୍ର ସେମାନଙ୍କର ଯୋଗାଡ଼ କରିବାକୁ ଆଉ ସମୟ ନ ଥିଲା । କାଚରା ଘର ଚାଚେରୀ ବାହାରିବା ଦେଖି ସେମାନଙ୍କର ମନ ମରିଗଲା, ମଧ୍ୟ କାଚରା ଘର ପ୍ରତି ଗୋଟାଏ ବିଦ୍ୱେଷଭାବ ଜାତହେଲା-। ଦୋଳ ପରେ ତେଲିଘର ପିଲାଙ୍କର ଆଗାମୀ ବର୍ଷକୁ କାଚରା ଘରଠାରୁ ଭଲ ବିମାନ ଓ ଛତ୍ରାଦି ଯୋଗାଡ଼କରି ଯାତବାହାର କରିବାକୁ ଉଦ୍ୟମ ଲାଗିଲା । ମାତ୍ର କେଉଁଠାରେ ଭଲ ପଦାର୍ଥ ମିଳିବ, ଏ ଚିନ୍ତା କରୁ କରୁ ଜଣେ କହିଲା, ‘‘ନାଏବବାବୁଙ୍କ ସଙ୍ଗେ ପରାମର୍ଶ କଲେ ସବୁ ଜଣାଯିବ ।’’ ଦିନେ ନାଏବବାବୁଙ୍କୁ ଖରାବେଳେ ଆପଣାଘରକୁ ଡକାଇ ନେଇ ପଚାରିବାରେ ସେ କାରିଗର ଓ ଗ୍ରାମର ନାମ ବତାଇ ଦେଲେ, ମାତ୍ର ସେମାନଙ୍କୁ ମନାକରି ଦେଲେ ଯେ, ତାଙ୍କ ନାମ ଯେପରି ସେମାନେ ପ୍ରକାଶ ନ କରନ୍ତି । କାରଣ, କାଚରା ଘର ପିଲାମାନେ ଜାଣିଲେ ଗୋଟିଏ ଅପମାନ ଜାତହେବ । ତେଲିଘର ପିଲାମାନେ କାରିଗର ଡକାଇ ଆଣି ଆପଣା ଘରେ ସମସ୍ତ ଉପକରଣ ପ୍ରସ୍ତୁତ କରାଇଲେ । ନାଏବବାବୁ ଭାବିଲେ ଯେ, ଚାଚେରୀମାନଙ୍କର ଗୋଟାଏ ମିଳନ ନ ହେଲେ ପରସ୍ପର ମଧ୍ୟରେ ଭଲରୂପେ ବିବାଦ ଲାଗିପାରିବ ନାହିଁ । ଆମ ସାଇ, ବ୍ରାହ୍ମଣଶାସନ ଓ କାଚରା ଆଉ ତେଲି ମହାଜନଙ୍କର ଦୋଳ ମିଶି ଚାରିଚାଚେରୀ ହେଲାଣି । ଅନ୍ୟ ଗ୍ରାମରୁ ଖଣ୍ଡକେତେ ଚାଚେରୀ ନିମନ୍ତ୍ରଣ କରି ଆଣିଲେ ଗୋଟାଏ ଆଚ୍ଛା ଯାତ୍ରାହେବ । ମୋର ମଧ୍ୟ ଗୋଟାଏ ନାମରହିବ । ସେତେବେଳକୁ ନାଏବବାବୁଙ୍କ ନାମଗ୍ରାମକୁ ଗ୍ରାମ ଡାକ ପଡ଼ିଲାଣି । ତାଙ୍କ କଥାରେ ଲୋକମାନଙ୍କର ଖାତିରି ହେଲାଣି । ଦୁଇ ପଟଣା ମଧ୍ୟରେ ଗୋଟାଏ ପ୍ରଶସ୍ତ ପଡ଼ିଆ ଓ ବଡ଼ ବରଗଛ ଥିଲା । ବ୍ରାହ୍ମଣଙ୍କୁ ପ୍ରଥମେ କହିବାରୁ ସେମାନେ ମଙ୍ଗିଗଲେ । ସେମାନଙ୍କଦ୍ୱାରା ନିଜସାହି କରଣ, କାଚରା ଓ ତେଲି ପିଲାଙ୍କୁ ମଙ୍ଗାଇ ଦେଲେ । କ୍ରମେ ଯାତ ସମୟ ହେଲା । ନିକଟବର୍ତ୍ତୀ ଗ୍ରାମମାନଙ୍କର ସାତ ଆଠଟି ଦୋଳ ଆସିଲେ, ଗୋଟିଏ ଭଲ ଯାତ ହେଲା । ସେଠାରେ ବିମାନ, ଛତ୍ର ଓ ଠାକୁର ପ୍ରଭୃତି ଦେଖି ଲୋକମାନେ ଭଲ ମନ୍ଦ ବାଛିଲେ । କାଚରାଘର ପଞ୍ଝାଏ ଆଖଡ଼ାବାଲା ଆଣିଥିଲେ । ସେମାନେ ସମସ୍ତଙ୍କଠାରୁ ସରସ ହେଲେ । ଆଗାମୀବର୍ଷ ତେଲିଘର ପିଲାମାନେ ଆଗରୁ ବଇନା ଦେଇ ବେଶି ବିଦାକିର ଆଶା ଦେଖାଇ ସେମାନଙ୍କୁ ନେଇ ଆସିଲେ । କାଚରାଘର ପିଲାମାନେ ନାଏବବାବୁଙ୍କୁ ଏ କଥା କହିବାରୁ ସେ କହିଲେ, ‘‘ଆଚ୍ଛା, ଏଥର ତାଙ୍କୁ ଆମ୍ୱେମାନେ ବେକିବ୍‌ କରିଦେବା । ତୁମ୍ୱେମାନେ କିଛି ପଇସା ଖର୍ଚ୍ଚକର, କଟକରୁ ଭଲ ବାଣକିଛି ଅଣାଇବା; ସେମାନେ ଯେପରି ଜାଣି ନ ପାରିବେ । ଠାକୁର ସବୁ ଏକତ୍ର ବସିଗଲେ ବାଣସବୁ ଲଗାଇ ଦେବା, ସେମାନେ ବେକୁବ୍‌ ହୋଇଯିବେ । ମାତ୍ର ପ୍ରତିବର୍ଷ ଆଖଡ଼ା ଦଳ ନେଇ ଏପରି ବାଦବିବାଦ ଲାଗିବ । ଗୋଟିଏ କଥା କଲେ ଭଲ ହେବ ।’’ ନାଏବଙ୍କ କଥା ସେତେବେଳେ ସେମାନଙ୍କୁ ଅମୃତ ପରିବୋଧ ହେଉଥାଏ । ସେ କହିଲେ, ‘‘ଆମ ଜମିଦାରଘରକୁ ଗୋଟାଏ ଓସ୍ତାତ୍‌ ଆସିଥିଲା । ତାକୁ ଯେବେ ଅଣାଇ ଆମ୍ଭେମାନେ ରଖିବା, ଆଉ ତା’ ପାଖରେ ଦୁଇଟା ପିଲା ଛାଡ଼ିଦେବା, ତେବେ ପରକୁ ଆଉ ଖୋସାମଦ କରିବାକୁ ପଡ଼ିବ ନାହିଁ ।’’ ଆମର ଇଚ୍ଛାମତ ଅଳଙ୍କାର ଶାଢ଼ୀଦେଇ ଠିଆ କରିଦେବା । ସେମାନେ ଯେତେ ଚେଷ୍ଟାକଲେ ପାରିବେ ନାହିଁ । ତୁମେମାନେ ଅତିଗୋପନ ଭାବରେ ଯୋଡ଼ିଏ ଭଲ ପିଲା ଅନୁସନ୍ଧାନ କର, ମୁଁ ମଧ୍ୟ ଦୃଷ୍ଟି ପକାଉଅଛି । ଆଉ ଓସ୍ତାତ୍‌ଙ୍କୁ ଖବର ଦେବାରେ ବିଳମ୍ୱ କରିବା ନାହିଁ ।’’ କାଚରା ପିଲାମାନଙ୍କର ମନ ଶ୍ରାବଣମାସର ନଦୀସ୍ରୋତ ପରି ସେ ଦିଗକୁ ଦୌଡ଼ିଲା । ନାଏବବାବୁ ଗୋଟିଏ ତେଲି ପିଲା ସଜିଲ କଲେ, ଆଉ ସେମାନେ ଗୋଟିଏ ବାରିକ ପିଲା ବୁଝିଲେ । ଗୁରୁ ଆସି ଆଖଡ଼ା ଆରମ୍ଭ କରିଦେଲେ । ଯାତ ସମୟ ହେଲା, ମାତ୍ର ପିଲାମାନେ ନୂଆ ଥିବାରୁ କାଚରା ଘର ବାଧ୍ୟ ହୋଇ ଆଉ ଗୋଟିଏ ଦଳ ଆଣିଲେ; ମାତ୍ର ଏ ବର୍ଷ ବାଣଦ୍ୱାରା ତେଲିଘରକୁ ପରାଜୟ କରିବା ପାଇଁ ତାଙ୍କର ଯତ୍ନ ଥିଲା । ତେଲିଘର ପିଲାମାନେ ବାଣ ଦେଖି କାବା ହୋଇଗଲେ । ନୂଆ କଥାରେ ଲୋକମାନେ ଭୁଲନ୍ତି, ଏହାଚିରନ୍ତନ ରୀତି । ଗତ ବର୍ଷ ସେ ଆଖଡ଼ା ସମସ୍ତେ ଦେଖିଥିବାରୁ ସେମାନଙ୍କ ଆଡ଼କୁ କାହାରି ଦୃଷ୍ଟିଗଲା ନାହିଁ । ବାଣ ଦେଖି ସମସ୍ତେ କାଚରା ଘର ପ୍ରଶଂସା ଗାଇଲେ । ଏହା ତେଲିଘର ପିଲାଙ୍କୁ ବଡ଼ ଅସହ୍ୟବୋଧ ହେଲା । ସେମାନେ କିପରି କାଚରା ଘର ଲୋକଙ୍କୁ ଅନ୍ୟ ବର୍ଷକୁ ପରାଜୟ କରିବେ, ଏହି ଚିନ୍ତାରେ ଥାନ୍ତି । ନାଏବବାବୁ ଗୋଟିକ ପରେ ଆଉ ଗୋଟିଏ ଉପାୟ ଭାବି ସ୍ଥିର କରିଥାନ୍ତି ଏବଂ ଦୁଇ ପାଖରେ ଥାଇ କାହାରି ପାଖରେ ନ ଥାଇ ଭଦ୍ରଲୋକ ପରି କଥା କହୁଥାନ୍ତି ।

 

ନିଜର ଗୁପ୍ତଚର ରଖି ନାଏବବାବୁ କାହାର କି ବିଚାର, ସବୁ ବୁଝୁଥାନ୍ତି । ତେଲିଘର ପିଲାଙ୍କର ବିଚାର ସବୁ ଶୁଣି ଆସି ଚର ଖବର ଦେବାରୁ ସେ ତାକୁ ପୁଣି ସେଠାକୁ ପଠାଇଲେ । ସେ ଯାଇଁ କଥାପ୍ରସଙ୍ଗରେ କହିଲା, ‘‘ନାଏବଙ୍କୁ ଧର, ସେ ଏପରି ଉପାୟ ବତେଇ ଦେବେ ଯେ, ସେମାନେ ବେକୁବ୍‌ ହୋଇଯିବେ ।’’ ସେମାନଙ୍କ ମନକୁ ସେ କଥା ଆସିଲା । ପରଦିନ ନାଏବବାବୁଙ୍କୁ ଡକାଇ ନେଇ ପରାମର୍ଶ କଲେ । ସେ ସେମାନଙ୍କୁ ପୂର୍ବ ପରି ତାଙ୍କ ନାମ ପ୍ରକାଶ କରିବାକୁ ମନା କରି ବୁଢ଼ା, ବୁଢ଼ୀ, ବର, ସଖୀ ପ୍ରଭୃତି ରୂପଗୁଡ଼ିଏ ନିର୍ମାଣ କରିବାକୁ ବୁଦ୍ଧି ଦେଇ ଆସିଲେ । କାରିଗର ମଧ୍ୟ ଡକାଇ ଦେଲେ । ଏହିପରିବ ର୍ଷକୁ ବର୍ଷ ନୂଆ ନୂଆ କଥାରେ ବାଦ ଲଗାଇ ତାହା ତାଙ୍କର ଗୋଟିଏ ରୋଜଗାରର ଫନ୍ଦା କରିଥାନ୍ତି ।

Image

 

ଦ୍ୱାବିଂଶ ପରିଚ୍ଛେଦ

 

ଯେ ଅର୍ଥ ଉପାର୍ଜନ କରିପାରେ ନାହିଁ, ସେ ତା’ର ମୂଲ୍ୟ ଜାଣିପାରେ ନାହିଁ, ପ୍ରତ୍ୟେକ ବଡ଼ ଘରର ଉତ୍‌ଥାନ ଓ ପତନ ଦେଖିବାକୁ ଗଲେ ଜଣାଯାଏ ଯେ, ଜଣେ ଜଣେ ଉଦ୍ୟମଶୀଳ ଓ ପ୍ରକୃତିସ୍ଥ ଲୋକ ନିଜ ନିଜ ପରିଶ୍ରମ ଓ ସଂଯମଦ୍ୱାରା ବହୁ ଅର୍ଥ ଉପାର୍ଜନ କରିଥାନ୍ତି । ସେମାନଙ୍କ ଅନ୍ତେ ସେମାନଙ୍କର ପୁତ୍ରପୌତ୍ରମାନଙ୍କ ମଧ୍ୟରୁ ଯଦି କେହି ସେହିପରି ସଂଯତ, ଯତ୍ନଶୀଳ ଓ ପରିଶ୍ରମୀ ହୁଅନ୍ତି, କିଛି ଦିନ ଉକ୍ତ ସମ୍ପତ୍ତିର ବୃଦ୍ଧିସାଧନ କରନ୍ତି; ମାତ୍ର ଆଉ କେତେକ ସୁଖରେ ବଢ଼ି ପରିଶ୍ରମ କାତର ହୁଅନ୍ତି; ଏଣୁ ବିଳାସର ଆଶ୍ରୟ ଗ୍ରହଣ କରି ପୂର୍ବାର୍ଜିତଧନର କ୍ଷୟ କରନ୍ତି । ଏଣୁ ପରସ୍ପର ମଧ୍ୟରେ ସ୍ୱାର୍ଥନେଇ ବାଦବିବାଦ ଲାଗି କାହାର ଏକ ପୁରୁଷ, କାହାର ଦୁଇ ପୁରୁଷ, ଅଥବା କାହାର ତିନି ପୁରୁଷ ମଧ୍ୟରେ ସମସ୍ତ ଧନସମ୍ପତ୍ତି ନଷ୍ଟ ହୋଇଯାଏ । ଏହିପରି ପ୍ରତ୍ୟେକଗ୍ରାମରେ ପ୍ରତ୍ୟେକ ପରିବାର ମଧ୍ୟରେ ଊଣା ଅଧିକରେ ଉତ୍‌ଥାନ ଓ ପତନ ଲାଗି ରହିଅଛି । ଏ ସବୁ ଦେଖି ଲୋକ ଲକ୍ଷ୍ମୀକୁ ଚଞ୍ଚଳା କହିଥାନ୍ତି । କାହାରି କାହାରି ମତରେ ଧନବୃଦ୍ଧି ସଙ୍ଗେ ସଙ୍ଗେ ଗର୍ବବୃଦ୍ଧି ହୁଏ ଓ ନାନା ଅନ୍ୟାୟ କରିବାକୁ ପ୍ରବୃତ୍ତି ଜନ୍ମେ । ତେଣୁ ପତନ ହୁଏ, ମାତ୍ର ଏହାର ମୂଳରେ ଶିକ୍ଷାର ଅଭାବ ଥିବାର ଅଧିକାଂଶସ୍ଥଳରେ ପ୍ରତୀୟମାନ ହୁଏ । ଲୋକ ଆତ୍ମନିର୍ଭରଶୀଳ ନ ହେଲେ ଧନ ଉପାର୍ଜନ କରିବା ଦୂରେ ଥାଉ, ପ୍ରାପ୍ତ ଧନକୁ ସୁଦ୍ଧା ନିଜ ଅଧିକାରରେ ରଖି ପାରେନାହିଁ ।

 

କାଚରା ଓ ତେଲିଘର ପିଲାମାନଙ୍କ ମଧ୍ୟରେ ଦିନକୁ ଦିନ ବିବାଦ ଓ ତାମସିକ ଭାବ ବଢ଼ିଲା, ଆଉ ସେମାନଙ୍କଠାରେ ବିଳାସ ବାସନା ଜାଗରୁକ ହେଲା । ଓସ୍ତାତ୍‌ ଆସି ଆଖଡ଼ା ପିଲାଙ୍କୁ ଶିକ୍ଷା ଦେବା ଦିନରୁ ସେମାନଙ୍କର ମନ ଘରେ କିମ୍ୱା ଘର କାର୍ଯ୍ୟରେ ରହିଲା ନାହିଁ । ପ୍ରତ୍ୟେକେ ଭାବିଲେ, ନିଜ ନିଜର ଗୋଟିଏ ଆଖଡ଼ାମେଳ ସ୍ୱତନ୍ତ୍ର କରନ୍ତେ । କାଚରା ଘର ଆଖଡ଼ା ଦଳ ଦେଖି ତେଲିଘର ଯୋଡ଼ିଏ ପିଲା ଠିକ୍‌ କଲେ । ଏହିପରି କିଛିଦିନ ପରେ ତେଲିଘରର ଗୋଟିଏ ପିଲାକୁ କାଚରା ଘର ଶିଖାଇ ତା’ର ପିତାକୁ ଅର୍ଥଦ୍ୱାରା ବଶୀଭୂତ କରି ଆପଣା ଦଳଭୁକ୍ତ କରିବାରୁ ବିବାଦାଗ୍ନି ଚୈତ୍ରମାସର ଦାବାଗ୍ନି ପରି ବ୍ୟାପିଗଲା । ନାଏବବାବୁଙ୍କର ଆନନ୍ଦର ସୀମାରହିଲା ନାହିଁ । ସେ ଯେ ବିଷବୃକ୍ଷର ବୀଜ ପୋତିଥିଲେ, ତାହା ଏତେଦିନେ ପତ୍ର, ପୁଷ୍ପ ଓ ଫଳରେ ପରି ଶୋଭିତହେଲା । ଦିନରେ ଦଶଥର ଲୋକ ତାଙ୍କ ନିକଟକୁ ଦଉଡ଼ିଲେ । ତାଙ୍କର ମନରେ ଥାଏ, କିପରି ବିବାଦ ବଢ଼ୁ; ମାତ୍ର ପଦାରେ ପାଞ୍ଚଜଣ ବୁଢ଼ାଙ୍କୁ ଡାକି ବିବାଦ ମେଣ୍ଟାଇବାକୁ ବସନ୍ତି । କାଚରାଘର ପିଲାମାନେ ବିବାଦୀୟ ଟୋକାକୁ ଗଣ୍ଠିଧନ ଏବଂ ଗଳାମାଳ ପରି ଆଦରରେ ରଖିଥାନ୍ତି । ଭଦ୍ରଲୋକମାନଙ୍କ ଆଗରେ ସେମାନେ କହିଲେ, ‘‘ସେ ପିଲା ଚାଲିଯାଉ, ଆମର କିଛି ଆପତ୍ତି ନାହିଁ ।’’ ପିଲାର ପିତାକୁ ପଚାରିବାରେ ସେ କହେ, ‘‘ପିଲାରାଜି ହୋଇଗଲେ ତା’ର ଆପତ୍ତି ନାହିଁ ।’’ ମାତ୍ର ପିଲାକୁ ପଚାରିଲେ ସେ ରାଜିହୁଏ ନାହିଁ । ଭଦ୍ର ଲୋକମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇ ସମସ୍ତଙ୍କୁ ନା ନା ଉପଦେଶ ଦେଇ ଉଠିଗଲେ । ମାତ୍ର ଖଳ ଯେଉଁଠାରେ ବିଦ୍ୟମାନ, ସେଠାରେ ଉପଦେଶର ପ୍ରଭା ସଦା ମଳିନ । ପଲ୍ଲୀରେ ଦୁଇ ଜଣ ଗୃହସ୍ଥମଧ୍ୟରେ କଜିଆ ହେଲେ ‘‘ତୋଘରେ ମକଦମା ପଶୁ’ ବୋଲି ଗାଳି ଦିଆ ଦେଇ ହୁଅନ୍ତି । ଏ ଗ୍ରାମରେ ଏ ପର୍ଯ୍ୟନ୍ତ ମକଦମା କିପରି, ଲୋକେଜାଣି ନ ଥିଲେ । ଏ ଘଟଣାରୁ ତେଲିଘର ସେଟୋକାର ବାପ ନାମରେ ଓ କାଚରାଘର ଓସ୍ତାତ୍‌ ନାମରେ ମକଦମା ଆରମ୍ଭ କରିଦେଲେ । ନାଏବବାବୁଙ୍କର କଚେବାର ପଡ଼ିଗଲା । ଏ ମକଦମା ପରେ କ୍ରମେ କ୍ରମେ ଘାଟହାଟ ବାଟ ଦଣ୍ଡା ଓ ଗୋହିରୀ ଆଦି ନାନା କଥାରେ ଦିନକୁ ଦିନ ମକଦମା ଲାଗି ଉଭୟ ପକ୍ଷର ସର୍ବନାଶ ଘଟିଲା । ବର୍ତ୍ତମାନ ନାଏବବାବୁ ଗ୍ରାମ ମଧ୍ୟରେ ସର୍ବେସର୍ବା । ସେତେବେଳକୁ ସେ ବୈଠକଖାନା ସଜାଇ ଅପସର ଆଉଜି ବସିଗଲେଣି । ଚାରିପାଖରେ ଚାକର, ଗୁମାସ୍ତା ଓ ପିଆଦା ଶ୍ରେଣୀ ବିଦ୍ୟମାନ । କେହି ଧାନକରଜ ନେବାକୁ, କେହି ଟଙ୍କାକରଜ ନେବାକୁ, କେହି ଜମିଭାଗ ନେବାକୁ, କେହି ହାରିଗୁହାରି ପାଇଁ ଓ କେହି କିଛି ମାଗିବା ପାଇଁ ଆସି ରାତି ଦିନ ବୈଠକଖାନା ଦୁଆରେ ଜଗି ବସିଥାନ୍ତି । ଯଦି କେତେବେଳେ ନାଏବବାବୁ ଦ୍ୱାରରେ ଛିଡ଼ା ହୋଇଥାନ୍ତି, କିମ୍ୱା ଦାଣ୍ଡରେ ଟହଲୁଥାନ୍ତି, ସେ ବାଟରେ କେହି ଚାଲିଗଲେ ଦଣ୍ଡବତଟାଏ ନ ପକାଇ, ଟିକିଏ ଛିଡ଼ା ନ ହୋଇ ଚାଲିଯିବାକୁ ସାହସ କଲେ ନାହିଁ । ବ୍ରାହ୍ମଣ ଯାଉଥିଲେ ନାଏବ ଦଣ୍ଡବତ ହୁଅନ୍ତୁ ବା ନ ହୁଅନ୍ତୁ, ସେ ମନକୁ ହାତ ଲମ୍ୱାଇ ଦେଇ ଦୀର୍ଘ ଆଶୀର୍ବାଦଟାଏ ନ ବୋଲି ଯିବାକୁ ସାହସୀ ହେଉ ନ ଥିଲେ । କେହି କେହି ମଧ୍ୟ ଭୟରେ ସେବାଟେ ଯାଉ ନ ଥିଲେ ।

 

ସେତେବେଳକୁ ଜିଲାବୋର୍ଡ଼ମାନ ପ୍ରାଥମିକ ଶିକ୍ଷା ପ୍ରଚାର ପାଇଁ ପଣ୍ଡିତ ନିଯୁକ୍ତ କଲେଣି-। ସେମାନେ ଗ୍ରାମେ ଗ୍ରାମେ ବୁଲି ଯେଉଁଠାରେ ଚାଟଶାଳୀ ଥାଏ, ସେ ସବୁରେ ଛପାବହି ଯେପରି ପଢ଼ାଯିବ, ଆଉ ବଡ଼ ବଡ଼ ଗ୍ରାମମାନଙ୍କରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଗୃହ ହୋଇ ସ୍କୁଲ ବସିବ, ସେହି ଉଦ୍ୟମରେ ଥାନ୍ତି । କାଚରାଘର ଓ ତେଲିଘର ପୂର୍ବରୁ ଦୁଇଗୋଟି ଅବଧାନ ରଖି ସେମାନଙ୍କ ପିଲାଙ୍କୁ ପଢ଼ାଉଥିଲେ । ସେମାନଙ୍କ ପାଠଶାଳାରେ କରଣ ଓ ବ୍ରାହ୍ମଣ ପିଲା ଜଣ କେତେ ପଢ଼ୁଥାନ୍ତି । ବର୍ତ୍ତମାନ ସେମାନଙ୍କ ଗୃହରେ ଆଉ ପାଠଶାଳା ନାହିଁ । ଦିନେ ପଣ୍ଡିତେ ଯାଇ ପହଞ୍ଚିଲାବେଳକୁ ଦୁଇ ଅବଧାନ ଅଦୃଶ୍ୟ ହେଲେଣି । ସେ ନାଏବବାବୁଙ୍କ ସଙ୍ଗରେ ଦେଖାକରି ସେ ଦୁଇ ପଟଣା ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ଗୃହ କରି ଭଲ ସ୍କୁଲଟିଏ ବସାଇବାକୁ ନାନା ଉପଦେଶ ଦେଲେ, ମାତ୍ର ନାଏବବାବୁଙ୍କ ଯୁକ୍ତି ଆଗରେ ପଣ୍ଡିତଙ୍କ ଉପଦେଶ ପାଣିଗାର ପରି ନିଭିଗଲା । ନାଏବବାବୁ କହିଲେ, ‘‘ହାଟୁଆ ଲୋକ ପାଠ ପଢ଼ିଲେ ଆଉ ସଂସାର ଚଳିବ ? ଦେଖିବା, କେହି ଅବଧାନ ଜୁଟନ୍ତୁ । ଗ୍ରାମବାସୀଙ୍କର ମନ ହେଲେ ଅକ୍ଷର ଚିହ୍ନି ଗୀତ ବୋଲିଲେ ତାଙ୍କର ପାଠଶେଷ-। ସ୍କୁଲ କ’ଣ ହେବ ?’’ ନାଏବବାବୁଙ୍କର ପିଲା ନ ଥାନ୍ତି । ବ୍ରାହ୍ମଣ କିମ୍ୱା କରଣ ସାହିରେ ଲୋକ କେହି ତାଙ୍କୁ ସ୍କୁଲ ପାଇଁ ଯତ୍ନ କରିବା ସକାଶେ ଅନୁରୋଧ କଲେ ସେ ଭାଙ୍ଗି ଦିଅନ୍ତି । କହନ୍ତି, ‘‘ଆରେ, ତୁମେମାନେ କିଛି ବୁଝିନାହଁ । ତୁମ ପିଲାଙ୍କୁ ସ୍କୁଲ ପାଠ ପଢ଼ାଇଲେ ସେମାନେ ତୁମକୁ ଆଉ ମାନିବେ ନା ମନୁଷ୍ୟବୋଲି ଗଣିବେ । ଖାଲି ଲମ୍ୱ ପିନ୍ଧା ପକାଇ, ଚୁଟିକାଟି, ପୋତାମାଡ଼ି, ବାବୁଗିରି ଦେଖାଇବେ । ଘର କାମକରିବା ଦୂରେଥାଉ, ଘର ଭାଙ୍ଗିବେ, ସେଥିରେ ମାତ ନାହିଁ । ମାଟିବଂଶ ଅବଧାନଟିଏ ପାଇଲେ ଆଣିରଖ ।’’ ଏକା ନାଏବବାବୁ କାହିଁକି, ଏ ପର୍ଯ୍ୟନ୍ତ ମଫସଲମାନଙ୍କରେ ଅନେକ ଗ୍ରାମରେ ସେହିପରି ଅନେକ ଲୋକ ଅଛନ୍ତି । ସେମାନେ ଭାବନ୍ତି–ସ୍କୁଲ ବସିଲେ, ସାଧାରଣ ଲୋକଙ୍କର ପିଲାମାନେ ପାଠ ପଢ଼ିଚାକିରି କଲେ, ସେମାନଙ୍କ ପ୍ରତିଭକ୍ତି ରହିବ ନାହିଁ । ଲୋକେ ସ୍କୁଲ କରିବାକୁ ଇଚ୍ଛାକଲେ ସେମାନେ ନାନା ଉପାୟରେ ବାଧା ଜନ୍ମାନ୍ତି ।

 

ନାଏବବାବୁଙ୍କର ପିଲା ନ ଥିବାରୁ ତାଙ୍କର ଯେତେ ଭାବନା ନ ଥାଏ, ତାଙ୍କ ସ୍ତ୍ରୀଙ୍କର ମନ ସର୍ବଦା ତତୋଽଧିକ ବ୍ୟସ୍ତ ହେଉଥାଏ । ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ସନ୍ତାନ ସନ୍ତତି ପାଇଁ ବେଶି ଲାଳାୟିତ । ଗୋଟିକ ପରେ ଗୋଟିଏ ଏପରି ଚାରୋଟି ସନ୍ତାନ ନଷ୍ଟ ହେବାରୁ ନାଏବବାବୁଙ୍କ ସ୍ତ୍ରୀଙ୍କୁ ଯେ ଯାହା ଉପାୟ ବତାଏ, ସେ ତାହା କରୁଥାନ୍ତି–ଚାନ୍ଦ ଓଷାରୁ ପନ୍ଥେଇ ମଙ୍ଗଳବାର ପର୍ଯ୍ୟନ୍ତ କଲେଣି । ମଛରୀ ଅପବାଦରେ ଶୀର୍ଣ୍ଣା ହୋଇଗଲେଣି । ନାହାକ ବିଚାରା ଆଶା ଦେଇ ଦେଇ ଯାଉଁଳି ପୂର୍ଣ୍ଣ କରି ଯାଉଥିଲା, ଏଣିକି ତା’ କଥାରେ ଆଉବିଶ୍ୱାସ ନାହିଁ-। ସେ ବିଚାରା ଭୟରେ ମଧ୍ୟ ଆସେ ନାହିଁ । ନାଏବବାବୁ ଏଡ଼େ କୃପଣ ଯେ, କେହି ତାଙ୍କଠାରୁ ଅଧଲାଏ ନେଲେ ଯେପରି ତାଙ୍କ ଦେହରୁ ରକ୍ତବିନ୍ଦୁଏ ଖସି ପଡ଼ିଲା, ସେ ଏପରି ଭାବନ୍ତି-। ମାତ୍ର ତାଙ୍କ ସ୍ତ୍ରୀ ଟିକିଏ ଖର୍ଚ୍ଚ କରନ୍ତି । ସେ କିନ୍ତୁ ଦୁଃଖୀ ଓ ଅରକ୍ଷିତଙ୍କ ପ୍ରତି ଦୟାବହି ଦାନ କରନ୍ତି ନାହିଁ କିମ୍ୱା କୌଣସି ଧର୍ମକାର୍ଯ୍ୟରେ ବ୍ୟୟ କରନ୍ତି ନାହିଁ, କେବଳ ନାମ ପାଇଁ ତାମସିକ ଭାବରେ ଖର୍ଚ୍ଚ କରନ୍ତି । ଯେ ଟେକାଟେକିକରି ପାଞ୍ଚକଥା କହେ, ସେ ମୁଠାଏ ପାଏ । ଗ୍ରାମ ମଧ୍ୟରେ କାଚରା ଘର ଧନୀ ଥିଲାବେଳେ ସମସ୍ତେ ସେଠାରେ ରୁଣ୍ଡ ହେଉଥିଲେ । ତେଲି ଘର ବଡ଼କୃପଣ ଥିଲା । ବର୍ତ୍ତମାନ ନାଏବବାବୁ କେବଳଧନୀ । ସମସ୍ତଙ୍କର ତାଙ୍କ ଗୃହ ଭରସାସ୍ଥଳ-। ନାଏବବାବୁଙ୍କୁ ଭୁଲାଇ କେହି କିଛି ପାଇ ପାରନ୍ତି ନାହିଁ । ସେ ଯେଉଁଠାରେ ପାହୁଲାଏ ଲାଭ ନ ଦେଖନ୍ତି, ସେଠାରେ ପଇସାଏ ଖର୍ଚ୍ଚ କରନ୍ତି ନାହିଁ । ଗ୍ରାମର ଦରିଦ୍ର ସ୍ତ୍ରୀମାନେ ନାଏବଙ୍କ ସ୍ତ୍ରୀଙ୍କ ନିକଟରେ ପହଞ୍ଚି କିଏ କହେ, ‘‘ସାନ୍ତାଣୀ, ତୁମ ହାତ ପରି କାହା ହାତହେବ ନାହିଁ, ପାଞ୍ଚକୋଶରେ ତୁମ ନାଁ ପଡ଼ୁଛି । କାଚରା ଘର ଘର କରୁଥିଲା; ହେଲେ କଣ ହେବ, ତୁମ ପରି ସେ ଆଉ ନାଁ କମାଇ ପାରିଲା ନାହିଁ-। ଯେତେହେଲେ ଯେ ଘରୁଆ ଝିଅ, ତା’ କଥା ନିଆରା । ଶୁଣିବାରେ ସାନ୍ତାଣୀ, ତୁମବାପଘର ଭାରି ଖାନଦାନ ଘର । କାହିଁକି ନ ହେବ । ଆମେ ଆଖିରେ ଦେଖିଛୁ, ତୁମେ ଆସିଲାବେଳେ ଯେତେ ପଦାର୍ଥ ଆଣିଥିଲ, ଆଉ କିଏ ଆଣିବ, ନା ଆଣିଥିଲା ? ଏଠାରୁ ଯେଉଁ ଲୋକମାନେ ଯାଇଥିଲେ କହୁଥାନ୍ତି, ଯାହାଖାଇଲେ କେଉଁଠାରେ ସେପରି ଦେଖି ନ ଥିଲେ-। ଏ ଗାଁରେ କ’ଣ ବ୍ରାହ୍ମଣ, କରଣ ନାହାନ୍ତି ନା ବନ୍ଧୁକରି ନାହାନ୍ତି, ଛିଲୋ, କହିଲେ ଲାଜମାଡ଼ିବ ।’’ ଏହିପରି ଯେ କହେ, ସେ ତେଲ, ହଳଦି, ଲୁଣ ଓ ଚାଉଳ ପ୍ରଭୃତି ଅଣ୍ଟି ପୂରାଇ ନେଇଯାଏ । ଏଣିକି ଆଉ ସେଭାବ ନାହିଁ, ପିଲାଗୁଡ଼ିକ ଜନ୍ମି ନଷ୍ଟ ହେବାରୁ ସେ କାହା ପାଖରେ ବସନ୍ତି ନାହିଁ କି କାହା କଥା ଶୁଣନ୍ତି ନାହିଁ–ସଦାବେଳେ ଚିନ୍ତାମଗ୍ନ ଥାନ୍ତି ।

 

ନାଏବବାବୁଙ୍କର ସେ ପ୍ରତିଚିନ୍ତା ନ ଥାଏ । ସେ ଏଣିକି ସଦାବେଳେ ଭାବୁଥାନ୍ତି, କିପରି କାଚରା ଓ ତେଲି ଘରର ଭଲ ଭଲ ଜମିତକ ହାତ ପକାଇବେ । ନାନାକୌଶଳରେ କ୍ରମେ କ୍ରମେ ତାଙ୍କ ମନୋବାଞ୍ଛା ସିଦ୍ଧ ହେବାକୁ ଲାଗିଲା । ବର୍ତ୍ତମାନ ଗ୍ରାମମଧ୍ୟରେ ଯେତକ ଭଲ ଜମି, ସବୁ ତାଙ୍କର ହେଲାଣି । ଧ୍ୟାନ ରଖିବାକୁ ସ୍ଥାନ ହେଉ ନାହିଁ । ଦୂରଗ୍ରାମମାନଙ୍କରୁ ଲୋକମାନେ ଆସି ଧାନ ଓ ଟଙ୍କା କରଜ ନେଉଥାନ୍ତି । ନିଜଗ୍ରାମ ଛଡ଼ା ଅନ୍ୟ ଗ୍ରାମମାନଙ୍କରେ ଜମି ଓ ଜମିଦାରୀ ଢେର୍‌ ଖରିଦ କଲେଣି । ତଥାପି ଦିନକୁ ଦିନ ଧନବୃଦ୍ଧି ପିପାସା ବଢ଼ୁଥାଏ । ତାଙ୍କର ଧନନିଶା କେବଳ ଧନବୃଦ୍ଧିଆଡ଼କୁ ମନକୁ ଆବଦ୍ଧ କରିଥାଏ–ଅନ୍ୟ କଥା ଭାବିବାକୁ ତାଙ୍କୁ ସମୟ ନ ଥାଏ । ଚାଷକାର୍ଯ୍ୟ, ଧାନ ଓ ଟଙ୍କାକରଜ ଦେବା, ଆଉ ଗ୍ରାମ ଲୋକମାନଙ୍କର ହାରିଗୁହାରି ବୁଝି ସେମାନଙ୍କଠାରୁ ତଣ୍ଡ ଆଦାୟ କରିବା ଛଡ଼ା ଅନ୍ୟ ବ୍ୟବସାୟ କିଛି ନ ଥାଏ । ତାଙ୍କର ଧନବୃଦ୍ଧିର ପରିମାଣ ଦେଖି ଲୋକେ କାବା ହେଉଥାନ୍ତି । କିଏକହେ, ନାଏବବଡ଼ କପାଳିଆ; କିଏ କହେ, ବଡ଼ ସିଆଣିଆ; କିଏ କହେ, ହଁ ହେ, କେତେ ଦେଖିଛୁ–‘‘ଅଧର୍ମ ଧନ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ।’’ ପ୍ରଥମ କଥାଟି ଅଳସୁଆ, ଦ୍ୱିତୀୟ କଥା ଗୁଣଗ୍ରାହୀ ଏବଂ ଶେଷ କଥା ଈର୍ଷାପରଲୋକଙ୍କ ମୁଖରୁ ପ୍ରାୟ ବାହାରିଥାଏ ।

Image

 

ତ୍ରୟୋବିଂଶ ପରିଚ୍ଛେଦ

 

ଆଜି କୁମାର ପୂର୍ଣ୍ଣିମା । ଭୋର ସମୟରୁ ବାଳିକାମାନେ ଉଠି ମହାନନ୍ଦରେ ନଦୀକୁସ୍ନାନ କରିବାକୁ ଯାଉଅଛନ୍ତି । ନାଏବ ସ୍ତ୍ରୀଙ୍କର ମନ ସେମାନଙ୍କ କୌତୁକ ଦେଖି ଫିକା ପଡ଼ିଗଲା । ସେ ନଦୀରୁ ସ୍ନାନ ସାରି ଆସି ମୌନରେ ବସିଗଲେ । କାମରେ ଆଉ ମନ ଲାଗିଲା ନାହିଁ । ତାଙ୍କଘରେ ନାଏବଙ୍କର ପିଉସୀଝିଅ ବିଧବାଭଉଣୀ କମଳା ଆସି ରହିଥାଏ । ସେ ବହୂର ମନକଥା ଜାଣି ତାଙ୍କୁ କିଛି ନ କହି ସବୁକାମ କରି ନେଉଥାଏ । ପ୍ରତିଦିନ ଯାହାଖାନ୍ତି, ଆଜି ତାହାଖାଇ ପାରିଲେ ନାହିଁ । ସନ୍ଧ୍ୟା ସମୟରେ ଚାନ୍ଦପୂଜାବେଳେ ହୁଳହୁଳି ଧ୍ୱନି ତାଙ୍କ କାନରେ ପ୍ରବେଶମାତ୍ରେ ତାଙ୍କ ମନ ଅଧିକ ଦୁଃଖିତ ହେଲା । ସନ୍ଧ୍ୟା ସଙ୍ଗେ ସଙ୍ଗେ ସେ ଗୃହ କର୍ମଆଡ଼କୁ ମନ ନ ଦେଇ ବିଛଣାରେ ପଡ଼ିଗଲେ । ନାଏବବାବୁ ରାତିରେ ଖାଇବାକୁ ଗଲାବେଳେ ସ୍ତ୍ରୀକୁ ନ ଦେଖି କମଳାକୁ ପଚାରି ସବୁ ବୁଝିଲେ । ତାଙ୍କମନରେ ମଧ୍ୟ ଟିକିଏ ଚିନ୍ତା ଆସିଲା । ସେ ସ୍ତ୍ରୀକୁ ଡାକି ବୁଝାଇଲେ । ଉଭୟେ ମନଦୁଃଖରେ ରାତିଟି କଟାଇଲେ ।

 

ନାଏବବାବୁ ସକାଳୁ ଉଠିବୃଦ୍ଧ ପୁରୋହିତଙ୍କୁ ଡକାଇଲେ, ପୁରୋହିତ ଆସିବାରୁ ସେ ତାଙ୍କୁ ସ୍ତ୍ରୀର ଚିନ୍ତାର କାରଣ ଜଣାଇଲେ । ପୁରୋହିତ କହିଲେ, ‘‘ନାଏବବାବୁ, ଯଦି କୁଳ ନ ରହିବ, ଧନ ସମ୍ପତ୍ତି କ’ଣ ହେବ ? ତୁମେ ଏତେ ଲାଗିପଡ଼ି ଅର୍ଜନ କରୁଛ, ତୁମ ପରେ ଏ ସମ୍ପତ୍ତି ପର ଖାଇବେ । ତୁମ ସ୍ତ୍ରୀଙ୍କର ଯେପରି ଚିନ୍ତା, ତୁମ ମନ ସେପରି ବ୍ୟାକୁଳ ହେଲେ ଈଶ୍ୱର ଅବଶ୍ୟ ଦୟା କରନ୍ତେ ।’’ ନାଏବବାବୁ କହିଲେ, ‘‘ସଂସାରରେ ଦେଖ, ଯେଉଁଠାରେ ଖାଇବାକୁ ନାହିଁକି ଲୋଡ଼ା ନାହିଁ, ସେଠାରେ ପୁତ୍ର ଓ କନ୍ୟାମାଡ଼ି ଯାଉଅଛନ୍ତି; ମାତ୍ର ଯେଉଁଠାରେ ଲୋଡ଼ା, ସେଠାରେ ଦେଖା ନାହିଁ । ଈଶ୍ୱରଙ୍କ ଇଚ୍ଛା ମନୁଷ୍ୟ କ’ଣ ବୁଝିବ ? ତାଙ୍କର ଇଚ୍ଛା କାର୍ଯ୍ୟରେ ପରିଣତ ହେବ । ମୁଁ ଭାବିଲେ କ’ଣ ହେବ ? ଆପଣଙ୍କୁ ଡାକିବାର ଉଦ୍ଦେଶ୍ୟ ଏହି ଯେ, ଆପଣ ଘରକୁ ଯାଇ ଟିକିଏ ବୁଝାଇ ଦେଲେ ସେ ଆପଣଙ୍କ କଥାକୁ ବିଶ୍ୱାସ କରନ୍ତେ ।’’ ପୁରୋହିତ କହିଲେ, ‘‘ହଁ, ତାଙ୍କୁ ବୁଝାଇବି, ମାତ୍ର ତୁମେ ଗୋଟିଏ କଥା କର । ତୁମ ପିତା ଯେପରି ଚଳୁଥିଲେ ତୁମେ ଜାଣ, ଅଧିକ ମୁଁ କ’ଣ କହିବି ? କଥାରେ କହନ୍ତି, ପିତାମାତା ସୁକୃତରୁ ପୁତ୍ର ହୁଏ ସୁଖୀ, ପୁତ୍ରସୁଖୀ ହେଲେ ସେହୁ କୁଳ ଧର୍ମରଖି’ । ପିତାଙ୍କ ସାଧୁପଣିଆ ଯୋଗୁଁ ତୁମେ ସୁବେଳରେ ଜନ୍ମଗ୍ରହଣ କରି ଦଶ କୋଶ ମଧ୍ୟରେ ଜଣେ ହେଲଣି । ଏଣିକି ଟିକିଏ ଜୀବ ପ୍ରତି ଦୟା ରଖ । ଆଉ ଗୋପାଳମୂର୍ତ୍ତି ଗୋଟିଏ ପ୍ରତିଷ୍ଠା କରି ଠାକୁର ମନ୍ଦିରଟିଏ କର, ଈଶ୍ୱର ଫଳ ଦେବେ ।’’ ନାଏବବାବୁ କହିଲେ, ‘‘ମୋତେ ସେ କଥା କହନ୍ତୁ ନାହିଁ । ବୃଥାରେ ଏତେଟଙ୍କା ବ୍ୟୟ କରିବି ! ମନୁଷ୍ୟ ସିନା ଲାଞ୍ଚୁଆ, ଈଶ୍ୱର କ’ଣ ଲାଞ୍ଚୁଆ ? ମୁଁ କ’ଣ ତାଙ୍କୁ ମନରେ ଭାବୁ ନାହିଁ ?’’ ପୁରୋହିତ କହିଲେ, ‘‘ହଁ, ସମସ୍ତେ ଭାବନ୍ତି, ମାତ୍ର ସୁଖବେଳେ କେହି ଭାବନ୍ତି ନାହିଁ–ଦୁଃଖବେଳେ ସମସ୍ତେ ଭାବନ୍ତି । ଆମେମାନେ ହିନ୍ଦୁ, ଗୃହମଧ୍ୟରେ ପ୍ରତିମା ରଖିଲେ ଲୋକ ସବୁଦିନେ ସଞ୍ଜ ସକାଳେ ମୁଣ୍ଡିଆ ମାରିବ । ଆଉ ମଧ୍ୟ ଠାକୁର ଘର ଦୃଷ୍ଟିରେ ପଡ଼ିବାମାତ୍ରେ ଈଶ୍ୱର ଭାବ ହୃଦୟକୁ ଆସିବ । ଆଉ ଗୋଟିଏ କଥା, ସେବା ଭକ୍ତିଦ୍ୱାରା ସେ ସନ୍ତୁଷ୍ଟ ହୁଅନ୍ତି । ଆମମାନଙ୍କର ପ୍ରତିମା ରଖି ପୂଜା କରିବାର ଅର୍ଥ–ତାଙ୍କର ସେବା କରିବା । ମୁଁ ତୁମ କୁଳର ପୁରୋହିତ, ମଧ୍ୟ ତୁମ ପିତାଙ୍କ ସମୟର ଲୋକ, ମୋ କଥା ମାନ, ତୁମର ମଙ୍ଗଳ ହେବ ।’’ ଏହିପରି ସେ ନାନା ଉପଦେଶ ଦେବାରୁ ନାଏବବାବୁ କହିଲେ, ‘‘ହଉ, ଆପଣଙ୍କ କଥା ମୁଁ ଭାଙ୍ଗି ଦେଇପାରୁନାହିଁ, ମୁଁ ସେପ୍ରତି ଯତ୍ନ କରିବି ।’’ ପୁରୋହିତ ବୁଢ଼ା ସନ୍ତୁଷ୍ଟ ହୋଇ ଗୃହ ମଧ୍ୟକୁ ଗଲେ ଏବଂ ନାଏବଙ୍କ ସ୍ତ୍ରୀଙ୍କୁ ବୋଧବାଦ କରି ଫେରିଗଲେ । କିଛିଦିନ ପରେ ନାଏବଙ୍କ ସ୍ତ୍ରୀଙ୍କର ପୁଣି ଗର୍ଭୋଦୟ ହେଲା । ଏଥର ତାଙ୍କ ମନରେ ଅଧିକ ଭୟ ଓ ଦୁଃଖ; କାରଣ ପୂର୍ବ ଚାରିଗର୍ଭରୁ ଜାତଶିଶୁଗୁଡ଼ିକ ମଧ୍ୟରୁ କେହି ଛ’ ମାସରୁ ଅଧିକ ବଞ୍ଚି ନାହାନ୍ତି । ପିଲା ମୋଟେ ନ ହେବା ଏକ ପ୍ରକାର, ମାତ୍ର ଜାତହୋଇ ଏପରି ନଷ୍ଟ ହେବାଠାରୁ ବଳି ସ୍ତ୍ରୀମାନଙ୍କ ପକ୍ଷରେ ଅଧିକ ଦୁଃଖ ଆଉକିଛି ନାହିଁ । ଏହା ଉତ୍କଟ ପାପର ଫଳ ବୋଲି ଲୋକେ କହନ୍ତି । ସେପରି ସ୍ତ୍ରୀ ଯେଉଁଠାରେ ସ୍ନାନ କରେ, ସେଠାକୁ ଯୁବତୀ ସ୍ତ୍ରୀମାନେ ସ୍ନାନ କରିବାକୁ ଯାନ୍ତି ନାହିଁ । କାରଣ ସେ ଗାଧୋଇଲାବେଳେ ତା ଦେହ ପାଣି ବା ଲୁଗାର ପାଣି ଛିଟିକା ଯାହା ଦେହରେ ପଡ଼ିବ, ସେ ମଡ଼ଛୀ ହେବ, ଏହା ସ୍ତ୍ରୀମାନଙ୍କର ବିଶ୍ୱାସ ।

 

ଏଥର ନାଏବବାବୁଙ୍କ ମନରେ ଚିନ୍ତା ଛୁଇଁଲାଣି, ସ୍ତ୍ରୀର କଷ୍ଟ ଭାବି ଭାବି ତାଙ୍କ ମନରେ କଷ୍ଟ ଆସିଲା, ସେ ପୁରୋହିତଙ୍କ ଉପଦେଶ ପାଳିବାକୁ ଦୃଢ଼ ପ୍ରତିଜ୍ଞ ହେଲେ । ଯଥା ସମୟରେ ପୁତ୍ରଟିଏ ହେଲା । ୬ମାସ ଅତୀତ ହୋଇ ୯ମାସ ହେଲା ଓ ପିଲାଟିର ଦାନ୍ତ ଉଠିବାରୁ ମାତା ଓ ପିତାଙ୍କ ମନରେ ଆଶାର ସଞ୍ଚାର ହେଲା । ଜନ୍ମ ଦିନକୁ ନାହାକ ଓ ପୁରୋହିତଙ୍କୁ ଡକାଇ ଉତ୍ତମରୂପେ ବିଦାକି ଦିଆଗଲା, ଠାକୁର ପ୍ରତିଷ୍ଠା ଓ ମନ୍ଦିର ନିର୍ମାଣ ବିଷୟରେ ପୁରୋହିତଙ୍କ ସହ ପରାମର୍ଶ ହେଲା । ଗ୍ରାମର ସମସ୍ତବାଳକଙ୍କୁ ଭୋଜନ ଦିଆଗଲା, ଗ୍ରାମ ଦେବତାଠାରୁ ଆରମ୍ଭ କରି ଆଉ ଯେତେ ଦିଅଁ ଦେବତାଙ୍କୁ ସହଣି ଥିଲା, ତାହାସବୁ ଦିଆଗଲା । ପିଲାଟା କ୍ରମଶଃ ଠୁକୁର୍‌ ଠାକୁର୍‌ ଚାଲିବାରୁ ନାଏବଙ୍କ ଘର ଘର ପରିବୋଧ ହେଲା । ନାଏବ ଯେତେବେଳେ ଚୌପାଢ଼ିରେ ବସିଥାନ୍ତି, ପ୍ରଜା ଓ ଖାତକମାନେ ତାଙ୍କୁ ବେଢ଼ିଥାନ୍ତି ଏବଂ ଗୁମାସ୍ତାମାନେ ସିହାଉଆରିଜା ମେଲାଇ ବସିଥାନ୍ତି, ସେ ପିଲାଟି ଯାଇ କାହାର ବାଡ଼ି, କାହାର ଲେଖନ, କାହାର ପତ୍ର, କାହାର କଲମ ଓ କାହାର କାଗଜ ଟାଣି ଆଣେ । ସେତେବେଳେ ନାଏବବାବୁଙ୍କର ମନ ଆନନ୍ଦ ସ୍ରୋତରେ ଭାସିଯାଏ । ବେଳେବେଳେ ସେ ଦୌଡ଼ି ଯାଇ ନାଏବବାବୁଙ୍କ କୋଳରେ ବସି ପଡ଼େ, ବେକରେ ଓହଳି ପଡ଼େ, କିମ୍ୱା ଅପସର ଉପରେ ଆଉଜି ପଡ଼େ । ନାଏବ ପୁତ୍ରର ଏ କୌତୁକ ଦେଖି ସ୍ୱର୍ଗର ଚାନ୍ଦ ହସ୍ତଗତ ହେଲାପରି ବୋଧ କରନ୍ତି ।

 

ବର୍ଷକ ପର୍ଯ୍ୟନ୍ତ ପିଲାଟିର ନାମକରଣ କରାଯାଇ ନ ଥିଲା । ସେ ପର୍ଯ୍ୟନ୍ତ ତାର ବୋଉ ‘ଅଗଣା’ ବୋଲି ତାକୁ ଡାକୁଥିଲେ । ପୁରୋହିତଙ୍କ ଇଚ୍ଛା ଅନୁସାରେ ନାଏବବାବୁ ‘‘ଦୟା-ନିଧି’’ ନାମ ଦେଲେ, ମାତ୍ର ସମସ୍ତେ ‘‘ନିଧି’’ ବୋଲି ଡାକନ୍ତି । ଉପର ପିଲା ମରିଥିଲେ ତଳ ଆପର୍ତ୍ତିଆଣି ବୋଲି ତା’ର ଗୋଟିଏ ତୁଚ୍ଛ ନାମ ଦିଆଯାଏ । ତେଣୁ ତାର ବୋଉ ସେ କେଉଁ ପୁଅରେ ଗଣା ଯେ ତାର ଗୋଟାଏ ନାମ ଦିଆଯିବ ଏହିପରି କହି ତାର ନାମ ଅଗଣା ଦେଲେ । ନାମ ଦେଲେ ଅଗଣା, ଡାକିଲେ ଅଗଣା, ମାତ୍ର ମନରେ ଅଗଣାକରି ପାରିଲେ ନାହିଁ । ପିତୃଦତ୍ତ ନାମ ନିଧି । ନିଧି ଅପେକ୍ଷା ଯଦି ଅଧିକ ମୂଲ୍ୟବାନ୍‌ ପଦାର୍ଥ କିଛି ଥାଇପାରେ, ତାହାଠାରୁ ବଳି ଭାବିଲେ । ଧନ୍ୟ ସ୍ତନ୍ୟଧାରିଣୀ ମାତା । ଧନ୍ୟ ଶିଶୁ ! ଧନ୍ୟ ମଧୁର ମିଳନ ! ଧନ୍ୟ ବାଳରବି ଓ ପୂର୍ଣ୍ଣଚନ୍ଦ୍ରର ଯୋଜନା !

 

ମୋହନ ଶିଶୁର ମଧୁରିମାରେ କିଏ ମୁଗ୍ଧ ନୁହେଁ ? ତହିଁରେ ପରାପର ନାହିଁ, ଉଚ୍ଚ ନୀଚ୍ଚ ନାହିଁ, ଜାତି ଅଜାତି ନାହିଁ, ଜୀବ ଉଦ୍ଭିଦରେ ମଧ୍ୟ, ଭେଦାଭେଦ ନାହିଁ । ଯେତେବେଳେ ଗର୍ଭଧାରିଣୀମାତା ଦେଖେ ଯେ, ତାର ଚତୁର୍ଦ୍ଦିଗରେ ବେଷ୍ଟିତ ଗୃହଲତା ମଧ୍ୟରେ ନିଜ ପ୍ରସୂତ ସ୍ଫୁଟନୋନ୍ମୁଖ ଶିଶୁ-ଫୁଲ କଢ଼ଟି ଆନନ୍ଦାନିଳରେ ବକ୍ରଗତିରେ ନାଚି ନାଚି କରପଲ୍ଲବକୁ ଉତ୍ତୋଳନ କରି, ଦରସ୍ଫୁଟ ହାସ ଓ ଦରସ୍ଫୁଟ ଭାଷାରେ ମା ମା ବୋଲି କୋଳ ମଧ୍ୟକୁ ଆସୁଥାଏ, ସେତେବେଳେ ତାହାର ହୃଦୟ-ସର-ତରଙ୍ଗର ସୀମା କି ଲେଖନୀଦ୍ୱାରା ବର୍ଣ୍ଣନୀୟ ? କଦାପି ନୁହେଁ । ବରଂ ଦର୍ଶକର ମନଭୃଙ୍ଗ ସେ ଆନନ୍ଦ ମଧୁସ୍ୱାଦରେ ମଜ୍ଜି ଯାଇପାରେ, ମାତ୍ରବ୍ୟକ୍ତ କରି ଅନ୍ୟକୁ ଦେବାକୁ ସଦା ଅକ୍ଷମ ।

 

‘‘ଭାଇ, ଯେତେ ହୀନ ହୁଅ, ଯେତେ ଅସୁନ୍ଦର ହୁଅ, ଯେତେହୀନ ବୀର୍ଯ୍ୟହୁଅ, ଦୁଇହାତ ଉଠାଇ ମା ମା ବୋଲି ଡାକିଲେ ମା ଆଗ୍ରହରେ କୋଳକୁ ନିଏ ନାହିଁକି ?’’ କଥାରେ ଅଛି–‘ଯା ପୁଅକୁ ସାପ କାମୁଡ଼େ, ତା ମା’ କୂଅ ଦୌଡ଼ି ଦେଖିଲେ ଡରେ ।’’ ନିଧି ଉପରେ ଚାରିଗୋଟି ଭାଇ ଭଉଣୀ କାଳମୁଖରେ ଲୀନ ହୋଇଥିବାରୁ ନିଧିର ଶରୀରରେ ସାମାନ୍ୟ ବେଦନା ହେଲେ, ତା’ର ମାତାର ମନରେ ବେଳେବେଳେ ଏପରି ଧକା ଲାଗେ ଯେ, ସେ ନିଜର ସ୍ୱାସ୍ଥ୍ୟ ନିଜ ଆୟତ୍ତରେ ରଖି ପାରୁନଥିଲେ । ସେ ଦିନକୁ ଦିନ କ୍ରମଶଃ ରୁଗ୍‌ଣ ଓ ଶୀର୍ଣ୍ଣ ହେଲେ । ସବୁବେଳେ ଭାବିଲେ, ସେ କିପରି ନିଧି ଆଗରେ ଏ ସଂସାରରୁ ବିଦାୟ ହୁଅନ୍ତେ । ତାଙ୍କର ନାନାପ୍ରକାର ରୋଗ ଏକତ୍ର ହୋଇ କ୍ରମେ କ୍ରମେ ଜଟିଳରୁ ଜଟିଳତର ହେବାକୁ ବସିଲା । ତାଙ୍କର ଆଉ ଗର୍ଭୋଦୟ ହେବା ଦୂରେ ଥାଉ, ନିଜଶରୀର ରକ୍ଷାର ଆଶା ରହିଲା ନାହିଁ । ବର୍ଷକୁ ବର୍ଷ କ୍ରମଶଃ ସେ ଦୁର୍ବଳ ହୋଇ ଗୃହକାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହେଲେ । ନାଏବଙ୍କର ଭଉଣୀ କମଳା ସ୍ଥାୟିଭାବରେ ତାଙ୍କ ଗୃହରେ ରହି ଗୃହ ସମ୍ଭାଳିଲା । ତା’ର ନିଜର କେହି ନଥିଲେ । ତା’ର ସଂସାର ପ୍ରତି ସମସ୍ତ ମାୟାବନ୍ଧନ ଈଶ୍ୱର ଛେଦନ କରିଥିଲେ । ତଥାପି ଉଦର ମାୟାର ଅଧୀନାହୋଇ ସେ ବର୍ତ୍ତମାନ ଏପରି ମାୟାବନ୍ଧନରେ ଜଡ଼ିତ ଯେ, ଜଣେ ସଧବା ସୁପୁତ୍ର ଜନନୀର ସଂସାର ପ୍ରତି ସେତେ ମାୟା ମମତା ଥିବକି ନାହିଁ ସନ୍ଦେହ । ସେ ରହିଲା ଦିନରୁ ନାଏବଙ୍କ ଧନ ପଦାର୍ଥରେ ମାଛି ବସାଇ ଦିଏ ନାହିଁ । ଗୃହର ସକଳ ପଦାର୍ଥ ଯେପରି ତାର, ନିଧି ଯେପରି ତାର ପୁଅ ଓ ଦାସ ଦାସୀଙ୍କୁ ମଧ୍ୟ ସେ ନିଜର ପରି ଦେଖିଲା । ନିଧିର ମନରେ ରତିଏ କଷ୍ଟ ହେଲେ ତା’ ପ୍ରାଣରେ ତାହା ମହଣ କରି ଗୁରୁତ୍ୱ ଲଦି ଦେଉଥିଲା । ତା’ ଉପରେ ନାଏବବାବୁଙ୍କର ପୂରା ବିଶ୍ୱାସ । ବର୍ତ୍ତମାନ ନାଏବବାବୁଙ୍କ ସ୍ତ୍ରୀ ଶଯ୍ୟାଗତା, ଗୃହରେ ଅନ୍ୟ କେହି ନିଜର ନାହାନ୍ତି ସେ ଗୃହକର୍ମ କରି ଧନ ପଦାର୍ଥ ଆଡ଼େଇ ନିଧିର ଯତ୍ନ ନେବ । ଏ ସବୁକାର୍ଯ୍ୟ ନିଜେ କରି ନିଧିବୋଉର ସେବା କରିବାକୁ ମଧ୍ୟ ସେ କୁଣ୍ଠିତ ହୁଏ ନାହିଁ । ଗୃହ ମଧ୍ୟରେ ଏକାଧିକ ଦାସୀ ଅଛନ୍ତି, ମାତ୍ର ସେ ସମସ୍ତଙ୍କ କାର୍ଯ୍ୟରେ ଦୃଷ୍ଟି ଦେଇଥାଏ-। ବିଧବା ହେବା ଦୁଃଖର କଥା, ମଧ୍ୟ ତାହାଦ୍ୱାରା ଭଗବାନ୍‌ ପରର ମଙ୍ଗଳ ସାଧନ କରନ୍ତି । କମଳାସଦୃଶ ନିଜର ସଂସାର ବନ୍ଧନରୁ ମୁକ୍ତହୋଇ ସୁଦ୍ଧା ଲଗ୍ନିକ ବା ସହୋଦରା ଭଗିନୀଗୁଡ଼ିକ ଯେପରି ନିଜର କିମ୍ୱା ଲେଖାଯୋଖା ଭାଇ ଓ ପୁତୁରା ପ୍ରଭୃତିଙ୍କର ଅନେକ ସ୍ଥଳରେ ବିପଦର ବନ୍ଧୁରୂପେ ଦୃଷ୍ଟହୋଇ ସେମାନଙ୍କର ଅସମୟରେ ସହାୟ ହୁଅନ୍ତି, ଆଉକେତେକ ସ୍ଥଳରେ ଏପରି ମଧ୍ୟ ଦେଖାଯାଏ ଯେ, ସେମାନେ ବୈଧବ୍ୟ ଯୋଗୁଁ ଯୌବନୋଚିତ ଭୋଗବିଳାସରୁ ବଞ୍ଚିତ ହୋଇଥାନ୍ତି । ଅନ୍ୟ ପକ୍ଷରେ ତାହା ଦେଖିଲେ ସେମାନେ ସହ୍ୟକରି ପାରନ୍ତି ନାହିଁ, ଏଣୁ ଭାଉଜମାନଙ୍କ ସଙ୍ଗରେ ସେମାନଙ୍କର ମନ ମେଳହୁଏ ନାହିଁ । ଯେଉଁଠାରେ ଏକାଧିକ ଭାଉଜ ଥାନ୍ତି, ସେଠାରେ ପୂର୍ବୋକ୍ତ କାରଣରୁ ହେଉ ବା ନିଜସ୍ୱଭାବ ଦୋଷରୁ ହେଉ, ସେମାନେ ଗୋଟିକର ପକ୍ଷ ଧରି ଅନ୍ୟର ବିପକ୍ଷ ହୁଅନ୍ତି ଏବଂ ଗୃହମଧ୍ୟରେ ନାନା ଅଶାନ୍ତି ଜାତ କରାନ୍ତି ।

 

ନାଏବଙ୍କ ଘରେ ବର୍ତ୍ତମାନ ଶୁକ୍ଳପକ୍ଷ ଓ କୃଷ୍ଣପକ୍ଷର ଏକତ୍ର ସମାବେଶ । ନିଧି ଦିନକୁ ଦିନ ଶଶିକଳା ପରି ବଢ଼ୁଅଛି । କିନ୍ତୁ ତା’ର ଗର୍ଭଧାରିଣୀର ଶରୀର ଦିନକୁ ଦିନ କ୍ଷୟ ହେଉଅଛି । ସ୍ତ୍ରୀ ଭଲ ଥିଲାବେଳେ ନାଏବ କେବଳ ବାଧ୍ୟ ବାଧକତା ବଶରୁ ସ୍ତ୍ରୀ ସଙ୍ଗେ ସମ୍ପର୍କ ରଖିଥାନ୍ତି, ମାତ୍ର ତାଙ୍କ ସ୍ୱଭାବରେ ବିରକ୍ତ ହୋଇ ଦାସୀ ପ୍ରଭୃତିଙ୍କଠାରେ ସ୍ନେହଥାଏ । ସ୍ତ୍ରୀର ପୀଡ଼ା ପାଇଁ ସେ ବିଶେଷ ଚିନ୍ତିତ ନ ଥାନ୍ତି । ପୁଣି କଥାରେ ଅଛି, ‘‘ପର୍ଶୁଆ, ପର୍ଶୁ, ପର୍ଶୁରାମ, ଧନ ହେଲେ ତିନି ନାମ-।’’ ଦୀନ ଦରିଦ୍ର ଥିଲାବେଳେ ନାମ ପରଶୁଆ ଥାଏ, ଅବସ୍ଥା ଟିକିଏ ଭଲ ହେଲେ ଲୋକେ ଆକାର ଲୋପ କରି ଦିଅନ୍ତି । ସେ ଜଣେ ଅଧିକ ଧନୀ ହେଲେ ପୁଣି ରାମ ନାମଟି ଯୋଗହୁଏ । ନାଏବ ସେହିପରି ଅବଧାନ ପୁଅରୁ ଘନ ହୋଇ ଏବେ ଘନ ବାବୁ ହେଲେଣି । ଯାହା ପାଖରେ ଧନ ଥାଏ, ତାକୁ ବିପଦ କଣ୍ଟି ପାରେନାହିଁ । ଧନମଦରେ ସେ ସମସ୍ତ ବିପଦକୁ ତୁଚ୍ଛ ମନେକରେ । ଧନଲାଳସାରେ ଲୋକେ ଧନୀ ପ୍ରତି ନିଜର ସ୍ତ୍ରୀ, ପୁତ୍ର ଓ ମାତା ପିତାଙ୍କଠାରୁ ଅଧିକ ସ୍ନେହ ଓ ଭକ୍ତି ଦେଖାନ୍ତି । ତାହା ଅବଶ୍ୟ କୃତ୍ରିମ, ମାତ୍ର କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଘଟାଏ ନାହିଁ । ନିଧି ଜନ୍ମହୋଇ ଏକ ବର୍ଷ ଅତୀତ ହେବା ପରେ ନାଏବବାବୁ ଠାକୁର ମନ୍ଦିର କରି ଗୁରୁନାମ ନେଇ ବିଧିମତେ ସେବା ପୂଜାକଲେଣି ଓ ଗରିବଙ୍କ ପ୍ରତି ଟିକିଏ ଦୟାଳୁ ହେଲେଣି । ଏଣିକି ସନ୍ଧ୍ୟାସମୟରୁ ରାତିରେ ଭୋଜନ ସମୟ ପର୍ଯ୍ୟନ୍ତ ତାଙ୍କ ହାତରୁ ଝୁଲାମାଳ ଛାଡ଼େ ନାହିଁ । ହାତରେ ମାଳ ଜପ ହେଉଥାଏ, ମାତ୍ରମୁଖରେ ନାମ ନେବାକୁ ପ୍ରାୟ ସମୟ ମିଳେନାହିଁ ।

 

ସନ୍ଧ୍ୟାଠାରୁ ଅନୁସରଣିଆମାନେ ଚୌପାଢ଼ିରେ ଉପସ୍ଥିତ ହୁଅନ୍ତି, ତ୍ରିଭୁବନ ଖବର ପଡ଼େ-। ମଧ୍ୟେ ମଧ୍ୟେ ଗୁମାସ୍ତାମାନଙ୍କଠାରୁ ଦିନକର ଆୟବ୍ୟୟ ଓ କାମ ଯାହାହେଲା ଆଉ ମଧ୍ୟ ଆଗାମୀ ଦିନକୁ ଯାହାହେବ, ସେସବୁର ହିସାବ ବୁଝାଯାଏ ଏବଂ ବରାଦ ଦିଆଯାଏ । ରାତି ବେଶିହେବା ସଙ୍ଗେ ସଙ୍ଗେ କାନକୁହା ଓ ଗୁପ୍ତଚରମାନେ ହାଜର ହୁଅନ୍ତି । ରାତି ଛ ଘଡ଼ି ପର୍ଯ୍ୟନ୍ତ ତାଙ୍କର ମୁଖ ବନ୍ଦ ହୋଇପାରେ ନାହିଁ, କି ହାତମାଳା ଗଡ଼ାଇବାକୁ କ୍ଷାନ୍ତ ହୁଏ ନାହିଁ । ମାତ୍ର ବେଳେବେଳେ କୌଣ ସିବିଷୟ ପ୍ରତି ବିଶେଷ ମନୋଯୋଗ ଦେଇ ତାହା ଶୁଣିବାବେଳେ ମାଳାଗଡ଼ାଇବା ମନକୁ ବନ୍ଦ ହୋଇଯାଏ । ସବୁ କାମ ଶେଷହେବା ପରେ ପୁରାଣ କିଛି ଶୁଣି ଭୋଜନ ପାଇଁ ଗୃହକୁ ଯାନ୍ତି । ତାଙ୍କର ଖାଦ୍ୟ ଉପରେ ବିଶେଷ ଦୃଷ୍ଟି ନଥାଏ । ଯାହା ଯେତେବେଳେ ମିଳିଲା ଆନନ୍ଦରେ ଖାଇ ଦିଅନ୍ତି, ଭଲମନ୍ଦ କିଛି ବାରନ୍ତି ନାହିଁ । ତାଙ୍କ ସ୍ତ୍ରୀଙ୍କର ରୋଗଯାନ୍ତ୍ରଣାଯୋଗୁଁ କାର୍ଯ୍ୟ କରିବାର କିଛି ଶକ୍ତି ନଥାଏ । ତଥାପି ମୁଖ ବନ୍ଦ ନ ଥାଏ । ଯେ କଳହପ୍ରିୟ, ତାର କଳହ ଦିନେ ଅଧେ ବନ୍ଦ ହୋଇଗଲେ ଭାତ ହଜମ ହୁଏ ନାହିଁ । ରୋଗଶଯ୍ୟାରେ ପଡ଼ି ମଧ୍ୟ ଦାସ ଦାସୀ ଏବଂ ସ୍ୱାମୀଙ୍କ ପ୍ରତି କଟୁଭାଷା ପ୍ରୟୋଗର ବିରାମ ନ ଥାଏ । ତେଣୁ ନାଏବଙ୍କୁ ଗୃହମଧ୍ୟରେ ବେଶିସମୟ ରହିବାକୁ ଭଲ ବୋଧ ହେଉ ନଥିଲା-। ସେଗୃହକୁ ଯେପରି ଗୋଟିଏ ଅଶାନ୍ତିର ସ୍ଥାନ ମନେ କରୁଥିଲେ । ତାଙ୍କର ଶାସନ ଓ ଉପଦେଶ ସ୍ତ୍ରୀଙ୍କଠାରେ ସବୁ ପଣ୍ଡ ହୋଇଯାଏ । କାରଣ କଥାରେ କହନ୍ତି, ‘‘ଚରଣ ଫାଟୁଆ, ବଳଦ ମଠୁଆ, ମୁଖରୀ ଭାରିଯା ଯାହାର, ଯମପୁର ଯାଇ କି ଦୁଃଖ ପାଇି ନିତି ମରଣ ତାହାର ।’’

Image

 

ଚର୍ତୁବିଂଶ ପରିଚ୍ଛେଦ

 

ଆଜି ଗହ୍ମାପୂର୍ଣ୍ଣିମା । କେତେବେଳେ ଝିପିଝିପି ଓ କେତେବେଳେ ତର ତର ଭାବରେ ଝଡ଼ବୃଷ୍ଟି ସାରାଦିନ ଲାଗିଅଛି । ନାଏବଙ୍କର ଗୃହର ଦାସଦାସୀ ଛଡ଼ା ଗୁମାସ୍ତା ପ୍ରଭୃତି ପୂର୍ଣ୍ଣିମା ପାଳନ ପାଇଁ ସ୍ୱ ଗ୍ରାମକୁ ଚାଲି ଯାଇଅଛନ୍ତି । ଗ୍ରାମର ସକଳଲୋକ ଆନନ୍ଦରେ ନିଜଗୃହରେ ଅଛନ୍ତି-। ଆଜି ନାଏବଙ୍କ ଚୌପାଢ଼ି ନିର୍ଜନ । ହାରିଗୁହାରି ନାହିଁ, ଖାତକ କି ଅନୁସରିଣିଆ ନାହାନ୍ତି । ନାଏବବାବୁଙ୍କର ଦିନ ସରୁ ନାହିଁ । କେତେବେଳେ ଘର ଭିତରକୁ ଯାଉଅଛନ୍ତି, କେତେବେଳେ ପଦାକୁ ଆସୁଅଛନ୍ତି । ବେଳେବେଳେ ଧାନଘରଆଡ଼େ ବୁଲି ଯାଉଅଛନ୍ତି । ନିଜ ସ୍ତ୍ରୀଙ୍କର ଦେହ ଦିନକୁ ଦିନ ଖରାପ ହୋଇ ଆଜି ମୁମୂର୍ଷୁ ଅବସ୍ଥା । ତେଣୁତାଙ୍କୁ ଘର ଓ ବାହାର ନିଛାଟିଆ ବୋଧ ହେଉଅଛି । ନିଧିକୁ ପାଞ୍ଚ ବର୍ଷ ହେଲାଣି । ସେ ପାଠପଢ଼ାରୁ ଆଜି ଅବସର ପାଇ ସାରାଦିନ ଆନନ୍ଦରେ ନାନା ପ୍ରକାର ଖେଳରେ ମାତିଅଛି । ପିତାଙ୍କ ଡାକକୁ କାନ ଦେଉ ନାହିଁ । କମଳା କିଛି କହିଲେ ତା’ କଥା ସେ ମାନେ ନାହିଁ । ଦାସ ଦାସୀ କଥାକୁ ବା କାହିଁକି ଶୁଣିବ ? କ୍ରମେ ଦିନାବସାନ ହେଉଅଛି । ବୃଷ୍ଟିଧାରାର ବିରାମ ନଥିଲେ ମଧ୍ୟ କୃଷକ ଶ୍ରେଣୀୟ ଲୋକମାନେ ଆଜି କେବଳ ଘାସକଟା ଓ ବୁହାରେ ଲାଗିଅଛନ୍ତି । ବୃଷ୍ଟିଧାରା ସେମାନଙ୍କୁ ଅଧିକ ଆନନ୍ଦ ଦେଉଅଛି ।

 

ହିଡ଼ବାଡ଼ ଡେଇଁ ବଦଳ ପାଣି ଧାଇଁ ଅଛି । କେଉଁଠାରେ ଧାନ ଗଛର ଅଗ ଦିଶୁଛି, କେଉଁଠାରେ ଦିଶୁ ନାହିଁ । ସନ୍ଧ୍ୟାବେଳେ ଗୋରୁମାନଙ୍କର ବନ୍ଦାଣ ହେବ । ଏଣୁ ଦିନ ଥାଉଁ ଥାଉଁ ଗୋରୁପଲ ବାହୁଡ଼ି ଆସୁଅଛନ୍ତି । ପ୍ରତ୍ୟେକ ଘରର ଘରଣୀମାନେ ଗୋବନ୍ଦାଣ ଓ ସନ୍ଧ୍ୟାବତୀ ଦେବା ପାଇଁ ବ୍ୟସ୍ତ ଅଛନ୍ତି । ଗାଁ ଦାଣ୍ଡ ପୂରି ପାଣି ଚାଲି ଯାଉଥିବାରୁ ଛୋଟ ବାଳକମାନେ ଆନନ୍ଦରେ ଜଳମଧ୍ୟରେ ନାନା ପ୍ରକାର କ୍ରୀଡ଼ାରେ ଲାଗି ଯାଇଅଛନ୍ତି । ବୃଷ୍ଟିଧାରା ପ୍ରବଳ ହେଲେ, ପିଣ୍ଡାଉପରକୁ ପଳାଇ ଯାଉଅଛନ୍ତି, ପୁଣି କମିଗଲେ ପିଣ୍ଡାରୁ ତଳକୁ ଡିଆଁ ମାରୁଅଛନ୍ତି । ମା, ଖୁଡ଼ୀ, ଜେଠେଈ ଓ ଭଉଣୀ ପ୍ରଭୃତିଙ୍କ ଡାକକୁ କର୍ଣ୍ଣପାତ କରୁନାହାନ୍ତି । ପୁରୁଷଲୋକ କେହି ଧମକ ଦେଲେ ସେ ଅନ୍ତର ହେବା ପର୍ଯ୍ୟନ୍ତ ଲୁଚି ଯାଉଅଛନ୍ତି । ପୁଣି ପିଣ୍ଡାତଳେ ପହଞ୍ଚି ଯାଉଅଛନ୍ତି । କେହି କଦଳୀ ଗଛ ଖୋଳପା ଖଣ୍ଡେ ଆଣି ଡଙ୍ଗା କରି ଭସାଇ ଦେଉଅଛି । ପୁଣି ତାକୁ ଧରିବାକୁ ତା’ ପଛେ ପଛେ ସେ ଓ ଅନ୍ୟ ପିଲାମାନେ ଦଉଡ଼ୁ ଅଛନ୍ତି । ଯାହାର ଡଙ୍ଗା ସେ ନ ଧରି ଅନ୍ୟ ପିଲା ଧରି ପକାଇଲେ କଳି ଲାଗି ଯାଉଅଛି । କଏ କାହାଉ ପରକୁ ପାଣି ପକାଉଅଛି, କିଏ କାଦୁଅ ମାରୁଅଛି ଓ କିଏ କାନ୍ଦି କାନ୍ଦି ନିଜ ମା’ ନିକଟକୁ କିମ୍ୱା ଯେ ମାଇଲା ତା’ ମା ନିକଟକୁ ଗୁହାରି ପାଇଁ ଧାଉଁଅଛି । ବ୍ରାହ୍ମଣଶାସନରେ ବଳଭଦ୍ର ଜନ୍ମ ଉତ୍ସବ ଲାଗିଅଛି । କରଣସାହିରେ ଯେଉଁମାନଙ୍କର ଗୃହଧନ୍ଧା କିଛି ନାହିଁ ଏବଂ ଯେଉଁମାନେ ନିକମା, ସେମାନେ ପଶା ଓ ତାସଖେଳରେ ମାତିଅଛନ୍ତି । ଦୁଇ ପଟଣାର ନିକମାମାନେ ପିଣ୍ଡାରେ ବସି କାହା ବିଲଧାନ କିମିତି ହୋଇଅଛି, କାହାର କି ପିଠା ହୋଇଥିଲା, ବର୍ଷାଜଳରେ କାହାବିଲ ବୁଡ଼ିଗଲାଣି, ନଦୀ ବଢ଼ି କିପରି ଆସୁଅଛି ଓ ପୂର୍ବବର୍ଷ ବଢ଼ି କିପରି ହୋଇଥିଲା, ଏହିପରି ବୃଥା କଥାରେ ମାତି ଅଛନ୍ତି । କେହି କେହି ବାଘଛେଳି ଖେଳ ଖେଳୁଅଛନ୍ତି । ଝିଅମାନେ କଉଡ଼ି, ଗୋଡ଼ି ଓ କାଞ୍ଜିଗାତ ପ୍ରଭୃତି ଖେଳରେ ମାତିଅଛନ୍ତି ।

 

ନାଏବଙ୍କ ଘର ଏକୁଟିଆ, କୌଣସି ସାହିକୁ ଲାଗି ନାହିଁ । ତେଣୁ ତାଙ୍କ ଘର ନିକଟରେ ଆଜି ଲୋକ ବିରଳ । ତାଙ୍କର କାମ କିଛିନାହିଁ, ପୁଣି ସ୍ତ୍ରୀଙ୍କର ଶେଷସମୟ ଉପସ୍ଥିତ । ଏଣୁତାଙ୍କ ମନ କାହିଁରେ ଲାଗୁ ନାହିଁ । ତାଙ୍କଗୃହ ନଦୀ କୂଳରେ ଥିବାରୁ ବୃଷ୍ଟିଧାରା କମି ଯିବା ଦେଖି ସେ ବାଡ଼ିବାଟେ ନଦୀ ବଢ଼ି ଦେଖିବାକୁ ଗଲେ । ନଦୀକୂଳରେ ନିତ୍ୟକର୍ମ ସାରି ନଦୀର ଫେନିଳ ତରଙ୍ଗ ପ୍ରତି ଦୃଷ୍ଟି ଦେଇଥାନ୍ତି, ମାତ୍ର ମନ ଛନ ଛନ ହେଉଥାଏ । କିଏ ଯେପରି ପଛରେ ଡାକି ଦେଉଅଛି, ଘରେ ଯେପରି କ୍ରନ୍ଦନଧ୍ୱନି ଶୁଭୁଅଛି । ପବନର ଶବ୍ଦ, ନଦୀର ଗର୍ଜନ ଓ ପକ୍ଷୀର ସ୍ୱନ ତାଙ୍କ ମନରେ ଏହିପରି ଭାବ ଜାତ କରାଉଥାଏ । ସମୟ ସମୟରେ ଚମକି ପଡ଼ି ପଛକୁ ଚାହିଁ ଦେଉଥାନ୍ତି । ସନ୍ଧ୍ୟା ନିକଟ ହୋଇ ଆସୁଅଛି, ଏହି ସମୟରେ ତାଙ୍କ ଗୃହର ଚାକର ସାଧୁଆ ଦୌଡ଼ି ଯାଇ ଡାକ ପକାଇଲା, ‘‘ସାଆନ୍ତ, ବେଇଗି ଆସନ୍ତୁ ।’’ ନାଏବ ଶୁଣି ତ୍ରସ୍ତ ହୋଇ କହିଲେ, ‘‘କିରେ କ’ଣ ?’’ ସାଧୁଆ କହିଲା, ‘‘ସାନ୍ତାଣୀ କଣ ହେଇ ଯାଉଛନ୍ତି ।’’ ସେ ଲସର ପସର ହୋଇ ଘରକୁ ଆସିଲେ । ଆସିବାବେଳେ ମନେ ମନେ ଭାବୁଥାନ୍ତି, ମୋ କପାଳକୁ ଆଚ୍ଛା ନିଉଁଛୁଣୀ ଯୁଟିଥିଲା ।

 

ଆଜି କି ଉତ୍ସବ ଦିନ, ପୁଣି ମେଘ ଏପରି, ଏ ରାତିରେ କାହାକୁ ଡାକିବି ! ହଉ ଈଶ୍ୱରଙ୍କ ଇଚ୍ଛା ଯାହା ତାହା ହେବ । ଆଜୀବନ ଦହଗଞ୍ଜ କଲା, ଆଉଗଲାବେଳକୁ କାହିଁକି ଛାଡ଼ିବ । ଘରେ ଆସି ଦେଖିଲାବେଳକୁ ସ୍ତ୍ରୀ ବେହୋଷ । ଦାସୀ କହିଲା, ସାଆନ୍ତ, ଘିଡ଼ିକରି ଉଠି ବସିଲେ, ନିଧି ବୋଲି କହିଲେ, ପୁଣି ତ ପଡ଼ିଗଲେ, ଆଉ ଡାକିଲେ ଶୁଣୁନାହାନ୍ତି । ନାଏବ ପାଖରେ ବସି ନିଶ୍ୱାସ ବାରିଲେ । ଦେଖିଲେ ଜୀବନ ଅଛି, ସେତେବେଳକୁ ନିଧି ଓ କମଳା ଆସି ପହଞ୍ଚିଗଲେଣି । ନାଏବ କମଳାକୁ କହିଲେ, ‘‘ଶୀଘ୍ର ରନ୍ଧାବଢ଼ା କର । ଗୋରୁବନ୍ଦାଣ ଯୋଗାଡ଼ ଆଗ କରି ଦେବୁଟି । ଇଏ ତ ଉଠୁବସ ହେଲାଣି, ରାତିରେ ହଇରାଣ କରିବ; ଆଉ ଛିଡ଼ା ହୋ ନାହିଁ, ଯା ।’’ ସେ ନିଜେ ମଧ୍ୟ ଉଠି ଆସି ଗୋରୁବନ୍ଦାଣ କାମଶେଷ କରି ଠାକୁର ଘରକୁ ଯାଇ ମୁଣ୍ଡିଆ ମାରି ଝୁଲାମାଳ ଧରି ଘର ମଧ୍ୟକୁ ଗଲେ । ଠାକୁର ପୂଜାହାରିକୁ କହିଲେ, ‘‘ଏ ରାତିରେ କାହାକୁ ଡାକି ହଇରାଣ କରିବା; ଯାହାହେବ ହେଉ, ତୁମ୍ଭେ ଠାକୁର ଭୋଗ ଶୀଘ୍ର ଶେଷକରି ପୁରାଣ ଧରି ଘର ମଧ୍ୟକୁ ଆସ, ମୁଁ ପଦାରେ ରହି ପାରିବି ନାହିଁ ।’’ ସାଧୁଆକୁ ଡାକି କହିଲେ, ‘‘ଆରେ ଚୌପାଢ଼ି, ଧାନଘର ପ୍ରତି ଦୃଷ୍ଟି ରଖିଥିବୁ । ଗୋରୁଖୁଆଇ ରାତିରେ ଯେପରି ଘାସ ପଡ଼େ ଦୃଷ୍ଟି ଦେବୁ, ଆଉ ବରାବର ଚେତାଥିବୁ-।’’ ସେ ଘରକୁ ଯାଇ ସ୍ତ୍ରୀ ନିକଟରେ ବସିଲେ । ଦାସୀ ପାଟିକରି ସ୍ତ୍ରୀଙ୍କ କାନ ନିକଟରେ ଡାକିଲା । ସାଆନ୍ତାଣି, ସାଆନ୍ତାଣି, ସାଆନ୍ତ ବସିଛନ୍ତି ପରା ! ନିଧି ପାଖରେ ବସିଛି, କଣ କହ । ନିଧି କହିଲା, ବଉ କଥା କହୁନାହୁଁ ! ପୁଣି ବଡ଼ ପାଟିରେ ବଉ ବଉ ଡାକିଲା । ତା’ ତୁଣ୍ଡବାରି ଆଖିମେଲାଇ ଚାହିଁଲେ ବହୁକଷ୍ଟରେ ହାତତାମୁଣ୍ଡ ପର୍ଯ୍ୟନ୍ତ ନେଇ ତା ମୁଣ୍ଡ ଆଉଁସି ଦେଲେ । ନାଏବବାବୁ ଦାସୀକୁ କହିଲେ, ମୁଁ ବସିଛି ତୁ ଯା, ନିଧିକୁ ଖୁଆଇ ଶୋଇପକା, ସମସ୍ତେ ଖିଆପିଆ ଶୀଘ୍ର କରିନିଅ । ନିଧି କହିଲା ନା, ମୁଁ ତୁମ ସଙ୍ଗେ ଖାଇବି । ନାଏବ କହିଲେ, ଆରେ ଆଜି ମୁଁ ଖାଇବି ନାହିଁ, ତୁ ଯା ଖାଇବୁ । ପ୍ରାୟ ଗତ ଦୁଇବର୍ଷ ହେଲା ତାର ବୋଉଶଯ୍ୟାଗତ ଥିବାରୁ ସେ କମଳା ଅପାକୁ ନିଜର ବୋଉ ତୁଲ୍ୟ ଦେଖୁଅଛି । ତା ପାଖରେ ସବୁ ଅଳି ଏବଂ ତା କୋଳରେ ଶୁଆ । ଦାସୀକି କହିଲା, ଚାଲ ଅପା ପାଖକୁ ଯିବା । ଦାସୀ ତାକୁ ସଙ୍ଗରେ ନେଇ ଅପା ପାଖରେ ପହଞ୍ଚାଇ ସକଳ କଥା କହିଲା । କମଳା ନିଧିକୁ ଖୁଆଇ ବିଛଣା କରି ଗୋଟିଏ ଘରେ ଶୁଆଇ ପକାଇଲା ।

 

ଦାସୀ ଅନ୍ତର ହୋଇଯିବାରୁ ନାଏବ ସ୍ତ୍ରୀ ନିକଟକୁ ଘୁଞ୍ଚିଯାଇ ତାଙ୍କୁ ଡାକିଲେ, ନିଧିବୋଉ-! ଦେହ କିପରି ଲାଗୁଛି, କଣ ହେଉଛି ? ମତେ ଚିହ୍ନି ପାରୁଛ ? ନିଧିବୋଉଙ୍କ କଥା କହିବାର ଶକ୍ତି ନ ଥାଏ, ମାତ୍ର ଜ୍ଞାନ ଥାଏ । ସେ ମୃତ୍ୟୁର ପୂର୍ବ ଯନ୍ତ୍ରଣା ଭୋଗ କରୁଅଛନ୍ତି । ସ୍ୱାମିଙ୍କ ସ୍ୱର ବହୁକ୍ଷଣ ପରେ ବାରି ଟିକିଏ ଚାହିଁଲେ । ବହୁକଷ୍ଟରେ ହାତ ସ୍ୱାମୀଙ୍କ ଗୋଡ଼ ଆଡ଼କୁ ନେଇ ପୁଣି ନିଜ ମୁଣ୍ଡରେ ଲଗାଇଲେ । ସ୍ୱାମୀ ଯେତେ ଡାକିଲେ ସୁଦ୍ଧା ସେ ଆଉକିଛି କହିଲେ ନାହିଁ, କି ଚାହିଁଲେ ନାହିଁ । ନାଏବଙ୍କର ପୂର୍ବ ବିରକ୍ତିଭାବ, ରାଗ ଓ ଘୃଣାକୁ ଆଡ଼େ ଅନ୍ତର୍ହିତ ହୋଇଗଲା, ଆଖିରୁ ଲୁହଝରିଲା, କେତେ କଥା ମନେ ପଡ଼ିଲା । ସ୍ତ୍ରୀମୁଖକୁ ଚାହିଁବାମାତ୍ରେ ତାଙ୍କ ଶୋକର ବେଗ ସମ୍ଭାଳିହେଉ ନଥାଏ । ଏହି ସମୟରେ ତାଙ୍କର ରକ୍ଷିତ ଦାସୀ ଆସି ଦ୍ୱାରଦେଶରେ ଉପସ୍ଥିତ ହେଲା । ତାକୁ ଦେଖିବାମାତ୍ରେ ସେ ଶୋକ ସମ୍ଭାଳି ତାକୁ କହିଲେ, ‘‘ଯିବୁଟି ନିଧି ଶୋଇଲା କି ନାହିଁ ଦେଖି ଆସିବ ।’’ ସେ ଦେଖି ଆସି ଖବର ଦେଇ ସାନ୍ତାଣୀଙ୍କ ଗୋଡ଼ତଳେ ବସି ପାଦ ଆଉଁସି ଦେଉଥାଏ । ଏ ସମୟରେ ବ୍ରାହ୍ମଣ ପୁରାଣଧରି ଆସି ପହଞ୍ଚିଲେ, ବାଟଘରେ ବସି ପୁରାଣ ଗାଇଲେ । ଏହି ସମୟରେ ମୂଷଳ ଧାରାରେ ବର୍ଷା ଆରମ୍ଭ ହେଲା । ଅନ୍ୟ ଘରକୁ ଗୀତଶୁଭିଲା ନାହିଁ । ଦାସୀକୁ ସ୍ତ୍ରୀ ପାଖରେ ଜଗାଇ ଦେଇ ସେ ବାଟ ଘରକୁ ଆସିଲେ । ପାଟଣାରୁ ବୁଢ଼ା ଦୁଇ ଜଣ ଓ କରଣ ସାହିରୁ ଦୁଇ ଜଣ ଆସି ବସିଥାନ୍ତି । ସେମାନେ ପ୍ରତିଦିନ ପୁରାଣ ଶୁଣିବାକୁ ଆସନ୍ତି-। ପୁରାଣ ଶେଷରେ ସେମାନଙ୍କୁ ନାଏବବାବୁ ତାଙ୍କର ଉପସ୍ଥିତ ବିପଦ କଥା କହି ସମସ୍ତଙ୍କୁ ବିଦାୟ କରିଦେଲେ । ଖାଇ ବସିଲେ, ମାତ୍ର ଖାଇବାକୁ ଇଚ୍ଛା ହେଲା ନାହିଁ । ଗଣ୍ଡିଏ ଖାଇ ସ୍ତ୍ରୀ ଶୋଇବା ଘରେ ସେ ବିଛଣା କରି ଶୋଇଲେ ଓ ସାଧୁଆକୁ ଡାକି ତାକୁ ଚେତା ରହିବାକୁ କହିଦେଲେ । କମଳାକୁ ନିଧି ପାଖରେ ଶୋଇବାକୁ ଓ ଦାସୀକୁ ପଠାଇ ଦେବାକୁ ବରାଦ ଦେଲେ । ବିଛଣାରେ ଯାଇବସିଲେ, ମାତ୍ର ନିଦ୍ରା ଆସିଲା ନାହିଁ । ଜନ୍ମଦିନରୁ ବିବାହ ପର୍ଯ୍ୟନ୍ତ ଓ ବିବାହ ଦିନରୁ ଏ ପର୍ଯ୍ୟନ୍ତ ସକଳ କଥା ତାଙ୍କ ମନରେ ଉଦିତ ହେଲା । ଅଧିକାଂଶ ସମୟରେ ଲୋତକର ବେଗ ସମ୍ଭାଳି ହେଲାନାହିଁ । ବର୍ତ୍ତମାନ ତାଙ୍କ ମନର ଗତି ଭୁକ୍ତଭୋଗୀ ଭିନ୍ନ ଅନ୍ୟକେହି ବୁଝିବା ସହଜ ନୁହେଁ । ନିଜର ଭବିଷ୍ୟତ୍‌, ପୁତ୍ରର ଭବିଷ୍ୟତ୍‌ ଏବଂ ଗୃହ ଓ ଧନ ସମ୍ପଦର ଭବିଷ୍ୟତ୍‌ ବିଷୟମାନ ତାଙ୍କ ମନରେ ଗୋଟିକ ପରେ ଗୋଟିଏ ସ୍ୱତଃ ଉପସ୍ଥିତ ହେଉଥାଏ ।

 

ନାଏବବାବୁ ବଡ଼ ହିସାବୀ ଥିଲେ । ସେ ବେଶି ଦାସ ଦାସୀ ରଖିବାକୁ ଭଲ ପାଉ ନଥିଲେ-। ସାଧୁଆ ଆଉ ଗୃହ ମଧ୍ୟରେ ସାବୀ ନାମକ ଦାସୀଟି ବରାବର ରହିଥାନ୍ତି । ନିକଟବର୍ତ୍ତୀ ଗ୍ରାମରେ ସାବୀର ଘର ଥିଲା । ସେ ଜାତିରେ ଗଉଡ଼ୁଣୀ ମାତ୍ର କମଳା ପରି ତା’ର ସଂସାର ବନ୍ଧନ ଛିନ୍ନହେବାରୁ ସେ ଆସି ନାଏବଙ୍କ ଗୃହଦାସୀ ହୋଇ ବହୁକାଳରୁ ରହିଲାଣି । ସାଧୁଆ ଜାତିରେ ବାରିକ । ନାଏବ ଥିବା ସମୟରୁ ସେ ତାଙ୍କ ପାଖରେ ଅଛି । ତାର ପୁତ୍ର ପ୍ରଭୃତି ଅଛନ୍ତି, ମାତ୍ର ସ୍ତ୍ରୀ ନାହିଁ । ସେଘରକୁ ଯାଏ ନାହିଁ । ସମୟ ସମୟରେ ତାର ପୁତ୍ର ପ୍ରଭୃତି ଆସି ତାକୁ ଦେଖିଯାନ୍ତି ଓ ଧାନ ପ୍ରଭୃତି କିଛି କିଛି ନେଇଯାନ୍ତି । ସାଧୁଆ ଓ ସାବୀ ନାଏବବାବୁଙ୍କର ବିଶ୍ୱାସୀ ଓ ନିମକ୍‌ସଚ୍ଚା ଲୋକ । ସ୍ତ୍ରୀଙ୍କ ଦେହ ବେମାର ହେବାରୁ କମଳା ସ୍ଥାୟିଭାବରେ ରହିଲା । ଏପରି ଏ ତିନିଜଣ ସଦାବେଳେ ତାଙ୍କ ଗୃହରେ ରହିଥାନ୍ତି । ରାତିରେ ରୋଷାଇ ଘର ଖଞ୍ଜାରେ ଶୋଇବାକୁ ତାଙ୍କ ମୂଲିଆଣୀ ମଧ୍ୟରୁ ଗୋଟିଏ ବୟସ୍କା ସ୍ତ୍ରୀଲୋକ ଆସେ । ଭୋରରୁ ବାସିପାଇଟି କରିଦେଇ ସେ ନିଜକାମରେ ଯାଏ । ଧାନଘର ଖୁଆଡ଼ ଓ ଗୁହାଳଖୁଆଡ଼ ମଧ୍ୟରେ ଜଣେ ମୂଲିଆ ଜଗି ଶୁଏ । ଚଉପାଢ଼ୀ ଓ ଠାକୁରଘର ମଧ୍ୟରେ ସାଧୁଆ ପ୍ରହରୀ । ସାବୀ ଓ କମଳା ରହିବା ଖଞ୍ଜାରେ ଶୁଅନ୍ତି । ଆଜି ଅଧିକା ମନୁଷ୍ୟ ମଧ୍ୟରେ କେବଳ ଠାକୁର ପୂଜାହାରୀକୁ ରଖାଇ ଅଛନ୍ତି । ଆଉ ମଧ୍ୟ ତାଙ୍କ ସାବକଘରେ ରହୁଥିବା ରକ୍ଷିତା ଦାସୀଟି ତାଙ୍କ ସ୍ତ୍ରୀଙ୍କର ଶେଷସମୟ ଖବର ଶୁଣି, ସାବୀ ପ୍ରଭୃତିଙ୍କୁ ସାହାଯ୍ୟ ଦେବା ପାଇଁ ଆଜି ଆସିଅଛି । କମଳା ନିଜେ ଖାଇ, ସାବୀ ଓ ରକ୍ଷିତା ଦାସୀ ପାଇଁ ଖାଇବାକୁ ବାଢ଼ି ନିଧି ଶୋଇବାଘରେ ରଖିଦେଇ ବୋହୂକୁ ଦେଖିବାକୁ ଗଲା ଓ ସେଠାରେ ବସିଥିବା ରକ୍ଷିତା ଦାସୀକୁ ଖାଇ ଆସିବାକୁ ପଠାଇଦେଲା । ବୋହୂ ପାଖରେ ବସି ତା’ ଦେହରେ ହାତବୁଲାଇ ଦେଖିଲା ଯେ, ଦେହ ଭାରି ତାତିଛି; ନିଶ୍ୱାସ କେବଳ ଯାଉଛି, ଆଉ କଥା ନାହିଁକି ହଲଚଲ ନାହିଁ । ଏହା ଦେଖି ତା’ର ସ୍ତ୍ରୀ-ସୁଲଭ କ୍ରୋଧ ଜାତ ହେଲା । ସେସମ୍ଭାଳି ନ ପାରି ସ୍ୱରଧରି ବୋହୂର ଗୁଣବାହୁନି କାନ୍ଦିବାକୁ ଆରମ୍ଭ କଲା । ନାଏବ ବିରକ୍ତ ହେବାରୁ ସେ ଟିକିଏ କ୍ଷାନ୍ତ ହୋଇ ତାଙ୍କସଙ୍ଗେ କଥାବାର୍ତ୍ତା କଲା ଓ ପଚାରିଲା, ‘‘ଏ ରାତିରେ ବୋହୂ ଚାଲିଗଲେ କଣ କରିବା ?’’ ନାଏବ କହିଲେ, ‘‘ଦେହରେ ଉଷ୍ମଥିବା ପର୍ଯ୍ୟନ୍ତ କିଛି ଭୟ ନାହିଁ । ଗୋଡ଼ହାତ ପାଣି ହୋଇଗଲେ ଆଉ ନିଶ୍ୱାସ ଉଜାଣି ଉଠିଲେ ଶେଷ ସମୟ ଜାଣିବ । ରାତି ପାହିଯିବ । ତୁ ଯା ନିଧି ପାଖରେ ଶୋଇବୁ, ସାବୀକୁ ପଠାଇଦେବୁ । କାଲିରାତିରୁ ଉଠିଗଣ୍ଡିଏ ଭାତରାନ୍ଧି ନିଧିକୁ ଖୁଆଇବୁ-। ଭୋରରୁ ଅନେକ ଲୋକ ଆସିବେ, ଘରଦ୍ୱାର ପ୍ରତି ଦୃଷ୍ଟି ଦେଇଥିବୁ; ଆଉ ଯାହା ଦରକାର ବନ୍ଦୋବସ୍ତ କରି ରଖିଥିବୁ । କିଛି ଆବଶ୍ୟକ ହେଲେ ମୋତେ ଭୋର୍‌ରୁ କହିବୁ । ସେତେବେଳକୁ କହିଲେ ଅସୁବିଧା ହେବ ।’’ କମଳା କହିଲା, ‘‘ଘରେ ସବୁ ଅଛି, କିଛି ଖୋଜିବାକୁ ହେବ ନାହିଁ ।’’

 

କମଳା ଯାଇ ସାବୀକୁ ପଠାଇଦେଲା । ସାବୀ ଆସି କମଳା ପରି ସାନ୍ତାଣୀଙ୍କି ଆଉଁସୁଥାଏ ଓ ତାଙ୍କ ଗୁଣବାହୁନି କାନ୍ଦୁଥାଏ । ଏ ମଧ୍ୟରେ ନାଏବଙ୍କୁ ଟିକିଏ ନିଦ୍ରା ଆସିଥିଲା । ସାବୀର କ୍ରନ୍ଦନ ଶୁଣି ସେ ହଠାତ୍‌ ଉଠିବସିଲେ, କହିଲେ, ‘‘ଦେହ ଉଷ୍ମ ଅଛି ?’’ ସାବୀ କହିଲା, ‘‘ହଁ-।’’ ସେଠାରୁ ତାକୁ କ୍ରନ୍ଦନ କରିବାକୁ ବାରଣ କରି ଶୋଇଲେ । ନାଏବଙ୍କ ରକ୍ଷିତା ସ୍ତ୍ରୀ କମଳା ସଙ୍ଗେ ନାନା ପ୍ରକାର ସୁଖ ଦୁଃଖ କଥା ହୋଇ ସେ ଶୋଇାବାରୁ ସାବୀ ପାଖରେ ଆସି ପହଞ୍ଚିଲା । ଦୁଇଜଣଯାକ କଥାବାର୍ତ୍ତା ହୋଇ ରାତି କଟାଉଥାନ୍ତି । ସେମାନଙ୍କୁ ସେ ରାତିଟା ଅତିଲମ୍ୱା ବୋଧ ହେଉଥାଏ, ଜମା ସରୁ ନ ଥାଏ । ତାଙ୍କୁ କିପରି ମାଡ଼ି ପଡ଼ୁଥାଏ । ପଦାକୁ ଚାହିଁଲେ ଗୋଟାଏ କିଏ ଆସି ଅଛିକି, କିଏ ଛିଡ଼ା ହୋଇ ଅଛିକି, ଏପରି ବୋଧ ହେଉଥାଏ । ପୁଣି ମେଘଘୋଟି ବୃଷ୍ଟି ହେଉଥିବାରୁ ରାତ୍ରିଟି ଅଧିକ ଭୟଙ୍କର ବୋଧ ହେଉଥାଏ । ସେରାତି ମଧ୍ୟରେ ସେ ଦୁଇଜଣଙ୍କ ମଧ୍ୟରେ ଯେତେ କଥା ହେଲା, ତାହାର ସୀମା ନାହିଁ । ତଥାପି ରାତି ପାହିଲା ନାହିଁ । ପାହାନ୍ତିଆକୁ ନାଏବଙ୍କ ନିଦ ଭାଙ୍ଗିଗଲା । ସେ ଉଠି ଦେଖିଲେ ଯେ, ସାବୀ ଓ ରକ୍ଷିତା ଦାସୀ ଉଭୟେ କାନ୍ଥକୁ ଆଉଜି ଢୋଳାଉ ଅଛନ୍ତି । ସେ ନିଜ ବିଛଣାରୁ ଉଠି ସ୍ତ୍ରୀ ଦେହରେ ହାତମାରି ଦେଖିଲେ, ପାଦଠାରୁ ପେଟ ପର୍ଯ୍ୟନ୍ତ କାକର ହୋଇଗଲାଣି; ହାତ ପାପୁଲି ମଧ୍ୟ ଥଣ୍ଡା ହେଲାଣି; ପବନ ଉଜାଣିବୋହିବାକୁ ଆରମ୍ଭ ହେଲାଣି । ସେ ଉଠିଆସି ସ୍ତ୍ରୀର ବିଛଣା ପାଖରେ ପହଞ୍ଚିଲାମାତ୍ରେ ସାବୀ ଚମକିପଡ଼ି ଚେତାହୋଇ ଠିଆ ହୋଇଗଲା । ଅନ୍ୟ ଦାସୀକୁ ଚେତାକରି ଦେଇ ପଦାକୁ ଯାଇ କମଳାକୁ ସବୁ ହାଲ କହିଲେ । କମଳା ଆସି ମଧ୍ୟ ଦେଖିଗଲା । ସେ ଆଉ ନ ଶୋଇ ରକ୍ଷିତା ଦାସୀକୁ ନିଧି ପାଖରେ ବସାଇ ଦେଇ ନିତ୍ୟକର୍ମ ସାରି ଭୋର ହେବା ସଙ୍ଗେ ସଙ୍ଗେ ଚୁଲିଲଗାଇ ଦେଲା । ନାଏବ ସାବୀକୁ ସାବଧାନ କରି ବସାଇ ଦେଇ, ସାଧୁଆକୁ ସାବଧାନ କରି ଠାକୁର-ପୂଜାରୀଦ୍ୱାରା ଓ ଧାନ ଜଗୁଆଳିଦ୍ୱାରା ନିଜର ପ୍ରିୟାପ୍ରୀତି କୁଟୁମ୍ୱ ଓ ପୁରୋହିତଙ୍କୁ ଖବର ଦେବାକୁ କହି, ସମସ୍ତ ମୂଲିଆଙ୍କୁ ଶୀଘ୍ରଡାକି ଦେବାକୁ ବରାଦ ଦେଇ ତରତର ହୋଇ ନିତ୍ୟକର୍ମ ସମାପନ ପାଇଁ ବାହାରିଲେ । ବେଳଘଡ଼ିକ ପରେ କେବଳ ବ୍ରାହ୍ମଣଶାସନର ସ୍ତ୍ରୀଲୋକ ଛଡ଼ା କରଣସାହି ଓ ଦୁଇ ପାଟଣାର ସମସ୍ତ ପୁରୁଣା ସ୍ତ୍ରୀଲୋକ ଓ ଝିଅମାନେ ନାଏବଙ୍କ ଘର ମଧ୍ୟରେ ପୂର୍ଣ୍ଣ ହୋଇଗଲେ । ଚଉପାଢ଼ୀ ଓ ଦାଣ୍ଡଘରେ କରଣସାହି, ଦୁଇ ପାଟଣା ଓ ଶାସନର ସମସ୍ତ ପୁରୁଷଲୋକ ପୂର୍ଣ୍ଣ ହୋଇଗଲେ । ଲୋକ ଯାଉଥାନ୍ତି ଓ ଆସୁଥାନ୍ତି । ଆସିବା ଲୋକକୁ ଫେରିବା ଲୋକକୁ ପଚାରେ–ଖବର କଣ ? ସେ କହେ, ‘‘ଆଉ ଦଣ୍ଡେ ଘଡ଼ିଏ ।’’

 

ଯେଉଁ ସ୍ତ୍ରୀଲୋକ ଆସୁଥାଏ, ସେ ନିଧିବୋଉକୁ ଚାହିଁଦେଇ ଦୀର୍ଘ ନିଶ୍ୱାସ ପକାଇଦେଇ ଗୃହର ପ୍ରାଙ୍ଗଣ ମଧ୍ୟରେ ବସିଥିବା ଅପର ସ୍ତ୍ରୀଲୋକମାନଙ୍କୁ ପାଖରେ ବସି ମନୋଗତ ଭାବବ୍ୟକ୍ତ କରେ । କିଏ କହେ, ‘‘ଆହା ନିଧି କଣ କରିବ ! ଯେତେବେଳେ ସୁଖ ପାଇବାର କଥା, ସେତେବେଳେ ଚାଲି ଯାଉଛି । ସଂସାରଟା କିଛି ନୁହେଁ–ମିଛମାୟା ଖାଲି ଲଗାଇଛି ।’’ କିଏ କହେ, ‘‘ହଁ ଲୋ ଭଉଣି, ଏକ୍ଷଣି ଜଣେ ମରୁଛ ଦେଖି ଏହା କହୁଛି । ଦଣ୍ଡେ ଯାଉ, ଘରକୁ ଗଲେ ସବୁ ଭୁଲିଯିବୁ । କେରିଏ କୁଟା ପାଇଁ ସାତ ଦିନ କଳିକରିବୁ ।’’ ଆଉଜଣେ କହେ, ‘‘ମଲା ତା ନ ହେଲେ ସଂସାର କେମିତି ଚଳନ୍ତା ?’’ କିଏ କହେ, ‘‘ବିଚାରୀର ବୟସ ହୋଇନଥିଲା । ବୟସ ହୋଇଥିଲେ, ପୁଅ ବୋହୂଧରି ଦିନାକେତେ ଘର କରିଥିଲେ ଦୁଃଖ କାହିଁକି ହୁଅନ୍ତା ?’’ କିଏ କହେ, ‘‘ଆଲୋ ଝିଅ, ତୁ କିଛି ବୁଝି ପାରୁନାହୁଁ । କାହାର ଦୁଃଖ ହୁଅନ୍ତା ? ତୋ ମନରେ ଏ ଦୁଃଖ ସିନା ହେଉଛି । ଯେ ମରୁଛି ତା’ ମନରେ କଣ ଏ ଦୁଃଖ ହେଉଛି ? ବରଂ ଯେ ପୁଅ ବୋହୂଧରି ଘର କରେ, ତାହାରି ଦୁଃଖ । ଦେଖି ନାହୁଁ ତା ଶାଶୁ କି ବ୍ୟସ୍ତରେ ମରିଛି । କାହା ପୁଅ ବୋହୂ କାହାର ? ବୟସ ଥାଉଁ ମରିବା ଭଲ । ବୁଢ଼ୀହୋଇ ମରିବା ବଡ଼ ଯନ୍ତ୍ରଣା, ବଡ଼ ଯନ୍ତ୍ରଣା । କହ, କେତେ ଲୋକର ନାମ କହିବି ? ଗୋଡ଼ଚଳିବ ନାହିଁ, ହାତଚଳିବ ନାହିଁ, କାନକୁଶୁଭୁ ନଥିବ, ଆଖିକୁ ଦିଶୁ ନଥିବ, ଗୁହମୁତରେ ଘାଣ୍ଟି ହେଉଥିବ । ଘରେ ସମସ୍ତେ ମନେ ମନେ ବିରକ୍ତ ହେଉଥିବେ; ମୁହଁରେ ସିନା କିଛି କହନ୍ତି ନାହିଁ । ଏପରି ଅବସ୍ଥାରେ ମରିବା ଅପେକ୍ଷା ଦେହରେ ବଳଥାଉଁ, ହାତଗୋଡ଼ ଚଳୁଥିବ, ଚାଲିଯିବା ଖୁବ୍‌ଭଲ ।’’ କିଏ କହେ, ‘‘ଆଲୋଖୁଡ଼ି, ମାଇକିନାଲୋକ ସ୍ୱାମୀ ଆଗରେ ଆଉ ପୁଅ ଆଗରେ ମରିବାଠାରୁ ବଳି ଆଉ ସୁଖ କଣ ଅଛି ? ସଂସାରରେ ତାକୁ ଧନ୍ୟ ଧନ୍ୟ କହନ୍ତି । ନିଧିବୋଉ ଭାଗ୍ୟବତୀ, ସାଧବାଣୀ ହୋଇ ଚାଲିଯିବ, ତା’ର କଣ ଗଲା ! ଯେ ରହିବେ ତାଙ୍କରି ଚିନ୍ତା ।’’ ଜଣେ ଦୀର୍ଘ ନିଶ୍ୱାସଟାଏ ଛାଡ଼ି କହିଲା, ‘‘ସତ ଲୋ ଅପା, କାଚ ପିନ୍ଧି ମରିବା ବଡ଼ଭଲ । ତା’ ସମସ୍ତଙ୍କ କପାଳରେ ଘଟେ ନାହିଁ ।’’ ଏହିପରି ନାନା କଥାବାର୍ତ୍ତା ହେଉଥାନ୍ତି । ନାଏବବାବୁ ନିଧିକୁ ଗଣ୍ଡିଏ ଖୁଆଇ ଦେଇ ତା’ ସଙ୍ଗରେ ଜଣକେତେ ପିଲା ଓ ସେମାନଙ୍କ ଉପରେ ଦୃଷ୍ଟିରଖିବାକୁ ଜଣେମୂଲିଆ ସଙ୍ଗରେ ନଦୀକୂଳକୁ ଖେଳିବାକୁ ପଠାଇ ଦେଲେ । ଘରେ ସମସ୍ତ ବିଷୟ ବନ୍ଦୋବସ୍ତ କରି ରଖିବାରେ ବ୍ୟସ୍ତଥାନ୍ତି । ଏହି ସମୟରେ ସାବୀ ହୁରି ଛାଡ଼ିଲା ଓ କ୍ରନ୍ଦନଧ୍ୱନିରେ ଗୃହ ଓ ଗ୍ରାମକମ୍ପି ଉଠିବାରୁ ନିଧି ଦୌଡ଼ି ଆସିକାନ୍ଦିଲା । ନାଏବ ଓ ଅନ୍ୟାନ୍ୟ ଲୋକଙ୍କର ସ୍ତ୍ରୀମରଣ ଦୁଃଖ ଯେତେହେଉ ନଥାଏ, ନିଧିର କ୍ରନ୍ଦନରେ ସମସ୍ତେ ବିଶେଷ ଦୁଃଖିତ ହେଉଥାନ୍ତି । ସେ ବିକଳ ହୋଇ ବୋଉକୁ ଦେଖିବାକୁ ଯାଉଥାଏ, ମାତ୍ର କେହିତାକୁ ଛାଡ଼ି ଦେଉ ନଥାନ୍ତି । ବେଳ ପାଞ୍ଚଘଡ଼ି ସମୟରେ ନିଧି ବୋଉର ପ୍ରାଣବାୟୁ ଶଣୀର ମଧ୍ୟରୁ ଅନ୍ତର ହୋଇଗଲା-। ସଙ୍ଗେ ସଙ୍ଗେ ପୁରୁଣା ସ୍ତ୍ରୀଲୋକମାନେ ଶବକୁ ପୂରା ଅହ୍ୟସ୍ତ୍ରୀର ବେଶ କରିଦେଇ ନୂଆଲୁଗା ପିନ୍ଧାଇ ଚିତାନଳ ପାଇଁ ପ୍ରସ୍ତୁତ କରିଦେଲେ । ଅହ୍ୟ ଡିଙ୍ଗୁରା ବାଜିବାରୁ ସକଳ ସ୍ତ୍ରୀଲୋକ ନିଜ ନିଜ ପିଲା ଭୟ କରିବେ ବୋଲି ସେମାନଙ୍କୁ ସମ୍ଭାଳିବାକୁ ଗଲେ । ଶବ ଚାଲିଯିବାରୁ ସାବୀ, କମଳା ଓ ନିଧି କାନ୍ଦି ଅସ୍ଥିର ହେଉଥାନ୍ତି । ସେମାନଙ୍କୁ ବୋଧ କରିବାକୁ ଅନେକ ଲୋକ ଭୋଗିଥାନ୍ତି । ଶବଗଲାବେଳେ ଲିଆ ଓ କଉଡ଼ି ବୁଣାଯାଏ । ତହିଁରୁ କଉଡ଼ିକଡ଼ାଏ ନେଇ ରଖିବାକୁ ଅହ୍ୟ ସ୍ତ୍ରୀମାନେ ବହୁ ଯତ୍ନ କରନ୍ତି ।

Image

 

ପଞ୍ଚବିଂଶ ପରିଚ୍ଛେଦ

 

ଯୁବାବୟସରେ ଲୋକର ରକ୍ତ ତେଜଥାଏ । ସେତେବେଳେ ଯେତେ ବିପଦ ହେଉ, ଯେତେ ଦୁଃଖ ହେଉ, ଲୋକତାହା ପିଠେଇ ନିଏ; ମାତ୍ର ଉତ୍ତରକାଳରେ ରକ୍ତ ଶିଥିଳ ହୋଇଗଲେ ସାମାନ୍ୟ ବିପଦରେ ଲୋକ କାତର ହୋଇପଡ଼େ । ଲୋକସଂସାରୀ ହେବାକୁ ହେଲେ ସ୍ତ୍ରୀମୂଳ, ଆଉସବୁ ଶାଖା ପ୍ରଶାଖା । ଏଣୁ ସଂସାରୀ ପକ୍ଷରେ ସ୍ତ୍ରୀବିଚ୍ଛେଦ-ଦୁଃଖଠାରୁ ବଳି ଆଉ ଅଧିକ ଦୁଃଖ ନାହିଁ । ବୟସର ଆଧିକ୍ୟ ସଙ୍ଗେ ଦାମ୍ପତ୍ୟପ୍ରେମ ଗାଢ଼ତର ହେଉଥାଏ । ସ୍ତ୍ରୀ ନ ଥିଲେ ଗୃହସୁନ୍ଦର ନୁହେଁ । ଯେଉଁଗୃହରେ ସ୍ତ୍ରୀ ସନ୍ତୋଷମନା, ପ୍ରିୟବାଦିନୀ ଓ ହ୍ଲାଦିନୀ ଶକ୍ତିରୂପେ ବିଦ୍ୟମାନ, ସେଗୃହରେ ପରମଶାନ୍ତି ବିରାଜୁ ଥାଏ । ଯେଉଁଠାରେ ଈର୍ଷାନ୍ୱିତା, କୋପନା, କଳହପ୍ରିୟା ଓ କଟୁଭାଷିଣୀ ସ୍ତ୍ରୀ ଥାଏ, ସେଠାରେ ଅଶାନ୍ତି ରାଜତ୍ୱ କରେ । ଏ ପ୍ରକାର ସ୍ତ୍ରୀ ପାଖରୁ ଅନ୍ତର ହେବାକୁ ଲୋକ ସଦାବେଳେ ଇଚ୍ଛାକରେ । ତଥାପି ଦୁର୍ବଳ ମାନବ ତାହାର ଅଭାବରେ ନାନା ଅସୁବିଧା ଭୋଗକରି ଭାବନାକୁ ଅଶାନ୍ତିମୟ ଦେଖେ । ନାଏବବାବୁଙ୍କ ସ୍ତ୍ରୀ ଦ୍ୱିତୀୟ ପ୍ରକାରର ଥିଲେ, ତଥାପି ତାଙ୍କ ଅଭାବରେ ତାଙ୍କୁ ଆଉ ଗୃହ ଶାନ୍ତିମୟ ବୋଧ ହେଲାନାହିଁ । ତାଙ୍କର ବୟସ ପଚାଶର ନିକଟହେବାକୁ ବସିଲାଣି, ତଥାପି ପ୍ରିୟ ଲୋକମାନେ ପୁନରାୟ ବିବାହ ପାଇଁ ଉତ୍ସାହିତ କରୁଅଛନ୍ତି-। କିଏ କହୁଛି, ‘‘ତୁମକୁ କ’ଣ କନ୍ୟା ମିଳିବ ନାହିଁ ? ତୁମେ ତ ଗଣ୍ଡାଏ ସ୍ତ୍ରୀ ପାଳି ପାରିବ, ଚିନ୍ତା କଅଣ ? ନିଧି ପିଲା, ତାକୁ ଆଡ଼େଇବ କିଏ ? ଘର ସମ୍ଭାଳିବ କିଏ ?’’ କେହି କେହି କହନ୍ତି, ‘‘ନାଏବବାବୁ, ଆଉ ସେ ମାୟାରେ ବାନ୍ଧିହେବ ନାହିଁଟି । ପଛରେ ମହାକଷ୍ଟ ପାଇବ, ଯଦି ଗୋଟିଏ ଆଣ, ଘର ମଧ୍ୟରେ ବିଷବୃକ୍ଷଟିଏ ରୋପଣ କରାଯିବ ସିନା ।’’ କିଏ କହେ, ‘‘ଆହେ, ଆଚ୍ଛା କହୁଛ-। ଯେତେବେଳେ ନଙ୍ଗଳାମୁକୁଳାହୋଇ ପଡ଼ିବେ, ସେତେବେଳେ କିଏ ?’’ କିଏ କହେ, ‘‘ହଁ ହେ, ଗରିବଙ୍କର ସେ ଚିନ୍ତା । ନାଏବବାବୁଙ୍କ ପକ୍ଷରେ ସେ ଚିନ୍ତା କାହିଁକି ! ଦାସ ଦାସୀ ଅପେକ୍ଷା ସ୍ତ୍ରୀ କ’ଣ ଅଧିକ ସେବା କରିବ ? ମିଛରେ ମନଭୁଲା କଥାଗୁଡ଼ାଏ କାହିଁକି କହୁଛ-! ତାଙ୍କର କୁଳ ନ ଥାନ୍ତାକି ! ନିଧି ଜନ୍ମହୋଇ ନଥିଲେ ସେ ବାଧ୍ୟ ହୋଇ ଅବା ବିଭାହୁଅନ୍ତେ-। ଯେତେବେଳେ ସେ ମା ଛେଉଣ୍ଡ ହେଲାଣି, ତା’ର ସବୁ ରିଷ୍ଟ ଗଲାଣି । ଈଶ୍ୱର ଦେଲେ ତାର କାଲିକି ପୁଅ ଝିଅ ହେବେ, ତୁମେ ଦେଖିବ । କମଳା ଅପା ତା’ ମା’ଠାରୁ ବଳେ । ନାଏବବାବୁ, ତୁମର ସେବାକରିବାକୁ ଯୋଡ଼ିଏ ଦାସୀ ଅଛନ୍ତି; ବୃଥା ମନ ପାତଳା କରନାହିଁ । ସାବତ ମା’ର ଗଞ୍ଜଣା ସହିହୁଏ ନାହିଁ । ଶେଷରେ ଅନୁତାପର ସୀମାରହିବ ନାହିଁ ।’’

 

ନାଏବ ସମସ୍ତଙ୍କ କଥା ଶୁଣି କାହାକୁ କିଛି ଉତ୍ତର ଦିଅନ୍ତି ନାହିଁ । ସଂସାରରେ କେତେଗୁଡ଼ିଏ ଏହିପରି ଆଗତ କୁହା ଲୋକଥାନ୍ତି । ତାଙ୍କୁ କେହିକିଛି ନ ପଚାରୁ ପଛକେ, ସେମାନେ ମନକୁ ପରର ବିପଦ କି ସମ୍ପଦ କାଳରେ ନାନା ଉପଦେଶ ଦିଅନ୍ତି । ମାତ୍ରସେ ଯାହା ସୁବିଧା ମନେକରେ, ତାହାକରେ । ନାଏବ ଧନୀ ଲୋକଥିବାରୁ ତାଙ୍କର ମନ ନେବା ପାଇଁ ଅଧିକାଂଶ ଲୋକ ପୁନରାୟ ସ୍ତ୍ରୀ ଗ୍ରହଣ ପାଇଁ ତାଙ୍କୁ ମତାଉଥାନ୍ତି । ଅତିକମ୍‌ ଲୋକ, ଯେ ବି ନାଏବଙ୍କଠାରୁ ଅଧିକ ବୟସ୍କ, ସେମାନେ ସେ କଥା ଭାଙ୍ଗୁଥାନ୍ତି । ଉଭୟ ପକ୍ଷର କଥାଶୁଣି ତାଙ୍କର ମନ ତରାଜୁ ପରି କେତେବେଳେ ଏ ପାଖକୁ, କେତେବେଳେ ସେ ପାଖକୁ ଢଳୁଥାଏ । କେତେକ ସ୍ଥଳରେ ଦେଖାଯାଏ ଯେ, ସ୍ତ୍ରୀ ମରିଯିବା ପରେ ଆଉ ସ୍ତ୍ରୀ ଗ୍ରହଣ ନ କରିବାକୁ କେହି କେହି ଦୃଢ଼ ପ୍ରତିଜ୍ଞା କରନ୍ତି । କିନ୍ତୁକିଛି ଦିନ ପରେ ଧୈର୍ଯ୍ୟଚ୍ୟୁତ ହୁଏ । ସେମାନେ ପୁନରାୟ ବିବାହ କରନ୍ତି କିମ୍ୱା କେହି ଦାସୀ ବା ବେଶ୍ୟାଶ୍ରୟରେ ଜୀବନ କଟାଇ ଶେଷଜୀବନରେ ତା’ର ବିଷମୟ ପରିଣାମ ଭୋଗ କରନ୍ତି ।

 

ଦିନେ ରାତିରେ ନାଏବବାବୁ ନାନା କଥା ଭାବି କଅଣ କରିବେ କିଛି ସ୍ଥିର କରିପାରିଲେ ନାହିଁ । ତାଙ୍କ ଆତ୍ମୀୟ ମଧ୍ୟରେ ତାଙ୍କର ମୁରବି କେହି ନଥିଲେ । କେବଳ ୭୫ବର୍ଷ ବୟସର ପୁରୋହିତ ବୁଢ଼ାଙ୍କ ସଙ୍ଗେ ପରାମର୍ଶ କରିବାକୁ ତାଙ୍କର ଇଚ୍ଛାହେଲା । ପରଦିନ ଭୋର୍‌ରୁ ତାଙ୍କୁ ଡକାଇ ଠାକୁରଘର ପହଣ୍ଡରେ ସେ ଓ ପୁରୋହିତ ଦୁଇ ଜଣ ବସି କଥାବାର୍ତ୍ତା ହେଲେ । ନାଏବବାବୁ କହିଲେ, ‘‘ଆପଣ ମୋର ପିତାସମାନ ବୃଦ୍ଧ, ପୁଣି କୁଳର ପୁରୋହିତ, ଆପଣଙ୍କ ଛଡ଼ା ମୋର ମଙ୍ଗଳକାମନା କରିବାକୁ ଆଉକେହି ନାହାନ୍ତି । ବର୍ତ୍ତମାନ ନାନାଲୋକ ନାନା କଥା କହୁଅଛନ୍ତି । ଆପଣ ଯାହା କହିବେ, ମୁଁ ତାହା କରିବି ।’’ ପୁରୋହିତ କହିଲେ, ‘‘ହଁ ବାପ, ମୁଁ ବୁଝିଛି-। ତୁ କହିଲୁ ତୋ’ର ଇଚ୍ଛା କଅଣ ? ତାହା ଶୁଣିଲେ ମୋ ମତ ଯାହା, ତାହା କହିବି ।’’ ନାଏବ କହିଲେ, ‘‘ଲୋକମାନଙ୍କର ନାନା କଥା ଶୁଣି ମୁଁ କିଛି ସ୍ଥିର କରିପାରିଲି ନାହିଁ; ତେଣୁ ଆପଣଙ୍କୁ ଡକାଇଲି । ଯାହା ମୋ ପକ୍ଷରେ ଭଲ ହେବ, ଆପଣ ତାହା କହନ୍ତୁ, ମୁଁ କରିବି ।’’

 

ବୁଢ଼ାଟିକିଏ ତଳକୁ, ଟିକିଏ ଉପରକୁ ଚାହିଁ କହିଲେ, ‘‘ବାପ ! ତୋର ବୟସ ତ ପଚାଶ ହେବଣି ?’’ ନାଏବ କହିଲେ, ‘‘ହଁ, ୪୯ ଚାଲିଛି, ଆଉ ମାସକେ ପଚାଶ ହେବ ।’’ ବୁଢ଼ା କହିଲେ, ‘‘ହଁରେ ବାପ, ମୋତେ ଜଣାନାହିଁ–ଆମ ଗୋପାଳ ଜନ୍ମ ତୋ ଜନ୍ମ ଏକାମାସରେ ପରା । ଦିନ କ’ଣ ବସିଛି, କାଲିପରି ବୋଧ ହେଉଛି, ଏ ମଧ୍ୟରେ ପଚାଶବର୍ଷ ବିତି ଗଲାଣି । ଗୋଟିଏ କଥା ଶୁଣ । ମୁଁ ତ ମନରଖା କଥା କହିବି ନାହିଁ, ଯାହା ମୋତେ ଭଲ ବୋଧ ହେବ ତା କହିବି । ତୋମନକୁ ଆସୁବା ନ ଆସୁ ।’’ ନାଏବ କହିଲେ, ‘‘ସେଥିପାଇଁ ତ ମୁଁ ଆପଣଙ୍କୁ ପଚାରୁଛି । ଅନ୍ୟ କାହାକୁ ପଚାରିଲି ନାହିଁ ?’’ ପୁରୋହିତ କହିଲେ, ‘‘ହଉ ବାପା, ଶୁଣ-ମନୁଷ୍ୟ ଜୀବନ ପାଣି ଫୋଟକା ପରି । କିଏ ଜାଣେ କେତେଦିନ ବଞ୍ଚିବ ? କରଣ ଘର, କିଛି ହାଟୁଆ ପାଟକ କଥା ନୁହେଁ । ତୁ ଆଜି ଗୋଟିଏ ପିଲା ଘେନି ଆସିବୁ, କାଲି ଚାଲିଯିବୁ; ସେଇଟି କଅଣ କରିବ ? ପଛରେ ହାନି ଅଛି, ଲାଭ ଅଛି, କେତେ ତତେ ନିନ୍ଦା କରିବେ–କୁଳ ନିନ୍ଦା, ଜାତି ନିନ୍ଦା ଓ ଦେଶ ନିନ୍ଦା । ନ ହେଲା, ତା’ଠାରୁ ପିଲାଟିଏ ବା ଯୋଡ଼ିଏ ହେବେ । ସେତେବେଳେ ନିଧିକୁ ସେ ପଚାରିବ ନାହିଁ । ଘରେ ମହା ଅନର୍ଥ ହେବ । ଏ ବୟସରେ ତ କେହି ଘରୁଆ ଲୋକ ଝିଅ ଦେବେ ନାହିଁ–ଟଙ୍କାଲୋଭରେ କେହି ଗରିବ ଲୋକ ଦେଇପାରେ । ସେ ଆସି ଏଠାରେ ଧନସମ୍ପଦ ଦେଖି ଟିପଅଗରେ ଚାଲିବ । ଅଧିକାଂଶସ୍ଥଳରେ ଦେଖା ଯାଇଅଛି ଯେ, କନ୍ୟା-ଭାର୍ଯ୍ୟ ସ୍ୱାମୀମୁହଁରେ ବାଗଦେଇ ଘୋଡ଼ା କରିବାକୁ ଇଚ୍ଛାକରେ । ପୁଣି ତୋର ହାନିଲାଭ ହେଲେ, ତା’ ଭାଇବାପ ଆସି ମାଲିକ ହେବେ; ସମ୍ପତ୍ତି ସବୁ ବୋହି ଖାଇବେ । ଏତେ କଷ୍ଟରେ ଯାହା ରୋଜଗାର କରିଛୁ, ତା’ ନିଧି ନ ଖାଇ ପର ଖାଇବେ । ତୋର ତ ଗୋଟିଏ ଦାସୀ ଅଛି । ସେ କଅଣ ମାଇପ ନୁହେଁ ? ଆଉ ଏ ବୟସରେ ବର ହୋଇ ବେଦିରେ ବସିଲେ କ’ଣ ହେବ ? କେବଳ ଲୋକହସା କଥା । ଯେଉଁମାନେ ମତାଉଛନ୍ତି, ସେହିମାନେ ପଛକୁ ହସିବେ । ତୋର ବଳଥିଲେ ପାଞ୍ଚଟା ଦାସୀରଖ, ସେଥିପାଇଁ ମନା କ’ଣ; ମାତ୍ର ବିବାହ ହେବା ମୋତେ ଭଲ ବୋଧ ହେଉନାହିଁ । ନିଧି ଯେତେବେଳେ ଅଛି, ଆଉ ବିବାହ ଆବଶ୍ୟକ ନାହିଁ । ମୋର ମତ ଏହା । ତେଣିକି ତୁ ଯାହା କରୁଛୁ କର ମୋରକିଛି ଆପତ୍ତି ନାହିଁ । ବରଂ ମୋର ଦୁଇଯୋଡ଼ା ଲୁଗା ଓ ଦକ୍ଷିଣା ପ୍ରଭୃତି କିଛି ଲାଭ ହୁଅନ୍ତା ।’’ ନାଏବ କହିଲେ, ‘‘ଆପଣ ଆସନ୍ତୁ, ମୋ ମନ ବୋଧ ହେଲା, ଆଉ କାହାରି କଥା ଶୁଣିବି ନାହିଁ । ଆପଣ ନିଧିକୁ ଆଶୀର୍ବାଦ କରୁଥିବେ ।’’ ପୁରୋହିତ କହିଲେ, ‘‘ଆରେ ବାପ, ତାକୁ ଆଶୀର୍ବାଦ ନ କରି ଆଉ କାହାକୁ କରିବି ? ତୁ ନ କହିଲେ କ’ଣ କରିବି ନାହିଁ ? ସଂସାରରେ କୌଣସି କଥା ସବୁଦିନିଆ ନୁହେଁ । ଦିନାକେତେ ସ୍ତ୍ରୀଘେନି ଘର କଲୁ, ଫଳ ଫଳିଲା । ଏଣିକି ଈଶ୍ୱରନାମ ନେଇ ନିଧିକୁ ଚାହିଁ ଦିନ କଟା । ମିଛମାୟାରେ କାହିଁକି ଘାଣ୍ଟିହେବୁ ?’’ ଏହାକହି ସେ ଉଠିଲେ ।

 

ପୁରୋହିତ ଚାଲିଗଲାରୁ ନାଏବ ଭାବିଲେ, ବୁଢ଼ାଠିକ୍‌ କହିଲା । ଟଙ୍କାଗୁଡ଼ାକ ବୃଥା ଖରଚ କରିବା ଭଲ ନୁହେଁ । ପଇସା ଥିଲେ କେଉଁ କଥା ସଂସାରରେ ଅଭାବ ଅଛି । ଏଥର ମନ ଥୟ ହେଲା । ଏପରି ଭାବି ସେ ନିଜଗୃହ ଧନ୍ଦାରେ ମନଦେଲେ । ବର୍ତ୍ତମାନ ସଂସାରର ମାୟାମମତା ସବୁ ନିଧି ଉପରେ ରହିଲା । ନିଧିକୁ ଅବଧାନ ପାଖରେ ବସାଇଥିଲେ । ମାତ୍ର ଅବଧାନର ବେତ୍ରାଘାତକୁ ଡରି ସେ ଅପା ପାଖରେ ଲୁଚେ-ପାଠ ପଢ଼ିବାକୁ ଯାଏ ନାହିଁ । ତେଣୁ ନାଏବ ଭାବିଲେ, ଅବଧାନଦ୍ୱାରା କିଛିକାମ ହେବ ନାହିଁ । ସ୍କୁଲଟିଏ କରି ଶିକ୍ଷକ ଜଣେ ରଖିଲେ ତା’ ମନ ଲାଗିପାରେ । ସେଠାରେ ବଞ୍ଚେ, ଚୌକି, ଛବି ଓ ଖେଳ ପ୍ରଭୃତି ଦେଖି ତା’ମନ ଭୁଲି ଯାଇପାରେ । ଭଲ ଲୁଗା ଓ କୁରୁତା ପିନ୍ଧି ଯାଇପାରିବ । ଚାଟଶାଳା ଧୂଳିରେ ଘାଣ୍ଟିହେବା କଥା ପାଇବ ନାହିଁ । ନିଜ ଘର ନିକଟରେ ଗୋଟିଏ ଘର କରି ଦେଇ ଅବଧାନକୁ ଗ୍ରାମରୁ ଉଠାଇ ଦେଇ ଗୋଟିଏ ଶିକ୍ଷକଦ୍ୱାରା ସେସ୍କୁଲଟିଏ ବସାଇଲେ । ଗ୍ରାମବାସୀଙ୍କୁ ସ୍କୁଲକୁ ପିଲା ପଠାଇବାକୁ ବାଧ୍ୟ କଲେ । ଗ୍ରାମବାସୀମାନେ ମନେ ମନେ ଭାବିଲେ, ସେହି ମୁହଁରେ ଉଆ ଅଛି, ପୁଣି ସେହି ମୁହଁରେ ଉଷୁନା ଅଛି । ତାଙ୍କର ପିଲା ନ ଥିବାବେଳେ ସ୍କୁଲ ପାଠ ମନ୍ଦ, ସେ ପାଠ ପଢ଼ିଲେ ସତ୍ୟାନାଶ । ଆଜି ନିଜର ପିଲାହେବାରୁ ପୁଣି ସେ ବାସିଲା । ହଉ, ଆମେବି ତ କ’ଣ କରିପାରିବା ? ଏପରିଭାବି ଡରରେ ସେମାନେ ପିଲାମାନଙ୍କୁ ସ୍କୁଲକୁ ପଠାଇଲେ । ନାଏବ ଶିକ୍ଷକଙ୍କୁ ବୁଝାଇ ଦେଇଥାନ୍ତି ଯେ, ହାଟୁଆ ପିଲା କ’ଣ ପାଠ ପଢ଼ିବେ ? ତେବେଗୁଡ଼ିଏ ପିଲା ନ ହେଲେ ସ୍କୁଲଚଳିବ ନାହିଁ । ସେଥିପାଇଁ ସେସବୁ ଆସିବେ, ମାତ୍ର ସେ ନିଧି ପ୍ରତି ବିଶେଷ ଦୃଷ୍ଟିରଖିବେ । ମାଡ଼ଛାଟ ଦେବେ ନାହିଁ । ମାଡ଼ଭୟରେ ନିଧି ଲୁଚିବ, ସ୍କୁଲକୁ ଆସିବ ନାହିଁ । ଶିକ୍ଷକ କହିଲେ, ‘‘ସ୍କୁଲରେ ମାରିବାର ନିୟମ ନାହିଁ । ଗ୍ରାମବାସୀଙ୍କ ଆପତ୍ତିକୁ ଆପଣ ତୁଲାଇଲେ ମୁଁ ନିଧିର ମନ ନେଇ କାମ କରୁଥିବି-।’’ ନାଏବ କହିଲେ, ‘‘ସେଥିପାଇଁ ଚିନ୍ତାକର ନାହିଁ-। ଯେ ଯାହାକହିବ, ମତେ ଜଣାଉଥିବ-।’’

 

ଦିନବେଳେ କାର୍ଯ୍ୟଧନ୍ଦାରେ ମନ ଲାଗିଥାଏ । ରାତିରେ ଘରକୁ ଶୋଇବାକୁ ଗଲେ ନାଏବଙ୍କ ମନରେ ଟିକିଏ ଅଶାନ୍ତିଭାବ ଜାତହୁଏ । ରକ୍ଷିତା ଦାସୀକୁ ଘରେ ରଖିଲେ ତାର ପୁଅ ଝିଅ ଯୋଡ଼ିଏ ଆସି ଗୋଳମାଳ କରିବେ, ଧନ ଦ୍ରବ୍ୟ ନଷ୍ଟ କରିବେ । ଏପରି ଭାବି ସେ ତା’ ପାଇଁ ସ୍ୱତନ୍ତ୍ର ଜମିଖଣ୍ଡିଏ ବନ୍ଦୋବସ୍ତ କରି ତାର ଚଳାଚଳ ପାଇଁ ସବୁ ଆୟୋଜନ କରିଦେଲେ । ଦରକାରବେଳେ ସେ ଦିନେ ଦିନେ ଆସିରହି ଯାଉଥାଏ । ତଥାପି ମନରେ ସନ୍ତୋଷ ଆସିଲା ନାହିଁ-। ମନର ପରିବର୍ତ୍ତନ ପାଇଁ କଟକରୁ ଗୋଟିଏମାଳି ଆଣି ନାଏବ ଗୃହ ନିକଟରେ ଗୋଟିଏ ବଗିଚା ଆରମ୍ଭ କଲେ । ବଗିଚାରେ କିପରି ଗଛ ଲାଗିବ, କିପରି ନୂଆ ନୂଆ ଫଳଫୁଲ ହେବ, ଏହା ଭାବି ଭାବି ସେ ରାତିକଟାଇ ଦିଅନ୍ତି । କିଛି ଦିନ ପରେ ବଗିଚା ମଧ୍ୟରେ ଖଣ୍ଡିଏ ଛୋଟ ବୈଠକଖାନା ନିରୋଳା ବୈଠକ ପାଇଁ ପ୍ରସ୍ତୁତ କଲେ । ମାଳିକୁ ତା’ ମଧ୍ୟରେ ଖଣ୍ଡିଏ ଘର କରିଦେଇ, ତା’ ଜିମାରେ ଗୋଟିଏ ସ୍ତ୍ରୀଲୋକ (ଯେପରି ସେ ମାଳି ରଖିଛି ବୋଲି ଲୋକେ ଜାଣିବେ) ରଖାଇଲେ । ସେ ମଧ୍ୟ ଗୁପ୍ତଚରର କାର୍ଯ୍ୟକରେ । ଏଣିକି ସ୍ତ୍ରୀ ବିଷୟ ମନରୁ ଗଲାଣି । ଆଉ ମନରେ ଅଶାନ୍ତି ନାହିଁ ।

 

ନିଧି ପାଇଁ ଭଲ ଲୁଗା, ଭଲ କୁରୁତା, ଭଲ ଯୋତା ସେ ଖୋଜିଲୋଡ଼ି ଆଣନ୍ତି । ତା’ର ଏ ସବୁରେ ମନ ଖୁସି ଦେଖି ତାଙ୍କ ମନ ମଧ୍ୟ ଆନନ୍ଦରେ ଭାସୁଥାଏ । ସେ ଆଉ ସ୍କୁଲକୁ ଯିବାକୁ ଆପତ୍ତି କରେନାହିଁ । ଅକ୍ଷର ଚିହ୍ନିଲାଣି ଓ ଗଣିତ ଜାଣିଲାଣି । ଅକ୍ଷର ଲେଖିଲାଣି ଦେଖି, ଶିକ୍ଷକଙ୍କର ପ୍ରଶଂସା ଗ୍ରାମବାସୀଙ୍କ ଆଗରେ ବରାବର କହୁଥାନ୍ତି । ତାର ବୟସ ବାରବର୍ଷ ହେବାବେଳକୁ ସେ ସ୍କୁଲର ପାଠ ଶେଷହେଲା । ଏ ମଧ୍ୟରେ ପଣ୍ଡିତ ଓ ଉପର ହାକିମ ଆସି ସେ ପିଲାକୁ କଟକରେ ଉଚ୍ଚ ଶିକ୍ଷା ଦେବାକୁ ଉପଦେଶ ଦିଅନ୍ତି । ନାଏବବାବୁଙ୍କର ତାକୁ ଛାଡ଼ି ରହିବାକୁ ମନ ବଳେ ନାହିଁ । ପୁଣି ଭାବନ୍ତି, ସେ କଅଣ ଚାକିରି କରିବ ? କାହିଁକି ପଢ଼ାଇବି ? ଏ ଧନ ସମ୍ପତ୍ତି କିଏ ବୁଝିବ ? ତାଙ୍କର ନାମ ସର୍କାର ପର୍ଯ୍ୟନ୍ତ ଜାଣିଲେଣି । ଯେତେ ହାକିମ ମଫସଲ ଆସନ୍ତି, ନିଧିକୁ କଟକରେ ପଢ଼ାଇବାକୁ ସମସ୍ତେ ଉପଦେଶ ଦିଅନ୍ତି । ମାତ୍ର ତାଙ୍କର ମନ ହୁଏ ନାହିଁ-। ପଣ୍ଡିତ ଦେଖିଲେ ଯେ, ନାଏବ ଛାଡ଼ିବେ ନାହିଁ । ଏଭଳି ଘରର ପିଲା ଉଚ୍ଚଶିକ୍ଷା ପାଇଁ ନ ଗଲେ ଆଉ କିଏ ପଢ଼ାଇବ ? ଏପରି ଭାବି ନିଧିକୁ ପାଖରେ ବସାଇ, କଟକ ମଉଜ ସବୁ ଗପ କରନ୍ତି । ବଡ଼ବଡ଼ କୋଠା, ବଜାର, ନାଟତାମସା, ଗାଡ଼ିଘୋଡ଼ା, ନଦୀ ଓ ଖେଳ ପ୍ରଭୃତି କଥା ଶୁଣି, ନିଧିର କଟକରେ ପଢ଼ିବାକୁ ଇଚ୍ଛାହେଲା । ସେ ପିତାଙ୍କ ସଙ୍ଗରେ କଟକ ଯିବାକୁ ନିଜେ ଅଳି ଲଗାଇଲା । ନାଏବ ଭାବିଲେ, ପୁଅ ପାଠ ପଢ଼ିବାକୁ କହୁଛି, ମନା କରିବି କିପରି ? ପଛରେ ସେ ମତେ ଗାଳି ଦେବ । ଆଜିକାଲି ଯୁଗରେ ଇଂରାଜୀ ଦି’ ଅକ୍ଷର ନ ଜାଣିଲେ, ମନୁଷ୍ୟବୋଲି କେହି ଗଣିବେ ନାହିଁ-। ହଉ, ଦୁଇଚାରିବର୍ଷ ପଢ଼ୁ, କ’ଣ କରୁଛି ଦେଖିବା । ଏହାଭାବି ସେ ତାକୁ କଟକର ବଡ଼ସ୍କୁଲରେ ପଢ଼ାଇବାକୁ ଇଚ୍ଛାକଲେ । ତାଙ୍କର ଓକିଲଙ୍କ ଛଡ଼ା ଆଉ ପ୍ରିୟପାତ୍ର କେହି କଟକରେ ନଥାନ୍ତି । ସେମାନଙ୍କ ସଙ୍ଗେ ପରାମର୍ଶ କରିବାରୁ ସେମାନେ କହିଲେ, ‘‘ବୋର୍ଡ଼ିଂରେ ଛାଡ଼ିଦେଲେ ଭଲ ପଢ଼ାପଢ଼ି ହେବ; ମାତ୍ର ତୁମର ଗୋଟିଏ ପିଲା, ତା’ ପ୍ରତି ଯେପରି ତୁମର ମାୟାମମତା ଅଛି, ତାକୁ ସ୍ୱତନ୍ତ୍ର ଭାବରେ ରଖାଇବା ଭଲ; କିନ୍ତୁ ଜଣେ ଶିକ୍ଷକ ତା’ ପାଖରେ ବରାବର ରହିବ ।’’ ଏପରିହେଲେ ଯେତେଟଙ୍କା ଖର୍ଚ୍ଚ ପଡ଼ିବ, ତା’ ବୁଝିବାରୁ ତାଙ୍କ ମନ ହଟିଲା । ଶେଷରେ ଆପଣା ଆତ୍ମୀୟ ମଧ୍ୟରୁ ଜଣେ ବୟସ୍କଲୋକ ଦେଖି ତା’ ସଙ୍ଗରେ ଦେଇ ଗୋଟିଏ ବସା ଭଡ଼ାକରି ତାକୁ କଟକରେ ରଖାଇଦେଲେ । ଡାଲିଚାଉଳ ସବୁ ପଠାଉଥାନ୍ତି । ଜଣେଶିକ୍ଷକ ଆସି ସକାଳେ ଦୁଇଘଣ୍ଟା ପଢ଼ାଇ ଚାଲିଯାଏ । ସେ ନିଜେ ମଧ୍ୟେ ମଧ୍ୟେ ଯାଇ ଦେଖି ଆସୁଥାନ୍ତି । କଟକରେ ରହି ଦିନକୁ ଦିନ ତାର ପୋଷାକ, ଖେଳକୌତୁକ ଓ ରଙ୍ଗଢଙ୍ଗ ଆଡ଼କୁ ମନ ଯାଉଥାଏ । ଯେଉଁ ଆତ୍ମୀୟ ଲୋକଟି ଥାଏ, ସେଭାବେ ଯେ, ମୋତେ ପଠାଇ ଅଛନ୍ତି, ମୁଁ ଯେପରି ପୁଅକୁ ଗେହ୍ଲାରେ ରଖିବି । ସେ ନିଜେ ଅଶିକ୍ଷିତ, ଶିକ୍ଷାର ମୂଲ୍ୟ କାହୁଁ ବୁଝିବ ? ନିଧି ଯେତେବେଳେ ଯାହା କହେ, ସେ ମନା ନ କରି ବରଂ ସେଥିରେ ସହାୟ ହୁଏ । ଦିନକୁ ଦିନ ପଢ଼ାରୁ ମନ ଛାଡ଼ି ନିଧିର ବାବୁଗିରି ଆଡ଼କୁ ମନ ଗଲା । ସେ ଯେତେବେଳେ ଛୁଟିରେ ଘରକୁ ଆସେ, ବଗିଚାମାଳି ତା’ର ମନ ଜାଣି କାମକରେ । ସେଭାବେ ଯେ, ବୁଢ଼ା ଅନ୍ତେ ଏ ବାବୁମାଲିକ ହେବେ । ଏହାଙ୍କର ମନ ନେଇଥିଲେ ତା’ର ଆୟର ସୁବିଧା ହେବ । ସେ ମାଳି ପାଖରେ ଯେଉଁ ସ୍ତ୍ରୀଲୋକ ଥିଲା, ସେ ମଧ୍ୟ ସେହିପରି ଭାବି ନିଧିର ଚରିତ୍ର କଳୁଷିତ କରିବାର ଉପାୟ ଉଦ୍ଭାବନ କଲା ।

Image

 

ନାଏବ ବାବୁ

ଷଡ଼ର୍ବିଂଶ ପରିଚ୍ଛେଦ

 

ପୂର୍ବରୁ ଚଳୁଥିବା ରୀତି, ନୀତି ଓ କୁଳାଚାର ଛାଡ଼ିବାକୁ ହିନ୍ଦୁଜାତି ଅତି କୁଣ୍ଠିତ । ପ୍ରଥମେ ପ୍ରଥମେ ଯେଉଁମାନେ ଇଂରାଜୀ ଶିକ୍ଷାକରିବାକୁ ଗଲେ, ସେମାନଙ୍କର ଆଚାର ବ୍ୟବହାର ଦେଖି ଅନ୍ୟମାନେ ନିଜ ନିଜ ଲୋକଙ୍କୁ ଇଂରାଜୀଶିକ୍ଷା ଦେବାକୁ ଇଚ୍ଛାକଲେ ନାହିଁ । କିଏ ଚୁଟି କାଟିଲା, କିଏ ଲୁଗା ପିନ୍ଧି ଖାଇଲା ଓ ଘର ପଦାର୍ଥ ଛୁଇଁଲା, କିଏ ଯୋତାମାଡ଼ି ଘର ଭିତରକୁ ଗଲା । କାହାର ଧର୍ମ ବିଶ୍ୱାସ ରହିଲା ନାହିଁ । ପୂର୍ବ କୁଳାଚାର ଭ୍ରମପୂର୍ଣ୍ଣ ଓ ନିରର୍ଥକ ବୋଲି କିଏ ଯୁକ୍ତିତର୍କ ଉଠାଇଲା-। ଏହା ଦେଖି ବୁଢ଼ାମାନେ କାବା ହେଉଥାନ୍ତି । ଇଂରାଜୀ ପଢ଼ିଲେ ଖିରସ୍ତାନ ହୋଇଯିବେ ବୋଲି ତାଙ୍କର ବିଶ୍ୱାସ ହେଲା । ଏଣୁ ଉଚ୍ଚଶିକ୍ଷା ଦେବାକୁ ଧନୀ ଓ କୁଳୀନ ଲୋକମାନେ ପ୍ରଥମେ ପ୍ରଥମେ ରାଜିହେଲେ ନାହିଁ । ଏହା ହେବା ସ୍ୱାଭାବିକ । ଯେତେବେଳେ ଦିନ ଯାଏ ଓ ରାତି ଆସେ କିମ୍ୱା ରାତି ଯାଏ ଓ ଦିନ ଆସେ, ତା’ ମଧ୍ୟରେ ଗୋଟିଏ ଦ୍ୱନ୍ଦ୍ୱ ସମୟ ଉପସ୍ଥିତ ହୁଏ, ସେଇଟା ସନ୍ଧ୍ୟା ବା କାଳୀ ଅନ୍ଧାରୀ ସମୟ । ସେତେବେଳେ ଲୋକକୁ ଝାପ୍‌ସା ଦେଖାଯାଏ । ପୁରାତନ ଛାଡ଼ି ନବୀନ ରୀତି ଅବଲମ୍ୱନ କରିବାକୁ ଗଲେ ଯେଉଁମାନେ ପୁରାତନ ରୀତିରେ ଅଛନ୍ତି ଓ ଯେଉଁମାନେ ନବୀନ ରୀତି ଗ୍ରହଣ କରୁଅଛନ୍ତି, ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱହେବାର କଥା । ଏହାସବୁ ଦେଶରେ ଓ ସବୁଜାତିରେ ଚାଲି ଆସିଅଛି ।

 

ନିଧି ଟିକିଏ ଗେହ୍ଲାରେ ବଢ଼ିଥିବାରୁ ଆଉ ଏକୁଟିଆ ଘରେ ସଦାବେଳେ ସ୍ତ୍ରୀଲୋକମାନଙ୍କ ସଙ୍ଗରେ ରହି ଗ୍ରାମର ସାଧାରଣ ପିଲାଙ୍କ ସଙ୍ଗରେ ମିଳାମିଶା କରି ନ ଥିବାରୁ ସେ ଟିକିଏ ଲାଜୁ କଥାଏ । ବେଶି ଯୁକ୍ତିତର୍କ କରିବାକୁ ସେ ଭଲ ପାଏ ନାହିଁ । ମାତ୍ର ତା’ର ବେଶଭୂଷା ଓ ଚାଲିଚଳଣ ଦେଖି ସମସ୍ତେ ଘୃଣା କରୁଥାନ୍ତି । ସ୍ନେହବଶରୁ ପିତା କିଛି କହିପାରନ୍ତି ନାହିଁ । ଘର ମଧ୍ୟରେ ଦାଣ୍ଡଲୁଗା ପିନ୍ଧି ଛୁଆଁଛୁଇଁ କଲେ କମଳା ଓ ସାବୀ ଆପତ୍ତି କରନ୍ତି, ମାତ୍ର ସେ ସେମାନଙ୍କ କଥାକୁ ଖାତର କରେନାହିଁ । କେବଳ ସାଧୁଆକୁ ସେ ବଡ଼ ଭୟ କରେ । ସେ ଖୁବ୍‌ ତୋଡ଼ କରି କହେ । ପିଲାଦିନରୁ ନିଧି ସାଧୁଆ ଚାକରକୁ ଡରନ୍ତି ।

 

ନିଧି-ମାତାଙ୍କର ମୃତ୍ୟୁ ପୂର୍ବରୁ ତାଙ୍କ ପାଖରେ କିଛି ପଇସାଥିଲା । ସ୍ୱାମୀଙ୍କୁ କହିଲେ ସେ ନିଧିକୁ ଦେବେ ନାହିଁ, ଏଣୁ ନିଧି ପିଲାଥିବାରୁ କମଳା ଓ ସାବୀ ଦୁଇଜଣଙ୍କ ଜିମାରେ ସେ ପଇସା ଦେଇ ଯାଇଥିଲେ । ସେ ସେମାନଙ୍କୁ ନିୟମ କରାଇଥିଲେ ଯେ, ସେ ମରିଗଲେ ଏ ପଇସା ନିଧି ପାଇଁ ଲୁଚାଇ ରଖିଥିବ । ସେ ବଡ଼ହେଲେ ତାକୁ ଦେବ । ସେ ଜାଣିବ ଯେ, ତା ବୋଉ ତା’ ପାଇଁ ଏତକ ରଖିଥିଲା, ଆଉ ତାଙ୍କୁ ଟିକିଏ ମନେ କରିବ ।

 

ବର୍ତ୍ତମାନ ନିଧି ବଡ଼ ହୋଇଗଲାଣି । କମଳା ଭାବିଲା, ମୁଁକାଳେ ମରିଯିବି । ପୁଅ କଟକରେ ପଢ଼ୁଛି, ତା’ ବାପ ହିସାବମତେ ପଇସା ଦେଉଥିବେ । ପୁଅର କେତେବେଳେ କ’ଣ ଖାଇବାକୁ କି ପିନ୍ଧିବାକୁ ଇଚ୍ଛାହେବ, ମୁଁ କିଛିକିଛି ତାକୁ ଏତେବେଳେ ଦେଲେ ଭଲ ହେବ । ଏହାଭାବି ସାବୀକୁ କହି ସେ ନିଧିକୁ କହିଲା । ନିଧି ଏହା ଶୁଣିବାରୁ ତା’ ମନ କୁଣ୍ଢେ ମୋଟ ହେଲା-। ସେ ଆସ୍ତେ ଆସ୍ତେ ସବୁ ପଇସା ଅପା ପାଖରୁ ଛାଣିନେଇ କଟକରେ ମଉଜରେ ରହିଲା-। ଏ ପଇସାଯାକ ତା’ ହାତରେ ପଡ଼ିବାରୁ ଆଉ ପାଠକୁ ମନ ଗଲା ନାହିଁ । କେହି ଗୋଟିଏ ଭଲ କାର୍ଯ୍ୟକରୁ, ତାକୁ ସଙ୍ଗୀ ସହଜରେ ଜୁଟିବେ ନାହିଁ, ମାତ୍ର ଖରାପ କାର୍ଯ୍ୟ ପାଇଁ ଅକ୍ଳେଶରେ ସଙ୍ଗୀ ଜୁଟନ୍ତି । ନିଧି ପାଖରେ ରହୁଥିବା ତା’ ଗ୍ରାମର ଆତ୍ମୀୟଲୋକଟି ହିସାବରେ ଅଜା ଲେଖାହୁଏ-। ତାକୁ ନିଧି ଆଦୌ ଖାତର କରେ ନାହିଁ । ସେ ମଧ୍ୟ ଭାବେ ଯେ, ନିଧି ମନ ଖରାପ କରିଦେଲେ ତା ଦାନା ବୁଡ଼ିବ । ଏଣୁ ନିଧି ମନ ତା’ପ୍ରତି ଯେପରି ଖୁସି ରହିବ, ସେ ସେହିପରି କାମ କରୁଥାଏ । ନିଧିକୁ ବସାରେ ଯେଉଁ ଶିକ୍ଷକ ପଢ଼ାନ୍ତି, ସେ ତା ଢଙ୍ଗ ଦେଖି ଆଉ ଆସିଲେ ନାହିଁ-। ନିଧି ନିଜ ପିତାଙ୍କୁ ପତ୍ର ଲେଖିଜଣାଇ ଦେଲା ଯେ, ତାର ଏଣିକି ଶିକ୍ଷକ ଆବଶ୍ୟକ ହେବେ ନାହିଁ–ସେ ନିଜେ ନିଜେ ପଢ଼ି ପାରିବ । ସେତେବେଳକୁ ସେ ବଡ଼ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥାଏ । ପୁଅର ପତ୍ର ପାଇ ନାଏବ ଅତିଖୁସି ହୋଇ ସେ ପତ୍ର ପଢ଼ି ସମସ୍ତଙ୍କୁ ଶୁଣାଇ ଦେଲେ । ପୁଅ କିପରି ସିଆଣିଆ ହେଲାଣି, ଏହା ସମସ୍ତଙ୍କୁ କହୁଥାନ୍ତି । ନାଏବଙ୍କର ଧନ ଦ୍ରବ୍ୟ ଓ ତାଙ୍କ ପୁତ୍ର ଇଂରାଜୀ ପାଠ ପଢ଼ିବା କଥା ଶୁଣି ଅନେକ ଲୋକ ବିବାହ ମେଳକ ପାଇଁ କୋଷ୍ଠୀ ପଠାଇଲେ ।

 

ସେତେବେଳକୁ ନିଧି ଗୋଟାକେତେ ଚଗଲା ପିଲାଙ୍କ ସଙ୍ଗରେ ପଡ଼ି ସକଳ ପ୍ରକାର କୁଅଭ୍ୟାସରେ ଅଭ୍ୟସ୍ତ ହେଲେଣି । କେଉଁ ଦିନ ଥିଏଟର ଦେଖିବା, କେଉଁ ଦିନ ଭୋଜିକରିବା, କେଉଁ ଦିନ ଆଖଡ଼ା ଦେଖିବା ଏବଂ କେଉଁ ଦିନ ଝୁଲଣ ପ୍ରଭୃତି ମଉଜରେ ମାତିବା ଭିନ୍ନ ଅନ୍ୟ କାମ ନ ଥାଏ । ଚାରି ଦିନରେ ଦିନେ ସ୍କୁଲକୁ ଗଲେବଡ଼ । ଜରିମାନା ପ୍ରଭୃତି ଦେବାକୁ ପଇସାର ଅଭାବ ନ ଥାଏ । ପ୍ରତ୍ୟେକ ଛୁଟିରେ ଗ୍ରାମକୁ ଯାଇ ଅପା ପାଖରୁ ତା’ ବୋଉ ଗଚ୍ଛିତ ପଇସାରୁ କିଛି ନେଇଆସେ । କ୍ରମେକ୍ରମେ ଭାଙ୍ଗରୁ ଆରମ୍ଭ କରି ତାହାର ସୁରାପାନରେ ମନ ମଜ୍ଜି ଗଲାଣି । ତା’ ସଙ୍ଗେ ବେଶ୍ୟାଳୟ ମଧ୍ୟ ବାକି ରହି ନଥାଏ । ସେ ସମୟରେ ଦିନକୁ ଦିନ ନୂଆ ନୂଆଫେସନ ବାହାରୁଥାଏ । ବାଳଛଟା ଫିରାଇକଟା, କୋଟକୁରୁତା, ଧୋତି ଚଦର, ଯୋତା, ପେନ୍‌ସିଲ ଓ କଲମ ପ୍ରଭୃତି ନୂଆ ନୂଆ କିସମରେ ବଜାରରେ ଜମା ହେଉଥାଏ ଓ ଚଳୁଥାଏ । ଗୋଟିଏ ପିଲାର ଗୋଟିଏ କଥା ନୂଆ ଦେଖିଲେ ଅନ୍ୟମାନେ ଅନଳରେ ପତଙ୍ଗ ପଡ଼ିଲା ପରି ତହିଁରେ ମାତି ଯାନ୍ତି । ପୁରୁଣା ପଦାର୍ଥ ନଷ୍ଟ ହୋଇ ନଥିଲେ ପିତାମାତା ପଇସା ଦେବେ ନାହିଁ ବୋଲି ତାକୁ ନିଜେ ନଷ୍ଟ କରିଦେଇ ତା ବଦଳରେ ନୂଆ କିସମର ପଦାର୍ଥ କିଣନ୍ତି । ସେତେବେଳକୁ ମାମଲା ମକଦ୍ଦମାରେ ଲୋକେ ମାତି ଗଲେଣି । ନିଧି ଗ୍ରାମରୁ ପ୍ରାୟ ପ୍ରତିମାସରେ ଲୋକ ମାମଲା ମକଦ୍ଦମା ପାଇଁ କଟକ ଯିବା ଆସିବା କରନ୍ତି, ଆଉ ମଧ୍ୟ ରାସ୍ତା ଓ ନାଳ ଫିଟି ଯିବାରୁ ବ୍ୟବସାୟ ବାଣିଜ୍ୟ ଖୋଲିଗଲାଣି । ନାଏବବାବୁଙ୍କ କୂଟନୀତି ବଳରେ ସେ ପାଞ୍ଚକୋଶ ମଧ୍ୟରେ କେହି ଜଣେ ମହାଜନ ସାଉ ଖାତକି କାରବାରରେ ଉଧେଇ ପାରୁ ନଥିଲେ । ମାତ୍ର ବ୍ୟବସାୟ ବାଣିଜ୍ୟରେ ତାଙ୍କ କୂଟନୀତି ଚଳି ପାରେନାହିଁ । ପୂର୍ବରେ ଦଶଖଣ୍ଡ ଗ୍ରାମରେ ଖଣ୍ଡେ ଦୋକାନ ଥିଲା । ସେତେବେଳକୁ ଗ୍ରାମେଗ୍ରାମେ ଦୋକାନ ବସିଗଲାଣି । ବ୍ୟବସାୟ ବାଣିଜ୍ୟ ଉଦ୍ଦେଶ୍ୟରେ ମଧ୍ୟ ପ୍ରତିମାସରେ ଲୋକେ କଟକ ଯିବା ଆସିବା କଲେଣି । ନାଏବଙ୍କ ଗ୍ରାମରୁ ଯେ ଲୋକ କଟକ ଯାଏ, ନିଧିକୁ ଦେଖି ଆସିବାକୁ ସେ ତାକୁ କହିଥାନ୍ତି । ଆଉ ମଧ୍ୟ ଭଲ ମନ୍ଦ ପଦାର୍ଥ ସେମାନଙ୍କ ହସ୍ତରେ ପଠାଇ ଦିଅନ୍ତି । ସେମାନେ ନିଧିରଢଙ୍ଗ ଦେଖି ନାଏବଙ୍କ ଆଗରେ ନାନା କଥା କହନ୍ତି; ମାତ୍ର ନାଏବ ଭାବନ୍ତି ଯେ, ଏଗୁଡ଼ାକ ବୁଝି ନପାରି ହେଉ ବା ଈର୍ଷାଭାବରେ ହେଉ ଏପରି କହୁଅଛନ୍ତି । ସେମାନଙ୍କ କଥାକୁ ସେ ଆଦୌ ବିଶ୍ୱାସ କରନ୍ତି ନାହିଁ । ଦିନେ ସକାଳେ ନାଏବ ଚଉପାଢ଼ୀ ଘରେ ବସିଅଛନ୍ତି । ପିଆଦାମାନେ ବାକିଦାର ଖାତକମାନଙ୍କୁ ଧରି ଓଗାଳି ଦେଉଅଛନ୍ତି । ଯେଉଁମାନେ ଗାଲୁଆ, ସେମାନଙ୍କ ମଧ୍ୟରୁ କିଏ ହାତ ଉପରକୁ ଟେକି ଛିଡ଼ା ହୋଇଅଛି, କିଏମୁଣ୍ଡ ନୂଆଇଁ ଟିପ ଭୂମିରେ ଲଗାଇଅଛି । ଯେଉଁମାନେ କାଇଲି ଲୋକ, ସେମାନେ ଆଉ ଦିନାବେଳେ ସମୟ ପାଇବାକୁ ବା କିଛିଛାଡ଼ି ଦେବାକୁ ହାତଯୋଡ଼ି ଦଣ୍ଡ ପ୍ରଣାମକଲା ପରି ଭୂମିରେ ପଡ଼ିଅଛନ୍ତି । କାହାର ମୂଲିଆ କାମ ନକରି ବୁଲୁଥିବାରୁ ସେ ଆସି ପିଆଦା ଖର୍ଚ୍ଚ ରଖିଦେଇ ସେ ମୂଲିଆକୁ ଧରିଆଣି ଧମକାଇ ଦେବାକୁ ଗୁହାରି କରୁଅଛି । କାହାର ପୁଅବୋହୂ ଖାଇବାକୁ ନ ଦେବାରୁ କେତେ ବୁଢ଼ାବୁଢ଼ୀ ଆସି ଅନୁସରଣ କରୁଅଛନ୍ତି । କାହାର ଭାଇଭାଗ ନ ଦେବାରୁ ସେ ଆସି ଅନୁସରଣ କରି ତା’ କଥା ବୁଝିବାକୁ ପ୍ରାର୍ଥନା କରୁଅଛି । କାହାର କ୍ଷେତ କିଏ ଗୋରୁ ଖୁଆଇ ଦେଇଅଛି, କାହାର ବିଲ କିଏ ବଳପୂର୍ବକ ଚାଷ କରିଅଛି । ଏହିପରି ନାନା ପ୍ରକାର ମକଦ୍ଦମା ସବୁ ପଡ଼ିଅଛି । ଗୁମାସ୍ତାମାନେ କାଗଜପତ୍ର ମେଲାଇ ବସିଅଛନ୍ତି । ପିଆଦାମାନେ ଯମଦୂତ ପରି ଲମ୍ୱାଲମ୍ୱା ଠେଙ୍ଗାମାନ ଧରି ହୁକୁମକୁ ଟାକି ଛିଡ଼ା ହୋଇଅଛନ୍ତି । ମୁହଁରୁ ଆଦେଶ ବାହାରିବାମାତ୍ରେ ତାହା କାର୍ଯ୍ୟରେ ପରିଣତ ହେଉଅଛି–କାହାଗାଲରେ ଚାପୁଡ଼ା ବସିଅଛି, କାହାର କାନମୋଡ଼ା ଯାଉଅଛି, କାହାର ବେକ ଓହଳାଇ ଓଗାଳ ଦିଆ ଯାଉଅଛି । ଗ୍ରାମର ପୁରୁଖା ନିଶାପ ଜାଣିବାଲୋକ, ଯେ ପାଞ୍ଚକଥା କହି ଅନ୍ୟକୁ କାଇଲି କରିପାରନ୍ତି, ସେମାନେ ବସି ନିଶାପ କରୁଅଛନ୍ତି । ଏହି ସମୟରେ ଡାକବାଲା ଆସି ଖଣ୍ଡିଏ ଚିଠି ନାଏବବାବୁଙ୍କୁ ଦେଲା । ସେଚିଠି ଖୋଲି ପଢ଼ି, ଦଣ୍ଡେ ଘଡ଼ିଏ ଉପରକୁ ଚାହିଁ ବସିଗଲେ । ସମସ୍ତେ ତାଙ୍କ ଭାବଭଙ୍ଗୀ ଦେଖି ଅବାକ୍‌ ହେଉଥାନ୍ତି । କିଏ ଭାବେ, କ’ଣ ନିଧି ଦେହ ଅସୁଖ ହେଲାକି ? ଜଣେ ପଚାରିଲା, ‘‘ବାବୁ କି ଚିଠି ଆସିଛି ? ନିଧିଙ୍କ ଦେହ ଭଲ ଅଛି ତ ?’’ ନାଏବ କହିଲେ, ‘‘ନା ସେ କଥା ନୁହେଁ । ଓକିଲବାବୁ ଗୋଟିଏ ମକଦମା କଥା ଲେଖିଅଛନ୍ତି । ସେ ଚିଠି ପଢ଼ି ମୋ ମନ ଆଉ କାହିଁରେ ଲାଗୁ ନାହିଁ ।’’ ସାଧୁ ବାରିକ ଆସି ତେଲଗିନାଧରି ପହଞ୍ଚିଗଲାଣି । ପ୍ରତିଦିନ ସେ ତେଲ ମର୍ଦନ କରୁଁକରୁଁ ଘଣ୍ଟାଏ ବିତିଯାଏ । ସେହି ସମୟରେ ସବୁ ମକଦମାର ରାୟ ମୁହେଁମୁହେଁ ଦିଆଯାଏ । ସାଧୁ ବାରିକର ମର୍ଦନ ତାଙ୍କ ସଙ୍ଗେ ସଙ୍ଗେ ତାଙ୍କ ମୁଖରୁ ଗୋଟିଏ ଗୋଟିଏ ମକଦ୍ଦମାର ଶେଷ ଆଦେଶ ବାହାରୁଥାଏ । ଆଜି ସାଧୁଆ ମର୍ଦନ ପାଇଁ ସଜ ହେଲାବେଳକୁ ତାକୁ ଟିକିଏ ରଖାଇ ଦେଲେ; ଶୀଘ୍ର ମକଦମା ସବୁ ନିଷ୍ପତ୍ତି କରିଦେଲେ, କେତେକ ବିଷୟ ପର ଦିନକୁ ବାକି ରଖିଦେଲେ । ସମସ୍ତଙ୍କୁ ସତ୍ୱର ବିଦାୟ କରିଦେବାକୁ ଲାଗିଲେ-। ମାତ୍ର ସମସ୍ତେ ପ୍ରତିଦିନ ତେଲ ମର୍ଦ୍ଦନ ଶେଷ ପର୍ଯ୍ୟନ୍ତ ରହନ୍ତି, ଆପଣା ଆପଣା ଦୁଃଖହାଲ ଜଣାନ୍ତି । ତାଙ୍କ ମନରଭାବ ବୁଝି ଗୁମାସ୍ତାମାନେ ଓ ଗ୍ରାମର ଭଦ୍ରଲୋକମାନେ ଉଠିଗଲେ, ମାତ୍ର ଅନୁସରଣିଆମାନେ ଯାଉ ନଥାନ୍ତି । ଶେଷରେ ସେ ବିରକ୍ତ ହୋଇ କହିଲେ, ‘‘ଆରେ, ତୁମେମାନେ ଏକ୍ଷଣି ଯାଅ । ଗୋଟାଏ ଚିଠି ପାଇ ମୋ ମନ ଭଲ ନାହିଁ । ଉପରବେଳା ଆସିବ, ନୋହିଲେ କାଲି ସକାଳେ ଆସିବ ।’’ ସମସ୍ତଙ୍କୁ ବିଦାୟ କରିଦେବା ପରେ ସାଧୁଆ ତେଲ ଲଗାଇ ଦେବାକୁ ବସିଲା । ଗୋଡ଼ ଆଙ୍ଗୁଠି ସବୁ ଫୁଟାଇ ଜଙ୍ଘରେ ଦୁଇଚାରିଟା ଚାପୁଡ଼ା ଦେଇ ପଚାରିଲା, ‘‘ସାଆନ୍ତେ, କି ଚିଠି ଆସିଛି ? ହଜୁରଙ୍କ ମନ ବଡ଼ ବିରସ କାହିଁକି ?’’

 

ନାଏବ–ଆରେ କ’ଣ କହିବି, ସତ୍ୟାନାଶ କଥା ଈଶ୍ୱର ଆଣି ପହଞ୍ଚାଇଲେଣି । ଓକିଲବାବୁ ଚିଠି ଲେଖିଛନ୍ତି, ନିଧି ମଦ ଖାଇ ବେଶ୍ୟାଘରେ ପଶୁଛି, ସ୍କୁଲକୁ ଯାଉ ନାହିଁ । ଆଉ ମଧ୍ୟ ତାକୁ କଟକରୁ ନେଇ ଆସିବାକୁ ଲେଖିଅଛନ୍ତି ।

 

ସାଧୁଆ–ଓହୋ ! ସାନ୍ତେ, କଥା ତ ସରିଗଲା, ଶୀଘ୍ର କଟକ ଯାଇ ତାଙ୍କୁ ନେଇ ଆସନ୍ତୁ-

 

ନାଏବ–ଏ କଥା କାହାରି ଆଗରେ କହିବୁ ନାହିଁ ?

 

ସାଧୁଆ–ନା ସାଆନ୍ତେ, ମୁଁ କ’ଣ ଏ କଥା କହିବାକୁ ଯିବି ? ଆଜ୍ଞା, ନିଧି ଛୁଟିରେ ଘରକୁ ଆସନ୍ତି, ତାଙ୍କ ଢଙ୍ଗ ଦେଖି ମୁଁ ବି ଜାଣିଛି, ସେ ମନୁଷ୍ୟ ହେବେ ନାହିଁ । ଆପଣ ଅକାରଣେ ତାଙ୍କୁ କଟକ ପଠାଇଲେ । ପିଲାଲୋକ, ବଡ଼ଘର ପୁଅ–ଗେହ୍ଲାରେ ବଢ଼ିଥିଲେ । କଟକର ରଙ୍ଗଢଙ୍ଗ ଦେଖି ସେ ସମ୍ଭାଳି ହୁଅନ୍ତେ ! ପୁଣି ଏ ବୟସରେ ପଇସାହାତରେ ପଡ଼ିଲେ ଲୋକର ଠିକ୍‌ ରହେ-?

 

ନାଏବ–ଆରେ, ମୁଁ ତ ହିସାବମୁତାବକ ପଇସା ତାକୁ ଦିଏଁ । ବଡ଼ବଡ଼ ଖର୍ଚ୍ଚ ପାଇଁ ଓକିଲବାବୁଙ୍କୁ ଟଙ୍କା ଦେଇଥାଏଁ । ସେ ପଇସା କାହୁଁ ପାଇଲା ? ବୋଧହୁଏ, କୌଣସି ବଡ଼ ଘରର ଚଗଲା ପିଲାଙ୍କ ସଙ୍ଗେ ସାଙ୍ଗହୋଇ ଏପରି କରୁଛି । କ’ଣ କରିବା, ଆମ କପାଳ, କିଏ ଆନ କରିବ ? ଗଲାକଥା ଆଉ ଭାବିଲେ କଅଣ ହେବ ! ତାକୁ ଶୀଘ୍ର କଟକରୁ ଘେନି ଆସିବା ।

 

ସାଧୁଆ–ଆଜ୍ଞା, ଆପଣ ଯେତେଶୀଘ୍ର ପାରନ୍ତି, ତାଙ୍କୁ ନେଇ ଆସନ୍ତୁ, ଆଉଶୀଘ୍ର ବିବାହ କରିଦିଅନ୍ତୁ । ଏଠାରେ କ’ଣ କରିବେ, ଆପଣଙ୍କ କଥା ଛାଡ଼ନ୍ତୁ, ସେ ତ ମୋ ପାଖରେ ଭରସି ପାରନ୍ତି ନାହିଁ । ବଡ଼ ଡରକୁଳା ଆଉ ଲାଜୁଆ ପିଲା । ଓହୋ ! କିଏ ତାଙ୍କୁ ଏପରି ଭୁଲାଇ ଦେଲା ! ବୁରୁନ୍ଦିସାନ୍ତ ପାଖରେ ଅଛନ୍ତି । ସେ ଆକଟ କଲେ ନାହିଁ, କି ଖବର ଦେଲେ ନାହିଁ ?

 

ନାଏବ–ଆରେ, ସେଗୁଡ଼ାକ ତ ଭାତୁଆ ଲୋକ, ତାଙ୍କୁ ଲଗା ଅଛି ? ମୁଁ ନିଜେଭୁଲ୍‌ କରିଛି, କାହାକୁ କହିବି ? ଓକିଲ ଯେପରି କହୁଥିଲେ, ସେପରି ରଖାଇଥିଲେ ଭଲ ହୋଇଥାନ୍ତା । ନୋହିଲେ ଆଦୌ ନ ପଠାଇଥିଲେ ଭଲ ହୋଇଥାନ୍ତା ।

 

ସାଧୁଆ–ଆଜ୍ଞା, ସେ କଥା ଆଉଭାବିଲେ କଅଣ ହେବ ? ଯାହାହେବାର ହେଲାଣି, ଏବେ ଶୀଘ୍ର ତାଙ୍କୁନେଇ ଆସନ୍ତୁ ।

 

ନାଏବ–ଏଥିରେ ଆଉ ହେଳା ଅଛି ? ଏଠାକାର ଧନ୍ଦା ଦିନେ ଦୁଇ ଦିନ ମଧ୍ୟରେ ଛିଣ୍ଡାଇ ଦେଇ ଚାଲିଯିବି । ଆରେ, କାହିଁକି ବିଶ୍ୱାସ ହେଉ ନାହିଁ-ଓକିଲବାବୁ କାହାଠାରୁ ଶୁଣି ଲେଖିଥାନ୍ତୁ, ନୋହିଲେ ସେ ଭଲ ପଢ଼ିବା ଦେଖିକାଳେ ଜଣେ ବଡ଼ଲୋକ ହେବ, ତାଙ୍କର ମହକିଲ ନ ହେବ, ଏପରି ଭାବି ତା’ ପାଠପଢ଼ା ବନ୍ଦ କରିଦେବାକୁ ଏପରି ଲେଖିଥାନ୍ତୁ ।

 

ସାଧୁଆ–ନା ଆଜ୍ଞା, ମୋର ତ ବିଶ୍ୱାସ ହେଉଛି । ଯେଉଁଗୁଡ଼ାକ ମଉନମୁହାଁ, ଚୋରମୁହାଁ, ଘରପଶା, ସେଗୁଡ଼ାକ ସେହିପରି ଖରାପ ହୁଅନ୍ତି । ମୁଁ ତାଙ୍କ ଢଙ୍ଗ ଦେଖି ଠଉରାଇଛି, ସେ ସେହିପରି ହେବେ ।

 

ନାଏବ–ଆଚ୍ଛା, ଏଥର ମୁଁ ଖବର ଦେଇ ଯିବିନାହିଁ । ସନ୍ଧ୍ୟା ପରେ ଯାଇ ବସାରେ ପହଞ୍ଚିବି, ତାହାହେଲେ ପାଠ ପଢ଼ୁଛି କି ନାହିଁ କି କୁଆଡ଼େ ବୁଲୁଛି ବା ଆଉ କଅଣ କରୁଛି, ଜଣାପଡ଼ିବ ।

 

ସାଧୁଆ–ଆଜ୍ଞା, ଭଲ ହେବ ।

 

ସାଧୁଆ ମନେ ମନେ ଭାବିଲା, ଯାହା ମନ ଯେପରି, ସେ ଜଗତକୁ ସେହିପରି ଦେଖେ-। ଇଏ ତ ଜଗତରେ କାହାକୁ ବିଶ୍ୱାସ କରନ୍ତି ନାହିଁ । ତେଣୁ ସମସ୍ତଙ୍କ କଥାକୁ ଅବିଶ୍ୱାସ । ଏ ମଧ୍ୟରେ କେତେଲୋକ କେତେ କଥା କହିଲେ, କାହାରି କଥା ମନକୁ ଆସୁ ନାହିଁ । ହଉ, ନିଜେ ଦେଖିଲେ ଜାଣିବେ ଯେ ।

 

ନାଏବସ୍ନାନ ସାରି ପୂଜାରେ ବସିଲେ, ମାତ୍ର ମନ ଓକିଲଙ୍କ ଚିଠି ବିଷୟରେ ଘୂରିଲା । ପୂଜାସାରି ଭୋଜନରେ ବସିଲେ, ମାତ୍ରଖାଇ ପାରିଲେ ନାହିଁ । ଶୋଇବାକୁ ଯାଇ ପୁଣିଥରେ ସେ ଚିଠି ପଢ଼ିଲେ, ନିଦ ହେଲା ନାହିଁ । କେଉଁ ଦିନ କଟକ ଯିବେ, କି କି ଧନ୍ଦା ଛିଣ୍ଡାଇବେ, କି କି କାମ ବରାଦ ଦେଇ ଯିବେ, ଏହି କଥାମାନ ସେ ଭାବୁଥାନ୍ତି । ନାଏବବାବୁ ଭାତ ନଖାଇ ଛାଡ଼ି ଯିବାରୁ ସାବୀ ଓ କମଳା କଥାବାର୍ତ୍ତା ହେଲେ, ଆଜି କାହିଁକି ମନ ଶୁଖିଯାଇଛି, ଆଦୌ ଖାଇ ନାହାନ୍ତି । ସାଧୁଆକୁ ପଚାରିଲେ ଜଣାପଡ଼ିବ ବୋଲି ସାବୀ କହିଲା । କମଳା ସାଧୁଆକୁ ଭାତ ଦେଲାବେଳେ ସବୁକଥା ପଚାରିବୁଝିଲା । ପରେ ସାବୀକୁ କହିଲା, ‘‘ଆଲୋ, ଏ ପଇସା ତାହାତରେ ପଡ଼ିବାରୁ ଏପରି ହେଲାକି ?’’ ସାବୀ କହିଲା, ‘‘ହେଇଥିବ । ମୁଁ ପରା ମନା କରୁଥିଲି, ଆଉ ଦିନାକେତେ ଯାଉ, ଦବ ।’’ କମଳା କହିଲା, ‘‘ତୋତେ ମୋ ରାଣ, ଠାକୁରଙ୍କ ରାଣ, ତୁ ଏ କଥା ଭାଇକୁ କହିବୁ ନାହିଁଟି ।’’ ସାବୀ କହିଲା, ‘‘ଆଲୋ ମା, ସେ ଯେଉଁଲୋକ, ତୁମକୁ ଆଉ ବାକି ରଖିବେ ନା ମତେ ବାକି ରଖିବେ ।’’ ନାଏବବାବୁ ଶୋଇ ନ ପାରି ଚାକରଗୁମାସ୍ତାଙ୍କୁ ଡାକି କଟକ ଯିବା କଥା କହିଲେ-। ଯାହାକୁ ଯାହା କରିବାକୁ ହେବ, ତାକୁ ତାହା ବରାଦ ଦେଲେ ଏବଂ କଟକ ଯିବାର ସମସ୍ତ ଆୟୋଜନ କଲେ ।

Image

 

ସପ୍ତବିଂଶ ପରିଚ୍ଛେଦ

 

ସ୍କୁଲପଢ଼ୁଆ ପିଲାଙ୍କର ଶନିବାର ଦିନଟି ବଡ଼ ଆନନ୍ଦର ଦିନ–ଅଧା ସ୍କୁଲ, ପୁଣି ପରଦିନ ବନ୍ଦ । ରବିବାର ଉପରବେଳାଠାରୁ ସୋମବାର ପଢ଼ା ପାଇଁ ଟିକିଏ ଚିନ୍ତା ଆସେ । ମାତ୍ର ଶନିବାର ସ୍କୁଲ ଛୁଟିବେଳକୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଚଗଲା ପିଲାମାନେ ଖେଳକୌତୁକରେ କଟାଇବାକୁ ବଡ଼ ଆନନ୍ଦ ବୋଧ କରନ୍ତି । ଦୟାନିଧି ଅଧିକାଂଶ ଦିନ ସ୍କୁଲରେ ଉପସ୍ଥିତ ହୁଅନ୍ତି ନାହିଁ, ମାତ୍ର ପ୍ରତ୍ୟେକ ଶନିବାର ଦିନ ସ୍କୁଲକୁ ଯାନ୍ତି । ଦିନେ ଶନିବାର ହୋଇଛି । ସ୍କୁଲ ଛୁଟି ପରେ ସାଙ୍ଗ ଦୁଇଜଣଙ୍କ ସଙ୍ଗେ ପରାମର୍ଶ କରି ରାତିରେ କିପରି ମଉଜ କରିବେ, ସେ ତାହାର ବନ୍ଦୋବସ୍ତ କଲେ । ସନ୍ଧ୍ୟା ପୂର୍ବରୁ ନିଧି ପାଖରେ ଥିବା ବୃନ୍ଦାବନ ମହାନ୍ତିଙ୍କୁ (ଯେ ତାଙ୍କର ଅଜା ଲେଖାହୁଏ) କହିଲେ, ‘‘ମୁଁ ଆଜି ଖାଇବି ନାହିଁ । ମତେ ଜଣେ ନିମନ୍ତ୍ରଣ କରିଛି । ତୁମେ ଖାଇକବାଟ ଦେଇ ଶୋଇଥିବ, ମୋର ଆସୁ ଆସୁ ବିଳମ୍ୱ ହେବ ।’’ ସନ୍ଧ୍ୟାବେଳକୁ ତାଙ୍କର ସାଙ୍ଗ ଦୁଇ ଜଣ ତାଙ୍କୁ ଡାକି ନେଇଗଲେ । ସେହିଦିନ ସନ୍ଧ୍ୟା ପରେ ନାଏବବାବୁ ଯାଇ ପହଞ୍ଚିଲେ; ନିଧିକୁ ନ ଦେଖି ବୃନ୍ଦାବନଙ୍କୁ ପଚାରି ସବୁ ହାଲ ବୁଝିଲେ । ବୃନ୍ଦାବନ କହିଲେ, ‘‘ସେ ପାଠରେ ମନ ଦେଉ ନାହିଁ, ଚଗଲା ହେଉଛି ।’’ ନାଏବବାବୁ କହିଲେ, ‘‘ଆରେ ଚଗଲା ହେଉଛି କ’ଣ ଫିଟାଇ କରି କହ । ତତେ ସଙ୍ଗରେ ପଠାଇଥିଲି କାହିଁକି ?’’ ସେକହିଲେ, ‘‘ଆଜିକାଲି ଟୋକା କ’ଣ ମାନୁଛନ୍ତି !’’

ନାଏବ–ଆଚ୍ଛାହଉ, ସତକରି କହ, ସେ କ’ଣ ମଦ ଖାଉଛି ?

ବୃନ୍ଦାବନ–ମୋ ଆଗରେ କେବେ ମଦ ଖାଇ ନାହିଁକି ମୁଁ ଦେଖିନାହିଁ, ମାତ୍ର ଆଜିପରି ଶନିବାରିଆ ଦେଖି ଏହିପରି ବୁଲିଯାଏ, ବହୁତ ରାତିରେ ଆସେ । ଫେରିଲାବେଳେ ନିଶାଖିଆଲୋକ ପରିକଥା କହେ ।

ନାଏମ–ତୁ ଏ କଥା ମତେ ଲେଖିନାହୁଁ କାହିଁକି ?

 

ବୃନ୍ଦାବନ–ମୁଁ ତ କାଗଜରେ ଲେଖିଜାଣେ ନାହିଁ । ଗାଁରୁ ଯେ ଲୋକ ଆସନ୍ତି, ତାଙ୍କ ହାତରେ ଖବର ଦିଏଁ, ତୁମେ କୁଆଡ଼େ ସେ କଥାକୁ ବିଶ୍ୱାସକର ନାହିଁ । ଏଣୁ ଛୁଟିରେ ଗଲାବେଳେ ମୁଁ ଡରି ତୁମକୁ କିଛି କହେନାହିଁ ।

 

ନାଏବ–ଓଲୁ କାହାକା, କଟକରେ ଭଲ ମନ୍ଦ ପେଟେ ଖାଇ ବସିଥା, ତୋର ଯାଏ କେତେ ଆସେ କେତେ । ଆଚ୍ଛା, ସେ ପଇସା କୁଆଡ଼ୁ ଆଣେ ?

 

ବୃନ୍ଦାବନ–ମୁଁ ସେକଥା କହିପାରିବି ନାହିଁ । ଛୁଟିରୁ ଯେତେବେଳେ ଏଠାକୁ ଆସେ, ଖୁବ୍‌ ଖର୍ଚ୍ଚକରେ ।

 

ନାଏବବାବୁ ଟିକିଏ ତୁନିହୋଇ ଉପରକୁ ଚାହିଁ ବସିଗଲେ । ମନେ ମନେ ଭାବିଲେ, ଗାଁରୁ ପଇସା କୁଆଡ଼ୁ ପାଇଲା, ଘର ଚାବି ତ ମୋ ପାଖରେ ଥାଏ । କେବେ ସିନ୍ଧୁକ କି ବାକ୍‌ସ ଖୋଲି ମୁଁ କୁଆଡ଼େ ଯାଏ ନାହିଁ । ତା’ ବୋଉ ତ ଅନେକ ଦିନରୁ ମଲାଣି । ତାକୁ ପଇସା କିଏ ଦିଏ-? ଆଉ କ’ଣ ଗୁମାସ୍ତାମାନେ ପଇସା ଦିଅନ୍ତି । ଏହିପରି ନାନା କଥା ଭାବି ବୃନ୍ଦାବନକୁ ରୋଷାଇ ପାଇଁ ବରାଦ ଦେଲେ । ଦାଣ୍ଡକ ବାଟକୁ କିଳି ଦେଇ ବୃନ୍ଦାବନ କୁକହିଲେ, ‘‘ନିଧି ଆସିଡାକିଲେ ତୁ କବାଟ ଫିଟାଇବୁ ନାହିଁ । ମୁଁ ଯାଇ ଫିଟାଇ ଦେବି । ମୋତେ ନିଦ ହୋଇଥିଲେ ଚୁପ୍‌ କରି ଉଠାଇଦେବୁ ।’’

 

ରନ୍ଧାବଢ଼ା ହେଲା । ସେ ଖାଇ ଶୋଇ ଅଛନ୍ତି, ତାଙ୍କ ସଙ୍ଗରେ ଯେ ବାରିକ ଆସିଅଛି ସେ ଘଷି ଦେଉଅଛି–ରାତି ପ୍ରାୟ ୧୨ଟାବେଳ ହେବ, ଗୋଟାଏ ଘୋଡ଼ାଗାଡ଼ି ବସା ଆଡ଼କୁ ଆସିବାର ଶବ୍ଦ ହେଲା । କିଛିକ୍ଷଣ ପରେ ନିଧି କବାଟରେ ଦୁଲ୍‌ କରି ଗୋଇଠାଏ ମାରି’ ଅଜା ଆ’ ଲମ୍ୱାସ୍ୱରରେ ଡାକ ଦେଲା ।

 

ନାଏବବାବୁ ଚୁପ୍‌ କରି ଆସି କବାଟ ପାଖରେ ଛିଡ଼ାହୋଇ ଗଲେ । ଏହି ସମୟରେ ଗାଡ଼ିବାଲା ଆସି ବକ୍‌ସିସ୍‌ ପାଇଁ ନିଧିକୁ ଅଳିଲଗାଇଲା–‘‘ବାବୁ, କେତାବାବୁ ହାମ୍‌ ଗାଡ଼ିମେ ଲେତେ ହେଁ, ମଗର ଆପ୍‌କା ମାଫିକ୍‌ ବଡ଼ାମିଜାଜ୍‌ ହାମ୍‌ କିସିକା ନେହି ଦେଖାହୁଏ । ବଡ଼ା ଆଦିମ୍‌ କା ବେଟା କା ବାତ୍‌ ଦୁସୁରା ହେ ବାବୁ, ଆଠଅଣା ପଇସା ମିଲ୍‌ଯାଏ ।’’ ନିଧି ଗୋଟାଏ ସୁକିକି ଅଧୁଲି ଯାହା ହାତରେ ପଡ଼ିଲା, ତାହା ଗାଡ଼ିବାଲା ହାତକୁ ପକାଇ ଦେଲେ । ସେସଲାମଟାଏ ଠୁଙ୍କି ଗାଡ଼ି ଘଡ଼ଘଡ଼ କରି ଫେରିଲା । ନିଧି କବାଟରେ ଆଉ ଗୋଟାଏ ଧକା ଦେଇ ଡାକିଲେ–‘‘ଏ, ଏ, ଶଳା ଅଜା ଉଠ ତ !’’ ନାଏବବାବୁ ନିଧିରସ୍ୱର ଓ ଭାବଭଙ୍ଗିରୁ ସେ ଢୋଲେ ମଦ ପିଇ ଆସିଥିବାର ସମ୍ପୂର୍ଣ୍ଣ ବିଶ୍ୱାସକଲେ । ନିଧି ନିଶାରେ ଚୁର, ତାର କେବଳ ଅଜାଉପରେ ଧ୍ୟାନ ରହିଛି । କାନ୍ଥ ଓ କବାଟ ଫିଟାଇ ଦେଲାମାତ୍ରେ ତାଙ୍କୁ ସେ କିଟିକାଟିଆ କରି କୁଣ୍ଢାଇ କହୁଥାଏ–‘‘ଶାଳା ଅଜା, ନିଦ ଭାଙ୍ଗୁ ନାହିଁ, ଉଁଉଁଉଁଉଁଉଁ । ଅତର ବାସନା ମହକି ପଡ଼ୁଛି । ନାଏବବାବୁ’ ଦାରୁଭୂତୋ ମୂରାରି’ ହୋଇ ଛିଡ଼ା ହୋଇଅଛନ୍ତି । ବୃନ୍ଦାବନ ଦୌଡ଼ି ଆସି ନିଧି ହାତକୁ ଛଡ଼ାଇ କହିଲା–‘‘ବାପା ପରା, ସାନ୍ତ ପରା !’’ ନିଧିର ଟିକିଏ ଚେତା ହେଲା । ମାତ୍ର ତା ଗୋଡ଼ ଥୟ ହେଉ ନଥାଏ । ଉପରକୁ ମୁହଁଟେକି ଚାହିଁଲାବେଳକୁ ନାଏବ କଷିକରି ପାଞ୍ଚଆଙ୍ଗୁଳିଆ ଚାପୁଡ଼ାଏ ତା ଗାଲରେ ବସାଇ ଦେଇ କହିଲେ–‘‘ବଦମାସ୍‌, ଏଇଆ କରିବାକୁ ଏଠିକି ଆସିଥିଲୁ ? କୁଳାଙ୍ଗାର !’’ ନିଧି ଗାଲରେ ସେ ଚାପୁଡ଼ା ବସିବାମାତ୍ରେ ସେ ଭୟରେ ବେହୋଷ ହୋଇ ତଳେ ପଡ଼ିଗଲା ।

 

ନାଏବ ରାଗରେ ଯାଇ ବିଛଣାରେ ଶୋଇ ଆକାଶ ପାତାଳଭାବିବାକୁ ଲାଗିଲେ । ବୃନ୍ଦାବନ ଓ ବାରିକ ନିଧିକୁ ଟେକିନେଇ ଗୋଟାଏ ବଖରାରେ ପକାଇ ତାର ସେବାରେ ଲାଗିଲେ । ରାତି ଦୁଇଘଡ଼ି ଅଛି, ନାଏବ ବୃନ୍ଦାବନକୁ ଉଠାଇ ରୋଷାଇ କରିବାକୁ ବରାଦ ଦେଲେ । ନିଜେ ନିତ୍ୟକର୍ମ ସାରି ବାରିକକୁ ବିଶେଷ ତାକିତ୍‌ କରି କହିଗଲେ–‘‘ଦେଖ, ମୁଁ ଓକିଲ ପାଖରୁ ଏକ୍ଷଣି ଆସୁଛି, ତୁ ଯେପରି ନିଧି ପାଖେ ପାଖେ ଥିବୁ, ସେ ଯେପରି କୁଆଡ଼େ ପଳାଇ ନଯାଏ । ଆରେ ବୁରୁନ୍ଦି, ଆଉ ଗୋଟିଏ କଥା ଶୁଣ । ମଦନିଶାବେଳର କଥା ନିଶାଗଲା ପରେ ମନେ ନ ଥାଏ । କାଲିରାତି ଘଟଣା ଯେବେ ନିଧିର ମନେ ନ ଥିବ, ତାକୁ ଏ ସବୁକହିବ ନାହିଁ । କେବଳ କହିବ, ‘‘ତୁମେ ଆସିଲାବେଳକୁ ସେ ଶୋଇପଡ଼ିଥିଲେ । ତୁମେ ଆସିବା ସେ ଆଦୌ ଜାଣି ପାରିନାହାନ୍ତି । ଦେଖ, ତାର ମନେ ନଥିଲେ ତାକୁ ଆଦୌ ଏ କଥା କହିବ ନାହିଁ, କି ଗାଁରେ କାହାକୁ ଏ କଥା କହିବ ନାହିଁ ।’’ ଏହା କହି ଯାଇ ଓକିଲବାବୁଙ୍କ ନିକଟରେ ପହଞ୍ଚି ତାଙ୍କୁ ସବୁଘଟଣା କହିଲେ । ଓକିଲ କହିଲେ, ‘‘ଆପଣ ତ ମୋ କଥା ମାନିଲେ ନାହିଁ । ବୋର୍ଡ଼ିଂରେ ଦେଇଥିଲେ ଏପରି କାହିଁକି ହୋଇଥାନ୍ତା ।’’ ନାଏବ କହିଲେ, ‘‘ଆପଣଙ୍କ ବୋଲ କୁଆଡ଼ୁ କରନ୍ତି ? ମୋ କପାଳରେ ତ ଏ ଦଶାଥିଲା ।’’ ଏହା କହିବାମାତ୍ରେ କାନ୍ଦି ପକାଇଲେ । ଓକିଲବାବୁ କହିଲେ, ‘‘ପିଲାବେଳ, ସେ କଥା ଭାଙ୍ଗିଯିବ ଯେ । ଆପଣତାକୁ ଶୀଘ୍ରଏଠାରୁ ନେଇ ଘର କାମରେ ଲଗାଇ ଦିଅନ୍ତୁ । ମାତ୍ର ପଇସା ପତ୍ର ସେ ଯେପରି ନ ପାଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବେ । ସେ ଆଉ ପିଲା ନାହିଁ । ତାକୁ ଏଣିକି ମାରଧର କଲେ ବଡ଼ଖରାପ ହେବ । ଖରାପ କଥା ଦେଖିଲେ ନିଜକୁଧିକ୍କାର କରିବେ ପଛକେ, ତାକୁ କିଛି କହିବେ ନାହିଁ ।’’

 

ଯେଉଁ ଦିନ ନିଧି ନିଶାରେ ଚୂର ହୋଇ ଆସନ୍ତି, ତା’ ପରଦିନ ବେଳ ପହରକୁ ନିଦରୁ ଉଠନ୍ତି । ନିଧି ଉଠିଲାବେଳକୁ ନାଏବବାବୁ ଓକିଲ ଘରୁ ଆସି ନାହାନ୍ତି । ସେ ଉଠିଗ୍ରାମରୁ ଆସିଥିବା ବାରିକକୁ ଦେଖି ପଚାରିଲେ, ‘‘କିରେ, ତୁ କେତେବେଳେ ?’’ ବାରିକ ବୃନ୍ଦାବନ ଆଡ଼କୁ ଚାହିଁ ଟିକିଏ ମୁରୁକି ହସାହସି କହିଲା, ‘‘ସାନ୍ତ ଆସିଛନ୍ତି ପରା । କାଲିସନ୍ଧ୍ୟା ପରେ ଆସି ପହଞ୍ଚିଲୁ ।’’

 

‘‘ସେ କୁଆଡ଼େ ଗଲେ ?’’

 

‘‘ଓକିଲବାବୁଙ୍କ ବସାକୁ ଯାଇଛନ୍ତି ।’’

 

ନିଧି ଅତରଛରେ ବୁରୁନ୍ଦି ଅଜାକୁ ବାଡ଼ି ତରଫକୁ ଡାକିନେଇ ପଚାରିଲା, ‘‘ଅଜା, ମୋ ରାଣ, ସତ କହିବୁଟି–ମୁଁକାଲି ଆସିବାବେଳେ ସେଶୋଇଥିଲେ କି ଚେଇଁଥିଲେ ?’’

 

‘‘ଶୋଇ ପଡ଼ିଥିଲେ । ମାତ୍ର ୧୧ଟା ବାଜିଗଲା, ତୁ ନ ଆସିବାକୁ ବଡ଼ ବିରକ୍ତ ହେଲେ । ମତେ ଗାଳିଦେଲେ, କହିଲେ, ‘‘ନିଧି ଚଗଲା ହୋଇଗଲାଣି, ତୁ ମତେ କାହିଁକି ଏ ସବୁ କଥା ଲେଖିଲୁ ନାହିଁ ।’’

 

‘‘ଛାଡ଼ ସେ କଥା । ମୁଁ ଆସିବାବେଳେ ସେ ନିଦରେ ଶୋଇଥିଲେ ତ ?’’

 

‘‘ହଁ, ଟିକିଏ ଆଗରୁ ଶୋଇଥିଲେ, ନିଦ ବି ହୋଇଥିଲା । ଆଜିସକାଳେ ଉଠି ମତେ ଧରାପରା ପଚାରିଲେ, ‘‘ନିଧି କେତେବେଳେ ଆସିଲା ?’’ ମୁଁ କହିଲି, ଆପଣ ଶୋଇବା ସଙ୍ଗେସଙ୍ଗେ ସେ ଆସିଲା ।

 

‘‘ଆଚ୍ଛା, ମୁଁ କୁଆଡ଼େ ଯାଇଥିଲି ବୋଲି ତୁ କହିଲୁ ?’’

 

‘‘ଜଣେବାବୁ ପୁଅ ନିମନ୍ତ୍ରଣ କରିଥିଲାବୋଲି କହିଛି ।’’

 

‘‘ଆଚ୍ଛା କହିଛୁ, ଆଉ ଭାବନା କ’ଣ ?’’ ଏହା ପରେ ସେ ବାଡ଼ି ତରଫରେ ଦାନ୍ତ ଘସିବସିଲା ।

 

ବୃନ୍ଦାବନ ଏ ପାଖକୁ ଆସି ବାରିକକୁ କହିଲା, ‘‘ଆରେ, ତାର ତ କିଛିମନେ ନାହିଁ ।’’ ବାରିକ କହିଲା, ‘‘ସେ ତ ମଦ ଖାଇଲେଣି । ମଦୁଆଙ୍କର ନିଶାବେଳ କଥା ନିଶାଗଲା ପରେ କିଛିମନେ ଥାଏନାହିଁ । ଶୁଣିବ ସାନ୍ତେ–ଦିନେ ସନ୍ଧ୍ୟାବେଳେ ମୁଁ ଶାସନରେ ଆନନ୍ଦ ମିଶ୍ରଙ୍କ ପିଣ୍ଡାରେ ବସିଛି, ଦାମ ଦାସଙ୍କ ମୂଲିଆ ଗୋଟିଏ ବାଗୁତି ଢୋଲେ ମଦ ପିଇ ଆସି ପହଞ୍ଚିଗଲା । ଆନନ୍ଦ ମିଶ୍ରଙ୍କୁ କହିଲା, ‘‘ସାନ୍ତେ, ମୋତେ ପାଞ୍ଚଗଉଣୀ ଧାନ କରଜ ଦିଅ ।’’ ସେ କହିଲେ, ‘‘ଧାନ ଶେଷହେଲାଣି, ଆଗରୁ କହିଲୁ ନାହିଁ ?’’ ଏହାଶୁଣି ସେ କହୁଛି, ‘ଦବୁ ନାହିଁ ? ଦବୁ ନାହିଁ ? ମୁଁ ଶୁଝିଛି, କାହିଁକି ଦବୁ ନାହିଁ ?’ ମିଶ୍ରେ ଦେଖିଲେ, ଏଟା ମଦ ଖାଇ ଆସିଛି, ଶୀଘ୍ର ଏଠାରୁ ଗଲେ ରକ୍ଷା; ଏଣୁ ସେ ତାକୁ କହିଲେ, ‘‘କାଲି ସକାଳେ ଆସିବୁ ନେଇଯିବୁ, ଆଜିସଞ୍ଜ ହେଲାଣି । ଅନ୍ଧାର ହୋଇଯିବ । ତୋ ସାଉ ଖୋଜୁଥିବ, ଯା, ଗୋରୁ ପାଖରେ କୁଟା ପକାଇବୁ, କି କାଠ ହାଣିବୁ । ଯା କାଲି ଆସିବୁ ।’’ ଏ କଥା ଶୁଣି ସେ କହୁଛି, ମୋ ସାଉ ଗୋରୁ ଖାଇଲେ କି ନ ଖାଇଲେ ତୋର କଣ ଗଲା ? ତୁ ମୋ ସାଉ ନାଁ କାହିଁକି ଧଇଲୁ ? କାହିଁକି ଧଇଲୁ ନା, କାହିଁକି ଧଇଲୁ ନା କହି ଭୂଇଁକୁ ଚାପୁଡ଼ାଏ ଚାପୁଡ଼ାଏ ମାରୁଥାଏ । ଏପରି ଦେଖି ମିଶ୍ରେ ରାଗରେ ଉଠି ଆସି ତାକୁ ଚାପୁଡ଼ାଏ ପକାଇଲେ । ଚାପୁଡ଼ାଖାଇ ସେ ପଡ଼ିଗଲା । ମିଶ୍ରଙ୍କର ଜଣେ ମୂଲିଆ ତା ଡେଣାଧରି ତାକୁ ନେଇଗଲା । ସେ ଟଳଟଳ ହୋଇ ଯାଉଥାଏ, ଆଉ’ କାହିଁକି ଧଇଲୁ ନା, କାହିଁକି ଧଇଲୁ ନା’ ବୋଲି ଘୋଷି ହେଉଥାଏ । ତା’ ପରଦିନ ସକାଳେ ସେବିଲକୁ ଗଲାବେଳେ ମୁଁ ଦେଖି ପଚାରିଲି, ‘କିରେ, କାଲି ସଞ୍ଜବେଳେ କୁଆଡ଼େ ଯାଇଥିଲୁ ?’ ତା’ର କିଛି ମନେ ନଥିଲା, ସେ କହିଲା, ‘ସାନ୍ତେ ଟିକିଏ ପାଣି ପିଇ ଦେଇଥିଲି ଯେ, ନିଶାରେ ଶୋଇ ପଡ଼ିଥିଲି । କୁଆଡ଼େ ଯାଇ ନାହିଁ ।’ ଇଏ ତ ସେହିପରି ହେଲେଣି ।’’

 

ଏହିପରି କଥାବାର୍ତ୍ତା ହେଉଁ ହେଉଁ ନାଏବ ଆସି ପହଞ୍ଚିଲେ । ବାରିକ କହିଲା, ‘‘ଆଜ୍ଞା, ନିଧି ସାନ୍ତଙ୍କର କାଲି କଥା କିଛି ମନେନାହିଁ । ସକାଳୁ ଉଠି ମତେ ପଚାରିଲେ, ‘କିରେ ତୁ କେତେବେଳେ ଆସିଲୁ ?’ ଆପଣ ଆସିଛନ୍ତି ବୋଲି ସେ ଆଜି ଜାଣିଲେ ।’’

 

‘‘କୁଆଡ଼େ ଗଲା ?’’

 

‘‘ବାଡ଼ିରେ ବସି ଦାନ୍ତ ଘଷୁଛନ୍ତି ।’’

 

‘‘ହଉ, ତେଲ ଆଣିବୁ ଟି, ଶୀଘ୍ରକାମ ସାରି ଯିବା ବାହାରି ।’’

 

ନିଧି ଦାନ୍ତଘଷି ଆସି ଦେଖେ ଯେ, ପିତା ଛିଡ଼ା ହୋଇଅଛନ୍ତି । ସେ ଲମ୍ୱାଚଉଡ଼ା ଦଣ୍ଡବତଟାଏ ପକାଇ ଚାଲିଗଲାବେଳକୁ ନାଏବ କହିଲେ, ‘‘ଆରେ ତୋର ଲୁଗାପଟା, ବହିପତ୍ରସବୁ ସଜିଲ କର, ଗାଁକୁ ଯିବା ।’’ ନିଧି ଏହାଶୁଣି ଆଚମ୍ୱିତ ହେଲା; ଭାବିଲା–କଣ, ମୋ କଥା କିଛି ଜାଣିଲେ କି ! କ୍ଷଣକ ପରେ ବାରିକକୁ ପଚାରିଲା । ସେ ଭୁଲାଇ କରି କହିଲା, ‘‘ବୋଧ ହୁଏ ତୁମ୍ଭର ମଙ୍ଗଳକୃତ୍ୟ ହେବ ।’’ ନାଏବ ସମସ୍ତଙ୍କୁ ନେଇ ଗ୍ରାମକୁ ଗଲେ । ଗ୍ରାମରେ ପହଞ୍ଚିବାକୁ ଅଳ୍ପ ବାଟ ଅଛି, ନାଏବ ନିଧିକୁ ଡାକି ଟିକିଏ ପଛକୁ ରହି ଅନ୍ୟମାନଙ୍କୁ ଖଣ୍ଡେବାଟ ଆଗକୁ ପଠାଇ କହିଲେ, ‘‘ନିଧି, ତୋ ବୋଉମଲା; ମୁଁ ଯାହା ନ ମରି ଜୀଇଛି–ତୋର ଏ କୀର୍ତ୍ତିସବୁ ଶୁଣୁଛି । କେତେ ଦିଅଁ ଦେବତାକରି ପୁଅ ପାଇଥିଲି । ଶେଷରେ ଏହି କଥା ଶୁଣିବାକୁ କପାଳରେ ଲେଖାଥିଲା । କଥାରେ କହନ୍ତି–‘‘ପୁଅ ଯେବେଧମ, ଧନ କାହିଁ ସଞ୍ଚୁ; ପୁଅ ଯେବେ ଅଧମ, ଧନ କାହିଁକି ସଞ୍ଚୁ ।’’ ମୋ ପିତା କେତେଧନ ରଖିଥିଲେ ? ମୁଁ କେତେ ପରିଶ୍ରମ କରି ମହୁମାଛି ପରି ଏତେ ଧନ ରଖିଛି । ତୁ ଏଡ଼େ ଅଧମ ହେଉଛୁ ଯେ, ମଦ ଖାଇ ବେଶ୍ୟାଘରେ ପଶି ଧନ ଉଜାଡ଼ୁଛୁ-। ତୁ ଏଡ଼େ କୁଳାଙ୍ଗାର । ମୋ ପିତା ମୋତେ ପିଲାଦିନେ ଶ୍ଲୋକଟିଏ ମୁଖସ୍ଥ କରାଇଥିଲେ–‘ଆଜି ବଳି କର୍କଟ ବେଣୁ ରମ୍ଭା ବିନାଶ କାଳେ ଫଳ ମୂଦ୍ଗହନ୍ତି ଏଷା ନରା ଭାଗ୍ୟବିହୀନ କାଳେ ଦ୍ୟୂତଞ୍ଚ ମଦ୍ୟଞ୍ଚ ପରିସ୍ତ୍ରିୟଂଚ ।’ ମଦ, ପଶାଖେଳ, ଆଉ ପରସ୍ତ୍ରୀ ପ୍ରତି ମନଦେଲେ ଇନ୍ଦ୍ର ପରିଲୋକର ଭାଗ୍ୟ ନଷ୍ଟ ହୋଇଯିବ । ମୋ ପରେ ତୁ ତ ବର୍ଷକେ ସମ୍ପତ୍ତି ଉଜାଡ଼ି ଦେଇ ଦ୍ୱାର ଦ୍ୱାର ବୁଲି ମାଗି ଖାଇବୁ । ହଉ, ଯାହା କଲୁ କଲୁ, ମୁଁ କେଉଁ ମୁହଁରେ ପୁଅର ଏ ଗୁଣ କାହା ଆଗରେ କହିବି । ବୃନ୍ଦାବନକୁ ଓ ବାରିକକୁ ମଧ୍ୟ ମନାକରିଛି, ଯେ ପଚାରିବ ତାକୁ କହିବ, କଟକରେ ତା’ ଦେହ ଭଲ ରହିଲା ନାହିଁ । ନିଧି ତ ଚାକିରି କରିବ ନାହିଁ । ନାଏବ ବୁଢ଼ା ହେଲେଣି । ଆଗରୁ ଘରକଥା ଜାଣିଥିଲେ ତାଙ୍କ ପଛରେ କାମଚଳାଇ ପାରିବେ, ଏଣୁ ତାକୁ ନେଇ ଆସିଲେ । ତତେ ଯେବେ ଭଲ ମଙ୍ଗଳ ଅଛି, ଗୁମାସ୍ତାଙ୍କ ପାଖରେ ବସି କାଗଜପତ୍ର ଓ କାମଦାମ ଦେଖ । ସେ ନିଉଛୁଣା ବୁଦ୍ଧି ଛାଡ଼ । ମୁଁ ଅଛି ବୋଲି କହୁଛି । ମୁଁ ମଲେ ତେଣିକି ଲୋକେ ଖରାପ କଥା ବତାଇ ଦେବେ–ଯେପରି ସତ୍ୟାନାଶହେବୁ, ସେ ପରିବୁଦ୍ଧି ଦେବେ । ନିଜେ ନିଜେ ଯେବେ ସିଆଣିଆ ହେବୁ, ତେବେ ଚଳିବୁ; ନୋହିଲେ, ବାସ୍ତୁରାଙ୍କ ପରି ବୁଲିବୁ । ଗୁମାସ୍ତା ପ୍ରଭୃତି ଠକି ସବୁ ଖାଇଯିବେ । କାହାର କ’ଣ ଯି ବ ?’’ ଏସବୁ କଥା ଶୁଣି ନିଧି ‘ରାମ୍‌ କି ବିଷ୍ଣୁ’ କିଛି କହିଲା ନାହିଁ, ଲାଜରେ ସଢ଼ିଗଲା । ମନେ ମନେ ଭାବିଲା, କାଲି ମୁଁ ଆସିବାବେଳେ ବାପାଙ୍କୁ ନିଦ ହୋଇ ନ ଥାଉ; କିମ୍ୱା ଅଜା କିଛି କହିଥାଉ । ଏହିପରି ଭାବି ଭାବି ସେ ଘରେ ପହଞ୍ଚିଲେ ।

 

ନିଧି ବଗିଚାକୁ ଯାଇ ମାଳିଘରେ ଥିବା ସ୍ତ୍ରୀ ‘ପାନ’କୁ ଯେପରି ଚାହିଁଦେଲା, ପିତାଙ୍କ ଦତ୍ତ ଉପଦେଶ ସବୁ ଭୁଲିଗଲା । ପାନ ଯେତେବେଳେ ଜାଣିଲା ଯେ, ନିଧି ଆଉ କଟକ ଯିବେ ନାହିଁ–ବରାବର ଘରେ ରହିବେ, ତା’ର ଖୁସିର ସୀମା ରହିଲା ନାହିଁ । ନିଧି ତା’ ସଙ୍ଗେ ଅନେକ କଥାବାର୍ତ୍ତା ହୋଇ ଘରକୁ ଆସି କମଳା ଅପାକୁ ପଇସା କିଛି ମାଗିଲେ । କମଳା ରାଜିହେଲା ନାହିଁ, କହିଲା, ‘‘ତୁ ପଇସା ପାଇବାରୁ ଚଗଲା ହେଉଛୁ; ଭାଇ ଜାଣିଲେ ମୋର ଭାଗ ରଖିବେ ? ମୁଁ ଆଉ ତତେ ପଇସା ଦେବି ନାହିଁ ।’’ ନିଧି ଭାବିଲା–କେଉଁଠାରେ ପଇସା ରଖିଛି, କିପରି ଜାଣିଲେ ଲୁଚାଇ ନେଇଯିବି । ନିଧି ଦୁଇତିନି ଦିନ ଓରଆର ବୁଝି କମଳା ଯେଉଁଠାରେ ପଇସା ରଖିଥିଲା ତା ଠଉରାଇ, ଦିନେ ରାତିରେ ସବୁତକ ନେଇ ବଗିଚାରେ ଥିବା ପାନ ନିକଟରେ ରଖାଇ ଦେଲା । ନିଧି ପ୍ରତି ପାନର ଆଦର ଦିନକୁ ଦିନ ବଢ଼ିଲା । ନାଏବ ଘରେ ଥିଲାବେଳେ ସେ ଟିକିଏ ଗୁମାସ୍ତାଙ୍କ ପାଖରେ ବସେ । ସେ ବଡ଼ସ୍କୁଲର ତୃତୀୟ ଶ୍ରେଣୀରୁ ଆସିଛି, ଗୁମାସ୍ତାଙ୍କ ଲେଖାପଢ଼ିକୁ ପସନ୍ଦ କଲା ନାହିଁ । ସେମାନଙ୍କୁ କହେ, ‘‘ଏଗୁଡ଼ାକ କଅଣ ଦେଖିବି । ବାପା ପଚାରିଲେ ତାଙ୍କୁ କହିଦେବ ଯେ, ନିଧି କାଗଜପତ୍ର ଦେଖୁଛି ।’’ ନାଏବ ଯେତେବେଳେ ଶୁଅନ୍ତି କିମ୍ୱା ବିଲଆଡ଼େ ଯାନ୍ତି, ନିଧି ସେ ବେଳଉଣ୍ଡି ପାନ ପାଖକୁ ଚାଲିଯାଏ । ପାନ ସେତେବେଳକୁ ଭାବୁଥାଏ, ମୋର ଦୁଃଖଗଲା । କିନ୍ତୁ ଏତେଗୁଡ଼ାଏ ଟଙ୍କା ନିଧି ଆଣି ମୋ ପାଖରେ ରଖିଛି, ବଡ଼ସାନ୍ତ ଜାଣିଲେ ମୋ ଦାନା ପାଣିଉଠିବ । କଣ କରିବି । ଭାବିଭାବି ଶେଷରେ ଅଳ୍ପ କିଛି ପାଖରେ ତିନିଚାରି ସ୍ଥାନରେ ରଖିବା କି ସବୁ ଗୋଟାଏ ପୁରୁଣାଲୋଟାରେ ପୂରାଇ ତା ଉପରେ ଖଣ୍ଡେ ଗିନା ଦେଇ ବଗିଚାରେ ଗୋଟିଏ ଗଛମୂଳରେ ପୋତି ପକାଇଲା । ସେତେବେଳକୁ ବଜାରରେ ନାନା କିସମର ପିଚାପାଢ଼ୀଶାଢ଼ୀ, ନାନାରଙ୍ଗର ଜକ୍‌ଜକ୍‌ କାଚ ଓ ଟିକିଲ ପ୍ରଭୃତି ଗ୍ରାମେଗ୍ରାମେ ପୂର୍ଣ୍ଣ ହୋଇଗଲାଣି । ପାନ ଦିନକୁ ଦିନ ନୂଆ ନୂଆ ବେଶରେ ବାହାରି ପଡ଼ୁଥାଏ ।

 

ଦିନେ ନାଏବ ତାକୁ ଦେଖିଭାବିଲେ, ଏଇଟା ଏତେ ପଇସା କୁଆଡ଼ୁ ପାଉଛି ? ବଗିଚାରୁ କଣ ସବୁ ବିକୁଛି ? ୟା ଢଙ୍ଗ ଯେପରି ଦେଖାଯାଉଛି, ଇଏ ତ ନିଧିକୁ ଖରାପ କରିଦେବ-। କଣ କରିବି । ଏଟାକୁ ଏଠାରୁ ବାହାର କରିଦେଲେ ଭଲ ହୁଅନ୍ତା, ମାତ୍ର ସେ ବାହାରିଗଲେ ମାଳୀଟା ବାହାରି ଯାଇପାରେ, ବଗିଚାଟା ନଷ୍ଟ ହୋଇଯିବ । ଏପରି ଭାବି ଦୀର୍ଘନିଶ୍ୱାସଟାଏ ଛାଡ଼ି ନିଜ ମନକୁ ବୁଝାଇଲେ, ଆରେ, ‘ଆପଣାହସ୍ତେ ଜିହ୍ୱାଛେଦି, କେତାର ଅଛି ପ୍ରତିବାଦୀ ।’’ ମୁଁ ତ ନିଜେ ଏହା ଅର୍ଜିଛି, କାହାକୁ କହିବି ! ଧନ୍ୟ ଭାଗବତ-ପଦ ! ଆହା ! କିପରି କହିଛି, ‘‘ନିଜର କଲା କର୍ମମାନ, ଆଗେ ହୁଅନ୍ତି ସାବଧାନ ।’’ ପୁଣି ଦୀର୍ଘନିଶ୍ୱାସ ଛାଡ଼ି ଭାବନ୍ତି–ହଉ, ଭଗବାନଙ୍କର ଇଚ୍ଛା ଯାହାଥିବ । ମୁଁବୃଥା ଭାବୁଛି କାହିଁକି ? ମୁଁ କଣ ମଲେ ଆଉ ଭଲମନ୍ଦ ଦେଖି ଆସିବି । ଯେ ଯେପରି କାମ କରିବ, ସେ ସେପରି ଫଳ ପାଇବ । ପୁଣି ଭାବନ୍ତି, କଥା ତ ଅଛି–‘‘ପିତାମାତା ସୁକୃତରୁ ପୁତ୍ର ହୁଏ ସୁଖୀ । ପୁତ୍ର ସୁଖୀହେଲେ ସେହୁ କୁଳଧର୍ମ ରଖି ।’’ ନିଧି ଖରାପ ହେଲେ କଣ ଲୋକେ ମୋତେ ନିନ୍ଦାକରିବେ ନାହିଁ । ମୁଁ ନ କରିଛି କଣ ! ମୋ କଲା କର୍ମଫଳ କୁଆଡ଼େ ଯିବ ? ମୋ ପିତାମାତାଙ୍କୁ କାଚରା ଘର ପୋଷୁଥିଲେ । ମତେ କେତେ ସାହାଯ୍ୟ କରିନାହିଁ । ତା’ ସାହାଯ୍ୟରେ ମୁଁ ଘରଦ୍ୱାର କରି ଏତେ ସମ୍ପଦ ଅର୍ଜିଲି । ଶେଷରେ ତାହାରି ଘର ଭାଙ୍ଗି ତା ସମ୍ପଦ ଆତ୍ମସାତ୍‌ କଲି । କେତେ ଲୋକଙ୍କୁ ବିପଦରେ ପକାଇବି, କେତେ ଲୋକଙ୍କର ତଣ୍ଟି ଚିପିଧରି ଦ୍ରବ୍ୟ ଆଣି ଠୁଳ କରିଛି, କେତେ ଲୋକଙ୍କର ଇଜ୍ଜତ ନେଇଛି । ମୋର ସୁକୃତ କଣ ଅଛି ଯେ, ‘ପୁଅ ସୁଖରେ ରହିବ ।’ ଆଉ ଏତେବେଳେ ଭାବିଲେ କଣ ହେବ ! ଧନମଦ, ବୟସମଦ ଓ ଅବିବେକପଣିଆରେ ଲୋକ ପ୍ରଥମ ସଂସାର କଲାବେଳେ ଏସବୁଭାବି ପାରେନାହିଁ । କିନ୍ତୁ ଶେଷରେ ଅଶାନ୍ତି ଓ ଅନୁତାପ ଭୋଗକରି ସଂସାର ତ୍ୟାଗକରେ ।

Image

 

ଅଷ୍ଟବିଂଶ ପରିଚ୍ଛେଦ

 

ମହାତ୍ମା ଜଗନ୍ନାଥ ଦାସ ଉତ୍କଳ କାନେ କାନେ କହିଦେଇ ଅଛନ୍ତି–‘‘ଧନ ଅର୍ଜିଲେ ଧର୍ମକରି । ଧର୍ମେ ପ୍ରାପତ ନରହରି ।’’ ଏହାର ଅର୍ଥ ଅନେକ । ଧନର ମୁଖ୍ୟ ଉଦ୍ଦେଶ୍ୟ, ନରହରିଙ୍କୁ ପାଇବା କିମ୍ୱା ନରମାନଙ୍କ ମଧ୍ୟରେ ହରି ହେବା । ହରି ଶବ୍ଦର ଉପାଧି ଅମର । ମେଦିନୀ ଓ ରତ୍ନାବଳୀ ପ୍ରଭୃତି କୋଷମାନଙ୍କରେ ଯେତେ ଅଛି, ସେସବୁ ଉପାଧିରୁ ଗୋଟିଏ ପାଇବାକୁ ପ୍ରାୟ ପ୍ରତ୍ୟେକେ ଇଚ୍ଛାକରନ୍ତି । କାହାର ଇଚ୍ଛା, ବିଷ୍ଣୁ ଯେପରି ଭୋଗରେ ଅଛନ୍ତି, ସେପରି ରହିବ; କିଏ ଭାବେ, ସିଂହ ପରି ବଳବାନ୍‌ ହେବ; କିଏ କହେ, ଶୁକ ପରି ପୋଷରେ ରହିବ; କିଏ ଭାବେ, ସର୍ପ ପରି ଭୟଙ୍କର ହୋଇ ଗରମ ଉଦ୍‌ଗାର କରୁଥିବ; କିଏ ଭାବେ, ଭେକ ପରି ଗର୍ଜନ କରିପାରିବ; କିଏ କହେ, ଚନ୍ଦ୍ର ପରି ଲୋକପ୍ରିୟ ହେବ; କିଏ ଭାବେ, ସୂର୍ଯ୍ୟଙ୍କ ପରି ତେଜୀୟାନ୍‌ ହେବ; କିଏ ଭାବେ, ବାୟୁ ପରି ସବୁସ୍ଥଳ ଅଧିକାର କରିବ; କିଏ ଭାବେ, ଅଶ୍ୱ ପରି ବେଗବାନ୍‌ ହେବ; କିଏ ଭାବେ, ଯମ ପରି ପ୍ରଭୁତ୍ୱ ପାଇବ; କିଏ ଭାବେ, ଇନ୍ଦ୍ର ପରି ଐଶ୍ୱର୍ଯ୍ୟ ଲାଭକରିବ; କିଏ ଭାବେ, ଶିବଙ୍କ ପରି ଯୋଗୀ ବା ତ୍ୟାଗୀ ହେବ; କିଏ ଭାବେ, ବ୍ରହ୍ମାଙ୍କ ପରି ସ୍ରଷ୍ଟାହେବ; କିଏ ଅବା ଭାବେ, ଅଗ୍ନିଙ୍କ ପରି ସର୍ବଭୁକ୍‌ ହେବ । କିପରି ହେବ ? ଧର୍ମ କରିହେବ । ଧର୍ମ କଣ କରିବ ? କିଏ ଭାବେ, ଅର୍ଥ ବ୍ୟୟକରି ବଡ଼ଲୋକଙ୍କୁ ସନ୍ତୁଷ୍ଟକରି ପାରିଲେ ନାମଟା ବଢ଼ିବ । ନାମ ବଢ଼ିଲେ କାମ ବଢ଼ିବ । କିଏ ଭାବେ, ‘‘ଆତ୍ମାକୁଶଳେ ସର୍ବସିଦ୍ଧି’’, ‘‘କାହିଁରୁ କି ଖାଇବି, ଚଉଦୋଳରେ ବୁହା ଦେବି-।’’ କିଏ ଭାବେ, ଦୁର୍ବଳଭାବଗୁଡ଼ାକ ସଂସାରରେ ବୋଝ ଉପରେ ନଳିତାବିଡ଼ା । ସେଗୁଡ଼ାକମାରି ମୋର ଅଙ୍ଗ ପୁଷ୍ଟକଲେ କାମନାସିଦ୍ଧ ହେବ । କିଏ ଅବା ଭାବେ, ଦୁର୍ବଳକୁ ସବଳ କଲେ ପୂଜା ପାଇବି, ଇତ୍ୟାଦି । ପୁଣି ତହିଁରେ ସିନାଟିଏ ଅଛି–‘‘ଧନ ଅର୍ଜିଲେ ।’’ ନାଏବବାବୁ ଯେତେବେଳେ ଧନ ଅର୍ଜିଲେ, ସେତେବେଳେ ଧର୍ମ କରିବା କିମ୍ୱା ନରହରିଙ୍କୁ ପାଇବା କଥା ସେ ଭାବି ନଥିଲେ । ତାଙ୍କର ବଳବତୀ ଇଚ୍ଛାଥିଲା, କିପରି ଜଣେ ଧନୀ ହେବେ । କାହିଁକି ଧନୀ ହେବେ, ଏ କଥା ସେ କହି ନାହାନ୍ତି । ପାଠକେ, ତାଙ୍କ କାର୍ଯ୍ୟଗତିରୁ ଆପଣମାନେ ଯାହାବୁଝନ୍ତୁ, ବର୍ତ୍ତମାନ ତାଙ୍କର ଭାବନା–ଧନ କଣ ହେବ ।

 

ବାଧ୍ୟ ନ ହେଲେ ନାଏବ ଘର ଛାଡ଼ି ଅନ୍ୟତ୍ର ଯାଉ ନ ଥିଲେ । ସେ ଘରେଥିବାବେଳେ ରାତିଘଡ଼ିଏ ଥାଉଁ ଉଠି ଭୋରବେଳକୁ ନିତ୍ୟକର୍ମ ସାରି ସେ ଦିନର କାର୍ଯ୍ୟ ପାଇଁ ଲୋକ ବରାଦ କରିଦେଇ, ତାଙ୍କ ପଛେ ପଛେ ବିଲ ବୁଲି ଆସି କଚେରିରେ ବସିଯାନ୍ତି । ତୈଳମର୍ଦ୍ଦନ ଶେଷ ପର୍ଯ୍ୟନ୍ତ ଘମାଘୋଟ କଚେରି ଲାଗିଯାଏ । ସ୍ନାନ, ‘‘ପୂଜାଭୋଜନ ଓ ବିଶ୍ରାମ ପ୍ରାୟ ଦୁଇଘଡ଼ି ମଧ୍ୟରେ ଶେଷକରି ଦେଇ ଆଉ ଦୁଇଘଡ଼ି ଘର ବାହାର, ବାଡ଼ି, ବଗିଚା, ଧାନଘର ଓ ଗୁହାଳ ଆଦି ସବୁଆଡ଼େ ବୁଲି ଦେଖିବାରେ କଟାନ୍ତି । ପୁଣି ଗୋରୁଢ଼ୂକା ପର୍ଯ୍ୟନ୍ତ କଚେରିରେ ବସିଯାନ୍ତି । ସନ୍ଧ୍ୟାବେଳେ ଟିକିଏ ଗୋଡ଼ହାତ ସଳଖିବା ପାଇଁ ଘରୁ ଚଉପାଢ଼ୀକୁ, ଚଉପାଢ଼ୀରୁ ଧାନ ଘରକୁ, ଧାନ ଘରୁ ବଗିଚାକୁ, ପୁଣି ବଗିଚାରୁ ଚୌପାଢ଼ୀକୁ ଆସି ସେ ଦିନ କାମ କଣ ହେଲା ଖବରନେଇ ପର ଦିନର କାମ ବରାଦ କରି ଗୋପାଳଙ୍କର ସଞ୍ଜଘଣ୍ଟା ବାଜିବାମାତ୍ରେ ଘରୁ ଝୁଲାମାଳା ମୁଣିଧରି ଠାକୁରଙ୍କୁ ମୁଣ୍ଡିଆଏ ମାରି ପୁଣି କଚେରିରେ ବସିଯାନ୍ତି । କଚେରିରେ ପ୍ରାୟ ଅଧିକାଂଶ ଦିନ ଗୁମାସ୍ତା କିମ୍ୱା ଗ୍ରାମର ଭଦ୍ରଲୋକେ ନଥାନ୍ତି । ହାରି ଗୁହାରିଥାଏ, ଖାତକ ଥାନ୍ତି; କିନ୍ତୁ କଚେରି ଶେଷବେଳ ପର୍ଯ୍ୟନ୍ତ ଅନୁସରଣିଆ ରହିଯାନ୍ତି । ପୁରାଣ ଶୁଣିବାକୁ ସେମାନଙ୍କର ଇଚ୍ଛାଥାଉ ବା ନ ଥାଉ, ନାଏବବାବୁ ପୁରାଣ ଶୁଣି ହସିବାବେଳେ ହସିବା ଓ ମୁଖ ଶୁଖାଇଲାବେଳେ ମୁଖଶୁଖାଇବାକୁ ସେମାନେ ଭଲ ଅନୁସରଣ ମନେ କରନ୍ତି । ପୁରାଣ ପରେ ରାତ୍ରିଭୋଜନ ଓ ଶୟନ ଭିନ୍ନ ନାଏବବାବୁଙ୍କର ଅନ୍ୟ କାମକିଛି ନଥାଏ । କିନ୍ତୁ ନାଏବବାବୁଙ୍କର ଭୋଜନ ଶେଷ ପର୍ଯ୍ୟନ୍ତ ଦିନେ ତାଙ୍କର ବିଶେଷ ସନ୍ତୋଷଲାଭ ପାଇଁ କିମ୍ୱା ବିଶେଷ ରୋଷଶାନ୍ତି ପାଇଁ ଦିନେ ଦିନେ ଜଣେ ଜଣେ ଅନୁସରଣିଆ ଜଗି ବସିଥାନ୍ତି ।

 

ପାଠକେ, ଏ ଅନୁସରଣର ପରିଣାମ ଟିକିଏ ଭାବିବେ କି ? ତାହାର ଆକ୍ଷରିକ ଅର୍ଥ ଯାହାହେଉ, କାର୍ଯ୍ୟରେ କଣ ହେଉଛି ? କେହି ରୋଗଶାନ୍ତି ବା ପୁଅ ପାଇଁ, କେହି ଧନ ପାଇଁ, କେହି ବଡ଼କାମ ପାଇବାକୁ, କେହି ଶତ୍ରୁର ଦାଉରୁ ରକ୍ଷା ପାଇଁ ଦେବତା, ହାକିମ ଓ ଧନିଙ୍କର ଅନୁସରଣ ଅର୍ଥାତ୍‌ ସ୍ତୁତି କରୁଁ କରୁଁ ଶେଷରେ ଖାଇବାକୁ ମିଳିଲା ନାହିଁ । ପୁଣି ଅନୁସରଣ ସଙ୍ଗେ ଅନୁକରଣ ଆସି ମିଶିଗଲା । ଜଣେଧନୀ ଯେପରି ଧଡ଼ିବାଲା ଲୁଗା ପିନ୍ଧିଲା, ମୂଲିଆ ମନ ତହିଁରେ ମଜ୍ଜି ଗଲା । ତା’ ପରଦିନ ସେ ସେପରି ଖଣ୍ଡେ ଲୁଗା ପିନ୍ଧିବାକୁ ଯତ୍ନ କଲା । ଅବେଶଷରେ କି ଫଳ ଫଳିଲା, ତାହା ଗ୍ରାମମଧ୍ୟରେ ଦେଖନ୍ତୁ । ଦାଣ୍ଡ ପିଣ୍ଡାରେ ଅକର୍ମଣ୍ୟ ବୁଢ଼ାମାନେ ଜଗିବସି ଅଛନ୍ତି; ଦାଣ୍ଡରେ ଶିଶୁମାନେ ମନଇଚ୍ଛା କ୍ରୀଡ଼ାରେ ମାତିଅଛନ୍ତି, ବାଡ଼ିଦ୍ୱାରରେ ସ୍ତ୍ରୀଲୋକମାନେ ମ୍ଳାନ ବଦନରେ ଆକାଶକୁ ଚାହିଁ ବସିଅଛନ୍ତି; ଆଉ ସମସ୍ତେ ଏକଦମ୍‌ ମେଣ୍ଢା ଗୁହାଳରେ ପଶିଲା ପରି ତୃତୀୟଶ୍ରେଣୀ ଗାଡ଼ିଭିତରେ କବାଟ ଫାଙ୍କ ପର୍ଯ୍ୟନ୍ତ ଖୁନ୍ଦା ହୋଇ ଜିଲା ପାର ! ଅନୁସରଣ ଓ ଅନୁକରଣ ପ୍ରକୃତ ଦିଗରେ ଗତିକରିବ କାହାଦ୍ୱାରା ? ପ୍ରକୃତ ଦିଗରେ ଗତିକଲେ କି ଫଳ ଫଳିବ, ଏହା ପାଠକଙ୍କର ଆଲୋଚନା ପାଇଁ ରହୁ ।

 

ନାଏବ ଦିନେ ଉପରବେଳା କଚେରିରେ ବସିଯିବାମାତ୍ରେ ତାଙ୍କ ମନରେ ଭାବନାହେଲା–ଏ ସବୁ ଆଉ କେତେ ଦିନ ? ନାହାକ କହିବା ଅନୁସାରେ ମୋର ଦିନ ଶେଷ ହୋଇ ଆସିଲା । ପଛକୁ ଓ କଡ଼କୁ ଚାହିଁ ଭାବିଲେ, କାହିଁ ନିଧି କୁଆଡ଼େ ବୁଲୁଛି, ଏସବୁ ଦେଖିଲେ ସିନା କିଛି କରନ୍ତା-। ସାଧୁଆକୁ ଡାକି ପଚାରିଲେ, ‘‘ଆରେ, ନିଧି କୁଆଡ଼େ ?’’ ସେ କହିଲା, ‘‘ଆଜ୍ଞା, ସେ କୁଆଡ଼େ ବୁଲୁଥିବ, କି ପଶାଖେଳରେ ମାତିଥିବ ।’’ ପିଆଦାଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, ‘‘କଣ, କରୁଥିବ, ଦେଖିବୁଟି । ତାକୁ ଦିନରାତି ପାଖରେ ନ ବସାଇଲେ ସେ ତ ଫତୁରିଆ ହେଲାଣି, ପୁଣି ଅଧିକ ହେବ ।’’ ନାଏବବାବୁ ମନୁଷ୍ୟ ପଠାଇ ତାକୁ ଡାକି ଆଣି କଚେରିରେ ବସାଇଲେ । ଜଣେ ଗୁମାସ୍ତା କହିଲା, ‘‘କିହୋ ବାବୁ, ଏଥର ପିଲାବୁଦ୍ଧି ଛାଡ଼, ଘରଧନ୍ଦା ବୁଝ । ପିତା ବୁଢ଼ାହେଲେ, ତାଙ୍କୁ ସିନା ଏଣିକି ସବୁକାମରେ ଟିକିଏ ସିଲ ହୁଅନ୍ତା । ତୁମେ କିଛି ମୂର୍ଖ ନୁହଁ–ଜାଣିବାର ପିଲା । ଏଠାରେ ଦୁଇବେଳ ବସ, ନ୍ୟାୟ ନିଶାପ ଶୁଣ ?’’ ଗ୍ରାମ ମଧ୍ୟରୁ ଯେଉଁ ଭଦ୍ରଲୋକମାନେ ବସିଥାନ୍ତି, ସେମାନେ କହିଲେ, ‘‘ବର୍ତ୍ତମାନ ପିଲାବୁଦ୍ଧି ହୋଇଛି, ବଳେ ବୁଝିବେ ଯେ । କାନ୍ଧରେ ପଡ଼ିଲେ ବଜାଇ ଶିଖନ୍ତି ପରା ।’’ ନିଧି ତୁନିହୋଇ ବସିଥାଏ । ସମସ୍ତଙ୍କ କଥା ତା’ର ଏ କାନରେ ପଶି ସେ କାନରେ ବାହାରି ଯାଉଥାଏ । ସେତେବେଳେ ଗୋଟାଏ ଲୋକ କାଇଲିମାନି ନ ଥାଏ ବୋଲି ଓଗଳା ହୋଇଥାଏ । ଆଉ ଗୋଟାଏ ଲୋକ ଧାନ, ଟଙ୍କା ନେଇ ଆଦାୟ ଦେଇ ନଥାଏ; ଏଣୁ ସେ ମଧ୍ୟ ଓଗଳା ହୋଇଥାଏ । ନିଧି ସେ ଦୁଇଜଣଙ୍କ ଉପରେ ଦୃଷ୍ଟି ଦେଇଥାନ୍ତି ଓ ଭାବୁଥାନ୍ତି, ଏମାନେ ଏତେ ଦଣ୍ଡ କାହିଁକି ଭୋଗ କରୁଅଛନ୍ତି ! ଏମାନଙ୍କର ଟିକିଏ ସାହସ ନାହିଁ ! ଓହୋ, ଏ ନୀଚତା, ଏ ଅଧୀନତା ସ୍ୱୀକାର କରୁଅଛନ୍ତି କାହିଁକି ? ସେମାନଙ୍କ ଅବସ୍ଥା ଦେଖି ତାଙ୍କମନରେ ଅତି କଷ୍ଟ ହେଉଥାଏ । ସେ ଭାବୁଥାନ୍ତି, ଦୁର୍ବଳ ଓ ଦରିଦ୍ର ଲୋକଙ୍କୁ ଏପରି କଷ୍ଟ ଦେବା ବଡ଼ ଅନ୍ୟାୟ । କି ଆଶ୍ଚର୍ଯ୍ୟର କଥା, ନିଧିଙ୍କର ଚରିତ୍ର ଦୋଷରୁ ସେ ଅମନୁଷ୍ୟ ମଧ୍ୟରେ ଗଣ୍ୟ; ପୁଣି ତାଙ୍କ ହୃଦୟରେ ଏ ଦୟା କୁଆଡ଼ୁ ଆସୁଛି ? ଚରିତ୍ର ଦୋଷ କଣ ଶିକ୍ଷାର ଦୋଷ, ଆଉ ଦାୟ କ’ଣ ଶିକ୍ଷାର ଗୁଣ ? ଯାହାହେଉ, ନିଧିଙ୍କର କଚେରିରେ ବସିବାକୁ ମନ ହୁଏ ନାହିଁ । ତାଙ୍କୁ ଏସବୁ ଦେଖିଲେ ବଡ଼ କଷ୍ଟ ଲାଗେ । ସକାଳେ, ଉପରବେଳା ପିତା କଚେରିକୁ ଆସିବା ପୂର୍ବରୁ ସେ ଘରୁ ଅନ୍ୟତ୍ର ଚାଲି ଯାଇଥାଏ । କେଉଁ ଦିନ କରଣସାହିରେ, କେଉଁ ଦିନ ବ୍ରାହ୍ମଣଶାସନରେ ବସି ପଶାଖେଳ କିମ୍ୱା ତାସଖେଳ; କେଉଁ ଦିନ ନଦୀଆଡ଼େ ବୁଲିଯାଇ ନାନାକୌତୁକ ଓ ମୌଜ କରୁଥାନ୍ତି । ପିତା ଖୋଜିଖୋଜି ମଧ୍ୟ ତାକୁ ପାଆନ୍ତି ନାହିଁ । ନିଧିର ସଂସାର ପ୍ରତି ଏପରି ଉଦାସୀନତା ଦେଖି ନାଏବବାବୁଙ୍କର ମହାଚିନ୍ତା ହେଲା । ଏ ଘର ଓ ଏ ସମ୍ପତ୍ତିର ଭବିଷ୍ୟତ୍‌ କଣ ହେବ, ଏହି ଭାବନାରେ ସେ ଦିନକୁ ଦିନ ଦୁର୍ବଳ ହେଉଥାନ୍ତି । ତାଙ୍କର ଖାଦ୍ୟ ଜୀର୍ଣ୍ଣ ହୁଏ ନାହିଁ । ନିଧିଙ୍କର ଲୁଙ୍ଗାପଣ ଦେଖି ନାନା ଲୋକେ ନାନା କଥା କହନ୍ତି । ନାଏବବାବୁ ଭାବିଲେ, ନିଧିକୁ ବିଭା କରିଦେଲେ ଅବା ସଂସାର ପ୍ରତି ତାର ମନ ଯିବ । ସେ ସମୟକୁ ବୁଢ଼ା ପୁରୋହିତ ମରି ଗଲେଣି । ତାଙ୍କ ପୁଅ ଗୋପାଳ ମିଶ୍ର ନାଏବବାବୁଙ୍କର ସମବୟସ୍କ-। ପିଲାଦିନେ ଦୁହେଁ ଏକତ୍ର ପଢ଼ାଶୁଣା କରୁଥିଲେ । ତେଣୁ ସେ ସାହସ କରି ନାଏବବାବୁଙ୍କୁ ଭଲ ମନ୍ଦ ପାଞ୍ଚକଥା କହନ୍ତି । ଦିନେ ସେ ଆସି ପହଞ୍ଚିବାରୁ ନାଏବବାବୁ ନିଧି ବିଷୟ ତାଙ୍କୁ କହିଲେ । ସେ କହିଲେ, ‘‘ଲୋକେ ଯାହା କହୁଛନ୍ତି, ସେଥିରେ ବିନ୍ଦୁମାତ୍ର ମିଛ ନାହିଁ । ସେହିପରି ହୋଇଥାଏ । ଜଣେ ଅର୍ଜନ କରେ, ଆଉଜଣେ ଖର୍ଚ୍ଚକରେ । ନିଧି ଏ ସମ୍ପତ୍ତି ସବୁ ଉଡ଼ାଇ ଦେବ । ତାକୁଶୀଘ୍ର ଗୋଟିଏ ବିବାହ କରିଦିଅ । ଆଉ ଗୋଟିଏ କଥା ଶୁଣ । ଏତେଧନ ସେ ଅକାରଣରେ ପରକୁ ଖୁଆଇବ । ତୁମେ କେତେ କଷ୍ଟରେ ଅର୍ଜିଛ । କିଛି ଧର୍ମ କାର୍ଯ୍ୟକରି ଯାଅ, ତୁମର ନାମ ରହିବ ।’’ ଗୋପାଳ ମିଶ୍ରେ ଏହିପରି କହି ଚାଲିଗଲେ । ନାଏବବାବୁ ଭାବିଲେ, କି ଧର୍ମକାର୍ଯ୍ୟ କରିବି !

 

ଉତ୍କଳରେ ଏ ପର୍ଯ୍ୟନ୍ତ ସାଧାରଣ ଧନୀ ଲୋକ ଧର୍ମକାର୍ଯ୍ୟ ମଧ୍ୟରେ ଦେବମନ୍ଦିର କିମ୍ୱା ଜଳକୀର୍ତ୍ତି, ସ୍ଥଳବିଶେଷରେ ଅପାରଗ ଲୋକ ପକ୍ଷରେ ବର, ଅଶ୍ୱଗଛ ଲଗାଇବା କିମ୍ୱା ଆମ୍ୱତୋଟା କରିବା ପ୍ରଧାନ ଅଟେ । ଏକ ଗ୍ରାମରେ ଜଣେ ଦେବମନ୍ଦିର ଗୋଟିଏ କରିଛି । ସେଇଟା ତାରକୀର୍ତ୍ତି-। ଆଉ ଯେ ନୂତନ କରିବ, ତାର ସ୍ୱତନ୍ତ୍ର କୀର୍ତ୍ତି ଓ ନାମ ରହିବା ଆବଶ୍ୟକ । ସାଧାରଣ ଲୋକେ କେଉଁ ମନ୍ଦିରକୁ ବିଶ୍ୱାସ କରିବେ ଓ ଭକ୍ତି କରିବେ ? ଆସିଆଣିଆ ଲୋକମାନେ ଯେଉଁ ମନ୍ଦିର ଯେତେବେଳେ ହାବୁଡ଼ରେ ପଡ଼ିଲା, ମୁଣ୍ଡିଆଏ ମାରି ଚାଲିଗଲେ । ମନ୍ଦିର ପ୍ରତିଷ୍ଠାତାର ବିପକ୍ଷ ଦଳ ସେ ମନ୍ଦିରବାଟେ ଚାଲିଯିବେ ନାହିଁ; ଗଲେ, ମୁଣ୍ଡିଆ ମାରିବେ ନାହିଁ । ଦେବ ମନ୍ଦିରର ସଂଖ୍ୟା ଦିନକୁ ଦିନ ଏତେ ବଢ଼ୁଛି ଯେ, ଲୋକଙ୍କର ବିଶ୍ୱାସ ଶିଥିଳ ହୋଇଯାଉଛି । ଆଉ ଉପକାର ମଧ୍ୟରେ ନିକମା ଗ୍ରାମାବାସିଙ୍କ ପାଇଁ ପଶା ଓ ତାସ ଖେଳିବା କିମ୍ୱା ଗଞ୍ଜେଇ ଖାଇବା ଅଥବା ଖଞ୍ଜିଣିମାଡ଼ ପ୍ରଭୃତି କାର୍ଯ୍ୟ ପାଇଁ ଗୋଟିଏ ସ୍ଥାୟୀ ଗୃହ ହେଉଅଛି । ଜଳକୀର୍ତ୍ତି ମଧ୍ୟରେ କୂପ କିମ୍ୱା ପୁଷ୍କରିଣୀ ଖୋଳିବା । ଯେଉଁଠାରେ ଅଭାବ ସେଠାରେ ତାହା କରିବା କମ୍‌, ମାତ୍ର ଯେଉଁଠାରେ ଜଣେ କରିଛି, ସେଠାରେ ତାଠାରୁ ଭଲ ଯେପରି ହେବ, ଆଉ ତ ନାମ ଲୁଚିଯାଇ ନୂତନ କୀର୍ତ୍ତିମାନ ଲୋକର ନାମ ଯେପରି ପ୍ରକାଶ ପାଇବ, ସେହିପରି କରାଯାଉଅଛି । ଜଣେ କୀର୍ତ୍ତି କରିଅଛି; ତା ବଂଶର ପତନଯୋଗୁଁ ତାହା ମରାମତ ନହୋଇ ନଷ୍ଟ ହେବାକୁ ବସିଲାଣି । ତାକୁ ଅନ୍ୟ କେହି ମରାମତ କରିବା ମହାଦୋଷ । ପୁଣି ସେ ବଂଶର ଲୋକମାନେ ଆପତ୍ତି କରନ୍ତି–ଆମବଂଶର କୀର୍ତ୍ତି, ଆଉଜଣେ ସେଥିରେ କାହିଁକି ଅର୍ଥବ୍ୟୟ କରିବ-। ପଡ଼ିଥାଉ, ଭଗବାନ୍‌ ଯେତେବେଳେ ଚାହିଁବେ, ସେତେବେଳେ ହେବ । ଜଣେ ଜଣେ ଭାବନ୍ତି–ତାଙ୍କର ପୁଷ୍କରିଣୀ ଅନ୍ୟ ଜଣେ ବାଗ୍ରାମବାସୀ ମରାମତି କଲେ କାଳେ ମାଛଖାଇବାରେ ତାଙ୍କର ପୂର୍ଣ୍ଣ ଅଧିକାର ରହିବ ନାହିଁ ।

 

ରାସ୍ତାର ସୁବିଧା କରିବା, ବିଦ୍ୟାଳୟଗୃହ ନିର୍ମାଣ କରିବା କିମ୍ୱା ଚିକିତ୍ସାଳୟ କରିବା ଧର୍ମକାର୍ଯ୍ୟବୋଲି ସେମାନଙ୍କ ମଧ୍ୟରେ ବିବେଚିତ ହୁଏ ନାହିଁ । ନାଏବବାବୁ ଭାବିଲେ–ଠାକୁର ମନ୍ଦିର କଲି, ଆଉ କଣ କୀର୍ତ୍ତି କରିବି ? କରଣସାହି, ତାଙ୍କଗୃହ ଓ ବ୍ରାହ୍ମଣଶାସନ ନିକଟରେ ଜଳକୀର୍ତ୍ତି ଲୋଡ଼ା ନାହିଁ । କାରଣ, ସେମାନଙ୍କ ଘର ନଦୀକୂଳରେ ଥିବାରୁ ଜଳର ଅଭାବ ନ ଥାଏ-। କେବଳ ଦୁଇ ପଟଣାର ଲୋକେ ଗ୍ରୀଷ୍ମକାଳରେ ଜଳର ଅଭାବବୋଧ କରନ୍ତି । କାଚରାଘର ଓତେଲି ଘରର ଯୋଡ଼ିଏ ଗଡ଼ିଆ ଥାଏ । ସେ ଦୁଇଗଡ଼ିଆ ମଧ୍ୟରେ ଖଣ୍ଡିଏସ୍ଥାନ ଥାଏ ଏବଂ ତାହା ତଳକୁ ନାଏବବାବୁଙ୍କର କିଛି ବିଲ ରହିଛି । ମରୁଡ଼ି ସମୟରେ ଫସଲ ମରି ଯାଉଥାଏ-। ନାଏବ ଭାବି ଭାବି ସେହିସ୍ଥାନରେ ଗୋଟିଏ ପୁଷ୍କରିଣୀ ଖୋଳିବାର ଯୋଗାଡ଼ କଲେ ଏବଂ ଭାବିଲେ, ଭଲ ପାବଚ୍ଛ ଦୁଇଟା କରିଦେଲେ ସମସ୍ତେ ସେଠାକୁ ଆସିବେ । ତେଲିଘର ଗଡ଼ିଆ ଜଳ ନେଳୀ ହୋଇଯିବାରୁ ଲୋକେ କହୁଥାନ୍ତି ଯେ, ତେଲୀବୁଢ଼ା କଳ୍ପନା କରି ଟଙ୍କା ଖର୍ଚ୍ଚ କରିଥିଲା । କାଚରାଘର ଗଡ଼ିଆରେ ଜଳ ପୂର୍ଣ୍ଣ ହୋଇଯାଇଥାଏ । ନାଏବ ଭାବିଲେ, ବଡ଼ ଓ ଗହିରିଆ ପୋଖରୀ ହେଲେ ଲୋକଙ୍କର ସୁବିଧା ହେବ । ମାତ୍ର ଯେ ଯେପରି ଭାବୁ, ସୁନାର ପାବଚ୍ଛ ହେଉ ପଛକେ, ପଲ୍ଲୀବାସୀ ଏପରି ଅଭ୍ୟସ୍ତ ଯେ, ସେମାନେ ଭଲ ମନ୍ଦ ବାରନ୍ତି ନାହିଁ । ଯେଉଁ ସ୍ଥାନ ପାଖ ପଡ଼ିଲା, ସେଠାରେ ଜଳ ଯେତେ ମନ୍ଦ ହେଉ, ଆଉ ଯେତେକମ୍‌ ଜଳ ଥାଉ, ଏକ ସ୍ଥାନରେ ପାଦ ରଖି ସେହି ଜଳରେ ଶୌଚ ହୋଇ ପୁଣି ସେକ୍ଷଣି ସେହି ସ୍ଥାନରେ ଜଳକୁ କୁଳିକରି ଦାନ୍ତ ଘଷିବା, ପୁଣି ସଙ୍ଗେ ସଙ୍ଗେ ବୁଡ଼ିପଡ଼ି ଘରକୁ ପଳାଇବାକୁ ପ୍ରୀତିକର ମନେ କରନ୍ତି । ଗାମୁଛାଖଣ୍ଡି ଯେତେ ମଇଳା ହେଉ ପଛକେ, ସେ ପବିତ୍ର ଆଉ ଧୋବ ଲୁଗାଟିଏ ପିନ୍ଧି ଟିକିଏ ପଦାରେ ବୁଲିଗଲେ ସେ ଲୁଗା ପିନ୍ଧି ଯେବେ ପିଲାଙ୍କର ମଇଳା ଓ ହଳଦି ମଳକୁଟିରେ ପୂର୍ଣ୍ଣ ଥିବା ବହୁକାଳ ଅଧୁଆ ହେଁସରେ ଗୋଡ଼ ବାଜିଯାଏ, ତେବେ ତାହା ଛୁଆଁ ହୋଇଯାଏ । ସେକ୍ଷଣି ତାହାକୁ ନେଇ ଗଡ଼ିଆରେ ଯେଉଁ ତୁଠରୁ ଖାଇବା ପାଣି ଆସେ, ସେହି ସ୍ଥାନରେ ଧୂଆଯାଏ ।

 

ନାଏବବାବୁଙ୍କ ପୁଅକୁ ଝିଅ ଦେବା ପାଇଁ କିଏ ନାରାଜ ହେବ । ପୁଣି ସେ ଇଂରାଜୀ ପାଠ କଟକରେ ପଢ଼ିଲାଣି । ସେତେବେଳକୁ ଗ୍ରାମ୍ୟସ୍କୁଲମାନଙ୍କରେ କରଣଝିଅମାନେ ଅଧିକାଂଶ ନିମ୍ନ ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ ଗଲେଣି । ନାଏବବାବୁଙ୍କ ଇଚ୍ଛା ଯେ, ନିଧି ଯେତେବେଳେ ଏପରି ଚଗଲା ହେଲାଣି, ସେ ଯଦି ଘର କଥା ନ ବୁଝେ, ବହୁ ଟିକିଏ ଲେଖାପଢ଼ା ଜାଣିଥିଲେ କାମରେ ଆସିବ । ଯେତେକୋଷ୍ଠୀ ଆସିଥିଲା, ତା’ ମଧ୍ୟରେ ବରିର ଜଣେ କରଣଙ୍କର କନ୍ୟାଟି ପାଠ ପଢ଼ିଥିଲା । ତା’ କୋଷ୍ଠୀଖଣ୍ଡର ମେଳକ ବୁଝିବାରେ ଭଲ ସୁଝିଲା । ଆଉ ମଧ୍ୟ ଉଚ୍ଚ କୋଷ୍ଠୀ ଦେଖାଗଲା । ଏଣୁ ତାଙ୍କର ସେକନ୍ୟା ପସନ୍ଦ ହେଲା । ସେ କନ୍ୟାଘର ଓ କନ୍ୟା ଦେଖିବାକୁ ଲୋକ ପଠାଇଲେ । ସାବୀ ମଧ୍ୟ ଗଲା; ସେଠାରେ ସେ ଚାରିଦିନ ରହି ଆସିଲା । କନ୍ୟାପିତା ଏମାନଙ୍କୁ ଦେଖି ମେଳକସୁଝିବା କଥା ବୁଝି ପାରି ଆପଣା ଭାଇବନ୍ଧୁଙ୍କୁ ସମ୍ୱନ୍ଧ ହେବା, ନ ହେବା ପଚାରିଲେ । ସମସ୍ତେ ଖୁସିହେଲେ, କାରଣ, ନାଏବ ଜଣେ ବଡ଼ଧନୀ ବୋଲି ସେ ଅଞ୍ଚଳରେ ପରିଚିତ । ପୁଣି ପୁଅଟି ଇଂରାଜୀ ପଢ଼ିଛି । ଘରେ ଶାଶୁ ନାହିଁ, ନଣନ୍ଦ ନାହିଁ ଓ ଭାଇ ଭଗାରି ନାହାନ୍ତି । ଏ ସୁଯୋଗ ସହଜରେ ମିଳେ ନାହିଁ । ବରଂ ପାଠୁଆକୁ କନ୍ୟା ପାଠୋଈ । କନ୍ୟାପିତାକୁ ଲୋକେ କହିଲେ, ‘‘ବିଧାତା ତୁମ ମନଜାଣି ଘଟସୂତ୍ର କରିଛି, ପଚାରିବାକୁ କିଛି କଥା ନାହିଁ । ଆଖିବୁଜି କରି ପକା ।’’ ଏହାଶୁଣିକ ନ୍ୟାପିତା ବରଘର ଓ ବରକୁ ଦେଖିବାକୁ ଲୋକ ପଠାଇଲେ । ସାବୀଫେରି ଆସି କହିଲା, ‘‘କଣ କହିବି, ସାଆନ୍ତେ, କନ୍ୟାଟି ଗୋଟିଏ ଚାଉଳରେ ଗଢ଼ା । ତାରୂପ ଆଉଗୁଣ ଠିକ୍‌ ପାର୍ବତୀ ପରି । ଶୀଘ୍ର ବିଭାଘର କର । ପୁଅ ଯା ଇଚ୍ଛା ତା କରୁ, ସେପରି ବହୁ ଘରେ ଥିଲେ ସବୁ ଅଛି । କନ୍ୟାଟିର ନାମ ସୁଶୀଳା–ନାମକୁ ତା ରୂପ, ଗୁଣ ଗଚ୍ଛି ଯାଇଛି ।’’ ଏ ସବୁ କଥା ଶୁଣି ନାଏବବାବୁ ପୁତ୍ରର ବିବାହ ଯୋଗାଡ଼ରେ ରହିଲେ । ଯଥା ସମୟରେ ବିବାହକାର୍ଯ୍ୟ ନିର୍ବିଘ୍ନରେ ହୋଇଗଲା, ମାତ୍ର କାର୍ଯ୍ୟ ପରେ ନାଏବବାବୁଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ମନ୍ଦ ହେବାକୁ ଲାଗିଲା ।

Image

 

ଉନତ୍ରିଂଶ ପରିଚ୍ଛେଦ

 

ଆଶାର ଶେଷ ସୀମା କାହିଁ ? ମନୁଷ୍ୟର ଗୋଟିଏ ଆଶାପୂର୍ଣ୍ଣ ହେଲାବେଳକୁ ସମୁଦ୍ରର ତରଙ୍ଗ ପରି ତା ପଛକୁ ତା ପଛ ଆଶାର ତରଙ୍ଗ ମାଡ଼ି ଆସେ । ନାଏବବାବୁ ନିଧିର ବିବାହ ପୂର୍ବରୁ ଭାବିଥିଲେ ଯେ, ତାଙ୍କର ସଂସାରରେ ଆଉକିଛି କାମ ନାହିଁ; କେବଳ ନିଧି ପାଇଁ ଗୋଟିଏ ଗୁଣର ସ୍ତ୍ରୀ ଆଣିଘରେ ଛାଡ଼ି ଦେଇ ସେ ସଂସାର ଛାଡ଼ିଗଲେ ତାଙ୍କର ଆଉ ଅବଶୋଷ ରହିବ ନାହିଁ । ବର୍ତ୍ତମାନ ନିଧିର ସ୍ତ୍ରୀ ସୁଶୀଳାକୁ ଗୃହର ଲକ୍ଷ୍ମୀରୂପରେ ପାଇ ତାଙ୍କର ଆଶାହେଲା–ସେ ଆଉ ଦଶନ୍ଧିଏ ବଞ୍ଚିର ହନ୍ତେ, ନିଧିର ପିଲା ଗୋଟିଏ ଯୋଡ଼ିଏ ହୁଅନ୍ତେ; ମାତ୍ର ନିଷ୍ଠୁର କାଳ ସେ ସମୟସୁବିଧା ସମସ୍ତଙ୍କୁ ଦିଏନାହିଁ । ନିଧିର ବିବାହ ପରେ ନାଏବଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ହାନି ହେବାକୁ ଆରମ୍ଭ ହେଲା । ତାଙ୍କର ଘର, ଧନ ଓ ବିଲ ପ୍ରଭୃତିରୁ ମନ ଛାଡ଼ୁ ନଥାଏ । ତେଣୁ ସବୁକଷ୍ଟକୁ ସହ୍ୟକରି ସେ ସକଳଧନ୍ଦା ବୁଝନ୍ତି । ନିଧି କଟକ ଛାଡ଼ି ଆସିଲାବେଳରୁ ଗ୍ରାମରେ ପିତାଙ୍କୁ ଡରି ରହିଥାଏ । ପିତାଙ୍କ ଭୟରେ କେହିଖରାପ କଥାରେ ତା ସଙ୍ଗେ ସଙ୍ଗୀ ହୁଅନ୍ତି ନାହିଁ । କେବଳ ବଗିଚାରମାଳୀ ଓ ତା’ ନିକଟରେ ଥିବା ସ୍ତ୍ରୀଲୋକଟି ତାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାରେ ସାହାଯ୍ୟ କରୁଥାନ୍ତି । ନାଏବବାବୁଙ୍କର ଯେଉଁ ଦାସୀ ପୁତ୍ରଟି ଥିଲା, ତାର ବୟସ ନିଧିଠାରୁ ତିନି ବର୍ଷ ଅଧିକ । ସେ ଆସି ନିଧି ପାଖରେ ବସାଉଠା କରିବାର ଦେଖି ନାଏବବାବୁ ବିରକ୍ତ ହୁଅନ୍ତି ନାହିଁ । କାରଣ ସେଠାରେ ରକ୍ତର ସମ୍ପର୍କ ଥିବାରୁ କିଛି କହି ପାରନ୍ତିନାହିଁ । ସେ ନିଧିଙ୍କର ସଙ୍ଗ ହୋଇଗଲାରୁ ତାଙ୍କର ଟିକିଏ ବଳ ବେଶିହେଲା । ବିବାହ ପରେ ପିଆଦାମାନଙ୍କ ମଧ୍ୟରୁ ଜଣେ ମୁସଲମାନ ବୁଢ଼ା ତାଙ୍କର ସୁରା ବାହକ ହେଲା ।

 

ସେ ପ୍ରତିଦିନ ସନ୍ଧ୍ୟାବେଳକୁ ମାଳି ଘରେ ମାଲ ପହଞ୍ଚାଇ ଦିଏ । ନିଧି ବିବାହ ପୂର୍ବରୁ ଦିନେ ଦିନେ ବ୍ୟବହାର କରୁଥିଲେ, କିନ୍ତୁ ବିବାହ ପରେ ପ୍ରତିଦିନ ଅଭ୍ୟାସ କରି ଦିନକୁ ଦିନ ତା’ର ଦାସ ହେବାକୁ ବସିଲେ । ନାଏବବାବୁ ପୁରାଣ ଶୁଣି, ଖାଇ ଶୋଇବାବେଳକୁ ରାତି ଛ’ ଘଡ଼ି । ସେ ପର୍ଯ୍ୟନ୍ତ ନିଧିର ସ୍ତ୍ରୀ ସଙ୍ଗେ ସାକ୍ଷାତ ହେବାର ସୁବିଧା ନ ଥାଏ । ପ୍ରତିଦିନ ନାଏବବାବୁ ତାଙ୍କୁ ଭର୍ତ୍ସନା, ଉପଦେଶ ଓ ଖୋସାମତ ଯେତେ କରନ୍ତି, ସେସବୁ ନିଧି କିଛି ଶୁଣେ ନାହିଁ । ସନ୍ଧ୍ୟା ପୂର୍ବରୁ ତା କାମରେ ସେ ଲାଗିଥାଏ । ପୁରାଣ ପାଠବେଳେ ଚୁପ୍‌କରି ଘର ମଧ୍ୟକୁ ଯାଇ ଖାଇଦେଇ ବିଛଣା ଧରେ । ନାଏବ ଖାଇ ବସିଲାବେଳେ ତାକୁ ଖୋଜିଲେ ସେ ଖାଇ ଶୋଇବା କଥା ଦାସୀ କହିଦିଏ ।

 

ନାଏବ ଭାବିଥିଲେ, ନିଧିକୁ ଶୀଘ୍ର ବିଭା କରିଦେଲେ ତାର ସ୍ୱଭାବ ବଦଳି ଯିବଏବଂ ଘରଧନ୍ଦା ପ୍ରତି ମାୟାମମତା ଜନ୍ମିବ । ମାତ୍ର କାର୍ଯ୍ୟରେ ବିପରୀତଘଟିବା ଦେଖି ତାଙ୍କର ଚିନ୍ତା ବଢ଼ିଲା । ନିଧିଙ୍କ ବିବାହର ଏକ ବର୍ଷପରେ ସେ ଅତିଶୀର୍ଣ୍ଣ ହୋଇଗଲେ । ସେ ଯାହା ଖାନ୍ତି, ତାହା ଜୀର୍ଣ୍ଣ ହୁଏନାହିଁ–କ୍ରମେ ଅବଶ ହେଉଥାନ୍ତି । କେତେବେଳେ ଭାବନ୍ତି, ନିଧି ତ କିଛି ରଖିବ ନାହିଁ । ଟଙ୍କାଗୁଡ଼ାକ କ’ଣ ପୋତି ପକାଇବି ? ପୁଣି ଭାବନ୍ତି, କ’ଣ ହେବ–ଅକାରଣ ମାଟି ଖାଇବ ।

 

ବେଳେବେଳେ ଭାବନ୍ତି, ଆଉ କଣ ବହୁ ଜିମା ଦେଇଯିବି ! ପୁଣି ଭାବନ୍ତି, ମାଇପି ଲୋକ, ପଇସାର ମୂଲ୍ୟ କଣ ବୁଝିବ ? ବୋଉ ମୋର କହେ–‘ମିଣିପକୁ ନ ଦେଖାଇବ ଚୂନା, ମାଇପ ଙ୍କୁ ନ ଦେଖାଇବ ସୁନା ।’ ନା ନା, ଥାଉ, ଭଗବାନଙ୍କ ଯା ଇଚ୍ଛା ତା ହେଉ । ଟଙ୍କା ସୁନା ପାଇଁ ଭାବୁଛି; ଧାନ ଓ ଜମି କାହାକୁ ଦେଇଯିବି ? ଯାହାହେବାର ଥିବ ହେବ । ମତେ ତ କେହି ନିନ୍ଦା କରିବେ ନାହିଁ । ବରଂ ଲୋକେ କହିବେ, ‘‘ଦେଖ ହୋ, ଅମୂଳକ ଲୋକଥିଲା, କେତେ ସମ୍ପତ୍ତି କମାଇଥିଲା । ତା’ ପୁଅଟା ଏଡ଼େ କୁଳାଙ୍ଗାର ହେଲା ଯେ, ଅଢ଼େଇ ଦିନରେ ବୁଡ଼ାଇ ଦେଲା ।’ ଏପରି ସେ ନାନା କଥା ଭାବି ମନକୁ ଦମ୍ଭ କରନ୍ତି, ମାତ୍ର ତାହା କ୍ଷଣିକ । କିଛି କାର୍ଯ୍ୟ ବୁଝି ଅନ୍ୟ କାର୍ଯ୍ୟ କଲାବେଳକୁ ସେ ଭାବନା ତାଙ୍କୁ ବ୍ୟସ୍ତ କରିଦିଏ ।

 

ଦିନେ ସକାଳେ ନାଏବ କଚେରିରେ ବସିଅଛନ୍ତି, ଜଣେ ଜ୍ୟୋତିଷ-ପଣ୍ଡିତ ଆସି ଦେଖାକଲେ । ନାଏବ ତାଙ୍କୁ ଦେଖିବାମାତ୍ରେ ତାଙ୍କ ମନ କୌଣସି କାର୍ଯ୍ୟରେ ଲାଗିଲା ନାହିଁ । ସେ ସମସ୍ତଙ୍କୁ ବିଦାୟ ଦେଇ ଉପରବେଳା ଆସିବାକୁ ମନା କରିଦେଲେ । ପଣ୍ଡିତଙ୍କୁ ବସା ଓ ଛଞ୍ଚା ଦେଇ ନିଜେ ସ୍ନାନକୁ ବାହାରିଲେ । ଆଜି ତାଙ୍କୁ ସାଧୁ ବାରିକର ତେଲମର୍ଦନ ଓ ତାଳ ଠୁଙ୍କା ସୁଖକର ବୋଧ ହେଲାନାହିଁ । ତାଙ୍କର ଖାଇବା କିମ୍ୱା ଶୋଇବାରେ ମନ ନ ଥାଏ । କିପରି ଶୀଘ୍ର ଆସି ପଣ୍ଡିତଙ୍କ ସଙ୍ଗରେ କଥାବାର୍ତ୍ତା ହେବେ, ଏ ଉଦ୍ଦେଶ୍ୟରେ ସେ ସମସ୍ତ କାର୍ଯ୍ୟ ତରତର ଭାବରେ ଶେଷ କରି ବିଶ୍ରାମ ପାଇଁ ବିଛଣାକୁ ଗଲେ; ମାତ୍ର ନିଦ ମାଡ଼ିଲା ନାହିଁ–ମନର ଉଦ୍‌ବେଗ ବଢ଼ିଲା । ଖୃଙ୍ଗି ଫିଟାଇ ନିଜ ପୁଅର ଓ ବହୁର ଜାତକ ଧରି ସେ କଚେରିକୁ ବାହାରି ଆସିଲେ ଏବଂ ପଣ୍ଡିତଙ୍କୁ ଡାକି ଦେବାକୁ ସାଧୁଆକୁ ଆଦେଶ ଦେଲେ ।

 

ସାଧୁଆ ଡାକିଲାବେକଳୁ ସେ ପଣ୍ଡିତ ବିଚାରା ଖାଇ ବସିଥାନ୍ତି । ଏହାର ଡାକଶୁଣି ବଡ଼ବ୍ୟସ୍ତ ହୋଇ ଭାବିଲେ, ଆଜି ଟିକିଏ ବିଶ୍ରାମ ମିଳିବ ନାହିଁ । ହଉ ଦୁଇ ପଇସା ପାଇଁ ତ ଆସିଛେ । ବୁଢ଼ାର ଆଗ୍ରହ ଦେଖା ଯାଉଅଛି । ଦିଅଣ୍ଡା ଶ୍ଲୋକପଢ଼ି ଟେକାଟେକି କରି କହିଦେଲେ କିଛି ଝଡ଼ି ଯାଇପାରେ । ସାଧୁଆକୁ କହିଲେ, ‘‘ଚାଲ ଦଣ୍ଡେ ଛାଡ଼ି ଯାଉଅଛି ।’’ ବିଳମ୍ୱ ଦେଖି ନାଏବଙ୍କ ମନ ଏପରି ହେଉଥାଏ ଯେ, ସେ ନିଜେ ପଣ୍ଡିତଙ୍କ ପାଖକୁ ଚାଲିଯାନ୍ତେ । କିଛିକ୍ଷଣ ପରେ ପଣ୍ଡିତେ ବସ୍ତାନି କାଖେଇ ଆସିବା ଦେଖି ତାଙ୍କ ମନ ଥୟହେଲା ।

 

ଓହୋ ! ଜ୍ୟୋତିଷ ବିଦ୍ୟାର ହିନ୍ଦୁ ଜାତି ଉପରେ କି ରାଜତ୍ୱ ! କି ଶିକ୍ଷିତ, କି ଅଶିକ୍ଷିତ, ସମସ୍ତେ ତାହାର କିଙ୍କର । ବରଂ ଧନୀ ଓ ଶିକ୍ଷିତଙ୍କ ଉପରେ ତାର ପ୍ରଭୁତ୍ୱ ଅଧିକ । ବର୍ତ୍ତମାନ ଯୁଗରେ ସହରରେ ହେଉ ବା ଗ୍ରାମରେ ହେଉ, ଜଣେ ନ୍ୟାୟଶାସ୍ତ୍ରଜ୍ଞ ପଣ୍ଡିତ ପହଞ୍ଚନ୍ତୁ, ତାଙ୍କୁ କେହି ପଚାରିବେ ନାହିଁ । ଖଣ୍ଡି ପାଠୁଆ ହେଉ ବା ଭଲ ଜାଣୁ, ଜ୍ୟୋତିଷ ଜାଣେ ବୋଲି ପରିଚୟ ଦେଲେ, ସେ ବିଚାରାକୁ ଆଉ ଖାଇବାକୁ ଓ ଶୋଇବାକୁ ସମୟ ମିଳିବ ନାହିଁ । ସେ ଯେପରି ଭାଗ୍ୟବିଧାତା ଓ ସର୍ବଜ୍ଞ । ସେ ଯାହାକହିବ, ସେଥିରେ ପୂର୍ଣ୍ଣବିଶ୍ୱାସ । ପୁଣି ତାକୁ କଣ ଭାବିଚିନ୍ତି କହିବାକୁ ସମୟ ଦେବେ ? ପ୍ରଶ୍ନ ଉପରେ ପ୍ରଶ୍ନ ଅଜାଡ଼ି ପକାଇବେ । ଯଦି ସେ କାହାର ଭଲ କଥା କହେ, ତେବେ ରକ୍ଷା-ବିଦାକିର ମାତ୍ରା ମଧ୍ୟ ଅଧିକ; ମାତ୍ର ଖରାପ କଥା କହିଲେ, ମୁହଁ ଶୁଖିଯାଏ । ସେ ପଣ୍ଡିତଟା କିଛି ଜାଣେନାହିଁ ।

 

ନାଏବଙ୍କର ଇଚ୍ଛାହେଲା, ଆଗ ପଣ୍ଡିତଙ୍କୁ ପରୀକ୍ଷା କରିବେ । ପୂର୍ବରୁ ଜଣେ ଭଲ ଜ୍ୟୋତିଷ ପଣ୍ଡିତ ତାଙ୍କ ଜନ୍ମପତ୍ରିକାକୁ (ମାସକୁ ମାସ ଫଳାଫଳ ଲେଖି) ସାଧି ଦେଇଥାଏ । ସେ ଅନେକ ଦିନ ତଳେ ସାଧିଥିବାରୁ ୬୭ ବର୍ଷ କିମ୍ୱା ୭୨ ବର୍ଷଠାରେ ମାରକ ନିର୍ଣ୍ଣୟ କରିଥାଏ । ମାତ୍ର ସେ ଏ ସମୟରେ ଆସିଥିଲେ, ୮୨ ପର୍ଯ୍ୟନ୍ତ ମାରକକୁ ଘୁଞ୍ଚାଇ ନେଇଥାନ୍ତା । ସେ ଖେଦା ଖଣ୍ଡକ ଲୁଚାଇ ରଖି କେବଳ ତାଙ୍କର ଜନ୍ମପତ୍ରିକା ଖଣ୍ଡି ପଣ୍ଡିତଙ୍କ ହାତକୁ ବଢ଼ାଇ ଦେଲେ । ପଣ୍ଡିତେ ଗ୍ରହଚକ୍ରକାଟି ଫଳାଫଳ ଭାବୁଥାନ୍ତି । ଜ୍ୟୋତିଷ ପଣ୍ଡିତମାନେ ଯେଉଁଠାକୁ ଯାନ୍ତି, ସେଠାରେ ପ୍ରଧାନ ପ୍ରଧାନ ଲୋକଙ୍କର କେତେ ପୁଅ, କେତେଭାଇ ଓ କେତେ ସ୍ତ୍ରୀ ଇତ୍ୟାଦି ବୁଝି ନେଇଥାନ୍ତି । ତାଙ୍କର ଫଳାଫଳ କହି ବିଶ୍ୱାସ ଜନ୍ମାଇ ଦିଅନ୍ତି । ସେମାନଙ୍କ ମୁଖରେ ଜ୍ୟୋତିଷ ପଣ୍ଡିତଙ୍କର ପ୍ରଶଂସା ବାହାରିଲେ ତେଣିକି ସାଧାରଣ ଲୋକମାନେ ଆଉ ପରୀକ୍ଷା ପାଇଁ ଅତୀତ ଫଳ ଚାହାନ୍ତି ନାହିଁ; ଭବିଷ୍ୟତ ଫଳ ଶୁଣି ଶକ୍ତି ଅନୁସାରେ କିଛି ଦେଇ ଦିଅନ୍ତି । ପଣ୍ଡିତେ ପହଞ୍ଚି ବସାଘର ପାଇବା ମାତ୍ରେ ନାଏବଙ୍କର ଇତିବୃତ୍ତ କୌଶଳରେ ବୁଝି ନେଇଥାନ୍ତି । କିଛିକ୍ଷଣ ଗ୍ରହଚକ୍ରକୁ ଚାହିଁ ଓ ଖଡ଼ିଦ୍ୱାରା ଗୁଡ଼ିଏଗୁଣନ ହରଣ କରି ବୟସ, ମହାଦଶା ଓ ଅନ୍ତର ପ୍ରଭୃତି କଷି ରଖି ନାଏବଙ୍କୁ କହିଲେ, ‘‘ଏ କୋଷ୍ଠୀ ଯାହାର ତାହାର ଲଗ୍ନଠିକ୍‌ ଅଛି କି ନାହିଁ ବୁଝିବାକୁ କେତେଗୁଡ଼ାଏ ପ୍ରଶ୍ନ କରିବାକୁ ହେବ ।’’

 

ନାଏବ–ଆଚ୍ଛା କରନ୍ତୁ !

 

ପଣ୍ଡିତ–ଏ କୋଷ୍ଠୀ ଯାହାର, ତାର ଭାଇ ନ ଥିବେ ।

 

ନାଏବ ଭାବିଲେ, ସେ ଅବା ଅନୁମାନ କରି କିମ୍ୱା ଶୁଣାଶୁଣି କରି କହୁଥିବେ । ତେଣୁ ପ୍ରଶ୍ନକଲେ–ଏ କୋଷ୍ଠୀର ସ୍ତ୍ରୀ କେତେ ?

 

ପଣ୍ଡିତ–ବିବାହିତା ସ୍ତ୍ରୀ ଗୋଟିଏ ।

 

ନାଏବ–ଆଚ୍ଛା, ସ୍ତ୍ରୀ ଆଗ ଯିବ, କି ସ୍ୱାମୀ ଆଗ ଯିବ ?

 

ପଣ୍ଡିତ–ସ୍ତ୍ରୀ-କୋଷ୍ଠୀ ଦେଖିଲେ ଭଲ ହୁଅନ୍ତା । (ତେବେ ଏହା କହି ଟିକିଏ ଭାବି କହିଲେ) ଆଗ ସ୍ତ୍ରୀ ଯାଇପାରେ ।

 

ନାଏବ–କେବେ ?

 

ପଣ୍ଡିତେ ପୁଣି ଭାବି ଭାବି ଅଙ୍କ କଷି କଷି ଦିଓଟି ସମୟ କହିଲେ । ଏ ଦୁଇ ସମୟ ମଧ୍ୟରୁ ଗୋଟିଏ ସମୟରେ ସ୍ତ୍ରୀ ନଷ୍ଟ ହୋଇଥିବ । ନାଏବ ଭାବିଲେ–ପଣ୍ଡିତ କିଛି ଜାଣେ, କାରଣ ସେ ପ୍ରଥମ ସମୟଟା ଯାହା କହିଲା, ସେ ସମୟରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ପୁଣି ପ୍ରଶ୍ନକଲେ–ସେ କୋଷ୍ଠୀରେ ପୁତ୍ର ଓ କନ୍ୟା କେତେ ?

 

ପଣ୍ଡିତ–କନ୍ୟା ବେଶି ହୋଇଥିବେ, ମାତ୍ର ଅନେକ ନଷ୍ଟ ହୋଇଥିବେ । ଶେଷରେ ଗୋଟିଏ ପୁତ୍ର ରହିପାରେ ।

 

ନାଏବ ବଡ଼ ଖୁସି ହୋଇଗଲେ । ତାଙ୍କୁ ଆଉ ପରୀକ୍ଷା କରିବାକୁ ମନ ହେଲା ନାହିଁ । ସେ କହିଲେ, ‘‘ସେ କୋଷ୍ଠୀ ମୋହର, ବୟସ ବେଶି ହୋଇଗଲା, ମାରକ କେବେ ଦେଖନ୍ତୁ ।’’

 

ପଣ୍ଡିତେ ପ୍ରାୟ ଅଧଘଣ୍ଟା ଭାବି ଭାବି କହିଲେ, ‘‘୮୨ବର୍ଷର ଏ ପାଖ ନୁହେଁ । ତେବେ ମାରକଟା ଏପରି କହିବା ଠିକ୍‌ ନୁହେଁ । ମୁଁ ଆଜି ରାତିରେ ଭଲକରି ଦେଖି କାଲି ଭୋର କହିବି ।’’

 

ନାଏବ, କହିଲେ, ‘‘ଜଣେ ପଣ୍ଡିତ କହିଛନ୍ତି, ୬୭ ବର୍ଷ ପରେ । ଆଉ ଜଣେ ୭୨ ବର୍ଷ ଠିକ୍‌ କରିଛନ୍ତି । ଆପଣ ଏ ଦୁଇକଥା ଭଲ କରି ଦେଖିବେ ।’’ ଏହାକହି ପୁଅ କୋଷ୍ଠୀ ଓ ବହୂ କୋଷ୍ଠୀ ଦେଖାଇଲେ । ପଣ୍ଡିତେ ଖଣ୍ଡିକ ପରେ ଖଣ୍ଡିଏ ସେ ଦୁଇକୋଷ୍ଠୀ ଦେଖି ରାଜଯୋଗ ଶ୍ଳୋକରୁ ଦୁଇଗଣ୍ଡା ଦୀର୍ଘସ୍ୱରରେ ପାଠକରି ତା’ର ଅର୍ଥ ବୁଝାଇ ନାଏବଙ୍କ ମନ ଖୁସି କରିଦେଲେ । ସେ ଜନ୍ମପତ୍ରିକାମାନ ଧରି ବସାକୁ ଗଲାବେଳକୁ କଚେରିରେ ଗୋଟିଏ ଗୋଟିଏ ଲୋକ କମୁଥାନ୍ତି-। ନାଏବ ଲୋକମାନଙ୍କ ଆଗରେ ଜ୍ୟୋତିଷ-ପଣ୍ଡିତଙ୍କ ପ୍ରଶଂସା ଗାଇବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ପଣ୍ଡିତଙ୍କ ନାମ ଚହଳ ପଡ଼ିଗଲା । ସମସ୍ତେ ନିଜ ନିଜ ଜନ୍ମପତ୍ରିକା ତାଙ୍କୁ ଦେଖାଇବାକୁ ଇଚ୍ଛାକରି ପଣ୍ଡିତଙ୍କ ବସାରେ ରୁଣ୍ଡହେଲେ । ସେ ସମସ୍ତଙ୍କଠାରୁ ଜନ୍ମପତ୍ରିକା ରଖି ପରଦିନ ପହରକ ପରେ ଫଳ ଶୁଣାଇବାକୁ କହିଲେ ।

 

ପରଦିନ ସୂର୍ଯ୍ୟ ଉଦୟ ମାତ୍ରେ ନାଏବବାବୁ ଜ୍ୟୋତିଷ-ପଣ୍ଡିତଙ୍କୁ ନିଜ ବାଟଘର ନିକଟକୁ ଡକାଇ ନିରୋଳାରେ ପଚାରିଲେ–ପଣ୍ଡିତେ, କ’ଣ ବୁଝିଲ ? ପଣ୍ଡିତ କହିଲେ–ଆଜ୍ଞା, କାଲିରାତି ମୁଁ ଶୋଇନାହିଁ । ସେମାନେ ୬୭ ଓ ୭୨ ଯାହା କହିଛନ୍ତି, ତା’ ଠିକ୍‌ ନୁହେଁ । ୬୭ ବର୍ଷ ତ କିଛି ନୁହେଁ, ସାମାନ୍ୟ ପୀଡ଼ା । ମାତ୍ର ୭୨ ବର୍ଷଠାରେ ଟିକିଏ ବିଶେଷ ପୀଡ଼ା ହୋଇପାରେ । ୮୧ ବର୍ଷକୁ ଠିକ୍‌ ମାରକ ଘଟୁଛି । ସେମାନେ ଯାହାଭୁଲ୍‌ କରିଛନ୍ତି ଶୁଣନ୍ତୁ । ଏହାକହି ଲମ୍ୱା ଲମ୍ୱା ଶ୍ଳୋକପଢ଼ି ବୁଝାଇ ଦେଲେ ।

 

ନାଏବ କହିଲେ, ଆପଣଠିକ୍‌ କହୁଛନ୍ତି ?

 

ପଣ୍ଡିତ କହିଲେ, ଆଜ୍ଞା ୬୭ ବର୍ଷ ଆଉକେତେକ ଦିନ କି ? ମୁଁ ବଙ୍ଗଦେଶ ଯାଉଛି । ଫେରିଲାବେଳକୁ ଆପଣଙ୍କୁ ୬୭ ହୋଇଥିବ । ମୁଁ ଫେରି ଆପଣଙ୍କୁ ପାଖକୁ ଆସିବି । ଆପଣଙ୍କର କିଛିହେବ ନାହିଁ ।

 

ନାଏବ କହିଲେ, ଆପଣ କ’ଣ ବଙ୍ଗଦେଶ ଯାଆନ୍ତି ? ପଣ୍ଡିତ କହିଲେ, ଆଜ୍ଞା ବଙ୍ଗଦେଶରେ ଜ୍ୟୋତିଷ ବିଦ୍ୟାର ଯେପରି ଆଦର ଓ ଜ୍ୟୋତିଷଜ୍ଞମାନଙ୍କୁ ଯେପରି ଖାତିରି, ଅନ୍ୟ କେଉଁଠାରେ ହେବନାହିଁ । ପଇସା ମଧ୍ୟ ଭଲ ମିଳେ ।

 

ନାଏବ–ଆପଣ କେତେବେଳେ ଏଠାରୁ ଯିବେ ?

 

ପଣ୍ଡିତ–ଆଜ୍ଞା, ରୋଜଗାରୀ ଲୋକ, ପାଞ୍ଚସ୍ଥାନକୁ ଗଲେ ପାଞ୍ଚ ପଇସା ମିଳିବ । ମୁଁ ଆଉ ରହିପାରିବି ନାହିଁ । ଗଣ୍ଡିଏ ଖାଇଦେଲେ ଚାଲିଯିବି ।

 

ଏହାଶୁଣି ନାଏବ ଘରକୁ ଯାଇ ପଇସା ଆଣି ପଣ୍ଡିତଙ୍କୁ ବିଦାୟ କରିଦେଲେ ।

 

ପଣ୍ଡିତ–ଆଜ୍ଞା, ଆପଣଙ୍କ ଭଳି ବିଦାକି ହେଲା ନାହିଁ ।

 

ନାଏବ–ଆପଣ ବଙ୍ଗଦେଶରୁ ଫେରିବାବେଳେ ଏ ବାଟେ ଯିବେ, ଆପଣଙ୍କ କଥାର ସତ୍ୟାସତ୍ୟ କେତେକ ପରିମାଣରେ ଜଣାପଡ଼ିଥିବ । ସେତେବେଳକୁ ଆପଣଙ୍କର ପୂର୍ଣ୍ଣ ବିଦାକି ରହିଲା । ପଣ୍ଡିତ ବିଚାରା ଯାହା ପାଇଲା, କପାଳକୁ ଆଦରି ବସାରେ ପହଞ୍ଚିଲାବେଳକୁ ଅନେକ ଲୋକ ଜମା ହୋଇଅଛନ୍ତି । ସେମାନଙ୍କୁ ସେମାନଙ୍କର ଜନ୍ମପତ୍ରିକା ଫେରାଇ ଦେଇ ଓ ଭବିଷ୍ୟତ ଫଳ ଶୁଣାଇ ସେ ଯାହାହେଲା ଅଣ୍ଟାରେ ମାରି ଖୁସିରେ ସେ ଗ୍ରାମରୁ ଯାତ୍ରାକଲେ । ନାଏବବାବୁ ପଣ୍ଡିତଙ୍କ କଥା ଶୁଣି ସେ ଦିନ ଭଲ କରି ଗଣ୍ଡିଏ ଖାଇଲେ । କାରଣ ପୂର୍ବ ପଣ୍ଡିତଙ୍କ ମତରେ ତାଙ୍କର ଆଉ ଏକ ବର୍ଷମାତ୍ର ପରମାୟୁ ଥିଲା । ତେଣୁ ସେ ବଡ଼ ଚିନ୍ତିତ ଥିଲେ । କିନ୍ତୁ ଏଥର ପଣ୍ଡିତ ନାଏବଙ୍କ ଆୟୁକୁ ୮୧ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଦେବାରୁ ସେ ଲାଗେଲାଗେ ଚାରିଦିନ ଆଚ୍ଛାଗ୍ରାସ ପକାଇବାରୁ ବାତାଜୀର୍ଣ୍ଣ ଧରି ଆମାଶୟ ଆରମ୍ଭ ହେଲା । ଦେଖୁ ଦେଖୁ ଅତିସାର ଓ ଗ୍ରହଣୀଧରି ତାଙ୍କୁ ଅଣାୟତ୍ତ କଲା । ସେ ଆଉ ପଦାକୁ ବାହାରି ପାରିଲେ ନାହିଁ । ଶେଷରେ ଗୋଡ଼ହାତ ଫୁଲିବାକୁ ଆରମ୍ଭ ହେଲା ।

 

ଲୋକମାନେ ଏହା ଦେଖି ଭାବିଲେ ଯେ, ନାଏବ ଆଉ ଠାକି ପାରିବେ ନାହିଁ । ଆଚ୍ଛା ପଣ୍ଡିତ ଆସି ଠକାଠକି କରି କେତେ ପଇସା ନେଇଗଲା । ସେଠାରେ ସେତେବେଳେ ଗ୍ରାମର ନାହାକ ବସିଥିଲେ । ତତ୍‌କ୍ଷଣାତ୍‌ ସେ କହି ପକାଇଲେ, ‘‘ଆହେ ଗାଁ କନିଆ ସିଙ୍ଗାଣୀ ନାକୀ, ଆମ୍ଭ କଥାକୁ କେହି ବିଶ୍ୱାସ ଯିବେ ନାହିଁ । ଦୂରରୁ ଜଣେ ଆସୁ, ସେ ଯାହା କହିବ, ସବୁ ସୁନ୍ଦର । କାଳର ବିବିଚାର ! ସେ ଆଗକଥା କହିଦେଇ ଛୁ’ କଲେ, ଫଳ ଫଳିଲା କି ନ ଫଳିଲା ବେଳକୁ ତାଙ୍କର ଦେଖାହୁଏ ?’’ ବୈଦ୍ୟ ବିଚରା କହିଲା, ‘‘ବୃଦ୍ଧସ୍ୟ ଗ୍ରହଣୀରୋଗ ପାଦଶୋଥ ନ ଜୀବତି । ଆଉ ଆଶାବୃଥା । ଏଣିକି କେବଳ ଘାଣ୍ଟିହେବା ସାରହେବ ।’’ ପୁରୋହିତ କହିଲେ, ‘‘ଆରେ, ବାପ୍‌ରେ ! ନାଏବଙ୍କର ଯେଉଁ ଲୋଭ, ତାଙ୍କର ପ୍ରାଣ କ’ଣ ସହଜରେ ପିଣ୍ଡଛାଡ଼ି ଯିବ ? ସେ ଦିନାକେତେ ପଡ଼ି ରହିବେ ।’’ ସତକୁ ସତ ଝାଡ଼ା ବନ୍ଦ ହୋଇଯାଏ, ମାତ୍ର ଫୁଲାବଢ଼େ, ଫୁଲା କମିଲେ ଝାଡ଼ା ବେଶିହୁଏ । ଏହିପରି ରୋଗ ହାଡ଼ବାଇ ଛଉଲି ପରି ତାଙ୍କ ଦେହରେ ରହିଥାଏ । ସେ ଆଉ ବିଛଣାରୁ ଉଠିପାରିଲେ ନାହିଁ । ଚାହୁଁଚାହୁଁ ଛ’ ମାସ ଅତୀତ ହୋଇଗଲା । ଶେଷକୁ ତାଙ୍କର ଆହାର ବନ୍ଦ ହୋଇଯିବାରୁ ସେ ଅତି ଦୁର୍ବଳ ହୋଇ ପଡ଼ିଲେ । ମାତ୍ର ତାଙ୍କମନରେ ଦମ୍ଭ ଥାଏ ଯେ ୬୭ ବର୍ଷ ହୋଇନାହିଁ । ଏ ରୋଗଟା ଭଲ ହୋଇପାରେ । ଶେଷରେ ଯେତେବେଳେ ତାଙ୍କର ହାତଗୋଡ଼ ଚଳିବାକୁ ଅକ୍ଷମ ହେଲା, ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା । ଦେଖୁଁ ଦେଖୁଁ ଜ୍ୱର ହେଲା । ସମସ୍ତେ କହିଲେ, ‘‘ଶରତକାଳ, ଝାଡ଼ାରୋଗ, ହାତଗୋଡ଼ ଫୁଲା, ଜ୍ୱର ଆଉ ବିଳମ୍ୱ ନାହିଁ ।’’ ଗୁମାସ୍ତା ପ୍ରଭୃତି ସାବଧାନ ହେଲେ । ତିନିଦିନ ଜ୍ୱରରେ ସେ ସଂଜ୍ଞାହୀନ ହୋଇପଡ଼ିବାରୁ ପୁରୋହିତଙ୍କୁ ଡାକି ଦାନ ଦେବାର ବନ୍ଦୋବସ୍ତ ହେଲା ।

 

(ପାଠକେ ଏହିଠାରୁ କଥା ଆରମ୍ଭ ହୋଇଥିଲା)

 

ପୁରୋହିତ ଓ ନାଏବଙ୍କର ଦଦେଇ ପୁଅ ଭାଇ ଦାମବାବୁ ଜଗି ଶୋଇଲେ । ପୁରୋହିତଙ୍କୁ ନିଦ ହେଉ ନ ଥାଏ । ସେ ଦାନସାମଗ୍ରୀ ପାଖରେ ସଜାଡ଼ି ରଖିଥାନ୍ତି । କାଳେ ରାତିରେ କିଛିହୁଏ, ତେବେ ଛୁଆଇଁ ଦେଇ ରଖି ଦେବେ । ସେ ରାତିଟା ତାଙ୍କୁ ସାତଟା ରାତି ପରିବୋଧ ହେଉଥାଏ ।

Image

 

ତ୍ରିଂଶ ପରିଚ୍ଛେଦ

 

ମନୁଷ୍ୟଜୀବନର ପ୍ରଥମାବସ୍ଥା କ୍ରନ୍ଦନରେ ଯାଏ । ମଧ୍ୟରେ ଅସନ୍ତୋଷ–ଆଉ ପୁଅ ହୁଅନ୍ତା, ଆଉ ଧନ ହୁଅନ୍ତା, ଇତ୍ୟାଦି; ଶେଷ ଅବସ୍ଥା ହତାଶ–ଏ କାମନା, ଆଉ ହୋଇପାରିଲା ନାହିଁ, ପୁଅର ବିବାହ ହୋଇ ପାରିଲା ନାହିଁ, ଇତ୍ୟାଦି । ନାଏବବାବୁ ପୁଷ୍କରିଣୀ ଖଣ୍ଡିଏ ଆରମ୍ଭ କରି ଶେଷ କରିପାରି ନାହାନ୍ତି । ପୁତ୍ରର ଢଙ୍ଗ ଦେଖି ଧନ ଓ ଜନ ପ୍ରଭୃତି କିଏ ଆଡ଼େଇବ, ଏ ସବୁ କଥାରେ ହତାଶ ହୋଇ ବର୍ତ୍ତମାନ ମୃତ୍ୟୁଶଯ୍ୟାରେ ଶାୟିତ । ଗ୍ରାମମଧ୍ୟରେ ଆଉ ଯାହା ପାଖରେ ଭଲ ଭଲ ଜମିଥିଲା, ସେସବୁ ନେବାକୁ ଆଶାଥିଲା, ଆଉ ଦଶ ବର୍ଷ ବଞ୍ଚିବାକୁ ମନ ଥିଲା, ନାତି ନାତୁଣୀ ଦେଖିବାକୁ ମଧ୍ୟ ଇଚ୍ଛାଥିଲା । ବର୍ତ୍ତମାନ ତାଙ୍କ ମନର ଗତି କିଏ ଶୁଣିବ ? କେବଳ ଅନ୍ତର୍ଯ୍ୟାମୀ ଜାଣନ୍ତି । ଗୋଡ଼ହାତ ପାଣି ହୋଇଗଲାଣି, କଫ ତଣ୍ଟି ପାଖରେ ପହଞ୍ଚିଲାଣି । ରାତି ଭୋର ହେବାକୁ ଘଡ଼ିଏ ମାତ୍ର ଅଛି । ପୁରୋହିତ ଚଉଁରାମୂଳ ସଫାକରି ଦାନ ପଦାର୍ଥ ସବୁସେଠାକୁ ନେବାକୁ ସାବୀକୁ ବ୍ୟସ୍ତକରି ପକାଇଲେଣି । ଦାମବାବୁ ସାଧୁଆକୁ ଡାକି ସାବିକୁ ସାହାଯ୍ୟ ଦେବାକୁ ବରାଦ ଦେଲେ । କୁଆ’ କା’ କଲାବେଳକୁ ଶାସନ, କରଣସାହି ଓ ଦୁଇ ପାଟଣାର ଲୋକ ଆସି ପୂର୍ଣ୍ଣ ହୋଇଗଲେ । ନାଏବ ଶୋଇଥିବା ଦ୍ୱାରରେ ଲୋକ ଜମା ହୋଇଯିବାରୁ ଘର ଅନ୍ଧାର ଦିଶୁଥାଏ । କେବଳ ନାଏବଙ୍କୁ ତଣ୍ଟି-ଘଡ଼ଘଡ଼ ଶବ୍ଦ ଲୋକମାନଙ୍କୁ ଶୁଣାଯାଇଥାଏ । ସାବୀଙ୍କୁ ବରାଦ ଦେବାମାତ୍ରେ ପୁରୋହିତ ଘରୁବାହାରି ଯାଇ ନଦୀକୂଳରେ ତରତର ହୋଇ ନିତ୍ୟକର୍ମ ସାରି, ସ୍ନାନ କରି ଠାକୁର ମନ୍ଦିରରେ ଚିତାକରି ପୂଜା ଓ ଗୁଣାଗୁଣିକୁ ପଛକୁ ଦେଖି ନାଏବଙ୍କ ପାଖରେ ପହଞ୍ଚିଗଲେ । ଦେଖିଲେ, ଆଉ ଘଡ଼ିକେ କଥା ଶେଷହେବ । ଦାମବାବୁଙ୍କ କାନରେ ଚୁପ୍‌ଚୁପ୍‌ କରି କ’ଣ କହିଦେଲେ । ସେ ତାହାଶୁଣି ଆପଣାର ଭାଇ, ପୁତୁରାଙ୍କୁ ଡାକି ନାଏବଙ୍କୁ ଚଉଁରାମୂଳକୁ ଟେକି ନେଇଗଲେ । ପୁରୋହିତ ସ୍ନାନକୁ ଯିବା ପୂର୍ବରୁ ଭାବିଲେ, ଜମି ଦାନ କଥା ଛିଡ଼ିଲା ନାହିଁ, କ’ଣ କରିବି ? ନିଧି ଅମଳରେ ତ ‘ଦାରୀଏ ଖାଇବେ ଡାଲି ଚାଉଳ, ବ୍ରାହ୍ମଣ ଖାଇବେ ଚାପୁଡ଼ା ।’’ ଏତେବେଳେ ଯାହା ମିଳିଥିବ । ହଉ, ସ୍ନାନ କରି ଆସେ । ଦେଖାଯାଉ, ଭଗବାନଙ୍କ କି ବରାଦ ଅଛି । ବୁଢ଼ାକୁ ଚଉଁରାମୂଳକୁ ନେବାରୁ ସେ ଯାଇ ନିଧି ପାଖରେ ପହଞ୍ଚିଲେ-। ନିଧିକୁ କହିଲେ, ବାପ, ମନ ଦମ୍ଭ କର । ନାଏବ ତୋ ପାଇଁ ସବୁ ରଖିଯାଇ ଅଛନ୍ତି । ଆଉ ସମୟ ନାହିଁ । ଶୀଘ୍ର ଦାନ କରି ଦେବା । କାଲି ରାତିରେ ତୁ ଶୋଇ ପଡିଥିଲୁ । ମୁଁ ବୁଢ଼ା ପାଖରୁ ଚାବି ଆଣି ସାବୀ ପାଖରେ ଦେଇଛି । ଆଲୋ ସାବି, ଚାବି ଦେବୁଟି । ପଛରେ ବାକ୍ସ ପ୍ରଭୃତି ଛୁଆଁ ହେଇଯିବ । ସେ ଖର୍ଚ୍ଚ ପାଇଁ କିଛି ରଖିବେ ।’’ ସାବୀ ବୋହୂ ନିକଟରୁ ଚାବି ଆଣି ଦେଲା । ସୁଶୀଳା କହିଲେ, ‘‘ମୋ ପାଖରେ ଚାବିଥିଲାବୋଲି କହିବୁ ନାହିଁ, ତୁ ରଖିଥିଲୁ ବୋଲି କହିବୁ ।’’ ପୁରୋହିତ ନିଧିକୁ ଚାବି ଦେଇ ତା’ ସାଙ୍ଗରେ ଯାଇ ହାତବାକ୍ସ ଫିଟାଇ ଦେଖିଲେ, ସେଥିରେ ଟଙ୍କା ପୂରିଛି । ଟଙ୍କା ଦେଖି ନିଧିଙ୍କର ମନ କୁଣ୍ଢେଇ ମୋଟ ହୋଇଗଲା । ସେ ପୁରୋହିତଙ୍କ ଉପରେ ଖୁସି ହୋଇଗଲେ । କେତେ ଦକ୍ଷିଣା ପଡ଼ିବ ପଚାରିଲେ । ପୁରୋହିତ ତାଲିକା ଦେଖାଇ କହିଲେ, ‘‘କାଲି ରାତିରେ ଦାମବାବୁ ଏ ତାଲିକା କରିଅଛନ୍ତି ।’’ ନିଧି ତାଲିକା ଅନୁସାରେ ପଇସାଧରି ପୁରୋହିତଙ୍କ ସଙ୍ଗେସଙ୍ଗେ ଆସିଲେ । ଆସୁ ଆସୁ କହିଲେ, ‘‘ବାପ, କାଲି ଦାନ ହୋଇଥାନ୍ତା, ମାତ୍ର, ଜମିଖଣ୍ଡିଏ ଦେବାର କଥା । ତୋ ସଙ୍ଗେ ପରାମର୍ଶ କରି ସ୍ଥିର କରିବାକୁ ଥିଲା । ବୁଢ଼ା ତୋ ପାଇଁ କେତେଜମି ରଖି ଯାଇନାହିଁ । ବ୍ରାହ୍ମଣକୁ ଖଣ୍ଡେ ଭଲ ଜମି ଦେଖି ଦେ, ମୁଁ ବେଶିଚାହୁଁ ନାହିଁ । ମୋର ଯେଉଁ ମାଣକ ବୁଢ଼ାଖରିଦ କରିଥିଲେ, ସେ ମାଣକ ଦେଲେ ମୁଁ ବୋଧ ହୋଇଯିବି ।’’ ନିଧି କହିଲେ, ‘‘ହଉ, ଚାଲ ।’’ ପୁରୋହିତ ଆସି ଲଣ୍ଡ ଭଣ୍ଡ ହୋଇ ସଂକଳ୍ପଟାଏ କରାଇ ଦେଇ ଦାନସବୁ ଉତ୍ସର୍ଗ କରି ବୁଢ଼ା ହାତରେ ଛୁଆଇଁ ଦେଇ ନିଜ ପୁଅକୁ ଦେଉଥାନ୍ତି । ନିଧି ତାଲିକା ଅନୁସାରେ ଦକ୍ଷିଣା ଦେଇ ଦେଉଥାଏ । ଦାନ ଶେଷହେବାମାତ୍ରେ ପୁରୋହିତ ଓ ଦାମବାବୁ ପୁରୁଷଲୋକମାନଙ୍କୁ ଆଡ଼େଇ ଦେଇ ସ୍ତ୍ରୀଲୋକମାନଙ୍କୁ ଡାକୁ ଡାକୁ ବୁଢ଼ାର ପ୍ରଥମ ହିକ୍‌କା ଆସିଲା-। ପୁରୋହିତ ଆଗରୁ ବାକ୍ୟୋଦକ ମନ୍ତ୍ରି ରଖିଥିଲେ । ବାକ୍ୟୋଦକ ଦେବା ପରେ ଆଉ ଗୋଟିଏ ହିକ୍‌କା ଆସିଲା । ସ୍ତ୍ରୀଲୋକମାନେ ପାଣି ଟିକିଏ ଦେଇ ଯାଉ ଯାଉ ତୃତୀୟ ହିକା ଆସିଲା । ନିଧି ପାଣି ଟିକିଏ ଦେବା ସଙ୍ଗେସଙ୍ଗେ ନାଏବ ପାଟି ଆଁ କରିଦେଲେ । ପୁରୋହିତ ପାଟିକରି କାନ୍ଦିଲେ, ‘‘ଶେଷ ହୋଇଗଲା । ପାଟିବାଟେ ପ୍ରାଣ ଚାଲିଗଲା ।’’ ସାବୀ, କମଳା ଓ ସାଧୁଆ ଦୌଡ଼ି ଆସି ବୁଢ଼ାକୁ ଧରି ଉଚ୍ଚସ୍ୱରରେ କାନ୍ଦିଲେ । ତେଣେ ବହୂ ବିଚାରୀ କୋଡ଼ିକଚାଡ଼ି ହେଉଥାଏ । ଗାଁ ମାଇପେ ତାକୁ ବୋଧ କରୁଥାନ୍ତି । ପୁରୁଷ ଲୋକସବୁ ଦାଣ୍ଡକୁ ଚାଲି ଆସିବାରୁ କରଣ ସାହି ସ୍ତ୍ରୀଲୋକ ଓ ସୁଶୀଳା ଆସି ଶବଚାରି ପାଖ ଘେରି କାନ୍ଦିବା କୁଲାଗିଲେ । ଦାମବାବୁ ପୂର୍ବରୁ ସବୁ ବନ୍ଦୋବସ୍ତ କରିଥିଲେ ହେଁ ସେସବୁ ଏକତ୍ର କରି ଶବ ଉଠାଇବା ପାଇଁ ଲଣ୍ଡ ଭଣ୍ଡ ହେଉଥାନ୍ତି । ଏଥି ମଧ୍ୟରେ ନିଧି ଖସି ଆସି ସାଙ୍ଗମାନଙ୍କୁ କହିଲା, ‘‘ଭାଇ କ’ଣ କରିବି, ମୋ ମନଟା କ’ଣ ହେଉଛି ଓ ମତେ ଡର ମାଡୁଛି ।’’ ଜଣେ କହିଲା, ‘‘ଆରେ ତୁଟା କିଛିଜାଣୁ ନା, ଟିକିଏ ପକାଇ ଦେ ତ, ଡର ଫର ସବୁ କୁଆଡ଼େ ଚାଲିଯିବ ।’’ ନିଧି କହିଲା, ‘‘ଚାଲ ବଗିଚାକୁ ଯିବା, ଦେଖିବା ମାଲକେତେ ଅଛି ।’’ ବଗିଚାକୁ ଯାଇ ମାଳିକୁ ମାଗିବାରୁ ସେକହିଲା, ‘‘ବାବୁ, ଏତେବେଳେ ଖାଅ ନାହିଁ ।’’ ତାଙ୍କ ସଙ୍ଗୀକହିଲା, ‘‘ସେଥିରେ କଅଣ ଅଛି, ସେ ତ ଔଷଧ, କ’ଣ ଭାତଭୁଜା ହୋଇଛି ? ତାକୁ ଡର ମାଡୁଛି, କ’ଣ କରିବ ?’’ ସେ ଅଗତ୍ୟା ବାଧ୍ୟ ହୋଇ ଯେତେଥିଲା, ସେଥିରୁ ଅଧେ ଢାଳି ଦେଇ ଅଧେ ଦେଲା ।

 

ନିଧି ସେତକ ପକାଇ ଦେବାରୁ ସିଂହ ପରି ଆସି ଶବ ପାଖରେ ଛିଡ଼ା ହୋଇଗଲା । ଦାମବାବୁଙ୍କ ବରାଦମତେ ସଂକୀର୍ତ୍ତନ ଦଳ ଆସି ପହଞ୍ଚିବାରୁ ଶବ ଉଠାଇବାର ବନ୍ଦୋବସ୍ତ ହେଲା-। ନିଧି ବଗିଚାରୁ ଘରକୁ ଫେରିବାବେଳେ ଦୁଆର ପାଖରେ ଧୋବାହାତ ଯୋଡ଼ି କହିଲା, ‘‘ଆଜ୍ଞା, ଆପଣଙ୍କ ଭଳି ପୁଅ ଥାଉଁ ଥାଉଁ ଶବ ଯେପରି ଅଭେକରେ ନ ଯାଏ–ଖଣ୍ଡେ ଭଲ କରିଢାଙ୍କି ଦେବେ ।’’ ନିଧି ଏ କଥା ଶୁଣି ଘର ଭିତରୁ ନାଏବଙ୍କ ଘୋଡ଼ାଇ ହେବା ଶାଲ ଆଣି ଶବଉପରେ ଢାଙ୍କି ଦେଲା । ଏହା ଦେଖି ସାଧୁଆ କହିଲା, ‘‘ହେଇ ଦେଖ, ଆରମ୍ଭ ହେଲା । ଏହିପରି ସବୁ ଯିବ-।’’ ନିଧି ତା ଆଡ଼କୁ ତରାଟି ଚାହୁଁଥାନ୍ତି । ‘ଗଙ୍ଗା ନାରାୟଣ’, ‘ହରି ନାମସତ୍ୟ’ ଇତ୍ୟାଦି ଉଚ୍ଚାରଣ କରି କରି ଶବକୁ ଧରି ଶ୍ମଶାନକୁ ବାହାରିଲେ । ଚାରିସାହିର ଲୋକ ଥାଟପରି ଛିଡ଼ା ହୋଇଥାନ୍ତି । କିଏ କେତେ କଥା କହୁଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀଲୋକ ଆଉ ଗୋଟିଏ ସ୍ତ୍ରୀଲୋକକୁ କହିଲା, ‘‘ଦେଖିଲୁ ଲୋ ଭଉଣୀ, ବାପକୁ ପୋଡ଼ିବାକୁ ନେଉଛନ୍ତି, ପୁଅ କିପରିକାଠ ପରି ଛିଡ଼ା ହୋଇଛି । ବାପ ତାକୁ କେତେ ଗେହ୍ଲାରେ ବଢ଼ାଇଥିଲେ । ସେ ଏତେବେଳେ ଗଛର ପତର ପରି ଝଡ଼ିପଡ଼ନ୍ତା । ଏ ମା, କି ପୁଅ ଲୋ, ଟିକିଏ କୁଁ କଲା ନାହିଁ ?’’

 

ଶବକୁ ଶ୍ମଶାନ ପଡ଼ିଆରେ ରଖିଦେଇ ବସିଗଲାବେଳକୁ ବାୟୁକୋଣରୁ ଖଣ୍ଡେ କଳାହାଣ୍ଡିଆ ମେଘ ଉଠିଆସିଲା । ସମସ୍ତେ ତ୍ରସ୍ତ ହୋଇଗଲେ । ଜଣେ କହିଲା, ‘‘ଭାଇ, ଆଜି ହଇରାଣ ଯୋଗ ଅଛି ।’’ ଆଉ ଜଣେ କହିଲା, ‘‘କ’ଣ କରିବା, ଛାଡ଼ି ପଳାଇବା କଥା ହୋଇଛି ? ଯାହା ହେବାର ହେବ । ଶୀଘ୍ର ଶବକୁ ଲଦି ଦେଇ ନିଆଁ ଦେଇଦେଲେ ତେଣିକି ଦେଖାଯିବ ।’’ ଜଣେ କହିଲା, ‘‘ଅଗାଧୁଆ ବେଳଟା, ଚିନ୍ତା କ’ଣ ? ଟିକିଏ ଚାହିଁବା ।’’ ଆଉଜଣେ କହିଲା, ‘ଲୋକର ଭଲମନ୍ଦ ବାଣୀ, ମରଣକାଳେ ତାହା ଜାଣି’, ବୁଢ଼ା କେତେଲୋକଙ୍କୁ କେତେ ହଇରାଣ କରିଛି, ସେ କ’ଣ ସହଜରେ ପୋଡ଼ାଯିବ ?’’

 

ଧନ୍ୟ ଶ୍ମଶାନ ! ଧନ୍ୟ ତୋର ନିରପେକ୍ଷତା । ଉପବନସେବିତ, ଦୁଗ୍ଧ ଫେନିନିଭ ଶଯ୍ୟାଶାୟିତ, ଛତ୍ର ଚାମର ବୀଣାଦି ଉପଚାର ରାଜିତ, ସୁରସ ସୁଗନ୍ଧ ମୋଦିତ କ୍ଷଣି ଗଣଭୂଷିତ ଓ ସର୍ବଜନାଦୃତ ବଦନ ତୋ ଅଙ୍କରେ ଯେ ରୂପ ଧାରଣକ ରୁଅଛି, ପ୍ରକୃତି-ଉଦ୍ୟାନ-ସେବିତ କର୍କଶ ବେଣା ବିଛଣା-ନିଦ୍ରିତ, ପତ୍ରାଦି ଉପଚାର ରାଜିତ, କୁରସକୁଗନ୍ଧମୋଦିତ, କଙ୍କରଭୂଷିତ, ଚ୍ଛିନ୍ନବାସାବୃତ ଓ ସର୍ବଜନଘୃଣିତ ବଦନ ମଧ୍ୟ ସେହି ଏକା ଭସ୍ମରେ ପରିଣତ ହେଉଅଛି । କି ଧନ, କି ଜନ, କି ପଣ, କାହାରି ପାଇଁ ତୋ’ଠାରେ ବର୍ଣ୍ଣଭେଦ ନାହିଁ । ଏ ତୋର ଦାରୁଣତା କି କରୁଣ, ଏହା ତୋତେ ଜଣା, ମାତ୍ର ଦୁର୍ବଳ ପାଇଁ ତୁ ଏକା ଶାନ୍ତିର ନିଳୟବୋଲି ସକଳ ସଙ୍ଗରେ ନିର୍ଦ୍ୱନ୍ଦ୍ୱରେ ତାକୁ ଏକାସନ ଦେଉଅଛୁ । ଧନ୍ୟ ତୋର ମହିମା ! ଯାହା ମାନବ ଜ୍ଞାନଗମ୍ୟ ନୁହେଁ । ଓହୋ ! ମାନବକି ଅଜ୍ଞାନ ! ଶ୍ମଶାନରେ ଶବଦାହରେ ଲାଗିଅଛି, କାଲି ତା ଦେହର ଦାହ ପାଇଁ ପଞ୍ଝାଏ ଆସିବେ, ତଥାପି ନିଜର ବାହାଦୂରି ଛାଡ଼ୁନାହିଁ ।

 

ଯୋଗକୁ ମେଘ ବର୍ଷା ଫରଫର ହୋଇ ଚାଲିଗଲା । କାଠ ସଙ୍ଘାଡ଼ି ଦେଇ ଯଥାବିଧିରେ ଶବକୁ ଉତ୍ତରକୁ ମୁଣ୍ଡକରି ଶୁଆଇ ଦେଇ କୁଲାରେ ଦୁଇଜଣ ବିଞ୍ଚିବାକୁ ଲାଗିଲେ । ଚିତାନଳ ଭୀଷଣଆକାର ଧାରଣକରି ଚତୁର୍ଦ୍ଦିଗ ଓ ଊର୍ଦ୍ଧ୍ୱକୁ ଉଠିବାରୁ ସମସ୍ତେ ଚାଲିଆସି ଖଣ୍ଡଦୂରରେ ବସିଲେ । ଏକତ୍ର ମେଳାବାନ୍ଧି ଗୋଲାକାରରେ ବସିଥାନ୍ତି ଏବଂ ପରସ୍ପର ମଧ୍ୟରେ ନାନା କଥାବାର୍ତ୍ତା ହେଉଥାନ୍ତି । ଅଧିକାଂଶ ଗଳ୍ପ–ଯେ ଯେତେ ଶବ ଦାହ କରିଛି ଏବଂ କିପରି ସମୟରେ କରିଛି । ନାଏବଙ୍କ ଶବ ଦେହରେ ତାତି ଲାଗିବାରୁ ଦେହର ଚମ ଫାଟି ଚଡ଼ଚଡ଼ ଶବ୍ଦ କରି ପିଚକାରୀ ପରି ପାଣି ଶବ ଦେହରୁ ବାହାରି ଚିତାନଳ ଭେଦ କରି ପଦାରେ ପଡ଼ିଲା । ଜଣେ ନୂଆଲୋକ ସେଥିର ଥିବାରୁ ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘‘ଭାଇ, ଏଗୁଡ଼ାକ କଅଣ ?’’ ଜଣେ ବୁଢ଼ା କହିଲା, ‘‘ଆରେ, ଶୋଥ ବେମାରିଆ ଶବରୁ ସେହିପରି ପାଣି ବାହାରେ ।’’ ଦେଖୁ ଦେଖୁ ଉକ୍ତ ପାଣିଦ୍ୱାରା ନିଆଁ ନିଭିବାକୁ ଆରମ୍ଭ ହେଲା । ଜଣେ ବୁଢ଼ା କହିଲା, ‘‘ଆରେ, ଦୁଇ ଜଣ ଭେଣ୍ଡିଆ ଯା ବିଞ୍ଚ ।’’ ଦୁଇ ଜଣ ଯାଇ ପୁଣି ବିଞ୍ଚିଲେ । ପୁଣି ନିଆଁଜଳି ଉଠିବାରୁ ତା ମଧ୍ୟରେ ଶବ ଦେଖାଯାଉଥାଏ । କ୍ରମେ ମାଂସସବୁ ନିଆଁରେ ଗଳି ପଡୁଥାଏ । ଜେଣ ବୁଢ଼ାକହିଲା, ‘‘ଆରେ ପିଲାଏ, ଖୁଞ୍ଚଣା ଲଗାଅ, କାଠସବୁ ଗଡ଼ି ପଡ଼ିବ, ସାବଧାନ ।’’ ସେ ଦୁଇଜଣ କହିଲେ, ‘‘ନାଏବଙ୍କ ଦେହରେ ଖୁଞ୍ଚଣା ମାରିବାକୁ ଆମ ମନ ହେଉନାହିଁ ।’’ ଜଣେ ବୁଢ଼ାକହିଲା, ‘‘ଆରେ ଏଗୁଡ଼ାକ ପିଲାବୁଦ୍ଧି ଛାଡ଼ି ନାହାନ୍ତି । ଏଗୁଡ଼ାକୁ କାହିଁକି ସଙ୍ଗରେ ଆଣିଲ ?’’ ଜଣେ ବୁଢ଼ାକହିଲା, ‘‘ଆମର ଆଉ ଖୁଞ୍ଚଣା ଧରିବାକୁ ବଳ ଅଛି ? ସେମାନେ ନକଲେ ଶିଖିବେ କିପରି ?’’ ଜଣକର ନାଏବଙ୍କ ଉପରେ ରାଗଥାଏ । ସେ ଘିଡ୍‌କରି ଉଠି ପାଇକଛା ମାରିଦେଇ କହିଲା, ‘‘ଆରେ ପିଲାଏ, ଦେଖିବ, ମୁର୍ଦ୍ଦାରକୁ କିପରି ଶୀଘ୍ର ପୋଡ଼ିବାକୁ ହୁଏ ।’’ ଏପରି କହି ଗୋଟାଏ ଲମ୍ୱାତଡ଼ା ଧରି ଶବ ଛାତିକୁ ଲକ୍ଷ୍ୟକରି ଏକ ଖୁଞ୍ଚା ଦେଲା, ପୁଣି ଅଣ୍ଟାକୁ ଲକ୍ଷ୍ୟକରି ଏକ ଖୁଞ୍ଚାମାରି ମୁଣ୍ଡ ଓ ଗୋଡ଼ ତଡ଼ାରେ ଏକତ୍ର କରି ଚାରିପାଞ୍ଚ ଖୁଞ୍ଚାରେ ଅଙ୍ଗପ୍ରତ୍ୟଙ୍ଗ ଅସ୍ଥି ଏକତ୍ର କରିଦେଇ କାଠଗୁଡ଼ିକ ତା’ ଉପରେ ତଡ଼ା ଓ ହାତରେ ଏକାଠି ଲଦାଲଦି କରି ସେଠାରେ ଥିବା ଦୁଇଜଣ ଭେଣ୍ଡାଙ୍କୁ ବିଞ୍ଚିବାକୁ କହି ସେ ଝାଳ ଗମଗମ ହୋଇ ପୂର୍ବସ୍ଥାନରେ ଆସି ବସିପଡ଼ିଲେ । ଟିକିଏ ଦମ୍‌ନେଇ ପୂର୍ବ ଶବଦାହ ବୃତ୍ତାନ୍ତ କହିବାକୁ ଆରମ୍ଭ କଲେ । ହଇଜା ରୋଗୀ ଶବକାହାକୁ ରାତିରେ, କାହାକୁ ମେଘ ଅନ୍ଧାରରେ କିପରି ପୋଡ଼ିଥିଲେ; ସେସବୁ କଥା ଆଉ ସେସବୁ ଶବ ପୋଡ଼ିଲାବେଳେ କାହାର ଗୋଡ଼ଟା ଉପରକୁ ଉଠିଯାଏ, କାହାର ମୁଣ୍ଡଟା ଟେକି ହୋଇଯାଏ, କାହାର ମୁଣ୍ଡତଳକୁ ଗଡ଼ି ଆସେ କିମ୍ୱା କାହାର ହାତଉ ପରକୁ ଟେକି ହୋଇଯାଏ–ଏହିସବୁ ଗଳ୍ପ କରୁ କରୁ ନାଏବଙ୍କ ଶବଭସ୍ମ ହୋଇଗଲା । ସମସ୍ତେ ଏକତ୍ର ହୋଇସ୍ନାନ କରିବାକୁ ବାହାରିଲେ । ବାଟରେ ଗଲାବେଳେ ଜଣେ ବୁଢ଼ାକହିଲା, ‘‘ନାଏବବାବୁଙ୍କ କଥା ଆଜିଠାରୁ ଶେଷରେ ପିଲାଏ । ତାଙ୍କର ଏତେ ମାୟାମମତା କୁଆଡ଼େ ଗଲା ! ଆଉ ସେ କୁଆଡ଼େ ଗଲେ ! ସଂସାରଟା କିଛି ନୁହେଁ–ମିଛମାୟାରେ ଲୋକ ଏତେଘାଣ୍ଟି ହେଉଛି ସିନା !’’ ଆଉଜଣେ ବୁଢ଼ାକହିଲା, ‘‘ଆରେ ଭାଇ, ଶବ ଦାହକରି ଆସି ବର୍ତ୍ତମାନ ଯେପରି ମତି ହେଉଛି, ପୁରାଣ ଶୁଣିବା ଶେଷରେ ଯେପରି ହୁଏ ଏବଂ ରତି ଶେଷରେ ଯେପରି ହୁଏ, ସବୁବେଳେ ସେପରି ମତିହେଲେ କିଏ କାହିଁକି ଏ ଭବବନ୍ଧନରେ ବାନ୍ଧି ହୁଅନ୍ତା ? ଏକ୍ଷଣି ଘରେ ପହଞ୍ଚିବାମାତ୍ରେ ସବୁ ଭୁଲିଯିବ–ଯେଉଁ କଥାକୁ ସେହି କଥା ।’’ ଆଉଜଣେ କହିଲା, ‘‘ରେ ଭାଇ, ପୁଅ ପାଇଁ ଲୋକେ କି ବ୍ୟସ୍ତହୁଅନ୍ତି, କେତେ ଲୋଭକରି ଓ କେତେ କଷ୍ଟ ସହି ତାପାଇଁ ଧନ ରଖନ୍ତି, ଆଉକେତେକ ଗେହ୍ଲା କରିଥାନ୍ତି । ଶେଷରେ ସେ ପୁଅ ମୁହଁରେ ନିଆଁ ଦେଇଯାଉଛି । ତା’ ମନରେ ଏତେ ମାୟାମମତା ସେତେବେଳେ କୁଆଡ଼େ ଚାଲିଯାଏ ? ପୁଣି ଦେଖ, ଯାହାଙ୍କର ପୁଅ ନାହିଁ, ମଲାବେଳେ ମୁହଁରେ ନିଆଁ ଦେବା ପାଇଁ ସହୋଦରମାନଙ୍କୁ ପର ଜ୍ଞାନ କରି ପୋଷ୍ୟପୁତ୍ରଟିଏ କରି ସେତାକୁ ସମ୍ପତ୍ତି ଖୁଆଉଛନ୍ତି ।’’ ଜଣେ କହିଲା, ‘ପୋଷାପୁଅ ଗେଞ୍ଜାରୁଆ’ କୌଣସି କାମକୁ ଆସେ ନାହିଁ । ଆମ ଦେଶରେ ଏଇଟା ବଡ଼ଖରାପ କଥା । କିରେ, ନିଜର ତ ପୁଅ ହେଲା ନାହିଁ ପରଠାରୁ ଗୋଟାଏ ଆଣିତାକୁ ସମ୍ପତ୍ତି ଖୁଆଇବ କାହିଁକି ? ଧର୍ମକାର୍ଯ୍ୟରେ ସେ ସମ୍ପତ୍ତି ଲଗାଇ ଦେଲେ ଗ୍ରାମର କେତେମଙ୍ଗଳ ହୁଅନ୍ତା ?’’ ଜଣେ କହିଲା, ‘‘ଆରେ, ଈର୍ଷା ଓ ଲୋଭ ଛାଡ଼ିଲେ ସିନା ହୁଅନ୍ତା । ଭାଇ ତ ଭଗାରି, ତେଣୁ ଦେଶଯାକ ହେଲେଣି ଚାକର ବଜାରି । ଛାଡ଼ ସେକଥା, ଭୋକ ହେଲାଣି, ଚାଲ ଶୀଘ୍ର ଯିବା ।’’

 

ଦାମବାବୁ ଓ ପୁରୋହିତଙ୍କର ବରାଦ ଅନୁସାରେ ଶୁଦ୍ଧିକ୍ରିୟା ଶେଷହେଲା । ଏକାଦଶ ଦିନ ଅନେକ ବ୍ରାହ୍ମଣ ଉପସ୍ଥିତ ହେଲେ, ମାତ୍ର ବର୍ଷାହେବାରୁ ଗ୍ରାମ ପିଣ୍ଡାମାନଙ୍କରେ ବସି ପୂର୍ବବ୍ରାହ୍ମଣ ଭୋଜନମାନଙ୍କର ପ୍ରଶଂସା ଓ ନିନ୍ଦା ଗାଇଗାଇ ଶେଷରେ ମେଘଛାଡ଼ିବାରୁ କାଦୁଅରେ ବସି ଗଣ୍ଡିଏ ଗଣ୍ଡିଏ ଖାଇ ଦକ୍ଷିଣା ପାଇବାମାତ୍ରେ ଦୀର୍ଘ ପଦକ୍ଷେପରେ ଯାତ୍ରାକଲେ । ପଛରେ ଡାକିଲେ ଶୁଣେ କିଏ ?

 

ନିଧିଙ୍କର ମାମୁ, ଶାଳକ ଓ ତାଙ୍କବଂଶର ପୁରାତନ ବନ୍ଧୁମାନେ ଆସିଥିଲେ । କାର୍ଯ୍ୟଶେଷରେ ସେମାନେ ଗୁମାସ୍ତାଙ୍କୁ ବସାଇ ନିଧିଙ୍କୁ ନାନାଉପଦେଶ ଦେଲେ । ଘରେ ମୁରବି ହେଲେ କିପରି କାର୍ଯ୍ୟ କରାଯାଏ, ନିଧିଙ୍କର ମାମୁ ଅନେକ ବୁଝାଇଲେ । ଗୁମାସ୍ତାମାନଙ୍କୁ କହିଲେ, ‘‘ନିଧି ପିଲାଥିଲା, ଗେହ୍ଲାରେ ବଢ଼ିଥିଲା । ସେ ସଂସାର କଥା ବୁଝିନାହିଁ । ତୁମେମାନେ ନିଧିକୁ ଯେପରି ସମସ୍ତ କାର୍ଯ୍ୟରେ ପାରଗ କରାଇବ । ପୂର୍ବରୁ ତାଙ୍କର ଦାନାପାଣି ଖାଇଛ । ସବୁକଥା ତୁମ୍ଭମାନଙ୍କୁ ଲାଗିଲା । ଘରେ ବୋହୂପିଲା, ଦାଣ୍ଡରେ ପୁଅପିଲା । ତୁମେମାନେ ପୁରୁଣାଲୋକ, ସାଧୁଆବାରିକ ପୁରୁଣାଲୋକ ଅଛି । ନିଧିକୁ କିଛି କଷ୍ଟ ହେବନାହିଁ ।’’ ନିଧିକୁ କହିଲେ, ‘‘ଭଣଜା, ମୋ କଥା ଶୁଣ, ସାଧୁଆ ନିମକସଚ୍ଚା ପୁରୁଣା ଚାକର । ତା’ କଥାକୁ ଅବିଶ୍ୱାସ କରିବୁ ନାହିଁ । ସେ ଯାହାକହିବ ମାନିବୁ ।’’ ସାଧୁଆ କହିଲା, ‘‘ସାନ୍ତେ, ଆପଣ ଯେତେ କହନ୍ତୁ, କ’ଣ ହେବ । ଅଳ୍ପଦିନ ପରେ ଆସି ଦେଖିବେ–ବଡ଼ଲୋକଠାରୁ ସିନା ଜନ୍ମହେଲା, ବୁଦ୍ଧି ତ ଛୋଟ ହେଉଛି । ମୁଁ ମୂର୍ଖଲୋକ, କ’ଣ କହିବି । କବି କହିଛନ୍ତି ପରା–‘କମ୍ୱୁ ଯେସନେ ସାଗରୁ ଜାତହୋଇ ନୀଚ ବଦନେ କରେ ସ୍ୱନ, ବଡ଼ ଲୋକଟି ତ ହୋଇଲେ କି ହେବ ବୁଦ୍ଧି ଯାହାର ଅଟେହୀନ ।’’ ଏହାଶୁଣି ସମସ୍ତେ ହସି ଉଠିଲେ । ଦାମବାବୁ କହିଲେ, ‘‘ବାରିକ କୁଆଡ଼ୁ ଶେଷକୁ ଆଚ୍ଛା ପଦଟାଏ ଆଣି ଖଞ୍ଜିଦେଲା ।’’ ନିଧିଙ୍କ ବନ୍ଧୁମାନେ ଘର ମଧ୍ୟକୁ ଯାଇ ସାବୀ ଓ କମଳାକୁ ବସାଇ ବୋହୂକୁ ଅନେକ ଅନେକ ଉପଦେଶ ଦେଲେ । ବୋହୂ କାନ୍ଦି କାନ୍ଦି କମଳା ହାତରେ ମାମୁଙ୍କ ନିକଟକୁ ଖବର ଦେଲା ଯେ ସେ ମଧ୍ୟେ ମଧ୍ୟେ ଆସି ତତ୍ତ୍ୱ ନ ନେଲେ କିଏ କୁଆଡ଼େ ଲୁଟିକରିବେ । ଗୋଟିକ ପରେ ଗୋଟିଏ ବିଦାୟ ହେଲେ । ନାଏବଙ୍କ ଘର ଓ ଚଉପାଢ଼ୀ ନିଛାଟିଆବୋଧ ହେଲା ।

 

ପାଠକେ, ଏଣିକି ନିଧିବାବୁଙ୍କ ସମ୍ୱନ୍ଧରେ ଓ ନାଏବବାବୁଙ୍କ ସଞ୍ଚିତ ଧନର ପରିଣାମ ବିଷୟରେ କିଛି କହି ଲେଖକ ଆପଣମାନଙ୍କଠୁ ବିଦାୟ ନେବ ।

Image

 

ଏକତ୍ରିଂଶ ପରିଚ୍ଛେଦ

 

ଆଜିମା ଜଗଜ୍ଜନନୀଙ୍କର ଶାରଦୀୟା ପୂଜା । ବର୍ଷମଧ୍ୟର ଦୋଳ ଦଶହରା ଦିଓଟି ଉତ୍କଳର ସର୍ବୋତ୍କୃଷ୍ଟ ଉତ୍ସବ ଓ ପ୍ରୀତିପଦ ଦିନ । ଶରତକାଳୀନ ପ୍ରକୃତିଶୋଭା ବାସନ୍ତୀଶୋଭାଠାରୁ ନ୍ୟୂନ ନୁହେଁ, ବରଂ ଅଧିକ । ଶସ୍ୟଶ୍ୟାମଳାଧରା, ପୂର୍ଣ୍ଣ ସ୍ୱଚ୍ଛନୀରା ନଦୀ, ପୁଷ୍କରିଣୀ, ପୁଷ୍ପପୂର୍ଣ୍ଣ, ଘନପୂର୍ଣ୍ଣ ସତେଜ ବନରାଜି, ତାରାବିମଣ୍ଡିତ ନିର୍ମଳ ଆକାଶମଣ୍ଡଳ ଯେଣେଚାହଁ, ତେଣେ ଶୋଭାର ହାଟ ବସିଅଛି । ସପ୍ତମୀ ପୂଜା ବସାଇବା ପାଇଁ ବ୍ରାହ୍ମଣ କରଣମାନେ ବ୍ୟସ୍ତ । ପରଦିନ ରାତିକୁ ଅଷ୍ଟମୀ ନ ଥିବାରୁ ଅଦ୍ୟ ଦୁର୍ଗାବ୍ରତ, ଏଣୁ ହାଟୁଆ ଜାତି ମଧ୍ୟ ଆଜି ଓଷା ଆୟୋଜନରେ ଲାଗିଅଛନ୍ତି । ସୁଆଗ-ସ୍ନାନ ବ୍ରତର ଆଜିଶେଷ ଦିନ ଜୀମୂତବାହନ ପୂଜାଠାରୁ ଦୁର୍ଗାବ୍ରତ ପର୍ଯ୍ୟନ୍ତ ପ୍ରତିଦିନ ରାତି ନ ପାହୁଣୁ ଅବିବାହିତା ବ୍ରାହ୍ମଣ ବାଳିକାମାନେ ଭାଗ୍ୟବତୀ ଓ ସ୍ୱାମିପ୍ରିୟା ହେବା କାମନାରେ ଫୁଲ, ଘିଅଦୀପ, କଜଳପାତୀ, ସିନ୍ଦୂର-ଫରୁଆ, ତାଳଖୁଡ଼, କାକୁଡ଼ି, କଦଳୀ ଓ ଛେନାଗୁଡ଼ ପ୍ରଭୃତିଭୋଗ, ଗୋଟିଏ ନଡ଼ିଆ ଓ ଶଙ୍ଖ ଗୋଟିଏ ଚାଙ୍ଗୁଡ଼ିରେ ଧରି ଗ୍ରାମର ଜଣେ ବା ଦୁଇ ଜଣ ପୁରୁଖା ସ୍ତ୍ରୀଲୋକ ସଙ୍ଗରେ ନେଇ ସ୍ନାନତୁଠରେ ସ୍ନାନ କରି ବାଲିରେ ବାଲୁଙ୍କା ଥାପିତା’ ପାଖରେ ନଡ଼ିଆଟିଏ ରଖି ପାର୍ବତୀ ସନ୍ତୁଷ୍ଟ ହେବା ପାଇଁ ତାଙ୍କ ଉଦ୍ଦେଶ୍ୟରେ ବାଲୁଙ୍କାରେ ସିନ୍ଦୂର, କଜ୍ଜ୍ୱଳ, ପୁଷ୍ପ ଦେଇ ଶଙ୍ଖ ବଜାଇ ହୁଳହୁଳି ପକାଇ ଘିଅ ଦୀପରେ ବନ୍ଦାନ୍ତି । ଯେଉଁ ଭୋଗସବୁ ନେଇଥାନ୍ତି, ସେ ଭୋଗସବୁ ଦେବା ପରେ ସଙ୍ଗରେ ଯାଇଥିବା ଛୋଟଛୋଟ ବାଳକମାନଙ୍କୁ ବାଣ୍ଟି ଦିଅନ୍ତି, ଦୁର୍ଗାଷ୍ଟମୀ.... ସେହି ଓଷାର ଶେଷ ଦିନ । ସେ ଦିନ ନଡ଼ିଆଟି ଭଙ୍ଗାଯାଇ ବାଳକମାନଙ୍କୁ ବଣ୍ଟାଯାଏ । ଓଷା କରିଥିବା ବାଳିକାମାନେ ସେ ଦିନ ଭାତ ନଖାଇ ଚୁଡ଼ା ପ୍ରଭୃତି ଖାଇଥାନ୍ତି । ଆଜି ଓଷାର ଶେଷ ଦିନ ଯୋଗୁଁ ଶାସନର ବାଳିକାମାନେ ରାତିଘଡ଼ିଏ ଥାଉଁ ନାନା କୌତୁକରେ ନଦୀରେ ସ୍ନାନ ସାରି ଶଙ୍ଖ ଓ ହୁଳହୁଳି ଧ୍ୱନିରେ ଗ୍ରାମ କମ୍ପାଇ ଘରକୁ ଫେରିବାବେଳେ ଗ୍ରାମବାସୀଙ୍କର ନିଦ ଭାଙ୍ଗିଗଲା । ପ୍ରତ୍ୟେକଜାତି ନିଜ ନିଜ ସଜ ଯାହା ପୂଜାରେ ବସିବ, ସେସବୁ ପରିଷ୍କୃତ କରିବାରେ ଲାଗିଗଲେ । ସ୍ତ୍ରୀମାନେ ଘରଦ୍ୱାର ଲିପି ହେଂସବିଛଣାରୁ ପେଡ଼ିଲୁଗା ପର୍ଯ୍ୟନ୍ତ ଧୋଇବାକୁ ନଦୀ ଓ ପୁଷ୍କରିଣୀକୁ ବାହାରିଲେ । ମାଳିମାନଙ୍କୁ ପ୍ରତ୍ୟେକ ଘରେ ପୁଷ୍ପ ଦେବାକୁ ହେବ ବୋଲି ସେମାନେ ପୁଷ୍ପ ଓ ବିଲ୍ୱପତ୍ର ଚୟନ ପାଇଁ, ବାରିକମାନେ ଆମ୍ୱଡାଳ, ଦୁବ, ବରକୋଳି ପତ୍ର ଓ ପଞ୍ଚବର୍ଣ୍ଣୀଗୁଣ୍ଡା ଆୟୋଜନରେ ଲାଗିଗଲେ, ଯେଉଁମାନଙ୍କର କିଛିକାର୍ଯ୍ୟ ନାହିଁ, ସେମାନେ ଦା ଧରି ଘାସ ପାଇଁ ବାହାରିଛନ୍ତି, ସମସ୍ତେ ଯେ କୌଣସି କାର୍ଯ୍ୟରେ ହେଲେ ଲିପ୍ତ ଅଛନ୍ତି । ଆଜିଠାରୁ ଦଶହରା ଦିନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ, କେବଳ ପୂଜା ଓ ଆନନ୍ଦୋତ୍ସବରେ ସମୟ କଟେ । ଏଣୁ ବର୍ଷମଧ୍ୟରେ ଦୋଳଠାରୁ ଦଶହରା ଅଧିକ ଉତ୍ସବମୟ ଓ ପ୍ରୀତିକର ସମୟ ।

 

ପ୍ରାୟ ପ୍ରତ୍ୟେକ ସ୍ତ୍ରୀ ଦୁର୍ଗାବ୍ରତ କରନ୍ତି । କାହାର ହୃଦୟରେ ବିଶ୍ୱାସ ଓ ଭକ୍ତି ନ ଥିଲେ ମଧ୍ୟ ଅନ୍ୟାନ୍ୟ ସ୍ତ୍ରୀମାନଙ୍କର ଗଞ୍ଜାଣକୁ ଡରି ଓଷା କରିବାକୁ ପଡ଼େ । ନିଧିବାବୁଙ୍କ ବଗିଚାରେ ଥିବା ପାନ ମଧ୍ୟ ଆଜି ଓଷା କରିଛି । ତାଙ୍କ ଘରେ ତାଙ୍କର ସ୍ତ୍ରୀ, କମଳା, ସାବୀ ଓ ସାଧୁଆର ମଧ୍ୟ ଓଷା । ସନ୍ଧ୍ୟାବତୀ ଲାଗିଲା ପରେ ଦୁଇ ପଟଣାର ସ୍ତ୍ରୀଲୋକମାନେ ନିଜ ନିଜ ପେଡ଼ି-ଶାଢ଼ୀ ପିନ୍ଧି, ଭୋଗ ପ୍ରଭୃତି ଚାଙ୍ଗୁଡ଼ିରେ ଧରି ବ୍ରାହ୍ମଣ ଶାସନରେ ଯେଉଁଠାରେ ଓଷା ପୂଜାହୁଏ, ସେ ସ୍ଥାନକୁ ନିର୍ମଳଚନ୍ଦ୍ର କିରଣରେ ଦାଣ୍ଡମଧ୍ୟରେ ଧାଡ଼ି ଧରି ଚାଲିଅଛନ୍ତି । ହାଟୁଆ ସ୍ତ୍ରୀମାନଙ୍କର ଖଡୁବାହି ଭାରରେ ହାତ ଓହଳାଇ ଚାଲିଲାବେଳେ ଭାରବୋଧ ହେବାରୁ ମଧ୍ୟେ ମଧ୍ୟେ ହାତକୁ ଉପରକୁ ଟେକି ଦେବାରେ ପୂରାଖଢ଼ୁ ବାହିମଧ୍ୟରେ ଥିବା ଦାନ୍ତୀ, କୋଚିଲା, ଚନ୍ଦେଇ, ମାଠ, ଗରଗଡ଼ିଆ, ବାଇଁଶିସାପୁଆ, କୋଡ଼କତୁରୀ ଓ ବଡ଼କତୁରୀ ପ୍ରଭୃତି ପରସ୍ପର ବାଜି ଯେ ଝଣଝଣ ଶବ୍ଦ ହେଉଥାଏ, ତହିଁରେ ଦାଣ୍ଡକମ୍ପି ଯାଉଥାଏ । ଏଡ଼େ ଉତ୍ସବ ଦିନକୁ ନିଧି ବାବୁଙ୍କ ମନରେ ହର୍ଷ ନାହିଁ । ସେ ଆଜିତାଙ୍କ ମନ ଅନୁସାରେ ଆନନ୍ଦ ଉପଭୋଗକରି ପାରୁନାହାନ୍ତି, କି କରିବାର ସୁବିଧା ଦେଖୁ ନାହାନ୍ତି ।

 

ପିତା ଚାଲିଗଲାରୁ ନିଧି ନିରଙ୍କୁଶ ମତ୍ତହସ୍ତୀ ପରି ବର୍ତ୍ତମାନ ଗ୍ରାମରେ ବିଚରଣ କରୁଅଛନ୍ତି । ପିତାଙ୍କର ଗଚ୍ଛିତମୁଦ୍ରା ତାଙ୍କର କରଗତ ହେବାରୁ ତାଙ୍କ ମନ ବ୍ୟୋମଯାନରେ ଆସୀନ ହୋଇ ଇତସ୍ତତଃ ଭ୍ରମଣ କରୁଥାଏ । ଏଣେ ନବ୍ୟଯୁଗର ସଭ୍ୟତା ବୃଦ୍ଧି ସଙ୍ଗେସଙ୍ଗେ ଦିନକୁ ଦିନ ନୂଆ ଫେସନ ବାହାରୁଥାଏ । କୁରୁତା କୋଟ ଧୋତି ଯୋତା ବାଳଛଟା ପାନିଆ ଦର୍ପଣ ବ୍ରୁସ ସାବୁନ୍‌ ଅତର ଲଣ୍ଠନ ଲାଣ୍ଠ ସିଗାରେଟ୍‌ ବାଡ଼ସାଇ ଓ ଚୁରଟ୍‌ ପ୍ରଭୃତି ଦିନକୁ ଦିନ ଭଳିକିଭଳି ବଜାର ଓ ହାଟରେ ପୂର୍ଣ୍ଣ ହେଉଥାଏ । ସେସବୁ ଦୃଷ୍ଟିପଥରେ ପଡ଼ିବାମାତ୍ରେ ପିଲା ଓ ଯୁବକର ମନ ଦୀପାବଳୀ ରାତି ଆଲୋକମାଳାରେ ପତଙ୍ଗ ଡେଇଁ ପଡ଼ିଲା ପରି ଡେଇଁ ପଡ଼ିବାକୁ ଉଦ୍‌ବିଗ୍ନ ହେଉଥାଏ । ପୁରୁଣା ପଦାର୍ଥ ଥିଲେ କାଳେ ପିତାମାତା ପ୍ରଭୃତି ପଇସା ଦେବେ ନାହିଁ, ତେଣୁ ସେସବୁ ଜାଣିଶୁଣି ନଷ୍ଟ କରି ଦେଇ ନୂଆ ନୂଆଫେସନର ପଦାର୍ଥ ଆଣିବାକୁ ଉଦ୍ୟତ ହେଉଥାନ୍ତି । ମାତ୍ର ନିଧିଙ୍କର ସେ ଭୟ ନ ଥାଏ, ସେ ବର୍ତ୍ତମାନ ଯାହାଇଚ୍ଛା କରିବେ, ତାହା କରିପାରିବେ । ଗୁମାସ୍ତାମାନେ ଦେଖିଲେ ଯେ, ନିଧିକୁ ଉପଦେଶ ଦେଲେ ଫଳ ମନ୍ଦ ବିନା ଭଲ ହେବ ନାହିଁ; ବରଂ ସେମାନଙ୍କର ଦାନା ପାଣିଉଠିବ । ସେମାନେ ଭାବିଲେ, ନିଧି ଯାହା ଅକାରଣରେ ହାଡ଼ିବାଉରୀଙ୍କୁ ଧନ ଖୁଆଇବ ବରଂ ସେମାନେ ଅଳ୍ପ ବେତନରେ ଦିନ ରାତି ପରିଶ୍ରମ କରି ଯେତେଧନ ନାଏବବାବୁଙ୍କୁ ଦେଇଅଛନ୍ତି, ସେଥିରୁ କିଛି ନେଇଗଲେ ତାଙ୍କର ପାପ ହେବ ନାହିଁ । ଏହାଭାବି ବାବୁ ଯେତେବେଳେ ଯାହା ଫରମାସ କଲେ, ତାହା ତାଙ୍କୁ ଦେଇ ଖାତାରେ ପାଞ୍ଚସ୍ଥଳେ ଦଶ ଲେଖି ନିଜେ ନିଜେ ଆପଣାର ପାଣ୍ଠି ବଢ଼ାଇଲେ । ନିଧି ଗୃହର ଓ ସମ୍ପତ୍ତିର ସମସ୍ତଭାର ସେମାନଙ୍କ ଉପରେ ଅର୍ପଣ କରି ନିଜେ ବିଳାସ ସୁଖରେ ମତ୍ତହେଲେ । କେବଳ ପୁରୋହିତ ବୁଢ଼ା ଯେତେବେଳେ ଆସନ୍ତି, ଅନେକ ଭର୍ତ୍ସନା କରନ୍ତି । ନିଧି କେବଳ ତାଙ୍କୁ ଟିକିଏ ଭୟ କରେ, କିନ୍ତୁ ସାଧୁଆ ତାଙ୍କର ସେତେବେଳେ ପ୍ରଧାନ କଣ୍ଟକ ଥିଲା–ନିଧିର ଅପବ୍ୟୟ ଦେଖିଲେ ସେ ସହ୍ୟ କରିପାରେ ନାହିଁ । ସେ ପିଲାଦିନରୁ ନାଏବବାବୁଙ୍କ ପାଖରେ ରହି ନାଏବଙ୍କ ଛାଞ୍ଚରେ ଗଢ଼ାହୋଇଅଛି; ନିଧି ପିଲାଦିନରୁ ତାକୁ ଡରେ; ସେ ମଧ୍ୟ ନିଧିକୁ ପିଲାଦିନରୁ ଧମକ ଦେଇ ଡରାଇ ରଖିଥାଏ । ତାହାର ଚେହେରା ଦେଖିଲେ ଓ ସ୍ୱର ଶୁଣିଲେ ସାଧାରଣ ପିଲାମାନେ ଭୟ କରନ୍ତି–ଲୋକଟା ଦେଖିବାକୁ ଓଟପରି, ମୁଣ୍ଡରବାଳଗୁଡ଼ାକ କହରା, ଦୁଇ କାନମୂଳ ଦୁଇଟା ଶାମୁକାପରି, ଆଖିଦୁଇଟା ରାତ୍ରି ଚରଙ୍କ ଆଖି ପରି, ଗାଲ ଦୁଇଟା ଠକରା, ନାକଟା ଚେପା, ଛାମୁଦନ୍ତ ବରାହଦନ୍ତ ପରି ଉପରକୁ ଟେକି ହୋଇଥାଏ, ପିଠିରେ ଗୋଟାଏ କୁଜ, ଗୋଡ଼ ଦୁଇଟା ବଗଗୋଡ଼ ପରି; ଟାଉଁଟାଉଁ ସ୍ୱର ଓ କଥା । ତାକୁ ଦେଖିଲେ ପିଲା କାହିଁକି ଗ୍ରାମର ସମସ୍ତ ଲୋକେ ଭୟ କରନ୍ତି । ସେ ସମସ୍ତଙ୍କ ପ୍ରତି କଡ଼ା ବ୍ୟବହାର କରେ । ନାଏବବାବୁଙ୍କୁ ଲୋକଙ୍କର ଯେତେ ଭୟ ନ ଥାଏ, ସାଧୁଆଙ୍କୁ ତତୋଽଧିକ ଭୟ ଥାଏ । ମାତ୍ର ସେପରି ନିମକ୍‌ସଚ୍ଚା ଚାକର ପ୍ରାୟ ଦେଖାଯାନ୍ତି ନାହିଁ । ତାହାର ନାମସାଧୁଆ-ହୃଦୟ ସାଧୁ ଲୋକର ହୃଦୟ ପରି; ପରନିନ୍ଦା, ପର ପ୍ରତି ଦ୍ୱେଷ, କିମ୍ୱା ପରର ଅନିଷ୍ଟ ସେ କରେ ନାହିଁ । ମିଛ କଥା ଶୁଣିଲେ ସେ ମାରିବ କି ମରିବ, ଏପରିଭାବ ଦେଖାଏ; ନିରଜ ମଧ୍ୟ ମିଛ କହେ ନାହିଁ । ମାତ୍ର ତାଠାରେ ହଳଦିଗୁଣ୍ଡା ପଡ଼ି ନ ଥିଲା–ସେ’ସିଧିରସ୍ତୁ’ ପର୍ଯ୍ୟନ୍ତ ଜାଣେ ନାହିଁ । ସମୟେ ସମୟେ ନାଏବବାବୁଙ୍କର ଅନ୍ୟାୟ କଥା ଦେଖିଲେ ତାଙ୍କୁ କଡ଼ା କଥା କହିବାକୁ ସେକୁଣ୍ଠିତ ହୁଏ ନାହିଁ । ସେ ବାପର ଗୋଟିଏ ପୁଅ, ବାପ ମା’ ପିଲାଦିନରୁ ନ ଥିଲେ । ସେ ଦିନାକେତେ ମାଉସୀଘରେ ରହି ୧୫ବର୍ଷ ଦିନରୁ ନାଏବବାବୁଙ୍କ ପାଖରେ ରହିଅଛି । ନାଏବବାବୁ ତାକୁ ଗୋଟିଏ ବିବାହକରି ଦେଇଥିଲେ । ତାର ଗୋଟିଏ ପୁଅ ହୋଇ ଅଳ୍ପ ଦିନ ପରେ ସ୍ତ୍ରୀର ମୃତ୍ୟୁହେଲା । ତାହାର କଡ଼ା ବ୍ୟବହାରରେ ତା’ ପୁଅ ମଧ୍ୟ ତା’ ପାଖରେ ରହିପାରେ ନାହିଁ । ସେସଂସାର ପ୍ରତି ଆସକ୍ତ ନ ରହି, ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟି ନଦେଇ କେବଳ ନାଏବବାବୁଙ୍କ ସେବାକୁ ନିଜରସୁଖ ଓ ଶାନ୍ତିମନେ କରି ଏତେ ଦିନ ଚଳି ଆସିଲା । ଏଣିକି ନିଧିର ଢଙ୍ଗ ଦେଖି ତାର ମନ ଥୟ ହେଉ ନଥାଏ, ମାତ୍ର ସେ ନିଧିସ୍ତ୍ରୀଙ୍କର ସହାୟ ହୋଇ ରହିଥାଏ-। ନିଧି ତା ଭୟରେ ନିଜସ୍ତ୍ରୀଠାରେ ଲେଶମାତ୍ର ଅତ୍ୟାଚାର କରି ପାରନ୍ତି ନାହିଁ । ତାହାର ଭୟରେ ସେ ଗ୍ରାମ ମଧ୍ୟରେ କିମ୍ୱା ଗୃହମଧ୍ୟରେ ନିଜର ଇଚ୍ଛାନୁସାରେ କାର୍ଯ୍ୟକରି ନ ପାରି ଅଧିକାଂଶ ସମୟ କଟକ ଓ କଲିକତାରେ କଟାନ୍ତି । ପିତାଙ୍କ ମୃତ୍ୟୁର ଏକ ବର୍ଷ ପରେ ସେ ବଗିଚାସ୍ଥ ବୈଠକଖାନାକୁ ବଢ଼ାଇ ତାହା ଉତ୍ତମରୂପେ ସଜାଇ, ସେଠାରେ ପୂଜାରୀଚାକର ଖାନସମା ଦରୁଆନ ସହ ବାସକଲେ–ଘର ସୀମା ମାଡ଼ନ୍ତି ନାହିଁ । କମଳା ଭଲ ଦିନମାନଙ୍କରେ ଖାଇବାକୁ ଡକାଇ ପଠାଇଲେ ମଧ୍ୟ ସେ ଘରକୁ ଯାନ୍ତିନାହିଁ । ବଗିଚାରୁ ପାନ, ତାଙ୍କର ଅନ୍ତର ଭାଇ ଓ ଯୋଡ଼ିଏ କରଣଟୋକା ଆଉ ମୁସଲମାନ ତିନିଜଣଙ୍କର ହାତର ପିତୁଳା ପରି ସେମାନଙ୍କ କଥାରେ କାଳ କଟାଉଥାନ୍ତି । ବନ୍ଧୁ କିମ୍ୱା କେହି ଭଦ୍ରଲୋକ ଗଲେ ନିଧି ବାବୁଙ୍କର ସାକ୍ଷାତ୍‌ ମିଳେ ନାହିଁ । ଏହିପରି ସେ ଦୁଇବର୍ଷ ମଧ୍ୟରେ ନାଏବଙ୍କ ଗଚ୍ଛିତ ଟଙ୍କାସବୁ ବ୍ୟୟକରି ନଗଦ ଜମାଥିବା ଧାନ ପର୍ଯ୍ୟନ୍ତ ଶେଷ କଲେଣି । ଗୁମାସ୍ତାମାନେ ଜମିଦାରୀ ଖଜଣା ପ୍ରଭୃତି ନିଜେ ନେଇ ରଇତଠାରେ ବାକି ପକାଇଥାନ୍ତି । ବାକିଖଜଣା ପାଇଁ ଜମିଦାରୀସବୁ ନିଲାମ ହେବାକୁ ବସିଲାଣି । ସାହି ମହାଜନୀ ଯାହାଥିଲା, ସେସବୁ ମଧ୍ୟ ସେମାନେ କିଛି କିଛି ଖାତକଙ୍କଠାରୁ ନେଇ ସେମାନଙ୍କ ଦସ୍ତାବିଜରେ ଅସୁଲ ପକାଇ ଦିଅନ୍ତି । ଜମିଦାରୀ ନିଲାମ ଉଠିଲାବେଳେ ଘନଙ୍କର ମାମୁ ଆସି ସେସବୁ ରକ୍ଷାକରିବାକୁ ଘନର ସ୍ତ୍ରୀଙ୍କୁ ଟଙ୍କା ମାଗନ୍ତି । ଏହାଶୁଣି ସାଧୁଆ ଖଡ଼୍‌ଗ ହସ୍ତହୁଏ । ସେ ଘନଙ୍କ ସ୍ତ୍ରୀକୁ ବୁଝାଇ କହେ, ‘‘ତୁମଠାରେ ଟଙ୍କା ଅଛିବୋଲି କାହାକୁ କହି ନାହିଁ ।’’ ସେତେବେଳକୁ ନିଧିର ଗୋଟିଏ ପୁଅ ହୋଇଥାଏ ।’’ ଈଶ୍ୱର ତୁମକୁ ଗୋଟିଏ ବାଳକ ଦେଲେଣି । ତୁମେ କିମିତି ଘରର ବୋହୂ । ଶେଷରେ ଇଜ୍ଜତ ବୁଡ଼ିଯିବଟି । ତୁମ୍ଭେ ତ କଣରେ ପଶିବ । ଜମିଦାରୀ ବୁଝିବ କିଏ-? ଥରେ ନିଲାମ ଫେରାଇବ, ଆଉଥରକୁ କଣ କରିବ ? ଭାଇ କଣ ଆସି ତୁମର ଚାଷବାସ ଆଉ ଜମିଦାରୀ ବୁଝିବେ ? ତାଙ୍କ ଘର ତାଙ୍କୁ ବଳି ପଡ଼ୁଛି । ଲୋକନିନ୍ଦାକୁ ଆସି ଦୁଇ କଥା କହି ଦେଉଛନ୍ତି । ‘ଦେଲା ନାରୀହେଲା ପାରି ।’ ସେ କିଏ, ତୁମେ କିଏ । କାହାରି କଥାରେ ଭୁଲନାହିଁ । ସବୁ ଚାଲିଯିବା ଭଲ । ନାଏବ ତ ପରତଣ୍ଟି ଚିପିଧନ କରିଥିଲେ । ତାହା କାହୁଁ ରହିବ ? ସେ ସବୁଗଲେ ଭଲ ହେବ । ନିଧି ମନର ଦମ୍ଭ ଭାଙ୍ଗିଯିବ । ସମ୍ପତ୍ତି ଥିବାରୁ ସିନା ତା ମନ ଏଡ଼େ ମୋଟ-। ଟଙ୍କା ତ ଶେଷ, ଧାନ ଶେଷ, ଆଉ ଜମିଦାରୀ ଗଲେ କାମଶେଷ ।ବାକି ତୁମଭାଇକୁ କହିଥା, ଯେତେବେଳେ ଘର ପାଖ ନିଜଚାଷଜମି ନିଲାମ ହେବ, ମହାଜନମାନେ ଘେରିବେ, ସେତେବେଳେ ତାଙ୍କ ନାମରେ ତୁମେଟଙ୍କା ଦେଇ ଦଶ ପନ୍ଦର ମାଣ ଜମି ରଖିବ । ଯେପରି ବର୍ଷକ ଭାତ ଚଳିବ । ଗୋପୀନାଥ କୃପାକଲେ ତୁମ ପୁଅ ଯେବେ ଯୋଗା ହେବେ, ତେବେ କଣ ସମ୍ପତ୍ତି ଅପୁରୁବ ହେବ । ତୁମ ଗୋସାଇଁ-ଶଶୁରଙ୍କର କଣ ସମ୍ପତ୍ତି ଥିଲା ? ମୁଁ ବୁଢ଼ା ହେଲିଣି । ମୋ କଥା ମନେ ରଖିଥିବ । ମୁଁ ଆଜି ଅଛି, କାଲି ନାହିଁ । ଧନ ଥିଲାବେଳେ ସମସ୍ତେ ଆପଣାର ଧନ ଗଲେ କେହି ନୁହନ୍ତି କାହାର । ଚାଷବାସ ସବୁ ଯାଉ, ଅଳଙ୍କାର ବି ଯାଉ; ଲୋକେଜାଣନ୍ତୁ, ନିଧି ବି ଜାଣୁ ଯେ, ୟାଙ୍କ ହାତରେ ପଇସାଥିଲେ ଏ କଣ ଅଳଙ୍କାର ବିକନ୍ତେ ? ଏ ସବୁ ସରୁ, ନିଧି ମନ ଥଣ୍ଡାହେଉ, ଶେଷକୁ କାଳେ ସେ ତମ ଆଶ୍ରାଧରେ । ଭଗବାନ୍‌ ଏହା କରିବା ବିଚିତ୍ର ନୁହେଁ, ହାତରୁ ପଇସାଛାଡ଼ ନା । ଦେଖ ଆଉ ଦୁଇବର୍ଷରେ କଣ ହେଉଛି । ତୁମେ ପିଲା, ସଂସାର କଥା କିଛି ଜାଣନାହିଁ । ତୁମର ଦିନକାଳ ଆସୁଛି । ସଂସାର ବୋଝସବୁ ତୁମ ଉପରେ ପଡ଼ିବ, ସେତେବେଳେ କିଏ ଆପଣାର ବୁଝିବ, ମୋ କଥା ମନେ କରୁଥିବ ।’’

 

ନିଧିଙ୍କ ଶଳାକୁ ସାଧୁଆ ମଧ୍ୟ ସବୁ କଥା ବୁଝାଇ କହିଦେଲା । ତାଙ୍କ ମନ ମାନିଗଲା । ସେ ଆଉ ଅପାଙ୍କୁ ଟଙ୍କା ପାଇଁ ନ କହି ନିଧି ପାଖରେ ପହଞ୍ଚିଲେ । ନିଧିକୁ କହିଲେ କି, ‘‘ବାବୁ, ଜମିଦାରୀ ତ ନିଲାମ ଉଠିଲାଣି । ଆଉ ବାବୁଗିରି କେତେଦିନ ଚଳିବ ?’’ ସେ କାହିଁକି ସେ କଥାକୁ କାନ ଦେବେ ! ସେ ଭାବନ୍ତି, ସେଗୁଡ଼ାକ ଗୁମାସ୍ତାର କାମ । ଗୁମାସ୍ତା ଥିଲେ ତାଙ୍କର ଦରକାରବେଳେ ଟଙ୍କାମିଳୁ ଥିବ । ମାତ୍ର ଗୁମାସ୍ତା କାହିଁକି ରହିବେ, ଏ କଥା ଭାବିବାକୁ ତାଙ୍କୁ ସମୟ ନାହିଁ ? ସେ ବନ୍ଧୁଙ୍କ କଥା ଶୁଣି ‘‘ଗୁମାସ୍ତାଙ୍କୁ କହ’’ ଉତ୍ତର ଦେଇ ନିଜକାର୍ଯ୍ୟରେ ଚାଲିଗଲେ, ବନ୍ଧୁ ସାଧୁଆକୁ ଓ ଅପାଙ୍କୁ ସମସ୍ତ ହାଲ କହି ନିଜଗୃହକୁ ଫେରିଲେ । ସେ ଯିବା ପରେ ପୂଜାବସାଇବା ପାଇଁ ପୁରୋହିତ ନାଏବଙ୍କ ଗୃହକୁ ଆସିଲେ । ସାଧୁଆ ନିଧିଙ୍କ ବନ୍ଧୁ ଆସିବା ଓ ଜମିଦାରୀ ନିଲାମ ପ୍ରଭୃତି ଖବର ତାଙ୍କୁ କହିଲା ।ସେ ନିଧିଙ୍କ ସ୍ତ୍ରୀଙ୍କୁ ଯେଉଁ ଉପଦେଶ ଦେଲା, ତାହା ମଧ୍ୟ ତାଙ୍କୁ କହିଲା । ସେ କଥାରେ ପୁରୋହିତ ଏକମତ ହୋଇ ସୁଶୀଳା (ନିଧିଙ୍କସ୍ତ୍ରୀ) ପାଖରେ ପହଞ୍ଚି ସାଧୁଆ କଥାକୁ ଗୁରୁବଚନ ମାନି ଚଳିବାକୁ ତାଙ୍କୁ ଉପଦେଶ ଦେଇଗଲେ ।

 

ଦିନ ଗଲା, ସନ୍ଧ୍ୟା ଆସିଲା । ନିଧି ବୁଝିଲେ ଯେ, ତାଙ୍କର ମଉଜ ମଜଲିସର ସୁବିଧା ଆଜିକିଛି ହୋଇପାରିବ ନାହିଁ । ସନ୍ଧ୍ୟା ସଙ୍ଗେ ସଙ୍ଗେ ତାଙ୍କର ସଙ୍ଗିମାନଙ୍କ ମଧ୍ୟରୁ କେତେକ ଆସି ପହଞ୍ଚିଲେ । ସମସ୍ତେ ମିଳି ବିଚାରକଲେ ଯେ, କାଚରା ଘର ଆଖଡ଼ାଦଳଙ୍କୁ ଡକାଇ ନାଚ ଆରମ୍ଭ କରିବ । ମାତ୍ର ସେ ଦଳର ଅଧିକାଂଶଙ୍କର ଦୁର୍ଗାବ୍ରତ ଉପବାସ ଯୋଗୁଁ ସେମାନେ ରାଜିହେଲେ ନାହିଁ । ତେଲିଘର ଆଖଡ଼ାଦଳ ମଧ୍ୟ ସେହି କାରଣରୁ ମନାକଲେ । ନିଧିଙ୍କର ଅନ୍ତର ଭାଇ ରାଗରେ କହି ପକାଇଲା, ‘‘ଆମର ଦଳେ ନାହିଁ ବୋଲି ପରକୁ ଖୋସାମତି ପଡ଼ିଛି । ଆମର ଦଳେ ଶୀଘ୍ର ଆରମ୍ଭ କରି ସେ ଦୁଇ ଦଳର ଭଲ ଭଲଟୋକା ଓ ସୁଆଙ୍ଗିଆଙ୍କୁ ବାହାର କରି ଆଣିବା ।’’ ଏ କଥା ସମସ୍ତଙ୍କ ମନକୁ ଆସିଲା । ଏହି ବିଚାରରେ ଆନନ୍ଦ ଉପଭୋଗ କରି ସେ ରାତ୍ର ଟାକଟାଇ ଦେଲେ ।

Image

 

ଦ୍ୱାତ୍ରିଂଶ ପରିଚ୍ଛେଦ

 

‘‘ଦୁଃଖେ ଅର୍ଜିତ ଯେତେଧନ, ସେ ନୋହେ ସୁଖେ ପ୍ରୟୋଜନ ।’’ ଦିନେ ସନ୍ଧ୍ୟାବେଳେ ଭାଗବତ ଘରେ ଏ ପଦର ଡୁହାଧରି ବୁଢ଼ାମାନେ ଦାଣ୍ଡ କମ୍ପାଉଅଛନ୍ତି । ଗୋଟିଏ ତେଲୀବୁଢ଼ା କାର୍ଯ୍ୟବଶତଃ ସେ ଦିନ ଭାଗବତପାଠରେ ଯୋଗ ଦେଇ ପାରି ନଥିଲା । ବୁଢ଼ାମାନଙ୍କର ପାଳିଧରା ସ୍ୱର ତା’ କାନରେ ପଡ଼ିବାମାତ୍ରେ ସେ ସମ୍ଭାଳି ନପାରି ଭାଗବତ ଘରେ ପହଞ୍ଚି ଯାଇ ଗୀତବୋଲା ଗୋସାଇଁଙ୍କ ପ୍ରତି ହାତଯୋଡ଼ି କହିଲା, ‘‘ଗୋସେଇଁ ମହାପୁରୁ, ଟିକିଏ ରହନ୍ତୁ ।’’ ଗୋସେଇଁ ଗୀତା ଖାତା ରଖିଦେଇ ନାଶ ସୁଙ୍ଗିବାକୁ ଆରମ୍ଭ କଲେ । ସେ ତେଲୀବୁଢ଼ା ସମସ୍ତଙ୍କୁ ଚାହିଁକହିଲା, ‘‘ଭାଇମାନେ, ଦାସେ ଏ ଗୀତପଦକ କିପରି କହିଲେ ? ତୁମେସବୁ ଆଖିରେ ଦେଖିଛ, ନାଏବବାବୁ କେଡ଼େ ଦୁଃଖରେ ଧନ ଅର୍ଜିଲେ, ତାଙ୍କ ପୁଅ ତହିଁରେ କି ସୁଖ କରୁଛି ଦେଖୁଛ; ଆଉ କିପରି ଦୁଃଖ-ଅର୍ଜିତ ଧନ ସୁଖରେ ଲାଗିଲା ନାହିଁ ?’’ ଜଣେ ବୁଢ଼ାକହିଲା, ‘‘ଆରେ, ତେମନ୍ତ ନୁହେଁ । ୟାକୁ କି ସୁଖକହନ୍ତି ? ଟୋକାବେଳରେ ରକ୍ତ ତେଜ; ଲୋକର ଏତେବେଳେ ସୁଖ କଣ, ଦୁଃଖ କଣ, ସବୁ ସମାନ । ଅସଲବେଳ ଅଛି, ଯେତେବେଳେ ହାତଗୋଡ଼ ଚଳିବ ନାହିଁ, ଘରେ ବସିରହିବ, ପୁଅ ବୋହୂ ପାଞ୍ଚୁଥିବେ–ଏ ବୁଢ଼ାଟା ସଦାବେଳେ ଖଟ୍‌ଖଟ୍‌ ଲଗାଉଛି, ଗଲେ ମନୁଷ୍ୟ ଖଲାସ ପାଆନ୍ତା-। ଭଲ ଘର, ଭଲ ଜିନିଷ ଯାହା କରିବେ, ନିଜେ ଭୋଗକରିବେ । ବୁଢ଼ାକୁ ଭଲ କାମଟିଏ କରିବାକୁ ପଇସାଟିଏ ଦେବେ ନାହିଁ । ସେତେବେଳେ ଯେଉଁ ପଇସା ଲାଗେ, ସେ ପଇସାକୁ ସୁଖରେ ଲାଗିଲାବୋଲି ଜାଣିବ ।’’ ଏ ପଇସା ତ ଦୁଃଖ ଆଣୁଛି । ଆଉ ଦୁଇବର୍ଷ ଯାଉ ଦେଖିବ, ନିଧି ବାବୁ କିପରି ସୁଖ କରିବେ ।’’ ଜଣେ ବୁଢ଼ା କହିଲା, ‘‘ସତ କହିଲ ଭାଇ, ଭାଗବତ ପଦ କିଏ ବୋଲୁ ନାହିଁ, ଭାବ ବୁଝିଲେ ହେବ ନା, ସେ ପଦରେ କଣ ଭୁଲ ଅଛି ?’’ ଗୋସେଇଁ ନାଶସୁଙ୍ଘି ସତେଜ ହୋଇ ବସି ସମସ୍ତଙ୍କର ଆଲୋଚନା ଶୁଣି ଶେଷରେ କହିଲେ, ‘‘ସେ ବୁଢ଼ା ଯାହା କହିଲେ ସତ, ମାତ୍ର ଯେଉଁଧନ ପଚିଶଜଣଙ୍କ ଉପକାରରେ ଲାଗେ, ଯହିଁରେ କୂପ ପୋଖରୀ ପ୍ରଭୃତି କୀର୍ତ୍ତିହୁଏ, ସେ ସବୁ ଯେ ଅର୍ଜି ଥାଏ ବା ଯେ ଲୋକ ସେ ସବୁ କାର୍ଯ୍ୟରେ ଖର୍ଚ୍ଚକରେ, ସେ ପରଜନ୍ମରେ ସୁଖ ପାଏ ।’’ ଜଣେ ବୁଢ଼ା କହିଲା, ‘‘ହଁ ହେ ଗୋସାଇଁ, ସେ ପରଜନ୍ମ ତୁମେ ଦେଖିଥିବ । ଆମେ ଯାହା ଦେଖୁଛୁଁ, ସେଥିରୁ ଯାହାବୁଝିଲୁ ତାହା ସିନା କହିବା । ନିଧି ଯେଉଁଟଙ୍କା ଖର୍ଚ୍ଚ କରୁଛନ୍ତି, ସେ କଣ ପଚିଶ ଜଣଙ୍କର ଉପକାରରେ ଲାଗୁ ନାହିଁ ?’’ ଆଉଜଣେ କହିଲା, ‘‘ନିଧିଙ୍କ ପଇସା ଯେଉଁମାନେ ନେଉଛନ୍ତି, ସେମାନେ କଣ ନ ନେଲେ ଚଳି ପାରନ୍ତେ ନାହିଁ । ତେଲିଆମୁଣ୍ଡରେ ସେ ତେ ଲଢାଳୁଛନ୍ତି ନା !’’ ଏହିପରି କଥାବାର୍ତ୍ତାବେଳେ ଜଣେ ପଦାକୁ ଆସି ନିଧି ବାବୁଙ୍କ ବଗିଚା ପାଖରେ ଗୋଟାଏ ବଡ଼ ଗଣ୍ଡଗୋଳ ଶୁଣି ଗୀତ ରଖାଇ କହିଲା, ‘‘ଆରେ ଭାଇ, କେଡ଼େ ପାଟି ଶୁଣ ହୋ । କେଉଁଠାରେ ଘର ପୋଡ଼ିଗଲା, କି କିଏ କାହାକୁ ମାରି ପକାଇଲା-। ଆସ ହୋ, ଗୀତ ସେତିକି ଥାଉ ।’’ ସେ କହୁ କହୁ ଗଣ୍ଡଗୋଳ ବେଳକୁ ବେଳ ବେଶିହେଲା । ସମସ୍ତେ ଦଉଡ଼ି ଯାଇ ଦେଖିଲାବେଳକୁ ନିଧି ବାବୁଙ୍କ ବଗିଚାରେ ପ୍ରାୟ ଦୁଇଶ ଲୋକ ଜମା ହୋଇଗଲେଣି । ଜଣେ ତା’ ମଧ୍ୟରୁ ଧଇଁସଇଁ ହୋଇ ବାହାରିଲାମାତ୍ରେ ତାକୁ ପଦା ଲୋକେ ପଚାରିଲେ, ‘‘ଭାଇ, କଥା କଣ, କଥା କଣ ?’’ ସେ ପୂରା କଥା କହି ପାରୁ ନ ଥାଏ ।’ ଦାମସାହୁ ଗୁଡ଼ିଆକୁ ମାରି ପକାଇଲେ ।’ ‘କିଏ ମାଇଲା, କିଏ ମାଇଲା ।’ ‘କିଏ ମାରିବ, ସେଇ ମଦୁଆଗୁଡ଼ାକ ଉରୁଠେଇ ହଉଛନ୍ତି ।’

 

କିଏ କହୁଛି ଦଫାଦାରକୁ ଡାକ; କିଏ କହୁଛି, ଦଫାଦାର କ’ଣ ତାଙ୍କ କଥାରେ ଆସିବ । କିଏ କହୁଛି, ପୁଲିସ୍‌କୁ ଡାକ; କିଏ କହୁଛି, ‘‘ଆରେ, ବାବୁ ଘର କଥା, ସେମାନେ କ’ଣ କରିବେ । ଚାରିଜଣ ଚାଲ । ଗାଡ଼ିରେ ପକାଇ ଡାକ୍ତର ପାଖକୁ ନେବା ।’’ ଏହିପରି ନାନା କଥା ପରେ ଦାମସାହୁ ଭାଇକୁ ସଙ୍ଗରେ ଧରି ତା’ର ଆପଣାର ଲୋକମାନେ ଗାଡ଼ିରେ ପକାଇ ଯାଜପୁର ଡାକ୍ତରଖାନାକୁ ଘେନିଗଲେ । ସେ ବିଚାରା ଡାକ୍ତରଖାନାରେ ଚାରି ଦିନ ରହି ମରିଗଲା । ଶକ୍ତ ମକଦ୍ଦମା ଚାଲିଲା । ନିଧି ବାବୁଙ୍କ ସଙ୍ଗିମାନେ ବଡ଼ ଚିନ୍ତାରେ ଥାଇ ଟଙ୍କାକୁଆଡ଼ୁ ଆସିବ, ଏହି ଭାବନାରେ ବ୍ୟସ୍ତ । ନିଧି ବାବୁଙ୍କୁ ସମସ୍ତେ କହିଲେ, ‘‘ସେ ମାଡ଼ବାରୀ ପାଖକୁ ନ ଗଲେ କିଛିହେବ ନାହିଁ । ଅନେକ ଟଙ୍କା ଦରକାର, ସେ ନିଜେ ଗଲେ ମାଡ଼ବାରୀ ଟଙ୍କା ଦେବେ ।’’ କ’ଣ କରିବେ, ସଙ୍ଗିମାନେ ଜେଲ୍‌ଗଲେ ସବୁସୁଖ ଶେଷ ହୋଇଯିବ । ଦାମସାହୁର ପୁଅ ତେଲିଘର ଆଖଡ଼ାରେ ଭଲ ନାଚକରେ । ତାକୁ ଫୁସୁଲାଇ ଆଣିବାକୁ ଯେତେ ଚେଷ୍ଟାକଲେ, ସବୁ ବିଫଳ ହେଲା । ତା’ର ପିତା ଦାମସାହୁକୁ ବହୁତ ଲୋଭ ଦେଖାଇଲେ । ସେ ମାନିଲା ନାହିଁ । ଶେଷରେ ଏ ଘଟଣା ଘଟିଲା-। ନିଧିଙ୍କର ଅନ୍ତର ଭାଇ ହୁକୁମ ଦେଲେ ମାତ୍ର ସେ ନିଧିଙ୍କ ହୁକୁମରେ ମାଡ଼ ଦେଇଅଛନ୍ତି ବୋଲି ନିଧିକୁ ଧମକାଉଥାନ୍ତି । ନିଧି ମାଡ଼ଗୋଳ ସ୍ଥାନରେ ନ ଥିଲେ ମଧ୍ୟ ସେ ହୁକୁମ ଦେବା ପ୍ରମାଣହେଲେ ସଜା ପାଇବାର ଭୟ ଥାଏ । ଟଙ୍କା କରଜ ପାଇଁ ମାଡ଼ବାରୀ ପାଖକୁଗଲା ମାତ୍ରେ ମହାଜନ ବାବୁଙ୍କୁ ଦ୍ୱାରରେ ଦେଖିବାମାତ୍ରେ ବିଛଣାରୁ ଉଠିଆସି ‘‘ବାବୁ ଆଇଏ ଆଇଏ ଆଇଏ’’ କହି ହାତ ଲମ୍ୱାଇ ଦେଇ ପାଛୋଟି ନେଇ ବିଛଣାରେ ବସାଇଲା । ବାବୁଙ୍କର ଆଗମନର ହେତୁ ବୁଝିକହିଲା, ‘‘ଆପ୍‌ ରାଜା ହୋ, ଆପ୍‌ କୋ ରୁପେୟା ନେହିଁ ଦେଙ୍ଗେ ତ କିସ୍‌କୁ ଅର୍‌ ଦେଙ୍ଗେ । ହାମରା ରୁପେୟା ତ ଆପ୍‌କା ହେ । ଆପ୍‌କା ଯୋ ମରଜି, ଇସ୍‌ମେ ହାମରା କୁଛୁ ସନ୍ଦେହ ନାହିଁ । ବାବୁ, ହାମ୍‌ ଲୋକପେଟ୍‌କା ବାସ୍ତେ କେତା ଦୂର୍‌ସେ ଆକେ କେତା ଦୁଃଖ ପାକେ ଧନ କିଏଁ ହେଁ । ହାମ୍‌ଲୋକ ଚାଷବାସ ନେଇଁ ଜାନତା ହୁଁ । ଘରମେ ବୈଠକେ ଦୋ ପଇସା ରୋଜଗାର କର୍‌ନେ ବାଲା । ଆପ୍‌ ଯବ ରୁପେୟା ଲେଙ୍ଗେ କ୍ୟାମିଠାଇ ଖାନେକୁ ଦେଙ୍ଗେ, ବୋଲ୍‌ ଦେନେସେ ହାମ୍‌ ଜାବବ ଦେଙ୍ଗେ, ଆପ୍‌ ଦୁସରା ଆଦିମ୍‌ ନେହିଁହେ–ବଡ଼ ଆଦିମ୍‌କାବାତ ଦୋସରାହେ । ଦୁନିଆଁ ଲୋକ ଶତକଡ଼ା ଦଶ ରୁପେୟା ଖୁସି ସେ ଦେ ଯାତା ହେ । ଆପ୍‌ବଡ଼ା ଆଦିମ୍‌, କ୍ୟା ଦେଙ୍ଗେ ବୋଲା ଦିଜିଏ, ଆପ୍‌ ପାଞ୍ଚହଜାର ଚାହେଁତୋ ହୋଗା । ଆର୍‌ବି ଦରକାର ହୋଗା ଏକ କାଗଜ ଲେଖଖକେ ରେଜେଷ୍ଟରୀ କରନା । ମିଠାଇଖାନା କା ବାତ୍‌ ବୋଲ ଦେନେ ସେ ସବ୍‌ତୁଟ୍‌ ଯାଏଗା-।’’ ନିଧି ବାବୁ ଅତି ମୋହମତିଆ ଲୋକ, ତାଙ୍କର ମଧ୍ୟ ଏସବୁ ବିଷୟରେ ଖାତିରି ନ ଥାଏ-। ଶତକଡ଼ା ୧୫ଟଙ୍କା ମିଠାଇ ଖିଆ ଛିଣ୍ଡାଇ ଟଙ୍କାନେଇ ମକଦ୍ଦମାରେ ଯାଜପୁର ଗଲେ । ନିଧି ବାବୁ ଆସିଛନ୍ତି ଶୁଣି ଓକିଲ ମୁକ୍ତାରମାନେ ମହାଖୁସି । ମୁକ୍ତାର ଓକିଲ ଜଣକ ସ୍ଥଳେ ପାଞ୍ଚଜଣ ଲାଗିଗଲେ । ସାକ୍ଷୀ ପ୍ରଭୃତି ତୟାର କରି ସବୁ ଯୋଗାଡ଼ କରିଦେଲେ । ଏ ମଧ୍ୟରେ ଚପରାଶିମାନେ ଆସି ଲମ୍ୱାଚଉଡ଼ା ସଲାମ ଦେଇ ‘‘ବାବୁ, ଆପ୍‌କା ନାମ୍‌ମେ କ୍ୟା ମକଦମା ହେ, ଆପ୍‌ଖା କୁଛ୍‌ ନେହିଁ ହୋଗା । ପରବାଏ ନେହିଁ ।’’ଏହିପରି ମିଠା କଥା କହି ସାହସ ଦେଇ ଲମ୍ୱାଚଉଡ଼ା ସଲାମ ଠୁଙ୍କି ପାନଖିଆ ଧରି ଚାଲି ଯାଉଥାନ୍ତି । ସେ ପାଞ୍ଚହଜାର ସେ ତାରିଖରେ ଶେଷ; ପୁଣି ଆର ତାରିଖବେଳକୁ ଆଉ ପାଞ୍ଚହଜାର, ଏହିପରି ପନ୍ଦର ହଜାର ଟଙ୍କାବ୍ୟୟ କରି ନିଧି ବାବୁଖଲାସ ପାଇଲେ । ତାଙ୍କ ଅନ୍ତର ଭାଇହୁକୁମ ଦେଇଥିବାରୁ ତିନିବର୍ଷ, ମୁସଲମାନ ପିଆଦା ମାଡ଼ ମାରିଥିବା ଅପରାଧରେ ସାତବର୍ଷ ସଜା ପାଇଲେ ।

 

ନିଧି ବାବୁଙ୍କର ଅନ୍ତରଭାଇ ଥାଟଇ ସେନାପତି ଓ ନିଧି ବାବୁଙ୍କର ମନ୍ତ୍ରୀଥିଲେ । ସେ ସଜା ପାଇବାରୁ ନିଧି ବାବୁ ଆକାଶ ପାତାଳ ଭାବି ଭାବି ବିରସ ମନରେ ଗ୍ରାମକୁ ଫେରିଲେ । ମନ୍ତ୍ରୀ ଓ ସେନାପତିଙ୍କ ଅଭାବରେ ଯେପରି ରାଜ୍ୟସ୍ଥ ଲୋକ ଓ ଥାଟ ଇତସ୍ତତଃ ହୁଅନ୍ତି, ସେହିପରି ନିଧିବାବୁଙ୍କ ସଙ୍ଗିମାନେ ଯେ ଯୁଆଡ଼େ ଗଲେ । ପଇସା ମଧ୍ୟ ଆଉମିଳୁ ନ ଥାଏ । ପାନ କିଛି ଦିନ ଚଳାଇଲା । ଶେଷରେ ଦେଖିଲା, ସେ ସେଠାରେ ରହିଲେ ତା’ର ଶେଷ ଦଶା ଭଲ ହେବ ନାହିଁ । ତା’ ପାଖରେ ଯାହାଥିଲା, ବୁଜୁଳି ବାନ୍ଧି ସେକୁଆଡ଼େ ପଳାଇଗଲା । ଦିନକୁ ଦିନ କରଜ ବଢ଼ିବାକୁ ଲାଗିଲା । ଜମିଦାରୀ ତୋଟା, ବଗାଏତ ଓ ଅନ୍ୟାନ୍ୟ ମୌଜାମାନଙ୍କରେ ଯେ ରେଜା ଜମିମାନ ଥିଲା, କ୍ରମେ ମହାଜନମାନେ ଖଣ୍ଡେ ଖଣ୍ଡେ ନେଇ ଯାଉଥାନ୍ତି । ସର୍ବଶେଷରେ ଗ୍ରାମରେ ଥିବା ୨୫ମାଣ ଜମି ନିଲାମ ଉଠିଲା । ଧାନ ଘର ଖଞ୍ଜା ଭାଙ୍ଗି ଚୌପାଢ଼ୀ ମଧ୍ୟ ଭାଙ୍ଗି ପଡ଼ିଲାଣି । ସାଧୁଆ ଯେତେବେଳେ ସେ ଘର–କାଠମାନ ଜାଳିବାକୁ ନେଉଥାଏ, ତା’ ଆଖିରୁ ଲୁହଗଡ଼ି ପଡ଼ୁଥାଏ । ଯେଉଁଦିନ ନିଲାମ ଇସ୍ତାହାର ଚାଳରେ ଟଙ୍ଗାହେଲା, ସେଦିନ ରାତିରେ ସେ ନିଧିଙ୍କ ବନ୍ଧୁକୁ ଡାକି ଆଣି ନିଲାମରେ ତାଙ୍କ ନାମରେ ଜମିଧରିବାର ଯୋଗାଡ଼କରି ଟଙ୍କାନେଇ ତାଙ୍କଘରେ ରଖାଇଲା । ଟଙ୍କାରଖି ଦେଇ ଆସିଲା, ମାତ୍ର ତା’ ମନରେ ଭୟ ହେଲା–‘‘ଆରେ, କଳିକାଳ, ନିଧିପୁଅ କେଉଁ ଦିନ ମନୁଷ୍ୟହେବ, ସେତେବେଳକୁ ମୁଁ ଥିବି ନା ଆଉକିଏ ଥିବ । ଯେତେକଟଙ୍କା ଥିଲା, ସବୁନେଇ ଦେଇ ଆସିଲି । ଜମିହେଲା ଅନ୍ୟ ନାମରେ । ହଉଭଗବାନ୍‌ ଅଛନ୍ତି ।’’ ଏହିପରି ଭାବି ଭାବି ସେ ବେମାର ହେଲା । ତାର ଆଉ ବସିଉଠି ପାରିବାର ଶକ୍ତି ରହିଲା ନାହିଁ । ତା ପୁଅ ଖବର ପାଇ ତାକୁ ଘରକୁ ନେଇଗଲା, ମାତ୍ର ସାଧୁଆ ଆଉ ବଞ୍ଚି ପାରିଲା ନାହିଁ । ତାହାର ମୃତ୍ୟୁଖବର ପାଇ ନିଧି ବାବୁଙ୍କ ମନରେ ଟିକିଏ ଦମ୍ଭ ଆସିଲା, ମାତ୍ର ତାଙ୍କ ସ୍ତ୍ରୀଙ୍କର ଦୁଃଖ ବର୍ଣ୍ଣନାତୀତ । ଯେଉଁ ଦିନ ସାଧୁଆର ମୃତ୍ୟୁଖବର ସେ ପାଇଲେ, ସେ ଦିନ ସେ ଖାଇବା ଦୂରେ ଥାଉ ତାଙ୍କୁ ନିଦ ହେଲା ନାହିଁ । ପୁଅ ଶୋଇ ପଡ଼ିବାମାତ୍ରେ କମଳାକୁ ପୁଅ ପାଖରେ ରଖି ଦେଇ ଗୋପୀନାଥଙ୍କ ଦ୍ୱାର ସମ୍ମୁଖରେ ଯାଇ ପଡ଼ିଥାନ୍ତି ଓ ଆଖିରୁ ଲୋତକଧାରାର ବିରାମ ନ ଥାଏ ।

 

ନିଧିଙ୍କ ପାଖରେ କେବଳ ଗୋଟିଏ ମୁସଲମାନ ବୁଢ଼ା ଯେ ତାଙ୍କ ପିତାଙ୍କ ଅମଳରୁ ପିଆଦା ଥିଲା, ସେ ନିମକଜଗି ପଡ଼ିରହିଥାଏ । ସେ ଭାବିଲା–ମୁଁ କେତେଧନ ସମ୍ପତ୍ତି ଏ ଘରୁ ନେଇଛି; ମୋ ଅମଳ ଭରି ଏହାଙ୍କ ଦାନାଖାଇ ବଞ୍ଚିଲି ଓ ପିଲାକୁଟୁମ୍ୱ ବଞ୍ଚାଇଲି । ଧନ ସରିଗଲା ବୋଲି ଏତେବେଳେ ଏହାଙ୍କୁ ଛାଡ଼ି ଯିବା ଭଲ ହେବନାହିଁ । ସେ ନିଧି ବାବୁଙ୍କୁ ଅନେକ ବୁଝାଇଲା–‘‘ବାବୁ ଦେଖ, ଯେଉଁଧନ ବଳରେ ଏତେଲୋକ ପାଦତଳେ ଖଟିଥିଲେ, ସେଧନ ଶେଷହେବାରୁ କାହାରି ଦେଖାନାହିଁ । ସଂସାର ଏହିପରି । ଆପଣ ଗେହ୍ଲାରେ ବଢ଼ିଥିଲେ । ସଂସାର କଥା ବୁଝି ପାରିଲେନାହିଁ । ଆମ୍ଭମାନଙ୍କ କଥା ମାନିଲେ ନାହିଁ । ଏବେ କ’ଣ କରିବେ ? ନାଏବବାବୁ ଏତେ ଟଙ୍କା, ଧାନ, ଜମିବାଡ଼ି କରିଥିଲେ । ଆପଣ ତାକୁ ଭୁତ ଖୁଆଇଲେ, ଏବେ ବୁଝି ପାରୁଛନ୍ତି । ସେତେବେଳେ ଆପଣଙ୍କୁ ଜଣା ଯାଉ ନଥିଲା, ଏବେ ମୋ ବୋଲ କରନ୍ତୁ । ଆପଣଙ୍କର ସ୍ତ୍ରୀ ବଡ଼ ହୁସିଆର ଲୋକ । ସେକାଳେ କିଛି ରଖିଥିବେ । ତାଙ୍କ ପାଖରେ ରହି ତାଙ୍କ କଥାରେ ଚଳନ୍ତୁ । ନିଶାଖିଆରେ ମନ ଦେଲେ ପଇସା କିଏ ଦେବ ? ଚୋରିକଲେ ଜେଲ୍‌ ଯିବେ । ମାଗି ଖାଇଲେ କେତେ ଖାଇବେ ? ସେ ଦୁଇକଥା ଆପଣଙ୍କଦ୍ୱାରା ହେବ ବି ନାହିଁ, ଆଉ କ’ଣ କରିବେ ? ମୁଁ ଅତିବୁଢ଼ା ହେଲିଣି, ଏଣିକି ଯାଇ ଆସି ପାରୁନାହିଁ । ନିମକହରାମ ଲୋକମାନେ ଆପଣଙ୍କୁ ଖରାପ ବାଟ ଦେଖାଇ ସମ୍ପତ୍ତି ଥିବାଯାଏଁ ଆସୁଥିଲେ; ଏଣିକି କାହାରି ଦେଖାନାହିଁ । ମୁଁ ନିମକକୁ ଚାହିଁ ଆଜି ପର୍ଯ୍ୟନ୍ତ ରହିଲି, ଆଉ ଏଣିକି ଆସି ପାରିବି ନାହିଁ । ଘରେ ପଡ଼ି ରହିଲେ ପିଲାମାନେ ସେବାକରିବେ, ବାପ୍‌କା ମାଲ ଜମାଥିଲା, ଦିନାକେତେ ମଉଜକଲେ ଓ ତ ମରଦକା ବାତ୍‌ ହେ । ଏଣିକି ଜୀବନ କିପରି କଟିବ ! ନିଜର ଦେବୀପରି ସ୍ତ୍ରୀ ଅଛି, ପୁଅ ଅଛି; ତାଙ୍କୁନେଇ ଦୁଃଖସୁଖରେ ଚଳ । ଆପଣ ହିନ୍ଦୁ ଅଛନ୍ତି । ନିଜକୁଳର କଥା କରି ଚଳିଲେ ଫେର୍‌ ଖୋଦା ମାଲିକ ସବୁ ଦେବେ । କିଏ କ’ଣ ମା’ ପେଟରୁ ଧନ ବୋହି ଆଣିଥାଏ, ନା ଗଲାବେଳେ ସଙ୍ଗରେ ବୋହି ନିଏ ! ସଂସାରରେ ଏହିପରି ଦିନେ ଦୁଃଖ ଦିନେ ସୁଖ ସମସ୍ତଙ୍କ ପକ୍ଷରେ ଲାଗି ରହିଛି । ଚିନ୍ତା କ’ଣ, କାଲିଠାରୁ ଘରେ ରହି ସ୍ତ୍ରୀ କଥାରେ ଚଳ । ଟଙ୍କା ଥିଲା, ବଡ଼ଲୋକିରେ ଚଳୁଥିଲ । ଟଙ୍କା ନାହିଁ, ସଂସାରରେ ଗୃହୀଭାବରେ ଦୁଃଖସୁଖରେ ଚଳିବ । ତୁମେ ତ ନିଜେ କରିଛ, ଦୋଷକାହାକୁ ଦେବ ! ଏ ବୈଠକଖାନା ଓ ବଗାୟତ ପ୍ରଭୃତି ମହାଜନମାନଙ୍କର ଯାହା ବାକି ପାଉଣା ଅଛି, ସେଥିପାଇଁ ସେମାନେ ନିଅନ୍ତୁ । ଆପଣ ପିଲା କବିଲା ନେଇ ଖୋଦାକା ମର୍‌ଜିକୁ ଚାହିଁ ରହନ୍ତୁ । ମୁଁ କାଲିଠାରୁ ଆଉ ଆସି ପାରିବି ନାହିଁ ।’’ ଏହାକହି ଲମ୍ୱାଚଉଡ଼ା ସଲାମ୍‌ ଠୁଙ୍କି ବିଛଣାରେ ଶୋଇଲା-। ନିଧି ମୁସଲମାନ ମିଆଁଜାନ କଥା ସବୁ ଶୁଣୁଥାନ୍ତି, ମିଁ କି ଚିଁ କିଛି କହନ୍ତି ନାହିଁ । ସେ ବିଛଣାରେ ଶୋଇବାରୁ ନିଧି ଭାବିଲେ–କ’ଣ କରିବି, ଏ ବୁଢ଼ାଟିଥିବାରୁ ମାଲଟିକିଏ କେତେବେଳେ ନଗଦ, କେତେବେଳେ ବାକିକରି ଆଣି ଦେଉଥିଲା । ଏ ନ ଆସିଲେ ଆଉ ମୋ ପାଖରେ କେହିଲୋକ ନାହାନ୍ତି । କିପରି ଚଳିବି, ହଉଘରେ ରହିବି । ମାଲ ନ ଖାଇଲେ କିପରି ରହିବି, ଛାଡ଼ିଦେଲେ କ’ଣ ହେବ ? ଏତେକାଳ ଘରକୁଗଲି ନାହିଁ, ଦିନେ ସେମାନଙ୍କୁ ପଚାରିଲି ନାହିଁ; କେଉଁ ମୁହଁରେ ଯାଚିହୋଇ ଯାଇ ଘରେ ଖାଇବି । ଏହିପରି ଭାବି ଭାବି ନିଦ ହେଉ ନଥାଏ, ବିଛଣାରେ ପଡ଼ି ଛଟପଟ ହେଉଥାନ୍ତି । ଆଷାଢ଼ ମାସର ଗୁଳୁଗୁଳି ଅସହ୍ୟବୋଧ ହେଉଥାଏ ।

Image

 

ତ୍ରୟୋତ୍ରିଂଶ ପରିଚ୍ଛେଦ

 

ଆଷାଢ଼ମାସ, କୃଷ୍ଣ ତ୍ରୟୋଦଶୀ; ରାତ୍ରି ଅର୍ଦ୍ଧ ସମୟରେ ଘଡ଼ଘଡ଼ି ସହ ବିଜୁଳିଦ୍ୱାରା ପୃଥ୍ୱୀ ଚମକାଇ ଘୋରବୃଷ୍ଟି ଆରମ୍ଭ ହେଲା । ନିଧିଙ୍କୁ ନିଦ ଆସିଲା । ସେ କିଛିସମୟ ନିଦ୍ରାସୁଖ ଭୋଗକରି ଅଛନ୍ତି, ସେସ୍ୱପ୍ନରେ ଦେଖିଲେ, ଭୟଙ୍କର ମୂର୍ତ୍ତିରେ ସାଧୁଆ ଆସି ତାଙ୍କ ଦ୍ୱାରରେ ଦଣ୍ଡାୟମାନ । ହଠାତ୍‌ ତାଙ୍କ ନିଦ ଭାଙ୍ଗିଗଲା । ଦିନରେ ସେ ସାଧୁଆର ମୃତ୍ୟୁଖବର ପାଇଥାନ୍ତି । ମେଘ ଅନ୍ଧାରରେ କିଛି ଦିଶୁ ନ ଥାଏ, ଦୀପ ତେଲ ଅଭାବରୁ ନିଭି ଯାଇଥାଏ । ବିଜୁଳି ତେଜ ମଧ୍ୟରେ ସାଧୁଆର ଭୟଙ୍କର ପ୍ରେତମୂର୍ତ୍ତି ତାଙ୍କ ସମ୍ମୁଖରେ ଘନ ଘନ ଉପସ୍ଥିତ ହେଉଥାଏ । ସେ ଭୟବିହ୍ୱଳ ହୋଇ ମିଆଁଜାନ ପାଖକୁ ଉଠି ଆସି ତାକୁ ଉଠାଇଲେ । ସେସବୁ କଥା ନିଧିଙ୍କଠାରୁ ବୁଝି ତାଙ୍କୁ ନାନା ଉପଦେଶପୂର୍ଣ୍ଣ ବାକ୍ୟରେ ଗୃହକୁ ଯିବାକୁ ବୁଝାଇଲା । ତା କଥାମାନ ଶୁଣି ନିଧି ଆପଣାର ସ୍ତ୍ରୀ ପାଖକୁ ଯିବାକୁ ମନ ବଳାଇଲେ । ମିଆଁଜାନ ନିଜେ ଯାଇ କମଳାକୁ ଡାକି ସାଧୁଆ ଡରାଇବା କଥା କହି ତାଙ୍କୁ ଛାଡ଼ିଦେଇ ଆସିବାକୁ କହିବାରୁ ନିଧି ରାଜିହେଲେ । ମାତ ଅବିଶ୍ରାନ୍ତ ବୃଷ୍ଟିଧାରା ପତନ ଯୋଗେ ସେ ଯାଇ ନପାରି ବାରିପାତ ବିରାମକୁ ଚାହିଁ ବସିଥାନ୍ତି । ସେ ଦିନ ରାତ୍ରିରେ ତାଙ୍କର ସ୍ତ୍ରୀ ସୁଶୀଳା ଗୋପୀନାଥ ମନ୍ଦିରରେ ପଡ଼ି ଗୋପୀନାଥଙ୍କର ଚରଣ ଧ୍ୟାନରେ ନିମଗ୍ନା ଥାନ୍ତି । ଘଡ଼ଘଡ଼ି ଧ୍ୱନି ଓ ବିଦ୍ୟୁତ୍‌ସ୍ଫୁରଣ ଅବଳା ହୃଦୟକୁ କିଛିକ୍ଷଣ ଇତସ୍ତତଃ କଲା, ମାତ୍ର ସୁଶୀଳା ନିଜର ହୃଦୟକୁ ପଥର କରିଦେଇ ଗୋପୀନାଥଙ୍କୁ ନିଜର ଦୁଃଖ ଜଣାଇଲେ–‘‘ପ୍ରଭୋ କୃପାସାଗର, ଦୀନବନ୍ଧୁ, ଅଗତିର ଗତି, ଅନାଥର ନାଥ, ବ୍ରହ୍ମାଣ୍ଡପତି ! ମୁଁ ପାପିନୀ, ନିରାଶ୍ରୟା, ମୂଢ଼ମତି ଅବଳା ତୁମ୍ଭର ସ୍ତବ କରିବାକୁ କାହୁଁ କ୍ଷମହେବି ! ପ୍ରଭୋ ତୁମ୍ଭର ମହିମା ମୋତେ ଅଜଣା, ମାତ୍ର ବଡ଼ଲୋକମାନଙ୍କଠାରୁ ଯାହା ଶୁଣିଅଛି, ତାହାରି ବଳରେ ଆଜି ଏ ହତଭାଗିନୀ ତୁମ୍ଭ ଚରଣତଳରେ ଆଶ୍ରୟ ନେଇଅଛି ।

 

ମୁଁ ମୋରଜ୍ଞାନ ହେବା ଦିନରୁ ଏପରିକି ଦୋଷକରିଛି ଯେ ସେଥିପାଇଁ ଏ ଦଣ୍ଡ ଭୋଗ କରୁଅଛି, ତାହା ବୁଝି ପାରୁନାହିଁ । ତମେ ସକଳ ମନକଥା ଜାଣ । ମୋ ମନରେ ଯଦି ପାପ ଥାଏ, କି ଅନ୍ତରରେ ହିଂସାଥାଏ, ତାହା ତୁମ୍ଭଙ୍କୁ ଜଣା । ପୂର୍ବଜନ୍ମରେ ଯେ ପାପ କରିଅଛି ତାହା ମଧ୍ୟ ମୁଁ କାହୁଁ ବୁଝିବି ? ତୁମ୍ଭଙ୍କୁ ତାହାଜଣା; ମାତ୍ର ଶୁଣିଅଛି, ଲୋକଯେତେ ଅନ୍ୟାୟ କଲେ ମଧ୍ୟ ବିପଦ ବେଳରେ ତୁମ୍ଭଙ୍କୁ ଡାକିଲେ ତୁମ୍ଭେ ଶୁଣ ଏବଂ ତାହାର ବିପଦ ଘୁଞ୍ଚାଅ । ମୋ ପକ୍ଷରେ ଏଡ଼େ ନିଦାରୁଣ କାହିଁକି ହେଉଅଛ ମୁଁ ବୁଝି ପାରୁନାହିଁ । ପ୍ରଭୋ ! ଆଉକି ଦଣ୍ଡ ଅଧିକ ଦେବ ! ସ୍ୱାମି ସୁଖରୁ ବଞ୍ଚିତ ହେଲି, ଧନ ଗଲା, ଯେଉଁ ଲୋକର ସାହସ ବଳରେ ଧୈର୍ଯ୍ୟଧରି ରହିଥିଲି, ତାକୁ ମଧ୍ୟ ନେଲ । କୃପାକରି ପୁଅଟିଏ ଦେଇଥିଲ, ମାତ୍ର ତାହାର ଦୁଃଖ ଦେଖିଲେ ହୃଦୟ କରତି ହୋଇଯାଏ । ପିତା ଥାଉଁଥାଉଁ ପିତାର ସ୍ନେହ କିପରି, ତାହା ସେ ଜନ୍ମଦିନରୁ ଜାଣିଲା ନାହିଁ । ଯେତେବେଳେ ସେ ବାପାଙ୍କ କଥା ମୋ ଆଗରେ କହେ, ମୋ ହୃଦୟରେ କିପରି ଦୁଃଖାଗ୍ନି ଜଳିଉଠେ, ତାହା କି ତୁମ୍ଭଙ୍କୁ ଅଜଣା ? ତୁମ୍ୱେ କ’ଣ ଜାଣ ନାହିଁ ଯେ, ମୁଁ କ’ଣ କହିବି ?’’ ଏହି ସମୟରେ କମଳା ବହୂକାଳେ ଘଡ଼ଘଡ଼ି ବିଜୁଳିରେ ଚମକି ପଡ଼ି ଡରୁଥିବ, ଏହାଭାବି ଅତରଛରେ ଆସିଡାକ ପକାଇଲା । ଶୁଶୀଳା ତା’ ଡାକ ଶୁଣି ନ ଶୁଣିଲା ପରି ବସିଥାନ୍ତି । ସେ ତାଙ୍କର ହୃଦୟ ବେଦନା ବୁଝି ପୁଅ ଡରି କାନ୍ଦୁଛିବୋଲି କହିଲା; ଏ କଥା ଶୁଣି ସୁଶୀଳାର ଚକ୍ଷୁରୁ ଲୋତକଧାରା ଅବିଶ୍ରାନ୍ତ ବୋହିବାକୁ ଲାଗିଲା । ମାତୃସ୍ନେହର ସୀମାକାହିଁ । ପୁତ୍ର ଡରି କାନ୍ଦୁଥିବା ଶୁଣି ଓ ମା’କୁ ଖୋଜୁଥିବା ଜାଣି ସବୁ ଦୁଃଖ ଦୂରକରି ସେ ଗୋପୀନାଥଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ କହିଲେ, ‘‘ପ୍ରଭୋ ! ମୁଁ ସ୍ତ୍ରୀଲୋକ, ମୋର ଧୈର୍ଯ୍ୟକେତେ ? ଏ ଅନାଥିନୀ ପ୍ରତି କୃପାକରି ସହାୟ ହୁଅ, ତା’ର ଦୁଃଖଫେଡ଼ । ସେ ଆଉ ଏଣିକି କଷ୍ଟ ସହିପାରିବ ନାହିଁ । ତୁମ୍ଭର ନିନ୍ଦାହେବ । ପତିତପାବନ ବାନା ନାମ ସାର୍ଥକ କର । ମୁଁ ତୁମ୍ଭର କୃପା ଉପରେ ପୂରା ଆଶାରଖି ଯାଉଛି । ଶୁଣିଛି, ମୋ ସ୍ୱାମିଙ୍କୁ ପାଇବା ଉଦ୍ଦେଶ୍ୟରେ ପ୍ରତିମା ତୁମ୍ଭର ପ୍ରତିଷ୍ଠା କରିଥିଲେ । ତୁମ୍ଭେ କ’ଣ ଏହି ଝଡ଼ ଦେବା ତୁମ୍ଭର ଏକମାତ୍ର ଇଚ୍ଛା ।

 

ସୁଶୀଳାର ପୁତ୍ରଜନ୍ମ ସମୟରୁ ନିଧିବାବୁ ପ୍ରାୟ ସାତବର୍ଷ ପର୍ଯ୍ୟନ୍ତ ଗୃହକୁ ଯାଇନାହାନ୍ତି । ସ୍ତ୍ରୀ କିମ୍ୱା ପୁତ୍ର କଥା ସେ ମଧ୍ୟରେ ଦିନେ ମଧ୍ୟ ସେ ବୁଝିନାହାନ୍ତି । ମାତ୍ର ସେଥିପାଇଁ ସୁଶୀଳା ମନରେ କ୍ଷଣମାତ୍ର ସ୍ୱାମି ପ୍ରତି ରାଗ ବା ଘୃଣା ଜନ୍ମିନାହିଁ । ସେ ନିଜ ଅଦୃଷ୍ଟର ଦୋଷ ଦେଇ ଚଳୁଥାନ୍ତି । ଯୁବାବୟସରେ ସ୍ୱାମି ବିରହ ଯନ୍ତ୍ରଣା ସହ୍ୟକରି ମଧ୍ୟ କ୍ଷଣମାତ୍ର ତାଙ୍କ ମନକୁ ପାପ ଚିନ୍ତା ସ୍ପର୍ଶକରି ନ ଥିଲା । ସେ ପ୍ରତିଦିନ ସନ୍ଧ୍ୟା ଓ ସକାଳେ ଗୋପୀନାଥଙ୍କଠାରେ ସ୍ୱାମିଙ୍କର ମଙ୍ଗଳ କାମନା କରୁଥିଲେ । ସେ ଗୋପୀନାଥଙ୍କଠାରୁ ଶୟନ କକ୍ଷକୁ ଫେରିବାବେଳେ ତାଙ୍କର ବାମଚକ୍ଷୁ ସ୍ଫୁରିଲା । ଏହାଜାଣି ସେ ମନରେ ବିଚାରିଲେ, ସେ ତ ସ୍ତ୍ରୀଲୋକଠାରୁ ଅନେକ ଭୀରୁ । ସାଧୁଆର ମୃତ୍ୟୁଖବର ଆଜି ପାଇଅଛନ୍ତି । ମେଘ ଅନ୍ଧାର, ପାଖରେ କେବଳ ବୁଢ଼ା ପଠାଣ ଅଛି । ସେ ପଳାଇବାକୁ ବସିଲାଣି । ସତେ କ’ଣ ଗୋପୀନାଥ କୃପାକରିବେ, ସେଘରକୁ ଆସିବେ ! ସତୀ ସ୍ତ୍ରୀ ସ୍ୱାମିର ହୃଦୟ କଥା ଜାଣିପାରେ । ଏହିପରି ଭାବି ଶୟନ କକ୍ଷରେ ନିଜ ବିଛଣାରେ ବସିଅଛନ୍ତି, ନିଦ ହେଉନାହିଁ । ମନ କେତେବେଳେ ଗୋପୀନାଥଙ୍କ ପାଦପଦ୍ମରେ, କେତେବେଳେ ସ୍ୱାମୀଙ୍କଠାରେ ରହୁଥାଏ । ବୃଷ୍ଟିଛାଡ଼ିବା ପରେ ପଠାଣବୁଢ଼ା ଦ୍ୱାରଦେଶରେ ଡାକ ଛାଡ଼ିଲା । ସେ କମଳାକୁ ଉଠାଇ ଦେଲେ । କମଳା ଯାଇ କବାଟ ଖୋଲି ଦେଖିଲାବେଳକୁ ପଠାଣବୁଢ଼ା ସଙ୍ଗରେ ନିଧିବାବୁ ଛିଡ଼ା ହୋଇଅଛନ୍ତି । ବୁଢ଼ା ସାଧୁଆ ଡରାଇବା କଥା କହି ଏଣିକି ବାବୁଙ୍କ କଥା ଉତ୍ତମରୂପେ ବୁଝି ସୁଖ ଦୁଃଖରେ ଚଳିବାକୁ କହି, ସାନ୍ତାଣୀଙ୍କଠାରୁ ବିଦାୟ ମାଗିଲା । କମଳା ଦଉଡ଼ିଯାଇ ଆଲୁଅ ଧରି ନିଧି ବାବୁଙ୍କୁ ଘରକୁ ନେଇଗଲା । ନିଧି ଶୟନକକ୍ଷରେ ପହଞ୍ଚି ଖଟ ଉପରେ ବସିବା ସମୟରେ ସୁଶୀଳା ଉଠି ଖଟତଳେ କମଳା ଦୀପ ରଖିଦେଇ ଅନ୍ତର ହୋଇଗଲା-। ପରସ୍ପର ବିପରୀତ ଦିଗରୁ ଦୁଇସ୍ରୋତର ମିଳନ ହେଲେ ଯେପରି ପ୍ରତ୍ୟେକ ସ୍ରୋତ ପଛକୁ ଗତିକରେ, ସେହିପରି ଉଭୟଙ୍କ ମନରେ ଲଜ୍ଜା ଓ ଆନନ୍ଦ ଯୁଗପତ୍‌ ଜାତହୋଇ ଉଭୟଙ୍କର କଣ୍ଠରୁଦ୍ଧ କଲା–କେହି କାହାକୁ କିଛି କହିପାରିଲେ ନାହିଁ ।

 

କିଛିକ୍ଷଣ ପରେ ସୁଶୀଳା ଗୋପୀନାଥଙ୍କ ଚରଣରେ ପ୍ରଣାମକରି ଦମ୍ଭ ଧରି ଅଶ୍ରୁ ଗଦ୍‌ଗଦ ବଚନରେ ସ୍ୱାମୀଙ୍କ ଚରଣଧରି କହିଲା, ‘‘ମୁଁ ଯେ ଦୋଷ କରିଛି, ତାହା କ୍ଷମାକର । ତୁମ ଚିନ୍ତାର କାରଣ କିଛି ନାହିଁ । ସଂସାରରେ କିଏ କ’ଣ କରୁନାହିଁ । ତୁମର ପିତାଧନ ଅର୍ଜନ କରିଥିଲେ । ତୁମେ ଦିନାକେତେ ବସି ଆନନ୍ଦରେ ଖର୍ଚ୍ଚକଲ । ଏଥିରେ ନିନ୍ଦାର କଥା କିଛି ନାହିଁ । ଲୋକେ ଚୋରି କରୁଛନ୍ତି, ନାନା କୁକର୍ମ କରୁଛନ୍ତି । ମରଦକୁ ଯାହା ନିନ୍ଦା କଥା, ତାହା ତୁମେ କରି ନାହଁ । ଲକ୍ଷ୍ମୀ ଚଞ୍ଚଳା–ସେ କେଉଁଠାରେ ସ୍ଥିର ହୋଇ ରହନ୍ତି ନାହିଁ । ସୁଖ ଓ ଦୁଃଖ ଦିନ ଓ ରାତି ପରି ଲାଗି ରହିଅଛି । ହାତରେ ପଇସାଥିଲା, ମନଇଚ୍ଛା ଖରଚ କରୁଥିଲ । ପଇସା ନାହିଁ, ସୁଖ ଦୁଃଖରେ ଚଳିଯିବା । ତୁମର କିଛି ଅସୁବିଧା ହେବନାହିଁ । ଏ ଦାସୀ ସବୁକଥା ବୁଝିବ । ତୁମ୍ଭଙ୍କୁ କୌଣସି ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ ।’’ ନିଧିବାବୁ ଭାବିଥିଲେ ଯେ, ସେ ସ୍ତ୍ରୀଙ୍କଠାରୁ ଅପମାନସୂଚକ କଥା ଶୁଣିବେ, ମାତ୍ର ଏପରି ବିନୟପୂର୍ଣ୍ଣ ମଧୁର କଥା ଶୁଣି ସେ ନିଜକାର୍ଯ୍ୟରେ ବିଶେଷ ଲଜ୍ଜିତ ଓ ଦୁଃଖିତ ହୋଇ କହିଲେ–‘‘ତୁମଠାରେ ମୁଁ ଯେ ଅପରାଧ କରିଅଛି, ସେଥିପାଇଁ ମୁଁ କ୍ଷମାରଯୋଗ୍ୟ ନୁହେଁ । ମୁଁ ଅତି ଅଜ୍ଞ, ତେଣୁ ତୁମକୁ ଚିହ୍ନି ପାରି ନଥିଲି । ତୁମ କଥା ନ ମାନିବାରୁ ମୋର ଏ ଦୁର୍ଦ୍ଦଶା ଘଟିଲା । ମୁଁ ବର୍ତ୍ତମାନ ତୁମର ଉପଦେଶ ମନେ କରି ଅନୁତାପ କରୁଅଛି । ବର୍ତ୍ତମାନ ତୁମର କୃପାହିଁ ମୋର ଏକମାତ୍ର ସାନ୍ତ୍ୱନା ।’’

 

ସୁଶୀଳା ତାଙ୍କର ସ୍ୱାମୀଙ୍କୁ ଏପରିଭାବରେ ଚଳାଇଲେ ଯେ, ସେ କୌଣସି ବିଷୟରେ ଅସୁବିଧା ଭୋଗକଲେ ନାହିଁ । ମାତ୍ର ନିଜ କୃତକର୍ମ ପାଇଁ ଅନୁତାପ କରି କରି ଜୀବନ କଟିଲା । ଏଣୁ ଦାସେ କହିଛନ୍ତି–‘‘କର୍ମକଷଣ ଦେହ ସହେ । ଅରଣ୍ୟେ ଅଜଗର ପ୍ରାୟେ ।’’

Image